ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-19 ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ଵାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ

• “ଆମେ ଆମ ଶତ୍ରୁକୁ ଜାଣିଛୁ ଏବଂ ଉପଯୁକ୍ତ, ବର୍ଗୀକୃତ ଓ ଲକ୍ଷ୍ୟବଦ୍ଧ ପ୍ରୟାସ ଜରିଆରେ ତା’କୁ ପ୍ରତିହତ କରିବା ନିମନ୍ତେ ଆମେ ପ୍ରସ୍ତୁତ”

प्रविष्टि तिथि: 24 APR 2020 7:42PM by PIB Bhubaneshwar

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ଵାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କୋଭିଡ-19 ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ସହିତ ଦେଶରେ ଜନସ୍ଵାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ। ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ-19 ମୁକାବିଲା ଓ ନିୟନ୍ତ୍ରଣ ଲାଗି ନିଆଯାଇଥିବା ପଦକ୍ଷେପ ନିମନ୍ତେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଭିଡିଓ କନଫରେନ୍ସରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହରିୟାଣା, ଓଡ଼ିଶା, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ଛତିଶଗଡ଼, ଆସାମ, ଚଣ୍ଡିଗଡ଼, ଆଣ୍ଡାମାନ ଓ ନିକୋବର, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ଉତ୍ତରାଖଣ୍ଡର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଗତ ସାଢ଼େ ତିନି ମାସ ଧରି ଆମେ ଏହି ମହାମାରୀର ମୁକାବିଲା କରୁଛୁ। ଏହାର ନିରାକରଣ, ପ୍ରତିରୋଧ ଏବଂ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ରାଜ୍ୟଗୁଡ଼ିକ ସହିତ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି। ବର୍ତ୍ତମାନ ଦେଶରେ ମୃତ୍ୟୁହାର ମାତ୍ର 3 ପ୍ରତିଶତ ଥିବା ବେଳେ ଆରୋଗ୍ୟ ହାର 20 ପ୍ରତିଶତରୁ ଊର୍ଦ୍ଧ୍ଵ ରହିଛି। ସରକାରଙ୍କ ଦ୍ଵାରା ନିଆଯାଉଥିବା ନିରୀକ୍ଷଣ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ ଆମେ ଆମର ଶତ୍ରୁ ବିଷୟରେ ଭଲ ଭାବେ ଜାଣୁ ଏବଂ ଉପଯୁକ୍ତ, ବର୍ଗୀକୃତ ଓ ମାର୍ଗଦର୍ଶୀ ପଦକ୍ଷେପ ଜରିଆରେ ଆମେ ଏହାକୁ ପ୍ରତିହତ କରିପାରିବୁ।

ସେ ଆହୁରି ସୂଚନା ଦେଇଥିଲେ ଯେ “ଆମେ ରାଜ୍ୟଗୁଡ଼ିକୁ ପରିସ୍ଥିତିର ସମୀକ୍ଷା ଏବଂ ସହାୟତା କରିବା ନିମନ୍ତେ ବୈଷୟିକ ଅଧିକାରୀମାନଙ୍କ ଦଳ ପଠାଇଛୁ। ଏମାନେ କୋଭିଡ-19 ମୁକାବିଲା ଦିଗରେ ଦୈନିକ ପଦକ୍ଷେପରେ ସହାୟତା କରିବେ। ଆଣ୍ଟି ବଡି ପରୀକ୍ଷଣ ବିଷୟରେ ସେ କହିଥିଲେ ଯେ ଏହି ପରୀକ୍ଷଣ ଫଳାଫଳ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଆସୁଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହାର ସଠିକତା ନେଇ କୌରସି ମତ ଦେଇନାହିଁ। ଏହି ପରୀକ୍ଷଣର ଦକ୍ଷତା ଏବଂ ନିଜର ଲ୍ୟାବ ଦ୍ଵାରା ବିକଶିତ କିଟ ସମ୍ପର୍କରେ ଖୁବଶୀଘ୍ର ଆଇସିଏମଆର ପକ୍ଷରୁ ଗାଇଡଲାଇନ ଜାରି କରାଯିବ।

