ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ଲକଡାଉନ୍ ସମୟରେ ଖାଦ୍ୟଶସ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ
• କେନ୍ଦ୍ରୀୟ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା 400 ଲକ୍ଷ ମେଟ୍ରିକ ଟନ ମଧ୍ୟରୁ ଅର୍ଦ୍ଧାଧିକ ସଂଗୃହୀତ
• 45 ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ, 30 ଲକ୍ଷ ମେଟ୍ରିକ ଟନ ସଂଗ୍ରହ ସହ ତେଲଙ୍ଗାନା ସର୍ବାଗ୍ରେ
• ପିଏମଜିକେଏୱାଇ ଅଧୀନରେ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦ୍ୱାରା 70 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଣ, ତିନିମାସ ପାଇଁ ମଞ୍ଜୁର ମୋଟ ଖାଦ୍ୟଶସ୍ୟର ଏହା 58%
Posted On:
07 MAY 2020 6:52PM by PIB Bhubaneshwar
ମୂଳ ରବି ଋତୁ ସମୟରେ ଗହମ ଏବଂ ଧାନ (ଦ୍ୱିତୀୟ ଶସ୍ୟ) ସଂଗ୍ରହ କାର୍ଯ୍ୟ ଦେଶବ୍ୟାପୀ କରୋନା ମହାମାରୀ ସଂକ୍ରମଣ ଏବଂ ଲକଡ଼ାଉନ ସତ୍ତ୍ୱେ ବେଶ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଛି । ଏହି ସମୟରେ ନାନା ପ୍ରକାର ଲଜିଷ୍ଟିକାଲ ସମସ୍ୟା ସତ୍ତ୍ୱେ ଖାଦ୍ୟଶସ୍ୟ ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହୋଇନାହିଁ । ଚଳିତ ବର୍ଷ ମୋଟ 400 ଲକ୍ଷ ମେଟ୍ରିକ ଟନ୍ (ଏଲଏମଟି) ଗହମ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କେନ୍ତ୍ରୀୟ ସଂଗହ ଭଣ୍ଡାରଣ ପାଇଁ 06.05.2020 ସୁଦ୍ଧା ତାହା 216 ଲକ୍ଷ ମେଟ୍ରିକ ଟନ୍ ଛୁଇଁଛି । ଏହା ବାସ୍ତବିକ ଖୁସିର କଥା ଯେ ପ୍ରମୁଖ ଗହମ ସଂଗ୍ରହକାରୀ ରାଜ୍ୟ ଯଥା ପଞ୍ଜାବ, ହରିଆନା ଓ ମଧ୍ୟ ପ୍ରଦେଶରେ ତାହା କେବଳ ଅପ୍ରେଲ 15 ତାରିଖ ପରେ ହିଁ ଆରମ୍ଭ କରାଯାଇଛି । ସେହିଭଳି ଧାନ ସଂଗ୍ରହ କାର୍ଯ୍ୟ ମଧ୍ୟ ବେଶ୍ ସୁରୁଖୁରୁରେ ଚାଲିଛି ଏବଂ ଏବେ ସୁଦ୍ଧା ସରକାରୀ ଏଜେନ୍ସିମାନଙ୍କ ଦ୍ୱାରା 44.9 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗୃହୀତ ହୋଇପାରିଛି ।
ପଞ୍ଜାବ ଗହମ ସଂଗ୍ରହ କ୍ଷେତ୍ରରେ 104.28 ଲକ୍ଷ ମେଟ୍ରିକ ଟନ୍ ସହ ସର୍ବାଗ୍ରେ ରହିଛି ଏବଂ ତାହା ପଛକୁ 50.56 ଲକ୍ଷ ମେଟ୍ରିକ ଟନ୍ ସହ ହରିଆନା ଦ୍ୱିତୀୟ ସ୍ଥାନରେ ରହିଛି । 48.64 ଲକ୍ଷ ମେଟ୍ରିକ ଟନ୍ ଗହମ ସଂଗ୍ରହ ସହ ମଧ୍ୟ ପ୍ରଦେଶ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି । ଅସମୟରେ ବର୍ଷା ଯୋଗୁ ସେହିସବୁ ରାଜ୍ୟରେ ଥିବା ଗହମ ଷ୍ଟକ୍ ପ୍ରଭାବିତ ହୋଇଛି । ଭାରତ ସରକାର ସେହିସବୁ କୃଷକମାନଙ୍କ ସହାୟତାରେ ଆସିଛନ୍ତି ଏବଂ ସେମାନଙ୍କୁ ନିଦ୍ଦିଷ୍ଟ କିଷମର ଶସ୍ୟ ସଂଗ୍ରହ ବ୍ୟବସ୍ଥାରେ କୃଷକମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦାନ କରିଛନ୍ତି । ଏହା ଫଳରେ ତାହା କୃଷକମାନଙ୍କ ପାଇଁ ଯଥେଷ୍ଟ ସହାୟକ ହୋଇପାରିଛି ତଥା ଗହମ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । କୃଷକମାନେ ଆଉ ଅଭାବୀ ବିକ୍ରିର ଶିକାର ହେଉନାହାନ୍ତି । ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ମଧ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଏଭଳି ସଂଗ୍ରହରେ ସହଯୋଗ କରିଛନ୍ତି ଏବଂ ସେଠାରେ ଏବେ ସଂଗ୍ରହ କାର୍ଯ୍ୟ ବେଶ୍ ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି ।
ଧାନ କ୍ଷେତ୍ରରେ ସର୍ବାଧିକ ଧାନ ତେଲଙ୍ଗାନାରୁ ସଂଗୃହୀତ ହୋଇଛି । ସେଠାରେ ବଡ଼ ବଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଧାନ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି । ଏବେସୁଦ୍ଧା ହୋଇଥିବା 45 ଲକ୍ଷ ଟନ୍ ମଧ୍ୟରୁ କେବଳ ତେଲଙ୍ଗାନାରୁ 30 ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ କରାଯାଇଥିବା ଜଣାଯାଏ । ଏହା ପଛକୁ ଆନ୍ଧ୍ର ପ୍ରଦେଶ ରହିଛି ଯେଉଁଠାରୁ ଏପର୍ଯ୍ୟନ୍ତ ସଂଗୃହୀତ ହୋଇଛି 10 ଲକ୍ଷ ମେଟ୍ରିକ ଟନ୍ ଧାନ । କୋଭିଡ଼ ମହାମାରୀ ତଥା ଲକଡାଉନ୍ ଯୋଗୁ ନାନା ପ୍ରକାର ସମସ୍ୟା ସତ୍ତ୍ୱେ ଏତେ ମାତ୍ରାରେ ଧାନ ସଂଗ୍ରହ ଏକ ଶୁଭ ସଂକେତ । ସଂଘବଦ୍ଧ ଭାବେ କାର୍ଯ୍ୟ କରିବା ଏବଂ ଭାରତ ସରକାର ଏବଂ ସଂପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ଯୋଗୁ ତାହା ସମ୍ଭବପର ହୋଇଥିବା ଜଣାଯାଏ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ରାଜ୍ୟ ସରକାରମାନେ ଖାଦ୍ୟଶସ୍ୟ ଉଠାଉଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତିନିମାସ ପାଇଁ ଗରିବ ଲୋକମାନଙ୍କୁ ମୁଣ୍ଡପିଛା ମାସିକ 5 କିଲୋଗ୍ରାମ ଚାଉଳ ହିସାବରେ ତିନିମାସ ପାଇଁ ଯୋଗାଇ ଦିଆଯାଉଛି । ସାରା ଦେଶରେ ପ୍ରାୟ 80 କୋଟି ହିତାଧିକାରୀ ଏହାଦ୍ୱାରା ଉପକୃତ ହେଉଛନ୍ତି ଏବଂ ଏବେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟଶସ୍ୟ ପରିମାଣ 70 ଲକ୍ଷ ମେଟ୍ରିକ ଟନ୍ ଛୁଇଁଛି ଯାହାକି ତିନିମାସ ପାଇଁ ଯୋଗାଇ ଦିଆଯାଇଥିବା ମୋଟ ଖାଦ୍ୟଶସ୍ୟର 58% । ଦେଶର ପ୍ରତ୍ୟେକ ରାଜ୍ୟ ଓ ପାଞ୍ଚଟି କେନ୍ଦ୍ରଶାସିତ କ୍ଷେତ୍ର ସେମାନଙ୍କର ଅପ୍ରେଲ 2020 ପରିବର୍ତ୍ତେ ସଂପୂର୍ଣ୍ଣ ତିନିମାସର କୋଟା ଉଠାଇ ସାରିଛନ୍ତି । ଭାରତ ସରକାର ଏକଥା ସୁନିଶ୍ଚିତ କରୁଛନ୍ତି ଯେ ଖାଦ୍ୟଶସ୍ୟ ଯେପରି ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହୁଏ ଏବଂ ତାହା ଦେଶ ପାଇଁ ଚିନ୍ତାର କାରଣ ନପାଲଟେ । ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି ।
**********
(Release ID: 1621969)
Visitor Counter : 248
Read this release in:
Telugu
,
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Tamil
,
Kannada