ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିକ୍ଷା ପ୍ଲାଟଫର୍ମରେ କୋଭିଡ-19 ମୁକାବିଲା ଲାଗି ସମନ୍ଵିତ ସରକାରୀ ଅନଲାଇନ ତାଲିମ (iGOT) ପୋର୍ଟାଲର ଶୁଭାରମ୍ଭ କଲେ ଭାରତ ସରକାର

• ପ୍ରଭାବୀ ଢଙ୍ଗରେ ମହାମାରୀ ମୁକାବିଲା ଲାଗି ଆଗଧାଡିର କର୍ମୀଙ୍କ ସାମର୍ଥ୍ୟ ବିକାଶ ଲାଗି ଏହି ପୋର୍ଟାଲ ଉଦ୍ଦିଷ୍ଟ
• 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପୂର୍ବରୁ କରିଆସୁଛନ୍ତି ଦିକ୍ଷା ପ୍ଲାଟଫର୍ମର ଉପଯୋଗ

Posted On: 09 APR 2020 12:24PM by PIB Bhubaneshwar

ଭାରତ ସରକାରଙ୍କ ମାନବ ସମ୍ବଳ  ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19ର ପରିଚାଳନା ନିମନ୍ତେ ଏକ ତାଲିମ ମଡେଲ (ଟ୍ରେନିଂ  ମଡ୍ୟୁଲ) ଆରମ୍ଭ କରାଯାଇଛି । ଏହାର ନାମ ରହିଛି ସମନ୍ୱିତ ସରକାରୀ ଅନଲାଇନ ତାଲିମ ବା ଇଂଟିଗ୍ରେଟେଡ ଗଭର୍ଣ୍ଣମେଣ୍ଟ ଅନଲାଇନ ଟ୍ରେନିଂ (iGOT) ଏହା ମନ୍ତ୍ରଣାଳୟର ଦୀକ୍ଷା ପ୍ଲାଟଫର୍ମରେ ଉପଲବ୍ଧ । କରୋନା ମହାମାରୀର ମୁକାବିଲା ପାଇଁ ଅଧିକ ତାଲିମପ୍ରାପ୍ତ ଲୋକଶକ୍ତି ଓ ଅଗ୍ରଣୀ କର୍ମୀ ତିଆରି କରିବା ଏହାର ଉଦ୍ଦେଶ୍ୟ । ଏହି  ମହାମାରୀର ମୁକାବିଲା ପାଇଁ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଆଗକୁ ଅଧିକ ଦରକାର ହେବ । ଯେଉଁସବୁ କର୍ମଚାରୀ ଓ ସେବାଦାର ଏବେ ଏ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ରହିଛି । ଏହି ସଂକ୍ରମଣ ଏବେ ଜ୍ୟାମିତିକ ହାରରେ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଗକୁ ଆହୁରି ଦକ୍ଷ ଲୋକଶକ୍ତିର ଆବଶ୍ୟକତା ଅନୁଭୂତ ହେବ । ତେଣୁ ସେହି ଆବଶ୍ୟକତା ପୂରଣ କରିବା ପାଇଁ ଏହି ଅନଲାଇନ ତାଲିମ ବ୍ୟବସ୍ଥା କରାଯାଇଛି । ଏଥିରେ ଚିକିତ୍ସକ, ନର୍ସ, ଏଏନ୍ଏମ, ରାଜ୍ୟ ସରକାରଙ୍କ ଅଧିକାରୀ, ଏନସିସି, ନେହେରୁ ଯୁବ କେନ୍ଦ୍ରର ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏହାଛଡା ପୁଲିସ, ବେସାମରିକ ପ୍ରତିରକ୍ଷା ଅଧିକାରୀ, ଜାତୀୟ ସେବା ସଂସ୍ଥା, ରେଡକ୍ରସ, ସ୍କାଉଟ ଓ ଗାଇଡ ଏବଂ  ବିଭିନ୍ନ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାର ସୁବିଧା ମଧ୍ୟ କରାଯାଇଛି । ଆଗ୍ରହୀ  ବ୍ୟକ୍ତି ବିଶେଷ https://igot.gov.in/igot/. ଲିଙ୍କ ମାଧ୍ୟମରେ ପୋର୍ଟାଲ ୱେବସାଇଟ ସହ ସଂଯୋଗ  ସ୍ଥାପନ କରି ପାରିବେ ।

 

**********



(Release ID: 1612689) Visitor Counter : 261