ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚାମ୍ପିଅନସିପ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
प्रविष्टि तिथि:
04 JUN 2026 7:47PM by PIB Bhubaneswar
ନମସ୍କାର!
ଆଜି ଅହମ୍ମଦାବାଦର ପବିତ୍ର ମାଟିରୁ ବିଶ୍ୱ କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ର ଶୁଭାରମ୍ଭ ଆଜି ହେଉଛି। ଏଥିରେ ଅଂଶଗ୍ରହଣ ପାଇଁ ବିଭିନ୍ନ ଦେଶରୁ ଭାରତକୁ ଆସିଥିବା ସମସ୍ତ ଖେଳାଳିଙ୍କୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଏବଂ ସେମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ ନଗରୀ ଆହମଦାବାଦ ଏହି ପ୍ରତିଯୋଗିତାର ଆୟୋଜନ କରୁଛି, ଯାହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ।
ଆଉ କିଛି ଦିନ ପରେ, ଜୁନ୍ ୨୧ ତାରିଖରେ ‘ବିଶ୍ୱ ଯୋଗ ଦିବସ’ ପାଳନ କରାଯିବ। ସେହି ଦିନ ବିଶ୍ୱର ବିଭିନ୍ନ ଦେଶରେ ଯୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ, ଏବଂ ଏହାର ମୁଖ୍ୟ କାର୍ଯ୍ୟକ୍ରମ ଭାରତର ଆଉ ଏକ ଐତିହାସିକ ନଗରୀ କୋଲକାତାରେ ଅନୁଷ୍ଠିତ ହେବ। ଏହିପରି ଭାବରେ ବିଶ୍ୱ ଯୋଗ ଦିବସ ପୂର୍ବରୁ ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ ଆସିଛି, ଯାହା ସ୍ୱାସ୍ଥ୍ୟ ଓ ସୁସ୍ଥତାର ଦ୍ୱିଗୁଣ ଉତ୍ସାହ ନେଇ ଆସିଛି।
ବନ୍ଧୁଗଣ,
ପ୍ରାୟ ଏକ ଦଶକ ପୂର୍ବେ ଭାରତ ଜାତିସଂଘରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ପ୍ରସ୍ତାବ ରଖିଥିଲା। ଆମର ଉଦ୍ଦେଶ୍ୟ ଥିଲା ଭାରତର ଏହି ପ୍ରାଚୀନ ପରମ୍ପରାକୁ ମାନବଜାତିର ସ୍ୱାସ୍ଥ୍ୟ ଓ ସାମୂହିକ କଲ୍ୟାଣ ସହ ଯୋଡ଼ିବା। ସେତେବେଳେ ୧୯୦ଟି ଦେଶ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଆଜି ଏହା ଦେଖି ଅତ୍ୟନ୍ତ ସନ୍ତୋଷ ଲାଗୁଛି ଯେ, ଲକ୍ଷ ଲକ୍ଷ ଲୋକ ଯୋଗକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିଛନ୍ତି। ଧ୍ୟାନ ଓ ପ୍ରାଣାୟାମ ସେମାନଙ୍କ ଜୀବନଶୈଳୀର ଅଭିନ୍ନ ଅଂଶ ପାଲଟିଯାଇଛି।
ବନ୍ଧୁଗଣ,
ପ୍ରତ୍ୟେକ ଜୀବନ୍ତ ପରମ୍ପରା ସମୟ ସହିତ ନୂତନ ପର୍ଯ୍ୟାୟରେ ପ୍ରବେଶ କରେ। ଯୋଗାସନ କ୍ରୀଡ଼ାର ଏହି ବିଶ୍ୱ ଚାମ୍ପିଅନଶିପ୍ ସେହିପରି ଏକ ନୂତନ ପର୍ଯ୍ୟାୟର ଆରମ୍ଭ। ଏହା ମାଧ୍ୟମରେ ଯୋଗାସନ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ପରିଚୟ ପାଇବ। ମୋର ଦୃଢ଼ ବିଶ୍ୱାସ ଯେ, ଭବିଷ୍ୟତରେ ଯୋଗାସନ ଅଲିମ୍ପିକ୍ସ କିମ୍ବା ଅନ୍ୟାନ୍ୟ ବହୁକ୍ରୀଡ଼ା ପ୍ରତିଯୋଗିତାରେ ନିଜର ସ୍ଥାନ ସୁନିଶ୍ଚିତ କରିବ। ସମର୍ପିତ ପ୍ରୟାସ ଦ୍ୱାରା ସକାରାତ୍ମକ ଫଳ ନିଶ୍ଚିତ ଭାବେ ମିଳିପାରିବ। ଆହମଦାବାଦରେ ଆୟୋଜିତ ଏହି ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ ସେହି ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ବନ୍ଧୁଗଣ,
ଯୋଗାସନ କ୍ରୀଡ଼ାର ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ଅଛି। ଆମେ ଜାଣୁ ଯେ ପ୍ରତ୍ୟେକ ପ୍ରମୁଖ କ୍ରୀଡା ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ଆଣିଥାଏ। ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ତେଣୁ ଯୋଗାସନ କ୍ରୀଡା ବିସ୍ତାର ହେବା ସହିତ, ଏହା ସହିତ ଜଡିତ ନୂତନ ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ। ଏହା କେବଳ ଖେଳାଳିମାନଙ୍କ ପାଇଁ ନୁହେଁ, ପ୍ରଶିକ୍ଷକ, କ୍ରୀଡ଼ା ବିଜ୍ଞାନୀ, ଗବେଷକ ଏବଂ ଇଭେଣ୍ଟ ମ୍ୟାନେଜରମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବ।
ବନ୍ଧୁଗଣ,
ମୁଁ ପୂର୍ବରୁ କହିଥିଲି , ଏହି ଚାମ୍ପିଅନଶିପ୍ ସେହି ସମୟରେ ଆୟୋଜିତ ହେଉଛି ଯେତେବେଳେ ସମଗ୍ର ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତ ହେଉଛି। ଏହି ବର୍ଷର ବିଷୟବସ୍ତୁ ହେଉଛି – “ସୁସ୍ଥ ବୟସ ବୃଦ୍ଧି ପାଇଁ ଯୋଗ”। ଆଜି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ସକ୍ରିୟ ରହିବାର ଉପାୟ ଖୋଜୁଛନ୍ତି। ଏହି କ୍ଷେତ୍ରରେ ଯୋଗ ଏକ ଅତ୍ୟନ୍ତ ଉପଯୁକ୍ତ ବିକଳ୍ପ। ଯୋଗ ମଣିଷକୁ ଭୋଗରୁ ମୁକ୍ତି ଦେବା ସହିତ ରୋଗରୁ ମଧ୍ୟ ମୁକ୍ତି ପ୍ରଦାନ କରେ। ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା, ଅତି କମ୍ ଖର୍ଚ୍ଚରେ ସୁସ୍ଥ ଜୀବନଶୈଳୀ ବଜାୟ ରଖିବାର ଏହା ସର୍ବୋତ୍ତମ ଉପାୟ। ତେଣୁ ଏହି ମନ୍ତ୍ରକୁ ମନେ ରଖନ୍ତୁ – “ପ୍ରତିଦିନ ଯୋଗ, ଦୂର କରିବ ସମସ୍ତ ରୋଗ।”
ବନ୍ଧୁଗଣ,
ଏହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ‘ଯୋଗ ୩୬୫’ ଅଭିଯାନ ଆରମ୍ଭ କରିଛି। ଏହି ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେ ନିଜ ନିଜ ଦେଶକୁ ଫେରିବା ପରେ ଯୋଗର ଏହି ବାର୍ତ୍ତାକୁ ପ୍ରସାରିତ କରିବା ପାଇଁ ପ୍ରୟାସ କରିବେ । ଆପଣମାନେ ନିଜ ଦେଶରେ ଯୋଗ ୩୬୫’ର ପ୍ରଚାରକ ଭାବେ କାର୍ଯ୍ୟ କରିପାରିବେ। ଆପଣଙ୍କର ଅନୁଭବ ଓ ଯୋଗ ପ୍ରତି ବିଶ୍ୱାସ ସମଗ୍ର ବିଶ୍ୱକୁ ଏହି ସନ୍ଦେଶ ସହ ଯୋଡ଼ିପାରିବ।
ବନ୍ଧୁଗଣ,
ଏହି ପ୍ରତିଯୋଗିତାରେ କିଏ ବି ବିଜୟୀ ହେଉ ନା କାହିଁକି , ଏହି ଐତିହାସିକ ଅଧ୍ୟାୟର ଅଂଶ ହୋଇ ଆପଣମାନେ ପୂର୍ବରୁହିଁ ଚାମ୍ପିଅନ୍ ପାଲଟି ସାରିଛନ୍ତି। ଆପଣମାନଙ୍କର ପ୍ରତିଭା ଓ ଶୃଙ୍ଖଳା ବିଶ୍ୱର ଯୁବପିଢ଼ୀଙ୍କୁ ପ୍ରେରଣା ଦେବ। ଏହି ଶୁଭେଚ୍ଛା ସହିତ ମୁଁ ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ର ସମସ୍ତ ପ୍ରତିଯୋଗୀ ଓ ଆୟୋଜକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ମୁଁ “ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନଶିପ୍ ୨୦୨୬, ଆହମଦାବାଦ”ର ଔପଚାରିକ ଉଦ୍ଘାଟନ ଘୋଷଣା କରୁଛି।
*****
SPD
(रिलीज़ आईडी: 2270237)
आगंतुक पटल : 26
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam