ଶିକ୍ଷା ମନ୍ତ୍ରଣାଳୟ
‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ଶ୍ରୀ ପ୍ରହ୍ଲାଦ ଯୋଶୀ
ମାନବୀୟ ଆବଶ୍ୟକତାରୁ ଜନ୍ମ ନେଇଥିବା ନବସୃଜନ ହିଁ ‘ସେବା’: ଶ୍ରୀ ପ୍ରହ୍ଲାଦ ଯୋଶୀ
ଆଇଆଇଏସସି ବେଙ୍ଗାଲୁରୁରେ ‘ସେବା ଫାର୍ଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜ’ର ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 4:01PM by PIB Bhubaneswar
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଯୁବସମାଜକୁ ‘ସେବା’ ମନୋଭାବରେ ନବୋନ୍ମେଷକୁ ଯୋଡ଼ି ବାସ୍ତବ ଜୀବନର ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ବ୍ୟାବହାରିକ, ସମ୍ପ୍ରସାରଣଯୋଗ୍ୟ ସମାଧାନ ବିକଶିତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ବିକଶିତ ଭାରତ, ୨୦୪୭ର ସଂକଳ୍ପକୁ ପୂରଣ କରିବାରେ ସେମାନଙ୍କର ଅଂଶଗ୍ରହଣ ଏବଂ ଯୋଗଦାନକୁ ସକ୍ଷମ କରିବ। ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି), ବେଙ୍ଗାଲୁରୁଠାରେ ଦକ୍ଷିଣ ଜୋନ୍ ପାଇଁ 'ସେବା ଫାର୍ଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜ' (ଏସ୍ଏଫ୍ଆଇସି) ର ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ୱେବସାଇଟ୍ ଏବଂ ପଞ୍ଜୀକରଣ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି।


ମନ୍ତ୍ରୀ କହିଛନ୍ତି, "ସେବା କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ।" ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ସମସ୍ୟାକୁ ବୁଝିବା ଏବଂ ବୃହତ ସ୍ତରରେ ଏହାର ନିରାକରଣ ପାଇଁ ଏକ ନବୋନ୍ମେଷୀ ସମାଧାନ ଖୋଜିବା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ପରିପ୍ରକାଶ ଅଟେ। ଭାରତର ଜନସାଂଖ୍ୟିକ ଲାଭାଂଶ ଉପରେ ଆଲୋକପାତ କରି ଶ୍ରୀ ଯୋଶୀ ଉଲ୍ଲେଖ କରିଛନ୍ତି ଯେ ଭାରତର ପ୍ରାୟ ୬୫ ପ୍ରତିଶତ ଜନସଂଖ୍ୟା ୩୫ ବର୍ଷରୁ କମ୍। ସେ କହିଛନ୍ତି ଯେ ଭାରତ ପାଖରେ ଏପରି ଏକ ପିଢ଼ି ଅଛି ଯିଏ କୌତୂହଳୀ, ଆତ୍ମବିଶ୍ୱାସୀ ଏବଂ ପ୍ରଯୁକ୍ତିବିଦ୍ୟାକୁ ସହଜରେ ଆପଣାଇଛନ୍ତି। ଯୁବକମାନଙ୍କୁ ତାଙ୍କ ସେହି କୌତୂହଳକୁ ଉପଯୋଗୀ କାର୍ଯ୍ୟରେ ପରିଣତ କରିବାର ସୁଯୋଗ ଦେବାର ଦାୟିତ୍ୱ ଆମର ରହିଛି ବୋଲି ସେ କହିଛନ୍ତି।
ଜାତୀୟ ଶିକ୍ଷା ନୀତି ୨୦୨୦ର ଭୂମିକା ଏବଂ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ଶ୍ରୀ ଯୋଶୀ କହିଛନ୍ତି ଯେ ଏହି ନୀତି ସମାଲୋଚନାଧର୍ମୀ ଚିନ୍ତନ, ସୃଜନଶୀଳତା, ଅନୁଭୂତିରୁ ଶିକ୍ଷଣ ଏବଂ ସମସ୍ୟା ସମାଧାନକୁ ଶିକ୍ଷାର କେନ୍ଦ୍ରବିନ୍ଦୁରେ ରଖିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପାଇଁ କମ୍ ବୟସରୁ ପରୀକ୍ଷଣ, ନିର୍ମାଣ ଏବଂ ନବୋନ୍ମେଷକୁ ସୁଯୋଗରେ ପରିଣତ କରାଯାଉଛି। ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍, ୧୭,୩୦୦ରୁ ଅଧିକ ଇନଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନସିଲ୍ ଏବଂ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ ଭଳି ପଦକ୍ଷେପ ମାଧ୍ୟମରେ ଏକ ମଜବୁତ ନବୋନ୍ମେଷ ତନ୍ତ୍ର ବା ଇକୋ ସିଷ୍ଟମ ଗଢ଼ିତୋଳିବା ପାଇଁ ସରକାରଙ୍କ ଉଦ୍ୟମକୁ ମଧ୍ୟ ସେ ଏଠାରେ ଉପସ୍ଥାପନ କରିଥିଲେ।
ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସେବା ମନୋଭାବ ଦ୍ୱାରା ପରିଚାଳିତ ନବୋନ୍ମେଷ, ବିକଶିତ ଭାରତ @୨୦୪୭ର ସଂକଳ୍ପରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବ। ଏହି ଚ୍ୟାଲେଞ୍ଜରୁ ସଫଳ ଭାବେ ବାହାରୁଥିବା ଯୁବ ନବୋନ୍ମେଷକମାନଙ୍କ ସହ ଯୋଡ଼ିହେବା ପାଇଁ ସେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗ ସହଯୋଗୀମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଭବିଷ୍ୟତର ମାର୍ଗଦର୍ଶନ, ଗ୍ରହଣୀୟତା ଏବଂ ଆଶାଜନକ ସମାଧାନର ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ଏସ୍ଏଫ୍ଆଇସି ୱେବସାଇଟ୍ ମାଧ୍ୟମରେ ଏକ ଜାତୀୟ ଭଣ୍ଡାର ସୃଷ୍ଟି କରିବାକୁ ସେ ଉତ୍ସାହିତ କରିଛନ୍ତି। ସେ ଆଇଆଇଏସସି ବେଙ୍ଗାଲୁରୁ, ଅଂଶଗ୍ରହଣକାରୀ ସଂସ୍ଥା, ଅଧ୍ୟାପକ ବୃନ୍ଦ, ଷ୍ଟାର୍ଟ-ଅପ୍ ଏବଂ ଏହି ପଦକ୍ଷେପ ସହିତ ଜଡ଼ିତ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ଦେଶବ୍ୟାପୀ ସର୍ବୋତ୍ତମ ସମାଧାନଗୁଡ଼ିକୁ ଡିସେମ୍ବର ୨୦୨୬ରେ ନୂଆଦିଲ୍ଲୀଠାରେ ହେବାକୁ ଥିବା ଜାତୀୟ ଫାଇନାଲରେ ଦେଖିବାକୁ ଆଶା ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆଇଆଇଏସସି ବେଙ୍ଗାଲୁରୁ ଦକ୍ଷିଣ ଜୋନ୍ ନୋଡାଲ୍ ଇନଷ୍ଟିଚ୍ୟୁଟ୍ ଭାବରେ କାର୍ଯ୍ୟ କରିବ, ଯାହା କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ବୈଷୟିକ ମୂଲ୍ୟାଙ୍କନ ଏବଂ ମାର୍ଗଦର୍ଶନକୁ ସମର୍ଥନ କରିବ।
ଏସ୍ଏଫ୍ଆଇସି ପାଞ୍ଚଟି ଜାତୀୟ ବିଷୟବସ୍ତୁ ଯେମିତି ୧. ସ୍ୱଚ୍ଛ ଏବଂ ସୁସ୍ଥିର ଭାରତ, ୨. ସମୃଦ୍ଧ କୃଷକ, ସମୃଦ୍ଧ ଭାରତ, ୩. ସୁସ୍ଥ ଏବଂ ଅନ୍ତର୍ଭୁକ୍ତିମୂଳକ ଭାରତ, ୪. ଶିକ୍ଷିତ ଏବଂ କୁଶଳୀ ଭାରତ ଏବଂ ୫. ସୁରକ୍ଷିତ ଭାରତ ଏବଂ ଦୁଇଟି ସମାଧାନ ଟ୍ରାକ୍: ଟ୍ରାକ୍ ଏ - ଉତ୍ପାଦ କିମ୍ବା ପ୍ରଯୁକ୍ତିବିଦ୍ୟା ସମାଧାନ ଏବଂ ଟ୍ରାକ୍ ବି - ବ୍ୟବସାୟିକ ମଡେଲ୍ କିମ୍ବା ଶାସନ ସମାଧାନ ମାଧ୍ୟମରେ ସ୍କୁଲ, ଆଇଟିଆଇ, ପୋଲିଟେକ୍ନିକ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ନବୋନ୍ମେଷକମାନଙ୍କୁ ଏକତ୍ରିତ କରିବ। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ମାର୍ଗଦର୍ଶନ, ଇନକ୍ୟୁବେସନ୍ ଏବଂ ବାସ୍ତବ ଜୀବନରେ ଗ୍ରହଣ କରିବାର ମାର୍ଗ ମାଧ୍ୟମରେ ଆଶାଜନକ ବିଚାରଗୁଡ଼ିକୁ କେବଳ ଆବେଦନ ମଧ୍ୟରେ ସୀମିତ ନରଖି ଆଗକୁ ନେବା। ଏହି ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨୪, ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ, ଏବଂ ଜାତୀୟ ଫାଇନାଲ୍ ଡିସେମ୍ବର ୨୦୨୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।
ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି), ବେଙ୍ଗାଲୁରୁର ନିର୍ଦ୍ଦେଶକ ପ୍ରଫେସର ଗୋବିନ୍ଦନ୍ ରଙ୍ଗରାଜନ୍; ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଆନନ୍ଦରାଓ ଭି. ପାଟିଲ; ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଚିବ ପ୍ରଫେସର ଶ୍ୟାମା ରଥ, ଏନଆଇଟି ଏବଂ ଅନ୍ୟାନ୍ୟ ସଂସ୍ଥାର ନିର୍ଦ୍ଦେଶକ ଓ ପ୍ରତିନିଧି; ଅଧ୍ୟାପକ ବୃନ୍ଦ; ଉଦ୍ୟୋଗ ଏବଂ ଷ୍ଟାର୍ଟ-ଅପ୍ ପାରିପାର୍ଶ୍ୱିକ ତନ୍ତ୍ରର ପ୍ରତିନିଧି; ଛାତ୍ରଛାତ୍ରୀ ଏବଂ ଯୁବ ନବୋନ୍ମେଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅଧିକ ବିବରଣୀ ପାଇଁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ: https://sevafirst.mic.gov.in/
(ରିଲିଜ ଆଡି: 2315201)
ପରିଦର୍ଶକ କାଉଣ୍ଟର : 3