ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଆଇଆଇସିଟି ପରିଦର୍ଶନ କରି ସଂପ୍ରସାରଣ ଯୋଜନା ଓ କଣ୍ଟେଣ୍ଟ କ୍ରିଏଟର ଲାବ୍ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ସଚିବ
ପୋଷ୍ଟ କରାଯିବା ଦିନାଙ୍କ:
18 MAR 2026 6:13PM by PIB Bhubaneshwar
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ମୁମ୍ବାଇର ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ପରିସରରେ ଥିବା ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟି) ପରିଦର୍ଶନ କରିଥିଲେ ଏବଂ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା କରିଥିଲେ।


ଏହି ସମୀକ୍ଷା ବୈଠକରେ ସମସ୍ତ ବୋର୍ଡ ସଦସ୍ୟ ଏବଂ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶ୍ରୀ ଜାଜୁ ପ୍ରତିଷ୍ଠାନର ନେତୃତ୍ୱ ଦଳ ସହିତ ଏହାର ରଣନୈତିକ ଢାଞ୍ଚା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାର ପ୍ରାଥମିକ ଲକ୍ଷ୍ୟ ଥିଲା ଆଇଆଇସିଟିର ଶିକ୍ଷାଗତ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମିକୁ ସୃଜନଶୀଳ ଏବଂ ଡିଜିଟାଲ୍ ଅର୍ଥନୀତିର ବିକଶିତ ଚାହିଦା ସହିତ ସମନ୍ୱୟ କରିବା। ସେ ଶିଳ୍ପ-ଶିକ୍ଷାକ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ।
ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜାଜୁ କହିଥିଲେ ଯେ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି, ଏବଂ ପ୍ରାୟ ୧୫୦ ଜଣ ଛାତ୍ର ଆଇଆଇସିଟିରେ ସେମାନଙ୍କର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି। ଜୁଲାଇ ସୁଦ୍ଧା ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ରହିବେ ଭୌତିକ ମାଧ୍ୟମରେ ୨୦ଟି ଓ ଭର୍ଚୁଆଲ ମାଧ୍ୟମରେ ଆହୁରି ଅନେକ ଷ୍ଟାର୍ଟଅପ୍ । ଏହି ପ୍ରତିଷ୍ଠାନ ପ୍ରଡକ୍ସନ ଓ ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ପାଇଁ ଉଚ୍ଚମାନର ଭିତ୍ତିଭୂମି ପ୍ରଦାନ କରେ। ସେ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଆଇଆଇସିଟି ରେ ୧୧ ଟି ଷ୍ଟାର୍ଟଅପ୍ ଇନକ୍ୟୁବେସନ ହେଉଛନ୍ତି। ଶ୍ରୀ ଜାଜୁ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଫିଲ୍ମ ସିଟି, ଗୋରେଗାଓଁରେ ଏକ ବୃହତ କ୍ୟାମ୍ପସ୍ ଖୁବ୍ ଶୀଘ୍ର ବିକଶିତ ହେବାକୁ ଯାଉଛି, ଏବଂ ୨୦୨୮ ରେ ସେଠାରେ ପାଠ୍ୟକ୍ରମ ଆରମ୍ଭ ହେବାର ଆଶା କରାଯାଉଛି।
ବୈଠକ ସମୟରେ ହୋଇଥିବା ଆଲୋଚନା ବିଷୟରେ ସୂଚନା ଏବଂ ପ୍ରସାରଣ ସଚିବ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ବଜେଟରେ ଘୋଷିତ ଭିଜୁଆଲ୍ ଗେମିଂ, ଭିଏଫଏକ୍ସ ଏବଂ କଣ୍ଟେଣ୍ଟ ସୃଷ୍ଟି ପ୍ରୟୋଗଶାଳା ସମ୍ପର୍କରେ ଶିଳ୍ପ ଅଂଶୀଦାରମାନଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା। ଶ୍ରୀ ଜାଜୁ କହିଥିଲେ ଯେ ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ସୃଜନଶୀଳ ଅର୍ଥନୀତିକୁ ଆହୁରି ମଜବୁତ କରିବା। ଗତ ବର୍ଷ, 'ଓ୍ବେଭ୍ସ' ଶିଖର ସମ୍ମିଳନୀ ସମୟରେ, "ନାରଙ୍ଗୀ ଅର୍ଥନୀତି" ପ୍ରୟାସ ଅଧୀନରେ ୨ ନିୟୁତ ଲୋକଙ୍କୁ କଣ୍ଟେଣ୍ଟ ସୃଷ୍ଟି ଏବଂ ସୃଜନଶୀଳ କ୍ଷେତ୍ର ସହିତ ଯୋଡ଼ିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆଜିର ଆଲୋଚନା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଥିଲା ବୋଲି ସେ କହିଥିଲେ।
ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଏବଂ ୫୦୦ କଲେଜରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଆଲୋଚନା କରିବା ଏହି ଗସ୍ତର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା, ମିଡିଆ ସାକ୍ଷରତାକୁ ବୃଦ୍ଧି କରିବା ଏବଂ କ୍ରିଏଟର ଅର୍ଥନୀତି ମଧ୍ୟରେ ଉଦୀୟମାନ ସୁଯୋଗ ସହିତ ସମନ୍ୱିତ ବିଷୟବସ୍ତୁ ସୃଷ୍ଟି ଦକ୍ଷତା ସହିତ ଛାତ୍ରଛାତ୍ରୀମାନଙ୍କୁ ସଜ୍ଜିତ କରିବା।
ଶ୍ରୀ ଜାଜୁ ପ୍ରତିଷ୍ଠାନର ଅତ୍ୟାଧୁନିକ ସୁବିଧାଗୁଡ଼ିକର ପରିଦର୍ଶନ କରିଥିଲେ, ଯେଉଁଥିରେ ତାଲିମ କାର୍ଯ୍ୟକ୍ରମ, ନିର୍ମାଣ ଭିତ୍ତିଭୂମି ଏବଂ ନବସୃଜନ କେନ୍ଦ୍ର ଅନ୍ତର୍ଭୁକ୍ତ। ସେ ବୋର୍ଡର ସଦସ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଭାରତର ସୃଜନଶୀଳ ପ୍ରତିଭା ଇକୋସିଷ୍ଟମକୁ ପୋଷଣ କରିବାରେ ଆଇଆଇସିଟିର ଭୂମିକା ବିଷୟରେ ଆଲୋଚନା କରିଥିଲେ।
ଏହି ପ୍ରତିଷ୍ଠାନ ଏବେ ଆନିମେସନ, ଗେମିଂ,ପୋଷ୍ଟ-ପ୍ରଡକ୍ସନ ଓ ଏକ୍ସଟେଣ୍ଡେଡ ରିଆଲିଟି କ୍ଷେତ୍ରରେ ୧୮ଟି ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରୁଛି। ଏଥିରେ ଗେମିଂରେ ଛଅଟି ପାଠ୍ୟକ୍ରମ, ପୋଷ୍ଟ-ପ୍ରଡକ୍ସନରେ ଚାରୋଟି ଏବଂ ଆନିମେସନ୍, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି ସହିତ ଆଠଟି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଆନିମେସନ୍ ଫିଲ୍ମ ଡିଜାଇନ୍, ଇଣ୍ଟରାକ୍ଟିଭ୍ ଭିଡିଓ ଗେମ୍ ଡିଜାଇନ୍ ଏବଂ ଡେଭଲପମେଣ୍ଟ, ଏବଂ ପୋଷ୍ଟ-ପ୍ରଡକ୍ସନ୍ ଏବଂ ଭିଜୁଆଲ୍ ଇଫେକ୍ଟସ୍ କଳା ଏବଂ ବିଜ୍ଞାନରେ ୨୪ ମାସର ସ୍ନାତକ ଡିପ୍ଲୋମା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ।
ଏହା ସହିତ, ଏହି ପ୍ରତିଷ୍ଠାନ ଥ୍ରୀଡି କ୍ୟାରେକ୍ଟର ଡିଜାଇନ୍, ଭିଜୁଆଲ୍ ଇଫେକ୍ଟସ୍, ସିନେମାଟିକ୍ ଭର୍ଚୁଆଲ୍ ରିଆଲିଟି ଫିଲ୍ମ ନିର୍ମାଣ, ଇସ୍ପୋର୍ଟସ୍ ପରିଚାଳନା ଏବଂ ଫିଲ୍ମ ନିର୍ମାଣରେ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ତିନି ରୁ ଛଅ ମାସ ପର୍ଯ୍ୟନ୍ତ କ୍ଷୁଦ୍ରକାଳୀନ ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମ ପ୍ରଦାନ କରୁଛି।
ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଡିଜିଟାଲ୍ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ସାଂସ୍ଥାଗତ ଢାଞ୍ଚାକୁ ମଜବୁତ କରିବା ଉପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିରନ୍ତର ଗୁରୁତ୍ୱକୁ ଏହି ଗସ୍ତ ଗୁରୁତ୍ୱ ଦିଏ।
ଏହି ଗସ୍ତ ଅବସରରେ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ସଚିବ ଜାତୀୟ ଭାରତୀୟ ସିନେମା ସଂଗ୍ରହାଳୟ (ଏନଏମଆଇସି) ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ସ୍କୁଲ ପିଲାମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିଥିଲେ।
TKM
(ରିଲିଜ ଆଡି: 2242279)
ପରିଦର୍ଶକ କାଉଣ୍ଟର : 4