ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
ସୁଲଭ ଋଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି
ଆସାମ, ମିଜୋରାମ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ହିତାଧିକାରୀମାନଙ୍କ ଉପସ୍ଥିତିରେ ତ୍ରିପୁରାର ଅଗରତାଲାଠାରେ ପିଏମ୍ ସ୍ୱନିଧି ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ;
ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କ ହାରାହାରି ବାର୍ଷିକ ଆୟରେ ୨୦% ବୃଦ୍ଧି ।
ଦେଶର ୭୫.୫ ଲକ୍ଷରୁ ଅଧିକ ଉଠାଦୋକାନୀ ପିଏମ୍ ସ୍ୱନିଧି ଯୋଜନାରେ ଉପକୃତ।
ପୋଷ୍ଟ କରାଯିବା ଦିନାଙ୍କ:
31 MAY 2026 3:11PM by PIB Bhubaneswar
ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ଅଣୁଋଣ ଯୋଜନା 'ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି' ବା ପିଏମ୍-ସ୍ୱନିଧି, ସୁଲଭ ଏବଂ ଗ୍ୟାରେଣ୍ଟି-ମୁକ୍ତ ଋଣ, ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠାଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କରିଛି।

ଏହି ଅବସରକୁ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଣିକ ସାହାଙ୍କ ସହ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ତ୍ରିପୁରାର ଉଠାଦୋକାନୀମାନଙ୍କୁ କ୍ରେଡିଟ୍ କାର୍ଡ ଏବଂ ଋଣ ମଞ୍ଜୁରୀ ପତ୍ର ମଧ୍ୟ ବଣ୍ଟନ କରିଛନ୍ତି।
ପିଏମ୍ ସ୍ୱନିଧି ଯୋଜନା ଜୁନ୍ ୨୦୨୦ରେ ଶୁଭାରମ୍ଭ ହୋଇଥିଲା। ଏହା ପରଠାରୁ, ଏହି ଯୋଜନା ଉଠାଦୋକାନୀମାନଙ୍କ ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। ଯୋଜନା ମାଧ୍ୟମରେ ଆନୁଷ୍ଠାନିକ ଋଣ ପ୍ରାପ୍ତି ସହଜ ହୋଇଛି। ଏହାଦ୍ୱାରା ହିତାଧିକାରୀମାନେ ସେମାନଙ୍କର ଜୀବିକାକୁ ସଦୃଢ଼ ଓ ସମ୍ପ୍ରସାରିତ କରିବାରେ ସକ୍ଷମ ହୋଇଛନ୍ତି। ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ଉଠାଦୋକାନୀମାନଙ୍କୁ ₹୧୭,୮०० କୋଟିରୁ ଅଧିକ ମୂଲ୍ୟର ୧.୦୫ କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଠାଦୋକାନୀମାନଙ୍କ କଠିନ ପରିଶ୍ରମ, ସଂଘର୍ଷ ଏବଂ ଅବଦାନକୁ ସ୍ୱୀକୃତି ଦେଇ ସହରାଞ୍ଚଳର ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବିକାକୁ ମଜବୁତ କରିବା ଲକ୍ଷ୍ୟରେ ୨୦୨୦ ମସିହାରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ।
ସେ କହିଛନ୍ତି ଯେ, ଏହି ଯୋଜନାର ଉଦ୍ଦେଶ୍ୟ କେବଳ ଗ୍ୟାରେଣ୍ଟି-ମୁକ୍ତ ଋଣ ପ୍ରଦାନ କରିବା ନୁହେଁ, ବରଂ ଉଠାଦୋକାନୀମାନଙ୍କୁ ଆର୍ଥିକ ସୁରକ୍ଷା ଓ ସାମାଜିକ ସ୍ୱୀକୃତି ସହ ଜୀବନରେ ଆଗକୁ ବଢ଼ିବା ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସୁଯୋଗ ସୁନିଶ୍ଚିତ କରିବା ରହିଛି।
ଏହି ଯୋଜନାର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମନୋହର ଲାଲ କହିଛନ୍ତି ଯେ, ଗତ ଛଅ ବର୍ଷ ମଧ୍ୟରେ ସାରା ଦେଶରେ ୭.୫ ଲକ୍ଷରୁ ଅଧିକ ଉଠାଦୋକାନୀ ପଏଏମ୍ ସ୍ୱନିଧି ଅଧୀନରେ ଉପକୃତ ହୋଇଛନ୍ତି।
କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସାରା ଦେଶରେ ଏହି ଯୋଜନା ଅଧୀନରେ ୧.୧୨ କୋଟିରୁ ଅଧିକ ଗ୍ୟାରେଣ୍ଟି-ମୁକ୍ତ ଋଣ ମଞ୍ଜୁର କରାଯାଇଛି। ବର୍ତ୍ତମାନ ସୁଦ୍ଧା ହିତାଧିକାରୀମାନଙ୍କୁ ୧୭,୮०० କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇସାରିଛି।
ଉତ୍ତର-ପୂର୍ବ ଅଞ୍ଚଳ ବିଷୟରେ ସୂଚନା ଦେଇ ଶ୍ରୀ ମନୋହର ଲାଲ କହିଛନ୍ତି ଯେ, ଏହି ଅଞ୍ଚଳରେ ୨.୫୯ ଲକ୍ଷରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯାହା ମାଧ୍ୟମରେ ଉଠାଦୋକାନୀମାନଙ୍କୁ ₹୪୩୦ କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ତ୍ରିପୁରାରେ ଏହି ଯୋଜନାର ରୂପାୟନ ସମ୍ପର୍କରେ କହିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୯,୩୦୦ରୁ ଅଧିକ ଋଣ ମଞ୍ଜୁର କରାଯାଇଛି ଏବଂ ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ପ୍ରାୟ ₹୧୫ କୋଟି ଟଙ୍କା ବଣ୍ଟନ କରାଯାଇଛି।
ଶ୍ରୀ ମନୋହର ଲାଲ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପିଏମ୍ ସ୍ୱନିଧି ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛନ୍ତି ଏବଂ ଆନୁଷ୍ଠାନିକ ଅର୍ଥନୀତିର ଅଂଶବିଶେଷ ହୋଇପାରିଛନ୍ତି, ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଆତ୍ମନିର୍ଭରଶୀଳତାର ପଥ ପ୍ରଶସ୍ତ କରିଛି।
ଗତ ଛଅ ବର୍ଷ ମଧ୍ୟରେ ଏହି ଯୋଜନାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି। ବାସ୍ତବ ଚିତ୍ରକୁ ଦେଖିଲେ, ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ୩୪.୮୧ ଲକ୍ଷ ମହିଳା ଉଠାଦୋକାନୀଙ୍କୁ ସଶକ୍ତ କରାଯାଇଛି, ସାରା ଦେଶରେ ମହିଳା ଉଠା ଦୋକାନୀମାନଙ୍କୁ ୫୧.୮୪ ଲକ୍ଷ ଋଣ ପ୍ରଦାନ କରାଯାଇଛି। ଏହା ସହ ୫୫ ଲକ୍ଷ ଉଠା ଦୋକାନୀଙ୍କୁ ଡିଜିଟାଲ୍ ବ୍ୟବସ୍ଥା ସହିତ ଯୋଡ଼ାଯାଇଛି। ଏହା ବ୍ୟତୀତ, ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କ ହାରାହାରି ବାର୍ଷିକ ଆୟରେ ୨୦% ବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ୩୦% ରୁ ଅଧିକ ଉଠାଦୋକାନୀ ଏହି ଯୋଜନା ଦ୍ୱାରା ପ୍ରଦାନ କରାଯାଉଥିବା ଋଣ ବାହାରେ ମଧ୍ୟ ଅନ୍ୟ ଆଧାରରେ ଋଣ ସୁବିଧା ପାଇପାରିଛନ୍ତି।
ପିଏମ୍ ସ୍ୱନିଧିର ପ୍ରମୁଖ ସଫଳତା:
୧.୦୫ କୋଟିରୁ ଅଧିକ ଋଣ ମଞ୍ଜୁର ।
ଏହି ଯୋଜନା ଅଧୀନରେ ₹୧୭,୮୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ ।
୩୪.୮୧ ଲକ୍ଷ ମହିଳା ଉଠାଦୋକାନୀ ସଶକ୍ତ ।
'ସ୍ୱନିଧି ରୁ ସମୃଦ୍ଧି' ଅଧୀନରେ ୫୦ ଲକ୍ଷରୁ ଅଧିକ ଉଠାଦୋକାନୀ ପରିବାରର ସାମାଜିକ-ଅର୍ଥନୈତିକ ପ୍ରୋଫାଇଲିଂ କରାଯାଇଛି।
କେନ୍ଦ୍ର ସରକାରଙ୍କ ଆଠଟି କଲ୍ୟାଣକାରୀ ଯୋଜନା ଅଧୀନରେ ୧.୫୨ କୋଟିରୁ ଅଧିକ ମଞ୍ଜୁରୀ ପ୍ରଦାନ।
(ରିଲିଜ ଆଡି: 2267336)
ପରିଦର୍ଶକ କାଉଣ୍ଟର : 8