ରାଷ୍ଟ୍ରପତିଙ୍କ ଦ୍ଵାରା ଅଧ୍ୟାଦେଶ ବଳରେ ମହାମାରୀ ରୋଗ ଆଇନ 1897ରେ ସଂଶୋଧନ ଅଣାଯିବା ସମ୍ପର୍କରେ ରାଜ୍ୟଗୁଡ଼ିକୁ ଅବଗତ କରାଇ ସେ କହିଥିଲେ ଯେ ସ୍ଵାସ୍ଥ୍ୟସେବା କର୍ମୀଙ୍କ ବିରୋଧରେ ହେଉଥିବା ହିଂସା ଏବଂ ସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏଥିରେ କଠୋର ଦଣଡ ବିଧାନ କରାଯାଇଛି।

ପ୍ରତ୍ୟେକ ରାଜ୍ୟରେ ପିପିଇ, ଏନ 95 ମାସ୍କ, ପରୀକ୍ଷଣ କିଟ, ଔଷଧ ଏବଂ ଭେଣ୍ଟିଲେଟର ଆବଶ୍ୟକତା ବିଷୟରେ ପଚାରିବୁଝିଥିଲେ। ଭାରତ ସରକାରଙ୍କ ପକ୍ଷରୁ ଏସବୁ ଜରୁରି ସାମଗ୍ରୀର ନିରନ୍ତର ଯୋଗାଣ ସୁନିଶ୍ଚିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଦେଶରେ ପାଖାପାଖି 100ଟି ଉତ୍ପାଦନ ୟୁନିଟରେ ଏସବୁ ସାମଗ୍ରୀ ଉତ୍ପାଦନ ହେଉଛି। ପୂର୍ବରୁ ଏସବୁ ସାମଗ୍ରୀ ବାହାରୁ ଆମଦାନୀ କରିବାକୁ ପଡ଼ୁଥିଲା।

ଡ. ହର୍ଷ ବର୍ଦ୍ଧନ ମଧ୍ୟ ଦେଶରେ କୋଭିଡ-19 ସମର୍ପିତ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କୁ ମଧ୍ୟ ଅବହେଳା କରାଯିବା ଅନୁଚିତ ବୋଲି ଡ. ହର୍ଷ ବର୍ଦ୍ଧନ କହିଥିଲେ। ହୃଦରୋଗ, ଶ୍ବାସ ରୋଗ, ରକ୍ତହୀନତା, ଗର୍ଭବତୀ, ମ୍ୟାଲେରିଆ, ଡେଙ୍ଗୁ ଓ ଯକ୍ଷ୍ମା ଭଳି ରୋଗୀଙ୍କ ଚିକିତ୍ସା ପ୍ରତି ମଧ୍ୟ ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ନିମନ୍ତେ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କାରଣ ଏହା କରୋନା ଭୂତାଣୁ ସଂକ୍ରମଣ ବିପତ୍ତି ସମ୍ପର୍କରେ ବ୍ୟବହାରକାରୀଙ୍କୁ ଅବଗତ କରାଇ ଦେବ।

ସାମାଜିକ ଦୂରତ୍ବ ଅବଲମ୍ବନ କରିବା ତଥା ବ୍ୟକ୍ତିଗତ ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଲକଡାଉନର ଦ୍ଵିତୀୟ ପର୍ଯ୍ୟାୟକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଲକଡାଉନ ସମୟରେ ନିଜର ଆଭିମୁଖ୍ୟ କୋହଳ ନକରିବା ଲାଗି ସେ ରାଜ୍ୟଗୁଡ଼ିକୁ ସତର୍କ କରାଇ ଦେଇଥିଲେ।

ଏହି ବୈଠକରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

***********


(रिलीज़ आईडी: 1618006) आगंतुक पटल : 198
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Assamese , Bengali , Gujarati , Tamil , Telugu , Kannada