ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୁ୍ୟଜିଲାଣ୍ଡରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 11 JUL 2026 6:53PM by PIB Bhubaneswar

କି ଓରା ନୁ୍ୟଜିଲାଣ୍ଡ!

ଭାରତରେ ଆମେ ପ୍ରାୟତଃ ‘୨୦ ବର୍ଷ ପରେ’ ବୋଲି କଥା ଶୁଣିଥାଉ । କିନ୍ତୁ ଆଜି ଚାଳିଶ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନୁ୍ୟଜିଲାଣ୍ଡ ମାଟିରେ ପାଦ ଥାପିଛନ୍ତି । ଏଠାରେ ଉପସ୍ଥିତ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ନିଜ ସହିତ ନୁ୍ୟଜିଲାଣ୍ଡର ସମସ୍ତ ଲୋକଙ୍କ ପାଇଁ ଏବଂ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଆସିଛି ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଭାବେ ନୁ୍ୟଜିଲାଣ୍ଡକୁ ଏହା ହୁଏତ ମୋର ପ୍ରଥମ ଗସ୍ତ ହୋଇପାରେ । କିନ୍ତୁ ୨୫ରୁ ୩୦ ବର୍ଷ ପୂର୍ବେ, ଯେତେବେଳେ ମୁଁ କୌଣସି ସରକାରର ଅଂଶ ନଥିଲି କିମ୍ବା ସାର୍ବଜନୀନ ଜୀବନରେ ପରିଚିତ ନଥିଲି, ସେତେବେଳେ ମୋତେ ନୁ୍ୟଜିଲାଣ୍ଡ ଗସ୍ତ କରିବାର ସୁଯୋଗ ମିଳିଥିଲା । ସେହି ଗସ୍ତ ସମୟରେ, କେହି ମୋତେ ତିନୋଟି ଜିନିଷ ଉପହାର ଦେଇଥିଲେ,ଯାହାକୁ ମୁଁ ଭାରତ ଫେରିବା ସମୟରେ ସାଙ୍ଗରେ ନେଇ ଆସିଥିଲି: ଏହି ମଫଲର, ଏକ ଟୋପି ଏବଂ ଏକ ଯୋଡ଼ା ଗ୍ଲୋଭସ, କାରଣ ସେତେବେଳେ ଶୀତ ଦିନ ଥିଲା ।

ଏବଂ ସେହି ଉପହାର ଗୁଡ଼ିକ ମଧ୍ୟରୁ ଗୋଟିଏ ଆଜି ମଧ୍ୟ ମୋ ପାଖରେ ଅଛି । ଆପଣ ଏଠାରେ ଯେଉଁ ମଫଲର ଦେଖୁଛନ୍ତି,ତାହା ୨୫ରୁ ୩୦ ବର୍ଷ ପୂର୍ବେ ନୁ୍ୟଜିଲାଣ୍ଡର ଜଣେ ବନ୍ଧୁ ମୋତେ ଉପହାର ଦେଇଥିଲେ । ବର୍ଷ ବର୍ଷ ଧରି ମୁଁ ଏହାକୁ ଅନେକ ଥର ବ୍ୟବହାର କରିଛି ଏବଂ ଆଜି ପର୍ଯ୍ୟନ୍ତ ଏହାକୁ ଅତି ଯତ୍ନର ସହିତ ସାଇତି ରଖିଛି, ଯେପରି ମୁଁ ଆପଣମାନଙ୍କ ସ୍ନେହକୁ ହୃଦୟରେ ସାଇତି ରଖିଛି ।

ଯେତେବେଳେ ନୁ୍ୟଜିଲାଣ୍ଡ ଗସ୍ତର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଲା,ମୁଁ ଏହାକୁ ସାଙ୍ଗରେ ଆଣିବାକୁ ନିଶ୍ଚିତ କରିଥିଲି, ବିଶେଷ କରି ଏଥିପାଇଁ ଯେ ମୋତେ କୁହାଯାଇଥିଲା ଯେ ସେଠାରେ ପାଗ ବେଶ୍ ଥଣ୍ଡା ରହିବ ।

ବନ୍ଧୁଗଣ,

ଭାରତ ଏବଂ ନୁ୍ୟଜିଲାଣ୍ଡ ମଧ୍ୟରେ ଥିବା ସମ୍ପର୍କ ସାଧାରଣ ସ୍ମୃତି, ବନ୍ଧୁତ୍ୱ, ମୂଲ୍ୟବୋଧ ଏବଂ ଏକ ସାମୂହିକ ପ୍ରତିବଦ୍ଧତା ଉପରେ ଆଧାରିତ । ନୁ୍ୟଜିଲାଣ୍ଡର ଏକ ସୁନ୍ଦର ପରମ୍ପରା ରହିଛି ଯାହା ଏହି ସମ୍ପର୍କର ମୂଳ ଭାବନାକୁ ପ୍ରତିଫଳିତ କରେ । ଶତାବ୍ଦୀ ଧରି ଗୋଟିଏ ଶବ୍ଦ ଏଠାରେ ଲୋକଙ୍କୁ ଏକାଠି କରି ଆସିଛି - ‘ୱାକା’ । ‘ୱାକା’ କେବଳ ଏକ ଡଙ୍ଗା ନୁହେଁ; ଏହା ଆମର ସାମୂହିକ ଯାତ୍ରାର ଏକ ପ୍ରତୀକ । ଆଉ ଆଜି ଭାରତ-ନୁ୍ୟଜିଲାଣ୍ଡ ସମ୍ପର୍କର ସେହି ‘ୱାକା’ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ।

ଆମ ସାମ୍ନାରେ ସୁଯୋଗରେ ପରିପୂର୍ଣ୍ଣ ଏକ ବିଶାଳ ସାଗର ରହିଛି । ପବନ ଆମ ସପକ୍ଷରେ ରହିଛି । ସମୁଦ୍ରର ବିଶାଳ ଲହରୀ ଆମ ସହିତ ରହିଛି । ଆମର ସାମୂହିକ ସଂକଳ୍ପର ନୀଳ ଆକାଶ ମଧ୍ୟ ଆମ ସହିତ ଅଛି । ଆମକୁ ବହୁତ କିଛି ହାସଲ କରିବାର ଅଛି ଏବଂ ମୁଁ ଜାଣେ ଯେ ଆମେ ନିଶ୍ଚିତ ଭାବେ ସଫଳ ହେବୁ ।

ବନ୍ଧୁଗଣ,

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଯାତ୍ରା ସଫଳ ହେବ । ଆପଣ ଜାଣନ୍ତି କାହିଁକି? କେବଳ ମୋଦୀଙ୍କ ପାଇଁ ନୁହେଁ, ବରଂ ଆପଣ ସମସ୍ତେ ଏହାର ପ୍ରକୃତ ନାବିକ ହୋଇଥିବାରୁ । ଅକଲାଣ୍ଡରୁ ୱେଲିଂଟନ ଏବଂ କ୍ରାଇଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ ପର୍ଯ୍ୟନ୍ତ, ନୁ୍ୟଜିଲାଣ୍ଡର ପ୍ରତ୍ୟେକ କୋଣରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଏହି ସାମୂହିକ ଯାତ୍ରାର ଜଣେ ଜଣେ ନାବିକ ଅଟନ୍ତି ।

ବନ୍ଧୁଗଣ,

ଆଗକୁ ବଢ଼ିବା ପୂର୍ବରୁ, ମୁଁ ମୋର ବନ୍ଧୁ ତଥା ନୁ୍ୟଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ, ନୁ୍ୟଜିଲାଣ୍ଡ ସରକାରଙ୍କ ମୋର ସହଯୋଗୀ ଏବଂ ଏଠାରେ ଉପସ୍ଥିତ ଥିବା ଲେବର ପାର୍ଟିର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସେମାନଙ୍କ ଉପସ୍ଥିତି ଭାରତ-ନୁ୍ୟଜିଲାଣ୍ଡ ସମ୍ପର୍କ ପ୍ରତି ଥିବା ଦୃଢ଼ ଦ୍ୱିପାକ୍ଷିକ ସମର୍ଥନକୁ ପ୍ରତିଫଳିତ କରେ । ଏହା କିୱି-ଇଣ୍ଡିଆନ ସମ୍ପ୍ରଦାୟର ଉଲ୍ଲେଖନୀୟ ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ମଧ୍ୟ ସୂଚିତ କରେ । କିୱି-ଇଣ୍ଡିଆନ ସମ୍ପ୍ରଦାୟର ଏହି ଉତ୍ସବରେ ଆପଣମାନଙ୍କ ଉପସ୍ଥିତି ଏହି ଅବସରକୁ ଆହୁରି ଜୀବନ୍ତ କରିପାରିଛି ।

ାପଣମାନେ ଆମ ସମସ୍ତଙ୍କୁ ଯେଉଁ ଆପଣାପଣ, ସ୍ନେହ ଏବଂ ଉତ୍ସାହର ସହ ସ୍ୱାଗତ କରିଛନ୍ତି, ସେଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ ।

ମାନ୍ୟବର,

ଆପଣ ମଧ୍ୟ କିୱି-ଇଣ୍ଡିଆନ ସମ୍ପ୍ରଦାୟ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ । ଭାରତର ସ୍ୱାଧୀନତା ଦିବସ ପାଳନ ଅବସରରେ ‘ଦମା ଦମ୍ ମସ୍ତ କଲନ୍ଦର’ ଗୀତରେ ଆପଣ ଏବଂ କ୍ରିସ୍ ହିପକନ୍ସ କରିଥିବା ନୃତ୍ୟ ବେଶ୍ ଭାଇରଲ ହୋଇଥିଲା । ସେହି ନୃତ୍ୟଭଙ୍ଗୀ କିୱି-ଇଣ୍ଡିଆନ ମାନଙ୍କ ମଧ୍ୟରେ ଏକ ସ୍ଥାୟୀ ଛାପ ଛାଡ଼ିଯାଇଛି ।

ବନ୍ଧୁଗଣ,

ନୁ୍ୟଜିଲାଣ୍ଡ ବାସ୍ତବରେ ଏକ ଅସାଧାରଣ ଦେଶ । ଏହା ଶାନ୍ତି, ସମୃଦ୍ଧି, ପ୍ରକୃତି ଏବଂ ସଂସ୍କୃତିର ଭୂମି । କିନ୍ତୁ ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଲୋକମାନେ । ନୁ୍ୟଜିଲାଣ୍ଡର ଲୋକମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ କୌଣସି ଦେଶ ଉତ୍ସାହ ଏବଂ ଲକ୍ଷ୍ୟ ନେଇ ଆଗକୁ ବଢ଼େ, ସେତେବେଳେ ତାହା ସମଗ୍ର ବିଶ୍ୱକୁ ଅନୁପ୍ରାଣୀତ କରେ ।

ଏଠାକାର ‘କିୱି-ଭାରତୀୟ’ ସମ୍ପ୍ରଦାୟକୁ ମଧ୍ୟ ନୁ୍ୟଜିଲାଣ୍ଡର ଲୋକମାନେ ଅତ୍ୟନ୍ତ ଆପଣାର ଭାବନା ଓ ସ୍ନେହର ସହ ଗ୍ରହଣ କରିଛନ୍ତି ଏବଂ ଆପଣମାନଙ୍କୁ ସେମାନଙ୍କ ଟିମର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିଛନ୍ତି । ସେମାନେ ଆପଣଙ୍କ ପ୍ରତିଭା ଏବଂ ଦୂରଦୃଷ୍ଟି ଉପରେ ଭରସା ରଖିଛନ୍ତି । ଆଜି ନୁ୍ୟଜିଲାଣ୍ଡର ଅର୍ଥନୀତି ହେଉ କିମ୍ବା ସମାଜ, ପ୍ରତ୍ୟେକ କ୍ଷେତ୍ରରେ କିୱି ଭାରତୀୟମାନେ ନୂତନ ରଙ୍ଗ ଭରିଛନ୍ତି ।

ନୁ୍ୟଜିଲାଣ୍ଡ ଏପରି ଏକ ସ୍ଥାନ ଯେଉଁଠାରେ ନିଖିଲ ରବିଶଙ୍କର ‘ଏୟାର ନୁ୍ୟଜିଲାଣ୍ଡ’ର ସିଇଓ ହୋଇପାରନ୍ତି, ଆନନ୍ଦ ସତ୍ୟାନନ୍ଦ ଗଭର୍ଣ୍ଣର ଜେନେରାଲ ଭାବେ ସେବା କରିପାରନ୍ତି ଏବଂ ରଚିନ ରବୀନ୍ଦ୍ର, ଇଶ୍ ସୋଢ଼ି ଓ ଆଜାଜ ପଟେଲଙ୍କ ଭଳି ପ୍ରତିଭାବାନ ଖେଳାଳି ଜାତୀୟ କ୍ରିକେଟ ଦଳରେ ସୁଯୋଗ ପାଇପାରନ୍ତି ।

ନୁ୍ୟଜିଲାଣ୍ଡ ଏପରି ଏକ ସ୍ଥାନ ମଧ୍ୟ ଯେଉଁଠାରେ ରାସ୍ତାଘାଟଗୁଡ଼ିକ ମଧ୍ୟ ଭାରତୀୟ ସ୍ଥାନଗୁଡ଼ିକର ନାମ ବହନ କରିଥାଏ । ଏଠାରେ ଖଣ୍ଡାଲା, ବମ୍ବେ ହିଲ୍ସ ଏବଂ କରମଣ୍ଡଳ ଭଳି ସ୍ଥାନ ରହିଛି ।

ଅନ୍ୟାନ୍ୟ ନାମ ଗୁଡ଼ିକ ମଧ୍ୟରେ କଲିକତା ଷ୍ଟ୍ରିଟ୍, ଦିଲ୍ଲୀ କ୍ରେସେଣ୍ଟ ଏବଂ ଅମୃତସର ଷ୍ଟ୍ରିଟ ଭଳି ଅନେକ ରାସ୍ତା ରହିଛି । ଏଠାରେ ରହି ଆପଣମାନେ ପ୍ରକୃତରେ କିୱି ପାଲଟିଯାଇଛନ୍ତି । ବାସ୍ତବରେ ମୁଁ ଶୁଣିବାକୁ ପାଇଛି ଯେ କଥାବାର୍ତ୍ତା ଯେକୌଣସି ବିଷୟରୁ ଆରମ୍ଭ ହେଉନା କାହିଁକି, ଶେଷରେ ତାହା ନିଶ୍ଚିତ ଭାବେ ପାଗ ପ୍ରସଙ୍ଗରେ ଆଲୋଚନାରେ ପରିଣତ ହୋଇଥାଏ ।

ବନ୍ଧୁଗଣ,

ମୁଁ ଯେତେବେଳେ ନୁ୍ୟଜିଲାଣ୍ଡର ନେତାମାନଙ୍କୁ ଭେଟିଛି, ସେମାନେ ଆପଣମାନଙ୍କ ବିଷୟରେ ବହୁତ ପ୍ରଶଂସା କରିଛନ୍ତି । ପ୍ରଶଂସା ଆପଣମାନଙ୍କ ପାଇଁ କିନ୍ତୁ ଏହା ମୋ ମନରେ ଗର୍ବ ଭରିଦିଏ ।

ବନ୍ଧୁଗଣ,

ଯେପରି ଆପଣମାନେ ସମସ୍ତେ ଜାଣନ୍ତି ଭାରତ ଏକ ହଜାର ହଜାର ବର୍ଷର ପୁରୁଣା ସଭ୍ୟତା ଏବଂ ଆଜି ଏହା ତାହାର ପ୍ରାଚୀନ ଐତିହ୍ୟକୁ ସଂରକ୍ଷଣ କରିବା ସହ ଆଧୁନିକତାକୁ ଗ୍ରହଣ କରୁଛି । ପ୍ରତ୍ୟେକ ଯୁଗରେ ଏବଂ ଇତିହାସର ପ୍ରତ୍ୟେକ ପର୍ଯ୍ୟାୟରେ ଭାରତ, ଭାରତ ନିଜର ରୂପାନ୍ତରଣ କରିଛି । ଏହାର କାରଣ ହେଉଛି ଶିକ୍ଷା କରିବାର ଜିଜ୍ଞାସା ।

ଭାରତ ସମସ୍ତଙ୍କ ଠାରୁ ଶିଖେ । ଆମପାଇଁ ଅନ୍ୟ ଦେଶର ଜନସଂଖ୍ୟାର ଆକାର ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଜନକଲ୍ୟାଣ ପାଇଁ ଏହାର ପ୍ରତିବଦ୍ଧତା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆମେ ନୁ୍ୟଜିଲାଣ୍ଡରୁ ବହୁତ କିଛି ଶିଖିଛୁ ଏବଂ ଏହା ମଧ୍ୟ କରିଚାଲିଛୁ ।

ନୁ୍ୟଜିଲାଣ୍ଡ ବିଶ୍ୱର ପ୍ରଥମ ରାଷ୍ଟ୍ର ଥିଲା, ଯିଏକି ମହିଳାମାନଙ୍କୁ ମତଦାନର ଅଧିକାର ଦେଇଥିଲା । ଆଜି ଆମେ ନୁ୍ୟଜିଲାଣ୍ଡର ସମାଜରେ ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ଦେଖିବାକୁ ପାଉଛୁ । ମହିଳାମାନଙ୍କ ନେତୃତ୍ୱରେ ବିକାଶର ଦୃଷ୍ଟିକୋଣ ଅଧୀନରେ ଭାରତ ମଧ୍ୟ ମହିଳାମାନଙ୍କ ପାଇଁ ସୁଯୋଗର ନୂତନ ପଥ ଖୋଲିବାରେ ଲାଗିଛି ।

ବନ୍ଧୁଗଣ,

ନୁ୍ୟଜିଲାଣ୍ଡ ଏହା ଦେଖାଇ ପାରିଛି ଯେ, ଏକ ଦୃଢ଼ ଗ୍ରାମୀଣ ଅର୍ଥନୀତି କିପରି ଏକ ଦେଶର ଭାଗ୍ୟ ବଦଳାଇ ଦେଇପାରେ । କୃଷି କ୍ଷେତ୍ରରେ ନୁ୍ୟଜିଲାଣ୍ଡ ଗଢ଼ି ତୋଳିଥିବା ସୁଦକ୍ଷ ଇକୋସିଷ୍ଟମ ଏହାର ଅନ୍ୟତମ ବଡ଼ ଶକ୍ତି ଅଟେ । ଉତ୍ପାଦର ଉତ୍ସ ଜାଣିବାର ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା କିମ୍ବା ନିୟମାବଳୀ ପାଳନ ବ୍ୟବସ୍ଥା- ଏସବୁ ମୂଲ୍ୟବାନ ପ୍ରେରଣା ଦେଇଥାଏ । ଭାରତ ଭଳି ଏକ ବୃହତ କୃଷିପ୍ରଧାନ ଦେଶ ପାଇଁ, ଯେଉଁଠାରେ ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀ ରହିଛନ୍ତି, ଏଥିରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିପାରିବ ।

ଜେସପ୍ରି ମଡେଲ ମାଧ୍ୟମରେ ନୁ୍ୟଜିଲାଣ୍ଡ ଏହା ଦେଖାଇପାରିଛି ଯେ କ୍ଷୁଦ୍ର ଚାଷୀମାନେ ମଧ୍ୟ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଗଢ଼ିପାରିବେ । ନୁ୍ୟଜିଲାଣ୍ଡର ଜଳବାୟୁ ଅନୁକୂଳ ଏବଂ ସଠିକ କୃଷି ପଦ୍ଧତି ସମ୍ବନ୍ଧୀୟ ଜ୍ଞାନକୌଶଳରୁ ମଧ୍ୟ ଆମକୁ ବହୁତ କିଛି ଶିଖିବାର ଅଛି ।

ବନ୍ଧୁଗଣ,

ଏଠାରେ ମାନୁକା ମହୁକୁ ପ୍ରାୟ ‘ତରଳ ସୁନା’ ବୋଲି କୁହାଯାଏ । ନୁ୍ୟଜିଲାଣ୍ଡରେ ମହୁ ଯେପରି ପରମ୍ପରା ଓ ସ୍ୱାଦ ସମେତ ସ୍ୱାସ୍ଥ୍ୟ ଓ କଲ୍ୟାଣ ସହ ଜଡ଼ିତ, ସେହିପରି ଭାରତର ଆୟୁର୍ବେଦିକ ପରମ୍ପରାରେ ମଧ୍ୟ ମହୁର ବିଶେଷ ଗୁରୁତ୍ୱ ରହିଛି । ଆପଣ ଏହା ଜାଣି ଖୁସି ହେବେ ଯେ, ଭାରତ ମଧ୍ୟ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ଅଭିଯାନକୁ କାର୍ଯ୍ୟକାରୀ କରୁଛି । ଏହା ଫଳରେ ଦେଶରେ ମହୁ ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ।

ଆଜିକାଲି ହିମାଳୟର ଉଚ୍ଚ ଅଞ୍ଚଳରୁ ଆସୁଥିବା ମହୁ କେବଳ ସୁନା ନୁହେଁ, ବରଂ ପ୍ରାୟ ହୀରା ସଦୃଶ ମୂଲ୍ୟବାନ ହୋଇପଡ଼ୁଛି । ମୋର ବିଶ୍ୱାସ ଯେ ମହୁ ଉତ୍ପାଦନକୁ ଆହୁରି ବଢ଼ାଇବା ଦିଗରେ ଆମେ ନୁ୍ୟଜିଲାଣ୍ଡ ଠାରୁ ବହୁତ କିଛି ଶିଖିପାରିବା ।

ବନ୍ଧୁଗଣ,

ଚଳିତ ବର୍ଷ ଭାରତ-ନୁ୍ୟଜିଲାଣ୍ଡ କ୍ରୀଡ଼ା ସମ୍ପର୍କର ଶତବାର୍ଷିକୀ ପାଳନ କରାଯାଉଛି । ଶହେ ବର୍ଷ ପୂର୍ବେ ଆମ ଦେଶର ହକି ଦଳ ନୁ୍ୟଜିଲାଣ୍ଡ ଗସ୍ତରେ ଖେଳିଥିଲା । ସେହି ଗସ୍ତ ସମୟରେ ମେଜର ଧ୍ୟାନଚାନ୍ଦଙ୍କ ଆକର୍ଷଣୀୟ ପ୍ରଦର୍ଶନ ବ୍ୟାପକ ଭାବେ ପ୍ରଶଂସିତ ହୋଇଥିଲା । ତାଙ୍କର ହକି ଦକ୍ଷତା ନୁ୍ୟଜିଲାଣ୍ଡର ଜନସାଧାରଣଙ୍କ ହୃଦୟ ମଧ୍ୟ ଜିତି ନେଇଥିଲା ।

ବନ୍ଧୁଗଣ,

କଣ୍ଟେଣ୍ଟ କ୍ରିଏଟରମାନଙ୍କ ଭାଷାରେ ଏହା ହେଉଛି କୋଲାବୋରେସନ ବା ସହଯୋଗର ଯୁଗ । ନୁ୍ୟଜିଲାଣ୍ଡ ଏବଂ ଭାରତ କ୍ରୀଡ଼ା କ୍ଷେତ୍ରରେ ମଧ ଉଲ୍ଳେଖନୀୟ ସହଯୋଗ ସ୍ଥାପନ କରିପାରିବେ । ରଗବୀ ଏହାର ଏକ ଉଦାହରଣ ।

ମୋତେ ଏବେ ହିଁ ସୂଚନା ମିଳିଛି ଯେ, ‘ଅଲ୍ ବ୍ଲାକସ୍’ ଦଳ କିଛି ସମୟ ପୂର୍ବେ ଏକ ରଗବୀ ମ୍ୟାଚରେ ଚମକ୍ରାର ବିଜୟ ହାସଲ କରିଛି । ରଗବୀ କ୍ଷେତ୍ରରେ ଭାରତ ନୁ୍ୟଜିଲାଣ୍ଡ ଠାରୁ ଶିଖିବାକୁ ଚାହିଁବ । ରଗବୀରେ ଅଗ୍ରଗତି କରିବା ପାଇଁ ଆମକୁ ପ୍ରଶିକ୍ଷକ ଓ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି । ନୁ୍ୟଜିଲାଣ୍ଡ ଏହି କ୍ଷେତ୍ରରେ ମୂଲ୍ୟବାନ ସହଯୋଗ ଯୋଗାଇପାରିବ । ଭୁବନେଶ୍ୱରରେ ‘ନୁ୍ୟଜିଲାଣ୍ଡ ରଗବୀ’ ଏବଂ ‘ରଗବୀ ଇଣ୍ଡିଆ’ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଏକ ଉତ୍ତମ ଶୁଭାରମ୍ଭ ଅଟେ ।

ବନ୍ଧୁଗଣ,

ମୁଁ ଆଜି ଏଠାକୁ ଆସିବା ପୂର୍ବରୁ ନୁ୍ୟଜିଲାଣ୍ଡର ଏକ କ୍ରୀଡ଼ା ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲି । କ୍ରୀଡ଼ା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭା ହେଉଥିବା ନୂତନ ଉଦ୍ଭାବନ ଏବଂ ଚିନ୍ତାଧାରା ମୋତେ ପ୍ରକୃତରେ ପ୍ରଭାବିତ କରିଛି । ମୋର ଦୃଢ଼ ବିଶ୍ୱାସ ଯେ କ୍ରୀଡ଼ା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେ ମିଳିତ ଭାବେ ବହୁତ କିଛି ହାସଲ କରିପାରିବା ।

ଭାରତ ଓ ନୁ୍ୟଜିଲାଣ୍ଡର ଭବିଷ୍ୟତ ପରସ୍ପର ସହ ଜଡ଼ିତ । ମହାକାଶ କ୍ଷେତ୍ରରେ ଆମର ସହଯୋଗ ଏହାର ଏକ ଉଦାହରଣ । ଯେତେବେଳେ ଭାରତ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା, ସମଗ୍ର ନୁ୍ୟଜିଲାଣ୍ଡ ସେହି ମୁହୂର୍ତ୍ତକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥିଲା । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥିଲା ।

ବର୍ତ୍ତମାନ ମୁଁ ଗର୍ବର ସହ ଆଉ ଏକ ବିଷୟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଏହି ସଫଳତାରେ ନୁ୍ୟଜିଲାଣ୍ଡର ପ୍ରଯୁକ୍ତିବିଦ୍ୟା ମଧ୍ୟ ଯୋଗଦାନ ଦେଇଛି ଏବଂ ଏହା ଆପଣମାନେ ଗର୍ବ କରିବାର ଆଉ ଏକ କାରଣ ପାଲଟିଛି । ନୁ୍ୟଜିଲାଣ୍ଡର ମହାକାଶ କମ୍ପାନୀ ଗୁଡ଼ିକ ଅନେକ ଥର ଆମ ସହିତ କାର୍ଯ୍ୟ କରିଛନ୍ତି । ଭବିଷ୍ୟତରେ ଏହି ସହଯୋଗକୁ ଆହୁରି ଆଗକୁ ନେବାକୁ ଆମେ କାମ କରୁଛୁ ।

ବନ୍ଧୁଗଣ,

ଭାରତର ଓ ନୁ୍ୟଜିଲାଣ୍ଡର ଅର୍ଥନୀତି ପରସ୍ପରକୁ କେତେ ସହାୟତା ପ୍ରଦାନ କରିପାରିବ, ତାହା ଦର୍ଶାଇବା ପାଇଁ କେବଳ ମହାକାଶ କ୍ଷେତ୍ର ହିଁ ଯଥେଷ୍ଟ । ଆମର ବାଣିଜ୍ୟ ଚୁକ୍ତିନାମା ପଛରେ  ମଧ୍ୟ ଏହି ଭାବନା ରହିଛି । ଏହି ବାଣିଜ୍ୟ ଚୁକ୍ତିନାମା ଏକ ବିକଶିତ ଭାରତ ଦିଗରେ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ ଏବଂ ଭାରତ ତଥା ନୁ୍ୟଜିଲାଣ୍ଡ ଉଭୟ ଦେଶରେ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ।

ବନ୍ଧୁଗଣ,

ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଆଉ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ଏହି ସାମଞ୍ଜସ୍ୟ ଆମର ଦେଶୀୟ ସଂସ୍କୃତି ତଥା ନିଜସ୍ୱ ଐତିହ୍ୟକୁ ପାଳନ କରିବା ଏବଂ ସଂରକ୍ଷଣ କରିବା କ୍ଷେତ୍ରରେ ପରିଲକ୍ଷିତ ହୁଏ । ଆଜି ମୁଁ ବିଶେଷ ଭାବରେ ମାଓରି ସମ୍ପ୍ରଦାୟ ବାବଦରେ ଉଲ୍ଲେଖ କରିବାକୁ ଚାହୁଁଛି ।

ମୁଁ ହାକାକୁ କବେଳ ଏକ ପ୍ରଦର୍ଶନ ବୋଲି ଭାବି ନଥିଲି । ମୁଁ ହାକା ମଧ୍ୟରେ ଏକ ସମ୍ପ୍ରଦାୟର ଆତ୍ମାକୁ ଦେଖିବାକୁ ପାଇଥିଲି । ଏହା ସାହସ, ଆତ୍ମସମ୍ମାନ, ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ଏବଂ ସମଗ୍ର ସମ୍ପ୍ରଦାୟର ସାମୂହିକ ଶକ୍ତିକୁ ପ୍ରତିଫଳିତ କରିଥାଏ ।

ବନ୍ଧୁଗଣ,

ମାଓରି ସଂସ୍କୃତିରେ ‘ମାନାକିତାଙ୍ଗା’ ନାମକ ଏକ ସୁନ୍ଦର ଶବ୍ଦ ରହିଛି । ଏହାର ଅର୍ଥ, ସମ୍ମାନ ପ୍ରଦର୍ଶନ କରିବା, ଆପଣାର ବୋଲି ଭାବନା ସୃଷ୍ଟି କରିବା ଏବଂ ନିଷ୍ଠାର ସହ କାହାରି ଯତ୍ନ ନେବା । ଭାରତରେ ମଧ୍ୟ ଆମେ କହିଥାଉ, ‘ଅତିଥି ଦେବୋ ଭବଃ’, ଅର୍ଥାତ ଅତିଥି ଭଗବାନଙ୍କ ସଦୃଶ ।

ଶବ୍ଦ ଗୁଡ଼ିକ ଭିନ୍ନ, ପରିପ୍ରେକ୍ଷୀ ଭିନ୍ନ, ପୋଷାକ ଭିନ୍ନ, କିନ୍ତୁ ଭାବନା ସମ୍ପୂର୍ଣ୍ଣ ସମାନ ।

ସେହିଭଳି ମାଓରି ସଂସ୍କୃତିରେ ପରିବାର ପାଇଁ ‘ୱାନାଉ’ ନାମକ ଏକ ସୁନ୍ଦର ଶବ୍ଦ ରହିଛି । ଏହା ଏକାଧିକ ପିଢ଼ି, ସମ୍ପର୍କ ଏବଂ ସମଗ୍ର ସଂପ୍ରଦାୟକୁ ନିଜ ପରିସରଭୁକ୍ତ କରିଥାଏ । ଭାରତରେ ମଧ୍ୟ ଆମେ ପରିବାରକୁ କେବଳ ଏକ ସାମାଜିକ ବ୍ୟବସ୍ଥା ଭାବରେ ଦେଖୁନାହୁଁ, ବରଂ ଆମ ପାଇଁ ପରିବାର ଏକ ଅନୁଷ୍ଠାନ ସଦୃଶ ।

ବନ୍ଧୁଗଣ,

ମାଓରି ପରମ୍ପରାରେ ‘କାଇଟିଆକିଟାଙ୍ଗା’ ନାମକ ଏକ ସୁନ୍ଦର ଧାରଣା ରହିଛି । ଏହା ଆମକୁ ଶିଖାଏ ଯେ, ଆମେ ପ୍ରକୃତିର ମାଲିକ ନୁହଁ, ବରଂ ଏହାର ସଂରକ୍ଷକ ଅଟୁ । ଭାରତ ମଧ୍ୟ ଦୀର୍ଘ ଦିନ ଧରି ସେହି ସମାନ ଦର୍ଶନକୁ ପାଳନ କରି ଆସୁଛି: ‘ମାତା ଭୂମିଃ ପୁତ୍ରୋହଂ ପୃଥିବ୍ୟାଃ’ - ଅର୍ଥାତ ‘ପୃଥିବୀ ଆମର ମାତା ଏବଂ ମୁଁ ତାଙ୍କର ପୁତ୍ର’ । ଏହି ଭାବନା ଦ୍ୱାରା ଅନୁପ୍ରାଣୀତ ହୋଇ ଭାରତ ଏକ୍ ପେଡ୍ ମା’ କେ ନାମ୍ ଏବଂ ପ୍ରାକୃତିକ କୃଷି ମିଶନ ଭଳି ମା’ ପୃଥିବୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି ।

ବନ୍ଧୁଗଣ,

ମୁଁ ଜାଣେ ଯେ ଆପଣମାନେ ହଜାର ହଜାର କିଲୋମିଟର ଦୂରରେ ରହୁଥିଲେ ମଧ୍ୟ, ଭାରତ ଆପଣମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରହିଛି । ଆପଣଙ୍କ ଦୈନନ୍ଦିନ ଜୀବନରେ, କୌଣସି ନା କୌଣସି ଉପାୟରେ, ଭାରତ ସର୍ବଦା ଉପସ୍ଥିତ ଥାଏ । ଏହା କ’ଣ ସତ୍ୟ ନୁହେଁ କି? ଆପଣଙ୍କ ଶରୀର ହୁଏତ ଏଠାରେ ଥାଇପାରେ, କିନ୍ତୁ ଆପଣଙ୍କ ହୃଦୟ କେଉଁଠାରେ ଥାଏ? ସେଥିପାଇଁ ଆପଣ ଭାରତର ପ୍ରତ୍ୟେକ ସଫଳତା ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି ।

ଯେତେବେଳେ ଆପଣମାନେ ଷ୍ଟାଡିୟମରୁ କ୍ରିକେଟ ମ୍ୟାଚ ଦେଖନ୍ତି, ସେତେବେଳେ ଅନେକ ଛୋଟ ଛୋଟ ବିଷୟ ଆପଣଙ୍କ ଦୃଷ୍ଟିରୁ ବାଦ୍ ପଡ଼ିଯାଇପାରେ । କିନ୍ତୁ ଆପଣମାନେ ଯେତେବେଳେ ଘରେ ଟେଲିଭିଜନରେ ଏହା ଦେଖନ୍ତି, ସେତେବେଳେ ଆପଣ ପ୍ରତ୍ୟେକ ଛୋଟ ଛୋଟ ବିଷୟକୁ ଲକ୍ଷ୍ୟ କରିପାରନ୍ତି । ସେହିଭଳି ଭାବରେ, ଆପଣମାନେ ଭାରତର ପ୍ରତ୍ୟେକ ବିକାଶଧାରା ସମ୍ପର୍କରେ ଅବଗତ ରୁହନ୍ତି । ଆଉ ଏହା ହିଁ ଆପଣଙ୍କୁ ପ୍ରକୃତରେ ସ୍ୱତନ୍ତ୍ର କରିଥାଏ ।

ବିଦେଶରେ ରହୁଥିବା ଭାରତୀୟମାନେ ସେମାନଙ୍କ କର୍ମଭୂମି ବା ନିଜର ବର୍ତ୍ତମାନର ଦେଶର ଅଗ୍ରଗତିରେ ଯୋଗଦାନ ଦେବା ସହିତ ନିଜ ମାତୃଭୂମିର ବିକାଶ ସହିତ ମଧ୍ୟ ଗଭୀର ଭାବରେ ଜଡ଼ିତ ରହିଥାଆନ୍ତି ।

ବନ୍ଧୁଗଣ,

ଆମେ ଆମର ଜନ୍ମଭୂମି ବା ମାତୃଭୂମିକୁ ହୃଦୟର ସହ ଭଲପାଉ । ସେହିଭଳି ଆମର କର୍ମଭୂମି, ଯେଉଁଠାରେ ଆମେ ଆମ କାମ କରୁ ଓ ନିଜ ଜୀବନ ଗଢ଼ୁ , ତାହା ପ୍ରତି ମଧ୍ୟ ସମାନ ଭାବେ ସମର୍ପତ ଅଟୁ ।

ବନ୍ଧୁଗଣ,

ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ, ଆଜି ଭାରତ ଯେଉଁ ବେଗରେ ଅଗ୍ରଗତି କରୁଛି, ତାହା ବାସ୍ତବରେ ଅଭୂତପୂର୍ବ । ମୁଁ ଆପଣମାନଙ୍କ ସାମ୍ନାରେ ଭାରତର ସଫଳତାର ଏକ ଗୁଚ୍ଛ ଉପସ୍ଥାପନ କରିବାକୁ ଚାହୁଁଛି, ଏହା ଏପରି ଏକ ଗୁଚ୍ଛ ଯାହା ଦେଶର କ୍ଷମତା ଓ ସାମର୍ଥ୍ୟକୁ ପ୍ରତିଫଳିତ କରେ । ମୁଁ ବିଶେଷ ଭାବେ ଆପଣମାନଙ୍କ ପାଇଁ ଏହି ଗୁଚ୍ଛ ଆଣିଛି । ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଏଥିରେ ଅନ୍ତତଃ ଗୋଟିଏ ହେଲେ ଏପରି ଫୁଲ ନିଶ୍ଚୟ ଥିବ ଯାହାକୁ ଆପଣ ପସନ୍ଦ କରିବେ ଏବଂ ଯାହା ଆପଣଙ୍କ ମନରେ ଗର୍ବ ଭାବନା ସୃଷ୍ଟି କରିବ ।

ତେବେ ଆପଣମାନେ ପ୍ରସ୍ତୁତ କି? ମୁଁ ସେହି ଗୁଚ୍ଛ ଉପସ୍ଥାପନ କରିବି କି? ଯେତେବେଳେ ମୁଁ ଏହା କରିବି, ଆପଣମାନେ ସେହି ଫୁଲଟିକୁ ଖୋଜିପାରିବେ ଯାହା ଆପଣଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରେ । କିମ୍ବା ହୁଏତ, ଏହି ଗୁଚ୍ଛର ପ୍ରତ୍ୟେକ ଫୁଲ ଆପଣଙ୍କର ହିଁ ଅଟେ ।

ବନ୍ଧୁଗଣ,

ଆଜି ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଅଟେ । ଭାରତ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ । ମୋବାଇଲ ଡାଟା ବ୍ୟବହାର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍ ଉତ୍ପାଦନକାରୀ ଦେଶ । ଏହା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ ବଜାର ମଧ୍ୟ ଅଟେ । ଭାରତର ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଗହମ ଉତ୍ପାଦନକାରୀ ଏବଂ ସର୍ବବୃହତ କ୍ଷୀର ଉତ୍ପାଦନକାରୀ ଦେଶ । ଏହା ସହିତ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ମଧ୍ୟ ଅଟେ ।

ବନ୍ଧୁଗଣ,

କେବଳ ସେତିକି ନୁହେଁ, ଭାରତ ଆଜି ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଅଟେ । ଭାରତର ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଭାବରେ ମଧ୍ୟ ଉଭା ହୋଇଛି । ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ଦେଶ ହେବାକୁ ଯାଉଛି । ସୌରଶକ୍ତି କ୍ଷମତା ଦୃଷ୍ଟିରୁ ମଧ୍ୟ ଏହା ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ।

ବନ୍ଧୁଗଣ,

ଆଜି ବିଶ୍ୱକୁ ଭାରତ ବିକାଶର ନୂତନ ମଡେଲ ମଧ୍ୟ ପ୍ରଦାନ କରୁଛି । ଭାରତର ସଫଳତାର ସହ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ପରିଚୟ ପ୍ଲାଟଫର୍ମ ପ୍ରଦାନ କରୁଛି । ଆଜି ଭାରତରେ ୟୁପିଆଇ ମାଧ୍ୟମରେ ପ୍ରତିମାସରେ କୋଟି କୋଟି ଡିଜିଟାଲ କାରବାର ହେଉଛି । ବିଶ୍ୱର ଅନେକ ଦେଶ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଭାରତ ନୂତନ ଶିଖର ଛୁଇଁଛି ।

ବନ୍ଧୁଗଣ,

ଏହା ଏକ ନୂତନ ଭାରତର ଚିତ୍ର, ଯାହା ଦର୍ଶାଏ ଯେ କିପରି ଭାରତ, ନୁ୍ୟଜିଲାଣ୍ଡ ଭଳି ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସନ୍ତୁଳନ ବଜାୟ ରଖୁଛି ।

ବନ୍ଧୁଗଣ,

ଭାରତର ଅଭିବୃଦ୍ଧିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ତାହା ହେଉଛି ଆମର ଐତିହ୍ୟ । ଯେପରି ଭାରତ ନିଜର ଅର୍ଥନୀତି ଏବଂ ପରିବେଶକୁ ଗୁରୁତ୍ୱ ଦେଇଥାଏ, ସେହିପରି ନିଜର ଐତିହ୍ୟର ସଂରକ୍ଷଣ ଉପରେ ମଧ୍ୟ ସମାନ ଗୁରୁତ୍ୱ ଆରୋପ କରିଥାଏ ।

ବନ୍ଧୁଗଣ,

ଆବଶ୍ୟକତା ସମୟରେ ଭାରତ କିପରି ପ୍ରତିକ୍ରିୟା ପ୍ରକାଶ କରେ, ତାହାର ଏକ ଉଦାହରଣ ହେଉଛି ଗୁରୁ ଗ୍ରନ୍ଥ ସାହିବଙ୍କ ପବିତ୍ର ସ୍ୱରୂପ ଗୁଡ଼ିକର ଯତ୍ନ ନେବାର ଆମର ଉପାୟ । ଯେତେବେଳେ ଆଫଗାନିସ୍ତାନରେ ସଙ୍କଟ ଦେଖାଦେଇଥିଲା, ସେତେବେଳେ ଆମେ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ଗୁରୁ ଗ୍ରନ୍ଥ ସାହିବଙ୍କ ପବିତ୍ର ସ୍ୱରୂପଗୁଡ଼ିକୁ ଭାରତ ଆଣିଥିଲୁ ।

ବନ୍ଧୁଗଣ,

ଆମର ମହାନ୍ ଶିଖ ଗୁରୁମାନେ ସମଗ୍ର ମାନବଜାତିକୁ ସେବା, ସାହସ, ସମାନତା ଏବଂ କରୁଣାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶ୍ୱର ପ୍ରତ୍ୟେକ କୋଣରେ ଗୁରୁଦ୍ୱାର ଗୁଡ଼ିକ ନିଃସ୍ୱାର୍ଥପର ସେବାର କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । କେହି ଭୋକିଲା ବ୍ୟକ୍ତି ଆସିଲେ ସେଠାରେ ଖାଦ୍ୟ ଯୋଗାଇ ଦିଆଯାଏ । ବିପଦରେ ଥିବା ବ୍ୟକ୍ତି ସହାୟତା ପାଇଥାଆନ୍ତି ।

ଏହି ଭାବନାକୁ ଦୃଷ୍ଟିରେ ରଖି ଶିଖ୍ ସମ୍ପ୍ରଦାୟର ସଦସ୍ୟମାନେ ଶ୍ରୀ ହରମନ୍ଦିର ସାହିବରେ ଚାଲିଥିବା ସେବା କାର୍ଯ୍ୟ ଉପରେ ପ୍ରଭାବ ପକାଉଥିବା ଏଫସିଆରଏ ବ୍ୟବସ୍ଥା ସମ୍ବନ୍ଧୀୟ କିଛି ଅସୁବିଧା ବାବଦରେ ଆମ ଦୃଷ୍ଟି ଆକର୍ଷଣ କରିଥିଲେ । ଆମେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତି ପଦକ୍ଷେପ ଗ୍ରହଣ କରିଥିଲୁ ।

ବନ୍ଧୁଗଣ,

ଆପଣ ସମସ୍ତେ ହେମକୁଣ୍ଡ ସାହିବ ଜୀ ବାବଦରେ ଅବଗତ ଅଛନ୍ତି । ହିମାଳୟର ଉଚ୍ଚ ସ୍ଥାନରେ ଅବସ୍ଥିତ ଏହି ସ୍ଥାନ ବର୍ଷର ଅଧିକାଂଶ ସମୟ ବରଫାବୃତ ଶିଖର ଦ୍ୱାରା ଘେରି ରହିଥାଏ । ଏଠାକୁ ଯିବାର ତୀର୍ଥଯାତ୍ରା ପଥ ଅତ୍ୟନ୍ତ କଷ୍ଟକର ଏବଂ କେଳ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ, ବିଶେଷ କରି ଏହି ଧର୍ମସ୍ଥଳ ପରିଦର୍ଶନ କରୁଥିବା ଆମର ଶିଖ୍ ଭାଇ ଭଉଣୀମାନେ ଏହି ଯାତ୍ରା କରିବାକୁ ସକ୍ଷମ ହୋଇଥାଆନ୍ତି ।

ହେମକୁଣ୍ଡ ସାହିବ ଯାତ୍ରାକୁ ଅଧିକ ସୁବିଧାଜନକ କରିବା ପାଇଁ ବିଶେଷ କରି ଆମର ବୟସ୍କ ଶ୍ରଦ୍ଧାଳୁ ତଥା ଶିଖ୍ ଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାର ଏହି ଧର୍ମସ୍ଥଳ ପର୍ଯ୍ୟନ୍ତ ଏକ ରୋପ୍ୱେ ନିର୍ମାଣ କରୁଛନ୍ତି ।

ବନ୍ଧୁଗଣ,

ସାହିବଜାଦାମାନଙ୍କ ସାହସ ଓ ବଳିଦାନର ଚିରସ୍ମରଣୀୟ ସ୍ମୃତିରେ ଆମ ସରକାର ୨୬ ଡିସେମ୍ବରକୁ ବୀର ବାଲ୍ ଦିବସ ଭାବେ ପାଳନ କରିବା ଆରମ୍ଭ କରିଛନ୍ତି । ଆଜି ଏହା ସମଗ୍ର ଦେଶ ପାଇଁ ପ୍ରେରଣାର ଏକ ଉତ୍ସ ପାଲଟିଛି । କେରଳରୁ ଆସାମ ପର୍ଯ୍ୟନ୍ତ, ସାରା ଭାରତର ପିଲାମାନେ ଏବେ ଚାରିଜଣ ସାହିବଜାଦା ଏବଂ ମାତା ଗୁଜରୀଙ୍କ ବଳିଦାନ ବିଷୟରେ ଜାଣି ପାରୁଛନ୍ତି ।

ବୀର ବାଲ୍ ଦିବସ ସାରା ଭାରତର ଅସଂଖ୍ୟ ଶିଶୁ ଓ ଯୁବକଯୁବତୀଙ୍କ ହୃଦୟରେ ଅଟଳ ସାହସର ଭାବନା ସଞ୍ଚାର କରିଛି ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ପବିତ୍ର ଯେଡ଼େ ସାହିବ ବାବଦରେ ମଧ୍ୟ କିଛି କହିବାକୁ ଚାହେଁ । ସରକାରରେ ମୋର ଜଣେ ସହଯୋଗୀ ଅଛନ୍ତି ଶ୍ରୀ ହରଦୀପ ପୁରୀ । ପୁରୀ ପରିବାରର ପୂର୍ବପୁରୁଷ ମାନେ  ଗୁରୁ ଗୋବିନ୍ଦ ସିଂହଙ୍କ ସେବା କରିଥିଲେ । ଶ୍ରୀ ହରଦୀପ ପୁରୀ ମୋତେ କହିଥିଲେ ଯେ ତାଙ୍କ ପରିବାର ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ପବିତ୍ର ଯୋଡ଼େ ସାହିବକୁ ୩୦୦ ବର୍ଷରୁ ଅଧିକ ସମୟ ଧରି ସୁରକ୍ଷିତ ରଖି ଆସିଛନ୍ତି ।

ଦେଶ ବିଭାଜନ ସମୟରେ ଶ୍ରୀ ପୁରୀଙ୍କ ପୂର୍ବପୁରୁଷ ମାନେ ଏହି ପବିତ୍ର ସ୍ମାରକୀ ଗୁଡ଼ିକୁ ସୁରକ୍ଷିତ ଭାବେ ଦିଲ୍ଲୀ ନେଇ ଆସିଥିଲେ । ଏହି ପରିବାରର ଇଚ୍ଛା ଥିଲା ଯେ ସେମାନେ ଏହି ପବିତ୍ର  ଯୋଡ଼େ ସାହିବକୁ ଶିଖ୍ ସଙ୍ଗତକୁ ହସ୍ତାନ୍ତର କରିବେ, ଯାହା ଫଳରେ ଅଧିକ ସଂଖ୍ୟ ଶ୍ରଦ୍ଧାଳୁ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇପାରିବେ ।

ଏହାପରେ ଆମେ ଏକ କମିଟି ଗଠନ କଲୁ ଏବଂ ଶିଖ୍ ପରମ୍ପରା ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିବା ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଲୁ । ସେମାନଙ୍କ ସୁପାରିସ ଆଧାରରେ ନିଷ୍ପତ୍ତି ନିଆଗଲା ଯେ ପବିତ୍ର ଯୋଡ଼େ ସାହିବକୁ ସେହି ସ୍ଥାନକୁ ନିଆଯିବା ଉଚିତ ଯେଉଁଠାରେ ଗୁରୁ ଗୋବିନ୍ଦ ସିଂହ ପ୍ରଥମ ଥର ପାଇଁ ଏହି ପବିତ୍ର ଭୂମିରେ ପାଦ ରଖିଥିଲେ । ଅର୍ଥାତ ଏହା ତାଙ୍କ ଜନ୍ମ ସ୍ଥାନ, ଆମର ଶ୍ରଦେ୍ଧୟ ପାଟନା ସାହିବ ।

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ପବିତ୍ର ଯୋଡ଼େ ସାହିବ ବର୍ତ୍ତମାନ ପାଟନା ସାହିବର ପବିତ୍ର ଧାମରେ ରହିଛି । ସେହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବା ଏବଂ ସେଠାରେ ଉପସ୍ଥିତ ରହିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ଯେତେବେଳେ ଆପଣମାନେ ଭାରତ ଭ୍ରମଣ କରିବେ, ସେତେବେଳେ ପାଟନା ସାହିବ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ନିଶ୍ଚୟ ମନେ ରଖିବେ ।

ବନ୍ଧୁଗଣ,

ଆଜି ମୁଁ ଅପାର ଆତ୍ମବିଶ୍ୱାସ, ଅସୀମ ସ୍ନେହ ଏବଂ ଅସଂଖ୍ୟ ମଧୁର ସ୍ମୃତି ସହିତ ବିଦାୟ ନେଉଛି । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବାକୁ ଚାହେଁ ଯେ: ଏଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ନୁ୍ୟଜିଲାଣ୍ଡ ଗସ୍ତ କରିବାକୁ ୪୦ ବର୍ଷ ସମୟ ଲାଗିଗଲା । କିନ୍ତୁ ଆପଣମାନଙ୍କୁ ପୁନର୍ବାର ଏତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଥିପାଇଁ ଆଉ ୪୦ ବର୍ଷ ଲାଗିବ ନାହିଁ । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ଆଉ ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ହେଉଛି, ଏପରି ଏକ ଗ୍ୟାରେଣ୍ଟି ଯାହା ନିଶ୍ଚିତ ଭାବେ ପୂରଣ ହେବ ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଏକ ଅନୁରୋଧ ମଧ୍ୟ କରିବାକୁ ଚାହେଁ । କିଛି ସମୟ ପୂର୍ବରୁ, ଆମେ ବିଦେଶରେ ରହୁଥିବା ଭାରତୀୟ ସମୁଦାୟର ପିଲାମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଆମ ପିଲାମାନଙ୍କୁ ଭାରତ ବିଷୟରେ ଜାଣିବାରେ ସାହାଯ୍ୟ କରିବା ଏବଂ ବିଶ୍ୱ ସମ୍ମୁଖରେ ଭାରତର ବିବିଧତାକୁ ପ୍ରଦର୍ଶନ କରିବା ଉଦେ୍ଦଶ୍ୟାରେ ଆମେ ଭାରତ କୋ ଜାନିଏ କୁଇଜ ଆରମ୍ଭ କରିଥିଲୁ । ବର୍ତ୍ତମାନ ସୁଦ୍ଧା ଏହାର କେବଳ ପ୍ରାରମ୍ଭିକ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି ଏବଂ ଆମର ଯୁବ ପ୍ରତିଯୋଗୀମାନେ ଯେଉଁ ଉତ୍ସାହର ସହ ଏଥିରେ ଅଂଶ ଗ୍ରହଣ କରିଛନ୍ତି, ତାହା ଦେଖି ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି ।

ବର୍ତ୍ତମାନ ଆମେ ଏହି କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣକୁ ଆହୁରି ଅଧିକ ପ୍ରଯୁକ୍ତିବିଦ୍ୟା ଭିତ୍ତିକ କରୁଛୁ । ଏଥର ଅନେକ କାର୍ଯ୍ୟକ୍ରମ ଏକ ଆପ୍ ମାଧ୍ୟମରେ ପରିଚାଳିତ ହେବ । ମୁଁ ଏଠାରେ ଉପସ୍ଥିତ ସମସ୍ତ ଯୁବବର୍ଗଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆହ୍ୱାନ କରୁଛି । ଭାରତକୁ ଭଲ ଭାବରେ ଜାଣନ୍ତୁ ଏବଂ ନୁ୍ୟଜିଲାଣ୍ଡର ଲୋକମାନଙ୍କୁ ଭାରତର ସମୃଦ୍ଧ ଐତିହ୍ୟ ସହିତ ଯୋଡ଼ିବାରେ ସାହାଯ୍ୟ କରନ୍ତୁ ।

ବନ୍ଧୁଗଣ,

ମୁଁ ଆଗାମୀ ଦିନରେ ଏକ ଉଜ୍ୱଳ ଭବିଷ୍ୟତ ଦେଖୁଛି, ଯାହା ଏକ ବିକଶିତ ଭାରତ ଏବଂ ନୁ୍ୟଜିଲାଣ୍ଡର ସମୃଦ୍ଧିର ଦୂରଦୃଷ୍ଟି ଦ୍ୱାରା ଆଲୋକିତ । ଏହି ଆତ୍ମବିଶ୍ୱାସ ସହିତ, ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଅଶେଷ ଧନ୍ୟାବଦ ଜଣାଉଛି ।

ପ୍ରଧାନମନ୍ତ୍ରୀ ଲକ୍ସନ ଏବଂ ତାଙ୍କ ଦଳକୁ ମୋର ହୃଦୟଭରା ଧନ୍ୟବାଦ । ନୁ୍ୟଜିଲାଣ୍ଡର ଜନସାଧାରଣଙ୍କ ପ୍ରତି ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

ଆସନ୍ତୁ ପୁଣି ଥରେ ମୋ ସହିତ କୁହନ୍ତୁ, ଭାରତ ମାତା କୀ ଜୟ!

ବନେ୍ଦ ମାତରମ୍!

ଧନ୍ୟବାଦ!

କି ଓରା!

 

  SR


(ରିଲିଜ ଆଡି: 2291886) ପରିଦର୍ଶକ କାଉଣ୍ଟର : 19