ପୋଷ୍ଟ କରାଯିବା ଦିନାଙ୍କ:
28 OCT 2026 6:41PM by PIB Bhubaneswar
- ସମ୍ମିଳନୀରେ ୧୩୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବାର ଆଶା କରାଯାଉଛି; ବିଶ୍ୱ ନେତା, ନିବେଶକ, ଶିଳ୍ପ ଏବଂ ଉଦ୍ଭାବକମାନେ ଶିଖର ସମ୍ମିଳନୀରେ ହେବେ ଏକାଠି
- ଅଷ୍ଟ୍ରେଲିଆ, ଡେନମାର୍କ, ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡସ୍, ନରୱେ, ସ୍ୱିଡେନ୍, ବ୍ରିଟେନ୍ ଅଂଶୀଦାର ଦେଶ ଭାବରେ କରିବେ ଅଂଶଗ୍ରହଣ
- ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ତେରଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯେଉଁମାନେ ସେମାନଙ୍କର ନବୀକରଣୀୟ ଶକ୍ତି ସମ୍ଭାବନା, ନିବେଶ ସୁଯୋଗ ଏବଂ ଉତ୍ପାଦନ କ୍ଷମତା ପ୍ରଦର୍ଶନ କରିବେ
- ଜାତୀୟ ଏବଂ ବିଶ୍ୱ ପ୍ରଦର୍ଶକମାନେ ନବୀକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ; ପ୍ରମୁଖ ଆକର୍ଷଣ ମଧ୍ୟରେ ଜାତୀୟ ହାକାଥନ୍, ନବୀକରଣୀୟ ଶକ୍ତି କୁଇଜ୍ ଏବଂ ରିଜେନ୍ ପାଭିଲିୟନ୍
|
ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ଆସନ୍ତା ନଭେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ 'ଭାରତ ମଣ୍ଡପମ୍' ଠାରେ 'ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬' ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ନଭେମ୍ବର ୨ ତାରିଖରେ ଏହି ସମ୍ମିଳନୀର ଉଦ୍ଘାଟନ କରିବେ ।
ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ ଷଡ଼ଙ୍ଗୀ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପ୍ରକ୍ରିୟା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଅଣ-ଜୀବାଶ୍ମ ଇନ୍ଧନ ଆଧାରିତ ୩୦୮ ଗିଗାୱାଟ୍ କ୍ଷମତା ସ୍ଥାପନ ସହିତ ଆମେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ର ଲକ୍ଷ୍ୟ ହାସଲ କରିବା ଦିଗରେ ଦୃଢ଼ ପଦକ୍ଷେପ ନେଇ ଆଗକୁ ବଢ଼ୁଛୁ। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ୨୦୨୭ରୁ ୨୦୩୦ ମଧ୍ୟରେ ପ୍ରାୟ ୨୨୦ ବିଲିୟନ ଆମେରିକୀୟ ଡଲାର ନିବେଶର ଆବଶ୍ୟକତା ରହିବ । ଏହା ସହିତ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ତ୍ୱରିତ ପ୍ରସାର, ସୁଦୃଢ଼ ବିଦ୍ୟୁତ୍ ସଞ୍ଚାରଣ ନେଟୱାର୍କ ଏବଂ ଦେଶୀୟ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ ମଧ୍ୟ ଅତ୍ୟନ୍ତ ଜରୁରୀ । ‘ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬’ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଯୋଗାଇବ । ଏହା ବିଶ୍ୱସ୍ତରୀୟ ପୁଞ୍ଜି, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ବିଶେଷଜ୍ଞତାକୁ ଭାରତର ବର୍ଦ୍ଧିତ ସ୍ୱଚ୍ଛ ଶକ୍ତି ସୁଯୋଗଗୁଡ଼ିକ ସହିତ ଯୋଡ଼ିବ। ଏହା ମାଧ୍ୟମରେ ନିବେଶ ସମ୍ଭାବନାକୁ ବିଭିନ୍ନ ପ୍ରକଳ୍ପ, ଭାଗୀଦାରୀ ଏବଂ ପ୍ରଗତିରେ ରୂପାନ୍ତରିତ କରାଯାଇପାରିବ।”
‘ନିବେଶ, ନବସୃଜନ ଓ ପ୍ରେରଣା’ ବିଷୟବସ୍ତୁ ଆଧାରିତ ଏହି ଚାରିଦିନିଆ ସମ୍ମିଳନୀରେ ୧୩୦ରୁ ଅଧିକ ଦେଶର ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃତ୍ୱ, ନିବେଶକ, ଆର୍ଥିକ ସଂସ୍ଥା, ଉତ୍ପାଦକ, ନବସୃଜନକାରୀ, ଗବେଷକ ଏବଂ ବହୁପକ୍ଷୀୟ ସଂଗଠନର ପ୍ରତିନିଧିମାନେ ଯୋଗଦେବା ଆଶା କରାଯାଉଛି। ଏଥିରେ ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିଳ୍ପ ନେତା, ନିବେଶକ, ଆର୍ଥିକ ପ୍ରତିଷ୍ଠାନ, ନିର୍ମାତା, ଉଦ୍ଭାବକ, ଗବେଷକ ଏବଂ ବହୁପକ୍ଷୀୟ ସଂଗଠନର ପ୍ରତିନିଧି ସାମିଲ ହେବେ। ଏହି ଶିଖର ସମ୍ମିଳନୀ ସହିତ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ମହାସଭାର ନବମ ଅଧିବେଶନ ଏବଂ ସବୁଜ ହାଇଡ୍ରୋଜେନ ଉପରେ ଚତୁର୍ଥ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିଜିଏଚ) ମଧ୍ୟ ଆୟୋଜିତ ହେବ। ଏହି ତିନୋଟି କାର୍ଯ୍ୟକ୍ରମ ନବୀକରଣୀୟ ଶକ୍ତି ନିବେଶ, ଅନ୍ତର୍ଜାତୀୟ ସହଯୋଗ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଚ୍ଛ ଶକ୍ତି ନିୟୋଜନ ଉପରେ ଆଲୋଚନା ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ ।
ଅଷ୍ଟ୍ରେଲିଆ, ଡେନମାର୍କ, ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡସ୍, ନରୱେ, ସ୍ୱିଡେନ ଏବଂ ବ୍ରିଟେନ ଅଂଶୀଦାର ଦେଶ ଭାବରେ ଅଂଶଗ୍ରହଣ କରିବେ। ନବୀକରଣୀୟ ଶକ୍ତି ପାଣ୍ଠି, ସବୁଜ ହାଇଡ୍ରୋଜେନ, ଶକ୍ତି ସଂରକ୍ଷଣ, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶରେ ସହଯୋଗ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଅନ୍ୟ ଅନେକ ଦେଶର ପ୍ରତିନିଧିମାନେ ମଧ୍ୟ ସମ୍ମିଳନୀରେ ଯୋଗଦେବାର ଆଶା କରାଯାଉଛି ।
ଭାରତର ତେରଟି ରାଜ୍ୟ ଅଂଶୀଦାର ରାଜ୍ୟ ଭାବରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ନବୀକରଣୀୟ ଶକ୍ତି ସମ୍ଭାବନା, ନିବେଶ ସୁଯୋଗ, ନୀତିଗତ ପଦକ୍ଷେପ ଏବଂ ଉତ୍ପାଦନ କ୍ଷମତା ପ୍ରଦର୍ଶନ କରିବେ । ଅନ୍ୟାନ୍ୟ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ମଧ୍ୟ ନବୀକରଣୀୟ ଶକ୍ତି ବିକାଶ ଏବଂ ନିବେଶ ପାଇଁ ସୁଯୋଗ ଉପରେ ଆଲୋକପାତ କରିବେ ।
ଭାରତ ନବୀକରଣୀୟ ଶକ୍ତି ଏବଂ ସୌର ଶକ୍ତି ସ୍ଥାପିତ କ୍ଷମତାରେ ବିଶ୍ୱ ସ୍ତରରେ ତୃତୀୟ ଏବଂ ପବନ ଶକ୍ତି କ୍ଷମତାରେ ଚତୁର୍ଥ ସ୍ଥାନରେ ରହିଛି । ଦେଶ ଏବେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ବ୍ଲୁମବର୍ଗ ଏନଇଏଫ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୪-ଜୁନ୍ ୨୦୨୬ ମଧ୍ୟରେ ଭାରତ ନବୀକରଣୀୟ ଶକ୍ତି କ୍ଷେତ୍ରରେ ୬୩.୭ ବିଲିୟନ ଡଲାର ନିବେଶ କରିଛି। ଏହି ଧାରାକୁ ଆଗେଇ ନେବା ସହ ନବୀକରଣୀୟ ଶକ୍ତି ସମ୍ମିଳନୀ ବିଶ୍ୱ ନୀତି ନିର୍ଦ୍ଧାରକ, ନିବେଶକ, ଶିଳ୍ପ ନେତା ଏବଂ ନବସୃଜନକାରୀଙ୍କୁ ଏକତ୍ରିତ କରିବ । ଫଳରେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରାଯାଇପାରିବ, ନିବେଶକୁ ସକ୍ରିୟ କରାଯାଇପାରିବ ଏବଂ ନବୀକରଣୀୟ ଶକ୍ତି ନିୟୋଜନକୁ ତ୍ୱରାନ୍ୱିତ କରାଯାଇପାରିବ, ବିଶେଷକରି ବିକାଶଶୀଳ ଅର୍ଥବ୍ୟବସ୍ଥା ଏବଂ ଗ୍ଲୋବାଲ ସାଉଥ୍ ଦେଶ କ୍ଷେତ୍ରରେ । ଏହି ଚାରି ଦିନିଆ ସମ୍ମିଳନୀରେ ଉଚ୍ଚସ୍ତରୀୟ ଆଲୋଚନାଚକ୍ର, ମନ୍ତ୍ରୀସ୍ତରୀୟ ଆଲୋଚନା, ସିଇଓ ଗୋଲଟେବୁଲ ଏବଂ ଅର୍ଥ, ନୀତି, ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ଉପରେ କେନ୍ଦ୍ରିତ ଦେଶ ଓ ରାଜ୍ୟସ୍ତରୀୟ ଅଧିବେଶନ ଅନୁଷ୍ଠିତ ହେବ। ଆଲୋଚନାରେ ସ୍ୱଚ୍ଛ ଶକ୍ତି ନିବେଶ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ଶକ୍ତି ସଂରକ୍ଷଣ ଏବଂ କର୍ମଶକ୍ତି ବିକାଶକୁ ସାମିଲ କରାଯିବ । ଏଥିରେ ପ୍ରଯୁକ୍ତିବିଦ୍ୟା ବିନିମୟ, ବ୍ୟାପକ ସମାଧାନ ଏବଂ ବିଶ୍ୱ ଶକ୍ତି ପରିବର୍ତ୍ତନରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ଓ ନେତୃତ୍ୱ ଉପରେ ଗୁରୁତ୍ୱ ଦିଆଯିବ ।
ଏହି ସମ୍ମିଳନୀ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ ସୌର ମେଣ୍ଟର ନବମ ଅଧିବେଶନ ଗ୍ଲୋବାଲ୍ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକରେ ଏହାର ସଫଳ ନୀତି, ପ୍ରଯୁକ୍ତିବିଦ୍ୟା ଏବଂ କାର୍ଯ୍ୟକାରିତା ମଡେଲଗୁଡ଼ିକୁ ନେଇ ସୌର ଶକ୍ତିକୁ ଆଗକୁ ବଢାଇବାରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ମଜବୁତ କରିବ। ଆଇଏସଏ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବରେ ଏହି ସଭା ସ୍ୱାକ୍ଷରକାରୀ ଏବଂ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀ ଏବଂ ପ୍ରତିନିଧିମାନେ ଏକାଠି କରିବ । ସେମାନେ ସୌର ଶକ୍ତି ନିୟୋଜନ, ଆର୍ଥିକ ପ୍ରଗତି ଏବଂ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ସ୍ଥିର କରିବେ ଏବଂ ସାମୂହିକ କାର୍ଯ୍ୟକୁ ଆଗେଇ ନେବେ । ପିଏମ-କୁସୁମ ଏବଂ ପିଏମ ସୂର୍ଯ୍ୟ ଘର ଭଳି ପ୍ରମୁଖ ପଦକ୍ଷେପ ସହିତ ଭାରତର ଅଭିଜ୍ଞତାକୁ ଆଧାର କରି, ଆଇଏସଏ ଦେଶ-ନେତୃତ୍ୱାଧୀନ କାର୍ଯ୍ୟକ୍ରମ, ନିବେଶ ଗତିଶୀଳତା ଏବଂ ସଂସ୍ଥାଗତ ସହଭାଗୀତା ମାଧ୍ୟମରେ ବ୍ୟବହାରିକ ସମାଧାନ ଗ୍ରହଣ ଏବଂ ବିସ୍ତାର କରିବାରେ ବିଭିନ୍ନ ଦେଶକୁ ସାହାଯ୍ୟ ମିଳୁଛି ଏବଂ ଏହାଦ୍ୱାରା ବିଶ୍ୱ ସ୍ତରରେ ଭାରତର ନବୀକରଣୀୟ ଶକ୍ତି ସଫଳତାର ପ୍ରକୃତ ଲାଭ ମିଳିପାରୁଛି ।
ଏହା ସହ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀରେ ଭାରତ ଏବଂ ବିଦେଶର ୪୦୦ରୁ ଅଧିକ ଅଗ୍ରଣୀ ନିର୍ମାତା, ଡେଭଲପର, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ, ସରକାରୀ ଓ ଘରୋଇ କ୍ଷେତ୍ରର କମ୍ପାନୀ, ଷ୍ଟାର୍ଟଅପ୍ ଏବଂ ଗବେଷଣା ପ୍ରତିଷ୍ଠାନ ସାମିଲ ହେବେ। ପ୍ରଦର୍ଶନୀ ନବୀକରଣୀୟ ଶକ୍ତି କ୍ଷେତ୍ରରେ ପ୍ରଗତିଶୀଳ ପ୍ରଯୁକ୍ତିବିଦ୍ୟା ଓ ସମାଧାନ ପ୍ରଦର୍ଶନ କରିବ ଏବଂ ବ୍ୟବସାୟିକ ନେଟୱାର୍କିଂ, ନିବେଶ ସୁବିଧା ଓ ପ୍ରଯୁକ୍ତିବିଦ୍ୟା ସହଭାଗୀତା ପାଇଁ ସୁଯୋଗ ପ୍ରଦାନ କରିବ ।
ଏହି ସମ୍ମିଳନୀରେ ଭାରତ ନବୀକରଣୀୟ ଶକ୍ତି ହାକାଥନ୍ ୨୦୨୬ର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ ଏବଂ ପୁରସ୍କାର ଦିଆଯିବ । ଏହି ପ୍ରାକ୍ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ଗବେଷକ ଏବଂ ଉଦ୍ଭାବକମାନେ ଅଂଶଗ୍ରହଣ କରିବା ସହିତ ଦୁଇଟି ବର୍ଗରେ ଦଶଟି ବାସ୍ତବ ଦୁନିଆର ନବୀକରଣୀୟ ଶକ୍ତି ଆହ୍ୱାନର ସମାଧାନ ବିକଶିତ କରିଥିଲେ । ଏହି ଦୁଇଟି ବର୍ଗ ଥିଲା- ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ ଅଭିବୃଦ୍ଧି ପର୍ଯ୍ୟାୟ ।
ଦେଶବ୍ୟାପୀ ଆଞ୍ଚଳିକ ରାଉଣ୍ଡ ମାଧ୍ୟମରେ ଆୟୋଜିତ ଆରଇ ଜାତୀୟ ନବୀକରଣୀୟ ଶକ୍ତି କୁଇଜ୍ ୨୦୨୬ର ଉଦଯାପନୀ କାର୍ଯ୍ୟକ୍ରମ ବା ଗ୍ରାଣ୍ଡ ଫିନାଲେ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ । ଆରଇଜେନ୍ ପାଭିଲିୟନ୍ ଛାତ୍ରଛାତ୍ରୀ, ଯୁବ ଉଦ୍ଭାବକ, ଉଦ୍ୟୋଗୀ ଏବଂ ଗବେଷକମାନଙ୍କୁ ନିଜର ଉପାୟ ପ୍ରଦର୍ଶନ କରିବା ଏବଂ ଶିଳ୍ପ ନେତାଙ୍କ ସହ ଜଡିତ ହେବା ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ପ୍ରଦାନ କରିବ।
ଏହି ଶିଖର ସମ୍ମିଳନୀ ବିଟୁବି, ବିଟୁଜି ଓ ଜିଟୁଜି ସମ୍ପର୍କ ପ୍ରଦାନ କରିବ, ଯାହା ନିବେଶକ, ନିର୍ମାତା, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ନିବେଶ ସୁଯୋଗ, ସହଭାଗୀତା ଏବଂ ପ୍ରକଳ୍ପ ବିକାଶ ଲାଗି ଅନୁସନ୍ଧାନର ସୁଯୋଗ ଦେବ ।
ଅଧିକ ବିବରଣୀ ପାଇଁ, www.bresummit.in ପରିଦର୍ଶନ କରନ୍ତୁ ।
******
PS