ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିୟରଙ୍କ ନିମନ୍ତ୍ରଣ କ୍ରମେ, ମନିଲାରେ ଅନୁଷ୍ଠିତ ତ୍ରୟୋବିଂଶତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ‘ନେଭିଗେଟିଂ ଆୱାର୍ ଫ୍ୟୁଚର୍ ଟୁଗେଦର୍’ ବା ‘ମିଳିମିଶି ନିଜ ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବା’ ବିଷୟବସ୍ତୁ ଆଧାରରେ ଆସିଆନର ସଫଳ ଅଧ୍ୟକ୍ଷତା କରିବା ଏବଂ ସମନ୍ୱୟକାରୀ ଦେଶ ରୂପେ ଭାରତକୁ ସମର୍ଥନ ଯୋଗାଇ ଦେବା ପାଇଁ ସେ ରାଷ୍ଟ୍ରପତି ମାର୍କୋସଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆସିଆନ୍ ସହିତ ବ୍ୟାପକ ରଣନୀତିକ ଭାଗିଦାରୀକୁ ଭାରତ ବିଶେଷ ଗୁରୁତ୍ୱ ଦେଇଥାଏ। କ୍ଷେତ୍ରୀୟ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଓ ପୂର୍ବାନୁମେୟତା ବଜାୟ ରଖିବା ଲାଗି ଆମେ ମିଳିମିଶି କାମ କରିବା ଉଚିତ୍ । ସେ ଆହୁରି କହିଥିଲେ, ଭାରତ ଏକ ସ୍ୱାଧୀନ, ଖୋଲା, ସମାବେଶୀ ଏବଂ ନିୟମ ଆଧାରିତ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବିଶ୍ୱାସ କରିଥାଏ। ଏହି କ୍ଷେତ୍ରର ଭବିଷ୍ୟତ ପ୍ରତିଯୋଗିତା ଉପରେ ନୁହେଁ ବରଂ ସହଯୋଗ ଉପରେ ନିର୍ଭର କରିଥାଏ।
ଆସିଆନର ଏକତା ଏବଂ କେନ୍ଦ୍ରୀୟ ଭୂମିକା ଲାଗି ଭାରତ ଦୃଢ଼ ସଂକଳ୍ପବଦ୍ଧ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଆସିଆନ୍ କମ୍ୟୁନିଟି ଭିଜନ୍ ୨୦୪୫ ଏବଂ ବିକଶିତ ଭାରତ ୨୦୪୭ ଭାରତ ଏବଂ ଆସିଆନର ଲୋକମାନଙ୍କର ସହଭାଗୀ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ।
ସେ ଆହୁରି କହିଥିଲେ, ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ଆସିଆନ୍ ମଧ୍ୟରେ ସହଭାଗୀ ମୂଲ୍ୟବୋଧ, ସମାନ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଏବଂ ଗଭୀର ସାଂସ୍କୃତିକ ସମ୍ପର୍କ ଏହି ଭାଗୀଦାରୀକୁ ଏକ ନୂଆ ଦିଗ ପ୍ରଦାନ କରିଛି । ଭାରତର ‘ଆକ୍ଟ ଇଷ୍ଟ’ ନୀତି ଭାରତ-ଆସିଆନ୍ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିଛି ବୋଲି ସେ ଉଲ୍ଲେଖ କରିଥିଲେ ।
ବିଶ୍ୱର ଭବିଷ୍ୟତ ପାଇଁ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ଭାରତ ଏବଂ ଆସିଆନ କେବଳ ପ୍ରଯୁକ୍ତିବିଦ୍ୟାର ଗ୍ରାହକ ହେବା ଉଚିତ ନୁହେଁ, ବରଂ ସେଗୁଡ଼ିକୁ ମିଳିତ ଭାବେ ସୃଷ୍ଟି କରିବା ଉଚିତ ଏବଂ ଆମ ଲୋକଙ୍କୁ ଦକ୍ଷତା ପ୍ରଦାନ କରିବା ପାଇଁ ଏକାଠି କାମ କରିବା ଆବଶ୍ୟକ ।
୨୦୨୭ ବର୍ଷ ଭାରତ-ଆସିଆନ୍ ସମ୍ପର୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଷ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, କାରଣ ଏହି ବର୍ଷ ଉଭୟ ପକ୍ଷ ସମ୍ପର୍କର ୩୫ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିସହିତ ଦୁଇ ପକ୍ଷ ମଧ୍ୟରେ ବ୍ୟାପକ ରଣନୀତିକ ଭାଗୀଦାରୀକୁ ୫ ବର୍ଷ ପୂରଣ ହେବ ।
ଭାରତ-ଆସିଆନ ସମ୍ପର୍କକୁ ମଜବୁତ କରିବା ଲାଗି ପ୍ରଧାନମନ୍ତ୍ରୀ କେତେକ ପ୍ରସ୍ତାବ ରଖିଥିଲେ ସେଥିମଧ୍ୟରୁ କେତେକ ନିମ୍ନରେ ଦିଆଗଲା:
ଯୋଗାଯୋଗରେ ସୁଧାର, ବୈଜ୍ଞାନିକ ଗବେଷଣା, ବିପର୍ଯ୍ୟୟ ପରିଚାଳନା, ତଟରକ୍ଷୀ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ସଚେତନତା ଏବଂ ନାବିକଙ୍କ ସୁରକ୍ଷା ପାଇଁ ଦୀର୍ଘକାଳୀନ ଆସିଆନ୍-ଭାରତ ସାମୁଦ୍ରିକ ସହଯୋଗ ଯୋଜନା;
କ୍ଷେତ୍ରୀୟ କ୍ଷମତା ନିର୍ମାଣ ଲାଗି ଯୁଗ୍ମ ସାଇବର୍ ଫୋରେନସିକ୍ସ ତାଲିମ କାର୍ଯ୍ୟକ୍ରମ;
ଆସିଆନ-ଭାରତ ଆଣବିକ ଶକ୍ତି ଜ୍ଞାନକୌଶଳ ବିନିମୟ;
ଆସିଆନ୍-ଭାରତ ମହାକାଶ ହାକାଥନ୍;
ଖଣିଜ ଖନନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଆସିଆନ୍-ଭାରତ ସହଯୋଗ;
ଯୁବ ସମ୍ମିଳନୀ, ଯୁବ ସାଂସଦଙ୍କ ବିନିମୟ ଏବଂ ଷ୍ଟାର୍ଟ-ଅପ୍ ହାକାଥନ ଜରିଆରେ ଆସିଆନ୍-ଭାରତ ଯୁବ ସମ୍ପର୍କ କାର୍ଯ୍ୟକ୍ରମ;
ନାଳନ୍ଦା ବିଶ୍ୱବିଦ୍ୟାଳୟ ଠାରେ ଆସିଆନ୍ ଦେଶଗୁଡ଼ିକ ପାଇଁ ଛାତ୍ରବୃତ୍ତି ବଢ଼ାଇବା;
ୱେଭ୍ସ ୨୦୨୭ରେ ଆସିଆନ୍-ଭାରତ ସୃଜନଶୀଳତା ଭାଗିଦାରୀ;ଏବଂ
ଆସିଆନ୍ ଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମାଗଣା ଇ-ଭିସା।
ପ୍ରଧାନମନ୍ତ୍ରୀ ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଫିଲିପାଇନ୍ସର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆସିଆନର ଆଗାମୀ ଅଧ୍ୟକ୍ଷତା ଗ୍ରହଣ କରିବା କାରଣରୁ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗକୁ ନେଇ ନେତାମାନେ ଆସିଆନ୍-ଭାରତ ଯୁଗ୍ମ ଘୋଷଣାନାମା [link] କୁ ମିଳିତ ଭାବେ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ ଏଠାରେ [link] ଉପଲବ୍ଧ ରହିଛି ।
*****
PS