ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଷୋଡ଼ଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତି
प्रविष्टि तिथि:
02 JUL 2026 9:58PM by PIB Bhubaneswar
ମିଳିତ ପ୍ରଗତି, ସମୃଦ୍ଧି ଓ ଶକ୍ତି ପାଇଁ ରଣନୀତିକ ତାଳମେଳ ଓ ପାରିସ୍ପାରିକ ବିଶ୍ବାସର ସହଭାଗିତାକୁ ଆଗେଇ ନେବା
ଭାରତର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ସମ୍ମାନୀୟ ସୁଶ୍ରୀ ତାକାଇଚି ସନାଏ ସରକାରୀ ଗସ୍ତରେ ଆସିଥିଲେ। ଷୋଡ଼ଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ସେ ଜୁଲାଇ ୧ରୁ ଜୁଲାଇ ୩ ତାରିଖ ଯାଏ ଭାରତ ଗସ୍ତରେ ଆସିଥିଲେ। ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ସହିତ ଆସିଥିଲେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ। ଏଥିରେ ସାମିଲ ଥିଲେ ବରିଷ୍ଠ ଅଧିକାରୀ, ସିଇଓ ଓ ଶିଳ୍ପ ଜଗତର ନାମୀଦାମୀ ବ୍ୟକ୍ତିତ୍ବ। ଏହା ଥିଲା ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ।
ଦୁଇ ପ୍ରଧାନମନ୍ତ୍ରୀ ଗତ ବାର୍ଷିକ ଶିଖର ସମ୍ମିଳନୀ ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ। ସେମାନେ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ବୃଦ୍ଧି କରିବା ପାଇଁ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ସେମାନେ ସ୍ୱୀକାର କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଏପରି ରଣନୀତିକ ଏବଂ ବିଶ୍ୱ ସହଯୋଗକୁ ସୁଦୃଢ଼ କରିବା ପାରସ୍ପରିକ ଭାବରେ ଲାଭଦାୟକ ହେବ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଏହାର ବାହାରେ ଥିବା ଅଞ୍ଚଳକୁ ମଧ୍ୟ ସ୍ଥିର ରଖିବା ସହିତ ସମୃଦ୍ଧ କରିବ।
ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ତଥା ଅନିଶ୍ଚିତ ଭୂ-ରାଜନୈତିକ ପରିବେଶ ମଧ୍ୟରେ ଭାରତ-ଜାପାନ ଭାଗୀଦାରୀର ରଣନୀତିକ ଗୁରୁତ୍ୱକୁ ସ୍ୱୀକାର କରି ଉଭୟ ଦେଶର ପ୍ରଧାନମନ୍ତ୍ରୀ ପରସ୍ପରର ପରିପୂରକ ସମ୍ପର୍କ ସ୍ଥାପନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ପଞ୍ଚଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ସଫଳତା ଉପରେ ଆଧାର କରି, ସେମାନେ ତିନିଟି ପ୍ରାଥମିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ସେଗୁଡ଼ିକ ହେଲା - ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ; ଅର୍ଥନୈତିକ ସୁରକ୍ଷା, ଶକ୍ତି କ୍ଷେତ୍ରରେ ସ୍ଥିରତା, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସହିତ ଅର୍ଥନୈତିକ ଭାଗୀଦାରୀ; ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ଆଦାନ-ପ୍ରଦାନ। ନିଜ ନିଜର ଜାତୀୟ ସ୍ୱାର୍ଥ ହାସଲ କରିବା ଦିଗରେ ଭାରତ ଓ ଜାପାନ ସ୍ବାଭାବିକ ତଥା ଅପରିହାର୍ଯ୍ୟ ଭାଗୀଦାର ବୋଲି ଉଭୟ ନେତା ମତ ପୋଷଣ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ ବିଶ୍ୱର ଅଗ୍ରଣୀ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ପ୍ରମୁଖ ଅର୍ଥନୀତି ଭାବରେ ଏକ ମୁକ୍ତ, ଖୋଲା ଏବଂ ଆଇନର ଶାସନ ଉପରେ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଗଠନ ଓ ତାକୁ ବଜାୟ ରଖିବା ଜାପାନ ଓ ଭାରତର ଦାୟିତ୍ୱ। ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀ "ମୁକ୍ତ ଓ ଖୋଲା ଇଣ୍ଡୋ-ପାସିଫିକ୍ (FOIP)" କୁ ସ୍ୱାଗତ କରିଥିଲେ ଓ କହିଥିଲେ ଯେ ଏହା 'ଇଣ୍ଡୋ-ପାସିଫିକ୍ ଓସନ୍ସ ଇନିସିଏଟିଭ୍' (IPOI) ତଥା 'ମ୍ୟୁଚୁଆଲ୍ ଆଣ୍ଡ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ ଫର୍ ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଅକ୍ରସ୍ ରିଜିଅନ୍ସ' (MAHASAGAR) ସହିତ ଘନିଷ୍ଠ ଭାବେ ସମାନତା ରଖୁଛି। ସେମାନେ ନିଜର ମିଳିତ ରଣନୀତିକ ଦୃଷ୍ଟିକୋଣ ଉପରେ ଆଧାରିତ ଠୋସ୍ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ କ୍ରମାଗତ ଭାବେ ଅଗ୍ରଗତି କରୁଥିବାରୁ ଗଭୀର ସନ୍ତୋଷ ବ୍ୟକ୍ତ କରିଥିଲେ ଉଭୟ ପ୍ରଧାନମନ୍ତ୍ରୀ। ଗତ ବାର୍ଷିକ ଶିଖର ସମ୍ମିଳନୀରେ ଗୃହୀତ 'ସୁରକ୍ଷା ସହଯୋଗ ସମ୍ବନ୍ଧୀୟ ମିଳିତ ଘୋଷଣାନାମା' ଆଧାରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ପ୍ରତିଶ୍ରୁତି ସେମାନେ ଦୋହରାଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଟୋକିଓରେ '୨+୨' ମନ୍ତ୍ରୀସ୍ତରୀୟ ବୈଠକର ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିବାକୁ ସେମାନେ ନିଜ ନିଜ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଉଭୟ ଦେଶର ସେନା ମଧ୍ୟରେ ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ। ଜାପାନ ସେନାବାହିନୀ ଦ୍ୱାରା ସମର୍ଥିତ ସଫଳ ନୌସେନା ଅଭ୍ୟାସ "JAIMEX 25" ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବିଶାଖାପାଟଣାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନୌସେନା ସମୀକ୍ଷା ୨୦୨୬ରେ ଜାପାନ ଅଂଶଗ୍ରହଣ କରିଥିବାରୁ ଭାରତ ଏହାକୁ ସ୍ୱାଗତ କରିଛି। "ମେକ୍ ଇନ୍ ଇଣ୍ଡିଆ" ଢାଞ୍ଚା ଅଧୀନରେ ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ, ଅଧିକ ସମରାଭ୍ୟାସ ଜରିଆରେ ସାମୁଦ୍ରିକ ସୁରକ୍ଷାରେ ସହଯୋଗ, ସାଟେଲାଇଟ କ୍ଷମତା ବ୍ୟବହାର କରି ସାମୁଦ୍ରିକ ସୀମାରେ ସତର୍କତା, ନୌସେନା ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନର୍ବିନ୍ୟାସ (MRO) ସହଯୋଗକୁ ଆହୁରି ଘନିଷ୍ଠ କରିବା ଉପରେ ଦୁଇ ନେତା ସହମତ ହୋଇଛନ୍ତି।
ପ୍ରତିରକ୍ଷା ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସମ୍ବନ୍ଧୀୟ ତିନିଟି ନୀତିର ସମୀକ୍ଷା କରିବା ନେଇ ଜାପାନର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ଏହା ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବ। ୟୁନିଫାଏଡ୍ କମ୍ପ୍ଲେକ୍ସ ରେଡିଓ ଆଣ୍ଟେନା ('UNICORN') ପ୍ରକଳ୍ପ ସମ୍ବନ୍ଧୀୟ ଅବଶିଷ୍ଟ ବୈଷୟିକ ବିବରଣୀ ଉପରେ ନୀତିଗତ ଭାବେ ଏକ ସାମଗ୍ରିକ ସହମତି ହୋଇଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପ୍ରକଳ୍ପର ଶୀଘ୍ର ସଂପୂର୍ଣ୍ଣ ହେବା ନେଇ ଦୁଇ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିବା ସହ ପ୍ରତିରକ୍ଷା ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାର ଉପାୟ ଅନ୍ୱେଷଣ କରିବା ଉପରେ ସହମତ ହୋଇଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତି ଉଭୟ ଦେଶକୁ ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବାସ୍ତବ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ କରୁଛି। ଆର୍ଥିକ ସୁରକ୍ଷା ସହଯୋଗକୁ ଆହୁରି ଗଭୀର କରିବା, ଏକ ସ୍ଥିର ଏବଂ ସମୃଦ୍ଧ ଅଞ୍ଚଳକୁ ସମର୍ଥନ କରିବା ପାଇଁ ପ୍ରମୁଖ ପଦକ୍ଷେପ ନେବା ପାଇଁ ସେମାନେ ପ୍ରତିଶୃତିବଦ୍ଧ। ଆର୍ଥିକ ବାଧ୍ୟବାଧକତା, ଅଣ-ବଜାର ନୀତି ଓ ନିୟମର ପ୍ରୟୋଗ ନେଇ ଦୁଇ ନେତା ଗମ୍ଭୀର ଉଦବେଗକୁ ଦୋହରାଇଥିଲେ। ଏଥିରେ ରହିଛି ମନମୁଖୀ ରପ୍ତାନି ପ୍ରତିବନ୍ଧକ। ଏହି ପ୍ରତିବନ୍ଧକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି କରିବାର ଆଶଙ୍କା ଅଛି। ତା ସହିତ ମୂଲ୍ୟ ବୃଦ୍ଧି ହେବାର ବି ଆଶଙ୍କା ଅଛି। ବିବିଧ, ସ୍ଥିର ଓ ନିର୍ଭରଯୋଗ୍ୟ ବିଶ୍ୱ ଯୋଗାଣ ଶୃଙ୍ଖଳ, ଏକ ନ୍ୟାୟସଙ୍ଗତ ପ୍ରତିଯୋଗିତାମୂଳକ ବିଶ୍ୱ ପରିବେଶ ଓ କୌଣସି ଗୋଟିଏ ଦେଶ ଉପରେ ନିର୍ଭରଶୀଳତା ଏଡାଇବାର ଆବଶ୍ୟକତା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ନୀତି ନିୟମକୁ ସମ୍ମାନ ଦେବା ସହିତ ପ୍ରମୁଖ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ଓ ସୁରକ୍ଷା ଦେବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୁଇ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।
ରପ୍ତାନି ନିୟନ୍ତ୍ରଣ ଚ୍ୟାଲେଞ୍ଜକୁ ପରସ୍ପର ମଧ୍ୟରେ ନମନୀୟ କରି ଉଚ୍ଚ ପ୍ରଯୁକ୍ତି ବାଣିଜ୍ୟକୁ ଆହୁରି ସୁରକ୍ଷା ଦେବା ପାଇଁ ଦୁଇ ପକ୍ଷ ସହମତ ହୋଇଥିଲେ। ଏହା ବ୍ୟତୀତ ସେମାନେ ଦୁଇ ଦେଶର ସମ୍ପୃକ୍ତ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନାକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଗତ ବାର୍ଷିକ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସୁରକ୍ଷା ପଦକ୍ଷେପକୁ ଆଧାର କରି ଦୁଇ ଦେଶ ନେଇଥିବା ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ। ଏଥିରେ ରହିଛି ପ୍ରଥମ ଘରୋଇ-କ୍ଷେତ୍ର ଅର୍ଥନୈତିକ ସୁରକ୍ଷା ଆଲୋଚନା ଓ ଚଳିତ ବର୍ଷ ଆରମ୍ଭରେ ଅର୍ଥନୈତିକ ସୁରକ୍ଷା ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ। ସେମିକଣ୍ଡକ୍ଚଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧ ଆଦି ପ୍ରମୁଖ କ୍ଷେତ୍ରରେ ପ୍ରକଳ୍ପ-ଆଧାରିତ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଭାରତ-ଜାପାନ ଆର୍ଥିକ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାନାମା ହୋଇଛି।
ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ଦ୍ୱାରା ପ୍ରଭାବିତ ପ୍ରମୁଖ ଶକ୍ତି ଉପଭୋକ୍ତା ରାଷ୍ଟ୍ର ଭାବରେ ଜାପାନ ଓ ଭାରତ ସମାନ ସମସ୍ୟାରେ ପଡ଼ିଛନ୍ତି। ଏହାକୁ ସ୍ୱୀକାର କରି ଦୁଇ ପ୍ରଧାନମନ୍ତ୍ରୀ ଶକ୍ତି ସୁରକ୍ଷା କ୍ଷେତ୍ରରେ ଭାରତ-ଜାପାନ ସହଯୋଗକୁ ଆହୁରି ଗଭୀର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କୌଣସି ବାଧାବିଘ୍ନ ବିନା ସମୁଦ୍ରରେ ଜାହାଜ ଚଳାଚଳ ଓ ହରମୁଜ୍ ପ୍ରଣାଳୀ ମାଧ୍ୟମରେ ବିଶ୍ୱ ବାଣିଜ୍ୟର ଅବାଧ କାରବାରକୁ ସୁନିଶ୍ଚିତ କରିବାର ଗୁରୁତ୍ୱକୁ ସେମାନେ ଦୋହରାଇଥିଲେ। ଏହା ସହିତ ବାଣିଜ୍ୟିକ ଜାହାଜ ଚଳାଚଳକୁ ବାଧା ଦେଉଥିବା ଯେକୌଣସି ପ୍ରତିବନ୍ଧକମୂଳକ ପଦକ୍ଷେପକୁ ଭାରତ ଓ ଜାପାନ ବିରୋଧ କରିଥିଲେ। ଶକ୍ତି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସହଯୋଗର ସମ୍ଭାବନାକୁ ସ୍ୱାଗତ କରିଥିଲେ ଦୁଇ ନେତା। ଏହା ସହିତ ସେମାନେ ଶକ୍ତି ଯୋଗାଣ ଶୃଙ୍ଖଳର ସ୍ଥିରତା ବୃଦ୍ଧି କରିବା ଏବଂ ବିଶ୍ୱ ଶକ୍ତି ବଜାରରେ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଦ୍ୱିପାକ୍ଷିକ ତଥା ବହୁପାକ୍ଷିକ ପ୍ଲାଟଫର୍ମ ମାଧ୍ୟମରେ ଏକାଠି କାମ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଜଳପଥରେ ଇନ୍ଧନ ପରିବହନ ମୂଲ୍ୟ ଶୃଙ୍ଖଳା ମଧ୍ୟରେ ମିଳିତ ନିବେଶ ସମେତ ସହଯୋଗର ସୁଯୋଗ ଅନ୍ୱେଷଣ କରିବା ନେଇ ଉଭୟ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ। ଶକ୍ତି କ୍ଷେତ୍ରରେ ସ୍ଥିରତା ଓ ସୁରକ୍ଷା ବୃଦ୍ଧି ଦିଗରେ ଆଞ୍ଚଳିକ ପଦକ୍ଷେପର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ; ଯେପରିକି ଜାପାନର 'ପାର୍ଟନରସିପ୍ ଅନ୍ ୱାଇଡ୍ ଏନର୍ଜି ଆଣ୍ଡ ରିସୋର୍ସେସ୍ ରିଜିଲିଏନ୍ସ' (POWERR Asia), ଦକ୍ଷିଣ ଏସିଆରେ ଶକ୍ତି ସୁରକ୍ଷା ପାଇଁ ଭାରତର ସମର୍ଥନ ଏବଂ ଇଣ୍ଡୋ-ପାସିଫିକ୍ ଶକ୍ତି ସୁରକ୍ଷା ଉପରେ 'କ୍ୱାଡ୍' (Quad) ପଦକ୍ଷେପ। ଶକ୍ତି ସୁରକ୍ଷା ଓ ସ୍ଥିରତା ସମ୍ବନ୍ଧୀୟ ମିଳିତ ବିବୃତ୍ତି ଗ୍ରହଣକୁ ସେମାନେ ସ୍ୱାଗତ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ରଣନୀତିକ ପେଟ୍ରୋଲିୟମ ଭଣ୍ଡାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ମଧ୍ୟ ସହମତ ହେଲେ। ଏଥିରେ ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ ଓ ରଣନୀତିକ ଭଣ୍ଡାର ବ୍ୟବସ୍ଥା ସମ୍ବନ୍ଧୀୟ ବୈଷୟିକ ସହଯୋଗ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତାକାଇଚି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ରେ ଭାରତର ସଦସ୍ୟତାକୁ ସମର୍ଥନ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିଜର ଭାଗୀଦାରୀକୁ ଆଗକୁ ବଢ଼ାଇବା ପାଇଁ ସହମତି ପ୍ରକାଶ କରିଥିଲେ। ସେମାନେ ବାୟୋଗ୍ୟାସ୍ ଫର୍ ଗ୍ରୋଥ୍ ଇନିସିଏଟିଭ୍' (CBG Initiative)ର ଶୁଭାରମ୍ଭକୁ ପ୍ରଶଂସା କରିଥିଲେ। ଏହା ହେଉଛି ଭାରତ-ଜାପାନ ସହଯୋଗରେ ବାୟୋଗ୍ୟାସ୍ ଉତ୍ପାଦନ ବୃଦ୍ଧି ପାଇଁ ହେଉଥିବା ଏକ ନୂଆ ପ୍ରକଳ୍ପ। ଏହାର ଲକ୍ଷ୍ୟ ହେଉଛି ସାରା ଭାରତରେ ୧,୦୦୦ ବାୟୋଗ୍ୟାସ୍ ପ୍ରକଳ୍ପ ଓ ଜୈବ-ସାର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା। ଜାପାନର ଅର୍ଥନୀତି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଭାରତର ସମବାୟ ମନ୍ତ୍ରଣାଳୟ ତଥା ପଶୁପାଳନ ଓ ଦୁଗ୍ଧ ବିଭାଗ ମଧ୍ୟରେ ଏକ ସହଯୋଗ ସ୍ମାରକପତ୍ର (MoC) ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ।
କେବଳ ଡିକାର୍ବନାଇଜେସନ୍ ପାଇଁ ନୁହେଁ ବରଂ ଶକ୍ତି ସୁରକ୍ଷା ବୃଦ୍ଧି ପାଇଁ ମଧ୍ୟ ହାଇଡ୍ରୋଜେନ ଏବଂ ଆମୋନିଆର ଗୁରୁତ୍ୱକୁ ସେମାନେ ସ୍ୱୀକାର କରିଥିଲେ। ଉଭୟ ସରକାରଙ୍କ ନିରନ୍ତର ସମର୍ଥନରେ ଓଡ଼ିଶାରେ ଐତିହାସିକ ସ୍ୱଚ୍ଛ ଆମୋନିଆ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାକୁ ସେମାନେ ପୁନଃପ୍ରତିବଦ୍ଧ ହୋଇଥିଲେ। ସ୍ୱଚ୍ଛ ଆମୋନିଆ, ସବୁଜ ହାଇଡ୍ରୋଜେନ୍, ସୌର ପିଭି ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ଏହି ମତ ପ୍ରକାଶ କରିଥିଲେ ଯେ ସହଯୋଗର ଆଧାରକୁ ଆହୁରି ବ୍ୟାପକ କରିବା ପାଇଁ ଏଆଇ ସମେତ ନୂତନ ପ୍ରଯୁକ୍ତିବିଦ୍ୟାରେ ନବସୃଜନକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଏଆଇରେ ଦେଶର କ୍ଷମତା ବୃଦ୍ଧି ଓ ବିଶ୍ୱସ୍ତ ଏବଂ ସ୍ଥିର ଡିଜିଟାଲ୍ ଭିତ୍ତିଭୂମି ଉପରେ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ସହମତ ହୋଇଥିଲେ। କଠିନ ଭିତ୍ତିଭୂମି କ୍ଷେତ୍ର ସମେତ ଏଆଇର ସ୍ଥାୟୀ ଓ ଅନ୍ତର୍ଭୁକ୍ତ ବିକାଶ ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର ଓ ପ୍ରୟୋଗ ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତାକୁ ସେମାନେ ନିଶ୍ଚିତ କରିଥିଲେ। ସୁଯୋଗର ଉପଯୋଗ ଓ ଉପଯୁକ୍ତ ଭାବରେ ସଂପୃକ୍ତ ବିପଦକୁ ହ୍ରାସ କରିବା, ହିରୋସିମା ଏଆଇ ପ୍ରକ୍ରିୟା ଏବଂ ଏଆଇ ପ୍ରଭାବ ଉପରେ ନୂଆଦିଲ୍ଲୀ ଘୋଷଣାନାମା ଅନୁଯାୟୀ ଏକ ସ୍ଥିର, ସ୍ମାର୍ଟ, ବିବିଧ ଓ ବିଶ୍ୱସ୍ତ ଏଆଇ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ନେଇ ସେମାନେ ନିଶ୍ଚିତ କରିଥିଲେ। ଏହି ପରିପ୍ରେକ୍ଷୀରେ, 'ଭାରତ-ଜାପାନ ଏଆଇ ସହଯୋଗ ପଦକ୍ଷେପ' ଅଧୀନରେ ହୋଇଥିବା ଅଗ୍ରଗତିକୁ ଆହୁରି ଆଗକୁ ବଢ଼ାଇବା ଲକ୍ଷ୍ୟରେ ସେମାନେ ପ୍ରଥମ 'ଭାରତ-ଜାପାନ ଏଆଇ ରଣନୀତିକ ଆଲୋଚନା' (AI Strategic Dialogue) ଆୟୋଜନକୁ ସ୍ୱାଗତ କରିଥିଲେ ଓ ଏଆଇ ସହଯୋଗ ସମ୍ବନ୍ଧୀୟ ମିଳିତ ବିବୃତି ଗ୍ରହଣ କରିଥିଲେ।
ଜାପାନରୁ ଭାରତକୁ ବୃଦ୍ଧି ପାଉଥିବା ଘରୋଇ ନିବେଶକୁ ସ୍ୱାଗତ ଜଣାଇଥିଲେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଭାରତର 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ଦିଗରେ ଏହାର ଅବଦାନକୁ ସ୍ୱୀକାର କରିଥିଲେ। ଗତ ବାର୍ଷିକ ଶିଖର ସମ୍ମିଳନୀରେ ନିର୍ଦ୍ଧାରିତ ୧୦ ଟ୍ରିଲିୟନ୍ ୟେନ୍ର ଲକ୍ଷ୍ୟ ହାସଲ ଦିଗରେ ହୋଇଥିବା ଅଗ୍ରଗତିକୁ ସେମାନେ ପ୍ରଶଂସା କରିଥିଲେ। 'ଭାରତ-ଜାପାନ ଶିଳ୍ପଗତ ପ୍ରତିଯୋଗିତାମୂଳକ ଅଂଶୀଦାରୀ' (IJICP) ଅଧୀନରେ ଥିବା 'ଫାଷ୍ଟ-ଟ୍ରାକ୍ ମେକାନିଜିମ୍' (ତ୍ୱରିତ କାର୍ଯ୍ୟକାରୀ ବ୍ୟବସ୍ଥା)ର ଉପଯୋଗ କରି ନିବେଶ ପରିବେଶକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେମାନେ ସହମତ ହୋଇଥିଲେ। ଉଭୟ ଦେଶ ମଧ୍ୟରେ 'ବ୍ୟାପକ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି' (CEPA) ସ୍ୱାକ୍ଷରିତ ହେବାର ୧୫ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବିଷୟକୁ ଲକ୍ଷ୍ୟ କରି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ସମ୍ପ୍ରସାରିତ ଓ ବିବିଧକରଣ କରିବାର ଆବଶ୍ୟକତାକୁ ଉପଲବ୍ଧି କରି, ଏହି ଚୁକ୍ତିକୁ ଅଧିକ ଭବିଷ୍ୟତ-ମୁଖୀ କରିବା ପାଇଁ ଏହାର କାର୍ଯ୍ୟକାରିତା ସମୀକ୍ଷା ତଥା ସମ୍ପୂର୍ଣ୍ଣ ଓ ପ୍ରଭାବଶାଳୀ ଉପଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେମାନେ ସହମତ ହୋଇଥିଲେ।
ବର୍ତ୍ତମାନର ଆଇନ ଓ ନିୟମାବଳୀ ଅନୁଯାୟୀ ଭାରତର ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କ୍ଷେତ୍ରରେ ଜାପାନର ସଂସ୍ଥାଗୁଡ଼ିକର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେହିପରି ଆର୍ଥିକ ପ୍ରତିଷ୍ଠାନ ଏବଂ ବ୍ୟାଙ୍କଗୁଡ଼ିକୁ ପ୍ରଦାନ କରାଯାଇଥିବା ସୁବିଧାକୁ ଜାପାନ ପକ୍ଷରୁ ସ୍ୱୀକାର କରାଯାଇଥିଲା। ଆଇଜେଆଇସିପି ଅଧୀନରେ ଲଜିଷ୍ଟିକ୍ସ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ଅଟୋମୋଟିଭ୍ ଏବଂ ଶିଳ୍ପ ପୁଞ୍ଜି ସାମଗ୍ରୀ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦ୍ୱିପାକ୍ଷିକ ପ୍ରୟାସକୁ ସେମାନେ ସମର୍ଥନ କରିଛନ୍ତି। ଭାରତ ଓ ଜାପାନ ମଧ୍ୟରେ ସ୍ଥାନୀୟ ମୁଦ୍ରା କାରବାର ସମେତ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ଓ ପେମେଣ୍ଟ ବ୍ୟବସ୍ଥାରେ ସହଯୋଗ ବୃଦ୍ଧିର ଗୁରୁତ୍ୱକୁ ସେମାନେ ଦୋହରାଇଥିଲେ। ଔଷଧ ଯୋଗାଣ ଶୃଙ୍ଖଳ ସମେତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ଭାରତ-ଜାପାନ ଏସ୍ଏମଇ ଫୋରମର ଉଦଘାଟନ ଓ ଜାପାନରୁ ଭାରତକୁ ବିମାନ କ୍ଷେତ୍ର ପାଇଁ ଏକ ଏସଏମଇ ମିଶନର ଗସ୍ତକୁ ସ୍ୱାଗତ କରିଛନ୍ତି। ବ୍ୟାବସାୟିକ ପରିବେଶକୁ ଉନ୍ନତ କରିବା ଓ ଜାପାନୀ ତଥା ଭାରତୀୟ ବ୍ୟବସାୟ ବିଶେଷକରି ଏସ୍ଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ନେଟୱାର୍କ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରୟାସର ସ୍ଥିର ପ୍ରଗତିକୁ ସ୍ୱାଗତ କରିଛନ୍ତି।ଜାପାନ-ଭାରତ ଷ୍ଟାର୍ଟଅପ୍ ସପୋର୍ଟ ଇନିସିଏଟିଭ୍ (ଜେଆଇଏସ୍ଏସ୍ଆଇ) ଉପରେ ଆଧାର କରି, ସେମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ସହଯୋଗରେ ଭାରତୀୟ ବଜାରରେ ଜାପାନୀ ଏସ୍ଏମଇ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକର ଅଂଶଗ୍ରହଣକୁ ଆହୁରି ଉତ୍ସାହିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସ୍ଏମଇ) ର ଅଧିକ ଅଂଶଗ୍ରହଣ ଏବଂ ଜାପାନୀ ଉଦ୍ୟୋଗ ଏବଂ ଭାରତର ଦ୍ବିତୀୟ ସ୍ତରର ଓ ତୃତୀୟ ସ୍ତରର ଯୋଗାଣକାରୀ ବ୍ୟବସ୍ଥା ମଧ୍ୟରେ ସଂଯୋଗକୁ ମଧ୍ୟ ଗୁରୁତ୍ବ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅଧିକ ନିବେଶ, ଶିଳ୍ପ ସହଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀତାକୁ ସୁଗମ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୁଇ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।
ଭାରତର ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଜାପାନର ବିକାଶମୂଳକ ସହଯୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଉଭୟ ପ୍ରଧାନମନ୍ତ୍ରୀ ସନ୍ତୋଷର ସହ ଉଲ୍ଲେଖ କରିଥିଲେ। ସେମାନେ ଚାରିଟି ପ୍ରକଳ୍ପ କ୍ଷେତ୍ରରେ ହୋଇଥିବା ବର୍ତ୍ତମାନର ଅଗ୍ରଗତିକୁ ସ୍ୱାଗତ କରିଥିଲେ: ମୁମ୍ବାଇ ମେଟ୍ରୋ (ଲାଇନ୍ ୧୧), ବେଙ୍ଗାଲୁରୁ ମେଟ୍ରୋ (ପର୍ଯ୍ୟାୟ ୩), ମହାରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ଏବଂ ପଞ୍ଜାବରେ ସ୍ଥାୟୀ ଉଦ୍ୟାନ କୃଷି। ଏହା ସଂଯୋଗୀକରଣକୁ ସୁଦୃଢ଼ କରିବା, ସ୍ୱଚ୍ଛ ଏବଂ ସ୍ଥାୟୀ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ସେମାନେ ବିକାଶ ସହଯୋଗକୁ ଏପରି ଭାବରେ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ସହଭାଗୀ ହୋଇଥିଲେ ଯାହା ଆର୍ଥିକ ଅଭିବୃଦ୍ଧିକୁ ସହ-ସୃଷ୍ଟି କରିବାରେ ସହାୟକ ହୋଇଥାଏ।
ଭାରତ ଓ ଜାପାନ ମଧ୍ୟରେ ଏକ ପ୍ରମୁଖ ପ୍ରକଳ୍ପ ଭାବରେ ମୁମ୍ବାଇ-ଅହମଦାବାଦ ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ଗୁରୁତ୍ୱକୁ ଦୋହରାଇଥିଲେ ଉଭୟ ପ୍ରଧାନମନ୍ତ୍ରୀ। ଜାପାନର ପ୍ରଧାନମନ୍ତ୍ରୀ ତାକାଇଚି କହିଥିଲେ ଯେ ପ୍ରାଧାନ୍ୟ ଭାଗରେ ୨୦୨୭ ମସିହାରେ ବାଣିଜ୍ୟିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଭାରତର ଲକ୍ଷ୍ୟକୁ ଜାପାନ ସମର୍ଥନ କରୁଛି ଓ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। E10 (ଇ-୧୦) ଇନ୍ଧନ ପ୍ରଚଳନ କରିବାର ଲକ୍ଷ୍ୟକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ। ଭାରତର ୭,୦୦୦ କିଲୋମିଟର ବିଶିଷ୍ଟ ଜାତୀୟ ଦ୍ରୁତଗାମୀ ରେଳ ନେଟୱାର୍କର ସ୍ୱପ୍ନକୁ ସାକାର କରିବା ଦିଗରେ ଭବିଷ୍ୟତର ଦ୍ରୁତଗାମୀ ରେଳ କରିଡର ପାଇଁ ସହଯୋଗର ସମ୍ଭାବ୍ୟ ଉପାୟ ଅନ୍ୱେଷଣ କରିବାକୁ ମଧ୍ୟ ସେମାନେ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜାପାନର କମ୍ପାନୀଗୁଡ଼ିକୁ ଭବିଷ୍ୟତର କରିଡର ବିକାଶରେ ଅଂଶଗ୍ରହଣ କରିବାର ସୁଯୋଗ ଅନ୍ୱେଷଣ କରିବାକୁ ଆମନ୍ତ୍ରଣ କରିଥିଲେ। ଏଥିରେ ଜାପାନର କମ୍ପାନୀଗୁଡ଼ିକୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଥିଲେ। ଏହାକୁ ଜାପାନ ତରଫରୁ ସ୍ୱାଗତ କରାଯାଇଥିଲା।
ହାଇସ୍ପିଡ୍ ରେଳ ଓ ବ୍ୟାପକ ଗମନାଗମନ ବ୍ୟବସ୍ଥାରେ ଘରୋଇ କ୍ଷେତ୍ରର ଭାଗିଦାରୀ ଓ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ସେମାନେ ମତ ପ୍ରକାଶ କରିଥିଲେ। ଏହାର ଲକ୍ଷ୍ୟ ହେଉଛି ଜାପାନର ଉନ୍ନତ ଗମନାଗମନ ପ୍ରଯୁକ୍ତିବିଦ୍ୟାକୁ ଭାରତର ଉନ୍ନତ ମାନବ ସମ୍ବଳ ଓ ସମଗ୍ର ଭାରତରେ ବଜାର ସମ୍ଭାବନା ସହିତ ମିଶ୍ରଣ କରିବା। ଏହି ଉଦ୍ଦେଶ୍ୟରେ, ସେମାନେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ପିଢ଼ିର ଗମନାଗମନ କ୍ଷେତ୍ରରେ ସହଭାଗୀତା ଉପରେ ଏମଓସି ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ମାନବ ସମ୍ବଳ ସହଯୋଗ ସମେତ ଜାହାଜ ନିର୍ମାଣ କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ମଧ୍ୟ ସେମାନେ ସ୍ୱୀକାର କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଏବଂ ଆଦାନ-ପ୍ରଦାନ ହେଉଛି ଦ୍ୱିପାକ୍ଷିକ ସମ୍ପର୍କର ଏକ ମୁଖ୍ୟ ସ୍ତମ୍ଭ। ଏହି ପରିପ୍ରେକ୍ଷୀରେ ସେମାନେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଚାଲିଥିବା ମିଳିତ ଗବେଷଣା ସହଯୋଗ, ଉଭୟ ଦେଶର ବୈଜ୍ଞାନିକ ଓ ଗବେଷକମାନଙ୍କ ପାରସ୍ପରିକ ଗସ୍ତ ଏବଂ ଜାପାନୀ କମ୍ପାନୀଗୁଡ଼ିକରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ମାଧ୍ୟମରେ ଶିଳ୍ପ ଓ ଶିକ୍ଷା କ୍ଷେତ୍ର ମଧ୍ୟରେ ସହଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ LOTUS କାର୍ଯ୍ୟକ୍ରମ, ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏଜେନ୍ସିର ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଦ୍ୱାରା ଆମନ୍ତ୍ରିତ ଜାପାନୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଉଲ୍ଲେଖ କରିଥିଲେ। DST ର 'ଇଣ୍ଡୋ-ଜାପାନ କୋଅପରେଟିଭ୍ ସାଇନ୍ସ ପ୍ରୋଗ୍ରାମ' (ଆଇଜେସିଏସପି), 'ଜାପାନ ସୋସାଇଟି ଫର୍ ପ୍ରୋମୋସନ୍ ଅଫ୍ ସାଇନ୍ସ' (ଜେଏସପିଏସ୍ ), MEXT ଛାତ୍ରବୃତ୍ତି ଏବଂ 'ଇଣ୍ଟର-ୟୁନିଭର୍ସିଟି ଏକ୍ସଚେଞ୍ଜ ପ୍ରୋଜେକ୍ଟ' ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଓ ବିଶ୍ୱବିଦ୍ୟାଳୟସ୍ତରୀୟ ଆଦାନ-ପ୍ରଦାନ ବ୍ୟବସ୍ଥାକୁ ଆହୁରି ଆଗକୁ ବଢ଼ାଇବାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଜୋର୍ ଦେଇଥିଲେ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଓ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା ମଧ୍ୟରେ ଚନ୍ଦ୍ରର ମେରୁ ଅଞ୍ଚଳରେ ଅନୁସନ୍ଧାନ (LUPEX) ମିଶନରେ ଚାଲିଥିବା ପ୍ରଗତି ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ। ଭାରତର DST ଏବଂ ଜାପାନ କ୍ୟାବିନେଟ କାର୍ଯ୍ୟାଳୟ ମଧ୍ୟରେ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଉପରେ ସ୍ୱାକ୍ଷରିତ ଲେଟର୍ ଅଫ୍ ଇଣ୍ଟେଣ୍ଟକୁ ସେମାନେ ସ୍ୱାଗତ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଆଦାନପ୍ରଦାନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଥିଲେ। ସେମାନେ ମନେ ପକାଇ ଥିଲେ ଯେ, ଭାରତ ଓ ଜାପାନ ମଧ୍ୟରେ ପ୍ରତିଭା ଆଦାନ ପ୍ରଦାନ ଏକ ପାରସ୍ପରିକ ପରିପୂରକ ସମ୍ପର୍କ ଗଠନ କରେ। ଏହା ଉଭୟ ପକ୍ଷର ବିଭିନ୍ନ ଚ୍ୟାଲେଞ୍ଜର ସମାଧାନ କରେ। ଭାରତରେ ଜାପାନୀ ଭାଷାର ଶିକ୍ଷାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଦୁଇ ପ୍ରଧାନମନ୍ତ୍ରୀ। ଏ ଦିଗରେ ନିହୋଙ୍ଗୋ ପାର୍ଟନର୍ସ କାର୍ଯ୍ୟକ୍ରମ ସମେତ ଏପର୍ଯ୍ୟନ୍ତ ହୋଇଥିବା ପ୍ରଗତିକୁ ଉଭୟେ ପ୍ରଶଂସା କରିଥିଲେ। ୨୦୨୫ ମସିହାରେ ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୫ ଲକ୍ଷ ୪୦ ହଜାର ଅତିକ୍ରମ କରିଥିବାରୁ ଏହାକୁ ସେମାନେ ସ୍ୱାଗତ ଜଣାଇଲେ। ଦ୍ୱିପାକ୍ଷିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ନିଜର ପ୍ରତିବଦ୍ଧତା ଦୋହରାଇଲେ। ଅନୁଷ୍ଠାନଗତ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ବୌଦ୍ଧିକ ଓ ସାଂସ୍କୃତିକ ଆଦାନପ୍ରଦାନକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ। ଆନିମେ, ମାଙ୍ଗା, ଗେମିଂ ଓ ଚଳଚ୍ଚିତ୍ର ଭଳି ସୃଜନଶୀଳ ଶିଳ୍ପ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେମାନେ ଆଲୋକପାତ କରିଥିଲେ। ବିଶେଷ କରି ଯୁବପିଢ଼ିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ପର୍ଯ୍ୟଟକଙ୍କ ସମେତ ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ବଢୁଥିବା ଆଦାନପ୍ରଦାନକୁ ସ୍ୱୀକାର କରି, ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ କନସୁଲାର ବ୍ୟାପାର ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଥିଲେ। ...
ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ତଥା ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତ ଏବଂ ଜାପାନର ପ୍ରିଫେକ୍ଚର୍ ଓ ପୌରସଂସ୍ଥାଗୁଡ଼ିକ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଭୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ। ଆଞ୍ଚଳିକ ସ୍ତରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆଦାନପ୍ରଦାନକୁ ସ୍ୱାଗତ ଜଣାଇଥିଲେ; ଏଥିରେ 'ବନ୍ଧୁତ୍ୱ ଓ ଆଦାନପ୍ରଦାନ ପାଇଁ ଭାରତ-ଜାପାନ ଗଭର୍ଣ୍ଣର ନେଟୱାର୍କ'ର ପ୍ରତିଷ୍ଠା ତଥା ୟାମାନାଶି ପ୍ରିଫେକ୍ଚର୍ ଓ ଉତ୍ତର ପ୍ରଦେଶ, ତୋୟାମା ପ୍ରିଫେକ୍ଚର୍ ଓ ଆନ୍ଧ୍ର ପ୍ରଦେଶ, ଶିଜୁଓକା ପ୍ରିଫେକ୍ଚର୍ ଓ ଗୁଜରାଟ, ହାମାମାତ୍ସୁ ସହର ଓ ଅହମ୍ମଦାବାଦ, ୱାକାୟାମା ପ୍ରିଫେକ୍ଚର୍ ଓ ମହାରାଷ୍ଟ୍ର, ସାନ-ଇନ୍ ଅଞ୍ଚଳ ଓ କେରଳ, ଏହିମେ ପ୍ରିଫେକ୍ଚର୍ ଓ ତାମିଲନାଡୁ, ଫୁକୁଓକା ପ୍ରିଫେକ୍ଚର୍ ଓ ଦିଲ୍ଲୀ ତଥା କିଟାକ୍ୟୁଶୁ ସହର ଓ ତେଲେଙ୍ଗାନା ମଧ୍ୟରେ ହୋଇଥିବା ସାମ୍ପ୍ରତିକ ଉଚ୍ଚ-ସ୍ତରୀୟ ସହଯୋଗ ଅନ୍ତର୍ଭୁକ୍ତ।
ଆଞ୍ଚଳିକ ଓ ବୈଶ୍ବିକ ପ୍ରସଙ୍ଗ
FOIP ଓ ଆକ୍ଟ ଇଷ୍ଟ ନୀତିକୁ ଦୃଷ୍ଟିରେ ରଖି ଏକ ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସାକାର କରିବା ପାଇଁ ଦୁଇ ପ୍ରଧାନମନ୍ତ୍ରୀ ଭାରତର ଉତ୍ତର ପୂର୍ବ କ୍ଷେତ୍ର (NER)ର ରଣନୀତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ଷେତ୍ରରେ ସଡ଼କ ନେଟୱାର୍କ, ସେତୁ, ସ୍ୱାସ୍ଥ୍ୟସେବାରେ ସାମାଜିକ ଭିତ୍ତିଭୂମି, ଜଙ୍ଗଲ ପରିଚାଳନା ଏବଂ ବିପର୍ଯ୍ୟୟ ହ୍ରାସ ଭଳି କ୍ଷେତ୍ରରେ ହାର୍ଡ, ସଫ୍ଟ ଏବଂ ଲୋକଙ୍କ ମଧ୍ୟରେ ପରସ୍ପର ସଂପର୍କ ବୃଦ୍ଧି ନେଇ ଜାପାନର ଦୃଢ଼ ସମର୍ଥନକୁ ପ୍ରଶଂସା କରିଥିଲେ। ସେମାନେ ଜାପାନୀ ଏବଂ ଭାରତୀୟ ଉଦ୍ୟୋଗ ଦ୍ୱାରା ସେମିକଣ୍ଡକ୍ଟର ଓ ଜୈବ ଇନ୍ଧନ କ୍ଷେତ୍ରରେ ସକ୍ରିୟ ଆର୍ଥିକ କାରବାର, ଦକ୍ଷତା ବିକାଶ, ଜାପାନୀ ଭାଷା ତାଲିମ ଏବଂ ମାନବ ସମ୍ବଳ ଆଦାନପ୍ରଦାନକୁ ସ୍ୱାଗତ କରିଥିଲେ। ସେମାନେ BIMSTEC ସମେତ ସମ୍ପୃକ୍ତ ଅଂଶୀଦାର ଏବଂ ଆଞ୍ଚଳିକ ସଂଗଠନଗୁଡ଼ିକ ସହ ଘନିଷ୍ଠ ସହଯୋଗ ମାଧ୍ୟମରେ ଉତ୍ତର-ପୂର୍ବ ଅଞ୍ଚଳ (NER) କୁ ବଙ୍ଗୋପସାଗରୀୟ ଅଞ୍ଚଳ ସହିତ ସଂଯୋଗ କରୁଥିବା ଶିଳ୍ପ-ମୂଲ୍ୟ ଶୃଙ୍ଖଳା (industrial value chains) ବିକାଶ କରିବା ପାଇଁ ନିଜର ମିଳିତ ପ୍ରତିଶୃତିକୁ ଦୋହରାଇଥିଲେ। ଫେବୃଆରୀ ୨୦୨୬ରେ ମେଘାଳୟର ଶିଲଂରେ ହୋଇଥିବା 'ଷଷ୍ଠ ଭାରତ-ଜାପାନ ବୌଦ୍ଧିକ ସମ୍ମିଳନୀ' (India-Japan Intellectual Conclave) ର ସଫଳ ଆୟୋଜନକୁ ମଧ୍ୟ ପ୍ରଶଂସା କରିଥିଲେ। 'ଆକ୍ଟ ଇଷ୍ଟ ଫୋରମ୍' (AEF) ର ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଶୀଘ୍ର ଆୟୋଜନ କରିବାର ଗୁରୁତ୍ୱ ଉପରେ ଦୁଇ ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଥିଲେ।
ଏକ ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତିଷ୍ଠାର ମିଳିତ ଲକ୍ଷ୍ୟ ଦିଗରେ ଦୁଇ ପ୍ରଧାନମନ୍ତ୍ରୀ ସମାନ ମନୋଭାବ ଥିବା ଦେଶମାନଙ୍କ ମଧ୍ୟରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ କ୍ୱାଡ୍ ଫ୍ରେମୱାର୍କ ଅଧୀନରେ ସ୍ଥିର ପ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ବ୍ୟବହାରିକ ସହଯୋଗ ବୃଦ୍ଧି କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସାମୁଦ୍ରିକ ଓ ଅନ୍ତର୍ଜାତୀୟ ସୁରକ୍ଷାର ୪ଟି ସ୍ତମ୍ଭ; ଅର୍ଥନୈତିକ ସମୃଦ୍ଧି ଏବଂ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଗୁରୁତ୍ୱପୂର୍ଣ୍ଣ ଓ ନୂଆ ପ୍ରଯୁକ୍ତିବିଦ୍ୟା; ଏବଂ ମାନବିକ ସହାୟତା ତଥା ଜରୁରୀକାଳୀନ ପ୍ରତିକ୍ରିୟାରେ କ୍ୱାଡ୍ ସହଯୋଗର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଏହି କ୍ଷେତ୍ରଗୁଡ଼ିକରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସହଯୋଗ କ୍ୱାଡ୍ ପ୍ରୟାସକୁ ଆହୁରି ମଜବୁତ ଏବଂ ପରିପୂରକ କରିବ। ସେମାନେ ପରବର୍ତ୍ତୀ କ୍ୱାଡ୍ ନେତା ସମ୍ମିଳନୀର ଶୀଘ୍ର ଆୟୋଜନ ଦିଗରେ ସହଯୋଗ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଆଞ୍ଚଳିକ ସ୍ଥିରତାକୁ ସୁଦୃଢ଼ କରିବା, ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ASEAN ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଫିଲିପାଇନ୍ସ ସହିତ ପ୍ରଥମ ତ୍ରିପାକ୍ଷିକ ୧.୫ ଟ୍ରାକ୍ ନୀତି ବୈଠକ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସହମତ ହୋଇଥିଲେ। ଉଭୟ ପ୍ରଧାନମନ୍ତ୍ରୀ ASEAN (ଆସିଆନ୍)ର କେନ୍ଦ୍ରୀୟ ଭୂମିକା ଓ ଏକତା ପ୍ରତି ସେମାନଙ୍କ ଦୃଢ଼ ସମର୍ଥନ ଏବଂ "ASEAN Outlook on the Indo-Pacific (AOIP)" ପ୍ରତି ଦୃଢ଼ ସମର୍ଥନକୁ ପୁନର୍ବାର ଦୋହରାଇଥିଲେ। ଏହା ବ୍ୟତୀତ ସେମାନେ ସମାନ ଚିନ୍ତାଧାରା ସମ୍ପନ୍ନ ଦେଶଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ; ଏଥିରେ ରହିଛି ବିଶ୍ୱ ବ୍ୟାଙ୍କ ଗୃପର 'Resilient and Inclusive Supply-chain Enhancement (RISE) Partnership' ଏବଂ ଏସୀୟ ବିକାଶ ବ୍ୟାଙ୍କ (ADB)ର 'Critical Minerals-to-Manufacturing Financing Partnership Facility (CMM-FPF)' ଭଳି ବହୁପକ୍ଷୀୟ ବିକାଶ ବ୍ୟାଙ୍କ (MDB) ମାଧ୍ୟମରେ କରାଯାଉଥିବା ସହଯୋଗ।
ପୂର୍ବ ଚୀନ ସାଗର ଏବଂ ଦକ୍ଷିଣ ଚୀନ ସାଗରର ପରିସ୍ଥିତି ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୁରକ୍ଷା, ସାମୁଦ୍ରିକ ଯାତ୍ରା, ବିମାନ ଉଡ଼ାଣର ସ୍ୱାଧୀନତାକୁ ବିପଦରେ ପକାଉଥିବା କୌଣସି ଏକପାଖିଆ କାର୍ଯ୍ୟ ବା ବଳପ୍ରୟୋଗ କିମ୍ବା ବଳପ୍ରୟୋଗ ଦ୍ୱାରା ସ୍ଥିତାବସ୍ଥା ପରିବର୍ତ୍ତନର ପ୍ରୟାସକୁ ଦୃଢ଼ ବିରୋଧ କରାଯିବ ବୋଲି କହିଛନ୍ତି ଦୁଇ ପ୍ରଧାନମନ୍ତ୍ରୀ। ବିବାଦୀୟ କ୍ଷେତ୍ରରେ ସାମରିକ କାର୍ଯ୍ୟକଳାପ ବଢୁଥିବାରୁ ଦୁଇ ପ୍ରଧାନମନ୍ତ୍ରୀ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ। ସେମାନେ ଦୋହରାଇଥିଲେ ଯେ, ଏହି ସବୁ ସାମୁଦ୍ରିକ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ କରାଯିବା ଉଚିତ ଯାହା କି UNCLOS ରେ ପ୍ରତିଫଳିତ ହୋଇଛି।
ଦୁଇ ପ୍ରଧାନମନ୍ତ୍ରୀ ଉତ୍ତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ। ସେମାନେ ଏ ସଂପର୍କିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ପ୍ରସ୍ତାବ ଅନୁଯାୟୀ ଉତ୍ତର କୋରିଆର ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ନେଇ ପ୍ରତିବଦ୍ଧତା ଦୋହରାଇଥିଲେ। ଏହି ଅଞ୍ଚଳ ଓ ଏହାର ବାହାରେ ମଧ୍ୟ ଉତ୍ତର କୋରିଆକୁ ପରମାଣୁ ଓ କ୍ଷେପଣାସ୍ତ୍ର ପ୍ରଯୁକ୍ତ
(रिलीज़ आईडी: 2292943)
आगंतुक पटल : 20
इस विज्ञप्ति को इन भाषाओं में पढ़ें:
English
,
हिन्दी
,
Punjabi
,
Gujarati
,
Kannada
,
Malayalam
,
Assamese
,
Manipuri
,
Urdu
,
Bengali
,
Telugu