ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

Posted On: 03 APR 2020 9:22AM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ, ବୈଶ୍ୱିକ ମହାମାରୀ କରୋନା ବିରୋଧରେ ପାଳନ କରାଯାଉଥିବା ଦେଶବ୍ୟାପୀ ଲକ୍‌ ଡାଉନର ଆଜି ନବମ ଦିନ । ଏହି ଲକ୍‌ ଡାଉନ୍‌ ପାଳନ ବେଳେ ଆପଣମାନେ ଯେଉଁଭଳି ଶୃଙ୍ଖଳା ଓ ସେବାର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ, ଏବଂ ତାହା ଉପରୋକ୍ତ ଉଭୟ ଭାବନାକୁ ସୂଚୀତ କରେ ।

ସରକାର, ପ୍ରଶାସନ ଏବଂ ବୃହତ୍ତର ଜନତା ଏଭଳି ପରିସ୍ଥିତିର ମୁକାବିଲା କରିବା ସକାଶେ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଯେଉଁମାନେ ସଂଗ୍ରାମ କରୁଛନ୍ତି ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସକାଶେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ଆପଣମାନେ ଯେଉଁଭଳି ଭାବେ ମାନସିକତା ପ୍ରଦର୍ଶନ କରିଥିଲେ ତାହା ଅନେକ ରାଷ୍ଟ୍ରଙ୍କ ପାଇଁ ଏବେ ଅନୁକରଣୀୟ ଉଦାହରଣ ପାଲଟିଛି । ଅନେକ ରାଷ୍ଟ୍ର ଏହାକୁ ନିଜ ନିଜ ଦେଶରେ ପ୍ରବର୍ତ୍ତନ କରୁଛନ୍ତି ।

ଏହା ଜନତା କର୍ଫ୍ୟୁ ହେଉ, କିମ୍ବା ଘଣ୍ଟ ଘଣ୍ଟି, କରତାଳି ବା ଥାଳି ବାଡ଼େଇବା ହେଉ, ସେସବୁ କାର୍ଯ୍ୟ ରାଷ୍ଟ୍ରକୁ ଅନୁଭବ କରାଇଛି ଯେ ସେମାନଙ୍କ ସାମୂହିକ ସାମର୍ଥ୍ୟ ଏଭଳି ଜଟିଳ ମୁହୂର୍ତ୍ତରେ ଏକ ଓ ଅଭିନ୍ନ ହୋଇ ରହିଛି । ଏହା ସମସ୍ତଙ୍କ ମନରେ ଗଭୀର ବିଶ୍ୱାସ ସୃଷ୍ଟି କରିଛି ଯେ ରାଷ୍ଟ୍ର କରୋନା ବିରୋଧରେ ସଂଗ୍ରାମ କରିବା ନିମନ୍ତେ ଏକଜୁଟ ହୋଇଛି । ଆପଣମାନଙ୍କର ଓ ରାଷ୍ଟ୍ରର ଏଭଳି ସାମୂହିକ ମନୋଭାବ ହିଁ ଲକ୍‌ ଡାଉନ୍‌ ସମୟରେ ପ୍ରତିଫଳିତ ହୋଇଛି ।

ବନ୍ଧୁଗଣ, ଆଜି ଯେତେବେଳେ ଏହି ଦେଶର କୋଟି କୋଟି ଜନତା ସେମାନଙ୍କୁ ନିଜ ନିଜର ଘର ଭିତରେ ଆବଦ୍ଧ ରଖିଛନ୍ତି, ଏହା ଯେକୌଣସି ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଉଦ୍ରେକ କରିବା ସ୍ୱାଭାବିକ ଯେ ସେମାନେ ନିଜେ କଣ କରିପାରିବାକୁ ସକ୍ଷମ? କିଛି ଲୋକ ହୁଏତ ଚିନ୍ତା କରୁଥିବେ ଯେ  ସେମାନେ ଏକାକି କିଭଳି ଭାବେ ଏଭଳି ଏକ ବିରାଟ ସଂଗ୍ରାମରେ ବିଜୟୀ ହୋଇପାରିବେଆଉ କିଛି ଲୋକଙ୍କ ଚିନ୍ତା ହେଉଥିବ ଯେ ଆଉ କେତେ ଦିନ ଅଧିକ ସେମାନଙ୍କୁ ଏଭଳି ଭାବେ ଘରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ?

ବନ୍ଧୁଗଣ, ଏହା ନିଶ୍ଚିତ ଭାବେ ଲକ୍‌ ଡାଉନର ସମୟ ଏବଂ ନିଶ୍ଚିତ ଭାବେ ଆମକୁ ଘରେ ସୀମିତ ହୋଇ ରହିବାକୁ ପଡ଼ୁଛି । କିନ୍ତୁ ଆମେ ଏକା ନୁହେଁ । ଆମମାନଙ୍କ ସହ ୧୩୦ କୋଟି ଲୋକଙ୍କ ସାମୂହିକ ସାମର୍ଥ୍ୟ ମଧ୍ୟ ରହିଛି । ଏହା ଆମ ସମସ୍ତଙ୍କର ଶକ୍ତି । ଏହା ଦେଶବାସୀଙ୍କ ପାଇଁ ସମୟାନ୍ତରେ ଜରୁରି । ଏହା ଆମକୁ ଆମର ମହାନତା ସଂପର୍କରେ ସୂଚୀତ କରେ, ହା ସାମୂହିକ ସାମର୍ଥ୍ୟର ଗରିମା ଓ ଦିବ୍ୟତା ସଂପର୍କରେ ସଂକେତ ପ୍ରଦାନ କରେ ।

ବନ୍ଧୁଗଣ, ଆମ ଦେଶରେ ଜନତାଙ୍କୁ ଭଗବାନଙ୍କ ଅବତାର ବୋଲି ବିବେଚନା କରାଯାଇଥାଏ । ତେଣୁ ଯେତେବେଳେ ସମଗ୍ର ରାଷ୍ଟ୍ର ଏଭଳି ଏକ ବିରାଟ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି, ଆମେମାନେ ସଭିଏଁ ଏଭଳି ସାମୂହିକ ଶକ୍ତିକୁ ବେଳେବେଳେ ଅନୁଭବ କରିବା ଉଚିତ ଯାହା ଜନଶକ୍ତି ଭାବେ ଆମ ନିକଟରେ ଉପଲବ୍ଧ । ଏଭଳି ଅନୁଭବ ଆମର ଅନୁଭବକୁ ପୁଷ୍ଟ କରିବ, ଆମର ଧୈର୍ଯ୍ୟ ଶକ୍ତିକୁ ସୁଦୃଢ଼ କରିବ, ଆମକୁ ଦିଶାନିର୍ଦ୍ଦେଶ ଦେବ ତଥା ସ୍ପଷ୍ଟ ମାର୍ଗ ପ୍ରଦର୍ଶନ କରିବ । ଏହା ଆମମାନଙ୍କୁ ଏକ ସମୂହ ମାର୍ଗ ଦର୍ଶାଇବ ଓ ସେହି ଦିଗରେ ଆଗକୁ ଅଗ୍ରସର ହେବାଲାଗି ପ୍ରେରଣା ଯୋଗାଇବ ।

ବନ୍ଧୁଗଣ, ବୈଶ୍ୱିକ ମହାମାରୀ କରୋନା ଏବେ ଚାରିଆଡ଼େ ଯେଉଁ ଅନ୍ଧକାର ବିଛାଇଛି, ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡ଼କୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡ଼ିବ । ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ସେମାନଙ୍କୁ ସାଙ୍ଗରେ ନେଇ, ଆମର ଗରିବ ଭାଇଭଉଣୀମାନଙ୍କୁ ସାଥିରେ ଧରି, ସେମାନଙ୍କ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରି ଆମକୁ ଆଶାର ଆଲୋକ ଦିଗରେ ଆଗେଇବାକୁ ହେବ । ଆମକୁ ଏଭଳି ଅନ୍ଧକାର ଓ ଅନିଶ୍ଚିତତାକୁ ଦୂର କରିବାକୁ ପଡ଼ିବ ଯାହାକି କରୋନା ସଂକଟ ଦ୍ୱାରା ଉତ୍ପନ୍ନ ହୋଇଛି । ଆଲୋକ ଓ ନିଶ୍ଚିତତା ଦିଗରେ ଅଗ୍ରସର ହେବା ଦ୍ୱାରା ହିଁ ତାହା ଦୂର ହୋଇପାରିବ । ଏଭଳି ସଂକଟର ଘନ ଅନ୍ଧକାରକୁ ପ୍ରତିହତ କରିବାକୁ ହେଲେ ଆମକୁ ଚତୁର୍ଦ୍ଦିଗରେ ବିଜୟର ଆଲୋକ ଖେଳାଇବାକୁ ପଡ଼ିବ ।

ଏବଂ ସେଥିପାଇଁ  ଆସନ୍ତା ରବିବାର, ଅର୍ଥାତ୍‌ ଅପ୍ରେଲ ୫ ତାରିଖ ଦିନ, ଆମେମାନେ ସଭିଏଁ କରୋନା ସଂକଟ ଦ୍ୱାରା ପ୍ରସାରିତ ଅନ୍ଧକାରକୁ ଚାଲେଞ୍ଜ କରିବା ନିମନ୍ତେ, ଆଲୋକବର୍ତ୍ତିକା ଦେଖାଇବାକୁ ହେବ । ଅପ୍ରେଲ ୫ ତାରିଖ ଦିନ, ଆମକୁ ୧୩୦ କୋଟି ଭାରତୀୟଙ୍କ ମହାନ ଶକ୍ତିକୁ ଜାଗ୍ରତ କରିବାକୁ ପଡ଼ିବ । ସେହିଦିନ ୧୩୦ କୋଟି ଭାରତୀୟ ଏକ ମହାନ ସଂକଳ୍ପ ଜରିଆରେ ଏକ ନୂତନ ଶୀର୍ଷରେ ପହଞ୍ଚିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିବା ।

ଅପ୍ରେଲ ୫ ତାରିଖ , ରବିବାର ଦିନ, ମୁଁ ଆପଣମାନଙ୍କ ଠାରୁ ୯ ମିନିଟ ନେବାକୁ ଚାହେଁ । ତାହା ଠିକ୍‌ ରାତି ୯ଟା ବେଳେ । ମୋ କଥାକୁ ଧ୍ୟାନପୂର୍ବକ ଶୁଣନ୍ତୁ । ଅପ୍ରେଲ ୫ ତାରିଖ ଦିନ ରାତି ଠିକ୍‌ ୯ଟାବେଳେ , ଆପଣମାନେ ସମସ୍ତେ ନିଜ ନିଜ ଘରର ଦ୍ୱାରଦେଶରେ ଠିଆହୋଇ କିମ୍ବା ଆପଣମାନଙ୍କ ବାଲକୋନୀକୁ ଆସନ୍ତୁ ଓ ଦୀପ କିମ୍ବା ମହମବତୀ ଜଳାନ୍ତୁ, ଟର୍ଚ୍ଚ ବା ମୋବାଇଲ୍‌ ଫ୍ଲାସଲାଇଟକୁ ୯ ମିନିଟ ପାଇଁ ହଲାଇ ଜଳାଇ ରଖନ୍ତୁ । ମୁଁ ପୁଣିଥରେ ଦୋହରାଉଛି, ମହମବତୀ କିମ୍ବା ଦୀପ ଜଳାନ୍ତୁ, ଟର୍ଚ୍ଚ ବା ମୋବାଇଲ ଫ୍ଲାସଲାଇଟ ୯ ମିନିଟ ପାଇଁ ଅପ୍ରେଲ ୫ ତାରିଖ ଦିନ ରାତି ୯ଟା ବେଳେ ଜଳାନ୍ତୁ ।

ସେହି ସମୟରେ, ଆପଣମାନେ ଯଦି ନିଜ ନିଜ ଘରର ସମସ୍ତ ବତୀକୁ ଲିଭାଇ ଦେବେ, ଏବଂ ଆମେମାନେ ସଭିଏଁ ସବୁ ଦିଗରେ ଗୋଟିଏ ଲେଖାଏଁ ଦୀପ ଜଳାଇବା, ତେବେ ଆମେ ଆଲୋକର ମହାନ ଶକ୍ତିକୁ ସହଜରେ ହୃଦୟଙ୍ଗମ କରିପାରିବା । ସେହି ଦୀପ ସ୍ପଷ୍ଟ ଭାବେ ଏକ ସମାନ ଉଦ୍ଦେଶ୍ୟରେ ପ୍ରଜ୍ଜ୍ୱଳିତ ହେବ ଯାହା ଆମମାନଙ୍କ ସମସ୍ତଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଓ ଯେଉଁଥିପାଇଁ ଆମେ ସଭିଏଁ ଏବେ ସଂଗ୍ରାମରତ ରହିଛେ । ସେହି ଆଲୋକରେ, ସେହି ଆଲୋକବର୍ତ୍ତିକାରେ, ତାହାର ତେଜରେ, ଆମେ ଆମ ମନରେ ଗୋଟିଏ ସଂକଳ୍ପ ନେବା ଯେ ଏହି ସଂଗ୍ରାମରେ ଆମେ ଏକୁଟିଆ ନୁହେଁ, କେହି ଏକୁଟିଆ ନୁହେଁ! ୧୩୦ କୋଟି ଭାରତୀୟ ପ୍ରତିବଦ୍ଧତାର ସହ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି ।

ନ୍ଧୁଗଣ, ଏହି ପରିପ୍ରେକ୍ଷୀରେ ଆପଣମାନଙ୍କ ନିକଟରେ ମୋର ଆଉ ଗୋଟିଏ ନିବେଦନ ଅଛି । ତାହା ହେଲା, ଏହି କାର୍ଯ୍ୟକ୍ରମରେ କେହି ଯେକୌଣସି ସ୍ଥାନରେ ଏକତ୍ରିତ ହେବା କିମ୍ବା ରୁଣ୍ଡ ହୋଇ ଗହଳି କରିବା ଅନୁଚିତ । ଦୟାପୂର୍ବକ ସଡ଼କ ଉପରକୁ ଯାଆନ୍ତୁନାହିଁ, ଆପଣମାନଙ୍କ ଘର ପାଖର ଗଳି ରାସ୍ତାକୁ ବାହାରନ୍ତୁ ନାହିଁ । ଆପଣମାନଙ୍କ ଘରର ଦ୍ୱାରମୁହଁରେ କିମ୍ବା ବାଲକୋନୀରେ ଠିଆ ହୋଇ ଏହି କାର୍ଯ୍ୟ ସଂପାଦନ କରନ୍ତୁ । ସାମାଜିକ ଦୂରତା ରକ୍ଷାର ଲକ୍ଷ୍ମଣ ରେଖାକୁ କେହି ଯେଭଳି ଅତିକ୍ରମ ନକରନ୍ତି, ସେଥିପ୍ରତି ଧ୍ୟାନ ଦେବା ଜରୁରି କୌଣସି ପରିସ୍ଥିତିରେ ସୁଦ୍ଧା ସାମାଜିକ ଦୂରତାର ଲକ୍ଷ୍ମଣ ରେଖାକୁ ନଡ଼େଇଁବା ଆବଶ୍ୟକ । କରୋନା ଭୂତାଣୁର ଚେନକୁ ଛିଣ୍ଡାଇବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା ରକ୍ଷା

ତେଣୁ, ଅପ୍ରେଲ ୫ ତାରିଖ ଦିନ ରାତି ୯ଟା ବେଳେ କିଛି ସମୟ ପାଇଁ ନିରୋଳାରେ ରହିବା ଏବଂ ମାଭାରତୀଙ୍କୁ ସ୍ମରଣ କରି୧୩୦ କୋଟି ଭାରତୀୟଙ୍କ ମୁହଁର ଛବିକୁ କଳ୍ପନା ଚକ୍ଷୁରେ ଦେଖିବା । ସାମୂହିକ ପ୍ରତିବଦ୍ଧତାର ଶକ୍ତିକୁ ଅନୁଭବ କରିବା । ଏହା ଆମମାନଙ୍କୁ ଏଭଳି ସଂକଟର ଘଡ଼ିରେ ସଂଗ୍ରାମ ପାଇଁ ଶକ୍ତି ଯୋଗାଇବ ତଥା ବିଜୟ ଲାଭ କରିବାର ଆତ୍ମବିଶ୍ୱାସ ସୃଷ୍ଟି କରିବ ।

ଏଠାରେ ଉଲ୍ଲେଖଯୋଗ୍ୟ:

ଉତ୍ସାହୋ ବଲବାନ ଆର୍ଯ୍ୟ

ନ ଅସ୍ତି ଉତ୍ସାହ ପରମ ବଳମ୍‌

ସହ ଉତ୍ସାହସାୟ ଲୋକେଷୁ,

କିଞ୍ଚିତ୍‌ ଅପି ଦୁର୍ଲଭମ୍‌  । ।

ଏହାର ଅର୍ଥ ହେଲା, ଆମର ନିଷ୍ଠା ଓ ଆମର ମନୋବଳ ଠାରୁ ସଂସାରରେ ଅନ୍ୟ କୌଣସି ବଡ଼ ଶକ୍ତି ନାହିଁ । ଏ ସଂସାରରେ ଏପରି କିଛି ନାହିଁ ଯାହା ଏହି ଶକ୍ତି ବଳରେ ଉପଲବ୍ଧ ହେବନାହିଁ । ଆସନ୍ତୁ, ସଭିଏଁ ଏକଜୁଟ ହେବା ଓ ମିଳିତ ଭାବେ କରୋନା ଭୂତାଣୁକୁ ପ୍ରତିହତ କରିବା ଏବଂ ଭାରତକୁ ବିଜୟୀ କରାଇବା ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ!



(Release ID: 1610589) Visitor Counter : 281