ଯୁଦ୍ଧ ଦ୍ୱାରା କ୍ଷତବିକ୍ଷତ, ବିଚାରଧାରା ଦ୍ୱାରା ବିଭାଜିତ ଏବଂ ଅତୀତର ଭାରରେ ଜର୍ଜରିତ କାହାଣୀ ସହିତ ଆଜି ଗୋଆରେ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି) ର ଶୁଭାରମ୍ଭ ହୋଇଛି। ଅସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ପାୱେଲ ପାୱଲିକୋୱସ୍କିଙ୍କ ଚଳଚ୍ଚିତ୍ର ଫାଦରଲ୍ୟାଣ୍ଡ (ଓଜେସଜାଇନା) ର ଭାରତୀୟ ପ୍ରିମିୟର ସହ ଏହି ନଅ ଦିନିଆ ମହୋତ୍ସବର ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ସାମ୍ନାରେ ଶୀତଳ ଯୁଦ୍ଧ ଆରମ୍ଭ ସମୟର ଯୁଦ୍ଧୋତ୍ତର ଜର୍ମାନୀର ଏକ ଜୀବନ୍ତ ଚିତ୍ର ଉପସ୍ଥାପନ କରିଛି।


ଅସ୍କାର ବିଜେତା ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ମିତ ଏହି ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଚଳଚ୍ଚିତ୍ରଟି ଇତିହାସ, ପାରିବାରିକ ସମ୍ପର୍କ ଏବଂ ଏକ ବିଭାଜିତ ଦେଶର ଜଟିଳତାକୁ ଏକତ୍ର ବୁଣିଛି। ଏଥିରେ ନୋବେଲ ପୁରସ୍କାର ବିଜେତା ଜର୍ମାନ ଲେଖକ ଥୋମାସ୍ ମାନ୍ ଏବଂ ତାଙ୍କ ଝିଅ ଏରିକାଙ୍କ କାହାଣୀ ବର୍ଣ୍ଣିତ ହୋଇଛି। ଆଇନକ୍ସ ର ସମସ୍ତ ପ୍ରଦର୍ଶନ ହଲ୍ରେ ଦର୍ଶକଙ୍କ ଭରପୂର ଉପସ୍ଥିତି ଦେଖିବାକୁ ମିଳିଥିଲା, ଯାହା ଏହି ନଅ ଦିନିଆ ମହୋତ୍ସବର ଏକ ଚମତ୍କାର ଆରମ୍ଭକୁ ସୂଚିତ କରୁଛି।
ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ, ଫାଦରଲ୍ୟାଣ୍ଡ ଚଳଚ୍ଚିତ୍ରର ପ୍ରଯୋଜିକା ଶ୍ରୀମତୀ ଇୱା ପୁସ୍କଜିନ୍ସସ୍କା , ନୂଆଦିଲ୍ଲୀସ୍ଥିତ ପୋଲାଣ୍ଡ ଦୂତାବାସର ମିଶନ ମୁଖ୍ୟ ଶ୍ରୀ ପିଓଟ୍ର ଆଣ୍ଟୋନି ସ୍ୱିଟାଲସ୍କି ଏବଂ ନୂଆଦିଲ୍ଲୀସ୍ଥିତ ପୋଲିସ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଶ୍ରୀମତୀ ମାଲଗୋର୍ଜାଟା ୱେଜିସ୍-ଗୋଲେବିଆକ୍ ପାନଜିମ୍ସ୍ଥିତ ଆଇନକ୍ସ ଠାରେ ରେଡ୍ କାର୍ପେଟ୍ରେ ଚାଲିଥିଲେ।
ଚଳଚ୍ଚିତ୍ରଟି ବିଷୟରେ ଆଲୋଚନା କରିବା ବେଳେ, ଶ୍ରୀମତୀ ଇୱା ପୁସ୍କଜିନ୍ସକା ଗୁରୁତ୍ୱାରୋପ କରି କହିଲେ ଯେ, ଏହି ଚଳଚ୍ଚିତ୍ରର ନିର୍ମାଣ ପ୍ରକ୍ରିୟା ଆଇଏଫଏଫଆଇର ମୂଳ ଭାବନା ବା ବିଷୟବସ୍ତୁକୁ ପ୍ରତିଫଳିତ କରେ। ସେ କହିଲେ ଯେ, ଯଦିଓ 'ଫାଦରଲ୍ୟାଣ୍ଡ' ଜଣେ ଜର୍ମାନ ଲେଖକ ଏବଂ ଜର୍ମାନ ଲୋକଙ୍କ କାହାଣୀକୁ ଜର୍ମାନ ଭାଷାରେ ବର୍ଣ୍ଣନା କରେ, ତଥାପି ଏହା ସମ୍ପୂର୍ଣ୍ଣ ଭାବେ ପୋଲାଣ୍ଡର ହୃଦୟ ଦ୍ୱାରା ନିର୍ମିତ ହୋଇଛି। ତାଙ୍କ ମତରେ, ଏହା ଉତ୍ସବର ମୁଖ୍ୟ ବାର୍ତ୍ତା ବା ସ୍ଲୋଗାନ-ସୀମାହୀନ କାହାଣୀକୁ ପ୍ରତିଫଳିତ କରେ।
ଶ୍ରୀ ପିଓଟ୍ର ଆଣ୍ଟୋନି ସ୍ୱିଟାଲସ୍କି କହିଲେ ଯେ, ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ବନ୍ଧୁତା ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଉଥିବା ବେଳେ, ସଂସ୍କୃତି ଏହାର ସବୁଠାରୁ ଦୃଢ଼ ଆଧାର ହୋଇ ରହିଛି। ସେ ଆହୁରି ମଧ୍ୟ କହିଲେ ଯେ, ପାୱେଲ ପାୱଲିକୋୱସ୍କି ପୋଲାଣ୍ଡର ପାରମ୍ପରିକ ଚଳଚ୍ଚିତ୍ର ନିର୍ମାଣ ଶୈଳୀରେ ଏକ ନୂତନ ଦୃଷ୍ଟିକୋଣ ଏବଂ ଦିଗ ଯୋଡ଼ିଛନ୍ତି।
ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାର କହିଲେ ଯେ, ଫାଦରଲ୍ୟାଣ୍ଡ ପୋଲାଣ୍ଡ ଏବଂ ଭାରତ ମଧ୍ୟରେ ଥିବା ସୃଜନଶୀଳ ସମ୍ପର୍କକୁ ପାଳନ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିଛି। ଏହି ଅବସରରେ ଆଇଏଫଏଫଆଇ ର ଫେଷ୍ଟିଭାଲ୍ ନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ଗୋୱାରିକର, ନ୍ୟାସନାଲ୍ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଜି. କୃଷ୍ଣକୁମାର ଏବଂ ଆଇଏଫଏଫଆଇ ର କଳା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ।
ଏକ ବିଭାଜିତ ଜର୍ମାନୀ ମଧ୍ୟ ଦେଇ ଜଣେ ପିତା ଓ ତାଙ୍କ ଝିଅଙ୍କ ଯାତ୍ରା
୧୯୪୯ ମସିହାର ଗ୍ରୀଷ୍ମ ଋତୁ ଏବଂ ଉଦ୍ଭବ ହେଉଥିବା ଶୀତଳ ଯୁଦ୍ଧର ପୃଷ୍ଠଭୂମି ଉପରେ ଆଧାରିତ 'ଫାଦରଲ୍ୟାଣ୍ଡ', ଥୋମାସ୍ ମାନ୍ ଏବଂ ତାଙ୍କ ଝିଅ ଏରିକାଙ୍କ କାହାଣୀକୁ ବର୍ଣ୍ଣନା କରେ। ସେମାନେ ଆମେରିକାରେ ଷୋହଳ ବର୍ଷର ନିର୍ବାସିତ ଜୀବନ ବିତାଇବା ପରେ ଜର୍ମାନୀକୁ ଫେରୁଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ବିନାଶ ପ୍ରଭାବକୁ ବହନ କରୁଥିବା ଏକ ଦେଶ ମଧ୍ୟ ଦେଇ, ଏହି ପିତା-ଝିଅ ଯୋଡ଼ି ଏକ କଳା ରଙ୍ଗର ବୁଇକ୍' ଗାଡ଼ିରେ ଆମେରିକା-ନିୟନ୍ତ୍ରିତ ଫ୍ରାଙ୍କଫର୍ଟରୁ ସୋଭିଏତ୍-ନିୟନ୍ତ୍ରିତ ୱେମାର୍ ଅଭିମୁଖେ ଯାତ୍ରା କରନ୍ତି।
ମାନଙ୍କ ପାଇଁ, ଏହି ପ୍ରତ୍ୟାବର୍ତ୍ତନ ଏକ ସ୍ୱଦେଶ ଫେରିବା ଅପେକ୍ଷା ବହୁତ ଅଧିକ। ଏହା ଯୁଦ୍ଧ ଦ୍ୱାରା ପରିବର୍ତ୍ତିତ ଏବଂ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଚିନ୍ତାଧାରା ଦ୍ୱାରା ଖଣ୍ଡିତ ଏକ ମାତୃଭୂମି ସହିତ ଏକ ସାକ୍ଷାତ। ଯାତ୍ରା ଆରମ୍ଭ ହେବା ସହିତ, ଦେଶର ବିଭାଜନ ମାନ ପରିବାରର ଜଟିଳତାରେ ପ୍ରତିଫଳିତ ହୁଏ, ଯାହା ନିଜର ପରିଚୟ, ସ୍ମୃତି ଏବଂ ପୁନର୍ମିଳନର ପ୍ରଶ୍ନଗୁଡ଼ିକୁ ତୀକ୍ଷ୍ଣ ଦୃଷ୍ଟିକୋଣରେ ଆଣେ।
ସାଣ୍ଡ୍ରା ହୁଲର ଏବଂ ହାନ୍ସ ଜିସଲରଙ୍କୁ ମୁଖ୍ୟ ଭୂମିକାରେ ନେଇ, ୮୨ ମିନିଟର ଏହି ଚଳଚ୍ଚିତ୍ରଟି ପୋଲାଣ୍ଡ, ଜର୍ମାନୀ, ଇଟାଲୀ ଏବଂ ଫ୍ରାନ୍ସର ସହ-ପ୍ରଯୋଜନା ଅଟେ। ଏହା ଚଳିତ ବର୍ଷ କାନ୍ସ, ସାନ ସେବାଷ୍ଟିଆନ ଏବଂ ଟେଲୁରାଇଡ ସମେତ ପ୍ରମୁଖ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ର ପାଇଁ ପାୱଲିକୋସ୍କି କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଥିଲେ।
***