ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମବଙ୍ଗର କୋଲକାତାସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶରେ ପରିକଳ୍ପିତ ଓ ନିର୍ମିତ ଭାରତୀୟ ନୌସେନାର ତିନୋଟି ଯୁଦ୍ଧଜାହାଜ-ଆଇଏନଏସ୍ ଦୁନାଗିରି, ଆଇଏନଏସ୍ ସଂଶୋଧକ ଏବଂ ଆଇଏନଏସ୍ ଅଗ୍ରୟଙ୍କୁ ଦେଶକୁ ସମର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 21 JUN 2026 12:50PM by PIB Bhubaneswar

ଆଜି ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି: ପ୍ରଧାନମନ୍ତ୍ରୀ

 

ଆଜି, ଜୁନ୍ ୨୧ ବିଶ୍ୱ ହାଇଡ୍ରୋଗ୍ରାଫି ଦିବସ ଭାବେ ମଧ୍ୟ ପାଳନ କରାଯାଏ, ଏହା ଏକ ଅତ୍ୟନ୍ତ ସ୍ମରଣୀୟ ସଂଯୋଗ ଯେ, ଠିକ୍ ଏହି ଦିନ ଆମେ ଭାରତର ସର୍ବାଧୁନିକ ହାଇଡ୍ରୋଗ୍ରାଫି ସର୍ଭେ ଜାହାଜ ଆଇଏନଏସ୍ ସନ୍ଧ୍ୟାୟକକୁ କାର୍ଯ୍ୟକ୍ଷମ କରିଛୁ: ପ୍ରଧାନମନ୍ତ୍ରୀ

 

ଯେଉଁ ଦେଶର ସାମୁଦ୍ରିକ ଶକ୍ତି ସୁଦୃଢ଼, ସେହି ଦେଶର ଆର୍ଥିକ ଏବଂ ରଣନୀତିକ ପ୍ରଭାବ ମଧ୍ୟ ସୁଦୃଢ଼; ଭାରତ ଏହି ବାସ୍ତବତାକୁ ଭଲଭାବେ ବୁଝିଛି ଏବଂ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରୁଛି: ପ୍ରଧାନମନ୍ତ୍ରୀ

 

ଆଇଏନଏସ୍ ବିକ୍ରାନ୍ତଠାରୁ ଆଜି ପର୍ଯ୍ୟନ୍ତର ଏହି ଯାତ୍ରା କେବଳ ନୂତନ ଯୁଦ୍ଧଜାହାଜର ଯାତ୍ରା ନୁହେଁ; ଏହା ହେଉଛି ଭାରତର ବଢ଼ୁଥିବା ଆତ୍ମନିର୍ଭରଶୀଳତାର ଯାତ୍ରା; ଆଜି ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକ ସେହି ଯାତ୍ରାକୁ ନୂତନ ଗତି ପ୍ରଦାନ କରୁଛନ୍ତି: ପ୍ରଧାନମନ୍ତ୍ରୀ

 

ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଭାରତ ଏକ ନୂତନ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବା ଆରମ୍ଭ କରିଛି; ଦେଶରେ ଜାହାଜ ନିର୍ମାଣ କ୍ଷମତା ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି: ପ୍ରଧାନମନ୍ତ୍ରୀ

 

ଜାହାଜ ନିର୍ମାଣ, ଜାହାଜ ମରାମତି ଏବଂ ଏମ୍‌ଆର୍‌ଓକୁ ଏକ ପ୍ରମୁଖ ଜାତୀୟ ଅଭିଯାନର ଅଂଶ ଭାବରେ ଦେଖାଯାଉଛି: ପ୍ରଧାନମନ୍ତ୍ରୀ

 

ଭାରତ ସର୍ବଦା ସମୁଦ୍ରକୁ ସହଯୋଗର ଏକ ମାଧ୍ୟମ ଭାବେ ବିବେଚନା କରିଆସିଛି; କିନ୍ତୁ ଭାରତ ଏହା ମଧ୍ୟ ଜାଣେ ଯେ, ଶାନ୍ତିର ସୁରକ୍ଷା ପାଇଁ ଶକ୍ତି ଅପରିହାର୍ଯ୍ୟ; ସମୃଦ୍ଧିର ରକ୍ଷା ପାଇଁ ସୁରକ୍ଷା ଆବଶ୍ୟକ ଏବଂ ଭବିଷ୍ୟତ ଗଠନ ପାଇଁ ଆତ୍ମନିର୍ଭରଶୀଳତା ଅନିବାର୍ଯ୍ୟ: ପ୍ରଧାନମନ୍ତ୍ରୀ

 

ଆଜି ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକ ଏହି ଚେତନାର ପ୍ରତୀକ ଭାବରେ ଭାରତୀୟ ନୌସେନାରେ ସାମିଲ ହୋଇଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର କୋଲକାତାସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶରେ ପରିକଳ୍ପିତ ଓ ନିର୍ମିତ ଭାରତୀୟ ନୌସେନାର ତିନୋଟି ଜାହାଜକୁ ଦେଶକୁ ସମର୍ପଣ କରିଛନ୍ତି। ଏହି ଜାହାଜଗୁଡ଼ିକ ହେଲା-ଆଇଏନଏସ୍ ଦୁନାଗିରି (ଏକ ଉନ୍ନତ ଷ୍ଟେଲ୍ଥ ଫ୍ରିଗେଟ୍), ଆଇଏନଏସ୍ ସଂଶୋଧକ (ଏକ ବୃହତ୍ ସର୍ଭେ ଜାହାଜ) ଏବଂ ଆଇଏନଏସ୍ ଅଗ୍ରୟ (ଏକ ଆଣ୍ଟି-ସବ୍‌ମେରିନ୍ ୱାରଫେୟାର୍ ଶାଲୋ ୱାଟର କ୍ରାଫ୍ଟ)। ଏହି ତିନୋଟି ଜାହାଜ ସାମିଲ ହେବା ଫଳରେ ଭାରତର ସାମୁଦ୍ରିକ ପରିଚାଳନା କ୍ଷମତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ, ସାମୁଦ୍ରିକ କ୍ଷେତ୍ର ସମ୍ପର୍କିତ ସଚେତନତା ଆହୁରି ସୁଦୃଢ଼ ହେବ ଏବଂ ଭୂ-ରାଜନୈତିକ ବିପଦରୁ ଭାରତର ଉପକୂଳବର୍ତ୍ତୀ ଜଳସୀମାର ସୁରକ୍ଷା ଅଧିକ ସଶକ୍ତ ହେବ। ଏହି ତିନୋଟି ଜାହାଜ ଭାରତୀୟ ନୌସେନାର ୱାରଶିପ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍‌ କରାଯାଇଥିଲା ଏବଂ କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ (ଜିଆରଏସଇ) ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ନିର୍ମାଣ ପ୍ରକ୍ରିୟାରେ ୨୦୦ରୁ ଅଧିକ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସମେତ ଭାରତୀୟ ଶିଳ୍ପ କ୍ଷେତ୍ରର ବ୍ୟାପକ ଅଂଶଗ୍ରହଣ ରହିଥିଲା। ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପାଦାନ ବ୍ୟବହାର କରି ନିର୍ମାଣ କରାଯାଇଥିବା ଏହି ଜାହାଜଗୁଡ଼ିକ ‘ଆତ୍ମନିର୍ଭର ଭାରତ’ ପ୍ରତି ଦେଶର ଦୃଢ଼ ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ନିଦର୍ଶନ।

 

ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଏହି ଅବସର ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ଆନ୍ତର୍ଜାତିକ ଯୋଗ ଦିବସ ସହିତ ମଧ୍ୟ ସମକକ୍ଷ ହୋଇପାରିଛି। ଭାରତର ବୌଦ୍ଧିକ, ସାଂସ୍କୃତିକ ଏବଂ ଜାତୀୟ ନବଜାଗରଣକୁ ନୂତନ ଦିଗ ଦେଇଥିବା ତଥା ଶତାବ୍ଦୀ ଧରି ସାମୁଦ୍ରିକ ବାଣିଜ୍ୟ ପଥ ମାଧ୍ୟମରେ ଭାରତକୁ ବିଶ୍ୱ ସହିତ ସଂଯୋଗ କରିଥିବା ଐତିହାସିକ ବଙ୍ଗ ଭୂମିକୁ ଆସିବାର ସୁଯୋଗ ମିଳିଥିବାରୁ ସେ ଆନନ୍ଦ ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆଜିର ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ, ସୁରକ୍ଷିତ ଭାରତ ଏବଂ ବିକଶିତ ଭାରତ ଗଠନ ଦିଗରେ ଆମର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।” ସେ ଉଲ୍ଲେଖ କରିଥିଲେ ଯେ, ଜୁନ୍ ୨୧ ତାରିଖକୁ ସମଗ୍ର ବିଶ୍ୱରେ ‘ବିଶ୍ୱ ହାଇଡ୍ରୋଗ୍ରାଫି ଦିବସ’ ଭାବେ ମଧ୍ୟ ପାଳନ କରାଯାଏ। ଏହା ଏକ ଉଲ୍ଲେଖନୀୟ ସଂଯୋଗ ଯେ, ଏହି ଦିନ ଭାରତର ସର୍ବାଧୁନିକ ହାଇଡ୍ରୋଗ୍ରାଫିକ୍ ସର୍ଭେ ଜାହାଜ ଆଇଏନଏସ୍ ସଂଶୋଧକକୁ ଦେଶକୁ ସମର୍ପଣ କରାଯାଇଛି। ଭାରତୀୟ ନୌସେନା, ବୈଜ୍ଞାନିକ, ଇଞ୍ଜିନିୟର, ଶ୍ରମିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ଏହି ସଫଳତା ଭାରତର ବଢ଼ୁଥିବା ପ୍ରଯୁକ୍ତିଗତ ଦକ୍ଷତା ଏବଂ ସାମୁଦ୍ରିକ କ୍ଷମତାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଥିଲେ, “ସୁଦୃଢ଼ ସାମୁଦ୍ରିକ କ୍ଷମତା ବିନା କୌଣସି ଦେଶ ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇପାରିବ ନାହିଁ। ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ସମୁଦ୍ର ସହିତ ନିବିଡ଼ ଭାବେ ଜଡ଼ିତ। ବିଶ୍ୱର ଅଧିକାଂଶ ବାଣିଜ୍ୟ ସାମୁଦ୍ରିକ ପଥ ଦେଇ ସମ୍ପନ୍ନ ହେଉଥିବା ବେଳେ ବିଶ୍ୱର ବୃହତ୍‌ ଡାଟା ନେଟୱର୍କ ମଧ୍ୟ ସମୁଦ୍ର ତଳେ ପରିଚାଳିତ ହେଉଛି।” ଆଧୁନିକ ବିଶ୍ୱରେ ସାମୁଦ୍ରିକ ଶକ୍ତିର ଗୁରୁତ୍ୱ ଉପରେ ଜୋର ଦେଇ ସେ କହିଥିଲେ ଯେ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ, ଗଭୀର ସମୁଦ୍ରର ସମ୍ପଦ ଏବଂ ଭବିଷ୍ୟତର ଶକ୍ତିର ଉତ୍ସଗୁଡ଼ିକ କ୍ରମଶଃ ସାମୁଦ୍ରିକ କ୍ଷେତ୍ର ସହିତ ଅଧିକ ଘନିଷ୍ଠ ଭାବେ ଜଡ଼ିତ ହେବ। ତେଣୁ ଏକ ଦେଶର ଆର୍ଥିକ ଏବଂ ରଣନୀତିକ ପ୍ରଭାବ ତାହାର ସାମୁଦ୍ରିକ କ୍ଷେତ୍ରର ଶକ୍ତି ଉପରେ ସିଧାସଳଖ ଭାବେ ନିର୍ଭର କରିଥାଏ।

 

ଶ୍ରୀ ମୋଦୀ କହିଥିଲେ ଯେ, ଭାରତ ଏହି ବାସ୍ତବତାକୁ ସମ୍ପୂର୍ଣ୍ଣ ଭାବେ ବୁଝିଛି ଏବଂ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରୁଛି। ସେ କହିଥିଲେ, “ଆଜି ଏହି ତିନୋଟି ନୌସେନା ପ୍ଲାଟଫର୍ମକୁ ଦେଶକୁ ସମର୍ପଣ କରାଯିବା, ଦେଶର ବଢ଼ୁଥିବା କ୍ଷମତା ଓ ଦକ୍ଷତାର ଏକ ଜୀବନ୍ତ ପ୍ରମାଣ।” ଦେଶକୁ ସମର୍ପଣ କରାଯାଇଥିବା ଆଇଏନଏସ୍ ବିକ୍ରାନ୍ତ ବିଷୟରେ ସ୍ମରଣ କରି ସେ କହିଥିଲେ ଯେ, ଏହା ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଥିଲା ଏବଂ ବିଶ୍ୱ ସମ୍ମୁଖରେ ଭାରତର ବଢ଼ୁଥିବା ନୌସାମରିକ ଶକ୍ତିର ପରିଚୟ ଦେଇଥିଲା। ସେ କହିଥିଲେ ଯେ, ଆଇଏନଏସ୍ ବିକ୍ରାନ୍ତଠାରୁ ଆଜି ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକର ଦେଶକୁ ସମର୍ପଣ ପର୍ଯ୍ୟନ୍ତର ଏହି ଯାତ୍ରା କେବଳ ନୂତନ ଯୁଦ୍ଧଜାହାଜର କାହାଣୀ ନୁହେଁ, ବରଂ ଏହା ଭାରତର ବଢ଼ୁଥିବା ଆତ୍ମନିର୍ଭରଶୀଳତାର ଏକ ପ୍ରତିଫଳନ ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, “ଏହି ତିନୋଟି ଜାହାଜ ସ୍ୱଦେଶୀ ରୂପରେଖ, ନିର୍ମାଣ ଏବଂ ନବସୃଜନ ପ୍ରତି ଭାରତର ଦୃଢ଼ ସଂକଳ୍ପର ପ୍ରତୀକ। ଭାରତରେ ପରିକଳ୍ପିତ ଏବଂ ନିର୍ମିତ ଏହି ଜାହାଜଗୁଡ଼ିକ ଭାରତୀୟ ଶିଳ୍ପ କ୍ଷେତ୍ରର ପ୍ରତିଭା, ଭାରତୀୟ ଇଞ୍ଜିନିୟରମାନଙ୍କର ଦକ୍ଷତା ଏବଂ ଭାରତୀୟ ଶ୍ରମିକମାନଙ୍କର ନିଷ୍ଠାପୂର୍ଣ୍ଣ ପରିଶ୍ରମକୁ ପ୍ରଦର୍ଶନ କରୁଛି।”

 

ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ ଜଣେ କ୍ରେତା ହୋଇ ରହିବାକୁ ଚାହୁନାହିଁ। ସେ କହିଥିଲେ, “କୌଣସି ଦେଶର ସାମରିକ ଶକ୍ତିକୁ ବିଶ୍ୱ ବଜାର ଉପରେ ତାହାର ନିର୍ଭରଶୀଳତା ଆଧାରରେ ମାପାଯାଏ ନାହିଁ, ବରଂ ଆତ୍ମନିର୍ଭର ହେବାର କ୍ଷମତା ଆଧାରରେ ମୂଲ୍ୟାୟନ କରାଯାଏ। ଭାରତ କେବଳ ଉପଭୋକ୍ତା ନୁହେଁ, ବରଂ ଉତ୍ପାଦକ ଏବଂ ନିର୍ମାତା ହେବାକୁ ଚାହୁଛି, କାରଣ ଯେଉଁ ଦେଶଗୁଡ଼ିକ ନିର୍ମାଣ କରନ୍ତି, ସେମାନେ ହିଁ ବିଶ୍ୱ ପରିସରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି।” ନିକଟ ଅତୀତର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ୪୦ରୁ ଅଧିକ ସ୍ୱଦେଶରେ ନିର୍ମିତ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ସେ କହିଥିଲେ ଯେ, ପ୍ରାୟ ପ୍ରତି କିଛି ସପ୍ତାହ ବ୍ୟବଧାନରେ ଭାରତୀୟ ନୌସେନାକୁ ଏକ ନୂତନ କ୍ଷମତା ମିଳୁଛି ଏବଂ ବର୍ତ୍ତମାନ ୪୫ଟି ପ୍ରମୁଖ ନୌସେନା ପ୍ଲାଟଫର୍ମ ନିର୍ମାଣାଧୀନ ରହିଛି। ତାଙ୍କ କହିବା ଅନୁସାରେ, ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ, ବରଂ ଭାରତର ଶିଳ୍ପ କ୍ଷମତା ଏବଂ ଭବିଷ୍ୟତର ସାମର୍ଥ୍ୟର ସ୍ପଷ୍ଟ ଉଦାହରଣ।

 

ସାମୁଦ୍ରିକ କ୍ଷେତ୍ରର ଅପାର ନିଯୁକ୍ତି ସୃଷ୍ଟି ସମ୍ଭାବନା କ୍ଷମତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, “ସରକାର ସାମୁଦ୍ରିକ କ୍ଷେତ୍ରକୁ କେବଳ ଏକ ସ୍ୱତନ୍ତ୍ର ଶିଳ୍ପ ଭାବେ ଦେଖୁନାହାନ୍ତି, ବରଂ ବିକଶିତ ଭାରତ ଗଠନ ପାଇଁ ରୋଜଗାର ସୃଷ୍ଟି ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ ଶକ୍ତି ଭାବେ ବିବେଚନା କରୁଛନ୍ତି। ଏକ ଆଧୁନିକ ଜାହାଜ ନିର୍ମାଣ ପାଇଁ ବହୁ ପରିମାଣର ଇସ୍ପାତ, ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି ଏବଂ ହଜାର ହଜାର ଉପକରଣର ଆବଶ୍ୟକତା ପଡ଼େ, ଯାହା ବ୍ୟାପକ ଶିଳ୍ପ ଯୋଗାଣ ଶୃଙ୍ଖଳରେ ଅସଂଖ୍ୟ ସୁଯୋଗ ସୃଷ୍ଟି କରିଥାଏ।” ଆଜି ଦେଶକୁ ସମର୍ପିତ ହୋଇଥିବା ତିନୋଟି ଜାହାଜର ଉଲ୍ଲେଖ କରି ସେ କହିଥିଲେ ଯେ, ଏହାର ନିର୍ମାଣରେ ୨୦୦ରୁ ଅଧିକ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅବଦାନ ରଖିଛନ୍ତି। ଏହା ଦେଶବ୍ୟାପୀ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ଗତି ପ୍ରଦାନ କରିଛି।

 

ଶ୍ରୀ ମୋଦୀ କହିଥିଲେ ଯେ, ଭାରତ ପାଇଁ ସାମୁଦ୍ରିକ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିବାର ସମୟ ଆସିଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଏକ ନୂତନ ଦୃଷ୍ଟିକୋଣ ଗ୍ରହଣ କରିଛନ୍ତି ଏବଂ ଦେଶରେ ଜାହାଜ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବା ପାଇଁ ନିକଟ ଅତୀତରେ ଅନେକ ନୀତିଗତ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ସେ କହିଥିଲେ, “ଜାହାଜ ପରିବହନ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ୭୦,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ କେବଳ ଏକ ଆର୍ଥିକ ପଦକ୍ଷେପ ନୁହେଁ; ଏହା ଭାରତର ସାମୁଦ୍ରିକ ଭବିଷ୍ୟତ ଏବଂ ଶିଳ୍ପ ସମ୍ପ୍ରସାରଣରେ କରାଯାଇଥିବା ଏକ ଦୀର୍ଘମିଆଦୀ ପୁଞ୍ଜିନିବେଶ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଗରମାଳା ପରି ପଦକ୍ଷେପଗୁଡ଼ିକ ଏହି ବ୍ୟାପକ ଦୃଷ୍ଟିକୋଣର ପ୍ରତିଫଳନ। ଏହି ପଦକ୍ଷେପ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା, ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେଉଛି।

 

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାର ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଏକ ସମୟ ଥିଲା ଯେତେବେଳେ ଭାରତକୁ ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଉଥିଲା। ଏହା କେବଳ ରଣନୀତିକ ନୁହେଁ, ବରଂ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ବିଭିନ୍ନ ଆହ୍ୱାନ ସୃଷ୍ଟି କରୁଥିଲା। ସେ କହିଥିଲେ ଯେ, ୨୦୧୪ ମସିହାରେ ସରକାର ଗଠନ ପରେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ବ୍ୟାପକ ନୀତିଗତ ସଂସ୍କାର କରାଯାଇଥିଲା ଏବଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପ୍ରୟାସଗୁଡ଼ିକ ପ୍ରତିରକ୍ଷା କ୍ଷେତ୍ରରେ ଡିଜାଇନ୍, ଉତ୍ପାଦନ ଏବଂ ରପ୍ତାନି ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ୨୦୧୪ ମସିହାରେ ଭାରତର ମୋଟ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ୪୦ ହଜାର କୋଟି ଟଙ୍କା ଥିବା ବେଳେ, ଆଜି ଏହା ବୃଦ୍ଧି ପାଇ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ବିଶ୍ୱସ୍ତରରେ ପ୍ରତିଯୋଗୀ ପ୍ରତିରକ୍ଷା ଶିଳ୍ପ ଗଠନ ଦିଗରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିର ପ୍ରମାଣ।” ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, ଗତ ବାର ବର୍ଷରେ ହାସଲ ହୋଇଥିବା ଏହି ଅଗ୍ରଗତି ପ୍ରମାଣ କରୁଛି ଯେ, ଯେତେବେଳେ ନୀତି ସ୍ପଷ୍ଟ ଥାଏ, ଦିଗ ସଠିକ୍ ଥାଏ ଏବଂ ଜାତୀୟ ବିକାଶର ସାଧାରଣ ଲକ୍ଷ୍ୟ ନେଇ ସମସ୍ତ ଅଂଶୀଦାର ମିଳିତ ଭାବେ କାର୍ଯ୍ୟ କରନ୍ତି, ସେତେବେଳେ ପରିବର୍ତ୍ତନଶୀଳ ସଫଳତା ସମ୍ଭବ ହୋଇଥାଏ।

 

ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସାମୁଦ୍ରିକ ପରମ୍ପରା ବିଷୟରେ ଆଲୋଚନା ହେଲେ ସ୍ୱାଭାବିକ ଭାବେ ପଶ୍ଚିମବଙ୍ଗର ନାମ ମନକୁ ଆସିଥାଏ। ସେ କହିଥିଲେ ଯେ, ଐତିହାସିକ ଭାବେ ବଙ୍ଗଳା ଭାରତକୁ ବିଶ୍ୱ ସହିତ ସାମୁଦ୍ରିକ ମାର୍ଗରେ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଆସିଛି। ସେ କହିଥିଲେ ଯେ, ହୁଗୁଳି ନଦୀର ଜଳଧାରା ଇତିହାସର ପରିବର୍ତ୍ତିତ ଅଧ୍ୟାୟ, ବାଣିଜ୍ୟର ବିକାଶ ଏବଂ ଉନ୍ନୟନର ନୂତନ ଯାତ୍ରାର ସାକ୍ଷୀ ରହିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ବନ୍ଦରର ନାମ ବଙ୍ଗଳାର ସୁଯୋଗ୍ୟ ସନ୍ତାନ ଏବଂ ଭାରତର ପ୍ରଥମ ଶିଳ୍ପମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହୋଇଥିବାରୁ ଆଜିର ଅବସର ଆହୁରି ଅର୍ଥପୂର୍ଣ୍ଣ ହୋଇଯାଇଛି। ଶ୍ରୀ ମୋଦୀ କହିଥିଲେ, “ଆଗାମୀ ବର୍ଷଗୁଡ଼ିକରେ ପଶ୍ଚିମବଙ୍ଗ ଭାରତର ବ୍ଲୁ ଇକୋନୋମି, ସାମୁଦ୍ରିକ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଉପକୂଳବର୍ତ୍ତୀ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବାକୁ ପ୍ରସ୍ତୁତ ରହିଛି।”

 

ଶ୍ରୀ ମୋଦୀ ପୁନର୍ବାର ଦୋହରାଇ କହିଥିଲେ ଯେ, ଭାରତ ସର୍ବଦା ସମୁଦ୍ରକୁ ସହଯୋଗ ଏବଂ ସଂଯୋଗୀକରଣର ଏକ ମାଧ୍ୟମ ଭାବେ ଦେଖିଆସିଛି। ସେ କହିଥିଲେ, “ସମୃଦ୍ଧିର ରକ୍ଷା ପାଇଁ ସୁରକ୍ଷା ଅପରିହାର୍ଯ୍ୟ, ଆଉ ଭବିଷ୍ୟତ ଗଠନ ପାଇଁ ଆତ୍ମନିର୍ଭରଶୀଳତା ଅନିବାର୍ଯ୍ୟ। ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକ ଏହି ଆଦର୍ଶଗୁଡ଼ିକର ଜୀବନ୍ତ ପ୍ରତୀକ। ଏଗୁଡ଼ିକ ଏଭଳି ଏକ ଭାରତର ପ୍ରତୀକ, ଯିଏ ନିଜର କ୍ଷମତା ସମ୍ପର୍କରେ ଅଧିକ ସଚେତନ, ନିଜର ସାମର୍ଥ୍ୟ ଉପରେ ଅଧିକ ଆତ୍ମବିଶ୍ୱାସୀ ଏବଂ ଏକବିଂଶ ଶତାବ୍ଦୀରେ ନୂତନ ଉତ୍ସାହ, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ଦୃଢ଼ପ୍ରତିଜ୍ଞ।”

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ସମାପ୍ତ କରି ଭାରତୀୟ ନୌସେନାର ସମସ୍ତ କର୍ମଚାରୀ, ବୈଜ୍ଞାନିକ, ଇଞ୍ଜିନିୟର, ଶ୍ରମିକ ଏବଂ ଦେଶବାସୀଙ୍କୁ ଏହି ସଫଳତାରେ ସେମାନଙ୍କର ଅବଦାନ ପାଇଁ ଶୁଭକାମନା ଜଣାଇଥିଲେ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ଭାରତର ସାମୁଦ୍ରିକ ଏବଂ ପ୍ରତିରକ୍ଷା କ୍ଷେତ୍ର ଆଗାମୀ ଦିନରେ ମଧ୍ୟ ଦେଶର ସୁରକ୍ଷା, ସମୃଦ୍ଧି ଏବଂ ବିଶ୍ୱସ୍ତରୀୟ ସ୍ଥାନକୁ ଆହୁରି ସୁଦୃଢ଼ କରିବାରେ ନିରନ୍ତର ଯୋଗଦାନ ଜାରି ରଖିବ।

*****

MT

 


(रिलीज़ आईडी: 2284372) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam