ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେପ୍ଟେମ୍ବର ୮ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 SEP 2026 11:51AM by PIB Bhubaneswar
ଭଦୋଦରାରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ‘ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍’ର ତିନିଟି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ
ତିନିଟି ରେଳ ପ୍ରକଳ୍ପ ଏବଂ ତିନିଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ମୁମ୍ବାଇରେ ‘ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ୍ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଜିଏଫ୍ଏଫ୍ ୨୦୨୬ର ବିଷୟବସ୍ତୁ “ସମ୍ଭାବନାରୁ ପ୍ରଭାବ: ଏଜେଣ୍ଟିକ୍ ଏଆଇ, ଟୋକେନାଇଜେସନ୍, କ୍ୱାଣ୍ଟମ୍ - ସମାବେଶୀ ଆର୍ଥିକ ବ୍ୟବସ୍ଥା ପାଇଁ ବିଶ୍ୱସ୍ତ, ସଂଯୋଜିତ ଏବଂ ବୈଶ୍ୱିକ ପ୍ରଣାଳୀ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ସେପ୍ଟେମ୍ବର ୨୦୨୬ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ, ପ୍ରଧାନମନ୍ତ୍ରୀ ଭଦୋଦରାରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।
ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ‘ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ୍ (ଜିଏଫ୍ଏଫ୍) ୨୦୨୬’ର ଉଦ୍ଘାଟନ କରି ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ ।
ଭଦୋଦରାରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ‘ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍’ (ଡବ୍ଲ୍ୟୁଏଫ୍ସି)ର ତିନିଟି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୩୨୬ କିଲୋମିଟର ପଥ ବିଶିଷ୍ଟ ଏହି ପ୍ରକଳ୍ପଗୁଡିକ ୨୦,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ନ୍ୟୁ ସାନନ୍ଦ (ଉତ୍ତର)-ନ୍ୟୁ ମକରପୁରା, ନ୍ୟୁ ଉମରଗାଓଁ - ନ୍ୟୁ ସଫାଲେ ଏବଂ ନ୍ୟୁ ସଫାଲେ – ନ୍ୟୁ ଜେଏନ୍ପିଟି ସେକ୍ସନ୍ ଅନ୍ତର୍ଭୁକ୍ତ ।
ଜବାହରଲାଲ ନେହେରୁ ପୋର୍ଟ ଅଥୋରିଟି (ଜେଏନ୍ପିଏ) ସହିତ ସିଧାସଳଖ ସଂଯୋଗ ସ୍ଥାପନ ହେବା ଫଳରେ ରପ୍ତାନି-ଆମଦାନୀ (ଇଏକ୍ସଆଇଏମ୍) କାର୍ଗୋର ଦ୍ରୁତ ପରିବହନ ସୁଗମ ହେବ, ଶିଳ୍ପ କେନ୍ଦ୍ର ଓ ବନ୍ଦର ମଧ୍ୟରେ ସଂଯୋଗ ସୁଦୃଢ଼ ହେବ, ଲଜିଷ୍ଟିକ୍ସ ବା ପରିବହନ ଜନିତ ଖର୍ଚ୍ଚ ହ୍ରାସ ପାଇବ ଏବଂ ମୁମ୍ବାଇର ରେଳ ନେଟୱାର୍କରେ ଭିଡ଼ ହ୍ରାସ କରିବାରେ ସହାୟତା ମିଳିବ ।
ଏହି ସେକ୍ସନ୍ କାର୍ଯ୍ୟକ୍ଷମ ହେବା ସହିତ, ‘ଡେଡିକେଟେଡ୍ ଫ୍ରେଟ୍ କରିଡର୍’ (ଡିଏଫ୍ସି) ନେଟୱାର୍କ ଏହାର ସମ୍ପୂର୍ଣ୍ଣ ଦୈର୍ଘ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ । ଏହି ସ୍ୱତନ୍ତ୍ର ମାଲ୍ ପରିବହନ ଭିତ୍ତିଭୂମି ବହୁ-ମୋଡ୍ ବିଶିଷ୍ଟ ସଂଯୋଗରେ ଉନ୍ନତି ଆଣିବା, ପରିବହନ ସମୟ ହ୍ରାସ କରିବା ଏବଂ ବିଭିନ୍ନ ଅଞ୍ଚଳ ମଧ୍ୟରେ ସାମଗ୍ରୀର ନିର୍ବିଘ୍ନ ଚଳାଚଳକୁ ସୁଗମ କରିବା ଦ୍ୱାରା ଦେଶର ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ।
ପ୍ରଧାନମନ୍ତ୍ରୀ ନ୍ୟୁ ସାନନ୍ଦ (ଉତ୍ତର), ନ୍ୟୁ ମକରପୁରା, ନ୍ୟୁ ଉମରଗାଓଁ ଏବଂ ନ୍ୟୁ ଜେଏନ୍ପିଟି (ମୁମ୍ବାଇ)ରୁ ମାଲବାହୀ ଟ୍ରେନ୍ ସେବାର ମଧ୍ୟ ଶୁଭାରମ୍ଭ କରିବେ । ଏହାବ୍ୟତୀତ, ସେ ଭଦୋଦରା ଏବଂ ଟାଣ୍ଡା ରୋଡ୍ ମଧ୍ୟରେ ଏକ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ, ଯାହା ଭଦୋଦରା, ଛୋଟା ଉଦୟପୁର ଏବଂ ଅଲିରାଜପୁର ଜିଲ୍ଲାର ଲୋକଙ୍କ ପାଇଁ ଲାଭଦାୟକ ହେବ ।
ପ୍ରଧାନମନ୍ତ୍ରୀଙ୍କ ‘ଛୋଟା ଉଦୟପୁର-ଧାର’ ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ‘ଜୋବାଟ-ଟାଣ୍ଡା ରୋଡ୍’ ନୂତନ ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ନୂତନ ରେଳ ଲାଇନ୍ ଅଲିରାଜପୁରର ଦୁର୍ଗମ ଓ ଆଦିବାସୀ ଅଞ୍ଚଳକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୁକ୍ତ କରିବ ।
ପ୍ରଧାନମନ୍ତ୍ରୀ ୩୨୯ କିଲୋମିଟର ଦୀର୍ଘ ଏବଂ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ଭଦୋଦରା-ରତଲାମ ତୃତୀୟ ଓ ଚତୁର୍ଥ ଲାଇନ୍, ମିୟାଗାମ କରଜନ-ଚୋରଣ୍ଡା-ମଲସାର ଗେଜ୍ କନ୍ଭର୍ଜନ ଏବଂ ବିଶ୍ୱାମିତ୍ରୀ-ଡାଭୋଇ ଡବଲିଂ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡିକ ଯାତ୍ରୀ ଓ ମାଲ ପରିବହନ କ୍ଷମତା ବୃଦ୍ଧି କରିବ, ଭିଡ କମାଇବ ଏବଂ ଗୁଜରାଟ ତଥା ମଧ୍ୟପ୍ରଦେଶ ମଧ୍ୟରେ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୧,୭୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ଏନ୍ଏଚ୍-୪୮ର କାମରେଜ-ଚଲଥାନ ସେକ୍ସନ୍କୁ ଛଅ-ଲେନ୍ ବିଶିଷ୍ଟ କରିବା; ଏନ୍ଏଚ୍-୪୮ ଭଦୋଦରା-ସୁରଟ ସେକ୍ସନରେ ତାପୀ ଏବଂ ନର୍ମଦା ନଦୀ ଉପରେ ବୃହତ ସେତୁ ସମେତ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ଏବଂ ଏନ୍ଏଚ୍-୫୩ର ଅଭାୱା, ମିନ୍ଦହୋଲା ଓ ଖାଜୋଦ୍ ଜଙ୍କସନ୍ରେ ଗ୍ରେଡ୍-ସେପାରେଟେଡ୍ (ସ୍ତର-ପୃଥକ) ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ପ୍ରାୟ ୨,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ମଧ୍ୟ କରିବେ । ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ଥିବା ପ୍ରମୁଖ ପ୍ରଳଳ୍ପଗୁଡିକ ମଧ୍ୟରେ ଭଦୋଦରା ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଭିୟୁଡିଏ)ର ରିଙ୍ଗ୍ ରୋଡ୍ ଦ୍ୱିତୀୟ ପର୍ଯ୍ୟାୟ, କାଦାନା ଡ୍ୟାମ୍ରେ ୧୧୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଭାସମାନ ସୌର ଶକ୍ତି ପ୍ରକଳ୍ପ ଏବଂ ଭଦୋଦରା ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ଆଦି ଅନ୍ତର୍ଭୁକ୍ତ । ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ଅଧୀନରେ ଗୃହ ନିର୍ମାଣ ପ୍ରକଳ୍ପ ଏବଂ ପୂର୍ବ ଭଦୋଦରାର ୧୧ଟି ଗ୍ରାମ ପାଇଁ ଜଳ ଯୋଗାଣ ପ୍ରକଳ୍ପ ଆଦି ସାମିଲ ରହିଛି ।
ମୁମ୍ବାଇରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ‘ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ୍ (ଜିଏଫ୍ଏଫ୍) ୨୦୨୬’ର ଉଦ୍ଘାଟନ କରିବେ, ଯାହା ବିଶ୍ୱର ଅନ୍ୟତମ ବୃହତ୍ତମ ଏବଂ ପ୍ରଭାବଶାଳୀ ବାର୍ଷିକ ଫିନ୍ଟେକ୍ ସମ୍ମିଳନୀ ମଧ୍ୟରୁ ଅନ୍ୟତମ ।
‘ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ୍’ର ସପ୍ତମ ସଂସ୍କରଣ ୨୦୨୬ ସେପ୍ଟେମ୍ବର ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେଉଛି । ୨୦୨୦ରୁ ଜିଏଫଏଫ୍ ଏକ ଅନ୍ତର୍ଜାତୀୟ ‘ଥଟ୍ ଲିଡର୍ସିପ୍’ ପ୍ଲାଟଫର୍ମ ଭାବରେ ଉଭା ହୋଇଛି । ଏହା ନୀତି ନିର୍ଦ୍ଧାରକ, ନିୟନ୍ତ୍ରକ ସଂସ୍ଥା, କେନ୍ଦ୍ରୀୟ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ଫିନ୍ଟେକ୍ କମ୍ପାନୀ, ପ୍ରଯୁକ୍ତିବିଦ୍ୟା କମ୍ପାନୀ, ନିବେଶକ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଆର୍ଥିକ କ୍ଷେତ୍ରରେ ଭବିଷ୍ୟତ ଗଠନ ଉପରେ ଆଲୋଚନା କରିଥାଏ ।
ଜିଏଫ୍ଏଫ୍ ୨୦୨୬ର ବିଷୟବସ୍ତୁ ହେଉଛି, “ସମ୍ଭାବନାରୁ ପ୍ରଭାବ: ଏଜେଣ୍ଟିକ୍ ଏଆଇ, ଟୋକେନାଇଜେସନ୍, କ୍ୱାଣ୍ଟମ୍ - ସମାବେଶୀ ଆର୍ଥିକ ବ୍ୟବସ୍ଥା ପାଇଁ ବିଶ୍ୱସ୍ତ, ସଂଯୋଜିତ ଏବଂ ବୈଶ୍ୱିକ ପ୍ରଣାଳୀ”।
ଜିଏଫ୍ଏଫ୍ ୨୦୨୬କୁ ଏକ ସାଧାରଣ ପ୍ଲାଟଫର୍ମରେ ନୀତି, ନିୟନ୍ତ୍ରଣ, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ଏବଂ ଶିଳ୍ପର ମିଳନସ୍ଥଳ ଭାବରେ ପ୍ରସ୍ତୁତ କରାଯାଇଛି । ଏହା ଡିଜିଟାଲ ପେମେଣ୍ଟ୍ ଏବଂ ଆର୍ଥିକ ସମାବେଶନ କ୍ଷେତ୍ରରେ ଭାରତର ନେତୃତ୍ୱକୁ ଆହୁରି ସୁଦୃଢ଼ କରିବା ସହ କେବଳ ସମ୍ଭାବନା ମଧ୍ୟରେ ସୀମିତ ନ ରହି ବାସ୍ତବ ପ୍ରଭାବ ସୃଷ୍ଟି କରିବା ଦିଗରେ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି ।
ଏହି ଆଲୋଚନାଗୁଡିକରେ ଧ୍ୟାନ ଦିଆଯିବ ଯେ, କିପରି ଏଜେଣ୍ଟିକ ଏଆଇ, ପ୍ରୋଗ୍ରାମେବଲ୍ ଫାଇନାନ୍ସ, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବିଶ୍ୱସ୍ତରରେ ନାଗରିକ, ଉଦ୍ୟୋଗ ଏବଂ ଅର୍ଥନୀତି ପାଇଁ ବିଶ୍ୱସ୍ତ, ସମାବେଶୀ ଏବଂ ମାପଯୋଗ୍ୟ ଫଳାଫଳ ସୃଷ୍ଟି କରିପାରିବ ।
SR
(ରିଲିଜ ଆଡି: 2307689)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam