କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କୃଷକମାନଙ୍କୁ ରିଲିଫ ପ୍ରଦାନ ସଂପର୍କରେ ରାଜ୍ୟ କୃଷିମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ନରେନ୍ଦ୍ର ସିଂହ ତୋମାର

• ବୈଶ୍ୱିକ ମହାମାରୀ କୋଭିଡ଼-19 ଭଳି ଜଟିଳ ପରିସ୍ଥିତିରେ କୃଷି କାର୍ଯ୍ୟ ପାଇଁ ରାଜ୍ୟମାନେ ଗ୍ରହଣ କରିଥିବା ସକାରାତ୍ମକ ପଦକ୍ଷେପକୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାରଙ୍କ ପ୍ରଶଂସା
• ଏପ୍ରିଲ 16, 2020ରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଖରିଫ ଫସଲ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି କୃଷିମନ୍ତ୍ରୀଙ୍କ ସୂଚନା

Posted On: 09 APR 2020 10:17AM by PIB Bhubaneshwar

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଗତକାଲି ସନ୍ଧ୍ୟାରେ କୋଭିଡ଼-19 ମହାମାରୀ ଭଳି ଜଟିଳ ପରିସ୍ଥିତିରେ ଦେଶର କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଓ ସଚିବ (ଏସି ଆଣ୍ଡ ଏଫଡ଼ବ୍ଲୁ) ଶ୍ରୀ କୈଳାଶ ଚୌଧୁରୀ, ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୟ ଅଗ୍ରୱାଲା, ଅତିରିକ୍ତ ସଚିବ (କୃଷି) ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା କୃଷି କାର୍ଯ୍ୟ ଓ ଅମଳ, କୃଷି ବିପଣନ ଓ ମଣ୍ଡି କାର୍ଯ୍ୟ ସଂଚାଳନ, ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରହ, କୃଷକମାନଙ୍କୁ ବିଭିନ୍ନ ପ୍ରକାର କୃଷି ସାମଗ୍ରୀ ( ବିହନ ଓ ସାର) ଯୋଗାଣ  ତଥା ଲଜିଷ୍ଟିକ୍ସ ଓ କୃଷି ତଥା ଉଦ୍ୟାନ କୃଷିଜାତ ଉତ୍ପାଦର ପ୍ରେରଣ ଆଦି ସଂପର୍କରେ ରାଜ୍ୟ କୃଷିମନ୍ତ୍ରୀ, ଏପିସି, ସଚିବ ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ମନ୍ତ୍ରୀ ଶ୍ରୀ ତୋମାର ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦେଶରେ ବୈଶ୍ୱିକ ମହାମାରୀ କୋଭିଡ଼-19ର ପ୍ରକୋପ ଜାରି ରହିଥିବା ବେଳେ ରାଜ୍ୟ ସରକାରମାନେ କୃଷିକାର୍ଯ୍ୟ ସକାଶେ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦିଗରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ସେମାନଙ୍କୁ ସୂଚୀତ କରିଥିଲେ । ଭାରତ ସରକାରଙ୍କ ପକ୍ଷରୁ କୃଷି କାର୍ଯ୍ୟ ବିଶେଷ କରି ଅମଳ ଏବଂ ବୁଣା ଋତୁ ସକାଶେ ଯେଉଁସବୁ ରିହାତିମାନ ଘୋଷଣା କରାଯାଇଛି ସେ ସଂପର୍କରେ ଶ୍ରୀ ତୋମାର ସମସ୍ତଙ୍କୁ ଅବଗତ କରିଥିଲେ । ଯେଉଁସବୁ ରିହାତି ସରକାର ଘୋଷଣା କରିଛନ୍ତି ତାହା ନିମ୍ନରେ ପ୍ରଦାନ କରାଗଲା:

•        କୃଷିଜାତ ଉତ୍ପାଦ ସଂଗ୍ରହ ତଥା ସର୍ବନିମ୍ନ ସହାୟକ ମୂଲ୍ୟ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ନିୟୋଜିତ ଥିବା ଏଜେନ୍ସିମାନଙ୍କ ପାଇଁ ଏହା ଲାଗୁ ହେବ;

•        କୃଷକମାନଙ୍କ ଦ୍ୱାରା ସଂପାଦିତ ଚାଷକାର୍ଯ୍ୟ ଓ କ୍ଷେତରେ କାର୍ଯ୍ୟରତ କୃଷି ଶ୍ରମିକମାନଙ୍କ ପାଇଁ ମିଳୁଥିବା ସୁବିଧା ସୁଯୋଗ;

•        କୃଷି ଉତ୍ପାଦ ବିପଣନ କମିଟି କିମ୍ବା ରାଜ୍ୟ ସରକାରମାନଙ୍କ ଦ୍ୱାରା ଯାହା ବିଜ୍ଞପିତ କରାଯାଇଥିବ ତଦନୁସାରେ ମଣ୍ଡିପରିଚାଳନା କରାଯିବ;

•        ‘ମଣ୍ଡିକହିଲେ ସେଥିରେ ପ୍ରତ୍ୟକ୍ଷ ମାର୍କେଟିଂ, ରାଜ୍ୟ ସରକାର/କେନ୍ଦ୍ରଶାସିତ କ୍ଷେତ୍ର ପ୍ରଶାସନ ଦ୍ୱାରା ସୁବିଧାସୁଯୋଗ ଯୋଗାଇ ଦିଆଯାଇଥିବା କାର୍ଯ୍ୟ, ଯାହାକି ପ୍ରତ୍ୟକ୍ଷ ଭାବେ କୃଷକ/ କୃଷକ ଗୋଷ୍ଠୀ, ଏଫପିଓ, ସମବାୟ ସଂସ୍ଥାଙ୍କ ପାଇଁ ପ୍ରଯୁଜ୍ୟ;

•        ବିହନ, ସାର ଓ କୀଟନାଶକ ପାଇଁ ଦୋକାନ ବ୍ୟବସ୍ଥା;

•        ବିହନ, ସାର ଓ କୀଟନାଶକ ଉତ୍ପାଦନ ଓ ତାହାର ପ୍ୟାକେଜିଂ;

•        କୃଷି ଯନ୍ତ୍ରପାତି ସଂପର୍କିତ କଷ୍ଟମ ହାୟାରିଂ କେନ୍ଦ୍ର (ସିଏଚସି);

•        କୃଷିତାଜ ଅମଳ ଓ ବୁଆଇ ପାଇଁ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଚଳନ ଯାହାକି ସଂଯୁକ୍ତ ହାରଭେଷ୍ଟର ଓ ଅନ୍ୟାନ୍ୟ କୃଷି/ ଉଦ୍ୟାନକୃଷି ସରଞ୍ଜାମ ଭଳି ମେସିନ ହୋଇଥିବ;

•        ଶୀତଳ ଭଣ୍ଡାର ଓ ଭଣ୍ଡାରକରଣ ସେବା;

•        ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ୟୁନିଟମାନଙ୍କ ସକାଶେ ପ୍ୟାକେଜିଂ ଉପକରଣ;

•        ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ;

•        କୃଷି ଯନ୍ତ୍ରପାତିର ବିପଣନ, ସେଗୁଡ଼ିକର ଯନ୍ତ୍ରାଂଶ (ଏହାର ଯୋଗାଣ ଚେନ୍‌ ସମେତ) ଏବଂ ସେସବୁର ମରାମତି;

•        ଚା ଶିଳ୍ପ, ଯେଉଁଥିରେ ଚାରାରୋପଣ ପାଇଁ ସର୍ବାଧିକ 50% ଶ୍ରମିକ ନିୟୋଜିତ ହେଉଥିବେ ।

•        ଏହିଭଳି ପ୍ରେଜେଣ୍ଟେସନ୍‌ ଉପସ୍ଥାପନ କରାଯିବା ସହ ରାଜ୍ୟମାନଙ୍କୁ ନିମ୍ନଲିଖିତ କାର୍ଯ୍ୟପନ୍ଥା ଗ୍ରହଣ ସକାଶେ ଅନୁରୋଧ କରାଯାଇଛି:

•        କ୍ଷେତ୍ରୀୟ ଏଜେନ୍ସିଂ ମାନଙ୍କୁ ସ୍ୱାଭାବିକ ଭାବେ ଚାଷକାର୍ଯ୍ୟ ପରିଚାଳନା ଯେଉଁଥିରେ ବୁଆଇ, ଅମଳ ଏବଂ ବିପଣନ କାର୍ଯ୍ୟ ସାମିଲ ସେସଂପର୍କରେ ଅବଗତ କରାଯିବା ଆବଶ୍ୟକ ।

