ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ଲାଗି 10 ଦିନରୁ କମ ସମୟ ମଧ୍ୟରେ 1.37 ଲକ୍ଷ ଇପିଏଫ ଉଠାଣ ଆବେଦନର ଫଇସଲା

• କେୱାସି ପଦ୍ଧତିରେ 72 ଘଣ୍ଟାରେ ହେଉଛି ଆବେଦନ ପତ୍ରର ପ୍ରୋସେସିଂ

Posted On: 10 APR 2020 1:17PM by PIB Bhubaneshwar

ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏକ ସ୍ଥାୟୀ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ । କୋଭିଡ-19 ମହାମାରୀ ବିରୋଧରେ ସଂଗ୍ରାମ ସକାଶେ ଇପିଏଫ ଯୋଜନାରେ ବିଶେଷ ସଂଶୋଧନ ଆଣି ଏହି ସଂସ୍ଥା ଏକ ନୂତନ ବ୍ୟବସ୍ଥା ମାଧ୍ୟମରେ ଅତି କମ୍‌ ସମୟ ମଧ୍ୟରେ 1.37 ଲକ୍ଷ ଇପିଏଫ ଉଠାଣକାରୀଙ୍କ ଆବେଦନର ଫଇସଲା କରି ସେମାନଙ୍କୁ 279.65 କୋଟି ଟଙ୍କା ପ୍ରଦାନ କରିଛି । ଇତି ମଧ୍ୟରେ ଇପିଏଫ ଉଠାଣକାରୀଙ୍କୁ ସେମାନଙ୍କର ଉଠାଣ ଟଙ୍କା ପ୍ରଦାନ ଆରମ୍ଭ ହୋଇସାରିଛି । ଅଦ୍ୟାବଧି ଏଥିପାଇଁ ଯେଉଁ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ତାହା ମାଧ୍ୟମରେ କେୱାଇସି  ପଦ୍ଧତିରେ 72 ଘଣ୍ଟା ଭିତରେ ସମସ୍ତ ଆବେଦନପତ୍ରର ପ୍ରୋସେସିଂ କରାଯାଉଛି । ଏପରିକି ଯେଉଁମାନେ ଅନ୍ୟ ବର୍ଗରେ ସେମାନଙ୍କର ଅର୍ଥ ଦାବି କରୁଛନ୍ତି, ସେମାନଙ୍କୁ ମଧ୍ୟ ଏଭଳି ମହାମାରୀ ବିରୋଧରେ ଲଢ଼େଇ କରିବା ସକାଶେ ଅର୍ଥ ପ୍ରଦାନ କରାଯାଉଛି । ତେବେ କେୱାଇସି ପଦ୍ଧତିକୁ ଅନୁସରଣ କରି ପ୍ରତ୍ୟେକ ସଦସ୍ୟଙ୍କ କ୍ଷେତ୍ରରେ ଏହି କାର୍ଯ୍ୟ ସଂପାଦନ କରାଯାଉଛି । ପ୍ରତ୍ୟେକ ଦାବି ଆବେଦନକୁ ରେକର୍ଡ଼ ସମୟ ଭିତରେ ଫଇସଲା କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ।

କୋଭିଡ-19 ବିରୋଧରେ ଲଢ଼େଇ ନିମନ୍ତେ ଇପିଏଫ ଯୋଜନାରୁ ଟଙ୍କା ଉଠାଣ ସକାଶେ ଏବେ ଏହି ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି ଯାହାକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) କାର୍ଯ୍ୟକ୍ରମର ଅଂଶବିଶେଷ । ସରକାରଙ୍କ ପକ୍ଷରୁ ଏଭଳି ବିଶେଷ ଯୋଜନା ଘୋଷଣା କରାଯାଇଛି ଏବଂ ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ 28, 2020 ତାରିଖ ଦିନ ଇପିଏଫ ଯୋଜନାର ପାରା 68ଏଲ(3) ପ୍ରବର୍ତ୍ତନ କରାଯିବା ସହ ଏଥିପାଇଁ ଜରୁରିକାଳୀନ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ବିଶେଷ ବ୍ୟବସ୍ଥା ଅନୁସାରେ ସଦସ୍ୟମାନେ ତିନିମାସର କିମ୍ବା ନିଜ ମୂଳ ମଜୁରି ଓ ମହଙ୍ଗା ଭତ୍ତାର 75%  ପର୍ଯ୍ୟନ୍ତ ଯାହାକି କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ଥିବ ତାହାର ଅଣ-ପରିଶୋଧକ୍ଷମ ଟଙ୍କା ଉଠାଣ କରିପାରିବେ । ତେବେ ଦୁଇଟି ମଧ୍ୟରୁ ଯେଉଁଟି କମ୍‌ ହୋଇଥିବ ସେମାନଙ୍କୁ ତାହା ହିଁ ମଞ୍ଜୁର କରାଯିବାର ବ୍ୟବସ୍ଥା ରହିଛି । ସଦସ୍ୟମାନେ ଚାହିଁଲେ ଏଥିରୁ କମ୍‌ ରାଶି ପାଇଁ ମଧ୍ୟ ଆବେଦନ କରିପାରିବେ । ଯେହେତୁ ଏହା ଅଗ୍ରୀମ ରାଶି, ତେଣୁ ତାହା ଉପରେ ଆୟକର କାଟ ଲାଗୁ ହେବନାହିଁ । 

ଏହି ବ୍ୟବସ୍ଥା ଦ୍ୱାରା ବିପୁଳ ସଂଖ୍ୟକ କର୍ମଚାରୀ ଟଙ୍କା ଉଠାଣ ପାଇଁ ଆଗ୍ରହୀ ହେବେ ବୋଲି ଆଶଙ୍କା କରି, ଇପିଏଫଓ ସଂପୂର୍ଣ୍ଣ ରୂପେ ଏକ ନୂତନ ସଫ୍ଟୱେର ବ୍ୟବହାର କରିଛନ୍ତି ଯାହାକି ସ୍କ୍ରାଚ ଏବଂ ରିସିପ୍ଟ ମଡ୍ୟୁଲ ଆଧାରରେ କରାଯାଇଛି । 24 ଘଣ୍ଟା ମଧ୍ୟରେ ଏଭଳି ସଫ୍ଟୱେର ପ୍ରବର୍ତ୍ତନ କରାଯାଇଥିଲା ଓ 29 ମାର୍ଚ୍ଚ, 2020 ଦିନ ତାହା ପ୍ରବର୍ତ୍ତନ କରାଯାଇଥିଲା ।  ଅଧିକନ୍ତୁ, ଏଭଳି ଆବେଦନକୁ ସଂପୂର୍ଣ୍ଣରୂପେ କାଗତରହିତ ଫର୍ମଯୁକ୍ତ କରାଯାଇଛି ଯଦ୍ୱାରା ଏହାକୁ ସାମାଜିକ ଦୂରତା ରକ୍ଷା ପରିସ୍ଥିତିରେ କୌଣସି ଭାବେ ନେଣଦେଣ କରିବାକୁ ପଡ଼ିବ ନାହିଁ । ଯେଉଁ ଆବେଦନକାରୀଙ୍କର କେୱାଇସି ଆବଶ୍ୟକତା ସଂପୂର୍ଣ୍ଣ ଥିବ ଅଟୋ ମୋଡ଼ରେ ପ୍ରତ୍ୟକ୍ଷଭାବେ ସମସ୍ତ ଆବେଦନର ଫଇସଲା କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

କୋଭିଡ-19 ମହାମାରୀ ଏବେ ବିଶ୍ୱରେ ମହା ସଂକଟ ସୃଷ୍ଟି କରିଛି ଏବଂ ଏହାର ମୁକାବିଲା ସକାଶେ କର୍ମଚାରୀମାନେ ଜରୁରି ଭାବେ ଅର୍ଥ ଆବଶ୍ୟକ କରୁଛନ୍ତି । ତେଣୁ କୋଭିଡ-19ର ମୁକାବିଲା ପାଇଁ ଏଭଳି ଅଗ୍ରୀମ ଅର୍ଥ ପ୍ରଦାନକୁ ସରକାର ଅଗ୍ରପ୍ରାଧାନ୍ୟ ପ୍ରଦାନ କରିଛନ୍ତି ।

ତେଣୁ ଅନଲାଇନରେ ଏଭଳି ଅଗ୍ରୀମ ଅର୍ଥ ପାଇଁ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି । ତେବେ ଏଥିସହ ଆବେଦନପତ୍ରଗୁଡ଼ିକ କେୱାଇସି ଯୁକ୍ତ ହୋଇଥିବା ଆବଶ୍ୟକ । କେୱାଇସି କମ୍ପ୍ଲିଆନ୍ସକୁ ସହଜ କରିବା ନିମନ୍ତେ ଇପିଏଫଓ ଜନ୍ମ ତାରିଖ ସଂଶୋଧନ ସର୍ତ୍ତକୁ କୋହଳ କରିଛି ଏବଂ ତାହା କେବଳ ମହାମାରୀ କରୋନା ବିରୋଧରେ ସଂଗ୍ରାମ ପରିପ୍ରେକ୍ଷୀରେ କରାଯାଇଛି । ଇପିଏଫଓ କେବଳ କର୍ମଚାରୀଙ୍କ ଆଧାର କାର୍ଡ଼ରେ ରେକର୍ଡ଼ କରାଯାଇଥିବା ଜନ୍ମ ତାରିଖକୁ ପ୍ରମାଣ ପତ୍ର ଭାବେ ଗ୍ରହଣ କରି ପିଏଫ ରେକର୍ଡ଼ରେ ଜନ୍ମ ତାରିଖ ସଂଶୋଧନ କରୁଛି । ତେଣୁ ଏବେ ଇପିଏଫଓ ଦ୍ୱାରା ତିନି ବର୍ଷ ପର୍ଯ୍ୟନ୍ତ ଜନ୍ମ ତାରିଖରେ ଥିବା ବୈଷମ୍ୟକୁ ସଂଶୋଧନ ପାଇଁ ଗ୍ରହଣ କରାଯାଉଛି ।

 

**********

 



(Release ID: 1613059) Visitor Counter : 177