ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
କୋଭିଡ-19 ମହାମାରୀ ମୁକାବିଲାରେ ସମାଜର ସବୁ ଲୋକଙ୍କ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସମଭାବାପନ୍ନ – ମୁଖତାର ଆବାସ ନକଭି
• ସଂଖ୍ୟାଲଘୁ ମନ୍ତ୍ରଣାଳୟ ଅଧୀନ କୌଶଳ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ତାଲିମପ୍ରାପ୍ତ 1500 ସ୍ୱାସ୍ଥ୍ୟ ସହାୟକ ଦେଶବ୍ୟାପୀ କରୁଛନ୍ତି କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା
• ଦେଶର 16ଟି ହଜ ଭବନକୁ କରୋନା ରୋଗୀଙ୍କ ପାଇଁ ଏକାନ୍ତବାସ ଭାବେ ବ୍ୟବହାର କରିବା ଲାଗି ରାଜ୍ୟ ସରକାରମାନଙ୍କୁ କରାଯାଇଛି ହସ୍ତାନ୍ତର
• ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମେଡିକାଲ କଲେଜ କରୋନା ରୋଗୀଙ୍କ ଉପଚାର ପାଇଁ 100ଟି ଶଯ୍ୟା ବ୍ୟବସ୍ଥା କରିଥିବା ବେଳେ ଏପର୍ଯ୍ୟନ୍ତ କରିଛି 9000 ରୋଗ ନମୁନା ପରୀକ୍ଷଣ
Posted On:
09 MAY 2020 2:07PM by PIB Bhubaneshwar
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ 1500 ସ୍ଵାସ୍ଥ୍ୟସେବା ସହାୟକଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ମନ୍ତ୍ରୀ ନକଭି କହିଛନ୍ତି ।
ଶ୍ରୀ ନକଭି କହିଛନ୍ତି ଯେ, ଏହି ସ୍ଵାସ୍ଥ୍ୟସେବା ସହାୟକଙ୍କ ମଧ୍ୟରୁ ଶତକଡା 50 ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଉ 2000 ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ । ଏହି ସ୍ୱାସ୍ଥ୍ୟସେବା ସହାୟକମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଵନାମଧନ୍ୟ ହସ୍ପିଟାଲଗୁଡିକରେ ଏକ ବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି ।
ଶ୍ରୀ ନକଭି କହିଛନ୍ତି ଯେ, ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟକ ପାଣ୍ଠିକୁ 51 କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାଛଡା ଏହି ୱାକଫ ବୋର୍ଡଗୁଡିକ ବିଭିନ୍ନ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟୁଛନ୍ତି ।
ଶ୍ରୀ ନକଭି କହିଛନ୍ତି ଯେ, ଦେଶର 16ଟି ହଜ ଭବନକୁ କରୋନା ରୋଗୀଙ୍କ ଏକାନ୍ତବାସ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଛି । ଆବଶ୍ୟକତା ଅନୁସାରେ ସେହି ରାଜ୍ୟ ସରକାରଗୁଡିକ ଏହାର ଉପଯୋଗ କରୁଛନ୍ତି ।
ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 1.40 କୋଟି ଟଙ୍କା ପ୍ରଦାନ କରିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ 100ଟି ଶଯ୍ୟାର ବ୍ୟବସ୍ଥା କରିବା ସହ 9000 ରୋଗୀଙ୍କ ନମୁନା ପରୀକ୍ଷଣ କରିଛି ବୋଲି ଶ୍ରୀ ନକଭି କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ସଙ୍ଗରୋଧ ଏବଂ ଏକାନ୍ତବାସ ବ୍ୟବସ୍ଥା ଆଜମିର ସରିଫ ଦର୍ଘା ଖ୍ଵାଜା ଆଦର୍ଶ ବିଦ୍ୟାଳୟ ଏବଂ କୟାଦ ବିଶ୍ରାମସ୍ଥଳୀଠାରେ କରାଯାଇଛି । ଜାତି, ଧର୍ମ ନିର୍ବିଶେଷରେ ଲକଡାଉନ କାଳରେ 4500ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହିତ ରବିହାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଦର୍ଘା କମିଟି, ଦର୍ଘା ଖାଦିମ ଏବଂ ସଜଦା-ନସିନ ପକ୍ଷରୁ ଏସବୁ ସୁବିଧା ଯୋଗାଇ ଦିଆଯାଇଛି । ଦର୍ଘା କମିଟି ଏଥିସହ ସଂଶ୍ଳିଷ୍ଟ ସଙ୍ଗଠନଗୁଡିକ ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଶିଖୋ ଔର କମାଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାସ୍କ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟା ଯାଇଛି । ମନ୍ତ୍ରଣାଳୟ “ଜାନ ଭି ଜାହାନ ଭି” ସଚେତନତା ଆରମ୍ଭ କରି ସମାଜରେ ସାମାଜିକ ଦୂରତ୍ଵ ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବ ।
କରୋନା ବିଶ୍ଵମାରୀର ମୁକାବିଲା ପାଇଁ ଦେଶର ସବୁ ଲୋକ ମିଳିତଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ କାର୍ଯ୍ୟ କରୁଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମାଜର ଅନ୍ୟମାନଙ୍କ ଭଳି ଏଥିରେ ସହଭାଗୀ ଅଛନ୍ତି ବୋଲି ଶ୍ରୀ ନକଭି କହିଛନ୍ତି ।
**********
(Release ID: 1622550)
Visitor Counter : 217
Read this release in:
Marathi
,
English
,
Urdu
,
Hindi
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam