ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ କୋଭିଡ଼ ମହାମାରୀ ପରିସ୍ଥିତିର ମୁକାବିଲା ଉପାୟକୁ ବିଶିଷ୍ଟ ଅଟୋମୋବାଇଲ୍‌ ଶିଳ୍ପପତିମାନଙ୍କ ପ୍ରଶଂସା

• ଏହି ସେକ୍ଟରର ପୁନରୁତ୍ଥାନ ଲାଗି ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ
• ଜୀବନଜୀବିକା ଓ ସଂପଦ ସଞ୍ଚାଳନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା; ଶ୍ରୀ ପ୍ରକାଶ ଜାଭଡ଼େକର

Posted On: 30 APR 2020 4:32PM by PIB Bhubaneshwar

କେନ୍ଦ୍ର ଭାରୀ ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଆଜି ଭାରତୀୟ ଅଟୋମୋବାଇଲ୍‌ ଶିଳ୍ପସଂସ୍ଥାର ସିଇଓଗୋଷ୍ଠୀଙ୍କର ଏକ ବୈଠକରେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । କୋଭିଡ଼-19 ମହାମାରୀର ପ୍ରଭାବ ଭାରତୀୟ ଅଟୋମୋବାଇଲ୍‌ ଶିଳ୍କକୁ କେତେଦୂର ପ୍ରଭାବିତ କରିଛି ସେ ସଂପର୍କରେ ସେ ସେମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏଥିସହ ବିଭିନ୍ନ ଅଟୋ ଶିଳ୍ପସଂସ୍ଥାର ସିଇଓମାନେ ଦେଇଥିବା ପ୍ରସ୍ତାବକୁ ସେ ଧ୍ୟାନପୂର୍ବକ ଶୁଣିବା ସହ ଏଭଳି ପ୍ରଭାବକୁ କିଭଳି ପ୍ରତିହତ କରିହେବ ସେ ସଂପର୍କରେ ମଧ୍ୟ କଥାବାର୍ତ୍ତା କରିଛନ୍ତି ।

ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଦେଶର ଅଟୋମୋବାଇଲ୍‌ ଶିଳ୍ପକୁ କରୋନା ପରବର୍ତ୍ତୀ ସମୟରେ କିଭଳି ଭାବେ ପୁଣି ଥରେ ସକ୍ରିୟ କରାଯାଇପାରିବ ତଥା ଜୀବନଜୀବିକା ଏବଂ ସଂପଦର ସଂଚାଳନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଲେ ଯେ, ଏହି ପ୍ରତିନିଧିମାନେ କେବଳ ସେମାନଙ୍କର ଦାବି ଉପସ୍ଥାପନ କରିନଥିଲେ ବରଂ ବିଭିନ୍ନ ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେ ସଂପର୍କରେ ମତାମତ ପ୍ରଦାନ କରିଥିଲେ ।

ଶ୍ରମିକମାନେ ପୁଣି ଥରେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ବ୍ୟାଚ୍‌ ଟେଷ୍ଟି, ଅନଲାଇନ୍‌ ପଞ୍ଜିକରଣ, ସେଲିଂ ପଏଣ୍ଟରେ ସମସ୍ତଙ୍କୁ ସାନିଟାଇଜ୍‌ କରିବା, ଶ୍ରମିକମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ବାସ୍ତବ ଦୂରତା ରକ୍ଷା ଭଳି ଉତ୍ତମ ପ୍ରସ୍ତାବମାନ ଉପରେ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି ।

ଅଟୋମୋବାଇଲ୍‌ ଶିଳ୍ପ କ୍ଷେତ୍ରରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା, ଶିଳ୍ପସଂସ୍ଥାଗୁଡ଼ିକ ପୁନଃ ଖୋଲାଯିବା, ସମଗ୍ର ଭାଲ୍ୟୁ ଚେନ ସଂପୂର୍ଣ୍ଣ ରୂପେ ପୁନଃ କାର୍ଯ୍ୟକ୍ଷମ ହେବା, ଡ଼ିଲରସିପ୍‌ ପାଇଁ ସହଯୋଗ, ନିଯୁକ୍ତି ସହଯୋଗ ସଂପର୍କୀତ ହସ୍ତକ୍ଷେପ, ଚାହିଦା ବୃଦ୍ଧି ଏବଂ ଆର୍ଥିକ ସହଯୋଗ ଆବଶ୍ୟକତାକୁ ସମ୍ମାନର ସହ ପୂରଣ କରାଯିବା ଆଦି ପ୍ରସଙ୍ଗରେ ଆଜି ଆଲୋଚନା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ସହ ଏ ସଂପର୍କରେ ଆଲୋଚନା କରାଯାଇ ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ ଏବଂ ସଂପୃକ୍ତ ମନ୍ତ୍ରଣାଳୟ ଯଥା ପରିବହନ ମନ୍ତ୍ରଣାଳୟ. ବାଣିଜ୍ୟ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟମାନ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

ଶିଳ୍ପପତିମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ଼-19 ସଂକ୍ରମଣକୁ ରୋକିବା ନିମନ୍ତେ ନେଇଥିବା ଆଗୁଆ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଭାରୀ ଶିଳ୍ପ ତଥା ସରକାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ମେଘୱାଲ, ସଚିବ ଶ୍ରୀ ଅରୁଣ ଗୋଏଲ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକରେ ଉଭୟ ଓଇଏମର ପ୍ରତିନିଧି ଏବଂ ଅଟୋ ଯନ୍ତ୍ରାଂଶ ସେକ୍ଟରର ସିଆମର ଅଧ୍ୟକ୍ଷ ଶ୍ରୀ ରାଜନ ୱାଧେରା, ଏସିଏମଏର ଅଧ୍ୟକ୍ଷ ଶ୍ରୀ ଦୀପକ ଜୈନ ଏବଂ ଆର ସି ଭାର୍ଗବ, ଶ୍ରୀ ପବନ ମୁଂଜଲ, ଶ୍ରୀ ବିକ୍ରମ କିର୍ଲୋସ୍କର ଓ ଡ଼କ୍ଟର ପବନ ଗୋଏଙ୍କା ପ୍ରମୁଖ ସାମିଲ ଥିଲେ ।

 

**********

 

 



(Release ID: 1619887) Visitor Counter : 147