ପଞ୍ଚାୟତିରାଜ ମନ୍ତ୍ରଣାଳୟ

ଆସନ୍ତା 24 ତାରିଖ ଦିନ ଦେଶବ୍ୟାପୀ ଗ୍ରାମପଞ୍ଚାୟତଗୁଡିକ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

• ଭିଡ଼ିଓ କନ୍ଫରେନ୍ସ ଜରିଆରେ ଜାତୀୟ ପଞ୍ଚାୟତିରାଜ ଦିବସରେ ଅଂଶଗ୍ରହଣ କରିବେ

Posted On: 22 APR 2020 7:52PM by PIB Bhubaneshwar

ଆସନ୍ତା 24 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଗ୍ରାମପଞ୍ଚାୟତଗୁଡିକୁ ସମ୍ବୋଧିତ କରିବେ ପ୍ରତିବର୍ଷ ଏହି ଦିନଟିକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ

ଲକଡାଉନ ଯୋଗୁଁ ଦେଶ ସାମାଜିକ ଦୂରତ୍ଵ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଏକୀକୃତ ଇ-ଗ୍ରାମସ୍ଵରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିବେ ।

ଏହି ଏକୀକୃତ ପୋର୍ଟାଲ ଗ୍ରାମପଞ୍ଚାୟତ ବିକାଶ ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବାରେ ଏକ ଅଭିନବ ଉପାୟ ପ୍ରଦାନ କରିବ ।

ଏହି ଅବସରରେ ସ୍ଵାମୀତ୍ଵ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ଏହି ଯୋଜନା ଦେଶର ଗ୍ରାମାଞ୍ଚଳରେ ଏକ ସମନ୍ଵିତ ସମ୍ପତ୍ତିର ଆଇନଗତ ସମାଧାନ ପ୍ରଦାନ କରିବ । ଗ୍ରାମାଞ୍ଚଳର ଜନବସତି ଅଞ୍ଚଳର ଚିହ୍ନଟିକରଣ ଏକ ଅତ୍ୟାଧୁନିକ ସର୍ଭେ ପଦ୍ଧତି ଦ୍ଵାରା କରାଯିବ । ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ପଞ୍ଚାୟତିରାଜ ବିଭାଗ, ରାଜ୍ୟ ରାଜସ୍ୱ ବିଭାଗ ଓ ସର୍ଭେ ଅଫ ଇଣ୍ଡିଆର ମିଳିତ ଉଦ୍ୟମରେ ଡ୍ରୋନ ପ୍ରଯୁକ୍ତିବିଦ୍ୟା ପ୍ରୟୋଗକରି ଏହା କରାଯିବ ।

ପ୍ରତିବର୍ଷ ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରେଷ୍ଠ ପଞ୍ଚାୟତଗୁଡିକୁ ସେମାନଙ୍କ ଉନ୍ନତମାନର ଜନସେବା ପାଇଁ ସମ୍ମାନିତ କରିଆସୁଛି । ଚଳିତବର୍ଷ 3ଟି ଏପରି ସମ୍ମାନ ପ୍ରଦାନ ପାଇଁ ଚୁଡାନ୍ତ କରାଯାଇଛି । ସେଗୁଡିକ ହେଲା ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର, ଚାଇଲ୍ଡ ଫ୍ରେଣ୍ଡଲୀ ଗ୍ରାମ ପଞ୍ଚାୟତ ପୁରସ୍କାର ଏବଂ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଳାନ ସମ୍ମାନ ।

