ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୩-୧୪ ନଭେମ୍ବରରେ କର୍ଣ୍ଣାଟକ ଏବଂ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 NOV 2026 5:14PM by PIB Bhubaneswar

 

ବେଙ୍ଗାଲୁରୁରେ ୧୫,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏହି ପ୍ରକଳ୍ପଗୁଡିକରେ ସହରୀ ପରିବହନ, ବିଦ୍ୟୁତ ସଞ୍ଚାଳନ, ଅକ୍ଷୟ ଶକ୍ତି, ପେଟ୍ରୋଲିୟମ୍ ଭିତ୍ତିଭୂମି, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଭୁକ୍ତ

କାଲେନା ଅଗ୍ରହାରାରୁ ତାଭାରେକେରେ ପର୍ଯ୍ୟନ୍ତ ବିସ୍ତୃତ ବେଙ୍ଗାଲୁରୁ ମେଟ୍ରୋ ପିଙ୍କ୍ ଲାଇନ୍‌ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଉଙ୍ଗାଲୁରୁରେ ଭାରତର ସବୁଠାରୁ ବଡ଼ ଭୂତଳ ଏଲ୍‌ପିଜି ସଂରକ୍ଷଣ ଭଣ୍ଡାରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପୁନଃବିକଶିତ ଚାରୋଟି ରେଳ ଷ୍ଟେସନ୍ – ଚାମରାଜନଗର, ଚିକ୍‌କମଗଲୁରୁ, ସକଲେଶପୁର ଏବଂ ସୁବର୍ଣ୍ଣମୟ ରୋଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ-ମଙ୍ଗାଲୁରୁ-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁରେ ପ୍ରଶାନ୍ତି କୁଟିରମ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ଭାରତର ପ୍ରଥମ ଏଲ୍‌ଇଡି ଡୋମ୍ ପ୍ଲାନେଟୋରିୟମ୍ କସ୍‌ମସ୍ ମହୀଶୂର ପ୍ଲାନେଟୋରିୟମ୍‌ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଗୁଜରାଟର ବନାସକାଣ୍ଠା ସ୍ଥିତ ଅମ୍ବାଜୀ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ଓ ୧୪ ତାରିଖରେ କର୍ଣ୍ଣାଟକ ଏବଂ ଗୁଜରାଟ ଗସ୍ତ କରିବେ । ୧୩ ତାରିଖ ଦିନ ସକାଳ ପ୍ରାୟ ୧୦:୪୫ ସମୟରେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପ୍ରଶାନ୍ତି କୁଟିରମ୍‌ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ମଧ୍ୟ ଦେବେ । ଦିନ ପ୍ରାୟ ୧୨:୪୫ ସମୟରେ ପ୍ରଧାନମନ୍ତ୍ରୀ ମେଟ୍ରୋ ସେବାର ଶୁଭାରମ୍ଭ କରିବେ ଏବଂ ତାଭାରେକେରେ ଠାରୁ ଆଇଆଇଏମ୍ ବେଙ୍ଗାଲୁରୁ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ମେଟ୍ରୋ ସେବା ଶୁଭାରମ୍ଭ କରିବା ସହ ସେଥିରେ ଯାତ୍ରା କରିବେ । ଦିନ ପ୍ରାୟ ୧:୧୫ ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୧୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ମହୀଶୂର ଗସ୍ତ କରିବେ, ଯେଉଁଠାରେ ଅପରାହ୍ନ ପ୍ରାୟ ୩:୩୦ ସମୟରେ ସେ ଭାରତ ବନଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରଧାନମନ୍ତ୍ରୀ କସ୍‌ମସ୍‌-ମହୀଶୂର ପ୍ଲାନେଟୋରିୟମ୍‌ର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ ।

ନଭେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଗୁଜରାଟର ବନାସକାଣ୍ଠା ସ୍ଥିତ ଅମ୍ବାଜୀ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ । ଅମ୍ବାଜୀ ମନ୍ଦିର ହେଉଛି ୫୧ଟି ପବିତ୍ର ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ।

 

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ (ଏସ୍‌-ବ୍ୟାସ୍‌) ର ଆବାସିକ ମୁଖ୍ୟାଳୟ ପରିସର ପ୍ରଶାନ୍ତି କୁଟିରମ୍‌ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସୁବର୍ଣ୍ଣ ଜୟନ୍ତୀ ପ୍ରଶାସନିକ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ କେରଳର ତିରୁଅନନ୍ତପୁରମ୍‌ରେ ଏସ୍‌-ବ୍ୟାସର ଅଫ୍ କ୍ୟାମ୍ପସ୍‌ର ଶୁଭାରମ୍ଭ କରିବେ ।

୨୦୨୬ ନଭେମ୍ବର ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ‘ବିକଶିତ ଭାରତ ୨୦୪୭ ଦିଗରେ’ ବିଷୟବସ୍ତୁ ଉପରେ ଆୟୋଜିତ ହେବାକୁ ଥିବା ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଅନୁଷ୍ଠାନ ଗଠନ ଏବଂ ସେବାର ପାଞ୍ଚ ଦଶନ୍ଧି ପୂର୍ତ୍ତିର ପ୍ରତୀକ । ୧୯୭୫ରେ ସ୍ଥାପିତ ପ୍ରଶାନ୍ତି କୁଟିରମ୍ ଭାରତର ଆଧ୍ୟାତ୍ମିକ ଜ୍ଞାନ ସହିତ ଆଧୁନିକ ବିଜ୍ଞାନର ସମନ୍ୱୟ ସ୍ଥାପନ କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିଲା । ଏହା ଏସ୍‌-ବ୍ୟାସ୍‌ର କେନ୍ଦ୍ରସ୍ଥଳ ଅଟେ, ଯାହାକୁ ୨୦୦୨ରେ ଡିମ୍‌ଡ୍‌-ଟୁ-ବି ୟୁନିଭର୍‌ସିଟି ଭାବରେ ଘୋଷଣା କରାଯାଇଥିଲା ଏବଂ ଏହା ଯୋଗ କ୍ଷେତ୍ରରେ ଶିକ୍ଷା ଓ ଗବେଷଣା ପାଇଁ ଉତ୍ସର୍ଗୀ କୃତ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ହୋଙ୍ଗସାନ୍ଦରା ଭେଙ୍କଟରମୈୟା ଶେଷାଦ୍ରି ଜୀଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳନ କରାଯିବ । ୧୯୨୬ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭେଙ୍କଟରମୈୟା ଜଣେ ବିଶିଷ୍ଟ ଚିନ୍ତକ, ଲେଖକ ଏବଂ ସଂଗଠକ ଥିଲେ । ସେ ୧୯୪୬ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେଇଥିଲେ ଏବଂ ୧୯୮୭ରୁ ୧୦୦୦ ପର୍ଯ୍ୟନ୍ତ ଏହାର ସରକାର୍ଯ୍ୟବାହ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଏସ୍‌-ବ୍ୟାସର ପରିକଳ୍ପନାକାରୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ପ୍ରଶାନ୍ତି କୁଟିରମ୍‌ର ବିକାଶ ଏବଂ ଦଶନ୍ଧି ଧରି ଏହି ଅନୁଷ୍ଠାନର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୧୫,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶଳମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପଗୁଡିକ ସହରୀ ଗମନାଗମନ, ବିଦ୍ୟୁତ୍ ସଞ୍ଚାରଣ, ଅକ୍ଷୟ ଶକ୍ତି, ପେଟ୍ରୋଲିୟମ୍ ଭିତ୍ତିଭୂମି, ବର୍ଜ୍ୟବସ୍ତୁ ପରିଚାଳନା ଏବ ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ସହିତ ସମ୍ପୃକ୍ତ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋ ପିଙ୍କ ଲାଇନ୍‌ର ଉଦ୍‌ଘାଟନ କରିବେ, ଯାହା କାଲେନା ଅଗ୍ରହାରାରୁ ତାଭାରେକେରେ ପର୍ଯ୍ୟନ୍ତ ବିସ୍ତୃତ ଏବଂ ପ୍ରାୟ ୩,୪୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ନୂତନ ମାର୍ଗ ସହରୀ ସଂଯୋଗୀକରଣକୁ ବୃଦ୍ଧି କରିବ, ଦୈନନ୍ଦିନ ଯାତାୟତକୁ ସୁଗମ କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ବେଙ୍ଗାଲୁରୁରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ।

ଏହାଛଡା, ପ୍ରଧାନମନ୍ତ୍ରୀ କୋପ୍‌ପାଲ-୨ ଏବଂ ଗଡାଗ-୨ ଠାରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରଗୁଡିକର ସମନ୍ୱୟ ପାଇଁ ଟ୍ରାନ୍ସମିସନ୍ ଯୋଜନା (ଦ୍ୱିତୀୟ ପର୍ଯ୍ୟାୟ) ର ଉଦ୍‌ଘାଟନ କରିବେ, ଯାହା ପ୍ରାୟ ୪୪୫୦ କୋଟି ଟଙ୍କା ନିବେଶରେ ବିକଶିତ ହୋଇଛି । ଏହି ଟ୍ରାନ୍ସମିଶନ୍ ବ୍ୟବସ୍ଥା କର୍ଣ୍ଣାଟକର କୋପ୍‌ପାଲ ଏବଂ ଗଡାଗ ଅଞ୍ଚଳରୁ ପ୍ରାୟ ୨ ଗିଗାୱାଟ୍ ନବୀକରଣଯୋଗ୍ୟ ଶକ୍ତିକୁ ଗ୍ରୀଡ୍ ମାଧ୍ୟମରେ ଅନ୍ୟ ସ୍ଥାନକୁ ପରିବହନ ଏବଂ ବିତରଣ କରିବାରେ ସହାୟକ ହେବ । ଶ୍ରୀ ମୋଦୀ ପ୍ରାୟ ୧୩୭୦ କୋଟି ଟଙ୍କା ନିବେଶରେ ନିର୍ମିତ ବିଦର ଠାରେ ସୌର ଶକ୍ତି କ୍ଷେତ୍ର ପାଇଁ ଟ୍ରାନ୍ସମିଶନ୍ ଯୋଜନାର ମଧ୍ୟ ଉଦ୍‌ଘାଟନ କରିବେ । ଏହି ପ୍ରକଳ୍ପ ଅଧୀନରେ ଏକ ବିଦର ପୁଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି, ଯାହା ଏହି ଅଞ୍ଚଳରୁ ୨.୫ ଗିଗାୱାଟ୍ ସୌର ଶକ୍ତିକୁ ଗ୍ରୀଡ୍‌କୁ ପହଞ୍ଚାଇବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ୩,୪୫୦ କୋଟି ଟଙ୍କାରୁ ଅଧିକ ନିବେଶରେ ଦାଭନଗେରେ / ଚିତ୍‌ରଦୁର୍ଗ ଏବଂ ବଲ୍ଲାରୀ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରଗୁଡିକର ସମନ୍ୱୟ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସମିଶନ୍ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାଛଡା ସେ, ପ୍ରାୟ ୧,୧୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ଦାଭନାଗେରେ ଏବଂ ବଲ୍ଲାରୀଠାରେ ଅତିରିକ୍ତ ନବୀକରଣଯୋଗ୍ୟ ଶକ୍ତି କ୍ଷମତାକୁ ଗ୍ରୀଡ୍ ସହ ଯୋଡିବା ପାଇଁ ଟ୍ରାନ୍ସମିଶନ ବ୍ୟବସ୍ଥା ସୁଦୃଢ଼ୀକରଣ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଭାରତର ସବୁଠାରୁ ବଡ଼ ଭୂତଳ ଏଲ୍‌ପିଜି ସଂରକ୍ଷଣ ଭଣ୍ଡାରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୮୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଭଣ୍ଡାରର କ୍ଷମତା ୮୦,୦୦୦ ମେଟ୍ରିକ୍ ଟନ୍ ଏବଂ ଏହା ଭାରତର ଏଲ୍‌ପିଜି ସଂରକ୍ଷଣ ଭିତ୍ତିଭୂମିକୁ ଯଥେଷ୍ଟ ସୁଦୃଢ଼ କରିବ । ଏହି ପ୍ରକଳ୍ପରେ ନ୍ୟୁ ମଙ୍ଗାଲୋର ବନ୍ଦରକୁ ମୁଖ୍ୟ ଟର୍ମିନାଲ୍ ସହ ସଂଯୋଗ କରୁଥିବା ୯.୪ କିଲୋମିଟର ଲମ୍ବର ଏକ ଏଲ୍‌ପିଜି ପାଇପଲାଇନ୍ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏଲ୍‌ପିଜିର ଦକ୍ଷ ପରିବହନ ଏବଂ ସଂରକ୍ଷଣରେ ସହାୟକ ହେବ । ଏହାଛଡା, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ୍‌ର ଦେବନ୍‌ଙ୍ଗୋନ୍ଥି ମାକେଟିଂ ଟର୍ମିନାଲ୍‌କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୩୩୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ଅତ୍ୟାଧୁନିକ ସୁବିଧା କେନ୍ଦ୍ର କର୍ଣ୍ଣାଟକରେ ପେଟ୍ରୋଲିୟମ୍ ଉତ୍ପାଦର ସଂରକ୍ଷଣ ଓ ବିତରଣ ଭିତ୍ତିଭୂମିକୁ ମଜବୁତ କରିବ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ହରଲକୁଣ୍ଟେଠାରେ ଗେଲ୍‌ର କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ଲାଣ୍ଟରେ ପ୍ରତିଦିନ ପ୍ରାୟ ୩୦୦ ଟନ୍ ପୌର କଠିନ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଇ ୧୨.୬ ଟନ୍ ସ୍ୱଚ୍ଛ କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ଉତ୍ପାଦନ କରାଯିବ । ଏହି ପ୍ରକଳ୍ପ ବୈଜ୍ଞାନିକ ଉପାୟରେ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବ, ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଏକ ସ୍ୱଚ୍ଛ ତଥା ଅଧିକ ସ୍ଥାୟୀ ପରିବେଶ ଗଠନରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପୁନଃବିକଶିତ ଚାରୋଟି ରେଳ ଷ୍ଟେସନ୍ – ଚାମରାଜନଗର, ଚିକ୍‌କମଗଲୁରୁ, ସକଲେଶପୁର ଏବଂ ସୁବର୍ଣ୍ଣମୟ ରୋଡର ଉଦ୍‌ଘାଟନ କରିବେ । ଏହି ପୁନଃବିକଶିତ ଷ୍ଟ୍ରେସନ୍‌ଗୁଡିକ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବେ ଏବଂ ସହରର କେନ୍ଦ୍ରସ୍ଥଳ ଭାବରେ କାର୍ଯ୍ୟ କରିବେ, ଯାହା ସ୍ଥାନୀୟ ବାଣିଜ୍ୟିକ କାର୍ଯ୍ୟକଳାପ ତଥା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ପ୍ରଧାନନ୍ତ୍ରୀ ୨୮୪ କିଲୋମିଟର୍ ଲମ୍ବା ଗଦଗ-ହୋତଗି ଦୋହରୀକରଣ ପ୍ରକଳ୍ପର ଅଂଶ, ୪ କିଲୋମିଟର୍ ବିଶିଷ୍ଟ ବାଗଲ୍‌କୋଟ୍‌-ବଣ୍ଡାଲ୍ ରେଳ ଲାଇନ୍‌ର ଦୋହରୀକରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ରେଳ ଖଣ୍ଡ ଯାତ୍ରୀ ଓ ମାଲ୍ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବ, ସ୍ଥାନୀୟ ବାଣିଜ୍ୟକୁ ସହାୟତା କରିବ ଏବଂ କୁଡଗି ଏନ୍‌ଟିପିସି ପ୍ଲାଣ୍ଟକୁ କୋଇଲା ଯୋଗାଣ ସୁଗମ କରିବ ।

ଏହାସହିତ, ପ୍ରଧାନମନ୍ତ୍ରୀ ୫୫ କିମି ବିଶିଷ୍ଟ ସକଲେଶପୁର-ସୁବରହ୍‌ମଣ୍ୟ ରୋଡ୍ ଘାଟ୍ ରେଳ ଖଣ୍ଡର ବିଦ୍ୟୁତୀକରଣ କାର୍ଯ୍ୟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭାରତର ଅନ୍ୟତମ କଠିନ ରେଳ ପଥ ଦେଇ ଗତି କରୁଥିବା ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସଫଳତାକୁ ଦର୍ଶାଏ । ଏହି କାର୍ଯ୍ୟ ଶେଷ ହେବା ସହ ବର୍ତ୍ତମାନ ବେଙ୍ଗାଲୁରୁ-ମାଙ୍ଗାଲୁରୁ ରେଳ ମାର୍ଗ ସମ୍ପୂର୍ଣ୍ଣ ରୂପେ ବିଦ୍ୟୁତୀକରଣ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ-ମଙ୍ଗାଲୁରୁ-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ, ଯାହା ବେଙ୍ଗାଲୁରୁ, ଉପକୂଳ କର୍ଣ୍ଣାଟକ ଏବଂ ଗୋଆ ମଧ୍ୟରେ ଅଧିକ ଦ୍ରୁତ ତଥା ଆଧୁନିକ ରେଳ ସଂଯୋଗ ଯୋଗାଇବ । ମଡଗାଓଁରେ ପହଞ୍ଚିବା ପୂର୍ବରୁ, ଏହି ଟ୍ରେନ୍ ହାସନ୍‌, ସକଲେଶପୁର, ମଙ୍ଗାଲୁରୁ, ଉଡୁପି, ମୁରୁଦେଶ୍ୱର, ଗୋକର୍ଣ୍ଣ ଏବଂ କାରୱାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ସଂଯୋଗ କରିବ । ଏହା ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ହେବା ସହ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ।

 

ମହୀଶୂରରେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍‌’ ଅଭିଯାନର ଅଂଶ ସ୍ୱରୂପ ଭାରତ ବନଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଭାରତ ବନ ହେଉଛି ଏକ ସହରୀ ବନୀକରଣ ପଦକ୍ଷେପ ଏବଂ ଜାପାନୀ ‘ମିୟାୱାକି’ ପଦ୍ଧତି ବ୍ୟବହାର କରି ଘନ, ସ୍ୱୟଂ-ସଞ୍ଚାଳିତ ଏବଂ ସ୍ଥାନୀୟ ପ୍ରଜାତିର ଜଙ୍ଗଲ ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ । ୧୭.୬୩ ଏକର ଜମିରେ ବ୍ୟାପିଥିବା ମହୀଶୂରର ଏହି ପ୍ରକଳ୍ପରେ ୨ ଲକ୍ଷରୁ ଅଧିକ ସ୍ଥାନୀୟ ଗଛ ଲଗାଇ ଏକ ସବୁଜ ସାମୁଦାୟିକ ସମ୍ପତ୍ତି ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ଗୋବର, କମ୍ପୋଷ୍ଟ ଏବଂ ଜୀବାମୃତ ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଏ, ଯହା ସ୍ଥାନୀୟ କ୍ଷୁଦ୍ର ବୁଦା, କାଠ ଗଛ, ଛାଇ ଦେଉଥିବା ବୃକ୍ଷ, ଫୁଲ ଏବଂ ଫଳ ଗଛଗୁଡିକର ବୃଦ୍ଧିରେ ସହାୟକ ହୋଇଥାଏ । ଏହି ବହୁସ୍ତରୀୟ ଜଙ୍ଗଲ ଜୈବ ବିବିଧତା ବୃଦ୍ଧି କରିବା, ଭୂତଳ ଜଳ ସ୍ତର ବଢ଼ାଇବା, ଧୂଳି ଓ ବାୟୁ ପ୍ରଦୂଷଣ ହ୍ରାସ କରିବା, ସ୍ଥାନୀୟ ତାପମାତ୍ରା ନିୟନ୍ତ୍ରଣ କରିବା, ମୃତ୍ତିକା କ୍ଷୟ ରୋକିବା ଏବଂ କାର୍ବନ ପୃଥକୀକରଣରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କସ୍‌ମସ୍‌-ମହୀଶୂର ପ୍ଲାନେଟୋରିୟମ୍‌ର ଉଦ୍‌ଘାଟନ କରିବେ, ଯାହା ଦେଶରେ ପ୍ଲାନେଟୋରିୟମ୍ ପ୍ରଯୁକ୍ତିବିଦ୍ୟା ଏବଂ ଜ୍ୟୋର୍ତିବିଜ୍ଞାନ ଶିକ୍ଷାରେ ଏକ ମହତ୍ୱପୂର୍ଣ୍ଣ ଉନ୍ନତିର ପ୍ରତୀକ । ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ) ଦ୍ୱାରା ନିର୍ମିତ, କସ୍‌ମସ୍‌-ମହୀଶୂର ହେଉଛି ଭାରତର ପ୍ରଥମ ଏଲଇଡି ଡୋମ୍ ପ୍ଲାନେଟୋରିୟମ୍ । ଜ୍ୟୋର୍ତିବିଜ୍ଞାନ ଶିକ୍ଷା ଏବଂ ତାଲିମ କେନ୍ଦ୍ର ଭାବରେ ପରିକଳ୍ପିତ, ଏହି ପ୍ଲାନେଟୋରିୟମ୍ ଚାମୁଣ୍ଡି ପାହାଣର ପାଦଦେଶରେ ମହୀଶୂର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ରେ ଅବସ୍ଥିତ ।

ଏହି ଅତ୍ୟାଧୁନିକ ସୁବିଧାରେ ଏକ ୧୫ ମିଟର୍ ବକ୍ର ଡୋମ୍ ରହିଛି ଯେଉଁଥିରେ ପ୍ରାୟ ୬,୧୫୦ ପ୍ୟାନେଲ୍ ୪.୨ କୋଟି ବ୍ୟକ୍ତିଗତ ଏଲ୍‌ଇଡି ରହିଛି । ପାରମ୍ପରିକ ପ୍ଲାନେଟୋରିୟମ୍ ଏକ ନିଷ୍କ୍ରିୟ ଡୋମ୍ ଉପରେ ପ୍ରତିଛବି ପ୍ରଦର୍ଶନ କରିବା ପାଇଁ ପ୍ରୋଜେକ୍ଟର ବ୍ୟବହାର କରିଥାନ୍ତି, କିନ୍ତୁ ଏହାର ଏଲ୍‌ଇଡି ପ୍ୟାନେଲ୍‌ଗୁଡିକୁ ତୁରନ୍ତ ନିୟନ୍ତ୍ରିତ କରାଯାଇପାରିବ, ଯାହା ଏକ ନିମଜ୍ଜିତ ଦୃଶ୍ୟ ଅଭିଜ୍ଞତା ଏବଂ ଜ୍ୟୋର୍ତିବିଜ୍ଞାନ ଶିକ୍ଷା ପାଇଁ ନୂତନ ସମ୍ଭାବନା ପ୍ରଦାନ କରିବ ।

ସ୍କାଏ ଥିଏଟରରେ ବୃତ୍ତିଗତ ଭାବରେ ନିର୍ମିତ ଜ୍ୟୋର୍ତିବିଜ୍ଞାନ କାର୍ଯ୍ୟକ୍ରମ ପ୍ରଦର୍ଶନ ସହିତ ମହୀଶୂର ଇତିହାସ ଏବଂ ଜ୍ୟୋର୍ତିବିଜ୍ଞାନ ମଧ୍ୟରେ ସଂଯୋଗକୁ ଅନୁସନ୍ଧାନ କରୁଥିବା ଏକ ଇନ୍‌-ହାଉସ୍ ନିର୍ମିତ ଫିଲ୍ମ ମଧ୍ୟ ପ୍ରଦର୍ଶନ କରାଯିବ । ଏହି ଶୋ କନ୍ନଡ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ହେବ । ଏହି କେନ୍ଦ୍ରରେ ପ୍ରଦର୍ଶନୀ ହଲ୍‌, ଜ୍ୟୋର୍ତିବିଜ୍ଞାନ ମଡେଲ୍ ଏବଂ କଳାକୃତିଗୁଡିକର ଏକ ସଂଗ୍ରହାଳୟ, ଏକ ବ୍ୟାଖ୍ୟାନ ହଲ୍‌, ଏକ ତାଲିମ କେନ୍ଦ୍ର ଏବଂ ପାରସ୍ପରିକ କ୍ରିୟାଶୀଳ ବାହ୍ୟ ପ୍ରଦର୍ଶନୀ ମଧ୍ୟ ରହିବ ।

କେନ୍ଦ୍ରର କାର୍ଯ୍ୟକଳାପ ଭାରତୀୟ ଆଷ୍ଟ୍ରୋଫିଜିକ୍ସ ସଂସ୍ଥାନର ଗବେଷଣା, ସମଗ୍ର ଭାରତ ଏବଂ ମହାକାଶରେ ବହୁ-ତରଙ୍ଗଦୈର୍ଘ୍ୟ ଟେଲିସ୍କୋପ୍ ସୁବିଧାଗୁଡିକର ପରିଚାଳନା, ଭବିଷ୍ୟତର ଜ୍ୟୋର୍ତିବିଜ୍ଞାନ ସୁବିଧାଗୁଡିକର ବିକାଶ ଏବଂ ଜାତୀୟ ସ୍ତରରେ ପ୍ରସାର କାର୍ଯ୍ୟକ୍ରମଗୁଡିକର ପରିପୂରକ ହେବ ।

 

SR

 

(ରିଲିଜ ଆଡି: 2336106) ପରିଦର୍ଶକ କାଉଣ୍ଟର : 8