ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଫ୍ରାନ୍ସ ମିଳିତ ବିବୃତି
ପୋଷ୍ଟ କରାଯିବା ଦିନାଙ୍କ:
17 FEB 2026 11:08PM by PIB Bhubaneshwar
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ "ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା" ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।
ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ନେଇ ଭାରତ ଓ ଫ୍ରାନ୍ସର ଏକ ଦୀର୍ଘ ଇତିହାସ ରହିଛି। ଏହା ପ୍ରତିରକ୍ଷା ପ୍ଲାଟଫର୍ମର ସହ-ଡିଜାଇନ୍, ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେଇ ଆହୁରି ଗଭୀର ହୋଇଛି ଏବଂ ବିଶ୍ୱରେ ଫ୍ରାନ୍ସ ଭାରତର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବରେ ଉଭା ହୋଇଛି । ବୃହତ କ୍ଷମତା ସମ୍ପନ୍ନ ପରମାଣୁ ଶକ୍ତି କେନ୍ଦ୍ର ଓ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଏବଂ ଉନ୍ନତ ମଡ୍ୟୁଲାର ରିଆକ୍ଟର ଭଳି ଆଗାମୀ ଦିନର କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଉପରେ ଫଳପ୍ରଦ ଆଲୋଚନା ମାଧ୍ୟମରେ ଉଭୟ ଦେଶ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ମଜଭୁତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ଦୀର୍ଘଦିନରୁ ସହଯୋଗ ରହିଆସିଛି। ଏଥିରେ ରହିଛି ମିଳିତ ଉପଗ୍ରହ ବିକାଶ, ଲଞ୍ଚର ଏବଂ ମାନବ ଉଡ଼ାଣ କାର୍ଯ୍ୟକ୍ରମ। ଉଭୟ ଦେଶ କୃତ୍ରିମ ବୁଦ୍ଧିମତ୍ତା, ନବସୃଜନ, ଗବେଷଣା, ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ଏବଂ ସାଇବର ସ୍ପେସ୍, ସ୍ୱାସ୍ଥ୍ୟ, ସଂସ୍କୃତି, ଅର୍ଥନୀତି, ଶିକ୍ଷାଗତ ସଂଯୋଗ ଏବଂ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ସଂପର୍କ ସ୍ଥାପନ ଭଳି କ୍ଷେତ୍ରରେ ପରସ୍ପରର ସହଯୋଗକୁ ଆହୁରି ବିସ୍ତାର ଓ ବହୁମୁଖୀ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ ସହଯୋଗ ଗଭୀର ହୋଇଛି ଓ ଉଭୟ ଦେଶ ବିଶ୍ୱସନୀୟ, ନିର୍ଭରଯୋଗ୍ୟ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ନିର୍ମାଣ କରିବା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷାକୁ ସୁରକ୍ଷିତ ରଖିବାରେ ପରସ୍ପରକୁ ସହଯୋଗ କରୁଛନ୍ତି । ଏକ ସ୍ୱତନ୍ତ୍ର ବିଶ୍ୱ ରଣନୀତିକ ସହଭାଗିତା ପ୍ରତିଷ୍ଠା ମାଧ୍ୟମରେ ଓ ଭାରତ-ଫ୍ରାନ୍ସ ହରାଇଜନ ୨୦୪୭ ରୋଡମ୍ୟାପ୍ ଅନୁସାରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ଗଭୀର ସହଯୋଗ ଏବଂ ସମନ୍ୱୟ ପାଇଁ ଦୁଇ ଦେଶ ପ୍ରତିଶ୍ରୁତିବଦ୍ଧ।
ବିଜ୍ଞାନଭିତ୍ତିକ ଜ୍ଞାନ, ଗବେଷଣା ଏବଂ ନବସୃଜନକୁ ଆଗକୁ ବଢାଇବା ଏବଂ ଏହି ସବୁ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ଦୀର୍ଘ ଏବଂ ସ୍ଥାୟୀ ସମ୍ପର୍କର ଗୁରୁତ୍ୱକୁ ହୃଦୟଙ୍ଗମ କରି ଉଭୟ ନେତା ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଶୁଭାରମ୍ଭ କରିଛନ୍ତି। ଏହି ବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟରେ ନବସୃଜନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଇବର ସ୍ପେସ୍ ଓ କୃତ୍ରିମ ବୁଦ୍ଧିମତ୍ତା, ସ୍ୱାସ୍ଥ୍ୟସେବା, ନିରନ୍ତର ବିକାଶ, ସାଂସ୍କୃତିକ ଓ ସୃଜନଶୀଳ ଅର୍ଥନୀତି, ଏବଂ ଗବେଷଣା ତଥା ଶିକ୍ଷା ଭଳି ବିବିଧ କ୍ଷେତ୍ରରେ ଉଚ୍ଚ ପ୍ରଭାବଶାଳୀ ସହଯୋଗର ଏକ ଶୃଙ୍ଖଳା ପ୍ରଦର୍ଶିତ ହେବ। ଏହି ସହଯୋଗର ଲକ୍ଷ୍ୟ ହେଉଛି ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ, ଗବେଷଣା ସଂସ୍ଥା ଏବଂ ଶିଳ୍ପ ମଧ୍ୟରେ ଥିବା ସହଯୋଗକୁ ଆହୁରି ସମୃଦ୍ଧ କରିବା ଏବଂ ନୂତନ ସହଯୋଗକୁ ପ୍ରୋତ୍ସାହିତ କରିବା । ଏହା ଏକ ସ୍ମାର୍ଟ ତଥା ଅଧିକ ସ୍ଥାୟୀ ଭବିଷ୍ୟତର ସମାଧାନ ସହ-ବିକଶିତ କରିବା ପାଇଁ ଭାରତ ଏବଂ ଫ୍ରାନ୍ସର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରେ।
ଭାରତର ସଫଳ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ରାଷ୍ଟ୍ରପତି ମାକ୍ରନ। ଏଆଇ ଦ୍ୱାରା ଯେଉଁ ସବୁ ସମସ୍ୟା ହେବାର ଆଶଙ୍କା ଅଛି, ତାର ସମାଧାନ ଦିଗରେ ଏହି ସମ୍ମିଳନୀରେ ଆଲୋଚନା ହେବା ସହିତ ଏଆଇ ଯୋଗୁଁ ଯେଉଁ ସବୁ ସୁଯୋଗ ସୃଷ୍ଟି ହେବ, ସେ ସଂପର୍କରେ ମଧ୍ୟ ସମ୍ମିଳନୀରେ ଆଲୋକପାତ କରାଯାଇଥିଲା। ଫେବୃଆରୀ ୨୦୨୫ରେ ପ୍ୟାରିସରେ ଫ୍ରାନ୍ସ ଦ୍ୱାରା ଆୟୋଜିତ ଏବଂ ରାଷ୍ଟ୍ରପତି ମାକ୍ରନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀରେ ହୋଇଥିବା ପ୍ରଗତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଭାରତ-ଫ୍ରାନ୍ସର କୃତ୍ରିମ ବୁଦ୍ଧିମତ୍ତା ଘୋଷଣାନାମାକୁ ମନେ ପକାଇ ଉଭୟ ନେତା ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଏଆଇ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ଯାହାକି ଲୋକଙ୍କ ସେବା କରିବ, ସମୂହ ଜନସ୍ୱାର୍ଥକୁ ଗୁରୁତ୍ୱ ଦେବ ଏବଂ ପୃଥିବୀ ତଥା ଆମ ଲୋକଙ୍କ ପ୍ରଗତିର ସେବା କରିବ। ଉଭୟ ପକ୍ଷ ଖୋଲା ହୃଦୟରେ ଏଆଇ ସମ୍ବଳର ଗଣତାନ୍ତ୍ରିକୀକରଣ ଏବଂ ବିଶ୍ୱ ଏଆଇ ବିଭେଦକୁ ଦୂର କରବାର ଏହା ଯେମିତି ଏକ ସେତୁ ଭାବେ କାମ କରିବ, ସେ ଉପରେ ମଧ୍ୟ ଜୋର୍ ଦେଇଥିଲେ। ସ୍ଥିରତା, ନବସୃଜନ ଏବଂ ଦକ୍ଷତା ଉପରେ କାର୍ଯ୍ୟକାରୀ ଗୋଷ୍ଠୀର ସହ-ଅଧ୍ୟକ୍ଷ ଭାବରେ ଫ୍ରାନ୍ସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
୨୦୨୬ ମସିହାରେ ଫ୍ରାନ୍ସ ଆୟୋଜନ କରିବାକୁ ଯାଉଥିବା G7 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ। ଏହି ଶିଖର ସମ୍ମିଳନୀ ହେବା ଆଗରୁ ମୁଖ୍ୟତଃ ବିଶ୍ୱ ବୃହତ ଅର୍ଥନୀତିର ଅସନ୍ତୁଳନର ସମାଧାନ ଏବଂ ଅନ୍ତର୍ଜାତୀୟ ସହଭାଗୀତା ତଥା ସଂହତି ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରିବା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ହେଉଥିବା ଆଲୋଚନା ଏବଂ ପ୍ରସ୍ତୁତି କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ମଧ୍ୟ ନିମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ମାକ୍ରନ। ଅତ୍ୟନ୍ତ ଆନନ୍ଦର ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲେ। ଜି-ସେଭେନ୍ ସହିତ ଭାରତର ଦୀର୍ଘକାଳୀନ ସହଭାଗୀତା, ବିଶ୍ୱ ଆର୍ଥିକ ଅସନ୍ତୁଳନ, ବିକାଶ ପାଣ୍ଠି, ଆନ୍ତର୍ଜାତୀୟ ସହଭାଗୀତା, ଅର୍ଥନୈତିକ ସୁରକ୍ଷା, ସ୍ଥିର ଯୋଗାଣ ଶୃଙ୍ଖଳ, ଜଳବାୟୁ ଏବଂ ଅନ୍ତର୍ଜାତୀୟ ସୁରକ୍ଷା କ୍ଷେତ୍ରର ବିଶ୍ୱ ଆଲୋଚନାରେ ଭାରତର ଗଠନମୂଳକ ଯୋଗଦାନର ପ୍ରତିବଦ୍ଧତା ଉଲ୍ଲେଖ କରି ମାକ୍ରନଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଉଭୟ ନେତା ଆଶା ପ୍ରକାଶ କରିଥିଲେ ଯେ ଭାରତର ଅଂଶଗ୍ରହଣ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସାମୂହିକ ପ୍ରୟାସକୁ ଆହୁରି ମଜଭୁତ କରିବ ଏବଂ ଏକ ଅଧିକ ସନ୍ତୁଳିତ, ଅନ୍ତର୍ଭୁକ୍ତି ତଥା ସ୍ଥିର ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ। ଉଭୟ ନେତା ବୈଶ୍ୱିକ ଚ୍ୟାଲେଞ୍ଜ ବିଶେଷ କରି ମାକ୍ରୋଅର୍ଥନୈତିକ ପ୍ରସଙ୍ଗଗୁଡ଼ିକୁର ମିଳିତ ଭାବରେ ମୁକାବିଲା କରିବା ପାଇଁ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ।
କେନିଆର ନାଇରୋବିରେ ୨୦୨୬ ମେ ୧୧ ଓ ୧୨ରେ ହେବାକୁ ଥିବା "ଆଫ୍ରିକା ଫରୱାର୍ଡ: ନବସୃଜନ ଏବଂ ଅଭିବୃଦ୍ଧି ପାଇଁ ଆଫ୍ରିକା ଓ ଫ୍ରାନ୍ସ ମଧ୍ୟରେ ସହଭାଗୀତା" ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ରୁଟୋଙ୍କ ସହିତ ମିଳିତ ଭାବରେ ଦିଆଯାଇଥିବା ନିମନ୍ତ୍ରଣକୁ ମନେ ପକାଇ ଦେଇଥିଲେ ରାଷ୍ଟ୍ରପତି ମାକ୍ରନ। ଫ୍ରାନ୍ସ ଓ ଆଫ୍ରିକୀୟ ଦେଶଗୁଡ଼ିକ ସହିତ ଭାରତର ଦୀର୍ଘକାଳୀନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ବିଚାର କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ପାରସ୍ପରିକ ହିତ କ୍ଷେତ୍ରରେ ବିଶେଷ କରି ଶକ୍ତି ପରିବହନ, କୃତ୍ରିମ ବୁଦ୍ଧିମତ୍ତା, ସ୍ୱାସ୍ଥ୍ୟ, କୃଷି ଏବଂ ନୀଳ ଅର୍ଥନୀତିରେ ସହଯୋଗ ପାଇଁ ପ୍ରତିବଦ୍ଧତା ଦୋହରାଇ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଏହାର ବାହାରେ ମଧ୍ୟ ଏକ ନିୟମ-ଭିତ୍ତିକ ବ୍ୟବସ୍ଥା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି ଉଭୟ ନେତା। ଦୁଇ ଦେଶର ସମ୍ପର୍କରେ ଆସିଥିବା ଉନ୍ନତି ଭବିଷ୍ୟତର ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବ। ଉଭୟ ଦେଶର ସାର୍ବଭୌମତ୍ୱ ଓ ନିଷ୍ପତ୍ତି ନେବାର ସ୍ୱାୟତ୍ତତାକୁ ସୁଦୃଢ଼ କରିପାରିବ ଏବଂ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଜରିଆରେ ଆମ ବିଶ୍ୱ ସମ୍ମୁଖୀନ ହେଉଥିବା ପ୍ରମୁଖ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବ।
ଏକ ସମାନୁପାତ ଓ ଶାନ୍ତିପୂର୍ଣ୍ଣ ଅନ୍ତର୍ଜାତୀୟ ବ୍ୟବସ୍ଥା ବଜାୟ ରଖିବା, ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଚ୍ୟାଲେଞ୍ଜରର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଏବଂ ପ୍ରଯୁକ୍ତିବିଦ୍ୟା ତଥା ଅର୍ଥନୈତିକ କ୍ଷେତ୍ର ସମେତ ଆଗାମୀ ପରିସ୍ଥିତି ପାଇଁ ବିଶ୍ୱକୁ ପ୍ରସ୍ତୁତ କରିବାକୁ ସଂସ୍କାରିତ ଓ ପ୍ରଭାବଶାଳୀ ବହୁପାକ୍ଷିକତା ପାଇଁ ସେମାନଙ୍କର ଆହ୍ୱାନକୁ ଦୋହରାଇଥିଲେ ଉଭୟ ନେତା। ବିଶେଷ କରି ଉଭୟ ରାଷ୍ଟ୍ରମୁଖ୍ୟ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ସମେତ ବହୁପାକ୍ଷିକ ମଞ୍ଚରେ ଘନିଷ୍ଠ ଭାବରେ ସମନ୍ୱୟ ସ୍ଥାପନ କରିବାକୁ ସହମତ ହୋଇଥିଲେ ଏବଂ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ବିଭିନ୍ନ ଦେଶର ସରକାର ମଧ୍ୟରେ ଆଲୋଚନା ଚୂଡ଼ାନ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସ ନିଜର ଦୃଢ଼ ସମର୍ଥନକୁ ଦୋହରାଇଥିଲା। ଗଣ ଅତ୍ୟାଚାର ମାମଲାରେ ଭିଟୋ ବ୍ୟବହାର ନେଇ ବିସ୍ତୃତ ଆଲୋଚନା କରିବାକୁ ସେମାନେ ସହମତ ହୋଇଥିଲେ। ଦୀର୍ଘକାଳୀନ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଉଭୟ ନେତା ବ୍ୟାପକ ଆଲୋଚନା କରିଥିଲେ ଏବଂ ସେମାନଙ୍କର ସମ୍ପର୍କକୁ ଆହୁରି ଘନିଷ୍ଠ କରିବାକୁ ସହମତ ହୋଇଥିଲେ।
ୟୁରୋପୀୟ -ଭାରତ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଉଭୟ ନେତା ଓ ସେମାନେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଐତିହାସିକ ଶିଖର ସମ୍ମିଳନୀକୁ ସ୍ୱାଗତ କରିଥିଲେ ଯେଉଁଠି ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଆଲୋଚନା ସମାପ୍ତ ହୋଇଥିଲା। ଭାରତ, ଫ୍ରାନ୍ସ ଏବଂ ୟୁରୋପ ମଧ୍ୟରେ ଅଧିକ ଆର୍ଥିକ ସହଯୋଗର ନୂଆ ସୁଯୋଗ ସୃଷ୍ଟି କରିବ ଏହି ମୁକ୍ତବାଣିଜ୍ୟ ଚୁକ୍ତିନାମା। ଆମର ବ୍ୟବସାୟର ପ୍ରତିଯୋଗିତାମୂଳକତାକୁ ସୁଦୃଢ଼ କରିବ କରି ସ୍ଥାୟୀ ସମୃଦ୍ଧି ଓ ସ୍ଥିର ମୂଲ୍ୟ ଶୃଙ୍ଖଳାର ଏକ ନୂତନ ଯୁଗର ଆରମ୍ଭ କରିବ। ଉଭୟ ନେତା ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା ଚୂଡ଼ାନ୍ତ ହୋଇଥିବାରୁ ଏହାକ ସ୍ୱାଗତ କରିଛନ୍ତି। ଏହା ୟୁରୋପୀୟ ସଂଘ ଓ ଭାରତର ରଣନୀତିକ ସ୍ୱାୟତ୍ତତାକୁ ମଜଭୁତକରିବ ଏବଂ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା, ହାଇବ୍ରିଡ୍ ବିପଦ, ମହାକାଶ ଏବଂ ଆତଙ୍କବାଦ ପ୍ରତିରୋଧ ଭଳି ସାଧାରଣ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗଭୀର ସହଯୋଗର ଏକ ଢାଞ୍ଚା ପ୍ରଦାନ କରିବ ତଥା ପାରସ୍ପରିକ ଲାଭଦାୟକ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ପ୍ରୋତ୍ସାହିତ କରିବ।
ଉଭୟ ନେତା ୟୁକ୍ରେନ ଯୁଦ୍ଧ ନେଇ ସେମାନଙ୍କର ଉଦବେଗକୁ ପୁଣି ଥରେ ଦୋହରାଇଛନ୍ତି। ଏହି ଯୁକ୍ରେନ ଯୁଦ୍ଧ ବହୁ ଧନଜୀବନ ହାନୀ କରିବା ସହିତ ବିଶ୍ୱ ପରିସ୍ଥିତିରେ ନକାରାତ୍ମକ ପ୍ରଭାବ ପକାଉଛି। ଶତ୍ରୁତା ବନ୍ଦ ଉପରେ ଗୁରୁତ୍ୱାରୋପ କରିଥିଲେ ଦୁଇ ନେତା ଓ ଜାତିସଂଘ ଚାର୍ଟର ତଥା ଅନ୍ତର୍ଜାତୀୟ ଆଇନର ନୀତି ଅନୁଯାୟୀ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତିକୁ ସମର୍ଥନ କରିଥିଲେ ଯେଉଁଥିରେ ରହିଛି ସ୍ୱାଧୀନତା, ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା। ଉଭୟ ପକ୍ଷ ଇରାନ ଏବଂ ଏହି ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ ଉଭୟ ପକ୍ଷ।
ଉଭୟ ନେତା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ୨୮୦୩ ଏବଂ ନ୍ୟୁୟର୍କ ଘୋଷଣାନାମାରେ ଅନ୍ତର୍ଭୁକ୍ତ ନୀତି ଅନୁଯାୟୀ ଗାଜା ଶାନ୍ତି ଯୋଜନା କାର୍ଯ୍ୟକାରୀ କରିବାକୁ ସମର୍ଥନ କରିଥିଲେ। ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପକ୍ଷକୁ କହିଥିଲେ। ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ସେମାନଙ୍କର ପ୍ରସ୍ତୁତିକୁ ପୁନର୍ବାର ଦୋହରାଇ ଦୁଇ ନେତା ସମଗ୍ର ଗାଜା ଷ୍ଟ୍ରିପରେ ଦ୍ରୁତ, ନିରାପଦ ଏବଂ ଅବାଧ ସହାୟତା ବିତରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଦୁଇ ରାଷ୍ଟ୍ର ସମାଧାନ କାର୍ଯ୍ୟକାରୀ କରିବା ଉପରେ ଆଧାରିତ ଏକ ନ୍ୟାୟପୂର୍ଣ୍ଣ ତଥା ସ୍ଥାୟୀ ସମାଧାନ ପାଇଁ ଭାରତ ଓ ଫ୍ରାନ୍ସର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ ଦୁଇ ରାଷ୍ଟ୍ର ମୁଖ୍ୟ।
୧.ସୁରକ୍ଷା ଓ ସାର୍ବଭୌମତ୍ୱ ପାଇଁ ସହଭାଗିତା
ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ଥିବା ଗଭୀର ଓ ଦୀର୍ଘକାଳୀନ ପ୍ରତିରକ୍ଷା ସହଯୋଗକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ୨୦୨୪ ରେ ସହମତ ହୋଇଥିବା ବ୍ୟାପକ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ୍ ସହିତ ସମନ୍ୱୟ ରଖି ବାୟୁ,ନୌସେନା ଓ ସ୍ଥଳସେନା ଏବଂ ଆଗାମୀ ଦିନର ଦ୍ୱୈତ-ବ୍ୟବହାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ଉନ୍ନତ ପ୍ରତିରକ୍ଷା ପ୍ଲାଟଫର୍ମଗୁଡ଼ିକରେ ମିଳିତ ଗବେଷଣା, ସହ-ଡିଜାଇନ୍, ସହ-ବିକାଶ ଏବଂ ସହ-ଉତ୍ପାଦନକୁ ମଜଭୁତ କରିବାକୁ ସହମତ ହୋଇଛନ୍ତି। ଏହି ଗସ୍ତ ସମୟରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବାର୍ଷିକ ପ୍ରତିରକ୍ଷା ଆଲୋଚନା ଆୟୋଜନ ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। ନଭେମ୍ବର ୨୦୨୫ ରେ ଡିଜିଏ ଓ ଡିଆରଡିଓ ମଧ୍ୟରେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଏକ ବୈଷୟିକ ବ୍ୟବସ୍ଥା ଚୁକ୍ତିନାମାକୁ ସ୍ୱାଗତ କରିଥିଲେ ଉଭୟ ନେତା ଯାହା ଦୁଇ ଏଜେନ୍ସି ମଧ୍ୟରେ ଗବେଷଣା ଏବଂ ବିକାଶ ସହଭାଗୀତା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସହଯୋଗରେ ଥିବା ବିଶ୍ୱାସ ଉପରେ ନିର୍ମାଣ କରି, ଉଭୟ ନେତା ଏକ ମିଳିତ ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକାଶ ଗୋଷ୍ଠୀ ଗଠନ କରିବାକୁ ରାଜି ହୋଇଥିଲେ। ଏହା ଦ୍ୱାରା ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆଗାମୀ ଦିନର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସହ-ବିକଶିତ କରିବାର ସୁଯୋଗ ଖୋଜା ଯାଇପାରିବ। ଏହା ଦ୍ୱାରା ପ୍ରତିଯୋଗିତାମୂଳକ ସାମରିକ କ୍ଷମତା ବଜାୟ ରହିବ ଏବଂ ଯୋଗାଣ ଶୃଙ୍ଖଳ ଦୁର୍ବଳତାକୁ ହ୍ରାସ କରାଯାଇପାରିବ।
ସେମାନେ ହେଲିକପ୍ଟର ଏବଂ ଜେଟ୍ ଇଞ୍ଜିନରେ ପ୍ରତିରକ୍ଷା ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ଓ ଉଭୟ ପକ୍ଷର ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ସହଯୋଗ ଉପରେ ଚାଲିଥିବା ଆଲୋଚନାକୁ ସ୍ୱାଗତ କରିଥିଲେ। ବିଶେଷ କରି ଉଭୟ ନେତା ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କ୍ରୟ ଚୁକ୍ତିନାମାକୁ ପ୍ରଶଂସା କରିଥିଲେ। ସେମାନେ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ସହଭାଗୀତାକୁ ଆହୁରି ମଜବୁତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ବିଶେଷ କରି ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଲଢ଼ୁଆ ବିମାନ ଏବଂ ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଏବଂ ଏହି କ୍ଷେତ୍ରରେ ସାମ୍ପ୍ରତିକ ସକାରାତ୍ମକ ବିକାଶକୁ ସ୍ୱାଗତ କରିଥିଲେ। ସେମାନେ ସଫ୍ରାନ୍ ଗୋଷ୍ଠୀର ସମ୍ପୃକ୍ତ ସଂସ୍ଥା ଏବଂ ସେମାନଙ୍କର ଭାରତୀୟ ପ୍ରତିପକ୍ଷମାନଙ୍କ ମଧ୍ୟରେ ଉତ୍କୃଷ୍ଟ ସହଯୋଗ ସଂପର୍କରେ ଉଲ୍ଲେଖ କରିଥିଲେ। ଇଣ୍ଡିଆନ ମଲ୍ଟି ରୋଲ୍ ହେଲିକପ୍ଟର (ଆଇଏମ୍ଆର୍ଏଚ୍ ) ବିକାଶ ପାଇଁ ସାଫ୍ରନ ଓ ହାଲ୍ ମଧ୍ୟରେ ଚାଲିଥିବା ସହଭାଗୀତାକୁ ପ୍ରଶଂସା କରିଛନ୍ତି ଦୁଇ ନେତା। ଉଭୟ ପକ୍ଷ LEAP ଇଞ୍ଜିନର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ (ଏମ୍ଆର୍ଓ) ସୁବିଧାର ଉଦଘାଟନ, ରାଫେଲ୍ ବିମାନରେ ସ୍ଥାପିତ M-88 ଇଞ୍ଜିନ୍ ପାଇଁ MRO ସୁବିଧା ପ୍ରତିଷ୍ଠା ଏବଂ ଭାରତରେ ହାମର୍ କ୍ଷେପଣାସ୍ତ୍ର ଉତ୍ପାଦନ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହିତ ମିଳିତ ଉଦ୍ୟମକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ମିଳିତ ଭାବରେ H125 ଫାଇନାଲ୍ ଆସେମ୍ଲି ଲାଇନର ଉଦଘାଟନ ମଧ୍ୟ କରିଛନ୍ତି। ଏହା ହେଉଛି ଭାରତରେ ପ୍ରଥମ ଘରୋଇ କ୍ଷେତ୍ରର ହେଲିକପ୍ଟର ନିର୍ମାଣ ସୁବିଧା ଯାହାକି ଏକ ଐତିହାସିକ ମେକ୍ ଇନ୍ ଇଣ୍ଡିଆ ମାଇଲଖୁଣ୍ଟ। ଏହା ଭାରତର ବର୍ଦ୍ଧିତ ବଜାର ଏବଂ ତୃତୀୟ ଦେଶଗୁଡ଼ିକୁ ରପ୍ତାନି ପାଇଁ TATA ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଏୟାରବସ୍ ର ଶକ୍ତିକୁ ମିଶ୍ରଣ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପିନାକା MBRL ପ୍ରତି ଫ୍ରାନ୍ସର ଆଗ୍ରହକୁ ପ୍ରଶଂସା କରିଛନ୍ତି।
ଉଭୟ ନେତା ଭାରତରେ ନିର୍ମିତ ସ୍କୋର୍ପିନ୍ କାର୍ଯ୍ୟକ୍ରମ(P75 – କଲଭାରୀ)ର ସଫଳତା ଉପରେ ଆଲୋକପାତ କରିଥିଲେ। ଏହାର ଷଷ୍ଠ ବୁଡ଼ାଜାହାଜ ୧୫ ଜାନୁଆରୀ ୨୦୨୫ ରେ ଭାରତୀୟ ନୌସେନାକୁ ପ୍ରଦାନ କରାଯାଇଥିଲା। ବୁଡ଼ାଜାହାଜ ନେଇ ଜାରି ରହିଥିବା ସହଯୋଗକୁ ସେମାନେ ସ୍ୱାଗତ କରିଥିଲେ।
ଉଭୟ ନେତା ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସାମରିକ ଅଭ୍ୟାସର ନିୟମିତ ଆୟୋଜନକୁ ପ୍ରଶଂସା କରିଥିଲେ। ଏଥିରେ ରହିଛି ୨୦୨୫ ର ତିନିଟି ପ୍ରମୁଖ ଦ୍ୱିପାକ୍ଷିକ ଅଭ୍ୟାସ (ବରୁଣ, ଶକ୍ତି ଏବଂ ଗରୁଡ଼) ଓ ବହୁପାକ୍ଷିକ ଅଭ୍ୟାସରେ ଉଭୟ ପକ୍ଷର ଅଂଶଗ୍ରହଣ। ଏଥିରେ ଫ୍ରାନ୍ସର ମହାକାଶ ସାମରିକ ଅଭ୍ୟାସରେ ଭାରତର ଅଂଶଗ୍ରହଣ ମଧ୍ୟ ଅନ୍ତର୍ଭୁକ୍ତ। ଉଭୟ ନେତା ଦୁଇ ଦେଶ ମଧ୍ୟରେ ନିୟମିତ ବନ୍ଦର କଲ୍ ଆୟୋଜନକୁ ମଧ୍ୟ ସ୍ୱାଗତ କରିଥିଲେ। ଦୁଇ ନେତା ୨୦୨୬ ମସିହାରେ ଆମ ନିଜ ନିଜ ସେନାରେ ପରସ୍ପରର ଅଧିକାରୀମାନଙ୍କୁ ନିୟୋଜିତ କରିବାକୁ ସ୍ୱାଗତ କରିଥିଲେ। ଏହା ଆମ ସଶସ୍ତ୍ର ବାହିନୀ ମଧ୍ୟରେ ପାରସ୍ପରିକ ଜ୍ଞାନକୁ ମଜବୁତ କରିବାରେ ସହାୟକ ହେବ। ଉଭୟ ନେତା ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ସାମରିକ ଅପରେସନ ସ୍ତରୀୟ ସମ୍ପର୍କ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି।
ଜାନୁଆରୀ ୨୦୨୪ ରେ ସ୍ୱାକ୍ଷରିତ ହୋଇଥିବା ଇଣ୍ଟେଣ୍ଟ ପତ୍ର ଅନୁଯାୟୀ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଦୁଇ ନେତା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି। ଡିଆର୍ଡିଓ ଓ ଡିଜିଏ ମଧ୍ୟରେ ବୈଷୟିକ ବ୍ୟବସ୍ଥା, ଏହାର ପରିସରରେ ଆସୁଥିବା ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପରସ୍ପର ହିତ ପାଇଁ ରାଷ୍ଟ୍ରୀୟ ସ୍ତରରେ ଏବଂ ଶିଳ୍ପ ସହଯୋଗ ପାଇଁ ଏକ ଢାଞ୍ଚା ପ୍ରଦାନ କରୁଥିବା କ୍ଷେତ୍ରରେ ମଧ୍ୟ ସହଯୋଗ ପାଇଁ ଦୁଇ ନେତା ରାଜି ହୋଇଛନ୍ତି।
ଏକ ସବୁଜ ଏବଂ ଡିଜିଟାଲ ଅର୍ଥନୀତି, ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ଉତ୍ପାଦନ ପାଇଁ ଜରୁରୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରମୁଖ ଭୂମିକାକୁ ସ୍ୱୀକାର କରିଛନ୍ତି ଦୁଇ ନେତା । ବିବିଧ, ସ୍ଥାୟୀ, ଦାୟିତ୍ୱପୂର୍ଣ୍ଣ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ବିରଳ ଧାତୁର ଅନୁସନ୍ଧାନ, ନିଷ୍କାସନ, ପ୍ରକ୍ରିୟାକରଣ ଏବଂ ପୁନଃଚକ୍ରଣ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ଆହୁରି ଗଭୀର କରିବାକୁ ଦୁଇ ନେତା ସହମତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ଆଗ୍ରହ ଘୋଷଣାନାମାକୁ ସ୍ୱାଗତ କରିଛନ୍ତି।
ଉଭୟ ନେତା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍ଇସି) ଉପରେ ସହଯୋଗ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି। ବିଶ୍ୱ ବାଣିଜ୍ୟ, ସଂଯୋଗ ଏବଂ ସମୃଦ୍ଧିକୁ ନୂଆ ରୂପ ଦେବାରେ ଏହାର କ୍ଷମତା ଓ ପ୍ରୋତ୍ସାହିତ କରିବାରେ ଏହାର ପରିବର୍ତ୍ତନଶୀଳ ସମ୍ଭାବନାକୁ ସେମାନେ ସ୍ୱୀକାର କରିଛନ୍ତି। ପ୍ରକଳ୍ପ ବିଷୟରେ ପ୍ରାରମ୍ଭିକ ଆଲୋଚନାକୁ ପ୍ରଶଂସା କରି ସେମାନେ ୨୦୨୬ ରେ ଏହି ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ କଠିନ ପଦକ୍ଷେପ ନେବାକୁ ପ୍ରଥମ IMEC ମନ୍ତ୍ରୀସ୍ତରୀୟ ବୈଠକକୁ ଉତ୍ସାହିତ କରିଛନ୍ତି।
ସେମାନେ ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସହିତ ତ୍ରିପାକ୍ଷିକ ଫର୍ମାଟରେ ସହଯୋଗକୁ ପ୍ରଶଂସା କରିଥିଲେ। ଏହି ପଦକ୍ଷେପ ଅଧୀନରେ ପାରସ୍ପରିକ ଭାବରେ ଚିହ୍ନଟ କରାଯାଇଥିବା କାର୍ଯ୍ୟ କ୍ଷେତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସରକାରଙ୍କ ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ସେମାନଙ୍କ ସମ୍ପୃକ୍ତ ଅଧିକାରୀମାନଙ୍କୁ ନୂତନ ଲକ୍ଷ୍ୟ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେମାନେ ଏକ ମୁକ୍ତ, ଖୋଲା, ସମୃଦ୍ଧ ଏବଂ ନିୟମ-ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଲେ ଏବଂ ୨୦୧୮ ମସିହାରେ 'ଭାରତ ମହାସାଗର କ୍ଷେତ୍ରରେ ଭାରତ-ଫ୍ରାନ୍ସ ସହଯୋଗର ମିଳିତ ରଣନୀତିକ ଦୃଷ୍ଟିକୋଣ' ଏବଂ ୨୦୨୩ ମସିହାରେ 'ଭାରତ-ଫ୍ରାନ୍ସ ଭାରତ-ପ୍ରଶାନ୍ତ ମହାସାଗର ରୋଡ୍ମ୍ୟାପ' ଅନୁଯାୟୀ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଘନିଷ୍ଠ ସହଯୋଗ ପାଇଁ ଆହ୍ୱାନ କଲେ । ସେମାନେ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ) ଅଧୀନରେ ବୃଦ୍ଧି ପାଇଥିବା ସମ୍ପର୍କ ଏବଂ ଭାରତର ଅଧ୍ୟକ୍ଷତାରେ ଭାରତ ମହାସାଗର ରିମ୍ ଆସୋସିଏସନରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଆଶା କରିଥିଲେ। ସେମାନେ ଏହି କ୍ଷେତ୍ରରେ ମିଳିତ ପଦକ୍ଷେପର ସଦ୍ୟତମ ପରିସ୍ଥିତିକୁ ସ୍ୱାଗତ କରିଛନ୍ତି। ଏଥିରେ ରହିଛି ଭାରତ ଏବଂ ଫ୍ରାନ୍ସ ଦେଶର ମିଳିତ ପାଣ୍ଠିର ଅନ୍ତର୍ଜାତୀୟ ସୌର ମେଣ୍ଟ (ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ- ଆଇଏସ୍ଏ) ମାଧ୍ୟମରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଦେଶରେ ସମ୍ପ୍ରତି ନୂତନ ସୌର ଶକ୍ତି ତାଲିମ, ଗରିବ ଦେଶଗୁଡ଼ିକରେ ବିପର୍ଯ୍ୟୟ ନିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ମେଣ୍ଟ(ଡିସାଷ୍ଟର ରେସିଜିଏଣ୍ଟ ଇନଫ୍ରାଷ୍ଟ୍ରକଚର, ସିଡିଆର୍ଆଇ) ଏବଂ ଏଏଫ୍ଡି ଗୋଷ୍ଠୀ ମଧ୍ୟରେ ଏକ ବୁଝାମଣାପତ୍ର। ଭାରତ-ପ୍ରଶାନ୍ତ ମହାସାଗରୀୟ ତ୍ରିକୋଣୀୟ ବିକାଶ ସହଯୋଗ ( ଇଣ୍ଡୋ ପ୍ୟାସିଫିକ୍ ଟ୍ରାଇଏଙ୍ଗୁଲାର ଡଫଲପମେଣ୍ଟ କୋଅପରେସନ-ଆଇପିଟିଡିସି)ରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଥିଲେ। ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗରିବ ଦେଶଗୁଡ଼ିକର ଜଳବାୟୁ ଏବଂ ଏସ୍ଡିଜି କେନ୍ଦ୍ରିତ ପ୍ରକଳ୍ପକୁ ସହଯୋଗ କରିବା। ଏଥିରେ ରହିଛି ଉଭୟ ପକ୍ଷର ଡିଜିଟାଲ୍ ଷ୍ଟାର୍ଟଅପ୍, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ମିଳିତ ଭାବରେ ଚିହ୍ନଟ ହୋଇଥିବ ପ୍ରକଳ୍ପ ଯାହା ଏକାଠି କାର୍ଯ୍ୟକାରୀ କରାଯିବ।
ମହାକାଶ କ୍ଷେତ୍ରରେ ସିଏନ୍ଇଏସ୍ ଓ ଇସ୍ରୋ ମଧ୍ୟରେ ହୋଇଥିବା ସହଭାଗିତାକୁ ପ୍ରଶଂସା କରିଥିଲେ ଉଭୟ ନେତା ଓ ଦୁଇ ସଂସ୍ଥା ମଧ୍ୟରେ ମହାକାଶ କ୍ଷେତ୍ରରେ ଥିବା ଗଭୀର ସହଯୋଗକୁ ସମର୍ଥନ କରିଥିଲେ। ଭାରତ-ଫ୍ରାନ୍ସ ରଣନୀତିକ ମହାକାଶ ଆଲୋଚନାର ପ୍ରଥମ ଦୁଇଟି ଅଧିବେଶନର ଯଥେଷ୍ଟ ଅବଦାନକୁ ଗୁରୁତ୍ୱ ଦେ ୨୦୨୬ ରେ ତୃତୀୟ ଅଧିବେଶନକୁ ଶୀଘ୍ର ଆୟୋଜନ କରିବାକୁ ଦୁଇ ନେତା ଆହ୍ୱାନ ଦେଇଥିଲେ। ପ୍ରତିରକ୍ଷା ମହାକାଶରେ ସହଯୋଗ ପାଇଁ ଉଦ୍ଦେଶ୍ୟ ପତ୍ର ଉପରେ ଆଧାରିତ ଉଭୟ ନେତା ମହାକାଶକୁ ସାର୍ବଭୌମ ପ୍ରବେଶ ଏବଂ ମହାକାଶ ପରିସ୍ଥିତିଗତ ସଚେତନତା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ସମନ୍ୱୟକୁ ମଜବୁତ କରିବାକୁ ସହମତ ହୋଇଥିଲେ। ଭାରତ ଜୁଲାଇ ୨୦୨୬ରେ ଫ୍ରାନ୍ସ ଦ୍ୱାରା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀ ଆୟୋଜନକୁ ସ୍ୱାଗତ କରିଥିଲା। ଏହା ମହାକାଶ କ୍ଷେତ୍ରରେ ବହୁପାକ୍ଷିକତାକୁ ସୁଦୃଢ଼ କରିଥିଲା ଓ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥିଲା।
ଉଭୟ ନେତା ସେମାନଙ୍କର ପ୍ରମୁଖ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ମଜଭୁତ କରିବା ଓ ମହାସାଗର-ମହାକାଶ ସମ୍ପର୍କରେ ସମନ୍ୱୟ ବିକାଶ କରିବା ଉପରେ ଜୋର୍ ଦେଇଥିଲେ। ବିଶେଷକରି ସିଏନ୍ଇଏସ୍ ଓ ଆଇଏନ୍ସିଓଆଇଏସ୍ ମଧ୍ୟରେ ସୁଦୃଢ଼ ସହଯୋଗ ମାଧ୍ୟମରେ ସମୁଦ୍ର ବିଜ୍ଞାନ ନୌବାହିନୀ ସମ୍ପର୍କରେ ସମୁଦ୍ର ପର୍ଯ୍ୟବେକ୍ଷଣକୁ ଉନ୍ନତ କରିବା ଓ ଏହାର ସ୍ଥାୟୀ ପରିଚାଳନାକୁ ସମର୍ଥନ କରିବା ଉପରେ ଉଭୟେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା ମହାସାଗରର ସମୃଦ୍ଧି ଓ ସୁରକ୍ଷା ହୋଇପାରିବ।
ସାଇବର କ୍ଷେତ୍ରରେ ଭାରତ ଏବଂ ଫରାସୀ ଶିଳ୍ପ ମଧ୍ୟରେ ଯେଉଁ ଦୃଢ଼ ଦ୍ୱିପାକ୍ଷିକ ସହଯୋଗ ଅଛି, ତାକୁ ଉଭୟ ନେତା ପ୍ରଶଂସା କରିଥିଲେ। ଭାରତ ଓ ଫ୍ରାନ୍ସର ଏହି ଦୃଢ଼ ସଂପର୍କ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱୟ ଉପରେ ଆଧାରିତ। ନିୟମିତ ଦ୍ୱିପାକ୍ଷିକ ସାଇବର ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ ସାଇବର ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ। ପରବର୍ତ୍ତୀ ଆଲୋଚନା ୨୦୨୬ରେ କରିବାକୁ ପ୍ରସ୍ତାବ ଦେଇଥିଲେ ସେମାନେ। ଦୁଇ ନେତା ସାଇବର ସ୍ପେସର ରଣନୀତିକ ଗୁରୁତ୍ୱ ଏବଂ ଅନ୍ତର୍ଜାତୀୟ ଆଇନର ପ୍ରୟୋଗ ଓ ସାଇବର କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ର ଆଚରଣ ପାଇଁ ଢାଞ୍ଚାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମିଳିତ ଜାତିସଂଘରେ ସେମାନଙ୍କର ସମନ୍ୱୟକୁ ମଜବୁତ କରିବାର ଇଚ୍ଛାକୁ ଦୋହରାଇଥିଲେ। ଏହା ସହିତ କ୍ଷତିକାରକ ସାଇବର ଉପକରଣ ଏବଂ ଅଭ୍ୟାସର ପ୍ରସାରରୁ ଉପୁଜିଥିବା ସମସ୍ୟା ସବୁର ସମାଧାନ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା କରିଥିଲେ ସେମାନେ।
ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଓ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ ଏପ୍ରିଲ ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ ଜଣାଇଛନ୍ତି। ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ମାକ୍ରନ । ଆତଙ୍କବାଦୀ ଓ ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କର ସହଯୋଗୀ ସଂଗଠନ ବିରୁଦ୍ଧରେ ଲଢ଼େଇରେ ସହଯୋଗ କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥଇଲେ। ଏଥିରେ ରହିଛି ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ ପ୍ରତିବନ୍ଧକ କମିଟି ଦ୍ୱାରା ତାଲିକାଭୁକ୍ତ ସଂଗଠନ। ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଏବଂ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ସବୁ ଦେଶକୁ ଉଭୟ ଫ୍ରାନ୍ସ ଓ ଭାରତ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦୀଙ୍କ ନେଟୱାର୍କକୁ ଧ୍ୱଂସ କରିବା, ଆତଙ୍କବାଦଙ୍କୁ ପ୍ରଦାନ କରାଯାଉଥିବାର ଆର୍ଥିକ ସହାୟତା ବିରୋଧରେ ଲଢ଼ିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ। ଏହା ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ, ଏଫ୍ଏଟିଏଫ୍ ସହିତ ସମାନ।
ଉଭୟ ଦେଶ ଜାତିସଂଘ, ଏଫ୍ଏଟିଏଫ୍ ଓ ଅନ୍ୟାନ୍ୟ ବହୁପାକ୍ଷିକ ପ୍ଲାଟଫର୍ମରେ ଏକାଠି କାମ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭାରତ ୨୦୨୬ ମେ ମାସରେ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ "ନୋ ମନି ଫର୍ ଟେରରସ୍" (ନୋ ମନି ଫର୍ ଟେରର୍ – ଏନ୍ଏମ୍ଏଫ୍ଟି )ସମ୍ମିଳନୀକୁ ଫ୍ରାନ୍ସ ଆୟୋଜନ କରୁଥିବାରୁ ଏହାକୁ ସମର୍ଥନ କରିଛି।
ଆତଙ୍କବାଦ ବିରୋଧରେ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି ) ଏବଂ ଗ୍ରୁପ୍ ଡି'ଇଣ୍ଟରଭେନ୍ସନ୍ ଡେ ଲା ଜେଣ୍ଡାରମେରି ନ୍ୟାସନାଲ୍ (ଜିଆଇଜିଏନ୍ ) ମଧ୍ୟରେ ସହଯୋଗ ପାଇଁ ୨୦୨୫ ନଭେମ୍ୱରରେ ଦୁଇ ସଂସ୍ଥା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଲେଟର୍ ଅଫ୍ ଇଣ୍ଟେଣ୍ଟକୁ ଉଭୟ ନେତା ପ୍ରଶଂସା କରିଥିଲେ। ୨୦୨୫ ମସିହାରେ ପରସ୍ପର ଦେଶରେ ଏମ୍ଆଇଏଲ୍ଆଇପିଓଏଲ୍ ପ୍ରଦର୍ଶନୀ ଆୟୋଜନରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମର୍ଥନକୁ ଉଭୟ ନେତା ପ୍ରଶଂସା କରିଥିଲେ। ନୂଆଦିଲ୍ଲୀ ଏବଂ ପ୍ୟାରିସରେ ଯଥାକ୍ରମେ ଏମ୍ଆଇଏଲ୍ଆଇପିଓଏଲ୍ ୨୦୨୭ ସଫଳ ଆୟୋଜନକୁ ଅପେକ୍ଷା କରିଥିଲେ। ଦୁଇ ନେତା ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ଆଲୋଚନାର ଫଳାଫଳକୁ ସ୍ୱାଗତ କରିଥିଲେ। ଏହା ଭାରତ-ଫ୍ରାନ୍ସ ଆତଙ୍କବାଦ ବିରୋଧୀ ଏବଂ ଗୁଇନ୍ଦା ସହଯୋଗକୁ ପ୍ରତିଫଳିତ କରୁଛି।
୨- ଗ୍ରହ ପାଇଁ ସହଭାଗିତା
ଜଳବାୟୁ ପରିବର୍ତ୍ତନ ଯେଉଁ ସଂକଟ ଆଣିବ, ତାକୁ ଉଭୟ ନେତା ସ୍ୱୀକାର କରିଛନ୍ତି। ସ୍ୱାଭାବିକ ପାଣିପାଗରେ ଓଲଟପାଲଟ ତଥା ବାରମ୍ୱାର ଏପରି ହେଉଥିବାରୁ ଜଳବାୟୁରେ ପରିବର୍ତ୍ତନ ହେଉଥିବା ସ୍ପଷ୍ଟ ହେଉଛି। ଏହା କୁପ୍ରଭାବକୁ ହୃଦୟଙ୍ଗମ କରି ପ୍ୟାରିସ ଚୁକ୍ତିନାମାର ଗୁରୁତ୍ୱ ଏବଂ ସ୍ଥାୟୀ ଜୀବନଶୈଳୀ ସପକ୍ଷରେ ମତ ଦେଇଛନ୍ତି ଉଭୟ ନେତା। ସେମାନେ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଘନିଷ୍ଠ ଭାବରେ ସହଯୋଗ କରିବାକୁ ରାଜି ହୋଇଛନ୍ତି। ଏଥିରେ ରହିଛି ଏକ ବଡ଼ ଲକ୍ଷ୍ୟ। ଏହା ହେଲା ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ ଶିଳ୍ପବିପ୍ଲବ ସ୍ତରଠାରୁ ୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ରଖିବା ଓ ତାପମାତ୍ରା ବୃଦ୍ଧିକୁ ପୂର୍ବ-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରୀ ସେଣ୍ଟିଗ୍ରେଡ୍ ମଧ୍ୟରେ ସୀମିତ ରଖିବା ପାଇଁ ପ୍ରୟାସ ଜାରି ରଖିବା। ଜଳବାୟୁ ପରିବର୍ତ୍ତନକୁ ରୋକିବାର ଆଧାର ବାବେ ବିଜ୍ଞାନର ଭୂମିକାକୁ ସୁରକ୍ଷା ପ୍ରଦାନ କରିବା ଓ ଜଳବାୟୁ ପରିବର୍ତ୍ତନ ଉପରେ ଇଣ୍ଟରଗଭର୍ମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି )ର କାର୍ଯ୍ୟକୁ ସମର୍ଥନ କରିବାରେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ୨୦୨୪ ମସିହାରୁ କୋଅଲିସେନ୍ ଫର୍ ଡିସାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର (ସିଡିଆର୍ଆଇ) ଏବଂ ୨୦୧୮ ରୁ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ (ଆଇଏସ୍ଏ) ର ଫ୍ରାଙ୍କୋ-ଭାରତୀୟ ସଭାପତିତ୍ୱର ଢାଞ୍ଚାରେ ହୋଇଥିବା ବହୁପାକ୍ଷିକ ମଞ୍ଚରେ ଦ୍ୱିପାକ୍ଷିକ ସହଯୋଗକୁ ଉଭୟ ନେତା ସ୍ୱାଗତ କରିଥିଲେ। ନୂଆଦିଲ୍ଲୀର ଏହି ଦୁଇଟି ସଂଗଠନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଉଭୟ ନେତା। ୨୦୨୫ରେ ସିଡିଆର୍ଆଇର ଅନ୍ତର୍ଜାତୀୟ ସମ୍ମିଳନୀର ସହ-ସଭାପତି ଭାବରେ ଫ୍ରାନ୍ସରେ ଆୟୋଜନ ଏବଂ ଉଭୟ ସଂଗଠନକୁ ଭାରତ ଏବଂ ଫ୍ରାନ୍ସର ଠୋସ୍ ସମର୍ଥନରେ ଏହା ପ୍ରତିଫଳିତ ହୋଇଥିଲା। ପ୍ୟାରିସରେ ଅନ୍ତର୍ଜାତୀୟ ସୌର ଆଲାଏନ୍ସର ଏକ ୟୁରୋପୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଚାଲିଥିବା ଆଲୋଚନାକୁ ସେମାନେ ସ୍ୱାଗତ କରିଛନ୍ତି। ଡିକାର୍ବନାଇଜେସନ୍ ଏବଂ କୋଠା କ୍ଷେତ୍ରର ସ୍ଥିରତା ପାଇଁ କାର୍ଯ୍ୟ କରିବେ, ବିଶେଷକରି ଡିକ୍ଲାରେସନ୍ ଡି ଚାଇଲୋଟ୍ ଏବଂ ଏହାର ଆନ୍ତଃସରକାରୀ କୋଠା ଏବଂ ଜଳବାୟୁ ପରିଷଦ ମାଧ୍ୟମରେ ଏବଂ ଲିଡରସିପ୍ ଗ୍ରୁପ୍ ଫର୍ ଇଣ୍ଡଷ୍ଟ୍ରି ଟ୍ରାଞ୍ଜିସନ୍ (LeadIT) ପଦକ୍ଷେପ ସମେତ କଷ୍ଟକର କ୍ଷେତ୍ରର ଡିକାର୍ବନାଇଜେସନ୍ କରିବା ପ୍ରୟାସକୁ ସମର୍ଥନ କରିବେ।
ଜଳବାୟୁ ଏବଂ ପରିବେଶ ପ୍ରସଙ୍ଗରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଦୃଢ଼ ଦ୍ୱିପାକ୍ଷିକ ସହଯୋଗକୁ ପ୍ରଶଂସା କରିଥିଲେ ଉଭୟ ନେତା। ସେମାନେ ନବୀକରଣୀୟ ଶକ୍ତି ସହଯୋଗ ଉପରେ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଅର୍ଥନୀତି, ଅର୍ଥ ଏବଂ ଶିଳ୍ପ ଏବଂ ଡିଜିଟାଲ୍ ସାର୍ବଭୌମତ୍ୱ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ରର ନବୀକରଣକୁ ସ୍ୱାଗତ କରିଥିଲେ। ନବୀକରଣୀୟ ଶକ୍ତି ସହଯୋଗ ଉପରେ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଅର୍ଥନୀତି, ଅର୍ଥ ଏବଂ ଶିଳ୍ପ ଏବଂ ଡିଜିଟାଲ୍ ସାର୍ବଭୌମତ୍ୱ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ନବୀକରଣକୁ ସେମାନେ ସ୍ୱାଗତ କରିଛନ୍ତି। ଏଏଫ୍ଡି ଗୋଷ୍ଠୀର ସମ୍ପୃକ୍ତି ସହିତ ଭାରତରେ ସହରାଞ୍ଚଳ ଗତିଶୀଳତା, ଶକ୍ତି ପରିବର୍ତ୍ତନ, ସବୁଜ ଆର୍ଥିକ, ଜୈବ ବିବିଧତା ସଂରକ୍ଷଣ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରକଳ୍ପରେ ଦ୍ୱିପାକ୍ଷିକ ସହଯୋଗକୁ ସେମାନେ ପ୍ରଶଂସା କରିଛନ୍ତି। ଭାରତରେ ଶକ୍ତି ପରିବର୍ତ୍ତନର ପ୍ରଭାବର ମିଳିତ ଭାବରେ ଏକ ନୂତନ ମାକ୍ରୋଇକୋନୋମିକ୍ ମଡେଲିଂ ବିକଶିତ କରିବା ପାଇଁ ନୀତି ଆୟୋଗ ଏବଂ ଏଏଫ୍ଡି ଗୋଷ୍ଠୀ ମଧ୍ୟରେ ହୋଇଥିବା ଆଲୋଚନାର ପ୍ରଗତି ସଂପର୍କରେ ସେମାନେ ଉଲ୍ଲେଖ କରିଛନ୍ତି।
ଜୁନ ୨୦୨୫ ରେ ନିସ୍ରେ ଅନୁଷ୍ଠିତ ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ (ୟୁଏନ୍ଓସି-୩)ର ସଫଳତାକୁ ସ୍ୱାଗତ କରିଛନ୍ତି ଉଭୟ ନେତା। ଏଗ୍ରିମେଣ୍ଟ ଅନ୍ ଦି କନଜରଭେସନ ସସ୍ଷ୍ଟେନେବୁଲ ୟୁଜ୍ଅଫ୍ ମରିନ୍ ଡାଇଭରସିଟି ଇନ୍ ଏରିଆ ବିୟଣ୍ଡ ନ୍ୟାସନାଲ ଜୁରିଡିକ୍ସନ (ବିବିଏନ୍ଜେ ଟ୍ରିଟି ) କୁ ଭାରତ ଓ ଫ୍ରାନ୍ସ ସ୍ୱାଗତ କରିଛନ୍ତି । ଏହା ହେଉଛି ଏକ ଅନ୍ତର୍ଭୁକ୍ତି ଏବଂ ବ୍ୟାପକ ଅନ୍ତର୍ଜାତୀୟ ମହାସାଗର ଗଭର୍ଣ୍ଣାସ୍ ସ୍ତମ୍ଭ ମଧ୍ୟରୁ ଗୋଟିଏ।
ବହୁପାକ୍ଷିକତା, ବିଜ୍ଞାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହି ଚୁକ୍ତିନାମା ଏକ ପ୍ରମୁଖ ସଫଳତା ବୋଲି ଅବଗତ ହେବା ପରେ ପ୍ରଥମ ପକ୍ଷ ସମ୍ମିଳନୀରୁ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ସର୍ବାଧିକ ରାଷ୍ଟ୍ର ଦ୍ୱାରା ଅନୁମୋଦନର ଗୁରୁତ୍ୱ ଉପରେ ନେତାମାନେ ସହମତ ହୋଇଥିଲେ। ମହାସାଗର ଜୈବ ବିବିଧତାକୁ ସୁରକ୍ଷା ଦେବାର ଗୁରୁତ୍ୱ ପ୍ରତି ନିଶ୍ଚିତ ହୋଇ, ଫ୍ରାନ୍ସ ଏବଂ ଭାରତ ବିଶ୍ୱବ୍ୟାପୀ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ବିସ୍ତାର ପାଇଁ ଆହ୍ୱାନ କରିଥିଲେ। ଭାରତ ଏବଂ ଫ୍ରାନ୍ସ ମଧ୍ୟ କୁନମିଂ-ମଣ୍ଟ୍ରିଆଲ ବିଶ୍ୱ ଜୈବ ବିବିଧତା ଫ୍ରେମୱାର୍କର ପୂର୍ଣ୍ଣ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି। ଫ୍ରାନ୍ସ ଏବଂ ଭାରତ ମହାସାଗର ଅନୁସନ୍ଧାନ ଏବଂ ପର୍ଯ୍ୟବେକ୍ଷଣରେ ସେମାନଙ୍କର ସହଯୋଗକୁ ସୁଦୃଢ଼ କରିବା, ଉଚ୍ଚ ସମୁଦ୍ର ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ ନିର୍ଭରଯୋଗ୍ୟ ବୈଜ୍ଞାନିକ ତଥ୍ୟ ସୃଷ୍ଟି ଏବଂ ଆଦାନପ୍ରଦାନକୁ ସମର୍ଥନ କରିବା, ଅନ୍ତର୍ଜାତୀୟ ସାମୁଦ୍ରିକ ସ୍ଥାନର ଶାସନକୁ ସୁଦୃଢ଼ କରିବା ଏବଂ ନୂତନ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ରର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ସେମାନେ ଦୋହରାଇଛନ୍ତି।
