ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ୟାଙ୍ଗଟକରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 28 APR 2026 1:51PM by PIB Bhubaneswar

 

ଭାରତ ମାତା କି ଜୟ।

ଭାରତ ମାତା କି ଜୟ।

ଭାରତ ମାତା କି ଜୟ।

ସିକିମର ରାଜ୍ୟପାଳ ଶ୍ରୀ ଓମ୍ ମାଥୁର ଜୀ, ଏଠିକାର ଲୋକପ୍ରିୟ , ଦକ୍ଷତା ପୂର୍ଣ୍ଣ ଯୁବ  ଏବଂ ମୋର ପ୍ରିୟ ବନ୍ଧୁ ଶ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ସଂସଦରେ ମୋର ସହକର୍ମୀ ଶ୍ରୀ ଦୋରଜୀ ଶେରିଂ ଲେପଚା ଜୀ, ଡକ୍ଟର ଇନ୍ଦ୍ର ହାଙ୍ଗ ସୁବ୍ବା ଜୀ, ଶ୍ରୀ ଦିଲ୍ଲୀ ରାମ ଥାପା ଜୀ, ଏବଂ ସିକିମର ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ସିକିମର ସମସ୍ତ ଜନସାଧାରଣଙ୍କୁ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭକାମନା ଏବଂ ଶୁଭେଚ୍ଛା।  ନମସ୍ତେ, ଟାଶି ଡ଼ିଲେକ !

ଖାମ୍-ରି-ମୋ ! ଆପଣମାନେ ସମସ୍ତେ କିପରି ଅଛନ୍ତି?

ବନ୍ଧୁଗଣ,

ଗତକାଲି ଅପରାହ୍ନରେ ମୁଁ ଗ୍ୟାଙ୍ଗଟକରେ ପହଞ୍ଚିଲି, ଏବଂ ଏଠାକୁ ଆସିବା ପୂର୍ବରୁ, ମୁଁ ବଙ୍ଗଳା ନିର୍ବାଚନର ଗହଳିରେ ଟିକେ ବ୍ୟସ୍ତ ଥିଲି। ଏଠାରେ ପହଞ୍ଚିବା ମାତ୍ରେ, ଏକ ନୂତନ ଭାବନା, ଏକ ନୂତନ ଆନନ୍ଦ, ଚାରିପାଖରେ ଉତ୍ସବର ପରିବେଶ,ଯାହାକୁ ଦେଖି ମୋର ହୃଦୟ ଖୁସିରେ ଭରିଗଲା। ରାତିରେ ବର୍ଷା ହେଲା , ତା'ପରେ ସକାଳର ଶୀତଳତା, ଏବଂ ଏହି ଉଜ୍ଜ୍ୱଳ ସୂର୍ଯ୍ୟକିରଣ - ସିକିମର ରଙ୍ଗ ପ୍ରକୃତରେ ଅନନ୍ୟ।

ବନ୍ଧୁଗଣ,

ପୂର୍ବର ସ୍ୱର୍ଗ ହେଉଛି ସିକିମ, ଆଁର୍କିଡସ୍ର ଉଦ୍ୟାନ ହେଉଛି ସିକିମ୍, ଏହାର ଅତୁଳନୀୟ ସୌନ୍ଦର୍ଯ୍ୟ, ଏହାର ଶାନ୍ତି, ଏହାର ଆଧ୍ୟାତ୍ମିକ ଆନନ୍ଦ , ଏହି ଅନୁଭୂତି ବହୁତ ଭାଗ୍ୟରେ ଥିଲେ ପ୍ରାପ୍ତ ହୋଇଥାଏ । ଆଜି ମୁଁ ଏଠାରେ ଆଁର୍କିଡସ୍ ଦେଖିବାକୁ ମଧ୍ୟ ଯାଇଥିଲି। ମୋ ପାଇଁଯେତିକି  ସମୟ ନିର୍ଦ୍ଦିଷ୍ଟ କରାଯାଇଥିଲା,ତେଣୁ ସେଠାରେ ମୁଁ ଅଧିକ ସମୟ ବିତାଇଲି । ଏବଂ ମୁଁ ସମଗ୍ର ଦେଶର ପର୍ଯ୍ୟଟକମାନଙ୍କୁ, ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କୁ କହୁଛି, ଯଦି ସେମାନେ ସିକିମର ଆଁର୍କିଡ ଦେଖି ନାହାଁନ୍ତି । ତେବେ ସେମାନେ କିଛି ଦେଖି ନାହାଁନ୍ତି। ଏବଂ ମୋର ବିଶ୍ୱାସ ଅଛି ଯେ ଏଥର ପର୍ଯ୍ୟଟକମାନେ ସିକିମର ପର୍ଯ୍ୟଟନର ସମସ୍ତ ସଂଖ୍ୟାକୁ ଅତିକ୍ରମ କରିବେ। ଆଁର୍କିଡରେ ମୁଁ ପ୍ରକୃତିର ରଙ୍ଗ, ସେମାନଙ୍କର ଆନନ୍ଦ ଉଲ୍ଲାସ ଦେଖିଲି, ମୋର ମନ ଏବେ ବି ଏଥିରେ ବୁଡ଼ି ରହିଛି।

ବନ୍ଧୁଗଣ,

ଆଜି ଆମକୁ ସିକିମର ୫୦ ବର୍ଷର ଯାତ୍ରା ପାଳନ କରିବାର ସୁଯୋଗ ମିଳିଛି। ଯେତେବେଳେ ଏହି ଅବସର ଏତେ ଐତିହାସିକ ଏବଂ ଏତେ ଦିବ୍ୟ ପରିବେଶରେ ଅନୁଷ୍ଠିତ ହେଉଛି , ଏହାର ସୁନ୍ଦରତା ଅନେକ ଗୁଣ ବୃଦ୍ଧି ପାଇଥାଏ । ଆଜି ଏହି ପାଲଜୋର ଷ୍ଟାଡିୟମ ସେହି ଅଦ୍ଭୁତ ଆଭାରେ ପରିପୂର୍ଣ୍ଣ। ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, କଳାକାରଙ୍କ ମନମୋହକ ପ୍ରଦର୍ଶନ, ସିକିମର ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଉତ୍ସାହ, ସାମ୍ନାରେ ପର୍ବତ ଏବଂ ଆକାଶରେ ପ୍ରକୃତିର ସୁନ୍ଦର ଦୃଶ୍ୟ ,ଏପରି ଲାଗୁଛି ପ୍ରକୃତି ଏବଂ ସଂସ୍କୃତି ଯେପରି ଏକାଠି ହୋଇଯାଇଛନ୍ତି। ସତରେ ଏହି ସ୍ମୃତିଗୁଡ଼ିକ ସର୍ବଦା ମୋ ହୃଦୟରେ ରହିବ। ଏବଂ ମୁଁ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବ୍ୟକ୍ତି ବିଶେଷଙ୍କୁ, ଗୀତ ଗାଇଥିବା ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏବଂ ଆଜିର କାର୍ଯ୍ୟକ୍ରମ, ମୁଁ ଚାହିଁବି ଯେ ଟିଭି ଗଣମାଧ୍ୟମ, ଦୂରଦର୍ଶନ ଏହାକୁ ଦେଶକୁ ବାରମ୍ବାର ଦେଖାନ୍ତୁ। ଯେତେବେଳେ ଦେଶରେ, ରାଜନୈତିକ ସ୍ୱାର୍ଥ ପାଇଁ, ଭାଷାଗତ ବିଭାଜନ, ପ୍ରାଦେଶିକତା, ଭେଦଭାବ ପାଇଁ ଚେଷ୍ଟା କରାଯାଏ, ଆଜି ସିକିମ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଦର୍ଶନ କରାଇ ଦେଇଛନ୍ତି। ଏହି ଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ, ସେମାନେ ସମଗ୍ର ଭାରତକୁ ଆଖି ଆଗରେ ଉପସ୍ଥାପନ କରିଛନ୍ତି। ଏବଂ ଏବେ ମଧ୍ୟ, ସେମାନେ ଯେଉଁ ବସିବା ବ୍ୟବସ୍ଥା କରିଛନ୍ତି, ମୁଁ ଉପରୁ ତାହା ଦେଖିପାରୁଛିଯେ, ଯିଏ ଯେଉଁ  ରାଜ୍ୟର, ସେହି ପରିବେଶର , ସେଠିକାର ଲୋକମାନେ ନିଜ ନିଜ ପୋଷାକ ପିନ୍ଧି ବସିଛନ୍ତି , ସେଠାରେ ଗୁଜରାଟର ଲୋକମାନେ ଗୁଜୁରାଟୀ ପୋଷାକ ପିନ୍ଧି ବସିଛନ୍ତି। ସତରେ, ପ୍ରକୃତରେ ଆପଣ ହୃଦୟ ଜିତିନେଇଛନ୍ତି। ମୋଦିଙ୍କ ହୃଦୟ ନୁହେଁ, ବରଂ ଆଜି ଆପଣ ସମଗ୍ର ଭାରତର ହୃଦୟ ଜିତିଛନ୍ତି। ଭାରତ ପ୍ରତି ଭକ୍ତି ଏହା ହିଁ ଦେଶପ୍ରେମ। ନୂତନ ପିଢ଼ିରେ, ଦେଶପ୍ରେମର ଭାବନା ଏହିପରି ସୃଷ୍ଟି ହୁଏ। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ-ଅନେକ ଅଭିନନ୍ଦନ।

ବନ୍ଧୁଗଣ,

ସିକିମ ଆସିବା ମୋତେ ବହୁତ ଖୁସି ଦେଇଥାଏ କାରଣ ଗତ ଥର ଖରାପ ପାଗ ଯୋଗୁଁ ମୁଁ ଏଠାକୁ ପହଞ୍ଚି ପାରି ନଥିଲି। ମୋତେ ବାଗଡୋଗରାରୁ ଅନଲାଇନ ମାଧ୍ୟମରେ ଆପଣମାନଙ୍କ ସହିତ ଜୋଡ଼ି ହେବାକୁ ପଡିଥିଲା। ଏଠାରେ ଆପଣଙ୍କ ସହିତ ସାକ୍ଷାତ ନ କରିପାରିବାର ସେହି ଦୁଃଖ ମୋ ମନରେ ରହିଯାଇଥିଲା । ଏବଂ ଯେତେବେଳେ ପ୍ରେମ ସିଂହ ଜୀ ମୋତେ ଭେଟିଲେ, ମୋର ଆଖି ତଳକୁ ହୋଇଗଲା ଯେ ଆପଣ ଏତେ କଠିନ ପରିଶ୍ରମ କରିଥିଲେ , ହେଲେ ମୁଁ ଆସି ପାରିଲି ନାହିଁ। ଏବଂ ସେଥିପାଇଁ ମୁଁ ଏହି ସମୟକୁ ଅପେକ୍ଷା କରିଥିଲି, ଏହି ଅବସର ମାଧ୍ୟମରେ ଆଜି ସେହି ଅପେକ୍ଷା ମୋର ପୂରଣ ହୋଇଛି।

ବନ୍ଧୁଗଣ,

ସିକିମର ଲୋକମାନଙ୍କ ସହିତ ମିଶିବା, ମୋତେ ପୂରା ଭିନ୍ନ ପ୍ରକାରର ଶାନ୍ତି ଦେଇଥାଏ। ଆପଣଙ୍କର ସୌଜନ୍ୟତା, ଆପଣଙ୍କର ସରଳତା, ଆପଣଙ୍କ ମୁହଁରେ ହସ ଅଦ୍ଭୁତ। ଏଠାକୁ ଆସିବା ପୂର୍ବରୁ ମଧ୍ୟ ମୁଁ ସିକିମର ଅନେକ ପ୍ରତିଭାଶାଳୀ ଲୋକଙ୍କୁ ଭେଟିଥିଲି। ସିକିମର ବୁଦ୍ଧିଜୀବୀ, ପଦ୍ମ ପୁରସ୍କାର ବିଜେତା, କଳାକାର ଏବଂ ଫୁଟବଲ୍ ଖେଳାଳି , ମୁଁ ସେମାନଙ୍କ ସହିତ ବିଭିନ୍ନ ବିଷୟରେ କଥାବାର୍ତ୍ତା କରିଥିଲି।

ବନ୍ଧୁଗଣ,

ଗତକାଲି ସନ୍ଧ୍ୟାରେ ହୋଇଥିବା ରୋଡ୍ ଶୋ, ମୁଁ ଏପର୍ଯ୍ୟନ୍ତ ଭୁଲିପାରିନାହିଁ, ଏବଂ ହୁଏତ କେବେ ଭୁଲିବି ମଧ୍ୟ ନାହିଁ। ହାତରେ, ଆମର ପ୍ରିୟ ତ୍ରିରଙ୍ଗା। ଭାରତ ମାତା କି ଜୟର ନିରନ୍ତର ଧ୍ୱନି ଏବଂ ବନ୍ଦେ ମାତରମ୍ର ଜୟ-ଜୟକାର ଧ୍ବନି , ସମଗ୍ର ପରିବେଶ 'ଏକ ଭାରତ ଶ୍ରେଷ୍ଠ ଭାରତ' ଚିତ୍ରରେ ପରିପୂର୍ଣ୍ଣ ହୋଇଉଠିଥିଲା। ଗଞ୍ଜୁ ଲାମା ଗେଟ୍ ଠାରୁ ଲୋକଭବନ ପର୍ଯ୍ୟନ୍ତ, ସିକିମର ମୋର ଭାଇ ଏବଂ ଭଉଣୀମାନେ କିପରି ସେମାନଙ୍କର ଭଲପାଇବା ସବୁ ଅଜାଡ଼ି ଦେଲେ ଯେଉଁଭଳି ଭାବରେ, ସମସ୍ତ ଜାତିଗତ ସମ୍ପ୍ରଦାୟ , ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ୱ ପୋଷାକ, ନିଜସ୍ୱ ସଙ୍ଗୀତ, ନିଜସ୍ୱ ପରମ୍ପରା ସହିତ ଯେପରି ସ୍ୱାଗତ କଲେ, ସମଗ୍ର ପରିବେଶ ଏକ ମହାନ ମହୋତ୍ସବରେ ପରିଣତ ହୋଇଥିଲା। ଏହି ଦୃଶ୍ୟ ପ୍ରକୃତିର କୋଳରେ ବିଭିନ୍ନ ରଙ୍ଗ ଫୁଟିବା ଭଳି ଥିଲା। ବହୁ ସଂଖ୍ୟାରେ, ମୋର ମା' ଏବଂ ଭଉଣୀମାନେ, ପିଲାମାନେ ଏବଂ ବୟସ୍କମାନେ ମଧ୍ୟ ଆଶୀର୍ବାଦ ଦେବାକୁ ଆସିଥିଲେ। ଏବଂ ପୂରା ରାସ୍ତାରେ ମୁଁ ଯେଉଁ ସର୍ବୋତ୍ତମ ଜିନିଷ ଦେଖିଲି, ତାହା ହେଉଛି ସିକିମର ରାସ୍ତାର ସ୍ବଚ୍ଛତା । ଆପଣ ସମସ୍ତଙ୍କୁ ପ୍ରଣାମ। କୌଣସି ସ୍ଥାନରେ ମଇଳା ନାହିଁ, ବାୟୁରେ ସ୍ୱଚ୍ଛତା, ରାସ୍ତାରେ ସ୍ୱଚ୍ଛତା। ଆପଣ ସିକିମର ଲୋକମାନେ ପ୍ରକୃତିର ପ୍ରକୃତ ରକ୍ଷକ, ବ୍ରାଣ୍ଡ ଆମ୍ବାସାଡର। ମୁଁ ପୁଣି ଥରେ ଦେଶବାସୀଙ୍କୁ କହୁଛି, ସିକିମକୁ ଆସନ୍ତୁ। ଆପଣମାନେ ସିକିମକୁ କେତେ ସଫା-ସୁତରା, ସ୍ବଚ୍ଛତା କଖିଛନ୍ତି, କେତେ ଭଲ ଭାବରେ ରକ୍ଷଣାବେକ୍ଷଣ କରିଛନ୍ତି।

ଭାଇ ଓ ଭଉଣୀମାନେ,

ଗତକାଲି ରୋଡ୍ ଶୋ ପାଇଁ, ଏବଂ ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ପାଇଁ, ମୁଁ ଆପଣମାନଙ୍କୁ ଏବଂ ସମସ୍ତ କଳାକାରଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ୫୦ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ପାଳନ ପାଇଁ ମୁଁ ସିକିମର ଜନସାଧାରଣଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି, ଆପଣଙ୍କ ପ୍ରେମ, ଆପଣଙ୍କ ସ୍ନେହ, ଆପଣଙ୍କ ଆଶୀର୍ବାଦର ଋଣ ଏହାକୁ ପରିଶୋଧ କରିବାରେ ମୁଁ କୌଣସି କସରତ ଛାଡ଼ିବି ନାହିଁ।

ବନ୍ଧୁଗଣ,

ସିକିମର ଯାତ୍ରା ହେଉଛି ମାନବିକ ମୂଲ୍ୟବୋଧର ଯାତ୍ରା। ଏହା ବିକାଶ ଏବଂ ଐତିହ୍ୟକୁ ଏକାଠି ବହନ କରି ଚାଲିବାର ଏକ ଯାତ୍ରା। ସିକିମର ଅନେକ ପିଢ଼ି ଏହି ଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ବିଗତ ୫୦ ବର୍ଷ ମଧ୍ୟରେ, ଯେଉଁମାନେ ସିକିମକୁ ଆଗକୁ ବଢାଇଛନ୍ତି, ଏହାକୁ ଏଠାକୁ ଆଣିଛନ୍ତି, ମୁଁ ଆଜି ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି, ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି। ସେତେବେଳେ, ଯାହାକୁ ଯାହା  କରିବାକୁ ପଡ଼ିଲା, ସେମାନେ ସିକିମକୁ ଦେଇଥିଲେ। ଏବେ, ଦାୟିତ୍ୱ ଆମ ଉପରେ, ଆମ ସମସ୍ତଙ୍କ ଉପରେ। ସିକିମର ସରକାର, ମୋର ବନ୍ଧୁ ପ୍ରେମ ସିଂହ ଜୀଙ୍କ ନେତୃତ୍ୱରେ, ସିକିମ ତାର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ଣ୍ଣ ସଚ୍ଚୋଟତାର ସହିତ କାର୍ଯ୍ୟ କରୁଛି। ଆମ ପାଇଁ, ଉତ୍ତର-ପୂର୍ବ ସିକିମ କେବଳ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ, ବରଂ ଏହା ଭାରତର 'ଅଷ୍ଟ ଲକ୍ଷ୍ମୀ'। ଉତ୍ତର-ପୂର୍ବ ଭାରତର 'ଅଷ୍ଟ ଲକ୍ଷ୍ମୀ'। ତେଣୁ, ଆମେ 'ଆକ୍ଟ ଇଷ୍ଟ' ନୀତି ଉପରେ କାମ କରୁଛୁ, ଏବଂ ଆମେ ଉତ୍ତର-ପୂର୍ବ ପାଇଁ 'ଆକ୍ଟ ଫାଷ୍ଟ'ର ସଂକଳ୍ପ ମଧ୍ୟ ନେଇଛୁ। ଏବଂ ସେଥିପାଇଁ, 'ଆକ୍ଟ ଇଷ୍ଟ', 'ଆକ୍ଟ ଫାଷ୍ଟ'। ଆଜି ମଧ୍ୟ, ଏଠାରେ ହଜାର ହଜାର କୋଟି ଟଙ୍କାର ୩୦ ରୁ ଅଧିକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ରାସ୍ତା, ବିଦ୍ୟୁତ୍, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ଆଦି ସମସ୍ତ ପ୍ରକାରର ପ୍ରକଳ୍ପ ଅନ୍ତର୍ଭୁକ୍ତ। ୨୦୨୩ ପରେ ଉତ୍ତର ସିକିମର କ୍ଷେତ୍ରରେ ଯେଉଁ ଚ୍ୟାଲେଞ୍ଜ ଆସିଥିଲା ​​ତାହାକୁ ମଧ୍ୟ ବିଚାରକୁ ନିଆଯାଇଛି। ଯେଉଁଠାରେ ସଂଯୋଗ ପ୍ରଭାବିତ ହୋଇଥିଲା, ତାହାକୁ ପୁଣି ଥରେ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଛି। ଏଥିପାଇଁ ମୁଁ ସିକିମର ସମସ୍ତ ଲୋକଙ୍କୁ ଅନେକ-ଅନେକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଆମ ସିକିମର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ପର୍ଯ୍ୟଟନ ଅର୍ଥନୀତି। ସିକିମର କ୍ଷେତ୍ରଫଳ ଦେଶର ମୋଟ କ୍ଷେତ୍ରଫଳର ଏକ ପ୍ରତିଶତରୁ କମ୍, କିନ୍ତୁ ଦେଶର ପୁଷ୍ପ ବିବିଧତାରେ ପ୍ରାୟ ୨୫ ପ୍ରତିଶତରୁ ଅଧିକ ଆମ ସିକିମରେ ଦେଖିବାକୁ ମିଳେ। ଏଠାରେ ପ୍ରାୟ ୫୦୦ ପ୍ରଜାତିର ପକ୍ଷୀ, ପ୍ରାୟ ୭୦୦ ପ୍ରଜାତିର ପ୍ରଜାପତି, ସୁନ୍ଦର ଜଙ୍ଗଲ, କାଞ୍ଚନଜଙ୍ଗାର ଅଦ୍ଭୁତ ଆକର୍ଷଣ, ଏତେ କିଛି ଏଠାରେ ଅଛି। ତେଣୁ, ସମସ୍ତେ ବାରମ୍ବାର ସିକିମକୁ ଆସିବାକୁ ଚାହାଁନ୍ତି।

ବନ୍ଧୁଗଣ,

ସିକିମରେ ଲୋକଙ୍କ ଆୟର ଏକ ବଡ଼ ସଂଖ୍ୟା ପର୍ଯ୍ୟଟନ ସହିତ ଜଡିତ। ଏବଂ ପର୍ଯ୍ୟଟନ ସେତେବେଳେ ବୃଦ୍ଧି ପାଏ ଯେତେବେଳେ ସେହି ରାଜ୍ୟର ଭିତ୍ତିଭୂମି ଭଲ ଥାଏ। ସେଥିପାଇଁ ଆମେ ସିକିମର ସଂଯୋଗୀକରଣ ଏବଂ ଭିତ୍ତିଭୂମି ଉପରେ ସର୍ବାଧିକ ଧ୍ୟାନ ଦେଉଛୁ। ଗତ କିଛି ବର୍ଷ ମଧ୍ୟରେ, ଏଠାରେ ଶହ-ଶହ କିଲୋମିଟର ରାଜପଥ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଗାଁକୁ ରାସ୍ତା ନେବା ପାଇଁ କାମ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଏପରି ଆଧୁନିକ ଭିତ୍ତିଭୂମି, ଯାହା ପୂର୍ବରୁ କଳ୍ପନା ମଧ୍ୟ କରାଯାଉନଥିଲା, ଆଜି ବାସ୍ତବତାରେ ପରିଣତ ହେଉଛି। ବାଗଡୋଗରାରୁ ଗ୍ୟାଙ୍ଗଟକ୍ ଏକ୍ସପ୍ରେସୱେ ନିର୍ମାଣ, ସେଭୋକ୍-ରଙ୍ଗପୋ ରେଳ ଲାଇନ, ଏହି ପ୍ରକଳ୍ପଗୁଡ଼ିକ ସିକିମକୁ ସମଗ୍ର ଦେଶ ସହିତ ସଂଯୋଗ କରିବାର ମାଧ୍ୟମ ପାଲଟିଛି। ଏଠାରେ ନୂତନ ଜାତୀୟ ରାଜପଥ ମଧ୍ୟ ନିର୍ମାଣ ହେଉଛି। ଗ୍ୟାଙ୍ଗଟକ୍ ଭଳି ସହରରେ, ଭବିଷ୍ୟତ ପାଇଁ ରିଙ୍ଗ ରୋଡ୍ ଭଳି ପ୍ରକଳ୍ପ ଆବଶ୍ୟକ। ଏହି ଦିଗରେ ମଧ୍ୟ କାମ ଆଗକୁ ବଢ଼ୁଛି।ଭାଇ ​​ଓ ଭଉଣୀମାନେ,

ଆଜି ବିଜେପି ସରକାର ଯେଉଁ କାମ କରୁଛନ୍ତି,  ତାହା ପୂର୍ବରୁ ମଧ୍ୟ କରାଯାଇପାରିଥାନ୍ତା, କିନ୍ତୁ କଂଗ୍ରେସ ସରକାରଗୁଡ଼ିକ ସର୍ବଦା ସିକିମର ବିକାଶକୁ ପଛକୁ ଠେଲି ଦେଇଛନ୍ତି। ସେଭୋକ୍-ରଙ୍ଗପୋ ରେଳ ଲାଇନର ଉଦାହରଣ ନିଅନ୍ତୁ। ଏହି ପ୍ରକଳ୍ପ ୨୦୦୮-୨୦୦୯ମସିହାରେ ଏହା ମଞ୍ଜୁର ହୋଇଥିଲା, କିନ୍ତୁ ଭୂମିରେ କୌଣସି କାମ ହୋଇନଥିଲା, ଏହା କାଗଜପତ୍ରରେ ଫସି ରହିଲା। ପ୍ରକଳ୍ପ ଫାଇଲରେ ପଡ଼ି ରହିଲା। ବିଜେପି ସରକାର କେନ୍ଦ୍ରକୁ ଆସିବା ପରେ, ବିକାଶ ପୁଣି ଗତି ପାଇଲା। ପ୍ରଥମ ଥର ପାଇଁ, ସିକିମରେ ରେଳ ପହଞ୍ଚିବାକୁ ଯାଉଛି।

ବନ୍ଧୁଗଣ,

ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ, ଆମର ନୂତନ ଚିନ୍ତାଧାରା ମଧ୍ୟ ଆବଶ୍ୟକ। ଆଜି ଆମେ ଏହି ଚିନ୍ତାଧାରା ସହିତ କାମ କରୁଛୁ। ଭାଲେଡୁଙ୍ଗା, ୟେନ୍-ୟେଙ୍ଗ ଏବଂ ପେଲିଙ୍ଗରେ ରୋପୱେ ନିର୍ମାଣ ଏହାର ଏକ ଉଦାହରଣ। ଭାଲେଡୁଙ୍ଗାରେ ଏକ ସ୍କାଏୱାକ୍ ମଧ୍ୟ ନିର୍ମାଣ କରାଯାଉଛି। ଏବଂ ଏବେ ସିଂହଶୋର ସେତୁ ଉପରେ ଏକ ଗ୍ଲାସ୍ ଡେକ୍ ସ୍କାଏୱାକ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ନାଥୁଲା ଏବଂ ନାମଲି ଭଳି ସ୍ଥାନରେ ସୀମାନ୍ତ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି।

ବନ୍ଧୁଗଣ,

ଆମ ସରକାରଙ୍କ ଏହି ପ୍ରୟାସ ସହିତ, ଆପଣଙ୍କ ଜୀବନ ସହଜ ହୋଇଯିବ, ସିକିମକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ, ଏବଂ ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଏବଂ ମୁଁ ସବୁବେଳେ ସମଗ୍ର ଦେଶର  ପର୍ଯ୍ୟଟକଙ୍କୁ ଅନୁରୋଧ କରୁଛି, ଯେତେବେଳେ ଆପଣ ଯାତ୍ରା କରିବେ, ଦୁଃସାହସିକ ପର୍ଯ୍ୟଟନ ପାଇଁ ହେଉ କିମ୍ବା ପରିବେଶ ପର୍ଯ୍ୟଟନ ପାଇଁ, ଆପଣ ଯେଉଁଠାକୁ ଯାଆନ୍ତି, ଆପଣଙ୍କ ଯାତ୍ରା ବଜେଟର ୫ ପ୍ରତିଶତ ସ୍ଥାନୀୟ ଉତ୍ପାଦ କିଣିବାରେ ଖର୍ଚ୍ଚ କରିବା ବାଧ୍ୟତାମୂଳକ ହେବା ଉଚିତ। ଆପଣ ଯେଉଁଠାକୁ ଯାଆନ୍ତୁ, ସ୍ଥାନୀୟ ଖାଦ୍ୟ ଖାଆନ୍ତୁ, ସ୍ଥାନୀୟ ଜିନିଷ କିଣନ୍ତୁ, ସେଗୁଡ଼ିକୁ ସ୍ମାରକୀ ଭାବରେ ନିଅନ୍ତୁ। ଯାହା ଦ୍ଵାରା ଏଠାକାର ଲୋକମାନେ, ପାହାଡ଼ରେ ଦୂରରେ ରହୁଥିବା ଛୋଟ-ଛୋଟ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀରେ ପରିଣତ ହୋଇ , ଭଉଣୀମାନେ ସୁନ୍ଦର ଚମତ୍କାର ଜିନିଷ ସବୁ ତିଆରି କରୁଛନ୍ତି, ସମଗ୍ର ଦେଶରୁ କ୍ରେତାମାନେ ଆସନ୍ତୁ, ଏବଂ ଏଠାରେ ରୋଜଗାରର ଅବସର ମଧ୍ୟ ବୃଦ୍ଧି ହେବ।

ବନ୍ଧୁଗଣ,

ସିକିମରେ, ପରିବେଶ-ମଙ୍ଗଳ ପର୍ଯ୍ୟଟନ ପାଇଁ ମଧ୍ୟ ବହୁତ ସୁଯୋଗ ଅଛି, ଆମେ ଏହାକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। ପର୍ଯ୍ୟଟନରୁ ସ୍ଥାନୀୟ ଲୋକମାନେ ସର୍ବାଧିକ ଆୟ ପାଇବାକୁ ସୁନିଶ୍ଚିତ କରିବା ପାଇଁ, ୧୦୦୦ ହୋମଷ୍ଟେ ମଧ୍ୟ ନିର୍ମାଣ କରାଯାଉଛି। ଦୁଃସାହସିକ ପର୍ଯ୍ୟଟନ ପାଇଁ ମଧ୍ୟ ଭିତ୍ତିଭୂମିକୁ ସମର୍ଥନ କରାଯାଉଛି।

ବନ୍ଧୁଗଣ,

ସିକିମ ପାଇଁ ସମ୍ଭାବନାର ଆଉ ଏକ ଆକାଶ କ୍ରୀଡା ମଧ୍ୟ ଅଛି। ଏଠାକାର ଯୁବକମାନେ ବଡ଼ ବଡ଼ ମଞ୍ଚରେ କ୍ରୀଡାରେ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରମାଣ କରିଛନ୍ତି ।  ଫୁଟବଲ୍, ବକ୍ସିଂ, ତୀରନ୍ଦାଜୀରେ ଏଠାରୁ ଖେଳାଳିମାନେ ସିକିମ୍ ଏବଂ ଦେଶକୁ ଗୌରବ ଆଣିଦେଇଛନ୍ତି।

ବନ୍ଧୁଗଣ,

ଏହି ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ, ଆମେ 'ଖେଲୋ ଇଣ୍ଡିଆ' ଏବଂ 'ଫିଟ୍ ଇଣ୍ଡିଆ' ଭଳି ଆନ୍ଦୋଳନ ଚଲାଉଛୁ। ଏଠାରେ ରାଜ୍ୟ କ୍ରୀଡ଼ା ଏକାଡେମୀକୁ ମଧ୍ୟ ପୁନର୍ଜୀବିତ କରାଯାଇଛି। ସିକିମ୍ ପ୍ରିମିୟର ଲିଗ୍ ଭଳି କ୍ରୀଡା ଇଭେଣ୍ଟଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି, ଯାହା ଦ୍ୱାରା ଅଧିକରୁ ଅଧିକ ଖେଳାଳି ଖେଳିବାର ସୁଯୋଗ ପାଇବେ, ଏବଂ ସେମାନଙ୍କର ଖେଳ ପ୍ରଦର୍ଶନରେ ସୁଧାର ଆସିବ। 

ବନ୍ଧୁଗଣ,

ଜସଲାଲ୍ ପ୍ରଧାନ ଜୀଙ୍କ ନାମରେ ଏକ ଅତ୍ୟାଧୁନିକ ବକ୍ସିଂ ଏକାଡେମୀ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସମନ୍ୱିତ କ୍ରୀଡ଼ା ଏବଂ ସାଂସ୍କୃତିକ ଗ୍ରାମ ଭଳି ପ୍ରକଳ୍ପ ମଧ୍ୟ ଆଗକୁ ବଢ଼ୁଛି। ଏହା ସିକିମର ଯୁବକମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବ, ଏବଂ ସେମାନେ ସେମାନଙ୍କର କ୍ରୀଡ଼ାକୁ ଆହୁରି ଚମକାଇ ପାରିବେ।

ବନ୍ଧୁଗଣ,

ଆଜି ଉଦଘାଟନ ଏବଂ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ଅନେକ ବଡ଼ କାମ ମଧ୍ୟ ଅନ୍ତର୍ଭୁକ୍ତ। ଗୋଟିଏ ସମୟ ଥିଲା ଯେତେବେଳେ କଂଗ୍ରେସ ସରକାର ସିକିମ ଏବଂ ଉତ୍ତର-ପୂର୍ବକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଏଠାରେ ସ୍ୱାସ୍ଥ୍ୟ ସେବା ବହୁତ ସୀମିତ ଥିଲା। ଏହି କାରଣରୁ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସିବାକୁ ସଂକୋଚ ବୋଧ କରୁଥିଲେ। କିନ୍ତୁ ଆଜି ସେହି ଆହ୍ବା ଗୁଡ଼ିକ ଶେଷ ହୋଇଛି। ଆଜି ସିକିମରେ ପ୍ରାୟ ୨୦୦ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ କରୁଛି। ଆଜି ୪ଟି ଜିଲ୍ଲାରେ ହସ୍ପିଟାଲ ରହିଛି , ଏକ ଉଚ୍ଚ ସ୍ତରୀୟ ଡ଼ାକ୍ତରଖାନା , ସୁସ୍ଥତା କେନ୍ଦ୍ର ଅଛି ଏବଂ ହଜାର ହଜାର ଲୋକ ଏଠାରେ ଆୟୁଷ ସୁବିଧାରେ ଉପକୃତ ହେଉଛନ୍ତି। ଡ୍ରେଜୋଙ୍ଗ ନାମଗ୍ୟାଲ ସୋୱା ରିଗପା ହସ୍ପିଟାଲର ଉଦଘାଟନ ପରେ ସିକିମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ମିଳିବ।

ଭାଇ ​​ଓ ଭଉଣୀମାନେ,

ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ, ଲୋକମାନେ ସୁଲଭ ଚିକିତ୍ସା ମଧ୍ୟ ପାଇବା ଉଚିତ, ଆମ ସରକାର ଏଥିପାଇଁ ମଧ୍ୟ ପ୍ରତିଶୃତିବଦ୍ଧ। ପୂର୍ବରୁ ଆମେ ମାଗଣା ଚିକିତ୍ସା ପାଇଁ ଗରିବ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେଇଥିଲୁ। ଏବେ ଏହି ସୁବିଧା ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ଗନସାଧାରଣଙ୍କୁ ମଧ୍ୟ ଦିଆଯାଉଛି। ଏହା ସହିତ, ଜନ ଔଷଧି କେନ୍ଦ୍ରଗୁଡ଼ିକରେ ଔଷଧ ମଧ୍ୟ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ପ୍ରୟାସଗୁଡ଼ିକ ଦ୍ୱାରା ଏଠାକାର ଜନସାଧାରଣଙ୍କ ଜୀବନ ସହଜ ହୋଇ ପାରିଛି ଏବଂ ଚିକିତ୍ସା ପାଇଁ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି।

ବନ୍ଧୁଗଣ,

ଆଜି ବିଶ୍ୱର ଆର୍ଥିକ ପ୍ରଗତି ଏବଂ ସମ୍ବଳକୁ ନେଇ ବିଶ୍ବର  ଦୃଷ୍ଟିକୋଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆଜି ବିଶ୍ୱ ସ୍ଥାୟୀ ଜୀବନଶୈଳୀ ବିଷୟରେ କଥା ହେଉଛି। ଆଜି ବିଶ୍ୱର ଧ୍ୟାନ ସ୍ୱଚ୍ଛ ଶକ୍ତି ଉପରେ ରହିଛି। ଆଜି ଜୈବିକ ଖାଦ୍ୟକୁ ପ୍ରାଥମିକତା ଦିଆଯାଉଛି। ମୁଁ ଖୁସି ଯେ ଆମର ଉତ୍ତର-ପୂର୍ବ ଏବଂ ସିକିମ ଭବିଷ୍ୟତ ଅଭିବୃଦ୍ଧିର ବଡ଼ କେନ୍ଦ୍ର। ସିକିମ ସମଗ୍ର ଦେଶକୁ ଦିଗଦର୍ଶନ ଦେଇଛି। ସିକିମ ୧୦ ବର୍ଷ ପୂର୍ବରୁ, ୨୦୧୬ ରେ ସମଗ୍ର ରାଜ୍ୟକୁ ଜୈବିକ ଘୋଷଣା କରିଦେଇଥିଲା । ଆମର ଡେମାଜୋଙ୍ଗ ଏବେ କେବଳ ଚାଉଳ ଉତ୍ପାଦନ ପାଇଁ ଜଣାଶୁଣା ନୁହେଁ, ଏହାର ପରିଚୟ ଏବେ ଜୈବିକ ଚାଉଳ ପାଇଁ ହୋଇଛି। ବଡ଼ ବଡ଼ କଞ୍ଚାଲଙ୍କା, ଅଦା, ହଳଦୀ, ଏଭୋକାଡୋ, କିୱି - ଏତେ ଅନେକ ଉତ୍ପାଦ ଦେଶ ଏବଂ ବିଶ୍ୱର ବଜାରରେ ପହଞ୍ଚୁଛି। ସିକିମରେ ଶହ ଶହ ପ୍ରଜାତିର ଔଷଧୀୟ ଗଛ ମଧ୍ୟ ମିଳିଥାଏ । ଏଗୁଡ଼ିକ ମଧ୍ୟ ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ ହୋଇପାରୁଛି।

ବନ୍ଧୁଗଣ,

ସିକିମର ଜୈବିକ ଏବଂ ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ପ୍ରେରଣା। ସିକିମର ଜୀବନଶୈଳୀ, ସିକିମର ସଂକଳ୍ପ, ଆଜି ଏଗୁଡ଼ିକ ଦେଶର ଦୃଷ୍ଟିକୋଣର ଅଂଶ ପାଲଟିଛି। ଏଠାରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଜୈବିକ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ଆରମ୍ଭ କରାଯାଇଛି। ଏହା ଚାଷୀମାନଙ୍କୁ ବଜାର ସହିତ ସିଧାସଳଖ ଯୋଡ଼ି ହେବାର ସୁଯୋଗ ଦେଉଛି।

ବନ୍ଧୁଗଣ,

ସିକିମର ଆର୍ଥିକ ପ୍ରଗତିରେ ଏଠାକାର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏହି ମହିଳାମାନେ ମଧ୍ୟ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଉତ୍ପାଦ ବଡ଼ ବଜାର ପର୍ଯ୍ୟନ୍ତ ପହଞ୍ଚୁ ଏବଂ ଡିଜିଟାଲ ଇଣ୍ଡିଆ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରୁଛି। "ସ୍ୱୟଂ ସିକିମ" ଭଳି ପ୍ଲାଟଫର୍ମ ଆଜି ଏହି ମହିଳାମାନଙ୍କୁ ସଶକ୍ତ କରୁଛି।

ବନ୍ଧୁଗଣ,

ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ, ସିକିମର ଏକ ବ୍ୟାପକ କ୍ଷମତା ଅଛି। ଏଠାରେ ପରିବେଶକୁ ସଂରକ୍ଷଣ କରିବା ସହିତ, ଆମକୁ ସିକିମର ଏହି ସମ୍ଭାବନାକୁ ଆହୁରି ଉପଯୋଗ କରିବାକୁ ପଡିବ। ମୁଁ ଜାଣେ, ପରିବେଶ ସୁରକ୍ଷା ହେଉଛି ସିକିମର ଲୋକଙ୍କ ସ୍ୱଭାବ। ଯେତେବେଳେ ଦେଶ 'ଏକ ପେଡ଼୍ ମା କେ ନାମ' ପ୍ରୟାସ ଆରମ୍ଭ କରିଥିଲା, ସିକିମର ଲୋକମାନେ ଏହାକୁ କର୍ତ୍ତବ୍ୟବୋଧ ସହିତ ଆଗକୁ ବଢ଼ାଉଥିଲେ, ଏବଂ ଏଠାକାର ମୁଖ୍ୟମନ୍ତ୍ରୀ "ମେରୋ ରୁଖ୍ ମେରୋ ସନ୍ତତି" ପ୍ରୟାସ ସହିତ ଲୋକମାନଙ୍କୁ ପ୍ରେରଣା ଦେଇଥିଲେ। ଏହା ଅଧୀନରେ, ପ୍ରତ୍ୟେକ ଶିଶୁର ଜନ୍ମ ସମୟରେ ୧୦୮ଟି ଗଛ ଲଗାଯାଇଥାଏ। ମୁଁ ଭାବୁଛି ଏହି ପ୍ରୟାସ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ହେବ । ଆମକୁ ପରିବେଶ ସହିତ ଜଡିତ ଆମର ପ୍ରୟାସକୁ ଆହୁରି ନିଷ୍ଠାର ସହିତ ଆଗକୁ ବଢ଼ାଇବାକୁ ପଡିବ। ଏହା ଆମର ଐତିହ୍ୟ, ଯାହାକୁ ଆମକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାକୁ ପଡିବ।

ବନ୍ଧୁଗଣ,

ସିକିମ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବା ଉଚିତ, ଏକ ବିକଶିତ ଭାରତର ସ୍ୱପ୍ନକୁ ଗତି ଦେବା ଉଚିତ, ଏଥିପାଇଁ ଆମକୁ ଏକାଠି କାମ କରିବାକୁ ପଡିବ। ଆମକୁ ସିକିମକୁ ନୂତନ ଶିଖରକୁ ନେଇଯିବାକୁ ପଡିବ। ଏହି ସଂକଳ୍ପ ସହିତ, ପୁଣି ଥରେ, ମୁଁ ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣମାନଙ୍କର ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଏବଂ ଆଜି, ଏହି ଯାତ୍ରାର ୫୦ ବର୍ଷ ପରେ, ଏବେ ଆମକୁ ଦୁଇଟି ମାଇଲଖୁଣ୍ଟ ପୂରଣ କରିବାକୁ ପଡିବ। ଯେତେବେଳେ

ସିକିମର ଯାତ୍ରା ୧୦୦ ବର୍ଷରେ ପହଞ୍ଚିବ ତା’ପରେ ଆମେ କ'ଣ କରିବୁ?  ଯେତେବେଳେ ସିକିମର ଯାତ୍ରା ୭୫ବର୍ଷ ହେବ ସେତେବେଳ ପର୍ଯ୍ୟନ୍ତ ଆମେ କ'ଣ କରିବୁ? ଏବଂ ଯେତେବେଳେ ଦେଶର ସ୍ୱାଧୀନତା ୧୦୦ ବର୍ଷରେ ପହଞ୍ଚିବ, ୨୦୪୭ରେ ଏକ ବିକଶିତ ଭାରତର ସ୍ୱପ୍ନ, ସେଥିପାଇଁ ଆମେ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିବା ଏବଂ ସଂକଳ୍ପର ସହିତ ଆଗକୁ ବଢ଼ିବା ଉଚିତ। ଏହି ଭାବନା ସହିତ, ପୁଣି ଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି। ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ। ମୋ ସହିତ କୁହନ୍ତୁ,

ଭାରତ ମାତା କି ଜୟ। ଭାରତ ମାତା କି ଜୟ। ଭାରତ ମାତା କି ଜୟ।

ବନ୍ଦେ ମାତରମ୍। ବନ୍ଦେ ମାତରମ୍। ବନ୍ଦେ ମାତରମ୍।

ବନ୍ଦେ ମାତରମ୍। ବନ୍ଦେ ମାତରମ୍। ବନ୍ଦେ ମାତରମ୍।

ବନ୍ଦେ ମାତରମ୍। ବନ୍ଦେ ମାତରମ୍। ବନ୍ଦେ ମାତରମ୍।

ବନ୍ଦେ ମାତରମ୍।

 

 

N S

 

*******


(ରିଲିଜ ଆଡି: 2256491) ପରିଦର୍ଶକ କାଉଣ୍ଟର : 6