ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ
କୋଭିଡ-19ର ମୁକାବିଲା ପାଇଁ ଭାରତ-ଆମେରିକା ବିଜ୍ଞାନ-ବୈଷୟିକ ଫୋରମର ଉଦ୍ୟମ
Posted On:
13 APR 2020 11:21AM by PIB Bhubaneshwar
କୋଭିଡ-19ର ମୁକାବିଲା ପାଇଁ ଭାରତ ଓ ଆମେରିକା ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କୁ ଭର୍ଚ୍ଚୁଆଲ ନେଟୱାର୍କ ବ୍ୟବସ୍ଥାରେ ମିଳିତ ଭାବେ କାମ କରିବାକୁ ସୁଯୋଗ ଦେବାକୁ ଭାରତ-ଆମେରିକା ବିଜ୍ଞାନ-ବୈଷୟିକ ଫୋରମ (IUSSTF) ଆଗେଇ ଆସିଛି । ଏ କ୍ଷେତ୍ରରେ କାମ କରୁଥିବା ଦୁଇ ଦେଶର ବିଶେଷଜ୍ଞମାନଙ୍କୁ ଏକାଠି ଗବେଷଣା କରିବା ପାଇଁ ଏହି ଫୋରମ ଆମନ୍ତ୍ରଣ କରିବା ସହ ଏଥିପାଇଁ ଏକ ଭର୍ଚ୍ଚୁଆଲ ନେଟୱାର୍କ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ଏହା ଫଳରେ ଦୁଇ ଦେଶର ବିଶେଷଜ୍ଞମାନେ ନିଜନିଜର କର୍ମକ୍ଷେତ୍ର ଓ ଦେଶରେ ରହି ଏକ ଆଭାସି (ଭର୍ଚ୍ଚୁଆଲ) ବ୍ୟବସ୍ଥାରେ ମିଳିମିଶି କାମ କରିବାର ସୁଯୋଗ ପାଇବେ । ଗବେଷଣା ପାଇଁ ବର୍ତ୍ତମାନ ବ୍ୟବହୃତ ହେଉଥିବା ଭିତ୍ତିଭୂମି ଓ ପାଣ୍ଠି ଏଇ ମିଳିତ ବ୍ୟବସ୍ଥାରେ ବ୍ୟବହୃତ ହେବ । ଗବେଷଣାକୁ ଆହୁରି ଆଗେଇ ନେଇ ଅତ୍ୟାଧୁନିକ ସ୍ତରରେ ପହଞ୍ଚାଇବା ତଥା କୋଭିଡ ଭଳି ଜଟିଳ ବ୍ୟାଧିର ମୁକାବିଲା ପାଇଁ ଯେଉଁ ଆହ୍ୱାନ ଆସିଛି ତା ପାଇଁ ଉପାୟ ବାହାର କରିବା ଏହି ମିଳିତ ଗବେଷଣା ପ୍ରୟାସର ଲକ୍ଷ୍ୟ । ସୂଚନାଯୋଗ୍ୟ ଯେ ବିଜ୍ଞାନର ଜଟିଳ ଆହ୍ୱାନ ଓ ଉନ୍ନତ ଗବେଷଣା ପାଇଁ ଏହି ମଞ୍ଚ ଗଠିତ । ଦ୍ୱିପାକ୍ଷିକ ଅଂଶୀଦାର ଭିତ୍ତିରେ ଏହି ଅନୁଷ୍ଠାନ ତିଆରି ହୋଇଛି ।
କୋଭିଡ ଭଳି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସହଯୋଗର ଆବଶ୍ୟକତା ରହିଛି । ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ ବୈଜ୍ଞାନିକ, ଇଂଜିନିୟର ଓ ଉଦ୍ୟୋଗୀମାନଙ୍କୁ ଏକାଠି କରି କେବଳ କରୋନା ନୁହେଁ, ଭବିଷ୍ୟତରେ ଏଭଳି ଯେ କୌଣସି ବଡ ଆହ୍ୱାନର ମୁକାବିଲା କରିବାରୁ ପ୍ରୟାସ ରହିଛି । ତେବେ ଆଇୟୁଏସଏସଟିଏଫ ଏବେ କରୋନାର ମିଳିତ ମୁକାବିଲା ପାଇଁ ଯେଉଁ ଉଦ୍ୟମ କରୁଛି ତାହା ଦ୍ୱିପାକ୍ଷିକ ସହଯୋଗ ଓ ଭାଗିଦାରୀ ଏକ ଅଂଶ ବିଶେଷ । ମାର୍ଚ୍ଚ 2000ରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ଏକ ଚୁକ୍ତିଦ୍ୱାରା ଏହି ମଞ୍ଚ ଗଠିତ ହୋଇଛି । ଏହା ଏକ ସ୍ୱୟଂଶାସିତ ଦ୍ୱିପାକ୍ଷିକ ସଂସ୍ଥା । ଏଥିପାଇଁ ଉଭୟ ଦେଶର ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ବିଜ୍ଞାନ, ପ୍ରଯୁକ୍ତି, ଇଂଜନିୟରିଂ ଆଦି କ୍ଷେତ୍ରରେ ଗବେଷଣା ଓ ଉନ୍ନୟନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଦୁଇ ଦେଶର ଟେକ୍ନୋଲଜି, ଗବେଷକ,ବୈଜ୍ଞାନିକ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବ୍ୟକ୍ତି ବିଶେଷ ଏହି ମଞ୍ଚରେ ଏକତ୍ର ଉଭୟ ଦେଶର ବିଜ୍ଞାନ ଓ କାରିଗରୀ ବିଭାଗ ନିଜନିଜ ଦେଶ ପାଇଁ ଫୋରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିଥାନ୍ତି ।
ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି କୋଭିଡ-19 ବିଜ୍ଞାନର ଦାୟିତ୍ୱ ବଢାଇ ଦେଇଛି ।ଏହି ସମୟରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଅଧିକ ଆନ୍ତର୍ଜାତିକ ସହଯୋଗ,ସଫଳ ଗବେଷଣା, ଯୋଗାଯୋଗ ଏବଂ ବ୍ୟାଧି ନିରାକରଣର ବାଟ ତୁରନ୍ତ ବାହାର କରିବାର ଆବଶ୍ୟକ ରହିଛି । ଆଇୟୁଏସଏସଟିଏଫ ତାହାର ସଫଳତା ଓ ଇତିହାସକୁ ପୁଞ୍ଜି କରି କରୋନାର ସଫଳ ମୁକାବିଲା ନିମନ୍ତେ ଉପାୟ ବାହାର କରିପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।
*************
(Release ID: 1613953)
Visitor Counter : 218
Read this release in:
Punjabi
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam