ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହରିଆଣାର ଜିନ୍ଦରେ ବହୁବିଧ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
प्रविष्टि तिथि:
17 JUL 2026 3:18PM by PIB Bhubaneswar
ଭାରତ ମାତା କି ଜୟ। ଭାରତ ମାତା କି ଜୟ।
ହରିଆଣାର ରାଜ୍ୟପାଳ ଶ୍ରୀ ଅସୀମ ଘୋଷ ଜୀ, ଏଠିକାର ଲୋକପ୍ରିୟ ଏବଂ ଉତ୍ସାହୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଉପସ୍ଥିତ ଅନ୍ୟ ଜନପ୍ରତିନିଧିଗଣ ଏବଂ ଏହି ସମୟରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯୋଡ଼ିହୋଇ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ହରିୟାଣାର ମୋର ସମସ୍ତ ପ୍ରିୟ ଭାଇ ଏବଂ ଭଉଣୀମାନେ !
କିଛିଫଟୋ ଆଣିଛି ସେଗୁଡ଼ିକୁ ନିଅ ଭାଇ,ନଚେତ୍ ପଛରେ ବସିଥିବା ଲୋକମାନେ ଦେଖିପାରିବେ ନାହିଁ। ଟିକେ ଏସ୍ ପି ଜି କର୍ମଚାରୀମାନେ ଦୟାକରି ସେଗୁଡ଼ିକୁ ସଂଗ୍ରହ କରନ୍ତୁ। ଭାଇ, ଏତେ ସୁନ୍ଦର ଚିତ୍ର କରି ଆଣିଥିବା ପାଇଁ ଧନ୍ୟବାଦ। ସେଠାରେ ଗୋଟିଏ ଛୋଟ ଝିଅ ମଧ୍ୟ କିଛି ଆଣିଛି, ଦୟାକରି ତାହା ମଧ୍ୟ ସଂଗ୍ରହ କରନ୍ତୁ। ଏଠାରେ ମଧ୍ୟ ଦୁଇଜଣ ଭଦ୍ରଲୋକ ଦେଖାଯାଉଛନ୍ତି । ଏବଂ ଏବେ ସମସ୍ତେ ଦୟାକରି ଆରାମରେ ବସିଯାଆନ୍ତୁ। ଆପଣମାନଙ୍କ ଭଲପାଇବା ପାଇଁ, ଆପଣମାନଙ୍କ କଳା ସାଧନା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ବନ୍ଧୁଗଣ,
ଜିନ୍ଦର ଏହି ଗୌରବମୟ ଭୂମିରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାମ-ରାମ ! ଏହି ପବିତ୍ର ମାଟିକୁ ମୁଁ ଆସି ମୋର ହୃଦୟ ଆନନ୍ଦରେ ଭରିଯାଉଛି । ଏହା କୌଣସି ସାଧାରଣ ଭୂମି ନୁହେଁ,ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଗର୍ବର ଭୂମି । ଶକ୍ତି ପୀଠ ମାତା ଜୟଁନ୍ତୀୟାଁଙ୍କ ଆଶୀର୍ବାଦ ଏହି ସହର ଉପରେ ସର୍ବଦା ରହିଥାଏ। ମୋ ପାଇଁ, ଜିନ୍ଦ ଆସିବା ପୁରୁଣା ସ୍ମୃତି ପାଇଁ ଏକ ଝରକା ଖୋଲିବା ଭଳି। ମୁଁ ଆଜି ଏଠାରେ ଅନେକ ପରିଚିତ ଚେହେରା ଦେଖିପାରୁଛି। ଅନେକ ଲୋକ ଦାବି କରନ୍ତି ଯେ ମୁଁ ଏଠାକୁ ସେମାନଙ୍କ ସ୍କୁଟରରେ ଚଢ଼ି ଆସୁଥିଲି। ଦଶନ୍ଧି ପୂର୍ବରୁ, ମୁଁ ପ୍ରଥମେ ସଂଗଠନ କାର୍ଯ୍ୟ ପାଇଁ ଜିନ୍ଦ ଆସୁଥିଲି। ସେତେବେଳେ ଆପଣମାନେ ମୋତେ ଯେଉଁ ସ୍ନେହ ଏବଂ ଭଲପାଇବା ଦେଇଥିଲେ, ତାହା ମୁଁ କେବେ ଭୁଲି ପାରିନାହିଁ। ଏଠିକାର ମଇଁଷିର କ୍ଷୀର, ଦହି ଏବଂ ଘିଅ, ଜିନ୍ଦର ଦେଶୀ ବୁରା ଏବଂ ଏଠାକାର ଘେଓ୍ବର , ଏହି ସ୍ମୃତି ଗୁଡ଼ିକ ଚିରକାଳ ପାଇଁ ଜିନ୍ଦ ସହିତ ଜଡିତ ।
ବନ୍ଧୁଗଣ,
ବର୍ଷ ବର୍ଷ ଧରି, ଜିନ୍ଦର ଘିଅ ଏବଂ ଘେଭର ବଦଳି ନାହିଁ, କିନ୍ତୁ ଜିନ୍ଦର ହାବ-ଭାବ ଆଜି ପରିବର୍ତ୍ତନ ହୋଇଛି। ଆଜି, ଜିନ୍ଦ ବିଜେପି-ଏନଡିଏର ସୁଶାସନ ମଡେଲର ଚିତ୍ର ପାଲଟିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ସମଗ୍ର ହରିୟାଣା ବିକାଶର ଏକ ନୂତନ ପଥକୁ ଆଗେଇ ଆସିଛି। ଆଜିର କାର୍ଯ୍ୟକ୍ରମ ଡବଲ-ଇଞ୍ଜିନ୍ ବିଜେପି ସରକାରଙ୍କ ଏହି ମିଶନକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରୁଛି।
ବନ୍ଧୁଗଣ,
ଆଜି, ଜିନ୍ଦ ଏବଂ ହରିୟାଣାର ନାମ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି। ଏହିଠାରୁ, ଦେଶ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପାଇଛି।
ଆପଣମାନେ ମନେ ରଖିଥିବେ, ବନ୍ଧୁଗଣ,
ଆମେ ଏବେ ବି ପଢ଼ୁଛୁ ଏବଂ ଶୁଣୁଛୁ ଯେ ଭାରତରେ ପ୍ରଥମ ଟ୍ରେନ୍ ବମ୍ବେ ଏବଂ ଥାଣେ ମଧ୍ୟରେ ଚାଲିଥିଲା, ଯାହାକୁ ବର୍ତ୍ତମାନ ମୁମ୍ବାଇ କୁହାଯାଏ। ସେହିପରି, ଭବିଷ୍ୟତରେ ଯେତେବେଳେ ହାଇଡ୍ରୋଜେନ୍ ଟ୍ରେନ୍ ଉଲ୍ଲେଖ କରାଯିବ, ଜିନ୍ଦ-ସୋନିପତ ଏବଂ ହରିୟାଣାର ନାମ ମଧ୍ୟ ନିଶ୍ଚିତ ଭାବରେ ମନେ ପଡ଼ିବ। ଭାରତୀୟ ରେଳବାଇର ଆଧୁନିକୀକରଣର ଏହି ମହାନ ପଦକ୍ଷେପ ପାଇଁ ମୁଁ ଆପଣମାନଙ୍କୁ, ସମଗ୍ର ଦେଶକୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି, ହରିୟାଣାକୁ ୧୪,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ମଧ୍ୟ ଦିଆଯାଇଛି। ଏଥିରେ ଅନେକ ରେଳ ଏବଂ ରାଜପଥ ପ୍ରକଳ୍ପ, ଆମର ଐତିହ୍ୟ ସହିତ ଜଡିତ ପ୍ରକଳ୍ପ ଏବଂ ଦୁଇଟି ନୂତନ ମେଡିକାଲ କଲେଜ ହରିୟାଣାର ସେବା ପାଇଁ ଉତ୍ସର୍ଗୀକୃତ କରାଯାଇଛି। ଭିୱାନୀରେ, ପଣ୍ଡିତ ନେକି ରାମ ଶର୍ମା ମେଡିକାଲ କଲେଜ ଏବଂ ନାରନୌଲରେ, ମହର୍ଷି ଚ୍ୟବନ ମେଡିକାଲ କଲେଜ ଏବଂ ରାଓ ତୁଲାରାମ ହସ୍ପିଟାଲ ଏଗୁଡ଼ିକ ହରିୟାଣାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଜବୁତ କରିବ। ଏହା ସହିତ, ଏଗୁଡ଼ିକ ଏଠାକାର ଯୁବକମାନଙ୍କ ପାଇଁ ଡାକ୍ତର ଏବଂ ଅନ୍ୟାନ୍ୟ ଚିକିତ୍ସା କ୍ଷେତ୍ରରେ ବୃତ୍ତିଗତ ହେବା ପାଇଁ ନୂତନ ପଥ ଖୋଲିବ। ଏହି ସମସ୍ତ ପ୍ରକଳ୍ପ ପାଇଁ, ମୁଁ ହରିୟାଣାର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ମଧ୍ୟ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି ମୁଁ ଜିନ୍ଦ ଏବଂ ହରିୟାଣାର ଲୋକମାନଙ୍କୁ ଆଉ ଏକ କାରଣ ପାଇଁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି। ଆପଣ “ସ୍ୱଚ୍ଛତା ସେ ସ୍ୱାଗତ’’ପଦକ୍ଷେପକୁ ଯେପରି ଗମ୍ଭୀରତାର ସହିତ ନେଇଛନ୍ତି, ମୋର ଆଗମନ ପୂର୍ବରୁ ଏଠାକାର ଲୋକମାନେ ନୂତନ ଶକ୍ତି ସହିତ ସ୍ୱଚ୍ଛତା ଅଭିଯାନରେ କିପରି ସାମିଲ ହୋଇଥିଲେ, ତାହା ହୃଦୟସ୍ପର୍ଶୀ। ମୁଁ ଦେଖିଲି ଯେ ଗତ ସପ୍ତାହେ ଧରି, ଆପଣଙ୍କର ସ୍ୱଚ୍ଛତା ଅଭିଯାନ ସଂପର୍କରେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବରେ ଆଲୋଚନା ହୋଇଛି। କିଛି ଲୋକ ସାମାଜିକ ଗଣମାଧ୍ୟମରେ ମଧ୍ୟ କହିଥିଲେ ଯେ "ମୋଦି ଜୀ, ଦୟାକରି ବାରମ୍ବାର ଆସନ୍ତୁ, ଯାହା ଦ୍ଵାରା ଆମର ଜିନ୍ଦ ସଫା ରହିବ" । ଏହି ଭାବନା ପ୍ରକାଶ କରିଥିବା ଭଦ୍ରଲୋକମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି, କିନ୍ତୁ ଆଜି ମୁଁ ଜିନ୍ଦର ଲୋକମାନଙ୍କୁ କିଛି ପଚାରିବାକୁ ଆସିଛି। ମୋତେ କୁହନ୍ତୁ, ସ୍ୱଚ୍ଛତା ପାଇଁ ମୋଦିଙ୍କ ଆସିବା ଆବଶ୍ୟକ କି? ଯଦି ଜିନ୍ଦର ଲୋକମାନେ ନିଷ୍ପତ୍ତି ନିଅନ୍ତି, ଯଦି ହରିୟାଣାର ଲୋକମାନେ ନିଷ୍ପତ୍ତି ନିଅନ୍ତି ଯେ ଆମେ ଆଉ ମଇଳା ସୃଷ୍ଟି କରିବୁ ନାହିଁ, ତେବେ ଜିନ୍ଦ କ’ଣ କେବେ ମଇଳା ହୋଇଯିବ ? ହରିୟାଣା କେବେ ମଇଳା ହୋଇଯିବ? କାମ ଅତି ସରଳ, ମୋଦୀଙ୍କର ଆସିବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ନିଷ୍ପତ୍ତି ନେବାକୁ ପଡିବ ଯେ ସ୍ୱଚ୍ଛତା ଆମର ପ୍ରକୃତି ହୋଇଯିବ, ସ୍ୱଚ୍ଛତା ଆମର ସଂସ୍କୃତି ହୋଇଯିବ ଏବଂ ଆମେ ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ପରିଣତ କରିପାରିବୁ।
ବନ୍ଧୁଗଣ,
ଯଦି ଆମେ ରେଳବାଇର ଇତିହାସକୁ ଦେଖିବା, ଆମେ ଜାଣିପାରିବା ଯେ ଊନବିଂଶ ଶତାବ୍ଦୀର ରେଳବାଇକୁ ବାଷ୍ପ ଇଞ୍ଜିନ ସହିତ ଚିହ୍ନଟ କରାଯାଇଥିଲା | ଡିଜେଲ ଏବଂ ବିଦ୍ୟୁତ୍ ଉପରେ ଚାଲୁଥିବା ଟ୍ରେନ୍ ସହିତ ବିଂଶ ଶତାବ୍ଦୀ ଚିହ୍ନଟ ହୋଇଥିଲା | ଏବଂ ବର୍ତ୍ତମାନ ଏକବିଂଶ ଶତାବ୍ଦୀ ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନ୍ ସହିତ ଚିହ୍ନଟ ହୋଇଛି | ଆଜି ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିରେ ଭାରତୀୟ ରେଳ ଏକ ବଡ ପଦକ୍ଷେପ ନେଇଛି। ଆଜି ଜିନ୍ଦ ଏବଂ ସୋନିପତ ମଧ୍ୟରେ ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବା ଆରମ୍ଭ କରିଛି। ବର୍ତ୍ତମାନ ପାଇଁ ଏହି ଯାତ୍ରା ୯୦ କିଲୋମିଟର ଲମ୍ବା କିନ୍ତୁ ଭବିଷ୍ୟତରେ ବିସ୍ତାର ପାଇଁ ବହୁତ ସମ୍ଭାବନା ଅଛି | ଖର୍ଚ୍ଚ କିପରି ହ୍ରାସ କରାଯିବ, କିପରି ଦକ୍ଷତା ବୃଦ୍ଧି କରାଯିବ ସେ ନେଇ ପର୍ଯ୍ୟାୟ କ୍ରମେ ଅନୁସନ୍ଧାନ ଜାରି ରଖିବୁ, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆମେ ଧିରେ-ଧିରେ ଆଗକୁ ବଢିପାରିବା | ଦୁନିଆକୁ ବର୍ତ୍ତମାନ ହାଇଡ୍ରୋଜେନ୍ ଟ୍ରେନ୍ ଆସିଛି, ପ୍ରାୟ ୭-୮ ବର୍ଷ ପୂର୍ବେ ଏହା ଅସ୍ତିତ୍ତ୍ବ ଆସିଛି | ବର୍ତ୍ତମାନ, କେବଳ ୩ କିମ୍ବା ୪ଟି ଦେଶରେ ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବା କ୍ଷମତା ଅଛି | ଏବଂ ସେହି ଦେଶମାନଙ୍କରେ ମଧ୍ୟ ହାଇଡ୍ରୋଜେନ୍ ଟ୍ରେନ୍ ସେମାନଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି | କିନ୍ତୁ ଭାରତର ହାଇଡ୍ରୋଜେନ୍ ଟ୍ରେନର ସାମର୍ଥ୍ୟ ବିଷୟରେ ଶୁଣିବେ ସେତେବେଳେ ତାହା ଆପଣଙ୍କୁ ଗର୍ବରେ ପରିପୂର୍ଣ୍ଣ କରିବ, ସେଥିପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ |
ବନ୍ଧୁଗଣ,
ଜିନ୍ଦ ଏବଂ ସୋନିପତ ମଧ୍ୟରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ୍ ଟ୍ରେନ୍ | ଏହି ହାଇଡ୍ରୋଜେନ୍ ଟ୍ରେନ୍ ତିନି ହଜାର ଦୁଇ ଶହ ହର୍ସ ପାଓ୍ବାର କ୍ଷମତା ଅଛି | କେବଳ ଶକ୍ତିଶାଳୀ ନୁହେଁ, ଭାରତର ହାଇଡ୍ରୋଜେନ୍ ଟ୍ରେନ୍ ମଧ୍ୟ ସବୁଠାରୁ ଅଧିକ ଲମ୍ବା | ଅନ୍ୟ ଦେଶରେ, ହାଇଡ୍ରୋଜେନ୍ ଟ୍ରେନ୍ ତିନି କିମ୍ବା ଚାରିଟି କୋଚ୍ ସହିତ ଚାଲିଥାଏ| କିନ୍ତୁ ଭାରତ ଏହାର ପ୍ରଥମ ପ୍ରୟାସରେ ୧୦ଟି କୋଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇ ବିଶ୍ୱରେ ନିଜର ଟେକ ରଖିପାରିଛି ।
ବନ୍ଧୁଗଣ,
ମୁଁ ଗର୍ବର ସହିତ ଆଉ ଗୋଟିଏ କଥା କହିବାକୁ ଚାହୁଁଛି | ଭାରତର ହାଇଡ୍ରୋଜେନ୍ ଟ୍ରେନ୍ କେବଳ ଧୂଆଁମୁକ୍ତ ନୁହେଁ, ଏହା ମେକ୍ ଇନ୍ ଇଣ୍ଡିଆର ଏକ ଜ୍ୱଳନ୍ତ ଉଦାହରଣ ଅଟେ | ଏହି ହାଇଡ୍ରୋଜେନ୍ ଟ୍ରେନ୍ ଭାରତୀୟ ଇଞ୍ଜିନିୟରର୍ସମାନଙ୍କ ଦ୍ୱାରା ଡିଜାଇନ୍ ହୋଇଛି ଏବଂ ଏହା ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ |
ବନ୍ଧୁଗଣ,
ଏହି ହାଇଡ୍ରୋଜେନ୍ ଟ୍ରେନ୍ ଅନ୍ୟ ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ |ଏଥିପାଇଁ ପୁରା ବ୍ୟବସ୍ଥା ପୁରା ଅଲଗା ଆବଶ୍ୟକ, ପୃଥକ ଭିତ୍ତିଭୂମି ଆବଶ୍ୟକ, ଜିନ୍ଦରେ ମଧ୍ୟ ଏଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି | ଏବଂ ଆଗାମୀ ସମୟରେ, ହାଇଡ୍ରୋଜେନ୍ ଟ୍ରେନ୍ ସହିତ ଜଡିତ ଅଧିକ ଭିତ୍ତିଭୂମି ଏଠାରେ ନିର୍ମାଣ ହେବ | ହାଇଡ୍ରୋଜେନ୍ ଟ୍ରେନ୍ ନେଟୱାର୍କର ଆବଶ୍ୟକତା ପୂରଣ ପାଇଁ ନୂତନ କାରଖାନା ଗଠନ କରାଯିବ | ଏହାର ଅର୍ଥ ହେଉଛି ଏହି ଟ୍ରେନ୍ ହରିୟାଣାର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିବ |
ବନ୍ଧୁଗଣ,
ବିଗତ ୧୨ ବର୍ଷ ମଧ୍ୟରେ, ଭାରତୀୟ ରେଳବାଇର ପ୍ରମୁଖ ପରିବର୍ତ୍ତନ ଭାରତକୁ ଆଉ ଏକ ସୁବିଧା ଆଣିଦେଇଛି | ଆପଣ ଦେଖିପାରୁଥିବେ ଯେ ଗତ କିଛି ମାସ ଧରି ପଶ୍ଚିମ ଏସିଆରେ, ସମଗ୍ର ହରମୁଜ୍ ଅଞ୍ଚଳରେ, ଇରାନ ଏବଂ ଗଲ୍ଫରେ , ଯୁଦ୍ଧ ଚାଲିଛି। ସମୁଦ୍ର ପଥ ଯେଉଁଥିରେ ଭାରତ ଆମ ଚାଷୀଙ୍କ ପାଇଁ ବହୁ ପରିମାଣର ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଏବଂ ସାର ଆମଦାନୀ କରିଥାଏ, ଏହା ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି, ଯାହା ସଙ୍କଟ ମଧ୍ୟରେ ଘେରି ରହିଛି|
ବନ୍ଧୁଗଣ,
ଯଦି ୨୦୧୪ ପୂର୍ବରୁ ଏପରି ପରିସ୍ଥିତି ଉପୁଜିଥାନ୍ତା, ତେବେ ଭାରତର ସମଗ୍ର ରେଳ ବ୍ୟବସ୍ଥା ବନ୍ଦ ହୋଇଯାଇଥାନ୍ତା। କାରଣ ସେହି ସମୟରେ ୨୦୧୪ରେ ଦେଶର ବହୁତ ବଡ଼ ଏକ ଅଂଶ ସେମିତି ଥିଲା। କଳ୍ପନା କରନ୍ତୁ, ଯଦି ଡିଜେଲ ଆମଦାନୀ ବନ୍ଦ ହୋଇଥାନ୍ତା, ତେବେ ସେହି ଟ୍ରେନ୍ ଗୁଡ଼ିକ କିପରି ଚାଲିଥାନ୍ତା ? ଦେଶ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥାନ୍ତା।
କିନ୍ତୁ ବନ୍ଧୁଗଣ,
ଏହା ୨୦୧୪ର ପରିସ୍ଥିତି ନୁହେଁ , ୟେ ମୋଦି। ସେ ସମୟ ପୂର୍ବରୁ ଚିନ୍ତା କରନ୍ତି ଏବଂ ସମାଧାନ ମଧ୍ୟ ଆଣିଥାନ୍ତି। କଳ୍ପନା କରନ୍ତୁ, ଭାରତୀୟ ରେଳବାଇର ବିଦ୍ୟୁତୀକରଣର ଆରମ୍ଭ, ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣମାନେ, ବିଦ୍ୟୁତୀକରଣର ଆରମ୍ଭ ପ୍ରାୟ ୧୯୨୫ ମସିହାରେ ଆରମ୍ଭ ହୋଇଥିଲା। ଅର୍ଥାତ୍ ପ୍ରାୟ ୧୦୦ ବର୍ଷ ପୂର୍ବରୁ । ୧୯୨୫ ରୁ ୨୦୧୪ ପର୍ଯ୍ୟନ୍ତ, ପ୍ରାୟ ୯୦ ବର୍ଷ ମଧ୍ୟରେ, କେବଳ ୩୦ ପ୍ରତିଶତ, ୩୦ ପ୍ରତିଶତ ରେଳ ନେଟୱାର୍କ ବିଦ୍ୟୁତୀକରଣ ହୋଇଥିଲା, ଅର୍ଥାତ୍ ଏକ ତୃତୀୟାଂଶରୁ କମ୍। ସତୁରି ପ୍ରତିଶତ ଏପର୍ଯ୍ୟନ୍ତ ଡିଜେଲରେ ଚାଲିଥିଲା। ଏବଂ ଯେଉଁଭଳି ଗତିରେ ୯୦ ବର୍ଷରେ ୩୦ ପ୍ରତିଶତ କାମ ହୋଇଥଲା , ଶତ-ପ୍ରତିଶତ କାମ ହେବାକୁ ଆହୁରି ୩୦୦ବର୍ଷ ଲାଗି ଯାଇଥାନ୍ତା,ପୁଣି ୨୦୦ଆହୁରି ଲାଗିଥାନ୍ତା। ତେବେ ପୂର୍ଣ୍ଣ ବିଦ୍ୟୁତୀକରଣ ହେବା ପାଇଁ ଆହୁରି ୨୦୦-୩୦୦ ବର୍ଷ ଲାଗିଥାନ୍ତା। ହୁଏତ ରେଳବାଇ କେବେ ବିଦ୍ୟୁତୀକରଣ ହୋଇପାରିନ’ଥାନ୍ତା ଏବଂ ଟ୍ରେନ୍ ଡିଜେଲରେ ଚାଲିଥାନ୍ତା। କିନ୍ତୁ ଗତ ୧୨ ବର୍ଷ ମଧ୍ୟରେ, ଭାରତର ପ୍ରାୟ ୯୯ ପ୍ରତିଶତ ରେଳ ନେଟୱାର୍କକୁ ବିଦ୍ୟୁତୀକରଣ କରାଯାଇଛି। ହରିୟାଣାରେ, ରେଳ ନେଟୱାର୍କ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ହୋଇଛି। ଏହି କାରଣରୁ, ଯୁଦ୍ଧ ଏବଂ ତୈଳ ସଙ୍କଟ ସତ୍ତ୍ୱେ ଭାରତର ରେଳପଥ ବନ୍ଦ ହୋଇନାହିଁ। ଭାରତର ବିକାଶର ଇଞ୍ଜିନ ଅଟକି ନାହିଁ , ଟ୍ରେନଗୁଡ଼ିକ ନିରନ୍ତର ଚାଲୁ ରହିଛି।
ବନ୍ଧୁଗଣ,
ରେଳ ହେଉ କିମ୍ବା ରାସ୍ତା, ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ସୁବିଧା ପ୍ରଦାନ କରିଥାଏ ଏବଂ ବିକାଶର ଗତିକୁ ବହୁଗୁଣିତ କରିଥାଏ । ଜିନ୍ଦ, ଯାହା ଆଜି ଏତେ ରାଜପଥ ଦ୍ୱାରା ସଂଯୁକ୍ତ ହେଉଛି, ଏହି ପର୍ଯ୍ୟାୟରୁ ତିନୋଟି ପ୍ରମୁଖ ପ୍ରକଳ୍ପ ଆରମ୍ଭ ହୋଇଛି। ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସୱେର ହରିୟାଣା ଅଂଶ ଉଦଘାଟନ କରାଯାଇଛି। ଜିନ୍ଦ-ଗୋହାନା ଜାତୀୟ ରାଜପଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହା ସହିତ, ଅମ୍ବାଲା-କାଲାଆମ୍ବ ଚାରି ଲେନ୍ ରାସ୍ତା ହରିୟାଣା ଏବଂ ହିମାଚଳ ଉଭୟ ରାଜ୍ୟର ଲୋକଙ୍କ ପାଇଁ ବହୁତ ସୁବିଧା ଆଣିବ।
ବନ୍ଧୁଗଣ,
ବର୍ତ୍ତମାନ ଜିନ୍ଦ ଦେଶର ଏମିତି ଜିଲ୍ଳା ହୋଇଯାଇଛି, ଯାହା ପାଞ୍ଚଟି ଜାତୀୟ ରାଜପଥ ଦ୍ୱାରା ସଂଯୁକ୍ତ ହୋଇଥିବା ଜିଲ୍ଲାରେ ପାଲଟିଛି। ଏପରି ସଂଯୋଗୀକରଣ ଦ୍ବାରା, ଚାଷୀ ଏବଂ ଗୋପାଳକମାନେ ସେମାନଙ୍କର ଉତ୍ପାଦକୁ ବଡ଼ ବଜାରକୁ ନେବା ସହଜ ଏବଂ ଶସ୍ତା ହେବ। ଶିଳ୍ପଗୁଡ଼ିକ ସୁଦୃଢ଼ ହେବ, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଆସିବ , ଏବଂ ବହୁ ସଂଖ୍ୟକ ନୂତନ ନିଯୁକ୍ତି ସୃଷ୍ଟି ହେବ।
ବନ୍ଧୁଗଣ,
ଆପଣମାନେ ଜାଣନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଫେରିଥିଲି। ଭାରତ ସେଠାରେ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା, ଯାହା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। କିନ୍ତୁ ଗୋଟିଏ ବିଷୟ ଅଛି ଯାହା ବିଷୟରେ ଏତେ ଆଲୋଚନା ହୋଇନଥିଲା। ସେହି ବିଷୟଟି ମୋ ଦେଶର ଯୁବପିଢ଼ିମାନଙ୍କ ସହିତ ସିଧାସଳଖ ଜଡିତ, ବିଶେଷକରି ହରିୟାଣାର ଯୁବପିଢ଼ି , ଏବଂ ସେ ବିଷୟ ହେଉଛି କ୍ରୀଡ଼ା।
ବନ୍ଧୁଗଣ,
ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ମୁଁ ସେମାନଙ୍କ ସରକାରମାନଙ୍କ ସହିତ କ୍ରୀଡା ବିଷୟରେ ବ୍ୟାପକ ଆଲୋଚନା କରିଥିଲି | ଆଗାମୀ ସମୟରେ ଭାରତ ଏହି ଦୁଇ ଦେଶ ସହିତ ଅନେକ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବ । କ୍ରୀଡ଼ା ଶିଳ୍ପ, ଆଥଲେଟ୍ ପ୍ରଶିକ୍ଷଣ ଏବଂ ଅନେକ କ୍ଷେତ୍ରରେ ବହୁତ ଗୁଡ଼ିଏ କାର୍ଯ୍ୟ ମିଳିତ ଭାବେ କରିବେ | ଏହା ହରିୟାଣାର ଯୁବକମାନଙ୍କୁ ମଧ୍ୟ ବହୁତ ଉପକୃତ କରିବ |
ବନ୍ଧୁଗଣ,
ଆଜି ଭାରତରେ କ୍ରୀଡାକୁ ଫିଟନେସ୍ ଏବଂ ରୋଜଗାରର ଏକ ପ୍ରମୁଖ ମାଧ୍ୟମ କରାଯାଉଛି | ଆମ ସରକାର ଏକ ନୂତନ ଜାତୀୟ କ୍ରୀଡା ନୀତି ଏବଂ ଖେଲୋ ଇଣ୍ଡିଆ ନୀତି ପ୍ରସ୍ତୁତ କରିଛନ୍ତି। ଖେଲୋ ଇଣ୍ଡିଆ ଅଭିଯାନ ଠାରୁ ଆରମ୍ଭ କରି ଟିଓପିଏସ୍ ସ୍କିମ୍ ପର୍ଯ୍ୟନ୍ତ ଆଥଲେଟ୍ସ ମାନେ ଅନେକ ସୁବିଧା ଏବଂ ଆର୍ଥିକ ସହାୟତା ଗ୍ରହଣ କରୁଛନ୍ତି | ଏଠାରେ ହରିୟାଣାରେ ମଧ୍ୟ ବିଜେପି ସରକାର କ୍ରୀଡ଼ା ଏବଂ ଆଥଲେଟମାନଙ୍କୁ ଜୋରଦାର ଉତ୍ସାହିତ କରୁଛନ୍ତି |
ବନ୍ଧୁଗଣ,
ଆଜିର କାର୍ଯ୍ୟକ୍ରମ ହୁଏତ ହାଇଡ୍ରୋଜେନ୍ ଟ୍ରେନ୍ ଏବଂ ଅନ୍ୟାନ୍ୟ ବିକାଶ ମୂଳକ ପ୍ରକଳ୍ପ ବିଷୟରେ ହୋଇପାରେ, କିନ୍ତୁ ମୁଁ ମଧ୍ୟ ଏଠାରେ ଥିବା ଯୁବକମାନଙ୍କୁ କିଛି କହିବାକୁ ଚାହେଁ | ଆପଣ ସମସ୍ତେ ଜାଣନ୍ତି ଯେ ୨୦୩୦ ମସିହାରେ ଭାରତ କମନୱେଲଥ ଗେମ୍ସ ଆୟୋଜନ କରିବ ଏବଂ ୨୦୩୬ ମସିହାରେ ଭାରତ ଅଲିମ୍ପିକ ଗେମ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ତେଣୁ, ପ୍ରତ୍ୟେକ ଆଥଲେଟ୍ ନିଷ୍ଠାର ସହିତ ନିଜକୁ ପ୍ରସ୍ତୁତ କରିବେ ଏବଂ ସେମାନଙ୍କର ସଂପୂର୍ଣ୍ଣ ଦକ୍ଷତା ପ୍ରତିପାଦନ କରିବା ଆବଶ୍ୟକ | ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଡବଲ ଇଞ୍ଜିନ ବିଜେପି ସରକାର ପ୍ରତ୍ୟେକ ସୁବିଧା ଯୋଗାଇ ଦେବେ। ଏବଂ ଯେଉଁମାନେ ୨୦୩୬ ଅଲିମ୍ପିକ୍ସ ଦେଖିବାକୁ ଚାହାଁନ୍ତି , ୫ ରୁ ୧୨-୧୫ ବର୍ଷର ଆଜିର ପିଲାମାନେ,ଆମେ ସେମାନଙ୍କ ଉପରେ ଧ୍ୟାନ ଦେବା ଆବଶ୍ୟକ | ମୁଁ ଆପଣମାନଙ୍କୁ ମଧ୍ୟ କହିବି, ଆଗାମୀ ସମୟରେ ଅହମ୍ମଦାବାଦରେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ ଖେଳ ଆୟୋଜନ ହେବ। ମୁଁ ହରିୟାଣାରେ ଥିବା ମୋର ବନ୍ଧୁମାନଙ୍କୁ ମଧ୍ୟ ଏହା ପାଇଁ ଭଲ ପ୍ରସ୍ତୁତି କରିବାକୁ ଅନୁରୋଧ କରୁଛି | ମୁଁ ନିଶ୍ଚିତ ଯେ ହରିୟାଣାର ପୁଅ ଏବଂ ଝିଅମାନେ ସବୁଥର ପରି ଏହି ଖେଳଗୁଡିକରେ ମଧ୍ୟ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିବେ |
ବନ୍ଧୁଗଣ,
ହରିୟାଣାର ଡବଲ ଇଞ୍ଜିନ୍ ସରକାର ସାବକା ସାଥ, ସବକା ବିକାଶ ମନ୍ତ୍ର ଉପରେ କାମ କରୁଛନ୍ତି| ନୟାବ ସିଂ ଜୀଙ୍କ ନେତୃତ୍ୱରେ ହରିୟାଣା ସରକାର ଏଠାରେ ଯୁବକ, କୃଷକ, ଭଉଣୀ ଏବଂ ଝିଅମାନଙ୍କ ପାଇଁ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି। ଲାଞ୍ଚ କିମ୍ବା ପକ୍ଷପାତିତା ବିନା ଚାକିରୀ ଦେବା ପାଇଁ ହରିୟାଣା ସରକାର ଦେଖାଇଥିବା ରାସ୍ତା ସହଜ ନଥିଲା, କିନ୍ତୁ ଏହି ବିଜେପି ସରକାର ଏହା ସମ୍ଭବ କରିପାରିଛନ୍ତି।
ବନ୍ଧୁଗଣ,
ଏଠାରେ କୃଷକଙ୍କ କଲ୍ୟାଣ ମଧ୍ୟ ଆମର ପ୍ରାଥମିକତା | ଜିନ୍ଦର ମଣ୍ଡି ହରିୟାଣାର ସବୁଠାରୁ ବଡ ମଣ୍ଡି ମଧ୍ୟରୁ ଅନ୍ୟତମ | ଡବଲ ଇଞ୍ଜିନ ବିଜେପି ସରକାର ଯୋଗୁଁ ହରିୟାଣାର କୃଷକମାନେ ବହୁ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ମାଧ୍ୟମରେ ହରିୟାଣାର କୃଷକମାନେ ପ୍ରାୟ ୮,୦୦୦ କୋଟି ଟଙ୍କା ପାଇଛନ୍ତି। ଏଥିମଧ୍ୟରୁ କେବଳ ଜିନ୍ଦ କୃଷକମାନେ ୬୦୦ କୋଟିରୁ ଅଧିକ ପାଇଛନ୍ତି।
ବନ୍ଧୁଗଣ,
ଆମ ଦେଶ ସଂସ୍କାର ଏବଂ ସଂସ୍କୃତିର ଦେଶ | ଏବଂ ଏହି ଅଞ୍ଚଳ ସେହି ସମୃଦ୍ଧ ଐତିହ୍ୟର ଏକ ମହାନ କେନ୍ଦ୍ର | ଏହା ହେଉଛି ଜିନ୍ଦର ମାଟି, ଯେଉଁଠାରେ ମହାରାଜା ରଣଜିତ ସିଂଙ୍କ ମହାନତା ଏବଂ ପାଣ୍ଡବଙ୍କ ଆସ୍ଥା ରହିଛି । ପାଂଡ଼ୁ-ପିଂଡ଼ାରା ଏବଂ ରାମରାୟ ପରି ପବିତ୍ର ତୀର୍ଥ , ଆଜି ମଧ୍ୟ ଲକ୍ଷ- ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର କେନ୍ଦ୍ର ଅଟେ।
ବନ୍ଧୁଗଣ,
ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ଏହି ଐତିହ୍ୟ ଆଜିର ଭାରତ ସଂରକ୍ଷଣ କରୁଛି ଏବଂ ପରବର୍ତ୍ତୀ ପିଢ଼ିକୁ ସମ୍ମାନର ସହିତ ପ୍ରଦାନ କରୁଛି। ଏହି ଭାବନାରେ, ଆଜି କୁରୁକ୍ଷେତ୍ରରେ ଏକ ଶିଖ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ହରିୟାଣାର ଏହି ନୂତନ ସଂଗ୍ରହାଳୟ ଭାରତର ମହାନ ଗୁରୁ ପରମ୍ପରାକୁ, ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବ।
ବନ୍ଧୁଗଣ,
ହରିଆଣା ଏବେ ଦ୍ରୁତ ବିକାଶ ପଥରେ ଆଗକୁ ବଢ଼ୁଛି। କୃଷି ଏବଂ ଶିଳ୍ପ, ଏହି ଦୁଇଟି କ୍ଷେତ୍ର , ଯାହା ହରିୟାଣାକୁ ସଶକ୍ତ କରୁଛି। ଆଜି ଉଦ୍ଘାଟିତ ଏବଂ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ହରିୟାଣାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ। ଏବଂ ହରିୟାଣାର ଏହି ଦ୍ରୁତ ବିକାଶ ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଯାତ୍ରାକୁ ଅଧିକ ଶକ୍ତିଶାଳୀ କରିବ। ଏହି ଶୁଭକାମନା ସହିତ, ମୁଁ ପୁଣିଥରେ ଆପଣମାନଙ୍କୁ ଏବଂ ଦେଶର ଲୋକମାନଙ୍କୁ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପାଇଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ମୋ ସହିତ କୁହନ୍ତୁ -
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ବହୁତ -ବହୁତ ଧନ୍ୟବାଦ!
*****
NS
(रिलीज़ आईडी: 2286686)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam