ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
15 ହଜାର କୋଟି ଟଙ୍କାର କୋଭିଡ-19 ଜରୁରିକାଳୀନ ଓ ସ୍ଵାସ୍ଥ୍ୟବ୍ୟବସ୍ଥା ମୁକାବିଲା ପ୍ୟାକେଜକୁ ଭାରତ ସରକାରଙ୍କ ମଞ୍ଜୁରି
Posted On:
09 APR 2020 4:52PM by PIB Bhubaneshwar
କୋଭିଡ-19ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ ।
ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ-19 ପ୍ରକୋପକୁ ରୋଗ ନିରୂପଣ ଦ୍ଵାରା ସମାଧାନ କରିବା, ସଂକ୍ରମିତ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଓ ଉପକରଣ ଆହରଣ କରିବା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପଦ୍ଧତିକୁ ଅଧିକ ନମନୀୟ କରି ଏହାର ପ୍ରଭାବ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ସମଗ୍ର ଯୋଜନା ତ୍ୱରାନ୍ୱିତ କରାଯିବ ।
ଗତ ମାସ 24 ତାରିଖ ଦିନ ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେବା କାଳରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଦେଶର ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ 15 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଏହାଦ୍ଵାରା କରୋନା ସଂକ୍ରମଣ ପରୀକ୍ଷା ପରିସର ବୃଦ୍ଧି, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଏକାନ୍ତବାସ ଓ ଆଇସିୟୁ ଶଯ୍ୟା ବୃଦ୍ଧି ଓ ଭେଣ୍ଟିଲେଟର ବାବଦରେ ଏହି ଅର୍ଥ ବ୍ୟୟ ହେବ । ଏହାଛଡା ଡାକ୍ତରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିମ ସହ ଦେଶରେ ସ୍ୱାସ୍ଥ୍ୟ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ମଞ୍ଜୁର ଅର୍ଥର ସିଂହ ଭାଗ ଜରୁରିକାଳୀନ ବ୍ୟବସ୍ଥାର ଉନ୍ନତିକରଣ, ଦେଶ ଓ ରାଜ୍ୟର ସ୍ୱାସ୍ଥ୍ୟ ପଦ୍ଧତିକୁ ସୁଦୃଢ କରି ମହାମାରୀ ଉପରେ ଅଧିକ ଗବେଷଣା ଏବଂ ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ମଧ୍ୟ ରଖାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଆଇସିଏମଆର, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଇତ୍ୟାଦି ସଂସ୍ଥା ଜରିଆରେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ମହାମାରୀକୁ ରୋକିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସରକାରୀ କ୍ଷେତ୍ରରେ 157 ଓ ବେସରକାରୀ କ୍ଷେତ୍ରରେ 66 ଏହିଭଳି ମୋଟ 223ଟି ପରୀକ୍ଷାଗାର ନିର୍ମାଣ କରି କରୋନା ସଂକ୍ରମଣର ପରୀକ୍ଷା ନିରୀକ୍ଷା କରୁଛି । ଏହାଛଡା ମନ୍ତ୍ରଣାଳୟର ଜରୁରିକାଳୀନ ଭିତ୍ତିରେ କୋଭିଡ-19ର ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 4,113 କୋଟି ଟଙ୍କା ପ୍ରଦାନ କରିଛି ।
**********
(Release ID: 1612662)
Visitor Counter : 336
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam