ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ମିଳିତ ଘୋଷଣାନାମା

प्रविष्टि तिथि: 09 JUL 2026 10:55AM by PIB Bhubaneswar

ଆମେ, ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ଆମର ଘନିଷ୍ଠ ହେଉଥିବା ଦ୍ୱିପାକ୍ଷିକ ସମ୍ପର୍କ ପରିପ୍ରେକ୍ଷୀରେ, ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବା ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଏହାସହ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ କରିବାର ସାଧାରଣ ଲକ୍ଷ୍ୟକୁ ନେଇ ଆମେ ଏହି ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ମିଳିତ ଘୋଷଣାନାମା ପ୍ରତି ପ୍ରତିବଦ୍ଧତା ପ୍ରକାଶ କରୁଛୁ।

ଆମେ ୨୦୨୦ ମସିହାରେ ସ୍ଥାପିତ ଆମର ବ୍ୟାପକ ରଣନୀତିକ ଭାଗିଦାରୀ (ସିଏସପି)ର ଗୁରୁତ୍ୱକୁ ଦୋହରାଉଛୁ। ଆମର ସିଏସପିର ଶୁଭାରମ୍ଭ ପରଠାରୁ, ଆମର ରଣନୀତିକ ସମନ୍ୱୟ ତ୍ୱରାନ୍ୱିତ ହୋଇଛି, ଆମର ଅର୍ଥନୈତିକ ସମ୍ପର୍କ ଗଭୀର ହୋଇଛି ଏବଂ ଆମର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ - ଯାହା ଆମ ଦେଶଗୁଡ଼ିକ ମଧ୍ୟରେ ଏକ ଜୀବନ୍ତ ସେତୁ-ଆହୁରି ମଜବୁତ ହୋଇଛି। ଆମେ ଲକ୍ଷ୍ୟ କରୁଛୁ ଯେ କ୍ୱାଡ୍ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ଅନୁଷ୍ଠାନ ଭଳି ଆଞ୍ଚଳିକ ମଞ୍ଚ ମାଧ୍ୟମରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସ୍ତରରେ ଆମର ନିବିଡ଼ ସମ୍ପୃକ୍ତି ଉଭୟ ଦେଶକୁ ଲାଭାନ୍ୱିତ କରୁଛି, ଏବଂ ଆମର ସହଭାଗୀ ଅଞ୍ଚଳର ସୁରକ୍ଷା ଓ ସମୃଦ୍ଧିରେ ଯୋଗଦାନ ଦେଉଛି।

୨୦୦୯ ମସିହାର ଭାରତ-ଅଷ୍ଟ୍ରେଲିଆ ସୁରକ୍ଷା ସହଯୋଗ ମିଳିତ ଘୋଷଣାନାମା ଦ୍ୱାରା ଆମ ଭାଗିଦାରୀରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିକୁ ମଧ୍ୟ ଆମେ ସ୍ମରଣ କରୁଛୁ। ବୈଦେଶିକ ମନ୍ତ୍ରୀସ୍ତରୀୟ ଫ୍ରେମଓ୍ବର୍କ ଆଲୋଚନା, ୨+୨ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ସହିତ ବିଭିନ୍ନ ଦ୍ୱିପାକ୍ଷିକ ବ୍ୟବସ୍ଥା ମାଧ୍ୟମରେ ଏହି ଭାଗିଦାରୀ ପ୍ରତି ମିଳିଥିବା ବଳିଷ୍ଠ ଯୋଗଦାନକୁ ଆମେ ପ୍ରଶଂସା କରୁଛୁ।

ଭୂ-ରଣନୀତିକ ଅନିଶ୍ଚିତତା, ଏବଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ଥିବା ବିପଦକୁ ଆମେ ଚିନ୍ତାର ସହିତ ଲକ୍ଷ୍ୟ କରୁଛୁ। ଆମେ ସମସ୍ତ ପକ୍ଷଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ର କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛୁ ଏବଂ କୌଣସି ପ୍ରକାରର ଭୟ ପ୍ରଦର୍ଶନ, ବଳ ପ୍ରୟୋଗ କିମ୍ବା ବାଧ୍ୟବାଧକତା ବିନା ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବିବାଦଗୁଡ଼ିକର ସମାଧାନ ପାଇଁ ଆହ୍ୱାନ କରୁଛୁ।

ଆମେ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଉଛୁ, ଯାହାକି: ଅନ୍ତର୍ଜାତୀୟ ଆଇନର ଅନୁପାଳନ ଉପରେ ଆଧାରିତ ଏକ ନିୟମ-ଆଧାରିତ ବ୍ୟବସ୍ଥା; ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ; ଜଳପଥ ପରିଚାଳନା ଓ ଆକାଶମାର୍ଗରେ ଯାତାୟାତର ସ୍ୱାଧୀନତା ସମେତ ୧୯୮୨ ଜାତିସଂଘର ସାମୁଦ୍ରିକ ଆଇନ ସନନ୍ଦ (UNCLOS) ର ଅନୁପାଳନ ଦ୍ୱାରା ପରିଚାଳିତ ଏକ ମୁକ୍ତ, ସ୍ଥିର ଓ ସୁରକ୍ଷିତ ସାମୁଦ୍ରିକ କ୍ଷେତ୍ର ଏବଂ ପ୍ରଭାବଶାଳୀ, ସମାବେଶୀ ତଥା ସ୍ୱଚ୍ଛ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସୁଦୃଢ଼ ହୋଇଛି।

ଏହି ସବୁ ଅଞ୍ଚଳର ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ପ୍ରମୁଖ ମଞ୍ଚ ଭାବରେ ଆମେ ଇଣ୍ଡିଆନ୍ ଓସେନ୍ ରିମ୍ ଆସୋସିଏସନ୍ (IORA), ଆସିଆନ୍ ଏବଂ ଆସିଆନ୍-କେନ୍ଦ୍ରିତ ଆଞ୍ଚଳିକ ବ୍ୟବସ୍ଥା, ଏବଂ ପାସିଫିକ୍ ଆଇଲ୍ୟାଣ୍ଡସ ଫୋରମ୍ ପ୍ରତି ଆମର ସମର୍ଥନକୁ ପୁନର୍ବାର ଦୋହରାଉଛୁ।

ଆମେ ସ୍ୱୀକାର କରୁଛୁ ଯେ ବଦଳୁଥିବା ରଣନୀତିକ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମର ଭାଗିଦାରୀ ବିକଶିତ ହେବା ଆବଶ୍ୟକ, ଏବଂ ଆମର ଏକ ଉନ୍ନତ, ସମନ୍ୱିତ ତଥା ଶୀର୍ଷ ସ୍ତରୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ଭାଗିଦାରୀକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରୁଛୁ। ଆମେ ରଣନୀତିକ ଆଦାନପ୍ରଦାନକୁ ସୁଦୃଢ଼ କରିବା ଏବଂ ନିୟମିତ ମନ୍ତ୍ରୀସ୍ତରୀୟ ଯୋଗାଯୋଗ ଜାରି ରଖିବୁ, ଯାହା ଆମର ରଣନୀତିକ ସ୍ୱାର୍ଥର ସମନ୍ୱୟକୁ ପ୍ରତିଫଳିତ କରିବ। ସାମୂହିକ ଶକ୍ତି ବୃଦ୍ଧି କରିବା ପାଇଁ ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ଏକ ଦୀର୍ଘକାଳୀନ ଦୂରଦୃଷ୍ଟିକୁ ସ୍ୱୀକାର କରୁଛୁ। ଏହି ସହଯୋଗ ଉଭୟ ଦେଶର ସୁରକ୍ଷାରେ ସହାୟକ ହେବ ଏବଂ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଆମେ ଆମର ବ୍ୟାପକ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା, ରଣନୀତିକ ଆଲୋଚନାକୁ ଗଭୀର କରିବା ଏବଂ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧ, ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ:

କ. ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ପାରସ୍ପରିକ ସ୍ୱାର୍ଥକୁ ପ୍ରଭାବିତ କରୁଥିବା ପ୍ରତିରକ୍ଷା ସମ୍ବନ୍ଧୀୟ ବିକାଶ ଉପରେ ପରାମର୍ଶ 

ଖ. ଆମର ସହଯୋଗୀମାନଙ୍କ ସହିତ ମିଶି ଆମ ଯୁଦ୍ଧାଭ୍ୟାସଗୁଡ଼ିକୁ ଉନ୍ନତ ଓ ଜଟିଳ କରିବା;

ଗ. ପ୍ରତିରକ୍ଷା ବାହିନୀ ମଧ୍ୟରେ ପାରସ୍ପରିକ କାର୍ଯ୍ୟଦକ୍ଷତା ଏବଂ ସୂଚନା ଆଦାନପ୍ରଦାନ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା;

ଘ. ପରସ୍ପରର ଭୂଖଣ୍ଡରୁ ବିମାନ ମୁତୟନ କାର୍ଯ୍ୟକୁ ସମ୍ପ୍ରସାରିତ କରିବା;

ଙ. ପ୍ରତିରକ୍ଷା କର୍ମଚାରୀମାନଙ୍କ ମଧ୍ୟରେ ଆଦାନପ୍ରଦାନ, ଶିକ୍ଷା ଓ ପ୍ରଶିକ୍ଷଣ, ଏବଂ ଯୋଗାଯୋଗ ଭୂମିକା ମାଧ୍ୟମରେ ସମ୍ପର୍କକୁ ଗଭୀର କରିବା; ଏବଂ

ଚ. ଦକ୍ଷ ପ୍ରତିରକ୍ଷା କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସହଯୋଗ କରିବା ପାଇଁ ସୁଯୋଗଗୁଡ଼ିକର ସନ୍ଧାନ କରିବା।

ଆମେ ଆମର ପ୍ରତିରକ୍ଷା, ସୁରକ୍ଷା ଏବଂ ଅର୍ଥନୈତିକ ସ୍ୱାର୍ଥ ପାଇଁ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ବକୁ ସ୍ୱୀକାର କରୁଛୁ, ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗର ଗଭୀରତା, ଜଟିଳତା ତଥା ନିୟମିତତାକୁ ବୃଦ୍ଧି କରିବୁ। ଆମେ ଏକ "ଭାରତ-ଅଷ୍ଟ୍ରେଲିଆ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡମ୍ୟାପ୍" ମାଧ୍ୟମରେ ସାମୁଦ୍ରିକ ସହଯୋଗକୁ ସୁଦୃଢ଼ କରିବୁ।

ଆମେ ଉଭୟ ପକ୍ଷର ପ୍ରତିରକ୍ଷା ଶିଳ୍ପଗୁଡ଼ିକର ବଢୁଥିବା ସମ୍ଭାବନାକୁ ସମନ୍ୱୟ, ଶିଳ୍ପ ସମ୍ପୃକ୍ତି ଏବଂ ଯୋଗାଣ ଶୃଙ୍ଖଳାର ସ୍ଥିରତା ବୃଦ୍ଧି କରିବା ମାଧ୍ୟମରେ ଗ୍ରହଣ କରିବୁ। ଆମେ ଆମର ପ୍ରତିରକ୍ଷା ନବସୃଜନ ବ୍ୟବସ୍ଥା ମଧ୍ୟରେ ସହଯୋଗକୁ ଗଭୀର କରିବୁ ଏବଂ ଉନ୍ନତ ପ୍ରତିରକ୍ଷା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ପାଇଁ ବ୍ୟବସ୍ଥା ବିକଶିତ କରିବୁ।

ଶାନ୍ତି ରକ୍ଷା କାର୍ଯ୍ୟାନୁଷ୍ଠାନରେ ଲିଙ୍ଗଗତ ସମାନତା ବଜାୟ ରଖିବା ଏବଂ "ମହିଳା, ଶାନ୍ତି ଓ ସୁରକ୍ଷା" କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇ ଆମେ ବିବାଦର ପ୍ରତିରୋଧ, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସଫଳ ପରିଚାଳନା ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ମହିଳାମାନଙ୍କର ସାର୍ଥକ ଅଂଶଗ୍ରହଣ ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିବୁ।

ଆଞ୍ଚଳିକ ଅର୍ଥନୈତିକ ସମୃଦ୍ଧି ଏବଂ ସ୍ଥିରତାକୁ ସମର୍ଥନ କରିବା ପାଇଁ ଆମେ ଦ୍ୱିପାକ୍ଷିକ ଭାବେ ଏବଂ ଅଂଶୀଦାରମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟା ସମେତ ଅଧିକ ବିବିଧ ଓ ସ୍ଥିର ଯୋଗାଣ ଶୃଙ୍ଖଳା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ସଂଯୋଗୀକରଣର ବିକାଶ କରିବୁ।

ଆମେ ଏକ ସୁରକ୍ଷିତ ଏବଂ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମର ସହଭାଗୀ ଦୂରଦୃଷ୍ଟିକୁ ପୂରଣ କରୁଥିବା ଏକ ପ୍ରଯୁକ୍ତିବିଦ୍ୟା ପରିବେଶ ଗଠନ କରିବାରେ ଏକତ୍ର କାର୍ଯ୍ୟ କରିବୁ। ଆମେ ‘ସାଇବର, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ଉପରେ ଅଷ୍ଟ୍ରେଲିଆ-ଭାରତ ଭାଗିଦାରୀ’ ଅଧୀନରେ ଆମର ସାଇବର ସୁରକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଓ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ସୂଚନା ଆଦାନପ୍ରଦାନ ବ୍ୟବସ୍ଥାର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଏକତ୍ର କାର୍ଯ୍ୟ କରିବୁ, ଏବଂ ରଣନୈତିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବୁ।

ଆମେ ଆମ ଅଞ୍ଚଳରେ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ସମେତ ଆତଙ୍କବାଦୀ ସଂକଟ ଉପରେ ସୂଚନା ଆଦାନପ୍ରଦାନ ବୃଦ୍ଧି କରିବାକୁ ପ୍ରତିବଦ୍ଧ, ଏବଂ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକରେ ଉଗ୍ରବାଦ ଓ ଆତଙ୍କବାଦର ମୁକାବିଲା ପାଇଁ ବ୍ୟାପକ ସହଯୋଗର ସୁଯୋଗ ସନ୍ଧାନ କରିବୁ:

କ. ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା;

ଖ. ଆତଙ୍କବାଦୀ ପାଣ୍ଠି ଯୋଗାଣ ;

ଗ. ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ;

ଘ. ସାମୁଦ୍ରିକ ଅଞ୍ଚଳ; ଏବଂ

ଙ. ଇଣ୍ଟରନେଟ୍ ମାଧ୍ୟମରେ ଚରମପନ୍ଥୀ ଚିନ୍ତାଧାରା ପ୍ରସାର

ଆମେ ୨୦୨୩ ମସିହାରେ ସ୍ୱାକ୍ଷରିତ 'ପ୍ରବାସନ ଏବଂ ଗତିଶୀଳତା ଭାଗିଦାରୀ ବୁଝାମଣା' (Migration and Mobility Partnership Arrangement) ଅଧୀନରେ ଆମର ସହଯୋଗ ଜାରି ରଖିବୁ, ଯାହା ବେଆଇନ ପ୍ରବାସନ, ମାନବ ଚାଲାଣ ଏବଂ ଚୋରା ଚାଲାଣର ପ୍ରତିରୋଧ ପାଇଁ ସହଯୋଗର ମାର୍ଗ ପ୍ରଶସ୍ତ କରେ। ଅନ୍ତର୍ଜାତୀୟ ସଂଗଠିତ ଅପରାଧର ମୁକାବିଲା ପାଇଁ ମଧ୍ୟ ଆମେ ଆମର ସହଯୋଗ ଜାରି ରଖିବୁ।

ଆମେ ପରମାଣୁ ଅସ୍ତ୍ରମୁକ୍ତ ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଚାହୁଁ, ଏବଂ ଏହି ଉଦ୍ଦେଶ୍ୟରେ ପରମାଣୁ ଅପ୍ରସାର ପ୍ରତି ଏବଂ ବିଶ୍ୱସ୍ତରୀୟ, ସମ୍ପୂର୍ଣ୍ଣ, ପାତରଅନ୍ତରହୀନ ତଥା ଯାଞ୍ଚଯୋଗ୍ୟ ପରମାଣୁ ନିରସ୍ତ୍ରୀକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଉଛୁ।

ତ୍ରିପାକ୍ଷିକ ସହଯୋଗ ବ୍ୟବସ୍ଥା ଏବଂ 'ଭାରତ-ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ପଦକ୍ଷେପ' ମାଧ୍ୟମରେ ଅଂଶୀଦାରମାନଙ୍କ ସହିତ ଅଧିକ ନିବିଡ଼ ସମ୍ପୃକ୍ତି ସମେତ ଅନ୍ୟାନ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଶୀଦାରମାନଙ୍କ ସହିତ ନିରନ୍ତର ସହଯୋଗ ପାଇଁ ଆମେ ପ୍ରତିବଦ୍ଧ। ଏକ ମୁକ୍ତ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମର ସକାରାତ୍ମକ ଦୂରଦୃଷ୍ଟି ଦିଗରେ କ୍ଷମତା ଓ ସହଯୋଗ ବୃଦ୍ଧି କରିବାକୁ ଆମେ ଆମେରିକା ଏବଂ ଜାପାନ ସହିତ ଆମର ସହଯୋଗକୁ ସମ୍ପ୍ରସାରିତ କରିବୁ।

ଆମେ ଆଞ୍ଚଳିକ ଶାନ୍ତି, ସୁରକ୍ଷା, ସମୃଦ୍ଧି ଏବଂ ସ୍ଥିରତା ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାକୁ ସ୍ୱୀକାର କରି, ଦ୍ରୁତ, ସମନ୍ୱିତ ତଥା ସ୍ଥାୟୀ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ପାଇଁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ସହାୟତା (ଏଚଏଡିଆର) କ୍ଷେତ୍ରରେ ସହଯୋଗକୁ ଗଭୀର କରିବାକୁ ପ୍ରତିବଦ୍ଧ। ଆମେ ନିମ୍ନଲିଖିତ ମାଧ୍ୟମରେ ସହଯୋଗକୁ ସୁଦୃଢ଼ କରିବୁ:

କ. ସୂଚନା ଆଦାନପ୍ରଦାନ ଏବଂ ବିଶେଷଜ୍ଞ ଆଦାନପ୍ରଦାନ; ଏବଂ

ଖ. ମିଳିତ ଏଚଏଡିଆର କାର୍ଯ୍ୟ, ଯେଉଁଥିରେ 'କ୍ୱାଡ୍ ଇଣ୍ଡୋ-ପାସିଫିକ୍ ଲଜିଷ୍ଟିକ୍ସ ନେଟୱର୍କ' ଅନ୍ତର୍ଭୁକ୍ତ, ଯାହା ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରଶମନ କାର୍ଯ୍ୟକୁ ସହାୟତା କରିଥାଏ।

ତୃତୀୟ ଦେଶଗୁଡ଼ିକରେ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଉଦ୍ଧାର କାର୍ଯ୍ୟକୁ ସମର୍ଥନ କରିବା ସହିତ ବିପର୍ଯ୍ୟୟ ଓ ସଙ୍କଟ ସମୟରେ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ, ମିଳିତ କାର୍ଯ୍ୟାନୁଷ୍ଠାନ ଏବଂ ସମନ୍ୱୟ ରକ୍ଷା ପାଇଁ ସୁଯୋଗଗୁଡ଼ିକର ସନ୍ଧାନ କରିବାକୁ ଆମେ ପ୍ରତିବଦ୍ଧ।

ଆମର ବ୍ୟାପକ ରଣନୀତିକ ଭାଗିଦାରୀର ଆଭିମୁଖ୍ୟକୁ ନେଇ, ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଆମେ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ।

 

TKM


(रिलीज़ आईडी: 2283101) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam