ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ୍‌ ସମୟରେ ଗ୍ରାମାଞ୍ଚଳରେ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଲାଗି ଗୋଷ୍ଠୀ ପାକଶାଳା ଚଳାଇ ଏସଏଚଜି ମହିଳାମାନଙ୍କ ଖାଦ୍ୟ ଯୋଗାଣ

• ସରକାରଙ୍କ ଦେଶବ୍ୟାପୀ ବିଭିନ୍ନ ପ୍ରକାର ପ୍ରୟାସରେ ହାତ ମିଳାଇଲେ ସ୍ୱୟଂ ସହାୟକ ଗୋଷ୍ଠୀ,
• ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବାରେ କଲେ ସହଯୋଗ;
• ସ୍ୱାସ୍ଥ୍ୟ କର୍ମୀଙ୍କ ସହ ହାତ ମିଳାଇ ଶିଶୁ, କିଶୋର ଏବଂ ମାତୃ ସ୍ୱାସ୍ଥ୍ୟ ତଥା ପୃଷ୍ଟି ସମ୍ପର୍କିତ ସାମଗ୍ରୀ ଉପଲବ୍ଧ କରାଇବାରେ ମହିଳା ଗୋଷ୍ଠୀଙ୍କ ବିଶେଷ ଯୋଗଦାନ

Posted On: 13 APR 2020 1:11PM by PIB Bhubaneshwar

ବୈଶ୍ୱିକ ମହାମାରୀ କୋଭିଡ-19ର ସଂକ୍ରମଣ ଯୋଗୁ ଏବେ ଦେଶବ୍ୟାପୀ ଲକଡାଉନ୍‌ ଜାରି ରହିଛି ଏବଂ ଏହାଦ୍ୱାରା ବ୍ୟାପକ ସଂଖ୍ୟକ ଦୁର୍ବଳ ଶ୍ରେଣୀର ଲୋକ ଭୋକ ଉପାସରେ ରହିବା ଭଳି ପରସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁମାନେ ଏଭଳି ଅଭୂତପୂର୍ବ ମହାମାରୀ ଏବଂ ଲକଡାଉନ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେମାନେ ହେଲେ ଦିନ ମଜୁରିଆ, ଦେଶାନ୍ତରୀ ଶ୍ରମିକ, ବାସହୀନ, ଗରିବ ତଥା ସର୍ବଦା ବିଭିନ୍ନ ଆଡ଼େ ଘୂରି ବୁଲୁଥିବା ଯାଯାବର ଶ୍ରେଣୀର ଲୋକ । ଏଭଳି ପରିସ୍ଥିତିରେ ସେମାନଙ୍କୁ ଖାଦ୍ୟ ଯୋଗାଇବା ଦିଗରେ ଗୋଷ୍ଠୀ ପାକଶାଳା ହିଁ ଏକମାତ୍ର ସମାଧାନ ପନ୍ଥା ରୂପେ ମୁଣ୍ଡ ଟେକିଛି । ଏଭଳି ଗୋଷ୍ଠୀ ପାକଶାଳା ଆରମ୍ଭ କରାଯିବା ପଛରେ ଥିବା ମୂଳ ଉଦ୍ଦେଶ୍ୟଟି ହେଲା ସେହିଭଳି ଦୁର୍ବଳ ଓ ଗରିବ ଲୋକମାନଙ୍କୁ ଶସ୍ତାରେ ପୌଷ୍ଟିକ ଆହାର ଯୋଗାଇବା ଏବଂ ଯେଉଁମାନଙ୍କ ନିକଟରେ ଖାଦ୍ୟ ସଂଗ୍ରହ ପାଇଁ ଅର୍ଥ ନାହିଁ ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ।

ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଉପସ୍ଥିତି ଏବଂ ସେମାନଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସହ ଥିବା ସଂପର୍କ ଏଭଳି ଗୋଷ୍ଠୀ ପାକଶାଳା/ ଦିଦିଙ୍କ କାଫେ କାର୍ଯ୍ୟ ସେମାନଙ୍କ ଉପରେ ନ୍ୟସ୍ତ କରିବା କାର୍ଯ୍ୟକୁ ସୁଗମ କରିପାରିଥିଲା । ଏହି କ୍ରମରେ ଦେଶର ପାଞ୍ଚଟି ରାଜ୍ୟ- ଓଡ଼ିଶା, ବିହାର, ଝାଡ଼ଖଣ୍ଡ, କେରଳ ଓ ମଧ୍ୟ ପ୍ରଦେଶରେ ଏଭଳି ଲକଡାଉନ୍‌ ବେଳେ ପ୍ରାୟ 10 ହଜାର ଗୋଷ୍ଠୀ ପାକଶାଳା ଆରମ୍ଭ କରାଯାଇଛି । ଏହିସବୁ ପାକଶାଳା ଉପରୋକ୍ତ ରାଜ୍ୟର 75ଟି ଜିଲ୍ଲାରେ ବିସ୍ତାରିତ ଏବଂ ତାହା ଜରିଆରେ ପ୍ରାୟ 70 ହଜାର ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ ଦୈନିକ ଦୁଇଟି ଲେଖାଏଁ ମିଲ୍‌ ଯୋଗାଇ ଦିଆଯାଉଛି । ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

କେରଳ: ଏହି ରାଜ୍ୟରେ କୋଭିଡ-19 ସଂକ୍ରମିତ ରୋଗୀଙ୍କ ସଂଖ୍ୟ ବେଶ୍‌ ଅଧିକ । ସେଠାରେ କୁଡ଼ୁମ୍ବଶ୍ରୀନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ସରକାରଙ୍କ ସହ ସହଭାଗୀତା ଭିତ୍ତିରେ ଏକ ଗୋଷ୍ଠୀ ପାକଶାଳା ଚଳାଇ ଆସୁଛି । ସେଠାରେ ଥିବା ଦେଶାନ୍ତରୀ ଶ୍ରମିକ ଓ ଦାରିଦ୍ର ଭିତରେ ସଢ଼ୁଥବା ପରିବାରର ସଦସ୍ୟମାନଙ୍କୁ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏସଏଚଜି ପକ୍ଷରେ ସେଠାରେ ଯେଉଁ ମୌଳିକ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଘିଅଭାତ ଓ କୁକୁଡ଼ା ମାଂସ ତରକାରୀ ରହିଛି । ଗୋଷ୍ଠୀ ପାକଶାଳାରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ତାହାକୁ ଛୋଟ ଛୋଟ ପ୍ୟାକେଟରେ ପ୍ୟାକିଂ କରାଯାଇଥାଏ ଏବଂ ଏହା ପରେ ତାହାକୁ ଗା୍ରମାଞ୍ଚଳ ଗୋଷ୍ଠୀଙ୍କ ନିକଟକୁ ପଠାଇ ଦିଆଯାଇଥାଏ । ସେହିସବୁ ଛୋଟ ପ୍ୟାକେଟଗୁଡ଼ିକ ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇପାରିଛି, ବିଶେଷ କରି ଯେଉଁମାନଙ୍କୁ ଘରୋଇ ସଂଗରୋଧରେ ରଖାଯାଇଛି । ସେମାନେ ସଂଗରୋଧରେ ରହି ସୁଦ୍ଧା ସହଜରେ ପୌଷ୍ଟିକ ଆହାର ପାଇପାରୁଛନ୍ତି ।

ତ୍ରିପୁରାରେ ସ୍ଥାପିତ ଗୋଷ୍ଠୀ ପାକଶାଳା ଚୁକ୍ତି ତ୍ରିପୁରା ସରକାର ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ କରିଛନ୍ତି । ଏହି ଏସଏଚଜିଗୁଡ଼ିକ ବ୍ୟାପକ ମାତ୍ରାରେ ଖାଦ୍ୟପଦାର୍ଥ ପ୍ରସ୍ତୁତ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ନିକଟରେ ତାହା ଉପଲବ୍ଧ କରାଉଛନ୍ତି । ଅରୁଣାଚଳ ପ୍ରଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ଥାନୀୟ ପ୍ରଶାସନକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ଏବଂ କୋଭିଡ-19 ସଂକ୍ରମଣ ବେଳେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନଙ୍କୁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଛନ୍ତି । ସେହିଭଳି ଏଭଳି କର୍ମଚାରୀମାନଙ୍କୁ ସେମାନେ ମାଗଣାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାସ୍କ, ଚାଉଳ ଏବଂ ପନିପରିବା ମଧ୍ୟ ଯୋଗାଉଛନ୍ତି ।

ଓଡ଼ିଶାରେ ପ୍ରାୟ 70 ଲକ୍ଷ ମହିଳା ସଦସ୍ୟ 6 ଲକ୍ଷ ମିଶନ ଶକ୍ତି ଏସଏଚଜି ଅଧୀନରେ କାର୍ଯ୍ୟରତ ଅଛନ୍ତି । ସେମାନେ ଏଭଳି ଦୁଃସମୟରେ ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ଶୁଖିଲା ରାସନ, ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ, ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଏଥିପାଇଁ ସେମାନେ ଗୋଷ୍ଠୀ ପାକଶାଳା ଆରମ୍ଭ କରିଛନ୍ତି । ମିଶନ ଶକ୍ତି ପକ୍ଷରୁ ଚଳାଯାଉଥିବା ଗୋଷ୍ଠୀ ପାକଶାଳା ମାଧ୍ୟମରେ ଦୈନିକ ପ୍ରାୟ 45,000 ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

ଝାଡ଼ଖଣ୍ଡ ଏଭଳି ପରିସ୍ଥିତିରେ ଆରମ୍ଭ କରିଛି ମୁଖ୍ୟମନ୍ତ୍ରୀ ଦିଦି କିଚେନ୍‌ (ଏମଏମଡ଼ିକେ) ଯାହା ମାଧ୍ୟମରେ ଗରିବ, ଭିନ୍ନକ୍ଷମ, ଶିଶୁ ଏବଂ ଗ୍ରାମର ଚିହ୍ନିତ ଦରିଦ୍ରତମ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏବେ ରାଜ୍ୟସାରା ବିଭିନ୍ନ ପଞ୍ଚାୟତରେ 4185ଟି ଗୋଷ୍ଠୀ ପାକଶାଳା ମାଧ୍ୟମରେ ଏଭଳି କାର୍ଯ୍ୟ ସଂପାଦନ କରାଯାଉଛି ।

ଜମ୍ମୁ ଓ କଶ୍ମୀରରେ, ସ୍ୱୟଂ ସହାୟକ ଗୋଷ୍ଠୀମାନେ ସଦାସର୍ବଦା ରାଜ୍ୟରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ସହ ସଂପର୍କରେ ଅଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା ପୂରଣ କରୁଛନ୍ତି ।

ଏସଏଚଜି ମହିଳାମାନେ ଲକଡାଉନ ସତ୍ତ୍ୱେ ଦୁର୍ଗତ ଲୋକମାନଙ୍କୁ ଅତ୍ୟାବଶ୍ୟକ ପୌଷ୍ଟିକ ଆହାର ତଥା ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରିଛନ୍ତି-

ଘରେ ରହନ୍ତୁ, ନିରାପଦ ରହନ୍ତୁଭଳି ପରାମର୍ଶକୁ ସାକାର କରିବା ସକାଶେ ଘରେ ଅତ୍ୟାବଶ୍ୟକ ସାମଗ୍ର ତଥା ସେବା ଥିବା ଆବଶ୍ୟକ କିମ୍ବା ତାହା ଦ୍ୱାରଦେଶରେ ଅବା ନିକଟରେ ଉପଲବ୍ଧ ହେଉଥିବା ଉଚିତ । ଏଭଳି ବାସ୍ତବତାକୁ ଉପଲବ୍ଧ କରି ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନେ ସେମାନେ ନିଜ ନିଜ ଉପାୟ ଓ ସାମର୍ଥ୍ୟ ଅନୁସାରେ ଗରିବ ଓ ଦୁର୍ଗତ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଦିଗରେ ଗୁରୂତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏଭଳି କାର୍ଯ୍ୟ ସଂପାଦନ ବେଳେ ସେମାନେ ସାମାଜିକ ଦୂରତା ରକ୍ଷାର ସକଳ ପ୍ରକାର ନିୟମକୁ ପରିପାଳନ କରିଛନ୍ତି । ସେହିସବୁ ଅତ୍ୟାବଶ୍ୟକ ସାମଗ୍ର ଭିତରେ ତୁରନ୍ତ ଖାଇବାକୁ ସକ୍ଷମଉତ୍ପାଦନ, ଘରକୁ ନେବା ଭଳି ରାସନ୍‌, ଲୋକଙ୍କ ଦ୍ୱାରଦେଶରେ ଶୁଖିଲା ରାସନ ଓ ତଟକା ପନିପରିବା ଉପଲବ୍ଧ କରାଉଛନ୍ତି ତଥା ମହିଳାମାନଙ୍କୁ ସେମାନଙ୍କର ମାସିକ ଧର୍ମ ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ସେବା ଯୋଗାଇ ଦେଉଛନ୍ତି । ବୈଦ୍ୟୁତିକ ଯାନ ଏବଂ ଅନ୍ୟାନ୍ୟ ପ୍ରକାର ଯାନବାହନରେ ଏନଆରଏଲଏମ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍‌ ଯୋଜନା (ଏଜିଇୱାଇ)କୁ ବିଭିନ୍ନ ରାଜ୍ୟରେ ଉପଯୋଗ କରାଯାଉଛି । ଭେଜିଟେବଲ ଅନ ହ୍ୱିଲ୍ସ’, ‘ଫ୍ଲୋଟିଂ ସୁପରମାର୍କେଟ୍ସଭଳି ଚିନ୍ତାଧାରାକୁ ଦିଦିସ୍ୱୟଂ ସହାୟକ ଗୋଷ୍ଠୀ ଏଭଳି ଆହ୍ଵାନ ସମୟରେ ବାସ୍ତବ ରୂପ ଦେଇ ଲୋକମାନଙ୍କ ସମସ୍ୟାର ସମାଧାନ କରିପାରୁଛି । ଓଡ଼ିଶା ଓ ଛତିଶଗଡ଼ରେ ମହିଳାମାନେ ଅଣ୍ଡା ସହିତ ଘରକୁ ନେଇଯିବା ଭଳି ରାସନ୍‌ ବିତରଣ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ପାଞ୍ଚ ବର୍ଷରୁ କମ୍‌ ଆୟୁର ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାମାନଙ୍କ ନିକଟରେ ପହଞ୍ଚି ପାରୁଛନ୍ତି ଯେଉଁମାନେ କି ଦୁର୍ବଳ ଓ ପ୍ରଭାବିତ ବର୍ଗ ଭାବେ ବିବେଚିତ ହୋଇଥାନ୍ତି ।

ସେହିଭଳି ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସାମଗ୍ରୀ ଯୋଗାଣରେ ସହଯୋଗର ହାତ ବଢ଼ାଇଛନ୍ତି । ସେମାନେ କାର୍ଡ଼ ବ୍ୟବହାର କରି ରାସନ ସଂଗ୍ରହ କରିବା ସହ ସେସବୁକୁ ଅନ୍ୟାନ୍ୟ କାର୍ଡ଼ଧାରୀମାନଙ୍କୁ ବଣ୍ଟନ କରୁଛନ୍ତି ଯଦ୍ୱାରା ପିଡ଼ିଏସ ଦୋକାନରେ ଅଯଥାରେ ଲୋକମାନଙ୍କ ଭିଡ଼ ଜମିବନାହିଁ । ଏନଆରଏଲଏମ ଗୋଷ୍ଠୀ ଅନୁଷ୍ଠାନକୁ ଯେଉଁ ଭଲନେରେବିଲିଟି ରିଡ଼କ୍ସନ୍‌ ଫଣ୍ଡ’ (ଭିଆରଏଫ)  ଯୋଗାଇ ଦେଇଛି ତାହା ସମାଜର ଦରିଦ୍ର ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗାଣ ସକାଶେ ଉଦ୍ଦିଷ୍ଟ । ଭିଆରଏଫକୁ ଦେଶର ଅଧିକାଂଶ ରାଜ୍ୟରେ ଗୋଷ୍ଠୀ ଅନୁଷ୍ଠାନମାନଙ୍କ ଦ୍ୱାର ଉପଯୋଗ କରାଯାଉଛି ଏବଂ ସେଥିରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ସିକିମ ଆଦି ରାଜ୍ୟରେ ଖାଦ୍ୟ ପ୍ରସ୍ତୁତ କିଟ୍‌ ଯେଉଁଥିରେ ଖାଦ୍ୟଶସ୍ୟ, ରନ୍ଧା ତେଲ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଉପକରଣ ଯଥା ଲୁଗାସଫା ସାବୁନ ଆଦି ରହିଛି ଏବଂ ସେସବୁ କିଟକୁ ଗ୍ରାମର ଦୁର୍ବଳ ଓ ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଉଛି । ଓଡ଼ିଶା ଓ ଛତିଶଗଡ଼ରେ, ଏସଏଚଜିମାନେ ଭିଆରଏଫ ପାଣ୍ଠିକୁ ଉପଯୋଗ କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରକ୍ଷା ସମେତ ସେମାନଙ୍କୁ ସ୍ୱଚ୍ଛ ସାନିଟାରୀ ନାପକିନ ଯୋଗାଇ ଦିଆଯାଉଛି ।

ସେହିଭଳି ବିହାର, ଓଡ଼ିଶା ଓ ଛତିଶଗଡ଼ର ଏସଏଚଜିମାନେ ଏସଆରଏଲଏମର ଛାମୁଆ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏସେନ୍ସିଆଲ ଚାଇଲ୍ଡ, ମାତୃ ଓ କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ଓ କୌଷ୍ଟିକତା ସଂପର୍କୀତ ଖାଦ୍ୟ ସାମଗ୍ରୀ ଯୋଗାଣରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରେ ପ୍ରସବ ପୂର୍ବବର୍ତ୍ତୀ ତଥା ପ୍ରସବ ପରବର୍ତ୍ତୀ ଯତ୍ନଜନିତ ସେବା ଓ ଆଇଏଫଫ ବଟିକା ଜରିଆରେ ଅତିରିକ୍ତ ମାତ୍ରାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ସାମିଲ । ରାଜ୍ୟର 2118ଟି ଏସଏଚଜିର ମହିଳା ସଦସ୍ୟମାନେ ଅପପୁଷ୍ଟିର ଶିକାର ହୋଇଥିବା 4310ଜଣ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପୌଷ୍ଟିକ ଆହାର ଓ ଔଷଧ ଯୋଗାଇ ଦେଇଛନ୍ତି ।

ସାମାଜିକ ଦାୟିତ୍ୱବୋଧଜନିତ ଅବଦାନ ମାଧ୍ୟମରେ ଗରିବ ଲୋକମାନଙ୍କ ଜୀବନଜୀବିକାକୁ ପ୍ରଭାବିତ ହେବାକୁ ନଦେଇ ସେମାନଙ୍କୁ ନିଜ ଗୋଷ୍ଠୀରେ ନିରାପଦ ପରିମଳ ଅଭ୍ୟାସ ଆପଣାଇବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଛି । କୋଭିଡ-19 ସଂକ୍ରମଣ ବିରୋଧରେ ଜାରି ସଂଗ୍ରାମରେ ଦେଶର ହଜାର ହଜାର ଏସଏଚଜି ମହିଳା ସଦସ୍ୟ ସେମାନଙ୍କର ପ୍ରତିବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିଛନ୍ତି ।

 

**********



(Release ID: 1614033) Visitor Counter : 210