ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାମିଲନାଡୁର ତିରୁଚିରାପଲ୍ଲୀରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 11 MAR 2026 6:58PM by PIB Bhubaneswar

ଶ୍ରୀ ପୀୟୁଷ ଗୋୟଲ, ଡକ୍ଟର ଏଲ୍. ମୁରୁଗନ, ଶ୍ରୀ ଏଡାପ୍ପାଡି କେ. ପଲାନିସ୍ୱାମୀ, ଶ୍ରୀ ନୈନାର ନାଗେନ୍ଦ୍ରନ୍, ଶ୍ରୀ ଥାଙ୍ଗମ୍ ତେନ୍ନାରାସୁ, ମୋର ତାମିଲ ଭାଇ ଓ ଭଉଣୀମାନେ, ବନକ୍କମ୍!

 

ବନ୍ଧୁଗଣ,

ଏହି ସୁନ୍ଦର ତିରୁଚି ସହରରେ ଉପସ୍ଥିତ ହୋଇ ମୋତେ ବହୁତ ଖୁସି ଲାଗୁଛି।

 

ଆଜିର କାର୍ଯ୍ୟକ୍ରମ ତାମିଲନାଡୁର ଭବିଷ୍ୟତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣଏହା ପାଞ୍ଚ ହଜାର ଛଅ ଶହ କୋଟି ଟଙ୍କାର ପ୍ରକଳ୍ପ ସହିତ ଜଡିତ। ଏହି ପ୍ରକଳ୍ପଗୁଡ଼ିକ ହେଉଛି: ସ୍ୱଚ୍ଛ ଶକ୍ତି ପାଇଁ ଭିତ୍ତିଭୂମି, ପେଟ୍ରୋଲିୟମ୍ ସମ୍ବନ୍ଧୀୟ ଉତ୍ପାଦନ, ରାଜପଥ, ରେଳପଥ ଏବଂ ଗ୍ରାମୀଣ ସଡ଼କ ସମ୍ପର୍କିତ ଏହା ଶକ୍ତି ଉପଲବ୍ଧତା, ସଂଯୋଗୀକରଣକୁ ବୃଦ୍ଧି କରିବା ସହିତ ତାମିଲନାଡୁର ଯୁବକମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

 

ବନ୍ଧୁଗଣ,

ଭାରତ ପେଟ୍ରୋଲିୟମ୍‌ର ସିଟି ଗ୍ୟାସ୍ ବଣ୍ଟନ ନେଟୱର୍କର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି। ଏଥିରେ ପ୍ରାୟ ତିନି ହଜାର ସାତ ଶହ କୋଟି ଟଙ୍କାର ନିବେଶ କରାଯାଉଛି। ଏହି ନେଟୱର୍କ ତାମିଲନାଡୁର ନୀଳଗିରି ଓ ଇରୋଡ୍ ଜିଲ୍ଲାକୁ କଭର କରୁଛିଏହା ଦ୍ୱାରା ପ୍ରାୟ ନଅ ଲକ୍ଷ ପରିବାର ଏବଂ ଶହ ଶହ ବାଣିଜ୍ୟିକ ସଂଗଠନକୁ ପାଇପ୍ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ଯୋଗାଣ ହେବ ପାଇପ୍ ଗ୍ୟାସ ସିଧାସଳଖ ଘରେ ପହଞ୍ଚିବା ଯୋଗୁଁ ଜୀବନଯାପନ ଶୈଳୀ ସହଜ ହୋଇପାରିବପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରାକୃତିକ ଗ୍ୟାସ ଏକ ପରିବେଶ ଅନୁକୂଳ ଇନ୍ଧନ ଯାହା ବାୟୁ ପ୍ରଦୂଷଣ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମୋତେ କୁହାଯାଇଛି ଯେ, କେବଳ ଆଠ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ସକାରାତ୍ମକ ପରିବେଶଗତ ପ୍ରଭାବ ଚାରି କୋଟି ଗଛ ଲଗାଇବା ସହିତ ସମାନ ହେବ!

 

ବନ୍ଧୁଗଣ,

ଆଜି, ଚେନ୍ନାଇରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଲ୍ୟୁବ୍ ବ୍ଲେଣ୍ଡିଂ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି। ଆପଣମାନେ ଜାଣି ଗର୍ବ ଅନୁଭବ କରିବେ ଯେ, ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଏହି ପ୍ଲାଣ୍ଟ ତାମିଲନାଡୁ ଭିତରେ ଓ ତାମିଲନାଡୁ ବାହାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପର ଚାହିଦା ପୂରଣ କରିବଲୁବ୍ରିକେଣ୍ଟର ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇବାରୁ ଆମଦାନୀ ମଧ୍ୟ ହ୍ରାସ ପାଇବ ଏବଂ ଦେଶର ଧନ ସଞ୍ଚୟ ହେବ

 

ବନ୍ଧୁଗଣ,

ଆଜି, ଆମେ ତିନିଶହ ସତୁରି କିଲୋମିଟର ଦୈର୍ଘ୍ୟର ଗ୍ରାମୀଣ ସଡ଼କ ଉଦଘାଟନ କରୁଛୁ। ଏହି କାମ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ କରାଯାଇଛି। ପ୍ରତ୍ୟେକ ରାସ୍ତା କେବଳ ଭୌତିକ ଭିତ୍ତିଭୂମିର ଏକ ଅଂଶ ନୁହେଁ। ରୋଗୀମାନେ ଉନ୍ନତ ଚିକିତ୍ସା ସେବା ପାଇପାରିବେ। ଛାତ୍ରମାନେ ସୁବିଧାରେ ସ୍କୁଲ ଓ କଲେଜକୁ ଯାଇପାରିବେ। ଚାଷୀମାନେ ଉତ୍ପାଦ ବିକ୍ରୟ କରିବାକୁ କିମ୍ବା ସାମଗ୍ରୀ କିଣିବା ପାଇଁ ବିଭିନ୍ନ ସ୍ଥାନକୁ ଯାତ୍ରା କରିପାରିବେ। ସାମଗ୍ରିକ ଭାବରେ କହିବାକୁ ଗଲେ, ପ୍ରତ୍ୟେକ ସଡ଼କ ଗ୍ରାମୀଣ ଅର୍ଥନୀତିକୁ ଉନ୍ନତ କରିଥାଏ ଏବଂ ଜୀବନଧାରଣରେ ସହଜତା ବୃଦ୍ଧି କରିଥାଏ।

 

ବନ୍ଧୁଗଣ,

ଗତ ବର୍ଷ, ମୁଁ ଆଦି ଥିରୁଭାଥିରାଇ ମହୋତ୍ସବ ପାଇଁ ଗଙ୍ଗେଇକୋଣ୍ଡ ଚୋଳାପୁରମରେ ଉପସ୍ଥିତ ହୋଇ ଖୁସି ହୋଇଥିଲି। ଆମେ ସମ୍ରାଟ ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହେବାର ହଜାର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଥିଲୁ।  ଏହା ଏକ ୟୁନେସ୍କୋ ସ୍ୱୀକୃତିପ୍ରାପ୍ତ ସ୍ଥାନ ଯାହା ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଆଜି, ଆମେ ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରୁଛୁ। ବର୍ତ୍ତମାନର ରାଜପଥ ମନ୍ଦିର ନିକଟରେ ଥିବାରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସମସ୍ୟା ସୃଷ୍ଟି କରୁଛି। ଏକ ନୂତନ ବାଇପାସ୍ ନିର୍ମାଣ ହେବାରୁ ଅନ୍ୟ ଯାନବାହନଗୁଡ଼ିକୁ ଏବେ ମନ୍ଦିରରୁ ଦୂରେଇ ନିଆଯିବ। ଏହା ଦ୍ୱାରା ସମସ୍ତଙ୍କ ପାଇଁ ଉତ୍ତମ ସୁରକ୍ଷା ସୁନିଶ୍ଚିତ ହେବ।

 

ବନ୍ଧୁଗଣ,

ଗତ ସପ୍ତାହରେ, ମଦୁରାଇରୁ ଆମେ ଅମୃତ ଭାରତ କାର୍ଯ୍ୟକ୍ରମ ଅଧୀନରେ ଆଠଟି ଆଧୁନିକ ଓ ପୁନଃବିକଶିତ ଷ୍ଟେସନ ଉଦଘାଟନ କରିଥିଲୁ। ଆଜି, ଅନେକ ନୂତନ ରେଳ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଉଛି। ଏହି ସେବାଗୁଡ଼ିକ ନାଗରକୋଇଲ୍, କୋଏମ୍ବାଟୁର, ରାମେଶ୍ୱରମ୍, ତିରୁନେଲଭେଲି, ମାୟୀଲାଦୁଥୁରାଇ, କାରାଇକୁଡି ଭଳି ସ୍ଥାନଗୁଡ଼ିକୁ ଅନ୍ୟ ଅଞ୍ଚଳ ସହିତ ସଂଯୋଗ କରେଏହି ନୂତନ ଟ୍ରେନ୍ ସେବା ପର୍ଯ୍ୟଟନକୁ ବୃଦ୍ଧି କରିବ, ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବ ଏବଂ ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆମର ଲକ୍ଷ୍ୟ ହେଉଛି, ଏକ ବିକଶିତ ଭାରତ ପାଇଁ ଏକ ବିକଶିତ ତାମିଲନାଡୁ ଗଠନ କରିବା। କେନ୍ଦ୍ର ସରକାର ତାମିଲନାଡୁର ଲୋକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ରାଜ୍ୟର ପ୍ରଗତି ପାଇଁ ଦିନରାତି କାମ କରୁଛୁ ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବୁ।

 

ନନ୍ଦ୍ରି !

*****

MT

 


(ରିଲିଜ ଆଡି: 2255093) ପରିଦର୍ଶକ କାଉଣ୍ଟର : 22