ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଭ୍ରମାତ୍ମକ ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ, ପିଆଇବିର ୨,୯୦୦ରୁ ଅଧିକ ସନ୍ଦେହଜନକ ସୂଚନାର ସଠିକ ତଥ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2026 3:39PM by PIB Bhubaneswar
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ଭାରତ ସରକାରଙ୍କ ସହ ଜଡିତ ୨୯୧୩ଟି ମିଥ୍ୟା ସୂଚନା ତଥା ଖବରକୁ ଚିହ୍ନଟ କରିଛି, ଯେଉଁଥିରେ ଡିପ୍ଫେକ୍, ଏଆଇ -ଦ୍ୱାରା ପ୍ରସ୍ତୁତ ଏବଂ ବିଭ୍ରାନ୍ତିକର ଭିଡିଓ, ବିଜ୍ଞପ୍ତି, ଚିଠି ଏବଂ ୱେବସାଇଟ୍ ପ୍ରଭୃତି ଅନ୍ତର୍ଭୁକ୍ତ।
ଏ ସମସ୍ତ ଫ୍ୟାକ୍ଟ-ଚେକ୍ ପିଆଇବି ଫ୍ୟାକ୍ଟ ଚେକ୍ର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା- ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ଟେଲିଗ୍ରାମ, ଥ୍ରେଡସ୍ ଏବଂ ହ୍ୱାଟସ୍ଆପ୍ ଚ୍ୟାନେଲରେ ଉପଲବ୍ଧ ରହିଛି । ଆଜି ଲୋକସଭାରେ ସଦସ୍ୟ ଶ୍ରୀ ଭି.କେ. ଶ୍ରୀକନ୍ଦନଙ୍କ ଏକ ଅଣ-ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନଙ୍କ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇଛି।
ଏଥିରେ କୁହାଯାଇଛି, 'ଅପରେସନ୍ ସିନ୍ଦୂର' ସମୟରେ, ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ସକ୍ରିୟ ଭାବରେ ଅନ୍ଲାଇନ୍ରେ ବ୍ୟାପୁଥିବା ଭ୍ରମାତ୍ମକ ସୂଚନା ଏବଂ ବିରୋଧୀ ଆଖ୍ୟାନଗୁଡ଼ିକୁ ଚିହ୍ନଟ କରିଥିଲା। ଏହା ମିଥ୍ୟା ଦାବିଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିବା, ପ୍ରାମାଣିକ ସୂଚନା ପ୍ରଦାନ କରିବା ଏବଂ ସଠିକ୍ ଜନସମ୍ପର୍କ ନିଶ୍ଚିତ କରିବା ଦିଗରେ ତୁରନ୍ତ କାର୍ଯ୍ୟ କରିଥିଲା, ଯାହାଦ୍ୱାରା ବିଭ୍ରାନ୍ତିକର ଏବଂ ଭାରତ ବିରୋଧୀ ଆଖ୍ୟାନର ପ୍ରସାରକୁ ରୋକିବାରେ ସାହାଯ୍ୟ ମିଳିଥିଲା। ଅପରେସନ୍ ସିନ୍ଦୂର ସମୟରେ ମନ୍ତ୍ରଣାଳୟ ଡିଜିଟାଲ୍ ମିଡିଆରେ ଏଭଳି ୧,୪୦୦ ରୁ ଅଧିକ ୟୁଆରଏଲକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା।
ଡିଜିଟାଲ ମିଡିଆରେ ସମ୍ବାଦ ଏବଂ ସାମ୍ପ୍ରତିକ ଘଟଣାବଳୀର ପ୍ରକାଶକ ଏବଂ ଅନଲାଇନ୍ କ୍ୟୁରେଟେଡ୍ କଣ୍ଟେଣ୍ଟର ପ୍ରକାଶକମାନଙ୍କ ପାଇଁ, ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା ସଂହିତା) ନିୟମ, ୨୦୨୧ ଏକ ନୈତିକତା ସଂହିତା ସହିତ ଏହି ପ୍ରକାଶକମାନଙ୍କ ଦ୍ୱାରା ନୈତିକତା ସଂହିତା ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏକ ତ୍ରି-ସ୍ତରୀୟ ପ୍ରତିଷ୍ଠାନିକ ବ୍ୟବସ୍ଥା ପ୍ରଦାନ କରେ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଅଧୀନରେ ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ ) କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ମିଥ୍ୟା ଖବର ଏବଂ ଭ୍ରମାତ୍ମକ ସୂଚନାଗୁଡ଼ିକୁ ଏହି ୟୁନିଟ ଚିହ୍ନଟ କରିଥାଏ। ଅଧିକୃତ ସୂତ୍ରରୁ ଖବରର ସତ୍ୟତା ଯାଞ୍ଚ କରିବା ପରେ, ୟୁନିଟ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଠିକ୍ ସୂଚନା ପ୍ରକାଶ କରିଥାଏ। ଏହାବ୍ୟତୀତ, ଏହା ନାଗରିକମାନଙ୍କୁ ଯାଞ୍ଚ ପାଇଁ ସନ୍ଦେହଜନକ ବିଷୟବସ୍ତୁ ବିଷୟରେ ଜଣାଇବାକୁ ଉତ୍ସାହିତ କରିଥାଏ, ଯାହାଦ୍ୱାରା ଭ୍ରମାତ୍ମକ ସୂଚନା ବିରୋଧରେ ଲଢ଼େଇରେ ଜନସାଧାରଣଙ୍କ ଅଂଶଗ୍ରହଣ ସୁଦୃଢ଼ ହୋଇଥାଏ।
(ରିଲିଜ ଆଡି: 2249245)
ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Bengali-TR
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam