ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳବାଇ ପକ୍ଷରୁ ଲକଡାଉନ ସମୟରେ 10 ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

• କୋଭିଡ-19 ଯୋଗୁଁ ଲକଡାଉନ କାଳରେ 313ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ
• ଆଇଆରସିଟିସି, ଆରପିଏଫ, ଜିଆରପି, ରେଳଜୋନ ଓ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଅଭାବ ଅସୁବିଧାରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଣ

Posted On: 11 APR 2020 2:59PM by PIB Bhubaneshwar

କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ତଥା ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ଭାରତୀୟ ରେଳବାଇ ତାହାର ସାମାଜିକ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିଆସୁଛି । ଦେଶର ବିଭିନ୍ନ ରେଳଜୋନ ଅନ୍ତର୍ଗତ 313ଟି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହୋଇ ଅଟକି ରହିଥିବା 10 ଲକ୍ଷରୁ ଅଧିକ ଲୋକଙ୍କୁ ଇତି ମଧ୍ୟରେ ରେଳବାଇ ପକ୍ଷରୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଇଆରସିଟିସି, ଆରପିଏଫ, ଜୋନାଲ ରେଲୱେ ଓ ରେଳବାଇର ଅନ୍ୟାନ୍ୟ ସଂସ୍ଥା ଏବଂ ସଂଗଠନର କର୍ମଚାରୀମାନେ ଏହି ଦାୟିତ୍ୱ ହାତକୁ ନେଇ ସୁଚାରୁ ରୂପେ ନିର୍ବାହ କରୁଛନ୍ତି । ସାମାଜିକ ଦାୟିତ୍ୱବୋଧ ଓ ସମାଜସେବାକୁ ଅଗ୍ରାଧିକାର ଦେଇ ରେଳବାଇ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟ ହାତକୁ ନେଇଛି । ମାର୍ଚ୍ଚ 28ରୁ ଏହି ଭୋଜନ ବିତରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଇଆରସିଟିସିର ବିଭିନ୍ନ କିଚିନରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କୁ ମଧ୍ୟାହ୍ନଭୋଜନ କାଗଜ ଥାଳିରେ ପରିବେଷଣ କରାଯାଉଥିବାବେଳେ ରାତ୍ରିଭୋଜନ ପାଇଁ ପ୍ୟାକେଟ ଜରିଆରେ ଯୋଗାଇ ଦିଆଯାଉଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି ଏବଂ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି ।

ଏ ପର୍ଯ୍ୟନ୍ତ 10.2 ଲକ୍ଷ ଖାଦ୍ୟ ଯୋଗାଇ ଦିଆଯାଇଛି । ଗରିବ, ଅସହାୟ, ଶିଶୁ, କୁଲି, ପ୍ରବାସୀ ଶ୍ରମିକ, ଅଟକି ରହିଥିବା ଯାତ୍ରୀ ଓ ଲୋକଙ୍କୁ ମୁଖ୍ୟତଃ ଏହି ରନ୍ଧା ଖାଦ୍ୟର ଯୋଗାଣ ଚାଲିଛି । ଏହାଛଡା ଭୋଜନସ୍ଥଳରେ ଖାଦ୍ୟ ଆଶାରେ ପହଂଚୁଥିବା ଅନ୍ୟାନ୍ୟ ଲୋକଙ୍କୁ ମଧ୍ୟ ଖାଇବାକୁ ଦିଆଯାଉଛି । ରେଳଷ୍ଟେସନ ଓ ଏହାର ଆଖପାଖ ଅଂଚଳରେ ଏହି ଭୋଜନ ଯୋଗାଣ କାର୍ଯ୍ୟ ହାତକୁ ନିଆଯାଇଛି । ଲୋକଙ୍କୁ ଖାଇବାକୁ ଦେବାବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉଛି ।

ନୂଆଦିଲ୍ଲୀ, ବାଙ୍ଗାଲୁର, ଜୁବଲି, ମୁମ୍ବାଇ ସେଂଟ୍ରାଲ, ଅହମ୍ମଦାବାଦ, ହାୱଡା, ପାଟନା, ଗୟା, ରାଂଚି, ବାଲେଶ୍ୱର, ଖୋର୍ଦ୍ଧା, ବିଜୟୱାଡା, ପୁଣେ, ହାଜିପୁର, ରାୟପୁର, ଟାଟାନଗର ସମେତ ଦେଶର ପ୍ରମୁଖ ରେଳଷ୍ଟେସନରେ ଏହି ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି । ଆଇଆରସିଟିସି 60 ଭାଗ ରନ୍ଧା ଖାଦ୍ୟ ଯୋଗାଉଛି । ଆରପିଏଫ 2.3 ଲକ୍ଷ ଲୋକଙ୍କ ପାଇଁ ଏଯାଏ ଭୋଜନ ଯୋଗାଣର ବ୍ୟବସ୍ଥା କରିଥିବାବେଳେ ବିଭିନ୍ନ ଏନଜିଓ ଦୁଇ ଲକ୍ଷ ମିଲ ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି ।

 

**********

 



(Release ID: 1613455) Visitor Counter : 195