ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ପୋଷ୍ଟ କରାଯିବା ଦିନାଙ୍କ: 27 JAN 2026 2:36PM by PIB Bhubaneshwar

ମହାମହିମ,

ରାଷ୍ଟ୍ରପତି ଆଣ୍ଟୋନିଓ କୋଷ୍ଟା ଏବଂ ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର୍ ଲେଏନ୍,

ଉଭୟ ଦେଶର ପ୍ରତିନିଧିଗଣ,

 

ଗଣମାଧ୍ୟମର ବନ୍ଧୁଗଣ,

 

ନମସ୍କାର!

ଭାରତକୁ ଏହି ଐତିହାସିକ ଗସ୍ତରେ ମୋର ଦୁଇ ଘନିଷ୍ଠ ବନ୍ଧୁ, ରାଷ୍ଟ୍ରପତି କୋଷ୍ଟା ଏବଂ ରାଷ୍ଟ୍ରପତି ଭନ୍ ଡେର୍ ଲେଏନ୍ ଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

 

ରାଷ୍ଟ୍ରପତି କୋଷ୍ଟା ତାଙ୍କର ସରଳ ଜୀବନଶୈଳୀ ଏବଂ ସମାଜ ପ୍ରତି ଗଭୀର ପ୍ରତିବଦ୍ଧତା ପାଇଁ ବହୁଳ ଭାବରେ ପ୍ରଶଂସିତ, ଯାହା ତାଙ୍କୁ "ଲିସବନ୍ ଗାନ୍ଧୀ"ର ସ୍ନେହପୂର୍ଣ୍ଣ ଉପାଧି ପ୍ରଦାନ କରିଛି। ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର୍ ଲେଏନ୍ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ, ସେ କେବଳ ଜର୍ମାନୀର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନୁହଁନ୍ତି ବରଂ ୟୁରୋପୀୟ ୟୁନିଅନ୍ କମିଶନର ପ୍ରଥମ ମହିଳା ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି।।

 

ଗତକାଲି ଏକ ଐତିହାସିକ ମୁହୂର୍ତ୍ତ ଥିଲା ଯେତେବେଳେ ପ୍ରଥମ ଥର ପାଇଁ ୟୁରୋପୀୟ ସଂଘର ନେତାମାନେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଆଜି ଆଉ ଏକ ଐତିହାସିକ ଅବସର, କାରଣ ବିଶ୍ୱର ଦୁଇଟି ସର୍ବବୃହତ ଗଣତାନ୍ତ୍ରିକ ଶକ୍ତି ସେମାନଙ୍କ ସମ୍ପର୍କରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ସୃଷ୍ଟି କରୁଛି।

 

ବନ୍ଧୁଗଣ,

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ଏବଂ ୟୁରୋପୀୟ ସଂଘ ସମ୍ପର୍କ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆର୍ଥିକ ସମନ୍ୱୟ ଏବଂ ଦୃଢ଼ ଜନସାଧାରଣଙ୍କ ମଧ୍ୟରେ ଥିବା  ସମ୍ପର୍କ ଉପରେ ଆଧାରିତ ଆମର ସହଭାଗୀତା ନୂତନ ଶିଖରରେ ପହଞ୍ଚିଛି। ଆଜି, ଆମର ୧୮୦  ବିଲିୟନ ୟୁରୋ ମୂଲ୍ୟର ବାଣିଜ୍ୟ ଅଛି। ୮୦୦,୦୦୦ରୁ ଅଧିକ ଭାରତୀୟ ୟୁରୋପୀୟ ସଂଘ ଦେଶଗୁଡ଼ିକରେ ବାସ କରୁଛନ୍ତି ଏବଂ ସକ୍ରିୟ ଭାବରେ ଯୋଗଦାନ ମଧ୍ୟ ଦେଉଛନ୍ତି।

 

ଆମେ ରଣନୈତିକ ପ୍ରଯୁକ୍ତିବିଦ୍ୟା ଠାରୁ ସ୍ୱଚ୍ଛ ଶକ୍ତି, ଡିଜିଟାଲ ଶାସନ ଠାରୁ ବିକାଶ ସହଭାଗୀତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ନୂତନ ଦିଗ ସ୍ଥାପନ କରିଛୁ। ଏହି ସଫଳତା ଉପରେ ଆଧାରିତ ହୋଇ, ଆଜିର ଶିଖର ସମ୍ମିଳନୀରେ, ଆମେ ଅନେକ ନିଷ୍ପତ୍ତି ନେଇଛୁ ଯାହା ସମାଜର ସମସ୍ତ ବର୍ଗକୁ ଲାଭଦାୟକ ହେବ।

 

ବନ୍ଧୁଗଣ,

 

ଆଜି, ଭାରତ ଏହାର ଇତିହାସର ସର୍ବବୃହତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ କରିଛି। ଏହା ଏକ ଖୁସିର ସଂଯୋଗ ଯେ ମାସର ୨୭  ତାରିଖରେ, ଭାରତ ୟୁରୋପୀୟ ସଂଘର ୨୭ ଟି ରାଷ୍ଟ୍ର ସହିତ ଏହି ଏଫଟିଏ ସ୍ୱାକ୍ଷର କରୁଛି। ଏହି ଐତିହାସିକ ଚୁକ୍ତିନାମା ଆମର କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ୟୁରୋପୀୟ ବଜାରକୁ ସହଜ ପ୍ରବେଶକୁ ସୁବିଧା ପ୍ରଦାନ କରିବ, ଉତ୍ପାଦନରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଆମର ସେବା କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବ।

 

ଏହା ବ୍ୟତୀତ, ଏହି ଏଫଟିଏ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ନିବେଶକୁ ବୃଦ୍ଧି କରିବ, ନୂତନ ନବସୃଜନ ସହଭାଗୀତାକୁ ପ୍ରୋତ୍ସାହିତ କରିବ ଓ  ବିଶ୍ୱ ସ୍ତରରେ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ ​​କରିବ। ଅନ୍ୟ ଶବ୍ଦରେ, ଏହା କେବଳ ଏକ ବାଣିଜ୍ୟ ଚୁକ୍ତି ନୁହେଁ; ଏହା ସହଭାଗୀ ସମୃଦ୍ଧି ପାଇଁ ଏକ ନୂତନ ବ୍ଲୁପ୍ରିଣ୍ଟ।

 

ବନ୍ଧୁଗଣ,

 

ଏହି ମହତ୍ୱାକାଂକ୍ଷୀ ଏଫଟିଏ ସହିତ, ଆମେ ଗତିଶୀଳତା ପାଇଁ ଏକ ନୂତନ ଢାଞ୍ଚା ମଧ୍ୟ ସୃଷ୍ଟି କରୁଛୁ। ଏହା ଭାରତୀୟ ଛାତ୍ର, ଶ୍ରମିକ ଏବଂ ବୃତ୍ତିଗତଙ୍କ ପାଇଁ ୟୁରୋପୀୟ ସଂଘରେ ନୂତନ ସୁଯୋଗ ଖୋଲିବ। ଆମର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୀର୍ଘସ୍ଥାୟୀ ଏବଂ ବ୍ୟାପକ ସହଯୋଗ ରହିଛି। ଆଜି, ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସଂଯୋଗଗୁଡ଼ିକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛୁ।

 

ବନ୍ଧୁଗଣ,

 

ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଯେକୌଣସି ରଣନୈତିକ ସହଭାଗୀର ମୂଳଦୁଆ। ଏବଂ ଆଜି, ଆମେ ଏହାକୁ ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା ମାଧ୍ୟମରେ ଆନୁଷ୍ଠାନିକ କରୁଛୁ। ଏହା ଆତଙ୍କବାଦ ବିରୋଧୀ, ସାମୁଦ୍ରିକ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଆମର ସହଭାଗୀତାକୁ ଆହୁରି ଘନିଷ୍ଠ କରିବ।

 

ଏହା ଏକ ନିୟମ-ଆଧାରିତ ଅନ୍ତର୍ଜାତୀୟ କ୍ରମ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ ​​କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମର ସହଯୋଗ ବୃଦ୍ଧି ପାଇବ, ଏବଂ ଆମର ପ୍ରତିରକ୍ଷା କମ୍ପାନୀଗୁଡ଼ିକ ସହ-ବିକାଶ ଓ  ସହ-ଉତ୍ପାଦନ ଉପରେ ଏକାଠି କାମ କରିବା ପାଇଁ ନୂତନ ସୁଯୋଗ ପାଇବେ।

 

ବନ୍ଧୁଗଣ,

ଆଜିର ଏହି ସଫଳତାକୁ ଆଧାର କରି, ଆମେ ଆଗାମୀ ପାଞ୍ଚ ବର୍ଷ ପାଇଁ ଏକ ଆହୁରି ମହତ୍ୱାକାଂକ୍ଷୀ ଏବଂ ସାମଗ୍ରିକ ରଣନୈତିକ କାର୍ଯ୍ୟସୂଚୀ ଆରମ୍ଭ କରୁଛୁ। ଏକ ଜଟିଳ ବିଶ୍ୱ ପରିବେଶରେ, ଏହି କାର୍ଯ୍ୟସୂଚୀ ସ୍ପଷ୍ଟ ଦିଗଦର୍ଶନ ପ୍ରଦାନ କରିବ, ଆମର ସହଭାଗୀ ସମୃଦ୍ଧିକୁ ଆଗକୁ ବଢ଼ାଇବ, ନବସୃଜନକୁ ତ୍ୱରାନ୍ୱିତ କରିବ, ସୁରକ୍ଷା ସହଯୋଗକୁ ମଜବୁତ କରିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି  ନିବିଡ କରିବ।

 

ବନ୍ଧୁଗଣ,

 

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ହେଉଛି  "ବିଶ୍ୱ ମଙ୍ଗଳ ପାଇଁ ସହଭାଗୀତା" ଗଠନ କରିବା । ଆମେ ଭାରତ-ପ୍ରଶାନ୍ତ ମହାସାଗରରୁ କାରିବିଆନ ପର୍ଯ୍ୟନ୍ତ ତ୍ରିପାକ୍ଷିକ ପ୍ରକଳ୍ପଗୁଡ଼ିକୁ ବିସ୍ତାର କରିବୁ, ଏହାଦ୍ୱାରା ସ୍ଥାୟୀ କୃଷି, ସ୍ୱଚ୍ଛ ଶକ୍ତି ଏବଂ ମହିଳା ସଶକ୍ତିକରଣ ପାଇଁ ଦୃଶ୍ଯ ସମର୍ଥନ ପ୍ରଦାନ କରିବୁ। ଏକାଠି, ଆମେ ବିଶ୍ୱ ବାଣିଜ୍ୟ ଏବଂ ସ୍ଥାୟୀ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଆଈଏମଇସି କରିଡରକୁ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରିବୁ।

 

ବନ୍ଧୁଗଣ,

 

ଆଜି, ବିଶ୍ୱ ବ୍ୟବସ୍ଥା ଗଭୀର ଅସ୍ଥିରତା ଦେଇ ଗତି କରୁଛି। ଏହି ପରିପ୍ରେକ୍ଷୀରେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗୀତା ଅନ୍ତର୍ଜାତୀୟ ବ୍ୟବସ୍ଥା ମଧ୍ୟରେ ସ୍ଥିରତାକୁ ସୁଦୃଢ଼ ​​କରିବ। ଏହି ପୃଷ୍ଠଭୂମିରେ, ଆମେ ଆଜି ୟୁକ୍ରେନ, ପଶ୍ଚିମ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗର ସମେତ ଅନେକ ବିଶ୍ୱ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛୁ। ବହୁପାକ୍ଷିକତା ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ପ୍ରତି ସମ୍ମାନ ଆମର ସହଭାଗୀ ପ୍ରାଥମିକତା ରହିଛି । ଆମେ ଆମର ବିଚାରରେ ଏକଜୁଟ ଯେ ଆମ ସମୟର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଅତ୍ୟନ୍ତ ଆବଶ୍ୟକ ।

 

ବନ୍ଧୁଗଣ,

ଦେଶମାନଙ୍କ ମଧ୍ୟରେ ସମ୍ପର୍କର ଗତିପଥରେ, ଏପରି କିଛି ମୁହୂର୍ତ୍ତ ଆସେ ଯେତେବେଳେ ଇତିହାସ ପ୍ରମାଣ କରିଥାଏ  ଯେ ଏହିଠାରୁ ଦିଗ ପରିବର୍ତ୍ତନ ହୋଇଛି, ଏହିଠାରୁ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଜିର ଐତିହାସିକ ଶିଖର ସମ୍ମିଳନୀ ଏପରି ଏକ ମୁହୂର୍ତ୍ତକୁ ପ୍ରତିନିଧିତ୍ୱ କରେ।

 

ମୁଁ ପୁଣିଥରେ ରାଷ୍ଟ୍ରପତି କୋଷ୍ଟା ଏବଂ ରାଷ୍ଟ୍ରପତି ଭନ୍ ଡେର ଲେଏନ୍ଙ୍କୁଙ୍କ  ଏହି ଅଭୂତପୂର୍ବ ଗସ୍ତ ପାଇଁ, ଭାରତ ପ୍ରତି ଆପଣଙ୍କ ବନ୍ଧୁତା ପାଇଁ ଏବଂ ଆମର ସହଭାଗୀ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିବଦ୍ଧତା ପାଇଁ ମୋର ହୃଦୟସ୍ପର୍ଶୀ କୃତଜ୍ଞତା ଜଣାଉଛି।

 

ଅସ୍ୱୀକାର: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀରେ ଦିଆଯାଇଥିଲା।

 

                                                     ***

SPD


(ରିଲିଜ ଆଡି: 2233465) ପରିଦର୍ଶକ କାଉଣ୍ଟର : 13