ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ହର୍ମୁଜ ଦେଇ ଭାରତକୁ ଆସୁଛି ଆହୁରି ୨୦ ହଜାର ୪୦୦ ମେଟ୍ରିକ ଟନ୍‍ ଏଲ୍‍ପିଜି

ପୋଷ୍ଟ କରାଯିବା ଦିନାଙ୍କ: 11 APR 2026 4:45PM by PIB Bhubaneswar
  • ସ୍ୱାଭାବିକ ରହିଛି ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ଯୋଗାଣ, ଗତକାଲି ୫୧.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ 
  • ବଢ଼ୁଛି ପିଏନ୍‍ଜି ନେଟଓ୍ୱର୍କ: ୨୬,୦୦୦ ରୁ ଅଧିକ ପିଏନ୍‍ଜି ଗ୍ରାହକ ଫେରାଇଲେ ଏଲପିଜି ସଂଯୋଗ 
  • ଗତ ୮ ଦିନ ମଧ୍ୟରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀମାନଙ୍କ ପକ୍ଷରୁ ୫ କିଲୋଗ୍ରାମ ଏଫ୍‍ଟିଏଲ ସିଲିଣ୍ଡର ପାଇଁ ପ୍ରାୟ ୨,୯୦୦ ସଚେତନତା ଶିବିର ଆୟୋଜନ
  • ପ୍ରାୟ ୨୦,୪୦୦ ମେଟ୍ରିକ ଟନ୍ ଏଲପିଜି ନେଇ ଭାରତ ଆସୁଛି ଜାହାଜ 'ଜଗ ବିକ୍ରମ' 
  • ଉପସାଗରୀୟ ଅଞ୍ଚଳରୁ ସୁରକ୍ଷିତ ଫେରିଛନ୍ତି ୨,୦୦୯ ରୁ ଅଧିକ ଭାରତୀୟ ନାବିକ; ଗତ ୨୪ ଘଣ୍ଟା ମଧ୍ୟରେ ଫେରିଛନ୍ତି ୮୧
  • ଭାରତୀୟ ମିଶନ ଏବଂ ପୋଷ୍ଟଗୁଡ଼ିକ ପକ୍ଷରୁ ଚବିଶ ଘଣ୍ଟିଆ ହେଲ୍ପଲାଇନ ଏବଂ ଭାରତୀୟ ନାଗରିକଙ୍କୁ ସକ୍ରିୟ ସହାୟତା ଜାରି 

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ କୂଟନୀତିକ ଓ ବାଣିଜ୍ୟିକ ପଦକ୍ଷେପ ଜାରି ରହିଛି। ଭାରତ ଓ ଭାରତୀୟଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତି ଏବଂ ନିରନ୍ତର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ରହିଛନ୍ତି ଭାରତ ସରକାର। ଶକ୍ତି ଯୋଗାଣକୁ ନିରନ୍ତର ରକ୍ଷା କରିବା ସହ ସାମୁଦ୍ରିକ କାର୍ଯ୍ୟ ଏବଂ ସେହି ଅଞ୍ଚଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ ଭାରତର ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।  

ଶକ୍ତି ଯୋଗାଣକୁ ନିରନ୍ତର କରିବା ସହ ଜାଳେଣିର ସହଜ ଉପଲବ୍‍ଧି ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବ୍ୟାପକ ପଦକ୍ଷେପ ହାତକୁ ନେଇଛି। ହର୍ମୁଜ ପ୍ରଣାଳୀ ଦେଇ ଗ୍ୟାସ୍‍ ଓ ତୈଳ ବୋଝେଇ ଜାହାଜ କିପରି ଭାରତ ଆସିପାରିବ ସେଥିନେଇ କୂଟନୀତିକ ଆଲୋଚନା ସଫଳତା ହାସଲ କରୁଥିବା ସମୟରେ ଦେଶବାସୀଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ସରକାର। ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆତଙ୍କିତ ହୋଇ ନ କିଣିବାକୁ କୁହାଯାଇଛି। ଏ କ୍ଷେତ୍ରରେ ବାହାର ବା ଅସମର୍ଥିତ ସୂଚନାକୁ ଆଧାର ନ କରି କେବଳ କେବଳ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି।

ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ନଯିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନ୍‍ଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକ୍ସନ କୁକ୍-ଟପ୍ ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନର ସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଞ୍ଚୟ କରିବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି।

ଚାଲିଥିବା ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି ଏବଂ ପିଏନ୍‍ଜି ଯୋଗାଣ ସହିତ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦେଇଛନ୍ତି। ରିଫାଇନେରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଯୋଗାଣ ପାଇଁ ପ୍ରାଥମିକତା କ୍ଷେତ୍ର ନିର୍ଦ୍ଧାରଣ କରାଯାଇଛି। ଏଲପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ଉପଭୋକ୍ତାଙ୍କୁ ବିତରଣ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କୋଲିୟରିଜକୁ ନିର୍ଦ୍ଦେଶ ଦେଇଛି।

କଳାବଜାରୀ ଏବଂ ମହଜୁଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅଧୀନରେ କ୍ଷମତା ଦିଆଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନନ୍ଦିନ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ସୋସିଆଲ ମିଡିଆରେ ଗୁଜବକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ୨୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ଏ ବାବଦରେ ଗଣମାଧ୍ୟମକୁ ସୂଚିତ କରୁଛନ୍ତି।

ଏବେକାର ଏଲପିଜି ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏଲପିଜି ବିତରକଙ୍କ ପାଖରେ କୌଣସି ଷ୍ଟକ୍ ଅଭାବ ହୋଇନାହିଁ। ଇଣ୍ଡଷ୍ଟ୍ରିରେ ଅନଲାଇନ ଏଲପିଜି ବୁକିଂ ପ୍ରାୟ ୯୮% କୁ ବୃଦ୍ଧି ପାଇଛି। ୧୦.୦୪.୨୦୨୬ ରେ, ୫୧.୫ ଲକ୍ଷରୁ ଅଧିକ ଘରୋଇ ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି। ଛାତ୍ର ଏବଂ ପ୍ରବାସୀ ଶ୍ରମିକଙ୍କ ସମେତ ଅସହାୟ ସମ୍ପ୍ରଦାୟକୁ ୨୩ ମାର୍ଚ୍ଚ ୨୦୨୬ ରୁ ୧୨ ଲକ୍ଷରୁ ଅଧିକ ୫ କିଲୋଗ୍ରାମର ମୁକ୍ତ ବ୍ୟାପାର (ଏଫଟିଏଲ୍‍) ସିଲିଣ୍ଡର ବିକ୍ରି କରାଯାଇଛି।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ଏବଂ ପରିବହନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଭାରତୀୟ ପତାକାଧାରୀ ଏଲପିଜି ଜାହାଜ 'ଜଗ ବିକ୍ରମ' ପ୍ରାୟ ୨୦,୪୦୦ ମେଟ୍ରିକ ଟନ୍ ଏଲପିଜି କାର୍ଗୋ ଧରି ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଏହା ୧୫ ଏପ୍ରିଲ ୨୦୨୬ ସୁଦ୍ଧା ମୁମ୍ବାଇରେ ପହଞ୍ଚିବାର ସମ୍ଭାବନା ଅଛି। ଶିପିଂ କଣ୍ଟ୍ରୋଲ ରୁମ୍ ୨୪x୭ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ଉପସାଗରୀୟ ଅଞ୍ଚଳରୁ ୨,୦୦୯ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି।

 ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ମିଶନଗୁଡ଼ିକ ଚବିଶ ଘଣ୍ଟିଆ ହେଲ୍ପଲାଇନ ଚଳାଉଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ସକ୍ରିୟ ସହାୟତା ପ୍ରଦାନ କରୁଛନ୍ତି। ୨୮ ଫେବୃଆରୀ ପରଠାରୁ ପ୍ରାୟ ୮,୭୧,୦୦୦ ଯାତ୍ରୀ ସେହି ଅଞ୍ଚଳରୁ ଭାରତ ଭ୍ରମଣ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସକୁ ପ୍ରାୟ ୯୫ଟି ବିମାନ ଆଜି ଚଳାଚଳ କରିବାର ଆଶା ଅଛି। ଇରାନା ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ୨,୨୨୫ ଜଣ ଭାରତୀୟ ନାଗରିକଙ୍କୁ (୯୮୧ ଜଣ ଛାତ୍ର ଏବଂ ୬୬୨ ଜଣ ମତ୍ସ୍ୟଜୀବୀଙ୍କ ସମେତ) ଆର୍ମେନିଆ ଏବଂ ଆଜରବାଇଜାନ ମାଧ୍ୟମରେ ଭାରତକୁ ଯିବାରେ ସହାୟତା କରିଛି। ଇସ୍ରାଏଲ ଏବଂ କୁଏତରେ ଆକାଶମାର୍ଗ ବନ୍ଦ ଥିବା କାରଣରୁ ଜୋର୍ଡାନ, ମିଶର ଏବଂ ସାଉଦି ଆରବ ମାଧ୍ୟମରେ ଭାରତୀୟ ନାଗରିକଙ୍କ ଯାତ୍ରାକୁ ସୁଗମ କରାଯାଉଛି।

/HP


(ରିଲିଜ ଆଡି: 2251210) ପରିଦର୍ଶକ କାଉଣ୍ଟର : 7