ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏପ୍ରିଲ ୨୭-୨୮ରେ ପ୍ରଧାନମନ୍ତ୍ରୀଙ୍କ ସିକିମ ଗସ୍ତ

प्रविष्टि तिथि: 26 APR 2026 3:47PM by PIB Bhubaneswar

-ପ୍ରଧାନମନ୍ତ୍ରୀ ଗାଙ୍ଗଟକରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନୀ ସମାରୋହରେ ସାମିଲ ହେବେ

-ପ୍ରଧାନମନ୍ତ୍ରୀ ରାଜ୍ୟବ୍ୟାପୀ ୪୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ, ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ

-ପ୍ରକଳ୍ପ ଗୁଡ଼ିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, ପରିବେଶ, ପର୍ଯ୍ୟଟନ ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ରହିଛି

-ସିକିମର ସାମଗ୍ରିକ ଏବଂ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ଗୁଡ଼ିକ ଉଦ୍ଦିଷ୍ଟ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୭-୨୮ ତାରିଖରେ ସିକିମ ଗସ୍ତ କରିବେ । ସେ ଗାଙ୍ଗଟକରେ ଏପ୍ରିଲ ୨୭ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ପହଞ୍ଚିବେ । ଏପ୍ରିଲ ୨୮ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ଗାଙ୍ଗଟକର ଅର୍କିଡାରିୟମ ପରିଦର୍ଶନ କରିବେ । ରାଜ୍ୟର ପରିବେଶଗତ ଏବଂ ପୁଷ୍ପ ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ସ୍ୱର୍ଣ୍ଣଜୟନ୍ତୀ ମୈତ୍ରୀ ମଂଜରୀ ପାର୍କକୁ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଅର୍କିଡ ଅଭିଜ୍ଞତା କେନ୍ଦ୍ର ଭାବରେ ବିକଶିତ କରାଯାଇଛି ।

ଏହାପରେ ସକାଳ ପ୍ରାୟ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ପାଲଜୋର ଷ୍ଟାଡିୟମରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନୀ ସମାରୋହରେ ସାମିଲ ହେବେ, ଯେଉଁଠାରେ ସେ ରାଜ୍ୟବ୍ୟାପୀ ୪୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ, ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, ପରିବେଶ, ପର୍ଯ୍ୟଟନ ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ରହିଛି ଏବଂ ସିକିମର ସାମଗ୍ରିକ ଏବଂ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଉଦ୍ଦିଷ୍ଟ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନାମଚି ଜିଲ୍ଲାର ୟଙ୍ଗାଙ୍ଗରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ ଏନଆଇଟି ଦେଓରାଲିରେ ୩୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ସୋୱା ରିଗପା ହସପିଟାଲର ମଧ୍ୟ ଉଦଘାଟନ କରିବେ, ଯାହା ଦ୍ୱାରା ରାଜ୍ୟରେ ପାରମ୍ପରିକ ଏବଂ ସମନ୍ୱିତ ଔଷଧ ବ୍ୟବସ୍ଥାର ଉପଲବ୍ଧତାକୁ ସୁଦୃଢ଼ କରାଯିବ ।

ଶିକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ୟଙ୍ଗାଙ୍ଗରେ ସିକିମ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍, ଚାକୁଙ୍ଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉକ୍ରର୍ଷ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ, ଗାଙ୍ଗଟକ ଜିଲ୍ଲାର ସୋଚେଗାଙ୍ଗରେ ହେଲେନ ଲେପଚା ମେଡିକାଲ କଲେଜ, ଏବଂ ଗ୍ୟାଲସିଂ ଜିଲ୍ଲାର ଡେଣ୍ଟାମରେ ଡେଣ୍ଟାମ ପ୍ରଫେସନାଲ କଲେଜର ଉଦଘାଟନ କରିବେ । ସେ ହି ଗ୍ୟାଥାଙ୍ଗରେ ମଡେଲ ଆବାସିକ ବିଦ୍ୟାଳୟ, ମଙ୍ଗାନ ଜିଲ୍ଲାର ମାଙ୍ଗଶିଲାରେ ଏକ ନୂତନ ମଡେଲ ଡିଗ୍ରୀ କଲେଜ ଏବଂ ନାମଚି ଜିଲ୍ଲାର ବୁମତାର ଗୁମ୍ଫାରେ ଏକ ମଠ ଛାତ୍ରାବାସ ତଥା ଶ୍ରେଣୀଗୃହର ଉଦଘାଟନ କରିବେ । ଏହା ବ୍ୟତୀତ ସେ ସିକିମର ୧୬୦ଟି ସ୍କୁଲରେ ଆଇଟି ସକ୍ଷମ ଶିକ୍ଷାଗତ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଆରମ୍ଭ କରିବେ ।

ସିକମରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ନାମଚି ଓ ଗାଙ୍ଗଟକ ଜିଲ୍ଲାକୁ ସଂଯୋଗ କରୁଥିବା ସିରୱାନି ଏବଂ ଲୋୟର ସାମଡୋଙ୍ଗରେ ତିସ୍ତା ନଦୀ ଉପରେ ଦୁଇଟି ଡବଲ ଲେନ ବିଶିଷ୍ଟ ଷ୍ଟିଲ ପୋଲର ଶିଳାନ୍ୟାସ କରିବେ । ସେ ବିରଧାଙ୍ଗରୁ କିଚୁଡୁଙ୍ଗ୍ରା ଦେଇ ନାମଚି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣର ମଧ୍ୟ ଉଦଘାଟନ କରିବେ । ଏହା ଆନ୍ତଃଜିଲ୍ଲା ସୁଗମତାକୁ ବୃଦ୍ଧି କରିବ, ଯାତ୍ରା ଦକ୍ଷତାକୁ ଉନ୍ନତ କରିବ ଏବଂ ଲୋକ ଓ ସାମଗ୍ରୀର ସୁଗମ ପରିବହନକୁ ସହଜ କରିବ ।

ଶକ୍ତିକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗାଙ୍ଗଟକରେ ପରିବହନ ଏବଂ ବଣ୍ଟନ ନେଟୱର୍କର ଉନ୍ନତି, ଉନ୍ନତିକରଣ ଏବଂ ପୁନର୍ବିନ୍ୟାସର ଉଦଘାଟନ କରିବେ, ଯାହା ଫଳରେ ଏହି ଅଞ୍ଚଳରେ ନିର୍ଭରଯୋଗ୍ୟ ବିଦୁ୍ୟତ ଯୋଗାଣ ସୁଦୃଢ଼ ହେବ ।

ସହରାଞ୍ଚଳ ବିକାଶ ଏବଂ ପ୍ରଶାସନିକ ଭିତ୍ତିଭୂମି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଲୁମସେରେ ଜନସେବା ସଚିବାଳୟ (ମିନି ସଚିବାଳୟ) ଏବଂ ଗାଙ୍ଗଟକରେ ସିଭିଲ ସର୍ଭିସ ଅଫିସର ଇନଷ୍ଟିଚୁ୍ୟଟ ଉଦଘାଟନ କରିବେ । ସେ ଲିଙ୍ଗଡିଂରେ ସିକିମ ସହରାଞ୍ଚଳ ଗରିବ ଆବାସ ଯୋଜନା, ପୁଲିସ କର୍ମଚାରୀଙ୍କ ପାଇଁ ବାସଗୃହ ଏବଂ ଏସଏପି ପାଙ୍ଗଥାଙ୍ଗରେ ଗ୍ରେଡ ‘ସି’ କ୍ୱାର୍ଟର୍ସ ସମେତ ଆବାସ ଯୋଜନାର ମଧ୍ୟ ଉଦଘାଟନ କରିବେ । ଏହାସହିତ ସେ ଏମଜି ମାର୍ଗରେ ସଦ୍ଭାବ ମଣ୍ଡପ (ସାର୍ବଜନୀନ ଉପଯୋଗୀତା କେନ୍ଦ୍ର)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପରିବେଶ ସୁରକ୍ଷାର ଅଂଶସ୍ୱରୂପ, ପ୍ରଧାନମନ୍ତ୍ରୀ ନଦୀ ପ୍ରଦୂଷଣ ହ୍ରାସ ପଦକ୍ଷେପ ଅଧୀନରେ ସିଙ୍ଗଟମ ସହରରେ ସ୍ୱେରେଜ ପ୍ରଣାଳୀ ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ ଗାଙ୍ଗଟକ ଜୋନ୍ - ୩ରେ ରୋରୋ ଚୁ ନଦୀ ଦେଇ ରାଣୀ ଚୁ ନଦୀର ପ୍ରଦୂଷଣ ହ୍ରାସ ଯୋଜନାର ମଧ୍ୟ ଉଦଘାଟନ କରିବେ, ଯାହା ସହରାଞ୍ଚଳ ପରିମଳ ଏବଂ ସ୍ଥାୟୀ ପରିବେଶ ବ୍ୟବସ୍ଥାରେ ଉନ୍ନତି ଆଣିବ ।

ପର୍ଯ୍ୟଟନ ଏବଂ ତୀର୍ଥକ୍ଷେତ୍ର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗାଙ୍ଗଟକର ରିଜ ପ୍ରିସିଙ୍କଟ, ସୋରେଙ୍ଗର ଡୋଡାକରେ ଇକୋ-ପର୍ଯ୍ୟଟନ ଏବଂ ତୀର୍ଥକ୍ଷେତ୍ରର ପୁନଃବିକାଶ, ୧୮ ମାଇଲ ଏବଂ ହାଙ୍ଗୁ ହ୍ରଦରେ ସୁବିଧା ସମେତ କୈଳାସ ମାନସରୋବର ଯାତ୍ରା ସହ ଜଡ଼ିତ ଭିତ୍ତିଭୂମି ଏବଂ ନାମଫିଙ୍ଗର କୃଷ୍ଣ ପ୍ରଣାମୀ ମଙ୍ଗଳଧାମରେ ଏକ ଯାତ୍ରୀ ନିବାସର ଉଦଘାଟନ କରିବେ । ସେ ଗ୍ୟାଲସିଂ ଜିଲ୍ଲାର ସିଲନନରେ ଏକ ଇକୋ ତୀର୍ଥଯାତ୍ରା କଂପ୍ଲେକ୍ସର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ସିକିକ ଇଫକୋ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦଘାଟନ କରିବେ, ଯାହା ରାଜ୍ୟରେ କୃଷି ପ୍ରକ୍ରିୟାକରଣ ଏବଂ କୃଷକଙ୍କ ଜୀବିକା ଏବଂ ମୂଲ୍ୟ ଶୃଙ୍ଖଳାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହଭାଗିତା ଏବଂ କ୍ରୀଡ଼ା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପାକ୍ୟୋଙ୍ଗ ଜିଲ୍ଲାର ମାଇନିଂ ଏବଂ ରଙ୍ଗପୋରେ ଇନଡୋର କ୍ରିକେଟ ସୁବିଧା ମଧ୍ୟ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସିକିମ ରାଜ୍ୟ ଗଠନର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ରାଜ୍ୟ ଓ ଉତ୍ତର-ପୂର୍ବ ଅଞ୍ଚଳର ଦ୍ରୁତ ଏବଂ ସ୍ଥାୟୀ ବିକାଶ ପ୍ରତି ବର୍ତ୍ତମାନର ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।  

SR


(रिलीज़ आईडी: 2256497) आगंतुक पटल : 31
इस विज्ञप्ति को इन भाषाओं में पढ़ें: Bengali , Bengali-TR , Assamese , English , Urdu , Marathi , हिन्दी , Nepali , Manipuri , Punjabi , Gujarati , Telugu , Kannada , Malayalam