ପୋଷ୍ଟ କରାଯିବା ଦିନାଙ୍କ:
26 JUL 2026 10:27PM by PIB Bhubaneswar
ଏକାକୀ ଯାତ୍ରା କରିବା ହେଉଛି ଦୁନିଆଁକୁ ଜାଣିବା ସହିତ ନିଜକୁ ମଧ୍ୟ ଜାଣିବାର ଏକ ବହୁତ ଭଲ ଉପାୟ : ପ୍ରଧାନମନ୍ତ୍ରୀ
ଦେଶର ପ୍ରତ୍ୟେକ ଯୁବକ ଓ ପ୍ରତ୍ୟେକ ଝିଅ ଆତ୍ମବିଶ୍ବାସ ଓ ନିଜ ଉପରେ ଭରସା ରଖି ଆଗକୁ ବଢ଼ିବା ଉଚିତ : ପ୍ରଧାନମନ୍ତ୍ରୀ
ସୀମାନ୍ତରେ ଥିବା ଗାଁଗୁଡ଼ିକ ହୁଏତ ଭୌଗୋଳିକ ଭାବେ ଦୂରରେ ଅଛନ୍ତି, କିନ୍ତୁ ସେଠାରେ ରହୁଥିବା ଲୋକେ ଭାବଗତ ଭାବେ ଦେଶ ସହିତ ଗଭୀର ଭାବେ ଜଡ଼ିତ : ପ୍ରଧାନମନ୍ତ୍ରୀ
ଯେଉଁମାନେ ଆଗରୁ ପ୍ରାଥମିକତା ତାଲିକାର ଶେଷରେ ଥିଲେ, ସେମାନେ ଏବେ ସବୁଠୁ ଆଗରେ ଅଛନ୍ତି: ପ୍ରଧାନମନ୍ତ୍ରୀ
ଯୁବା ଅଂଶଗ୍ରହଣକାରୀଙ୍କ ଯାତ୍ରା ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ପ୍ରତିଫଳିତ କରିଥାଏ : ପ୍ରଧାନମନ୍ତ୍ରୀ
ନାଗରିକମାନେ ନିଜ ଯାତ୍ରା ବଜେଟର ୫ ପ୍ରତିଶତ ସ୍ଥାନୀୟ ସାମଗ୍ରୀ କିଣିବାରେ ଖର୍ଚ୍ଚ କରିବା ଉଚିତ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ସମୃଦ୍ଧ ଗ୍ରାମ କାର୍ଯ୍ୟକ୍ରମ ୨୦୨୬ ର ଅଂଶଗ୍ରହଣକାରୀମାନଙ୍କ ସହିତ ଭର୍ଚୁଆଲ୍ ଭାବରେ ଆଲୋଚନା କରିଥିଲେ। ଏହି ସମୟରେ ଯୁବା ମାଇଁ ଭାରତ ସ୍ୱେଚ୍ଛାସେବୀମାନେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଲଦାଖର ସୀମାନ୍ତ ଗାଁଗୁଡ଼ିକରୁ ସେମାନେ ହାସଲ କରିଥିବା ଅଭିଜ୍ଞତା ବାଣ୍ଟିଥିଲେ। ଉନ୍ନତ ଭିତ୍ତିଭୂମି, ଯୋଗାଯୋଗ ଏବଂ ସାର୍ବଜନୀନ ସେବା ସହିତ ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶ, ପର୍ଯ୍ୟଟନ, ସାମୁଦାୟିକ ଅଂଶଗ୍ରହଣ ଏବଂ ଦୃଢ଼ ଜାତୀୟ ସଂହତି ମାଧ୍ୟମରେ କିପରି ଏହି ଗାଁଗୁଡ଼ିକର ପରିବର୍ତ୍ତନ ହୋଇପାରିଛି, ତା ଉପରେ ଏହି ଆଲୋଚନାରେ ଆଲୋକପାତ କରାଯାଇଥିଲା। ଦେଶର ୨୪୫ ଟି ଜିଲ୍ଲାରୁ ୫, ୦୦୦ ରୁ ଅଧିକ MYBharat ସ୍ୱେଚ୍ଛାସେବୀମାନେ ଭର୍ଚୁଆଲ୍ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଆରମ୍ଭରେ MYBharat ର ସ୍ୱେଚ୍ଛାସେବୀ ଦାଦ୍ରା ଓ ନଗର ହାବେଳୀ ଏବଂ ଦାମନ ଓ ଡିଉର ଶ୍ରୀ ଦିବ୍ୟାଂଶ ଯୋଶୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ବିକଶିତ ଭାରତ ଯୁବା ନେତାଙ୍କ ଆଲୋଚନା, ବିକଶିତ ଭାରତ ଯୁବା ସଂସଦ, ବଜେଟ୍ ଟ୍ୱିଷ୍ଟ, ପରାମର୍ଶ ପ୍ରଦାନ ଓ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ସମେତ ବିଭିନ୍ନ ପଦକ୍ଷେପ ବିଷୟରେ ସେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ MYBharat ରୁ ୨ କୋଟି ୩୦ ଲକ୍ଷରୁ ଅଧିକ ଯୁବକ ଯୁବତୀ ଉପକୃତ ହୋଇଛନ୍ତି। ୨ ଲକ୍ଷ ୮୬ ହଜାର ଯୁବକ ଯୁବତୀ ଦେଶବ୍ୟାପୀ କୁଇଜରେ ଅଂଶଗ୍ରହଣ କରିଥିଲେ। ଏହା ମାଧ୍ୟମରେ ୪୦୩ ଜଣ ସ୍ୱେଚ୍ଛାସେବୀଙ୍କୁ ସୀମାନ୍ତ ଗ୍ରାମ ପରିଦର୍ଶନ କରିବା ପାଇଁ ଚୟନ କରାଯାଇଥିଲା। ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ଲିଓ ଗ୍ରାମକୁ ତାଙ୍କ ଗସ୍ତକୁ ମନେ ପକାଇ ସେ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଏବଂ ସ୍କୁଲ ପିଲାଙ୍କ ସହିତ ହୋଇଥିବା କଥାବାର୍ତ୍ତା, ସ୍ଥାନୀୟ ଯୁବକମାନଙ୍କୁ ଦେଇଥିବା କ୍ୟାରିଅର ପରାମର୍ଶ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା, ମହିଳା ସରପଞ୍ଚଙ୍କ ନେତୃତ୍ୱ ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କାର୍ଯ୍ୟକାରୀତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ତାଙ୍କର ହୋମଷ୍ଟେ ଅଭିଜ୍ଞତା ଦର୍ଶାଉଛି ଯେ ଆପଣାର ଭାବନା ଭାଷା ଏବଂ ରାଜ୍ୟ ସୀମା ଅତିକ୍ରମ କରେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ୱେଚ୍ଛାସେବୀମାନେ କାରଗିଲ ଯୁଦ୍ଧ ସ୍ମାରକୀରେ ଦେଶର ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ବିକଶିତ ଭାରତର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହି ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେମାନଙ୍କର ଅଭିଜ୍ଞତା କହିବେ।
ଦାଦ୍ରା ଓ ନଗର ହାବେଳୀ ଏବଂ ଦାମନ ଡିଉରୁ ଆସିଥିବା MYBharat ର ସ୍ୱେଚ୍ଛାସେବୀ ସୁଶ୍ରୀ ନିକିତା ପ୍ରବୀଣ ସୋଲାଙ୍କି କହିଥିଲେ ଯେ MYBharat କୁଇଜ୍ ମାଧ୍ୟମରେ ତାଙ୍କର ଚୟନ ହେବା ଦ୍ବାରା ପ୍ରଥମ ଥର ସ୍ୱାଧୀନ ଭାବେ ଯାତ୍ରା କରିବାର ସୁଯୋଗ ତାଙ୍କୁ ମିଳିଛି। ସେ କିନ୍ନୌର ଜିଲ୍ଲାର ଧାର ଚାଙ୍ଗୋ ନିଚଲା ଗ୍ରାମକୁ ଆସିବା ସମ୍ଭବ ହୋଇପାରିଥିଲା। ଗାଁ ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ନେହପୂର୍ଣ୍ଣ ସ୍ୱାଗତ ତାଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିଥିଲା ଓ ମହିଳାମାନଙ୍କ ପ୍ରତି ପରିବର୍ତ୍ତିତ ସାମାଜିକ ମନୋଭାବକୁ ପ୍ରତିଫଳିତ କରିଥିଲା। ମହିଳା ପ୍ରଧାନ, ପଞ୍ଚାୟତ ପ୍ରତିନିଧି, ଚାଷୀ, ବରିଷ୍ଠ ନାଗରିକ ଏବଂ ପିଲାମାନଙ୍କ ସହିତ ତାଙ୍କର ଆଲୋଚନା ମାଧ୍ୟମରେ, ସେ ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ନିଆଯାଇଥିବା ବହୁବିଧ ଦାୟିତ୍ୱକୁ ଦେଖିଥିଲେ। ସେହିପରି ଗାଁରେ ଥିଲା ଉତ୍ତମ ରାସ୍ତା, ନିରବଚ୍ଛିନ୍ନ ବିଦ୍ୟୁତ୍, ପାନୀୟ-ପାଣି ସଂଯୋଗ ଏବଂ ଡିଜିଟାଲ୍ ସଂଯୋଗ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜଳ ଜୀବନ ମିଶନ ଓ ଆୟୁଷ୍ମାନ ଭାରତ ଯୋଗୁଁ ଏହି ସବୁ ସୁବିଧା ଗାଁ ଲୋକେ ପାଇଥିଲେ। ଏସବୁ ଦ୍ବାରା ତାଙ୍କର ପୂର୍ବ ଧାରଣା ବଦଳି ଯାଇଥିଲା। ସେ ସ୍ୱଚ୍ଛତା, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକଳାପରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତାଙ୍କ ଘର, ଗାଁ, ଅଞ୍ଚଳ ବିଷୟରେ ଗାଁର ପିଲାମାନେ କେମିତି ଆଗ୍ରହର ସହିତ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ, ତାହା ବି ସେ ମନେ ପକାଇଥିଲେ ଓ କହିଥିଲେ ଯେ, ଯେଉଁ ପରିବାର ତାଙ୍କୁ ଏତେ ଭଲ ଆତିଥ୍ୟ ପ୍ରଦାନ କରିଛନ୍ତି, ସେମାନଙ୍କ ସହିତ ଆଗକୁ ମଧ୍ୟ ଯୋଗାଯୋଗରେ ରହିବେ
୨୦୧୬ ମସିହାରେ ଦୀପାବଳି ସମୟରେ ଚାଙ୍ଗୋ ଅଞ୍ଚଳକୁ ନିଜର ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୁଶ୍ରୀ ସୋଲାଙ୍କିଙ୍କ ଯାତ୍ରା ଭାରତର ଝିଅମାନଙ୍କ ବର୍ଦ୍ଧିତ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି। ‘ମାଇଁ ଭାରତ’(MYBharat) ବ୍ୟକ୍ତିଗତ ଯାତ୍ରାକୁ ଏକ ଜାତୀୟ ପରିବାରରେ ପରିଣତ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, “ଏକାକୀ ଯାତ୍ରା କରିବା ହେଉଛି ନିଜକୁ ଆବିଷ୍କାର କରିବା ସହିତ ଦୁନିଆକୁ ଜାଣିବାର ଏକ ମାଧ୍ୟମ।”
ରାଜସ୍ଥାନ ଜାଲୋରର MYBharat ସ୍ୱେଚ୍ଛାସେବୀ ଶ୍ରୀ ସୁନିଲ କୁମାର କେଲା କହିଥିଲେ ଯେ ସେ ନିଜେ ଏକ ସୀମାନ୍ତ ଗାଁର ହୋଇଥିବାରୁ ହିମାଚଳ ପ୍ରଦେଶର ଧାର ଚାଙ୍ଗୋ ଉପରେଲା ଗାଁର ଲୋକଙ୍କ ସହିତ ସହଜରେ ମିଶି ପାରିଥିଲେ। ଭୌଗୋଳିକ ଓ ଜଳବାୟୁ ପାର୍ଥକ୍ୟ ସତ୍ତ୍ୱେ ସେ ଉଭୟ ଅଞ୍ଚଳର ଲୋକମାନଙ୍କୁ ସାହସ, ଦେଶପ୍ରେମ ଓ ସ୍ନେହପୂର୍ଣ୍ଣ ଭାବନାରେ ଯୋଡ଼ି ହୋଇଥିବାର ଦେଖିବାକୁ ପାଇଥିଲେ। ସେ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ପରିବାର ସହିତ ଯୋଡ଼ି ହୋଇ ରହିଥିଲେ। ସେମାନଙ୍କୁ ସତଲେଜ ନଦୀ, ସ୍କୁଲ, ଜନ ଔଷଧି କେନ୍ଦ୍ର, ହସ୍ପିଟାଲ ଏବଂ କ୍ରୀଡା ସୁବିଧା ଦେଖାଇଥିଲେ। ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ବନ୍ଧୁମାନଙ୍କୁ MYBharat ସଂପର୍କରେ ଅଧିକ ଜାଣିବା ପାଇଁ ଉତ୍ସାହିତ କରିଥିଲା। ରାସ୍ତା, ବାସସ୍ଥାନ, ବିଦ୍ୟୁତ୍ ଏବଂ ମୋବାଇଲ ନେଟୱର୍କ ଭଲ ଥିବ କି ନାହିଁ ବୋଲି ସେ ପୂର୍ବରୁ ଟିକେ ଚିନ୍ତିତ ଥିଲେ। କିନ୍ତୁ ହୋମଷ୍ଟେ ପର୍ଯ୍ୟନ୍ତ ବହୁତ ବଢ଼ିଆ ରାସ୍ତା, ସୌର-ଶକ୍ତି ଏବଂ ଦୈନନ୍ଦିନ ଜୀବନକୁ ପରିବର୍ତ୍ତନ କରିଥିବା ଉନ୍ନତ ଭିତ୍ତିଭୂମି ଦ୍ୱାରା ସେହି ଆଶଙ୍କା ଦୂର ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ପରିବାର ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ, ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ରାଜସ୍ଥାନ ପରିଦର୍ଶନ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଥିଲେ ଯେ, ସୀମାନ୍ତରେ ଥିବା ରାଜସ୍ଥାନ, କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବାଞ୍ଚଳର ଗାଁଗୁଡ଼ିକର ଯୁବକଙ୍କର ଏକ ସମାନ ଦୃଷ୍ଟିକୋଣ ରହିଛି। ସୀମାନ୍ତ ବାସିନ୍ଦାମାନେ ଯଦିଓ ଭୌଗୋଳିକ ଭାବରେ ଦୂରରେ ଅଛନ୍ତି, ସେମାନେ ଦେଶ ସହିତ ଭାବପ୍ରବଣ ଭାବରେ ଗଭୀର ଭାବରେ ଜଡିତ ଅଛନ୍ତି। ଯେଉଁମାନେ ପୂର୍ବରୁ ପ୍ରାଥମିକତାରେ ଶେଷରେ ଥିଲେ ସେମାନେ ଏବେ ପ୍ରଥମରେ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର MYBharat ସ୍ୱେଚ୍ଛାସେବୀ ସୁଶ୍ରୀ ଭାବ୍ୟା ଶ୍ରୀ କହିଥିଲେ ଯେ ସ୍କୁଲର ପାଠପଢ଼ାକୁ ଛାଡ଼ି ଅନ୍ୟ କିଛି ଶିଖିବାର ଇଚ୍ଛା ତାଙ୍କୁ MYBharat ଏବଂ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ହର୍ସିଲ ଉପତ୍ୟକାକୁ ନେଇଯାଇଥିଲା। ସ୍ଥାନୀୟ ବାସିନ୍ଦା ଓ ଅଧିକାରୀଙ୍କ ଆତିଥ୍ୟ ଦ୍ୱାରା ଅପରିଚିତ ଜଳବାୟୁ, ଖାଦ୍ୟ, ସଂସ୍କୃତି ଏବଂ ଜୀବନଶୈଳୀ ବିଷୟରେ ତାଙ୍କର ଯେଉଁ ପ୍ରାରମ୍ଭିକ ଚିନ୍ତା ଥିଲା, ତାହା ଦୂର ହୋଇଥିଲା। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ କର୍ମଚାରୀଙ୍କ ସହିତ ଆଲୋଚନା ଦ୍ବାରା ସେମାନଙ୍କର ଶୃଙ୍ଖଳା, ନମ୍ରତା, ସମର୍ପଣ ଏବଂ ଦେଶ ପାଇଁ ପ୍ରତିବଦ୍ଧତା ପ୍ରତି ତାଙ୍କର ସମ୍ମାନ ଆହୁରି ବଢ଼ିଥିଲା। ସେ କହିଥିଲେ ଯେ ବିଭିନ୍ନ ରାଜ୍ୟ, ଭାଷା ଓ ସଂସ୍କୃତିରୁ ଅଂଶଗ୍ରହଣକାରୀମାନେ ଅପରିଚିତ ଭାବରେ ଆସିଥିଲେ। କିନ୍ତୁ ଏକ ପରିବାର ହୋଇ ଫେରିଥିଲେ । ଏହା ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ପ୍ରତିଫଳିତ କରୁଛି। ନେଲାଙ୍ଗ ଓ ଜାଡୁଙ୍ଗ ଉପତ୍ୟକା ଏବଂ ସେଓ ବଗିଚାର ଫଟୋ ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ସୃଷ୍ଟି କରିଥିଲା। ସେମାନଙ୍କ ମଧ୍ୟରୁ ଅନେକ ପରବର୍ତ୍ତୀ ସମୟରେ MYBharat ରେ ପଞ୍ଜୀକରଣ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ଥଣ୍ଡା ଜଳବାୟୁ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବା ପାଇଁ ପ୍ରଦାନ କରାଯାଇଥିବା ଉପକରଣ, କଷ୍ଟ ସତ୍ତ୍ୱେ ଭୂସ୍ଖଳନ ପ୍ରଭାବିତ ଜନ୍ମସ୍ଥାନରେ ରହିବାକୁ ବାଛିଥିବା ଜଣେ ବାସିନ୍ଦାଙ୍କ ଧୈର୍ଯ୍ୟ ଓ ତାଙ୍କ ନିଜ ରାଜ୍ୟର ସ୍ଫୁର୍ତ୍ତିପୂର୍ଣ୍ଣ ଲୋକନୃତ୍ୟର ବିପରୀତ ଘରୱାଲି ନୃତ୍ୟର ଶାନ୍ତିପୂର୍ଣ୍ଣ, ଧ୍ୟାନଶୀଳ ଚରିତ୍ରକୁ ମଧ୍ୟ ମନେ ପକାଇଥିଲେ।
ଉତ୍ତରାଖଣ୍ଡର ମୁଖୱା ଗ୍ରାମକୁ ନିଜ ଗସ୍ତ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେଠାରେ ହୋଇଥିବା ଆଲୋଚନା ତାଙ୍କର ଏହି ବିଶ୍ୱାସକୁ ଆହୁରି ଦୃଢ଼ କରିଛି ଯେ ଭାରତର ଯୁବପିଢ଼ି ଦେଶକୁ ସର୍ବୋପରି ସ୍ଥାନ ଦିଅନ୍ତି। ଶ୍ରୀ ମୋଦୀ ମତ ବ୍ୟକ୍ତ କରିଥିଲେ ଯେ, "ଆପଣମାନେ ଯେଉଁଭଳି ଭାବରେ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ନିଜ ଜୀବନରେ ପ୍ରତିଫଳିତ କରିଛନ୍ତି, ତାହା ଅନ୍ୟ ଯୁବକ-ଯୁବତୀଙ୍କୁ ଅନୁପ୍ରାଣିତ କରିବ।"
MYBharat କୁ ଏକ ପ୍ଲାଟଫର୍ମ ଭାବରେ କଳ୍ପନା କରିଥିବାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୧ ବର୍ଷୀୟା MYBharat ସ୍ୱେଚ୍ଛାସେବୀ ସୁଶ୍ରୀ ସାୟନ୍ତିକା ମିସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। MYBharat କୋଟି କୋଟି ଯୁବକଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବାରେ ସହାୟକ ହେବ। ସମୁଦ୍ର ପତ୍ତନରୁ ପ୍ରାୟ ୧୭,୦୦୦ ଫୁଟ ଉଚ୍ଚତାରେ ଥିବା ଲଦାଖର ମାନ ଗ୍ରାମ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ମନେ ପକାଇ କେମିତି ସେ ତୀବ୍ର ପାହାଡ଼ି ରୋଗରେ ପୀଡ଼ିତ ହୋଇଥିଲେ ଏବଂ MYBharat ଟିମ୍ ତଥା ITBP ର ଯବାନମାନେ କେମିତି ତାଙ୍କର ସେବା ଯତ୍ନ କରିଥିଲେ, ସେ ସଂପର୍କରେ ସେ ବର୍ଣ୍ଣନା କରିଥିଲେ। ଏପରିକି ଡାକ୍ତରମାନେ ମଧ୍ୟ ନିଜ ଲୋକଙ୍କ ଅପେକ୍ଷା ତାଙ୍କୁ ଅଧିକ ପ୍ରାଥମିକତା ଦେଇ ସେବାଯତ୍ନ କରିଥିଲେ। ସାୟନ୍ତିକା କହିଥିଲେ ଯେ, ତାଙ୍କର ଏହି ଅଭିଜ୍ଞତା ଦର୍ଶାଉଛି – ITBP କେବଳ ସୀମାକୁ ସୁରକ୍ଷା ଦେଇ ନ ଥିଲେ ବରଂ ନାଗରିକମାନଙ୍କର ବହୁତ ଯତ୍ନ ନେଇଥିଲେ ଏବଂ ଉଚ୍ଚ ଅଞ୍ଚଳ ପରିସ୍ଥିତିରେ ବଞ୍ଚିବା ପାଇଁ ଆବଶ୍ୟକ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ। ତାଙ୍କ ପରିବାରର ଆଶଙ୍କା ଥିଲା ଯେ, ଲଦାଖରେ ଯୋଗାଯୋଗ, ମୋବାଇଲ ନେଟୱର୍କ ସମସ୍ଯା ଥିବ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ସୀମାନ୍ତ ଅଞ୍ଚଳରେ ନିର୍ଭରଯୋଗ୍ୟ ଇଣ୍ଟରନେଟ୍, QR-କୋଡ୍ ଏବଂ UPI ପେମେଣ୍ଟ ସୁବିଧା ଏବଂ Wi-Fi ମିଳିଥିଲା। ସେ ସ୍ଥାନୀୟ ପିଲାମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। , ସ୍ଥାନୀୟ ବାସିନ୍ଦା କିପରି ସାମୂହିକ ଭାବରେ ବିବାହ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, କେମିତି ଏକ କ୍ଷତିଗ୍ରସ୍ତ ମୋବାଇଲ୍ ଟାୱାରର ମରାମତି କରିଥିଲ, କିପରି ଏହାର ବ୍ୟାଟେରୀ ରଖିବା ଲାଗି ଏକ ସୁବିଧା ଜାଗା ନିର୍ମାଣ କରିଥିଲା, ତାହା ସ୍ଥାନୀୟ ଲୋକଙ୍କ ସାମୂହିକ ମନୋଭାବରୁ ପ୍ରତିଫଳିତ ହୋଇଥିଲା।
ତାଙ୍କ ଅନୁଭୂତିକୁ ଲେଖା କିମ୍ବା ପୁସ୍ତକ ମାଧ୍ୟମରେ ଲିପିବଦ୍ଧ କରିବା ପାଇଁ ସୁଶ୍ରୀ ମିସ୍ତ୍ରୀଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ମୋଦୀ। ଏହା ଦ୍ବାରା ଅନ୍ୟମାନେ ଦେଶର ବିଶାଳତା, ଦେଶବାସୀ ଓ ସେମାନଙ୍କ ମଧ୍ୟରେ ଥିବା ଆପଣପଣକୁ ଲୋକୋ ବୁଝିପାରିବେ। ଶ୍ରୀ ମୋଦୀ କହିଥିଲେ, "ଯେତେବେଳେ ଆପଣ ଖୁସି ବାଣ୍ଟନ୍ତି, ତାହା ଅନେକ ଗୁଣ ଆହୁରି ବଢ଼ିଯାଏ।"
ଉତ୍ତର ପ୍ରଦେଶ ଜୌନପୁର ଜିଲ୍ଲାର 'ମାଇଁ ଭାରତ' (MYBharat) ସ୍ୱେଚ୍ଛାସେବୀ ଶ୍ରୀ ଆଶିଷ ସୋନି ଯିଏ କି ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଯୁବବର୍ଗଙ୍କୁ ନିଜର ମତାମତ ଦେବାର ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ। ହିମାଚଳ ପ୍ରଦେଶର ସ୍ଫିତି ଅଞ୍ଚଳ ଅନ୍ତର୍ଗତ 'କାଜା ଖାସ୍' ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରି ସେ କହିଥିଲେ, ତାଙ୍କ ପିତାମାତା ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ପାଇବା କଷ୍ଟକର ଥିବା ସମୟକୁ ମନେ ରଖିଛନ୍ତି। ଯେତେବେଳେ ସେ ପ୍ରାୟ ୧୪,୦୦୦ ଫୁଟ ଉଚ୍ଚତାରୁ ସେମାନଙ୍କୁ ଭିଡିଓ କଲ୍ କରିଥିଲେ, ସେତେବେଳେ ବାପା ମାଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 'ମାଇଁ ଭାରତ'କୁ ସଂଘର୍ଷ ଦେଖିଥିବା ଏକ ପିଢ଼ି ଏବଂ ପରିବର୍ତ୍ତନ ଦେଖୁଥିବା ଅନ୍ୟ ଏକ ପିଢ଼ି ମଧ୍ୟରେ ଏକ ସେତୁ ବୋଲି ବର୍ଣ୍ଣନା କରି, ସେ ଉଲ୍ଲେଖ କରିଥିଲେ ବିଶ୍ୱର ସର୍ବୋଚ୍ଚ ଡାକଘର 'ହିକ୍କିମ୍' ରୁ ପ୍ରଧାନମନ୍ତ୍ରୀ, ନିଜ ପରିବାର, ଯୁବ ବ୍ୟାପାର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ନିଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ସେ ଚିଠି ଲେଖିଥିଲେ। ଆଶିଷ କହିଥିଲେ ଯେ, ଭାରତ କେବଳ ବଡ଼ ସହର ମେଟ୍ରୋ ଏବଂ ବିମାନବନ୍ଦର ମାଧ୍ୟମରେ ଯୋଡ଼ି ହୋଇନାହିଁ, ବରଂ ଦେଶର ସବୁଠାରୁ ଦୁର୍ଗମ ଅଞ୍ଚଳରେ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ମାଧ୍ୟମରେ ମଧ୍ୟ ସଂଯୋଗ ହୋଇଛି। ସେ ପ୍ରାୟ ୧୪,୫୦୦ ଫୁଟ ଉଚ୍ଚତାରେ 'କ୍ୟୁଆର୍-କୋଡ୍' (QR-code) ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥାର ଉଦାହରଣ ଦେଇ କହିଥିଲେ ଯେ, ଏହା ପ୍ରମାଣିତ କରୁଛି 'ଡିଜିଟାଲ୍ ଇଣ୍ଡିଆ' ସମଗ୍ର ଦେଶରେ ବିଶ୍ୱାସର ଏକ ମାଧ୍ୟମ ପାଲଟିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସେ 'ହୋମ୍-ଷ୍ଟେ' ଡିଜିଟାଲ୍ ପ୍ଲାଟଫର୍ମ ଏବଂ 'ସି ବକ୍ଥର୍ଣ୍ଣ' ଉପାଦାନରୁ ପ୍ରସ୍ତୁତ ସାମଗ୍ରୀ ଜରିଆରେ ଉଦ୍ୟୋଗୀ ହେବାର ସୁଯୋଗ ବିଷୟରେ ଜାଣିବାକୁ ପାଇଲେ। ସେହିପରି 'ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା' ଏବଂ 'ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା' ଉପରେ ହୋଇଥିବା ଆଲୋଚନାରୁ ଜୀବିକା ସୁଯୋଗ ବଢ଼ିଥିବା କହିଥିଲେ। ବର୍ଡର ରୋଡସ ଅର୍ଗାନାଇଜେସନ ଦ୍ବାରା ନିର୍ମିତ ହୋଇଥିବା ଚିକମ୍ ବ୍ରିଜ କିପରି ଯୋଗାଯୋଗ, ପର୍ଯ୍ୟଟନ ଓ ଅର୍ଥନୈତିକ କାରବାରକୁ ବୃଦ୍ଧି କରିଛି ସେ ସଂପର୍କରେ ସେ ଆଲୋକପାତ କରିଥିଲେ। ଏହା ସହିତ ଏହି ଅଞ୍ଚଳରେ ରାତ୍ରୀକାଳୀନ ପର୍ଯ୍ୟଟନର ମଧ୍ୟ ସୁଯୋଗ ଥିବା କଥା ସେ କହିଥିଲେ।
ଦେଶର କୋଣ ଅନୁକୋଣରେ ପ୍ରଯୁକ୍ତିବିଦ୍ୟା ପହଞ୍ଚିଥିବାରୁ ଓ ସ୍ଥାନୀୟ ଉତ୍ପାଦ କିଣିଲେ ନିଯୁକ୍ତି ସୃଷ୍ଟିର ସମ୍ଭାବନା ସହିତ ଜୀବିକା ନିର୍ବାହକୁ ସହଯୋଗ କରିବା ସହିତ ସାରା ଭାରତରେ ଆଞ୍ଚଳିକ ପରିଚୟ ବହନ କରିବାର ସମ୍ଭାବନାକୁ ଲକ୍ଷ୍ୟ କରି ଶ୍ରୀ ମୋଦି ଆହ୍ବାନ ଦେଇଛନ୍ତି, "ଆପଣ ଯେଉଁ ଜାଗାକୁ ବି ଯାଆନ୍ତୁ ସ୍ଥାନୀୟ ଲୋକଙ୍କଠାରୁ ବିଭିନ୍ନ ସାମଗ୍ରୀ କିଣିବାରେ ଆପଣଙ୍କର ଯାତ୍ରା ବଜେଟର ଅତି କମରେ ପାଞ୍ଚ ପ୍ରତିଶତ ଖର୍ଚ୍ଚ କରନ୍ତୁ।"
ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତ ଯୁବ ଅଂଶଗ୍ରହଣକାରୀଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଥିଲେ। ଭାରତର ସୀମାନ୍ତରେ ଥିବା ଗାଁଗୁଡ଼ିକ ସଂପର୍କରେ ଥିବା ପୁରୁଣା ଭ୍ରମ ଦୂର କରି କେମିତି ସେହି ଗାଁଗୁଡ଼ିକର ସ୍ଥିତି ଏବେ ବଦଳିଗଲାଣି ସେ ସଂପର୍କରେ ସିଧାସଳଖ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାରେ, ଦେଶର ସାଂସ୍କୃତିକ ବିବିଧତାକୁ ବୁଝିବାରେ, ବିକାଶ ପ୍ରକ୍ରିୟା ବୁଝିବାରେ, ସାମୁହିକ ଭାବେ ଅଂଶଗ୍ରହଣ କରିବାରେ ଓ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୃଷ୍ଟି କରିବାରେ MYBharat ର ଭୂମିକାକୁ ପ୍ରତିଫଳିତ କରିଛି ଏହି କାର୍ଯ୍ୟକ୍ରମ।