ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯୋଗ ମାନସିକ ସୁସ୍ଥତାରୁ ଶାରୀରିକ ସୁସ୍ଥତା ଆଡ଼କୁ ରାସ୍ତା ଦେଖାଇଥାଏ: ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗର କୋଲକାତାସ୍ଥିତ ରେଡ୍ ରୋଡ୍ରୁ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଯୋଗ ଆମ ସମସ୍ତଙ୍କୁ ଯୋଡ଼ିଥାଏ ଏବଂ ଏକାଠି ଆଣିଥାଏ: ପ୍ରଧାନମନ୍ତ୍ରୀ
ଯେତେବେଳେ ଯୋଗ ଜୀବନର ଏକ ଶୈଳୀ ପାଲଟିଯାଏ, ସେତେବେଳେ ଏହା ମାନବୀୟ ଏକତାର ମୂଳଦୁଆ ସାଜିଥାଏ: ପ୍ରଧାନମନ୍ତ୍ରୀ
ଯୋଗ ଆମ ଶରୀରକୁ ନମନୀୟ କରିବାରେ ସାହାଯ୍ୟ କରେ; ଏହା ଆମର ଶକ୍ତି ସ୍ତରକୁ ଉଚ୍ଚ ରଖେ: ପ୍ରଧାନମନ୍ତ୍ରୀ
ଯୋଗ ଆମକୁ ଏକ ସନ୍ତୁଳିତ ଜୀବନ ଜିଇଁବାର କଳା ଶିଖାଇଥାଏ: ପ୍ରଧାନମନ୍ତ୍ରୀ
प्रविष्टि तिथि:
21 JUN 2026 9:28AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ ହଜାର ହଜାର ଯୋଗ ଅଭ୍ୟାସକାରୀଙ୍କ ସହ ‘ସାଧାରଣ ଯୋଗ ଅଧିବେଶନ’ରେ ଭାଗ ନେଇଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୧ ତାରିଖ ବିଶ୍ୱର ଅନେକ ପ୍ରାନ୍ତରେ ବର୍ଷର ସବୁଠାରୁ ଦୀର୍ଘତମ ଦିନ ଭାବେ ଜଣାଶୁଣା ଏବଂ ଏହା ଯୋଗ ମାଧ୍ୟମରେ ମାନବଜାତିର ସବୁଠାରୁ ବଡ଼ ସାମୂହିକ ଉତ୍ସବ ଭାବରେ ଉଭା ହୋଇଛି।
କୋଲକାତାରେ ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗର ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳୁଛି। ଶ୍ରୀ ମୋଦୀ କହିଛନ୍ତି, "ହିମାଳୟଠାରୁ ଆରମ୍ଭ କରି ଭାରତ ମହାସାଗର ପର୍ଯ୍ୟନ୍ତ ଏବଂ ବଙ୍ଗ ଓ ଉତ୍ତର-ପୂର୍ବଠାରୁ ଆରମ୍ଭ କରି ପଶ୍ଚିମ ଭାଗର ସୌରାଷ୍ଟ୍ର ପର୍ଯ୍ୟନ୍ତ, ସମଗ୍ର ଦେଶ ଯୋଗର ମନ୍ତ୍ରରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ସୁସ୍ଥତା ଏବଂ ସଦ୍ଭାବନା ପ୍ରତି ଏକ ସାଧାରଣ ପ୍ରତିବଦ୍ଧତା ମାଧ୍ୟମରେ ଦେଶ ଏବଂ ସମଗ୍ର ବିଶ୍ୱ ପରସ୍ପର ସହ ଜଡ଼ିତ ଥିବା ପରି ମନେହେଉଛି, ଯାହା ଯୋଗର ଏକତ୍ରୀକରଣ ଶକ୍ତିକୁ ପ୍ରତିଫଳିତ କରୁଛି।"
ପ୍ରଧାନମନ୍ତ୍ରୀ କୋଲକାତାର ଜନସାଧାରଣଙ୍କୁ ସେମାନଙ୍କର "ସ୍ୱଚ୍ଛତାରୁ ସ୍ୱାଗତ" ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସ୍ୱଚ୍ଛତା ବଜାୟ ରଖିବା କ୍ଷେତ୍ରରେ ନାଗରିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ସର୍ଗୀକୃତ ଭାବ, କଠିନ ପରିଶ୍ରମ ଏବଂ ନାଗରିକ ଦାୟିତ୍ୱବୋଧ ସାରା ଦେଶର ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।
ଶ୍ରୀ ମୋଦୀ କହିଥିଲେ, ପଶ୍ଚିମବଙ୍ଗର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ହେତୁ ଏଠାରେ ଯୋଗ ଦିବସ ପାଳନ କରିବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ସେ ମନେ ପକାଇ ଦେଇଥିଲେ ଯେ ବେଙ୍ଗଲ ହେଉଛି ସେହି ପବିତ୍ର ଭୂମି ଯେଉଁଠାରେ ଭଗବାନ ରାମକୃଷ୍ଣ ପରମହଂସ ବାସ କରୁଥିଲେ ଏବଂ ଶିକ୍ଷା ଦେଇଥିଲେ, ଯେଉଁଠାରୁ ସ୍ୱାମୀ ବିବେକାନନ୍ଦ ଭାରତର ଆଧ୍ୟାତ୍ମିକ ଜ୍ଞାନ ଏବଂ ଯୋଗ ପରମ୍ପରାକୁ ସମଗ୍ର ବିଶ୍ୱ ସହିତ ପରିଚିତ କରାଇଥିଲେ, ଏବଂ ଯେଉଁଠାରେ ମହର୍ଷି ଅରବିନ୍ଦ ଓ ଲାହିଡ଼ୀ ମହାଶୟ ଯୋଗ ଚିନ୍ତାଧାରା ଏବଂ ଏହାର ଅଭ୍ୟାସର ଅଗ୍ରଗତିରେ ପ୍ରଭୂତ ଅବଦାନ ଦେଇଥିଲେ। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଶିକ୍ଷାକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ ଚାରିପାଖରେ ଥିବା ବିଶ୍ୱ ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ମାଧ୍ୟମରେ ହିଁ ପ୍ରକୃତ ମାନବୀୟ ପରିଚୟ ଗଢ଼ିଉଠେ, ଏବଂ ଏହି ନୀତି ଯୋଗର ମୂଳଦୁଆ ଅଟେ। ସେ ମହର୍ଷି ଅରବିନ୍ଦଙ୍କ ସେହି ବିଶ୍ୱାସକୁ ମଧ୍ୟ ଉଦ୍ଧାର କରିଥିଲେ ଯେ ସମଗ୍ର ଜୀବନ ହିଁ ଯୋଗ, ଏବଂ କହିଥିଲେ ଯେ ଯେତେବେଳେ ଯୋଗ ଜଣଙ୍କର ସ୍ୱଭାବର ଅଂଶ ପାଲଟିଯାଏ, ଏହା ମାନବୀୟ ଏକତାର ମୂଳଦୁଆକୁ ମଜବୁତ କରିଥାଏ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, "ଯୋଗ କେବଳ କୌଣସି ଶାରୀରିକ ବ୍ୟାୟାମର ଏକ ରୂପ ନୁହେଁ ଏବଂ ଏହାକୁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ମଧ୍ୟରେ ସୀମିତ କରାଯାଇପାରିବ ନାହିଁ। ଏହା ହେଉଛି ଚେତନା, ଜୀବନଶକ୍ତି ଏବଂ ଆନ୍ତରିକ ଆଲୋକର ଉତ୍ସ ଯାହା ମାନବ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ସମୃଦ୍ଧ କରିଥାଏ।" ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଆଭିମୁଖ୍ୟ (ଥିମ୍) "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ବୟସ ବଢ଼ିବା ସହିତ ମଧ୍ୟ ସୁସ୍ଥ, ସକ୍ରିୟ ଏବଂ ଶକ୍ତିଶାଳୀ ରହିବା ପାଇଁ ଯୋଗ ଏକ ମାର୍ଗ ପ୍ରଦାନ କରିଥାଏ।
ସୁସ୍ଥ ବାର୍ଦ୍ଧକ୍ୟର ଅର୍ଥ ହେଉଛି ବଢ଼ୁଥିବା ବୟସ ଯେପରି ମାନବର ସାମର୍ଥ୍ୟକୁ ହ୍ରାସ ନ କରେ, ତାହା ସୁନିଶ୍ଚିତ କରିବା। ଏ ବିଷୟକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ଯୋଗ ସାରା ଜୀବନ ନିରନ୍ତର ଅଭିବୃଦ୍ଧି ଏବଂ ଆତ୍ମ-ସଂସ୍କାରକୁ ପ୍ରୋତ୍ସାହିତ କରିଥାଏ। ସେ ଆଶା ପ୍ରକଟ କରିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି କୋଡ଼ିଏ ବର୍ଷ ବୟସ ତୁଳନାରେ ଚାଳିଶ ବର୍ଷ ବୟସରେ ଅଧିକ ନମନୀୟ ହେବାକୁ, ତିରିଶ ବର୍ଷ ବୟସ ତୁଳନାରେ ପଚାଶ ବର୍ଷ ବୟସରେ ଅଧିକ ଶକ୍ତିଶାଳୀ ହେବାକୁ ଏବଂ ପଚାଶ ବର୍ଷ ବୟସ ତୁଳନାରେ ସତୁରି ବର୍ଷ ବୟସରେ ଜୀବନଶୈଳୀ ଜନିତ ରୋଗ ପ୍ରତି ଅଧିକ ପ୍ରତିରୋଧକ ଶକ୍ତି ସମ୍ପନ୍ନ ହେବାକୁ ଚେଷ୍ଟା କରିବା ଉଚିତ। ଯୋଗ ଶରୀରର ନମନୀୟତା ବୃଦ୍ଧି କରିବାରେ, ଶକ୍ତି ସ୍ତର ବଜାୟ ରଖିବାରେ, ମାନସିକ ଚାପ ହ୍ରାସ କରିବାରେ ଏବଂ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ ଏବଂ ଏଥିସହିତ ଜୀବନଶୈଳୀ ଜନିତ ସମସ୍ୟାଗୁଡ଼ିକୁ ରୋକିବାରେ ସାହାଯ୍ୟ କରିଥାଏ ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, "ଯୋଗର ନିୟମିତ ଅଭ୍ୟାସ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ନିଜ ଶରୀର ଏବଂ ମନର ଆଜୀବନ ଶିକ୍ଷାର୍ଥୀରେ ପରିଣତ କରିଥାଏ। ଅଧିକ ଆତ୍ମ-ସଚେତନତା ଦ୍ୱାରା ଉତ୍ତମ ଆତ୍ମ-ପରିଚାଳନା ଏବଂ ଏକ ସୁସ୍ଥ ଜୀବନଶୈଳୀ ମିଳିଥାଏ।"
ପ୍ରଧାନମନ୍ତ୍ରୀ କହିଥିଲେ ଯେ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ଆଭିମୁଖ୍ୟ କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ସମସ୍ତ ବୟସର ଲୋକଙ୍କ ପାଇଁ ପ୍ରାସଙ୍ଗିକ ଅଟେ, ଯାହା ଯୋଗକୁ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧିର ଅନ୍ୱେଷଣରେ ଏକ ଆଜୀବନ ସାଥୀ ଭାବରେ ଗଢ଼ିତୋଳିଥାଏ।
ଭଗବଦ୍ ଗୀତାର ଶିକ୍ଷାକୁ ଉଦ୍ଧାର କରି ଶ୍ରୀ ମୋଦୀ କହିଥିଲେ, "ସନ୍ତୁଳିତ ଆହାର ଅଭ୍ୟାସ, ସନ୍ତୁଳିତ ମନୋରଞ୍ଜନ, ସନ୍ତୁଳିତ କର୍ମ ଏବଂ ସନ୍ତୁଳିତ ଶୟନ ଓ ଜାଗରଣ ଦ୍ୱାରା ହିଁ ଯୋଗ ସମସ୍ତ ଦୁଃଖରୁ ମୁକ୍ତି ପାଇବାର ଏକ ମାଧ୍ୟମ ପାଲଟିଥାଏ।" ସେ ଲକ୍ଷ୍ୟ କରିଥିଲେ ଯେ ସନ୍ତୁଳନ ହିଁ ଯୋଗର ମୂଳଦୁଆ ଏବଂ ଏକ ସାର୍ଥକ ଜୀବନ ପାଇଁ ଏହା ସମାନ ଭାବରେ ଆବଶ୍ୟକ। ଯୋଗ ସନ୍ତୁଳିତ ଭାବରେ ଜୀବନ ଜିଇଁବାର କଳା ଶିଖାଇଥାଏ। ଏହା ବ୍ୟକ୍ତିବିଶେଷଙ୍କୁ କଣ କରାଯିବା ଉଚିତ ଏବଂ କଣ ବର୍ଜନ କରାଯିବା ଉଚିତ ସେ ବିଷୟରେ ମାର୍ଗଦର୍ଶନ କରେ, ଯାହା ସେମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ବିକଶିତ କରିବାରେ ସାହାଯ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଯୋଗ କେବଳ ଶାରୀରିକ ସୁସ୍ଥତା ମଧ୍ୟରେ ସୀମିତ ନୁହେଁ। ବରଂ, ଏହା ମାନସିକ ସୁସ୍ଥତାରୁ ଶାରୀରିକ ସୁସ୍ଥତା ଆଡ଼କୁ ଏକ ମାର୍ଗ ପ୍ରଦାନ କରିଥାଏ। "ଯୁକ୍ତ ଚେଷ୍ଟସ୍ୟ କର୍ମସୁ" ଉଲ୍ଲେଖ କରି ସେ କହିଥିଲେ ଯେ ଯୋଗ ବ୍ୟକ୍ତିବିଶେଷଙ୍କୁ କଣ ସଠିକ୍ ଏବଂ କଣ ଭୁଲ୍ ତାହା ମଧ୍ୟରେ ପାର୍ଥକ୍ୟ ବୁଝିବାର ଜ୍ଞାନ ବିକଶିତ କରିବାରେ ସାହାଯ୍ୟ କରିଥାଏ। ଶ୍ରୀ ମୋଦୀ କହିଥିଲେ, "ଏଭଳି ସଚେତନତା ଆନ୍ତରିକ ଶାନ୍ତିର ଏକ ଉତ୍ସ ପାଲଟିଥାଏ ଏବଂ ବିଶ୍ୱସ୍ତରୀୟ ସଦ୍ଭାବନା ଆଡ଼କୁ ମଧ୍ୟ ରାସ୍ତା ପ୍ରସ୍ତୁତ କରିଥାଏ। ଯୋଗ ଏବେ କେବଳ ଏକ ବ୍ୟକ୍ତିଗତ ଜୀବନଶୈଳୀ ଅଭ୍ୟାସ ଭାବରେ ପ୍ରାସଙ୍ଗିକ ହୋଇ ରହିନାହିଁ; ବରଂ ଏହା ବିଶ୍ୱ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବାର ଏକ ଆବଶ୍ୟକତା ପାଲଟିଛି।"
ଶ୍ରୀ ମୋଦୀ କହିଥିଲେ ଯେ ପ୍ରତିବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଲକ୍ଷ ଲକ୍ଷ ଲୋକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବେଳେ, ଏହି ଦିବସ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ିତୋଳିବା ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ନବୀକରଣ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ଯେ ଯୋଗ ଯେପରି କେବଳ ଗୋଟିଏ ଦିନ କିମ୍ବା ଗୋଟିଏ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହେ, ବରଂ ଏହା ସେମାନଙ୍କ ଜୀବନ, ସେମାନଙ୍କ ପରିବାର ଏବଂ ଆଗାମୀ ପିଢ଼ିର ଜୀବନର ଏକ ସ୍ଥାୟୀ ଅଂଶ ପାଲଟିଯାଏ, ତାହା ସୁନିଶ୍ଚିତ କରିବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ଚଳିତ ବର୍ଷ "ଯୋଗ ୩୬୫" ପଦକ୍ଷେପ ଅଧୀନରେ ହୋଇଥିବା ପ୍ରଗତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, "ଏହି ପଦକ୍ଷେପ ଅଧୀନରେ ଏକ ୧୦୦ ଦିନିଆ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏଥିରେ ଅଭୂତପୂର୍ବ ଜନସାଧାରଣଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ୧୩୦ଟି ଦେଶରୁ ୩୦ ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ, ଯାହା ଯୋଗର ବଢ଼ୁଥିବା ବିଶ୍ୱସ୍ତରୀୟ ଗ୍ରହଣୀୟତା ଏବଂ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।"
ନିଜ ସମ୍ବୋଧନର ସମାପ୍ତି କରି ଶ୍ରୀ ମୋଦୀ କହିଥିଲେ ଯେ ଏକ ସୁସ୍ଥ ସମାଜ ହିଁ ଏକ ଶକ୍ତିଶାଳୀ, ଅଧିକ ସମୃଦ୍ଧ ଏବଂ ଅଧିକ ଆତ୍ମବିଶ୍ୱାସୀ ରାଷ୍ଟ୍ରର ମୂଳଦୁଆ ପକାଇଥାଏ। ସମସ୍ତଙ୍କର ସୁସ୍ଥତା କାମନା କରି ସେ ସେହି ପ୍ରାଚୀନ ପ୍ରାର୍ଥନା କରିଥିଲେ- "ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ" ଅର୍ଥାତ୍ ସମସ୍ତେ ସୁଖୀ ରୁହନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ।
---
(रिलीज़ आईडी: 2276166)
आगंतुक पटल : 7