ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କର୍ଣ୍ଣାଟକର ମାଣ୍ଡ୍ୟାରେ ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
15 APR 2026 1:49PM by PIB Bhubaneswar
ପରମପୂଜ୍ୟ ଜଗତଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡାକ୍ତର ନିର୍ମଳାନନ୍ଦନାଥ ମହାସ୍ୱାମୀ ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଏଚ୍ ଡି ଦେବେଗୌଡ଼ା ଜୀ, ଏହି ସ୍ଥାନର ରାଜ୍ୟପାଳ ଶ୍ରୀମାନ ଥାୱର ଚାନ୍ଦ ଗେହଲଟ୍ ଜୀ, ପରମପୂଜ୍ୟ ଜଗତଗୁରୁ ସ୍ୱାମୀ ପରମାତ୍ମାନନ୍ଦ ଜୀ ସରସ୍ୱତୀ ଜୀ, କେନ୍ଦ୍ରରେ ମୋର ସହକର୍ମୀ ଏଚ୍ ଡି କୁମାରସ୍ୱାମୀ, ଶୋଭା କରାଣ୍ଡଲାଜେ ଜୀ, କର୍ଣ୍ଣାଟକର ବିରୋଧୀ ଦଳ ନେତା ଆର ଅଶୋକ ଜୀ, ରାଜ୍ୟ ମନ୍ତ୍ରୀ ଏନ ଚେଲୁବରାୟ ସ୍ୱାମୀ ଜୀ, ସମସ୍ତ ପୂଜ୍ୟ ସନ୍ଥ, ଅନ୍ୟ ସମସ୍ତ ମହାନ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ସମସ୍ତ ଭାଇଭଉଣୀମାନଙ୍କୁ।
ବନ୍ଧୁଗଣ,
ଆଜି, ମୋର ହୃଦୟ ଏପରି ଭାବନାରେ ପରିପୂର୍ଣ୍ଣ ଯାହାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର । ଶ୍ରୀ କାଳ ଭୈରବ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବା, ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିରର ଭବ୍ୟ ଉଦ୍ଘାଟନ ଦେଖିବା, ଐତିହାସିକ ଜ୍ୱାଳା ପୀଠରେ ସମୟ ବିତାଇବା, ଆଧ୍ୟାତ୍ମିକ ଉଚ୍ଚତାରେ ପହଞ୍ଚିଥିବା ସନ୍ଥମାନଙ୍କ ସାଥିରେ ରହିବା ଏବଂ ଏବେ ଏଠାରେ ସମବେତ ଲୋକଙ୍କ ଭିଡ଼ ଦେଖିବା – ଏହି ଅଭିଜ୍ଞତାଗୁଡିକ ସବୁଦିନ ପାଇଁ ମୋ ସହିତ ରହିବ । ଆପଣମାନଙ୍କ ମଧ୍ୟରେ ରହିବାର ସୁଯୋଗ ପାଇବାକୁ ମୁଁ ଏକ ସୌଭାଗ୍ୟ ବୋଲି ମନେ କରୁଛି । ଏହି ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
କର୍ଣ୍ଣାଟକ ଆସିବା ମୋତେ ସବୁବେଳେ ଆନନ୍ଦ ଦେଇଥାଏ । ପ୍ରତ୍ୟେକ ଥର ଏଠାକୁ ଆସି ମୋତେ ନୂଆ ପ୍ରେରଣା ମିଳିଥାଏ । କିନ୍ତୁ ଆଜି, ମାଣ୍ଡ୍ୟା ଜିଲ୍ଲାର, ସକ୍କାରେ ନଗରା ଗସ୍ତ ଅନେକ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ମାଟି ଏଠାକାର ମିଠା ଆଖୁ ପାଇଁ ବେଶ୍ ଜଣାଶୁଣା, ଏବଂ ଏଠାକାର ଲୋକଙ୍କ କଥାବାର୍ତ୍ତାରେ ସେହି ମିଠା ସ୍ପଷ୍ଟ ଭାବରେ ଦେଖାଯାଏ । ସେମାନଙ୍କର ସ୍ୱାଗତ ମନୋଭାବ ଏବଂ ବ୍ୟବହାର ହୃଦୟସ୍ପର୍ଶୀ । ମୁଁ ପ୍ରାୟତଃ କହେ ଯେ, କର୍ଣ୍ଣାଟକ ଦର୍ଶନ ଏବଂ ପ୍ରଯୁକ୍ତିବିଦ୍ୟା ଉଭୟରେ ସମୃଦ୍ଧ । ଅର୍ଥାତ୍, ଦର୍ଶନର ଗଭୀରତା ଏବଂ ପ୍ରଯୁକ୍ତିର ଶକ୍ତି, ଉଭୟ ଏଠାରେ ଉପସ୍ଥିତ । ଶ୍ରୀ ଆଦି ଚୁଞ୍ଚନଗିରି ମହାସଂସ୍ଥା ମଠ ଭଳି ଆଧ୍ୟାତ୍ମିକ କେନ୍ଦ୍ରଗୁଡିକ ଏହି ଭୂମିର ଏକ ମହାନ ଉପହାର । ଏହି ଅନୁଷ୍ଠାନଗୁଡିକ ଦର୍ଶନ, ଆଧ୍ୟାତ୍ମିକତା ଏବଂ ନୈତିକ ମୂଲ୍ୟବୋଧ ମାଧ୍ୟମରେ ସମାଜକୁ ମାର୍ଗଦର୍ଶନ କରନ୍ତି ।
ବନ୍ଧୁଗଣ,
ଭାରତ ହଜାର ହଜାର ବର୍ଷ ଧରି ଚାଲିଆସୁଥିବା ଏକ ଜୀବନ୍ତ ସଭ୍ୟତା । ବିଶ୍ୱରେ ଏପରି ବହୁତ କମ ଉଦାହରଣ ଅଛି, ଯେଉଁଠାରେ ପରମ୍ପରା ଏତେ ଦୀର୍ଘ ସମୟ ଧରି ଚାଲିଥାଏ । ଯେତେବେଳେ ଆମେ ଶ୍ରୀ ଆଦି ଚୁଞ୍ଚନଗିରି ମହାସଂସ୍ଥା ମଠ ଦେଖୁ, ଆମେ ଏହି ନିରନ୍ତରତାର ଜୀବନ୍ତ ରୂପ ଦେଖିପାରୁ । ଏହି ପବିତ୍ର ମଠର ଇତିହାସ ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା । ଏହାର ଗୁରୁ ପରମ୍ପରା, ଏହାର ଆଧ୍ୟାତ୍ମିକ ଦର୍ଶନ ଏବଂ ସେବାର ପରମ୍ପରା ପିଢ଼ି ପିଢ଼ି ଧରି ଏହି ଭୂମିକୁ ସମୃଦ୍ଧ କରିଆସିଛି । ଏହି ପରମ୍ପରାରେ, ଜଗଦଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ବାଳଗଙ୍ଗାଧରନାଥ ମହାସ୍ୱାମୀଜୀଙ୍କ ଭଳି ମହାନ ସନ୍ଥ ଆବିର୍ଭାବ ହୋଇଥିଲେ, ଯେଉଁମାନେ ଏହି ଐତିହ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ । ଆଜି ଜଗଦଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ନିର୍ମଳାନନ୍ଦନାଥ ମହାସ୍ୱାମୀଜୀ ନୂତନ ଶକ୍ତି, ଗତି ଏବଂ ସମର୍ପଣ ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଏହି ଧାରାକୁ ଆଗକୁ ବଢ଼ାଉଛନ୍ତି ।
ବନ୍ଧୁଗଣ,
ଆମ ସମାଜରେ ସମୟ ସମୟରେ ଏପରି ମହାନ ବ୍ୟକ୍ତିତ୍ୱ ଆସିଛନ୍ତି, ଯେଉଁମାନେ କେବଳ ଆଧ୍ୟାତ୍ମିକ ମାର୍ଗଦର୍ଶନ ପର୍ଯ୍ୟନ୍ତ ସୀମିତ ନଥିଲେ । ସେମାନେ ଲୋକଙ୍କ ମଧ୍ୟରେ ରହୁଥିଲେ, ସେମାନଙ୍କ ସୁଖ ଏବଂ ଦୁଃଖକୁ ବୁଝିଥିଲେ, ସେମାନଙ୍କ ସଂଘର୍ଷକୁ ଅନୁଭବ କରିଥିଲେ ଏବଂ ସମାଜକୁ ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତିର ରାସ୍ତା ଦେଖାଇଥିଲେ । ଜଗଦଗୁରୁ ଶ୍ରୀ ଶ୍ରୀ ଡକ୍ଟର ବାଳଗଙ୍ଗାଧରନାଥ ମହାସ୍ୱାମୀଜୀ ମଧ୍ୟ ଏପରି ଜଣେ ଦିବ୍ୟ ବ୍ୟକ୍ତିତ୍ୱ ଥିଲେ । ସେ ବର୍ତ୍ତମାନ ଶାରୀରିକ ଭାବରେ ଆମ ସହିତ ନାହାନ୍ତି, କିନ୍ତୁ ସେ ଏଠାରେ ଉପସ୍ଥିତ ଅଛନ୍ତି । ସେ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅନେକ ସ୍ତରରେ କାର୍ଯ୍ୟ କରିଥିଲେ । ତାଙ୍କର ଗଭୀର ଆଧ୍ୟାତ୍ମିକ ଶକ୍ତି ଥିଲା, କିନ୍ତୁ ତାଙ୍କ ଜୀବନ କେବଳ ଧ୍ୟାନ ପର୍ଯ୍ୟନ୍ତ ସୀମିତ ନଥିଲା । ଗ୍ରାମ ପୃଷ୍ଠଭୂମିରୁ ଆସିଥିବାରୁ ସେ ଗ୍ରାମୀଣ ଯୁବକଙ୍କ ଆକାଂକ୍ଷାକୁ ବୁଝିଥିଲେ, ସାଧାରଣ ଲୋକଙ୍କ ଆହ୍ୱାନକୁ ବୁଝିଥିଲେ । ତେଣୁ, ତାଙ୍କ ପାଇଁ ଭକ୍ତିର ଅର୍ଥ ସମାଜରୁ ଦୂରେଇ ଯିବା ନୁହେଁ, ବରଂ ସମାଜ ପାଇଁ ଆଗକୁ ଆସି ଦାୟିତ୍ୱ ନେବା ଥିଲା ।
ବନ୍ଧୁଗଣ,
ମହାସ୍ୱାମୀଜୀ ଶିକ୍ଷା କ୍ଷେତ୍ରରେ ଶହ ଶହ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ପାଠ୍ୟକ୍ରମ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି । ଏହାର ସବୁଠାରୁ ଅଧିକ ଲାଭ ଗରିବ ଏବଂ ଗ୍ରାମୀଣ ପରିବାରର ପିଲାମାନଙ୍କୁ ମିଳିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଦୃଷ୍ଟିକୋଣ ସମାନ ଭାବରେ ପରିବର୍ତ୍ତନକାରୀ ଥିଲା । ସେ ଏପରି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସୃଷ୍ଟି କରିଥିଲେ, ଯେଉଁଠାରେ ଆଜି ମଧ୍ୟ ସେବା ମନୋଭାବ ସହିତ କାମ କରାଯାଏ । ସେ ବିଶ୍ୱାସ କରୁଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା କିଛି ଲୋକଙ୍କର ବିଶେଷ ଅଧିକାର ହେବା ଉଚିତ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବା ଉଚିତ ।
ବନ୍ଧୁଗଣ,
ଆଜି ଆମ ସରକାର ମଧ୍ୟ ସମାନ ଦୃଷ୍ଟିକୋଣ ସହିତ କାମ କରୁଛି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, କୋଟି କୋଟି ଗରିବ ଲୋକଙ୍କର ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଯାଇଛି । ଆମେ ଏହି ଯୋଜନାକୁ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଇଛୁ, ଯାହା ଦ୍ୱାରା ସେମାନେ ସମ୍ମାନର ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ।
ବନ୍ଧୁଗଣ,
ଆଜି ଏହି ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିରରେ ଉପସ୍ଥିତ ହେବା ଏବଂ ଜଗଦଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ବାଳଗଙ୍ଗାଧରନାଥ ମହାସ୍ୱାମୀଜୀଙ୍କ ଆଶୀର୍ବାଦ ଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟର କଥା । ଆମେ ସମସ୍ତେ ଜାଣୁ ଯେ, ମହାସ୍ୱାମୀଜୀ କରୁଣାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର କରୁଣା କେବଳ ମଣିଷ ପର୍ଯ୍ୟନ୍ତ ସୀମିତ ନଥିଲା, ଏହା ସମସ୍ତ ଜୀବଜନ୍ତୁଙ୍କ ପାଇଁ ବ୍ୟାପ୍ତ ଥିଲା । ମୟୂରଙ୍କ ସୁରକ୍ଷା ପାଇଁ ସେ ଯେଉଁ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହା ଏହାର ଏକ ଉଦାହରଣ । ଆଜି ମଧ୍ୟ ସ୍ୱାମୀଜୀ ମୋତେ ସ୍ମୃତି ଚିହ୍ନ ସ୍ୱରୂପ ଏକ ମୟୂର ଦେଇଛନ୍ତି । ଏହା କେବଳ ପରିବେଶ ସୁରକ୍ଷା ଜନିତ କାର୍ଯ୍ୟ ନୁହେଁ, ଏହା ଆମର ସାଂସ୍କୃତିକ ଚେତନା ସହିତ ମଧ୍ୟ ଜଡିତ, କାରଣ ମୟୂର ଆମର ଜାତୀୟ ପକ୍ଷୀ ଏବଂ ଭଗବାନ ସୁବ୍ରହ୍ମଣ୍ୟଙ୍କ ବାହନ ମଧ୍ୟ । ଦିଲ୍ଲୀରେ, ଆପଣ ସମସ୍ତଙ୍କ ଆଶୀର୍ବାଦରୁ ଭାରତ ସରକାରଙ୍କ ଦ୍ୱାରା ମୋତେ ଦିଆଯାଇଥିବା ସରକାରୀ ବାସଭବନରେ, ଅନେକ ମୟୂର ଅଛନ୍ତି । କେତେକଙ୍କ ସହିତ ମୋର ଭଲ ବନ୍ଧୁତା ରହିଛି । ମୁଁ ପ୍ରତ୍ୟକ୍ଷ ଭାବରେ ଦେଖୁଛି ଯେ, ମୟୂର କେତେ ଶାନ୍ତ ଏବଂ ସୁନ୍ଦର ।
ବନ୍ଧୁଗଣ,
ଆଜି ଜଗଦଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ନିର୍ମଳାନନ୍ଦନାଥ ମହାସ୍ୱାମୀ ଜୀ ତାଙ୍କ ଗୁରୁଙ୍କ ପରମ୍ପରାକୁ ଆଗକୁ ବହନ କରୁଛନ୍ତି । ତାଙ୍କ ଗୁରୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଉପରେ ଚାଲି ସେ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି । ତାଙ୍କ ଗୁରୁଙ୍କ ସମ୍ମାନାର୍ଥେ ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିର ନିର୍ମାଣ କରିବା କେବଳ ଏକ ଗଠନ ନୁହେଁ, ଏହା ଏକ ଭାବନାକୁ ସାକାର କରିବା । ଆଗାମୀ ସମୟରେ, ଏହି ସ୍ଥାନ ନିଶ୍ଚିତ ଭାବରେ ସେବା, ସାଧନା ଏବଂ ପ୍ରେରଣାର କେନ୍ଦ୍ର ହେବ ।
ବନ୍ଧୁଗଣ,
ଶ୍ରୀ ଆଦି ଚୁଞ୍ଚନଗିରି ମହାସଂସ୍ଥା ମଠ ନଅଟି ନୀତି ଉପରେ କାର୍ଯ୍ୟ କରେ - ଅନ୍ନ, ଅକ୍ଷର, ଆରୋଗ୍ୟ, ଆଧ୍ୟାତ୍ମ, ଆଶ୍ରୟ, ଅରଣ୍ୟ, ଅକାଲୁ, ଅନୁକମ୍ପା ଏବଂ ଅନୁବନ୍ଧ । ଏହି ଭାବନାରେ ମୁଁ ଆପଣମାନଙ୍କ ସମ୍ମୁଖରେ ନଅଟି କ୍ଷେତ୍ର ରଖିବାକୁ ଚାହୁଛି ଯେଉଁଠାରେ ଆମେ ସମସ୍ତେ ଏକ ସାମୂହିକ ସଂକଳ୍ପ ନେଇପାରିବା । ମୁଁ ଆପଣଙ୍କ ସମ୍ମୁଖରେ ମୋର ନଅଟି ଅନୁରୋଧ ରଖୁଛି ।
ବନ୍ଧୁଗଣ,
ଏହି ମାଣ୍ଡ୍ୟା ପାଣିର ଗୁରୁତ୍ୱ ବୁଝେ । ଏହି ସମଗ୍ର ଅଞ୍ଚଳ ମାତା କାବେରୀଙ୍କ ଆଶୀର୍ବାଦରେ ବଢ଼ିଛି । ତେଣୁ, ମୋର ପ୍ରଥମ ଅନୁରୋଧ ହେଉଛି ଯେ, ଆମେ ସମସ୍ତେ ପାଣି ସଞ୍ଚୟ କରିବା ଏବଂ ପାଣିକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସଂକଳ୍ପ ନେବା । ମୋର ଦ୍ୱିତୀୟ ଅନୁରୋଧ ଗଛ ଏବଂ ପ୍ରକୃତି ସହିତ ଜଡିତ । ‘ଏକ ପେଡ୍ ମାଆ କେ ନାମ’ ଅଭିଯାନ ଅଧୀନରେ, କୋଟି କୋଟି ଲୋକ ସେମାନଙ୍କ ମାତାଙ୍କ ନାମରେ ଗଛ ଲଗାଇଛନ୍ତି । ଆମେ ମଧ୍ୟ ଆମର ମାତାଙ୍କ ସମ୍ମାନରେ ନିଶ୍ଚୟ ଗଛ ଲାଗଇବା ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବା ଉଚିତ । ମୋର ତୃତୀୟ ଅନୁରୋଧ ହେଉଛି ସ୍ୱଚ୍ଛତା ବିଷୟରେ । ଧାର୍ମିକ ସ୍ଥାନ ହେଉ କିମ୍ବା ସାର୍ବଜନୀନ ସ୍ଥାନ, ଗ୍ରାମ ହେଉ କିମ୍ବା ସହର, ସବୁଠି ସ୍ୱଚ୍ଛତା ବଜାୟ ରଖିବା ଆମର ସାମୂହିକ ଦାୟିତ୍ୱ, ଏହା ଆମର କର୍ତ୍ତବ୍ୟ ମଧ୍ୟ । ମୋର ଚତୁର୍ଥ ଅନୁରୋଧ ହେଉଛି ସ୍ୱଦେଶୀ ଏବଂ ସ୍ୱାବଲମ୍ବନ ସହିତ ଜଡିତ । ଆମେ ଭାରତୀୟ ଉତ୍ପାଦଗୁଡିକୁ ଗ୍ରହଣ କରିବା, ଭାରତୀୟ ନର୍ମାତା ଏବଂ ଶିଳ୍ପକୁ ମଜବୁତ କରିବା । ‘ଭୋକାଲ ଫର୍ ଲୋକାଲ୍’ ମନ୍ତ୍ର ସହିତ ବଞ୍ଚିବା । ମୋର ପଞ୍ଚମ ଅନୁରୋଧ ହେଉଛି ଦେଶର ସୌନ୍ଦର୍ଯ୍ୟ ଦେଖିବା ସହିତ ଜଡିତ । ଆମେ ଆମ ଦେଶକୁ ଜାଣିବା, ଦେଶର ବିଭିନ୍ନ କୋଣକୁ ଭ୍ରମଣ କରିବା ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଚିତ ।
ବନ୍ଧୁଗଣ,
ମାଣ୍ଡ୍ୟା ହେଉଛି ପରିଶ୍ରମୀ କୃଷକଙ୍କ ଭୂମି । ଚାଷୀମାନଙ୍କୁ ମୋର ଷଷ୍ଠ ଅନୁରୋଧ ହେଉଛି ସେମାନେ ରାସାୟନିକ ମୁକ୍ତ ପ୍ରାକୃତିକ କୃଷି ଆଡକୁ ଆଗେଇ ଆସନ୍ତୁ । ମୋର ସପ୍ତମ ଅନୁରୋଧ ସୁସ୍ଥ ଖାଦ୍ୟ ସହିତ ଜଡିତ । ବର୍ତ୍ତମାନ ମାନନୀୟ ଶ୍ରୀ ଦେବେଗୌଡା ଜୀ ଆମ ମଧ୍ୟରେ ଅଛନ୍ତି । ସେ ‘ରାଗି ମୁଦ୍ଦେ’କୁ ଲୋକପ୍ରିୟ କରିବା ପାଇଁ ଜଣାଶୁଣା । ଏହି ସମଗ୍ର ଅଞ୍ଚଳର ଲୋକମାନେ ରାଗିର ଗୁରୁତ୍ୱ ବୁଝିଛନ୍ତି । ଯୁବ ପିଢ଼ି ମଧ୍ୟ ସେମାନଙ୍କ ଖାଦ୍ୟରେ ମିଲେଟ୍ସ ସାମିଲ କରିବା ଉଚିତ । ଆମ ଦେଶରେ ମେଦବହୁଳତା ଏକ ପ୍ରମୁଖ ଆହ୍ୱାନ ପାଲଟିଛି । ଏହାର ମୁକାବିଲା କରିବା ପାଇଁ, ଖାଦ୍ୟରେ ତେଲର ପରିମାଣ ୧୦ ପ୍ରତିଶତ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ମୋର ଅଷ୍ଟମ ଅନୁରୋଧ ଯୋଗ, କ୍ରୀଡା ଏବଂ ଫିଟ୍ନେସ୍ ସହିତ ଜଡିତ । ଆମେ ସମସ୍ତେ ସେଗୁଡିକୁ ଆମ ଜୀବନର ଅଂଶ କରିବା ଉଚିତ । ମୋର ନବମ ଅନୁରୋଧ ସେବା ଭାବନା ସହିତ ଜଡିତ, ଯାହାକୁ ଆପଣମାନେ ଆପଣଙ୍କ କାର୍ଯ୍ୟ ମାଧ୍ୟମରେ ନିରନ୍ତର ପ୍ରମାଣିତ କରୁଛନ୍ତି ।
ବନ୍ଧୁଗଣ,
ଦୁଃଖୀ ଲୋକଙ୍କ ସେବା ସମାଜକୁ ମଜବୁତ କରେ, ଏହା ଆପଣଙ୍କ ଜୀବନ ସହିତ ଏକ ବଡ଼ ଉଦ୍ଦେଶ୍ୟକୁ ଯୋଡିଥାଏ । ଯଦି ଆମେ ସମସ୍ତେ ସଚ୍ଚୋଟତାର ସହିତ ଆଗକୁ ବଢ଼ିବା ଏବଂ ଏହି ନଅଟି ଅନୁରୋଧ ଉପରେ ସଂକଳ୍ପ ନେବା, ତେବେ ଆମେ ଏକ ବିକଶିତ କର୍ଣ୍ଣାଟକ ଏବଂ ଏକ ବିକଶିତ ଭାରତ ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବା । ପୁଣିଥରେ, ମୁଁ ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ମୁଁ ଜଗଦଗୁରୁ ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ନିର୍ମଳାନନ୍ଦନାଥ ମହାସ୍ୱାମୀଜୀ ଏବଂ ଶ୍ରୀ ଆଦି ଚୁଞ୍ଚନଗିରି ମହାସଂସ୍ଥା ମଠ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ଯେ, ଏହି ପବିତ୍ର ଅବସରରେ, ପବିତ୍ର ଭୂମିରେ, ଏହି ତପୋଭୂମିରେ, ଆପଣମାନେ ମୋତେ ନିମନ୍ତ୍ରଣ କରିଥିଲେ, ଆପଣଙ୍କ ସହିତ କିଛି ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।
SR
(ରିଲିଜ ଆଡି: 2253419)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam