ଆୟୁଷ
azadi ka amrit mahotsav

ଦେଶ ଓ ବିଶ୍ୱବ୍ୟାପୀ ଭାବେ ପାଳିତ ହେଲା ୧୧ତମ ଆୟୁର୍ବେଦ ଦିବସ; ନାଗପୁରରେ ଭବ୍ୟ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ


ଆୟୁର୍ବେଦ ଦିବସ ସମାରୋହରେ ପ୍ରମାଣଭିତ୍ତିକ ଗବେଷଣା, ନବସୃଜନ ଓ ସୁସ୍ଥ ଜୀବନଶୈଳୀ ଉପରେ ଗୁରୁତ୍ୱ

ପରମ୍ପରାରୁ ପ୍ରମାଣ ଓ ନବସୃଜନ ପର୍ଯ୍ୟନ୍ତ ଆୟୁର୍ବେଦର ଯାତ୍ରା ଭବିଷ୍ୟତ ପିଢ଼ିର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବ: ପ୍ରଧାନମନ୍ତ୍ରୀ

ସୁସ୍ଥ ଜୀବନଶୈଳୀ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ଜନଆନ୍ଦୋଳନ କରିବାକୁ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2026 3:48PM by PIB Bhubaneswar

ଦେଶ ତଥା ସମଗ୍ର ବିଶ୍ୱରେ ୧୧ତମ ଆୟୁର୍ବେଦ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥିଲା। ମହାରାଷ୍ଟ୍ରର ନାଗପୁରରେ ଏକ ଭବ୍ୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା "ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ"। ଏହି କାର୍ଯ୍ୟକ୍ରମ ସମୟରେ ଆୟୁଷ ସେବା କ୍ଷେତ୍ର ଉପରେ ଏକ ରିପୋର୍ଟ ଏବଂ "ଆୟୁଷ ଭିଜନ୍ ୨୦୩୦" ସମେତ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଓ ଦସ୍ତାବିଜ୍‌ଗୁଡ଼ିକ ଉନ୍ମୋଚନ କରାଯାଇଥିଲା। ଏହା ବ୍ୟତୀତ, ସିସିଆରଏଏସ୍- ଏଜିଏନଆଇ ୱେବ୍ ପୋର୍ଟାଲ୍ ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟସେବା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁର୍ବେଦର ଭୂମିକା ଏବଂ ୨୦୪୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିବା ପାଇଁ ବୈଜ୍ଞାନିକ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏକ ବାର୍ତ୍ତା ପାଠ କରାଯାଇଥିଲା। ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରମ୍ପରାଠାରୁ ଆରମ୍ଭ କରି ଜ୍ଞାନ, ପ୍ରମାଣ ଏବଂ ନବସୃଜନ ପର୍ଯ୍ୟନ୍ତ ଆୟୁର୍ବେଦର ଯାତ୍ରା ଭବିଷ୍ୟତ ପିଢ଼ିର ସ୍ୱାସ୍ଥ୍ୟ ଓ କଲ୍ୟାଣ ସୁନିଶ୍ଚିତ କରିବାରେ ସହାୟକ ହେବ। ସେ ଉଲ୍ଲେଖ କରିଥିଲେ ଯେ ଆୟୁର୍ବେଦର ସ୍ୱୀକୃତି ଭାରତର ସୀମା ଅତିକ୍ରମ କରିଛି ଏବଂ ବର୍ତ୍ତମାନ ବିଦେଶୀ ନାଗରିକମାନେ ଆୟୁଷ ଭିସା ସୁବିଧା ମାଧ୍ୟମରେ ଭାରତରେ ଆୟୁଷ ପଦ୍ଧତି ଅନୁଯାୟୀ ଚିକିତ୍ସା ସେବା ଗ୍ରହଣ କରିପାରିବେ। ଶକ୍ତିର ସାଧନାର ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିକଶିତ ଭାରତ ହେବା ଦିଗରେ କ୍ରମାଗତ ଭାବେ ଅଗ୍ରସର ହେଉଛି। ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆୟୁର୍ବେଦ ସହ ଜଡ଼ିତ ଅନୁଷ୍ଠାନ, ବିଶେଷଜ୍ଞ ଏବଂ ଯୁବବର୍ଗ ଏହି ସମୃଦ୍ଧ ପରମ୍ପରାକୁ ନୂତନ ଶିଖରକୁ ନେଇଯିବେ ଏବଂ ଏକ ସୁସ୍ଥ, ସକ୍ଷମ ତଥା ସଶକ୍ତ ରାଷ୍ଟ୍ର ଗଠନରେ ଯୋଗଦାନ କରିବେ।

ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା; ସେଣ୍ଟ୍ରାଲ୍ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ୍ ସାଇନ୍ସେସ୍ (ସିସିଆରଏଏସ୍)ର ମହାନିର୍ଦ୍ଦେଶକ ପ୍ରଫେସର (ବୈଦ୍ୟ) ରବିନାରାୟଣ ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଦବ ଆୟୁର୍ବେଦକୁ ଭାରତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, "ସ୍ୱାସ୍ଥ୍ୟର ମୁଖ୍ୟ କେନ୍ଦ୍ର ଡାକ୍ତରଖାନା ନୁହେଁ, ବରଂ ଆମ ଘର; ସ୍ୱାସ୍ଥ୍ୟର ମୂଳ ଆଧାର ଔଷଧ ନୁହେଁ, ବରଂ ଆମର ଜୀବନଶୈଳୀ।" 'ସ୍ୱସ୍ଥସ୍ୟ ସ୍ୱାସ୍ଥ୍ୟ ରକ୍ଷଣମ୍, ଆତୁରସ୍ୟ ବିକାର ପ୍ରଶମନମ୍' (ସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀଙ୍କ ରୋଗ ଦୂର କରିବା) ନୀତିର ଉଲ୍ଲେଖ କରି ସେ କହିଥିଲେ ଯେ ଆୟୁର୍ବେଦ ଚିକିତ୍ସା ସହିତ ସ୍ୱାସ୍ଥ୍ୟ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ଜୀବନଶୈଳୀ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ବର୍ତ୍ତମାନର ସମୟରେ ଏହି ଦୃଷ୍ଟିକୋଣ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି।

ଶ୍ରୀ ପ୍ରତାପରାଓ ଯାଦବ ପାରମ୍ପରିକ ଚିକିତ୍ସା ପଦ୍ଧତିର ଆନ୍ତର୍ଜାତୀୟକରଣ ଦିଗରେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ; ଯେପରିକି ଡବ୍ଲୁଏଚଓ ର 'ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ୍ ମେଡିସିନ୍' (ଆଇଟିଆରଏ, ଜାମନଗର) କୁ 'ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ' ଭାବେ ସ୍ୱୀକୃତି ପ୍ରଦାନ ଏବଂ ଡବ୍ଲୁଏଚଓ ର ଆଇସିଡି-୧୧ ବର୍ଗୀକରଣରେ ଆୟୁର୍ବେଦ, ସିଦ୍ଧ ଓ ୟୁନାନୀ ପଦ୍ଧତିର ଅନ୍ତର୍ଭୁକ୍ତି। ସେ ପରମ୍ପରା ସହିତ ଜ୍ଞାନ, ପ୍ରମାଣ ଏବଂ ନବସୃଜନର ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ 'ଆୟୁର୍ବେଦ ଦିବସ' କେବଳ ଏକ ବାର୍ଷିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି, ସୁସ୍ଥ ଜୀବନଶୈଳୀ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବ୍ୟାପକ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ ହେବା ଉଚିତ୍।

ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଗୁରୁତ୍ୱାରୋପ କରିଥିଲେ ଯେ ଆୟୁର୍ବେଦର ଭବିଷ୍ୟତ ଏହାର ପାରମ୍ପାରିକ ଜ୍ଞାନକୁ ବୈଜ୍ଞାନିକ ପ୍ରମାଣ, ନବସୃଜନ ଏବଂ ଜନସ୍ୱାସ୍ଥ୍ୟ ଫଳାଫଳ ସହିତ ସମନ୍ୱିତ କରିବା ଉପରେ ନିର୍ଭର କରେ। ସେ ଆୟୁର୍ବେଦ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି କରିବା ସହିତ ଗବେଷଣା, ଗୁଣବତ୍ତା, ସୁରକ୍ଷା ଏବଂ ମାନକୀକରଣକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ ଜାମନଗରସ୍ଥିତ 'ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ୍ ମେଡିସିନ୍', ଆୟୁଷ ଗବେଷଣା ପୋର୍ଟାଲରେ ୪୩,୦୦୦ରୁ ଅଧିକ ଗବେଷଣା ପ୍ରକାଶନ, ୨୦୦ରୁ ଅଧିକ ବିଆଇଏସ୍ ମାନକ ଏବଂ ଆୟୁଷ କ୍ୱାଲିଟି ମାର୍କ ଭଳି ଗୁରୁତ୍ୱପୂର୍ଣ୍ଣ ସଫଳତାଗୁଡ଼ିକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ହେଉଛି ଆୟୁଷ ବ୍ୟବସ୍ଥାକୁ ଅଧିକ ବୈଜ୍ଞାନିକ, ପ୍ରମାଣ-ଭିତ୍ତିକ ଏବଂ ବିଶ୍ୱସ୍ତରୀୟ ସ୍ତରରେ ପ୍ରାସଙ୍ଗିକ କରିବା।

ଏହି କାର୍ଯ୍ୟକ୍ରମ ସମୟରେ ଗୋଖରୁ (ଟ୍ରିବୁଲସ୍ ଟେରେଷ୍ଟ୍ରିସ୍) ଏବଂ ଚନ୍ଦ୍ରଶୂର (ଲେପିଡିୟମ ସାଟିଭମ୍) ସମ୍ବନ୍ଧୀୟ ସୁରକ୍ଷା ତଥ୍ୟାବଳୀ ତଥା ଚର୍ମ ରୋଗ ପାଇଁ ମାନକ ଚିକିତ୍ସା ନିର୍ଦ୍ଦେଶାବଳୀ ଉନ୍ମୋଚିତ ହୋଇଥିଲା। ଏହା ବ୍ୟତୀତ, ଆୟୁଷ ସେବା କ୍ଷେତ୍ର ଉପରେ ପ୍ରଥମ ରିପୋର୍ଟ ମଧ୍ୟ ଜାରି କରାଯାଇଥିଲା। ରିସର୍ଚ୍ଚ ଆଣ୍ଡ ଇନଫର୍ମେସନ୍ ସିଷ୍ଟମ୍ ଫର୍ ଡେଭଲପିଙ୍ଗ୍ କଣ୍ଟ୍ରିଜ୍ (ଆରଆଇଏସ୍) ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ଆୟୁଷ ସେବା କ୍ଷେତ୍ରର ଏକ ଆକଳନ ଉପସ୍ଥାପନ କରେ।

ଏହି କାର୍ଯ୍ୟକ୍ରମରେ "ପାରମ୍ପାରିକ ଜ୍ଞାନରୁ ବିଶ୍ୱସ୍ତରୀୟ ନେତୃତ୍ୱ: ଆୟୁଷ ଭିଜନ୍ ୨୦୩୦" - ଯାହା ଭାରତରେ ଆୟୁଷ ସମ୍ବନ୍ଧୀୟ ଉଦ୍ଭାବନ ଉପରେ ଏକ ସ୍ଥିତି ରିପୋର୍ଟ ଅଟେ - ଏବଂ ସିସିଆରଏଏସ୍- ଏଜିଏନଆଇ ଆସେସମେଣ୍ଟ ସ୍କେଲ୍ ୱେବ୍ ପୋର୍ଟାଲ୍ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ଗବେଷଣା, ତଥ୍ୟ ଲିପିବଦ୍ଧକରଣ, ନବସୃଜନ, ଚିକିତ୍ସା ସମ୍ବନ୍ଧୀୟ ମାର୍ଗଦର୍ଶିକା ଏବଂ ଆୟୁର୍ବେଦିକ ଜ୍ଞାନକୁ ବ୍ୟବସ୍ଥିତ ଭାବେ ବାସ୍ତବ ପ୍ରୟୋଗରେ ପରିଣତ କରିବା ପ୍ରକ୍ରିୟାକୁ ସୁଦୃଢ଼ କରିବା।

ଏହା ବ୍ୟତୀତ, ଆୟୁଷ ମନ୍ତ୍ରଣାଳୟର ସଚିବ ଚାରୋଟି ଯୋଗ୍ୟ ଶିଳ୍ପ ସଂସ୍ଥାକୁ ଆୟୁଷ କ୍ୱାଲିଟି ମାର୍କ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହା ଆୟୁଷ କ୍ଷେତ୍ରରେ ଗୁଣବତ୍ତା ଏବଂ ମାନକୀକରଣ ଉପରେ ଦିଆଯାଉଥିବା ଗୁରୁତ୍ୱକୁ ଦର୍ଶାଉଛି।

ଏହି କାର୍ଯ୍ୟକ୍ରମ ସମୟରେ ଦୁଇଟି ବୈଜ୍ଞାନିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ୱାସ୍ଥ୍ୟସେବା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁର୍ବେଦର ବଦଳୁଥିବା ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜାମନଗରସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର 'ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ୍ ମେଡିସିନ୍'ର ୟୁନିଟ୍ ମୁଖ୍ୟ ଡକ୍ଟର ଜି. ଗୀତାକୃଷ୍ଣନ୍ ପିଲ୍ଲାଇ, "ଶାଶ୍ୱତମ୍ ସେ ବିଶ୍ୱାସ୍ – ଏକ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ ଏବଂ ୨୦୪୭ ପାଇଁ ପଥ" ଶୀର୍ଷକ ପ୍ରଥମ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ଆୟୁର୍ବେଦର ଭବିଷ୍ୟତ ଦିଗ, ପ୍ରମାଣ ସଂଗ୍ରହ ଏବଂ ୨୦୪୭ ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ ଏହାର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ 'ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିଆରୀ ସାଇନ୍ସେସ୍' (ଆଇଏଲବିଏସ୍)ର ନିର୍ଦ୍ଦେଶକ ଡକ୍ଟର ଶିବ କୁମାର ସାରିନ୍, "୨୦୨୭ ସୁଦ୍ଧା ଅଣସଂକ୍ରାମକ ରୋଗର ବୋଝ ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ" ଶୀର୍ଷକ ଦ୍ୱିତୀୟ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ଅଣସଂକ୍ରାମକ ରୋଗର ବୃଦ୍ଧି ପାଉଥିବା ସମସ୍ୟାର ମୁକାବିଲା ପାଇଁ ଏକ ସମନ୍ୱିତ ଚିକିତ୍ସା ପଦ୍ଧତିର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।

ବୈଜ୍ଞାନିକ ଆଲୋଚନା ପରେ, ଜୟପୁରସ୍ଥିତ 'ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ'ର କୁଳପତି ପ୍ରଫେସର ସଞ୍ଜୀବ ଶର୍ମା ସମଗ୍ର କାର୍ଯ୍ୟକ୍ରମର ସାରାଂଶ ଉପସ୍ଥାପନ କରିଥିଲେ। ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡମାର୍କର କଣ୍ଟ୍ରୋଲର୍ ଜେନେରାଲ୍ ପ୍ରଫେସର (ଡକ୍ଟର) ଉନ୍ନତ ପି. ପଣ୍ଡିତ, ଭାରତରେ ଆୟୁଷ ସମ୍ବନ୍ଧୀୟ ଉଦ୍ଭାବନ ଉପରେ ପ୍ରସ୍ତୁତ ରିପୋର୍ଟ ସମ୍ପର୍କରେ ନିଜର ମତାମତ ରଖିଥିଲେ। ଏହି ସମୟରେ, ଆୟୁଷ ମନ୍ତ୍ରଣାଳୟର ପରାମର୍ଶଦାତା (ଆୟୁର୍ବେଦ) ଡକ୍ଟର ଏ. ରଘୁ ଚର୍ମ ରୋଗ ପାଇଁ ମାନକ ଚିକିତ୍ସା ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ, ଆୟୁଷ ପରିଷଦ ଏବଂ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ସହିତ - ମନ୍ତ୍ରଣାଳୟର ବରିଷ୍ଠ ପରିସଂଖ୍ୟାନ ପରାମର୍ଶଦାତା ଶ୍ରୀ ସତ୍ୟଜିତ ପୌଲ୍ ଏବଂ ବିକାଶଶୀଳ ଦେଶମାନଙ୍କ ପାଇଁ ଗବେଷଣା ଏବଂ ସୂଚନା ପ୍ରଣାଳୀ (ଆରଆଇଏସ)ର ମହାନିର୍ଦ୍ଦେଶକ ପ୍ରଫେସର ସଚିନ କୁମାର ଶର୍ମା - ଉପସ୍ଥିତ ଥିଲେ।

ଏହି ସ୍ଥାନରେ ଏକ ଜାତୀୟ ଔଷଧୀୟ ଉଦ୍ଭିଦ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପ୍ରତିଷ୍ଠାନଗୁଡ଼ିକର ଷ୍ଟଲଗୁଡ଼ିକ ଉପସ୍ଥିତ ଥିଲା, ଯାହା ପରିଦର୍ଶକ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଆକର୍ଷିତ କରିଥିଲା।

ନାଗପୁରରେ ଅନୁଷ୍ଠିତ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ସାରା ଦେଶରୁ ଆୟୁର୍ବେଦ ଚିକିତ୍ସକ, ଗବେଷକ, ବୈଜ୍ଞାନିକ, ଶିକ୍ଷାବିତ୍, ପ୍ରତିଷ୍ଠାନର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦକୁ ଆଗକୁ ବଢାଇବାରେ ପ୍ରମାଣ, ଗବେଷଣା, ନବସୃଜନ, ଗୁଣବତ୍ତା ଏବଂ ସାମଗ୍ରିକ ଯତ୍ନ ଉପରେ ବୃଦ୍ଧି ପାଉଥିବା ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

 

***

 

 


(ରିଲିଜ ଆଡି: 2314277) ପରିଦର୍ଶକ କାଉଣ୍ଟର : 9