•        ତୁରନ୍ତ କର୍ମଚାରୀ ଓ ଶ୍ରମିକ ତଥା ଉପକରଣ, ମେସିନ ଓ ଏଜେନ୍ସିମାନଙ୍କ ଅନ୍ୟାନ୍ୟ ସାମଗ୍ରୀ ଯାହାକି ଚାଷକାର୍ଯ୍ୟ ସକାଶେ ଆବଶ୍ୟକ ସେସବୁର ପ୍ରେରଣକୁ ବାହ୍ୟ ବର୍ଗରେ ରଖାଯିବା

•        କମ୍ପାନୀ/ସଂସ୍ଥାମାନଙ୍କୁ କ୍ଷମତାପତ୍ର ପ୍ରଦାନ କରିବା ଯଦ୍ୱାରା ସେମାନଙ୍କର ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରେରଣ ସୁଗମ ହୋଇପାରିବ ଓ ସେମାନଙ୍କୁ କ୍ଷେତ୍ରୀୟ ପାସ୍‌ ଜାରି କରିବା ଦ୍ୱାରା ସେମାନଙ୍କ ଜରୁରୀ କର୍ମଚାରୀ ଓ ଶ୍ରମିକମାନଙ୍କ ଚଳନ ସହଜସାଧ୍ୟ ହେବ ଓ ଜାତୀୟ ଯୋଗାଣ ଚେନ୍‌ ଅବ୍ୟାହତ ରହିପାରିବ ।

•        ଏଭଳି କାର୍ଯ୍ୟ କରିବା ବେଳେ ସାମାଜିକ ଦୂରତା ରକ୍ଷାଭଳି ନିୟମକୁ ମଧ୍ୟ ପାଳନ କରାଯିବ ଓ ସବୁ ଜନସାଧାରଣ ସ୍ଥାନରେ ଉପଯୁକ୍ତ ପରିମଳ ଓ ସ୍ୱଚ୍ଛତା ରକ୍ଷା ସୁନିଶ୍ଚିତ ହେଉଥିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ରାଜ୍ୟମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ ଏଭଳି ସମୟରେ ରାଜ୍ୟମାନେ ସାମ୍ନା କରୁଥିବା ଯେକୌଣସି ପ୍ରକାର ଚାଲେଞ୍ଜିଂ ପରିସ୍ଥିତିର ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ସାହାଯ୍ୟ ଯୋଗାଇ ଦିଆଯିବ ।

ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କୃଷି କାର୍ଯ୍ୟ ତଥା ପରିଚାଳନା ସକାଶେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ରିହାତି କୃଷକମାନଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ ଓ କୃଷିକାର୍ଯ୍ୟ ତ୍ୱରାନ୍ୱିତ ହେବ ।

ରାଜ୍ୟ କୃଷିମନ୍ତ୍ରୀମାନଙ୍କୁ ଏକଥା ମଧ୍ୟ ସୂଚୀତ କରାଯାଇଛି ଯେ ସେମାନେ ସବୁ ରାଜ୍ୟରେ କୃଷି ସଂପର୍କୀତ ସମସ୍ତ କାର୍ଯ୍ୟରେ ସାମାଜିକ ସୁରକ୍ଷା ରକ୍ଷା ତଥା ପରିମଳ ଓ ସ୍ୱଚ୍ଛତା ରକ୍ଷା ଉପରେ ପ୍ରାଥମିକତା ପ୍ରଦାନ କରାଯିବ ।

ସେମାନଙ୍କୁ ଆହୁରି ମଧ୍ୟ ସୂଚୀତ କରାଯାଇଛି ଯେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଇ-ନାମ୍‌ ମଡ୍ୟୁଲ ଜାରି କରାଯାଇଛି ଯାହାକି ଉତ୍ସ ଠାରୁ ଆରମ୍ଭ କରି କୃଷକ, ଏଫପିଓ ଓ ସମବାୟ ସଂସ୍ଥା ପର୍ଯ୍ୟନ୍ତ ଇ-ବିପଣନ ଓ ବିଡ଼ିଂ ପାଇଁ ଉପଯୁକ୍ତ ସୁବିଧା ପ୍ରଦାନ କରିବ । ରାଜ୍ୟମାନେ ଏଥି ସକାଶେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିପାରିବେ ଯାହାକି କୃଷକମାନେ ସେମାନଙ୍କର ଉତ୍ପାଦକୁ ସେମାନଙ୍କର ଘରେ ରହି ବିକ୍ରି କରିପାରିବେ ଓ ବିପଣନ କେନ୍ଦ୍ରରେ ସେଭଳି ଉତ୍ପାଦ ପହଞ୍ଚିପାରିବ ତଥା ମଣ୍ଡିରେ ତାହା ଭିଡ଼ ସୃଷ୍ଟି କରିବନାହିଁ । ସେହିଭଳି, କୃଷିଜାତ ଉତ୍ପାଦ ତଥା ବୁଆଇ ସଂପର୍କୀତ ମେସିନ ଯଥା ସଂଯୁକ୍ତ ହାରଭେଷ୍ଟର ଓ ଅନ୍ୟାନ୍ୟ କୃଷି/ ଉଦ୍ୟାନକୃଷି ଉପକରଣ ରାଜ୍ୟ ଭିତରେ ଏବଂ ଆନ୍ତଃ ରାଜ୍ୟ ଯେଭଳି ସହଜରେ ପହଞ୍ଚାଯାଇପାରିବ ସେଥିପାଇଁ ସବୁ ରାଜ୍ୟ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହାକି କୃଷକମାନଙ୍କ ଉପକାରରେ ଆସିପାରିବ ।

ଏହି ଆଲୋଚନା ବେଳେ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗ ମଧ୍ୟ ଉତ୍‌ଥାପିତ ହୋଇଥିଲା ଏବଂ ସେଥି ମଧ୍ୟରେ ଶସ୍ୟ ଅମଳ, ସଂଗ୍ରହ, ବିଭିନ୍ନ ପ୍ରକାର କୃଷିସାମଗ୍ରୀ ଉପଲବ୍ଧ ହେବା, ଋଣ, ବୀମା ଓ କୃଷିଜାତ ଉତ୍ପାଦର ଆନ୍ତଃ- ରାଜ୍ୟ ପ୍ରେରଣ, ଯାହାକି ତୁରନ୍ତ ସମାଧାନ କରାଯାଇଥିଲା । ସେ ସଂପର୍କୀତ ନିର୍ଦ୍ଦେଶନାମା ରାଜ୍ୟମାନଙ୍କୁ ଅବଗତ କରାଯାଇଛି । ଅନ୍ୟ ସବୁ ପ୍ରସଙ୍ଗ ଯାହା ଉପରେ ଅଧିକ ବିଚାରବିମର୍ଷ ଲୋଡ଼ା ତାହାର ସୂଚୀ ପ୍ରସ୍ତୁତ କରାଯାଇଛି ଏବଂ ରାଜ୍ୟମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ଯେ କେନ୍ଦ୍ର ସରକାର ସେସବୁର ବିଚାର କରି ଯଥା ସମୟରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ ।

କେନ୍ଦ୍ର କୃଷି ମନ୍ତ୍ରୀ  ଆହୁରି ସୂଚୀତ କରିଥିଲେ ଯେ ଖରିଫ ଫସଲ ଜାତୀୟ ସମ୍ମିଳନୀ ଏପ୍ରିଲ 16, 2020 ଦିନ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ ଯାହାକି ଆଗାମୀ ଖରିଫ ଋତୁ ସକାଶେ ଚାଷ କାର୍ଯ୍ୟ ସକାଶେ ଆଗୁଆ ପ୍ରସ୍ତୁତିକୁ ସୁନିଶ୍ଚିତ କରିବ । ଏଥିପାଇଁ ଆଗୁଆ ଲଜିଷ୍ଟିକ୍ସ ଓ ପ୍ରସ୍ତୁତି ପାଇଁ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ । ଏହି ଅବସରରେ ଆରୋଗ୍ୟ ଆପର ଉପକାରୀତା ସଂପର୍କରେ ମନ୍ତ୍ରୀ ଶ୍ରୀ ତୋମାର ସୂଚନା ଦେବା ସହ ରାଜ୍ୟମାନେ କୃଷକ ତଥା ଅନ୍ୟାନ୍ୟ ନାଗରିକଙ୍କ ମଧ୍ୟରେ ଏହାର ପ୍ରଚାର ଓ ପ୍ରସାର ପାଇଁ ନିବେଦନ କରିଥିଲେ । ଶେଷରେ  ସେ କହିଥିଲେ ଯେ ସମସ୍ତ ପ୍ରକାର କୃଷି କାର୍ଯ୍ୟ ଓ କାର୍ଯ୍ୟକ୍ରମ ସାମାଜିକ ଦୂରତାରକ୍ଷା ତଥା ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସଂପାଦନ କରାଯିବା ଆବଶ୍ୟକ ।

 

**********

 



(Release ID: 1612671) Visitor Counter : 133