କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କେନ୍ଦ୍ରୀୟ ଭଣ୍ଡାର ଦ୍ୱାରା ପ୍ରସ୍ତୁତ 4900 ସୁରକ୍ଷା କିଟ୍‌ ମେଡ଼ିକାଲ ଓ ପୁଲିସ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରଦାନ କଲେ ଡକ୍ଟର ଜିତେନ୍ଦ୍ର ସିଂହ

Posted On: 01 MAY 2020 5:32PM by PIB Bhubaneshwar

କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ (ଡ଼ିଓଏନଇଆର), ପିଏମଓ, କାର୍ମିକ ଓ ଜନ ଅଭିଯୋଗ, ପେନସନ୍‌, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଦେଶର ସମସ୍ତ ଚିକିତ୍ସା କର୍ମଚାରୀ ଓ ପୁଲିସ ବଳଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ଡକ୍ଟର ସିଂହ ସେମାନଙ୍କ ବ୍ୟବହାର ପାଇଁ କେନ୍ଦ୍ରୀୟ ଭଣ୍ଡାର ପକ୍ଷରୁ ପ୍ରସ୍ତୁତ 4900 ସୁରକ୍ଷା କିଟ୍‌ ସେମାନଙ୍କୁ ପ୍ରଦାନ କରିଛନ୍ତି । ଏହି ସୁରକ୍ଷା କିଟ୍‌ରେ ସାନିଟାଇଜର, ହାତଧୁଆ ସାବୁନ ଇତ୍ୟାଦି ରହିଛି ଯାହାକି ମେଡ଼ିକାଲ କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ବ୍ୟବହାର କରିପାରିବେ । ସେମାନଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଓ ପ୍ରଶଂସା ପ୍ରଦର୍ଶନ ପୂର୍ବକ ଏକ ସାଂକେତିକ ସୌଜନ୍ୟ ଭାବେ ଏହି କିଟ୍‌ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥା ଦିଲ୍ଲୀ ପୁଲିସର ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଡକ୍ଟର ସିଂହ ଏହି କିଟ୍‌ ଆଜି ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ତାଙ୍କ ବାସଭବନ ଠାରେ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାମାଜିକ ଦୂରତା ରକ୍ଷାର ସମସ୍ତ କଟକଟାକୁ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

ପରେ, ଗଣମାଧ୍ୟମ ସହ କଥାବାର୍ତ୍ତା କରି ଡକ୍ଟର ଜିତେନ୍ଦ୍ର ସିଂହ କହିଲେ େଯେ ଆମ ଦେଶ ଏବେ ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି । ଗତ କିଛି ସପ୍ତାହ ଧରି ଏହି ଲଢ଼େଇ ଜାରି ରହିଛି । ଦେଶବ୍ୟାପୀ ଲକ୍‌ ଡାଉନ୍‌ ଯୋଗୁ ଏବେ ସମସ୍ତ ଜନସାଧାରଣ ନିଜ ନିଜ ଘରେ ଆବଦ୍ଧ ରହିଥିବା ବେଳେ କିଛି ଲୋକ, ଯଥା ମେଡ଼ିକାଲ ସେବା ଓ ପୁଲିସ ସେବାରେ ନିୟୋଜିତ ଲୋକମାନେ, ସେମାନଙ୍କର ସ୍ୱାଭାବିକ କର୍ତ୍ତବ୍ୟ ଠାରୁ ଢ଼େର୍‌ ଶ୍ରମ ଓ ତ୍ୟାଗ ସ୍ୱୀକାର ପୂର୍ବକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେମାନଙ୍କୁ ଏଭଳି ଜଟିଳ ସମୟରେ ଏଭଳି କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼ୁଛି । ମହାମାରୀ କୋଭିଡ଼-19 ସଂକ୍ରମଣ ଯୋଗୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ ପୂର୍ବକ ସେମାନେ ଏହି ଦାୟିତ୍ୱ ନିଜ ମୁଣ୍ଡରେ ବହନ କରିଛନ୍ତି । ଦେଶରେ ଲକ୍‌ ଡାଉନ୍‌ ଘୋଷଣା ହେବା ପରଠାରୁ କାର୍ମିକ, ଜନ ଅଭିଯୋଗ, ପେନସନ୍‌ ଓ ଡ଼ିଓଏନଇଆର ରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଅନେକ ଗୁଡ଼ିଏ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କାର୍ମିକ ଓ ତାଲିମ ବିଭାଗ ଅଧୀନରେ କେନ୍ଦ୍ରୀୟ ଭଣ୍ଡାର ଏକ ଜନକଲ୍ୟାଣ ପ୍ରକଳ୍ପ ଭାବେ କାର୍ଯ୍ୟ କରିଥାଏ ଏବଂ ଉପଭୋକ୍ତାମାନଙ୍କ ପାଇଁ ନିୟମିତ ତଥା ନିରବଚ୍ଛିନ୍ନ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ ରହିଛି । ପୂର୍ବରୁ , ଚଳିତ ମାସ ପ୍ରଥମ ସପ୍ତାହରେ, ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କେନ୍ଦ୍ରୀୟ ଭଣ୍ଡାର ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଥିବା 2200ଟି ଅତ୍ୟାବଶ୍ୟକ କିଟ୍‌ କେନ୍ଦ୍ରୀୟ ଦିଲ୍ଲୀ ଜିଲ୍ଲା, ସିଭିଲ୍‌ ଲାଇନ୍ସର ଡ଼ିଏମ (କେନ୍ଦ୍ରୀୟ) ଏବଂ ଏସଡ଼ିଏଙ୍କୁ ଦରିଦ୍ର ଓ ଦୁର୍ଗତ ପରିବାରଙ୍କୁ ବଣ୍ଟନ ସକାଶେ ପ୍ରଦାନ କରିଥିଲେ ।

 

**********



(Release ID: 1620215) Visitor Counter : 141