ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଭାରତ-ଓମାନ ବ୍ୟବସାୟ ଫୋରମରେ ଯୋଗ ଦେଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
18 DEC 2025 4:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟରେ ଭାରତ-ଓମାନ ବ୍ୟବସାୟ ଫୋରମକୁ ସମ୍ବୋଧିତ କରିଛନ୍ତି। ଓମାନର ବାଣିଜ୍ୟ, ଶିଳ୍ପ ଏବଂ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ମହାମହିମ କାଇସ ଅଲ ୟୁସେଫ୍ ଓମାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଶେଖ ଫୈସଲ ଅଲ ରାୱାସ , ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ ସିଆଇଆଇର ଅଧ୍ୟକ୍ଷ ଶ୍ରୀ ରାଜୀବ ମେମାନି ବୈଠକରେ ଯୋଗ ଦେଇଥିଲେ। ଫୋରମରେ ଶକ୍ତି, କୃଷି, ଲଜିଷ୍ଟିକ୍ସ, ଭିତ୍ତିଭୂମି, ଉତ୍ପାଦନ, ସ୍ୱାସ୍ଥ୍ୟ, ଆର୍ଥିକ ସେବା, ସବୁଜ ବିକାଶ, ଶିକ୍ଷା ଏବଂ ସଂଯୋଗ କ୍ଷେତ୍ରରେ ଉଭୟ ଦେଶର ପ୍ରମୁଖ ବ୍ୟବସାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ମାଣ୍ଡଭିରୁ ମସ୍କଟ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ପୁରୁଣା ସାମୁଦ୍ରିକ ବାଣିଜ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ, ଯାହା ଆଜି ସ୍ପନ୍ଦନଶୀଳ ବାଣିଜ୍ୟିକ ଆଦାନ-ପ୍ରଦାନର ଆଧାର। ସେ ଉଲ୍ଲେଖ କରିଥିଲେ ଯେ 70 ବର୍ଷର କୂଟନୈତିକ ସମ୍ପର୍କ ଶତାବ୍ଦୀ-ଶତାଦ୍ଧୀ ଧରି ନିର୍ମିତ ବିଶ୍ୱାସ ଏବଂ ବନ୍ଧୁତାକୁ ପ୍ରତିନିଧିତ୍ୱ କରୁଛି । ପ୍ରଧାନମନ୍ତ୍ରୀ ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା (ସିଇପିଏ)ର ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବାକୁ ବ୍ୟବସାୟୀ ନେତାମାନଙ୍କୁ ଆହ୍ୱାନ କରିଥିଲେ, ଯାହାକୁ ସେ ଭାରତ-ଓମାନ ସହଭାଗୀ ଭବିଷ୍ୟତର ବ୍ଲୁ-ପ୍ରିଣ୍ଟ ଭାବରେ ବର୍ଣ୍ଣନା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସିଇପିଏ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କରେ ନୂତନ ଶକ୍ତି ସଞ୍ଚାର କରିବ ଏବଂ ପାରସ୍ପରିକ ଅଭିବୃଦ୍ଧି, ନବସୃଜନ ଏବଂ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ।
ଗତ 11 ବର୍ଷ ମଧ୍ୟରେ ଭାରତର ଆର୍ଥିକ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସୁଶାସନ ଏବଂ ଉଚ୍ଚ - ନିବେଶକଙ୍କ ବିଶ୍ୱାସ ଯୋଗୁଁ ଦେଶ, ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢ଼ୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଅନିଶ୍ଚିତତାର ପରିବେଶରେ ଭାରତର ଉଚ୍ଚ ଅଭିବୃଦ୍ଧି , ଗତ ତ୍ରୈମାସିକରେ ୮% ରୁ ଅଧିକ । ଏହା ସ୍ଥିର ପ୍ରକୃତି ଏବଂ ଅନ୍ତର୍ନିହିତ ଶକ୍ତିକୁ ଦର୍ଶାଉଛି। ସେ ରେଖାଙ୍କିତ କରିଥିଲେ ଯେ ଭାରତ "ସହଜ ଜୀବନ ଯାପନ" ଏବଂ "ସହଜ ବ୍ୟବସାୟ"କୁ ବୃଦ୍ଧି କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଲଜିଷ୍ଟିକ୍ସ, ସଂଯୋଗୀକରଣ, ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ, ଉତ୍ପାଦନ କ୍ଷମତା ଏବଂ ସବୁଜ ଅଭିବୃଦ୍ଧି ସୃଷ୍ଟି କରିବା ପାଇଁ ,ଦ୍ରୁତ ଏବଂ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଛି । ସେ ଓମାନି ବ୍ୟବସାୟଗୁଡ଼ିକୁ ଶକ୍ତି, ତୈଳ ଏବଂ ଗ୍ୟାସ, ପେଟ୍ରୋକେମିକାଲ୍ସ ଏବଂ ସାରର ପାରମ୍ପରିକ କ୍ଷେତ୍ର ବାହାରେ ଦେଖିବାକୁ ଏବଂ ସବୁଜ ଶକ୍ତି, ସୌର ପାର୍କ, ଶକ୍ତି ସଂରକ୍ଷଣ, ସ୍ମାର୍ଟ ଗ୍ରୀଡ୍, କୃଷି-ପ୍ରଯୁକ୍ତିବିଦ୍ୟା, ଫିନଟେକ୍, ଏଆଇ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଥିଲେ। ଭବିଷ୍ୟତରେ ବ୍ୟବସାୟିକ ସହଭାଗୀତାକୁ ପ୍ରସ୍ତୁତ କରିବା ପାଇଁ ସେ ଭାରତ-ଓମାନ କୃଷି ନବସୃଜନ ହବ୍ ଏବଂ ଭାରତ-ଓମାନ ନବସୃଜନ ସେତୁ ସୃଷ୍ଟି କରିବାର ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏଗୁଡ଼ିକ କେବଳ ଧାରଣା ନୁହେଁ, ବରଂ ନିବେଶ, ନବସୃଜନ ଏବଂ ମିଳିତ ଭାବରେ ଭବିଷ୍ୟତ ନିର୍ମାଣ ପାଇଁ ନିମନ୍ତ୍ରଣ ଅଟେ ।
ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବ୍ୟବସାୟ ଜଗତର ବିଶିଷ୍ଟବ୍ୟକ୍ତି ଏବଂ ନେତାମାନଙ୍କ ଦୃଢ଼ ଉପସ୍ଥିତିକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ନୀତି ସହିତ ଉଦ୍ୟୋଗକୁ ସଂଯୋଗ କରିବାକୁ ଏବଂ ସିଇପିଏ କୁ ଉଚ୍ଚ ଶଖରକୁ ଯିବା ପାଇଁ ଆହ୍ୱାନ ଦେଇଥିଲେ। ସେ ଏହି କଥା ଉପରେ ପୁଣିଥରେ ଗୁରୁତ୍ବ ଦେଇ କହିଥିଲେ ଯେ ଭାରତ ଏବଂ ଓମାନ କେବଳ ନିକଟ ପଡ଼ୋଶୀ ନୁହଁନ୍ତି, ବରଂ ରଣନୈତିକ ଅଂଶୀଦାର ଅଟନ୍ତି ଯାହା ଏହି କ୍ଷେତ୍ର ଏବଂ ଏହା ବାହାରେ ଥିବା ସ୍ଥିରତା, ବିକାଶଏବଂ ସହଭାଗୀ ସମୃଦ୍ଧି ପାଇଁ ପ୍ରତିଶୃତି ବଦ୍ଧ ।
NS
***
(ରିଲିଜ ଆଡି: 2237013)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
Gujarati
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam