ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରୋନା ମହାମାରୀରୁ ଆମେ ଆତ୍ମ ନିର୍ଭରଶୀଳ ଏବଂ ସ୍ୱୟଂସମ୍ପୂର୍ଣ୍ଣ ହେବାର ମହାଶିକ୍ଷା ଲାଭ କରିଛୁ: ପ୍ରଧାନମନ୍ତ୍ରୀ

• କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ଗ୍ରାମାଞ୍ଚଳ ଭାରତର ମନ୍ତ୍ର ହେଉଛି- “ଦୁଇ ଗଜ ଦୂରତା” : ପ୍ରଧାନମନ୍ତ୍ରୀ
• ଇ-ଗ୍ରାମ ସ୍ୱରାଜ ଆପ୍‌ ଏବଂ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Posted On: 24 APR 2020 2:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ଭାବ ବିନିମୟ କରିଛନ୍ତି । ଜାତୀୟ ପଞ୍ଚାୟତିରାଜ ଦିବସ 2020 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହିସବୁ ଗ୍ରାମାଞ୍ଚଳ ପ୍ରତିନିଧି ତଥା ଅଧିକାରୀମାନଙ୍କ ସହ ଆଲୋଚନା କରିବା ଅବସରରେ ସମନ୍ୱିତ ଗ୍ରାମ ସ୍ୱରାଜ ପୋର୍ଟାଲ ତଥା ମୋବାଇଲ ଆପ୍ଲିକେଶନ ଏବଂ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଇ-ଗ୍ରାମ ସ୍ୱରାଜ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପାଇଁ ପ୍ରସ୍ତୁତ ହେବାକୁ ତଥା ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ ନିମନ୍ତେ ସରପଞ୍ଚ ଏବଂ ଅଧିକାରୀମାନଙ୍କୁ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ଏହି ପୋର୍ଟାଲ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ରିଅଲ ଟାଇମ ମନିଟରିଂ ତଥା ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିପାରିବ । ଗ୍ରାମ ପଞ୍ଚାୟତ ସ୍ତରରେ ଡିଜିଟାଇଜେସନକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପୋର୍ଟାଲକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

ସେହିଭଳି ସ୍ୱାମୀତ୍ୱ ଯୋଜନାକୁ ପାଇଲଟ ଭିତ୍ତିରେ ଆରମ୍ଭ କରାଯାଇଛି ଏବଂ ପ୍ରଥମେ ତାହା ଛଅଟି ରାଜ୍ୟରେ ପ୍ରବର୍ତ୍ତନ କରାଯିବ । ଏହାଦ୍ୱାରା ଗ୍ରାମାଞ୍ଚଳରେ ଡ଼୍ରୋନ ବ୍ୟବହାର କରାଯାଇ ଆବାସିକ କ୍ଷେତ୍ରକୁ ମ୍ୟାପିଂ କରାଯିବ । ଏହା ହେଉଛି ସର୍ଭେ  କାର୍ଯ୍ୟକ୍ରମର ସର୍ବାଧୁନିକ ପଦ୍ଧତି । ଏହା ଯୋଜନାକୁ ସୁସଂଗତ କରିବା ସହ ରାଜସ୍ୱ ସଂଗ୍ରହକୁ ସୁନିଶ୍ଚିତ କରିବା ସହିତ ଗ୍ରାମାଞ୍ଚଳରେ ସମ୍ପତ୍ତି ଅଧିକାର ଉପରେ ଲୋକମାନଙ୍କ ମନରେ ସ୍ୱଚ୍ଛତା ଜାଗ୍ରତ କରିବ । ଏହା ଫଳରେ ଭୂସମ୍ପତ୍ତିର ମାଲିକାନା ଥିବା ବ୍ୟକ୍ତିବିଶେଷ ତାହାରି ଆଧାରରେ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ଠାରୁ ଋଣ ପାଇଁ ଆବେଦନ କରିପାରିବେ । ଭୂସମ୍ପତ୍ତି ସଂପର୍କୀତ ବିବାଦମାନ ଏହି ଯୋଜନା ମାଧ୍ୟମରେ ପ୍ରଦାନ କରାଯାଇଥିବା ଟାଇଟଲ ଡ଼ିଡ଼ ଆଧାରରେ ସମାଧାନ କରାଯାଇପାରିବ ।

ସାରା ଦେଶର ସରପଞ୍ଚମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ବୈଶ୍ୱିକ ମହାମାରୀ କରୋନା ଲୋକମାନଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟାଇଛି ଏବଂ ସେମାନଙ୍କୁ ଏକ ମହାଶିକ୍ଷା ମଧ୍ୟ ଦେଇଛି । ସେ କହିଲେ ଯେ କିଭଳି ଆତ୍ମନିର୍ଭରଶୀଳ ଭାବେ ଜୀବନ ବଞ୍ଚିବାକୁ ପଡ଼େ ତାହା ଏହି ମହାମାରୀରୁ ଲୋକମାନେ ଶିକ୍ଷାଲାଭ କରିଛନ୍ତି ।

ଏହି ମହାମାରୀ ଆମ ସମ୍ମୁଖରେ ନୂଆ ନୂଆ ଆହ୍ଵାନ ଏବଂ ସମସ୍ୟା ଉଭା କରାଇଛି ଯାହାକି ଆମେ କେବେ କଳ୍ପନା ସୁଦ୍ଧା କରିନଥିଲେ । କିନ୍ତୁ ଏହା ଆମକୁ ଗୋଟିଏ ଭଲ ଶିକ୍ଷା ମଧ୍ୟ ଦେଇଛି ଏବଂ ତାହା ଏକ ଦୃଢ଼ ବାର୍ତ୍ତା । କରୋନା ଆମକୁ ଏହି ଶିକ୍ଷା ଦେଇଛି ଯେ କିଭଳି ଆତ୍ମ ନିର୍ଭରଶୀଳ ଏବଂ ସ୍ୱୟଂସମ୍ପୂର୍ଣ୍ଣ ଭାବେ ବିପତ୍ତି ବେଳେ ଜୀବନ ବଞ୍ଚିବାକୁ ହେବ ତାହା ସମସ୍ତେ ଶିଖିବା ଉଚିତ । ଏହା ଆମକୁ ଶିଖାଇଛି ଯେ ଏଭଳି ସମସ୍ୟାର ସମାଧାନ ସକାଶେ ଆମକୁ ଦେଶ ବାହାରେ ଖୋଜିବାର ଆବଶ୍ୟକତା ନାହିଁ । ଏଥିରୁ ଆମେ ଏହି ମହାଶିକ୍ଷା ଲାଭ କରିଛେ ।

ପ୍ରତ୍ୟେକ ଗ୍ରାମ ସ୍ୱୟଂସମ୍ପୂର୍ଣ୍ଣ ହେବା ଉଚିତ ଯାହାଦ୍ୱାରା ସେଠାରେ ବସବାସ କରୁଥିବା ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ । ସେହିଭଳି ପ୍ରତିଟି ଜିଲ୍ଲା ମଧ୍ୟ ନିଜ ସ୍ତରରେ ଆତ୍ମ ନିର୍ଭରଶୀଳ ହେବା ବାଂଛନୀୟପ୍ରତ୍ୟେକ ରାଜ୍ୟ ଓ ସମଗ୍ର ଦେଶ ଆତ୍ମ ନିର୍ଭରଶୀଳ ହେଲେ ହିଁ ଏଭଳି ବିପଦର ସାମ୍ନା କରିପାରିବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଗ୍ରାମର ଲୋକମାନଙ୍କୁ ଏଭଳି ଆତ୍ମ ନିର୍ଭରଶୀଳ କରିବା ସକାଶେ ସରକାର କଠିନ ଶ୍ରମ ସ୍ୱୀକାର କରିଛନ୍ତି ଏବଂ ଏହାଦ୍ୱାରା ଗ୍ରାମ ପଞ୍ଚାୟତଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି ।

ଗତ ପାଞ୍ଚ ବର୍ଷ ଭିତରେ ପ୍ରାୟ 1.25 ଲକ୍ଷ ପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ମାଧ୍ୟମରେ ଯୋଡ଼ା ଯାଇପାରିଛି ଯାହାକି ପୂର୍ବରୁ ମାତ୍ର 100ଟି ଗ୍ରାମ ପଞ୍ଚାୟତରେ ଉପଲବ୍ଧ ଥିଲା । ସେହିଭଳି ଏବେ ସାରା ଦେଶରେ ସାଧାରଣ ସୁବିଧା କେନ୍ଦ୍ର ସଂଖ୍ୟା 3 ଲକ୍ଷକୁ ଟପି ସାରିଛିବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେହେତୁ ଏବେ ମୋବାଇଲ ଫୋନ ଭାରତରେ ବହୁଳ ମାତ୍ରାରେ ଉତ୍ପାଦିତ ହୋଇପାରୁଛି, ସ୍ମାର୍ଟ ଫୋନର ମୂଲ୍ୟ ଅତି ଶସ୍ତା ହୋଇଛି ଏବଂ କମ୍‌ ମୂଲ୍ୟରେ ପ୍ରତି ଗାଁରେ ସ୍ମାର୍ଟ ଫୋନ ପହଞ୍ଚିପାରିଛି । ତେଣୁ ଗ୍ରାମାଞ୍ଚଳ ସ୍ତରରେ ଡ଼ିଜିଟାଲ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇପାରିଛି ।

ସେ କହିଲେ ଯେ,  “ଗ୍ରାମ ପଞ୍ଚାୟତଗୁଡ଼ିକର ପ୍ରଗତି ରାଷ୍ଟ୍ର ତଥା ଗଣତନ୍ତ୍ରର ବିକାଶକୁ ସୁନିଶ୍ଚିତ କରିପାରିବ ।

ଏହି ଅବସରରେ ନିଜର ମତ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜିର ଏହି ଦିବସ ତାଙ୍କୁ ଗ୍ରାମ ପଞ୍ଚାୟତ ପ୍ରତିନିଧି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଭାବ ବିନିମୟର ସୁଯୋଗ ପ୍ରଦାନ କରିଛି ।

ସରପଞ୍ଚମାନଙ୍କ ସହ ଏହି ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ଗ୍ରାମଗୁଡ଼ିକୁ ଅଭିନନ୍ଦନ ଜଣାଇଥିଲେ ଯେ ସେମାନେ -ଦୁଇ ଗଜ ଦୂରତାରକ୍ଷା କରି ଅତି ସରଳ ଢ଼ଙ୍ଗରେ ସାମାଜିକ ଦୂରତା ରକ୍ଷାକୁ ପାଳନ କରୁଛନ୍ତି ।

ସେ କହିଲେ ଯେ ଦୁଇ ଗଜ ଦେହର ଦୂରତାସ୍ଲୋଗାନ ଯାହାକି ଗ୍ରାମୀଣ ଭାରତ ଦ୍ୱାରା ଦିଆଯାଇଛି ତାହା ଲୋକମାନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରମାଣ ପ୍ରଦାନ କରେ । ଏହି ସ୍ଲୋଗାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା ନିମନ୍ତେ ଅନୁପ୍ରେରିତ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ସୀମିତ ସମ୍ବଳ ସତ୍ତ୍ୱେ, ଭାରତ ଏହି ଆହ୍ଵାନକୁ ସକାରାତ୍ମକ ମନୋଭାବର ସହ ମୁକାବିଲା କରୁଛି ଏବଂ ନିଜର ପ୍ରତିବଦ୍ଧତା ଓ ନୂତନ ଶକ୍ତିର ସହ ଆଗକୁ ଅଗ୍ରସର ହୋଇ ସାରା ବିଶ୍ୱକୁ ନୂତନ ମାର୍ଗ ପ୍ରଦର୍ଶନ କରୁଛି ।

ସେ କହିଲେ ଯେ, “ ଗ୍ରାମଗୁଡ଼ିକର ସମୂହ ଶକ୍ତି ଦେଶକୁ ଆଗକୁ ଅଗ୍ରସର ହେବାରେ ସହାୟକ ହୋଇପାରୁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ ପୂର୍ବକ ମତ ପୋଷଣ କରିଛନ୍ତି ଯେ ଆମମାନଙ୍କ ଏଭଳି ପ୍ରୟାସ ଭିତରେ, ଆମେ ଏକଥା ମଧ୍ୟ ସ୍ମରଣ ରଖିବା ଉଚିତ ଯେ କୌଣସି ଜଣେ ବ୍ୟକ୍ତିର ଅବହେଳା ହିଁ ସମଗ୍ର ଗ୍ରାମକୁ ବିପଦ ମୁହଁରେ ପହଞ୍ଚାଇ ଦେଇପାରେ । ତେଣୁ ଏଥିରେ ଖିଲାଫ କରିବାର କୌଣସି ଅବସର ନାହିଁ ।

ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇ କହିଛନ୍ତିଯେ ସରପଞ୍ଚମାନେ ଗ୍ରାମର ସ୍ୱଚ୍ଛତା ଅଭିଯାନ ଦିଗରେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବା ଉଚିତ । ଏଥି ସହ ସେମାନେ ବୟୋବୃଦ୍ଧ, ଦିବ୍ୟାଙ୍ଗ ଏବଂ ଗ୍ରାମର ଅନ୍ୟାନ୍ୟ ଦୁର୍ଗତ ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଉଚିତ । ଏହା ବ୍ୟତୀତ କ୍ୱାରେଣ୍ଟାଇନ୍‌, ସାମାମଜିକ ଦୂରତା ରକ୍ଷା ଏବଂ ମୁହଁକୁ ମାସ୍କରେ ଘୋଡ଼ାଇ ରଖିବା କାର୍ଯ୍ୟକୁ ମଧ୍ୟ ସେମାନେ ସୁନିଶ୍ଚିତ କରିବା ଆବଶ୍ୟକ ।

ଦେଶର ସରପଞ୍ଚମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ କୋଭିଡ-19 ସଂପର୍କୀତ ସମସ୍ତ ସଠିକ ସୂଚନା ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ବାଂଛନୀୟ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗ୍ରାମାଞ୍ଚଳ ଭାରତର ଜନସାଧାରଣଙ୍କୁ ନିବେଦନ କରି କହିଲେ ଯେ ସେମାନେ ଆରୋଗ୍ୟ ସେତୁଆପକୁ ଡାଉନଲୋଡ଼ କରନ୍ତୁ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ସେମାନେ ଏକଥା ସୁନିଶ୍ଚତ କରନ୍ତୁ ଯେ ସେମାନଙ୍କର ନିଜ ନିଜ ପଞ୍ଚାୟତ ମଧ୍ୟ ଏହି ଆପକୁ ଡାଉନଲୋଡ଼ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗ୍ରାମାଞ୍ଚଳର ଗରିବ ଲୋକମାନେ କିଭଳି ସବୁଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ଗୁରୁତ୍ୱର ସହ ସରକାର ପ୍ରୟାସ ଜାରି ରଖିଛନ୍ତି । ସେ କହିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଗ୍ରାମାଞ୍ଚଳର ଲୋକଙ୍କ ସକାଶେ ଏକ ବିରାଟ ଆଶ୍ୱସ୍ତି ଭାବେ ମୁଣ୍ଡ ଟେକିଛି । ଏହି ଯୋଜନା ମାଧ୍ୟମରେ ଦେଶର ପ୍ରାୟ ଏକ କୋଟି ଲୋକ ଭଲ ଭଲ ହସପିଟାଲରେ ଉତ୍ତମ ଚିକିତ୍ସାସେବା ଲାଭ କରି ପାରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇ କହିଥିଲେ ଯେ ଇ-ନାମ ଏବଂ ଜେନ ପୋର୍ଟାଲ ଭଳି ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରି ଗ୍ରାମାଞ୍ଚଳରେ ଉତ୍ପାଦିତ ଦ୍ରବ୍ୟକୁ ବଡ଼ ବଡ଼ ବଜାରରେ ପହଞ୍ଚାଯାଇ ପାରିବ ଏବଂ ତାହା ଦ୍ୱାରା ଚାଷୀମାନେ ସେମାନଙ୍କର ଉତ୍ପାଦର ଉତ୍ତମ ମୂଲ୍ୟ ପାଇପାରିବେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଆସାମର ସରପଞ୍ଚମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱରାଜ ଚିନ୍ତାଧାରା କିଭଳି ଗ୍ରାମ ସ୍ୱରାଜର ମୂଳ ଆଧାର ପାଲଟିଛି ତାହା ଉଲ୍ଲେଖ କରିଥିଲେ । ଶାସ୍ତ୍ରରୁ ଉକ୍ତ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କ ସ୍ମରଣ କରାଇ ଦେଇଥିଲେ ଯେ ସମସ୍ତ ସାମର୍ଥ୍ୟର ମୂଳ ଆଧାର ହେଲା ଏକତା ।

ପରିଶେଷରେ ପ୍ରଧାନମନ୍ତ୍ରୀ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ସରପଞ୍ଚମାନଙ୍କୁ  କରୋନା ବିରୋଧରେ ସେମାନଙ୍କର ସମୂହ ଲଢ଼େଇ, ଐକ୍ୟବଦ୍ଧତା ଓ ସଂକଳ୍ପ ସକାଶେ ଅଭିନନ୍ଦନ ଜଣାଇଥିଲେ ।

 

**********

 



(Release ID: 1617869) Visitor Counter : 278