ପୃଷ୍ଠଭୂମି-

  1. ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ 24 ଏପ୍ରିଲ 1993ରେ ପଞ୍ଚାୟତଗୁଡ଼ିକୁ ଆନୁଷ୍ଠାନିକ ଭାବେ କ୍ଷମତା ପ୍ରଦାନ କରାଯାଇଥିଲା । 1992ରେ ସମ୍ବିଧାନର 73ତମ ସଂଶୋଧନ ଆଇନରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଏହି ଦିନ ଲାଗୁ କରାଯାଇଥିଲା । ସେ ଦୃଷ୍ଟିରୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରତିବର୍ଷ 24 ଏପ୍ରିଲ ଦିନଟିକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିଥାଏ । ଏହିଦିନ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହିତ ପ୍ରତ୍ୟକ୍ଷ କଥାବାର୍ତ୍ତା ପାଇଁ ଦେଶବ୍ୟାପୀ ଏକ ସୁଯୋଗ ପ୍ରଦାନ କରିଥାଏ । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପ୍ରଶଂସା ଯୋଗୁଁ ସେମାନଙ୍କୁ ଅଧିକ ଭଲ କାମ କରିବା ପାଇଁ ସଶକ୍ତ ଓ ପ୍ରୋତ୍ସାହିତ କରିଥାଏ । 
  2. ସାଧାରଣତଃ ଜାତୀୟ ପଞ୍ଚାୟତିରାଜ ଦିବସ ଦିଲ୍ଲୀ ଛଡା ଅନ୍ୟଆଡେ ମଧ୍ୟ ବଡ ଆକାରରେ ପାଳନ କରାଯାଇଥାଏ ।  ଅନେକବାର ସ୍ଵୟଂ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିଥାନ୍ତି । ଚଳିତବର୍ଷ ଉତ୍ତରପ୍ରଦେଶର ଝାନ୍ସିରେ ଏହିପରି ଏକ ଉତ୍ସବର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ଏହାକୁ ସମ୍ବୋଧନ କରିବାର ପ୍ରସ୍ତାବ ରହିଥିଲା ମାତ୍ର ଦେଶରେ କରୋନା ସଂକ୍ରମଣ ଯୋଗୁଁ ହୋଇଥିବା ଲକଡାଉନ ପାଇଁ ଜାତୀୟ ପଞ୍ଚାୟତିରାଜ ଦିବସ ଅନଲାଇନରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି
  3. ପ୍ରତିବର୍ଷ ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଶ୍ରେଷ୍ଠ ପଞ୍ଚାୟତଗୁଡ଼ିକୁ ସମ୍ମାନିତ କରିଆସୁଛି । ସମ୍ମାନଗୁଡିକ ବିଭିନ୍ନ ବିଭାଗ ଅନୁଯାୟୀ ପ୍ରଦାନ କରାଯାଇଥାଏ । ସେଗୁଡିକ ହେଲା – ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର (ଡିଡିୟୁପିଏସପି), ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର (ଏନଡିଆରଜିଜିଏସପି), ଚାଇଲ୍ଡ ଫ୍ରେଣ୍ଡଲୀ ଗ୍ରାମ ପଞ୍ଚାୟତ  ଆୱର୍ଡ (ସିଏଫଜିପିଏ), ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଳାନ (ଜିପିଡିପି) ଏବଂ ଇ-ପଞ୍ଚାୟତ ପୁରସ୍କାର । ଚଳିତ ବର୍ଷ ଲକଡାଉନ ଯୋଗୁଁ କେବଳ 3ଟି ଶ୍ରେଣୀ ଯଥା – ନାନାଜି ଦେଶମୁଖ ଗ୍ରାଷ୍ଟ୍ରୀୟ ଗୌରବ  ଗ୍ରାମସଭା ପୁରସ୍କାର, ଚାଇଲ୍ଡ ଫ୍ରେଣ୍ଡଲୀ ଗ୍ରାମ ପଞ୍ଚାୟତ ଆୱର୍ଡ ଏବଂ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଳାନ ସମ୍ମାନର ତାଲିକା ଚୁଡାନ୍ତ କରାଯାଇଛି । ଅନ୍ୟ ଦୁଇଟି ଶ୍ରେଣୀର ସମ୍ମାନ ପୁରସ୍କାର ପରେ ଚୁଡାନ୍ତ କରାଯାଇ ରାଜ୍ୟଗୁଡିକୁ ପୃଥକ ଭାବେ ଜଣାଇ ଦିଆଯିବ
  4. ଏନପିଆରଡି କାର୍ଯ୍ୟକ୍ରମ ଟେଲିକାଷ୍ଟ, ୱେବକାଷ୍ଟ, ଡିଡି ନ୍ୟୁଜ ଜରିଆରେ କରାଯିବ ଏବଂ ଏହି ଅନଲାଇନ କାର୍ଯ୍ୟକ୍ରମକୁ ରାଜ୍ୟଗୁଡ଼ିକର ପଞ୍ଚାୟତିରାଜ ବିଭାଗ ଓ ଏହାର ଆନୁଷଙ୍ଗିକ ବିଭାଗ, ଜିଲ୍ଲା, ମଣ୍ଡଳ, ପଞ୍ଚାୟତସ୍ତରୀୟ ସଙ୍ଗଠନଗୁଡିକ ଲକଡାଉନ କାଳରେ ସାମାଜିକ ଦୂରତ୍ଵ ସହ କୌଣସି ସାଲିସ ନକରି ପାଳନ କରିବେ ।

 

*********



(Release ID: 1617315) Visitor Counter : 223