କମ୍ କାର୍ବନ ସଂପନ୍ନ ଯେତେ ସବୁ ଶକ୍ତିର ସ୍ରୋତ ଅଛନ୍ତି, ସେଥି ମଧ୍ୟରୁ ପରମାଣୁ ଶକ୍ତି ସବୁଠୁ କମ୍ କାର୍ବନ ନିର୍ଗମନ କରିଥା। ଏହାକୁ ହୃଦୟଙ୍ଗମ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ। ତେଣୁ ଶକ୍ତି ସୁରକ୍ଷାରେ ଆଣବିକ ଶକ୍ତିର ପ୍ରମୁଖ ଭୂମିକା ରହିବ। ତେଣୁ କମ୍ କାର୍ବନ ନିର୍ଗମନକୁ ସୁନିଶ୍ଚିତ କରିବା ପାଇଁ ୨୦୪୭ ସୁଦ୍ଧା ଭାରତ ୧୦୦ ଗିଗାଓ୍ୱାଟର ଯେଉଁ ଆଣବିକ ବିଜୁଳି ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି ଓ ସେଥିପାଇଁ ଏ କ୍ଷେତ୍ରରେ ଭାରତର ସାଂପ୍ରକିତ ସଂସ୍ଥାର ତଥା ଆଣିବକ ଶକ୍ତି କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରଶଂସା କରିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ। ଭାରତ-ଫ୍ରାନ୍ସ ମଧ୍ୟରେ ପରମାଣୁ ଶକ୍ତି କ୍ଷେତ୍ରରେ ଗବେଷଣା, ଦକ୍ଷତା ବିକାଶଠାରୁ ଆରମ୍ଭ କରି ଶିଳ୍ପ ପ୍ରୟୋଗ ପର୍ଯ୍ୟନ୍ତ ମୂଲ୍ୟ ଶୃଙ୍ଖଳରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ଏବଂ ଭାରତର ଶକ୍ତି ମିଶ୍ରଣରେ ଏକ ପ୍ରମୁଖ ସ୍ତମ୍ଭ କରିବା ପାଇଁ ସହଯୋଗର ସମ୍ଭାବନା ଅନୁସନ୍ଧାନ କରିବାକୁ ଉଭୟ ନେତା ସହମତ ହୋଇଥିଲେ। ବେସାମରିକ ଆଣବିକ ଶକ୍ତିର ସ୍ୱତନ୍ତ୍ର ଟାସ୍କଫୋର୍ସର ନିୟମିତ ବୈଠକ ଓ ଜୈତାପୁର ଆଣିବକ ଶକ୍ତି କେନ୍ଦ୍ର ଉପରେ ନିୟମିତ ବୈଠକ ସଂପର୍କରେ ଉଲ୍ଲେଖ କରିଥିଲେ। ସମାନ ପରିପ୍ରେକ୍ଷୀରେ, ସେମାନେ ୨୦୨୫ ମସିହାରେ ପ୍ୟାରିସରେ ଅନୁଷ୍ଠିତ ଷଷ୍ଠ ବିଶ୍ୱ ପରମାଣୁ ପ୍ରଦର୍ଶନୀ (ଡବ୍ଲୁଏନ୍ଇ) ରେ ଭାରତୀୟ କମ୍ପାନୀ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ଅଂଶଗ୍ରହଣ ଏବଂ ଆଇଏଇଏ ସହଯୋଗରେ ଫ୍ରାନ୍ସରେ ଦ୍ୱିତୀୟ ବିଶ୍ୱ ପରମାଣୁ ଶକ୍ତି ସମ୍ମିଳନୀରେ ଭାରତର ଆଗାମୀ ଅଂଶଗ୍ରହଣ ଉପରେ ସନ୍ତୋଷ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ଉଭୟ ନେତା ପରମାଣୁ ଶକ୍ତି ବିଭାଗ (ଡିଏଇ) ଏବଂ କମିଶନିସାରିଆଟ୍ ଏ ଲ'ଏନର୍ଜି ଆଟୋମିକ୍ ଏଟ୍ ଅକ୍ସ ଏନର୍ଜିଜ୍ ଅଲଟରନେଟିଭ୍ସ (ସିଇଏ) ମଧ୍ୟରେ ଥିବା ଦୀର୍ଘକାଳୀନ ସମ୍ପର୍କକୁ ସ୍ୱାଗତ କରିଥିଲେ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନବୀକରଣ ଏବଂ ସୁଦୃଢ଼ ସହଯୋଗ ପାଇଁ ଆହ୍ୱାନ କରିଥିଲେ। ଏହା ବ୍ୟତୀତ ଉଭୟ ନେତା ସେମାନଙ୍କ ନିଜ ନିଜ ନିୟାମକ ସଂସ୍ଥା ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାର ସମ୍ଭାବନା ଅନୁସନ୍ଧାନ କରିବାକୁ ସହମତ ହୋଇଥିଲେ।
୨୦୨୫ ମସିହାରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ କ୍ଷୁଦ୍ର ଏବଂ ଉନ୍ନତ ମଡ୍ୟୁଲାର୍ ରିଆକ୍ଟର (ଏସ୍ଏମ୍ଆର୍/ଏଏମ୍ଆର୍) ଉପରେ ସହଯୋଗ ସ୍ଥାପନ ପାଇଁ ଉଦ୍ଦିଷ୍ଟ ଘୋଷଣାନାମା (ଡିଓଆଇ) ଏବଂ ସୁରକ୍ଷା, ସୁରକ୍ଷା ଏବଂ ଅପ୍ରସାରର ସର୍ବୋଚ୍ଚ ମାନଦଣ୍ଡ ପ୍ରୟୋଗ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ମନେ ପକାଇ ଦୁଇ ନେତା ଏହି କ୍ଷେତ୍ରରେ ଫରାସୀ ଷ୍ଟାର୍ଟ-ଅପ୍ କମ୍ପାନୀ ଏବଂ ସଂପୃକ୍ତ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷର ପ୍ରୟାସ ସଂପର୍କରେ ଉଲ୍ଲେଖ କରିଥିଲେ। ପୃଥକ ଭାବରେ, ଏହି ଡିଓଆଇ ର ଢାଞ୍ଚା ମଧ୍ୟରେ, ଉଭୟ ପକ୍ଷ ଫରାସୀ ବିକଳ୍ପ ଶକ୍ତି ଏବଂ ପରମାଣୁ ଶକ୍ତି କମିଶନ (ସିଇଏ) ଏବଂ ଭାରତର ପରମାଣୁ ଶକ୍ତି ବିଭାଗ (ଡିଏଇ) ମଧ୍ୟରେ ଏସ୍ଏମ୍ଆର/ଏଏମ୍ଆର୍ ଉପରେ ଗବେଷଣା ଏବଂ ବିକାଶରେ ସହଯୋଗ ସ୍ଥାପନ କରିବାର ସମ୍ଭାବନା ଖୋଜିବାକୁ ଉଭୟେ ସହମତ ହୋଇଥିଲେ।
ଦ୍ୱିପାକ୍ଷିକ ବାଣିଜ୍ୟରେ ନିରନ୍ତର ଅଭିବୃଦ୍ଧି ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ନିବେଶକୁ ସ୍ୱାଗତ କରିଥିଲେ ଦୁଇ ନେତା। ସେମାନେ ଏମ୍ଏସ୍ଏମଇ, ଷ୍ଟାର୍ଟଅପ୍, ଡିଜିଟାଲାଇଜେସନ୍, ଏଆଇ ଏବଂ ନବସୃଜନ-ଚାଳିତ ଉଦ୍ୟୋଗ ସମେତ ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ସାକାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ଏହି ଗସ୍ତ ସମୟରେ ଭାରତ-ଫ୍ରାନ୍ସ ସିଇଓ ଫୋରମ୍ ଆୟୋଜନରେ ଖୁସି ପ୍ରକାଶ କରିଥିଲେ ଉଭୟ ନେତା ।
ସେମାନେ ଚଳିତ ବର୍ଷ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ଆୟୋଜନ କରିବା ପାଇଁ ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଥିଲେ। ଉଭୟ ଦେଶର କମ୍ପାନୀ ମଧ୍ୟରେ ବିଶେଷ କରି ମହାକାଶ, ଶକ୍ତି ଏବଂ ଲଜିଷ୍ଟିକ୍ସ, କୃଷି-ଖାଦ୍ୟ, ଟେଲିକମ୍ ଏବଂ ପ୍ରଯୁକ୍ତି କ୍ଷେତ୍ର ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ଗଭୀର ହେବାରେ ନେତାମାନେ ଖୁସି ପ୍ରକାଶ କରିଥିଲେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସିଇଓ ଫୋରମ୍ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସହଭାଗୀତାର ଏଜେଣ୍ଡାକୁ ଆହୁରି ଆଗକୁ ନେବ।
ଦୁଇ ନେତା ଦ୍ୱିପାକ୍ଷିକ ଟିକସ ଚୁକ୍ତିନାମାରେ ସଂଶୋଧନ ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହା ଫରାସୀ ଏବଂ ଭାରତୀୟ ବ୍ୟବସାୟ ପାଇଁ ଆର୍ଥିକ କାର୍ଯ୍ୟକଳାପକୁ ସୁରକ୍ଷିତ କରିବ ଏବଂ ଦୁଇ ଦେଶ ମଧ୍ୟରେ ଅଧିକ ନିବେଶ ଏବଂ ସହଯୋଗ ପାଇଁ ପଥ ପ୍ରଶସ୍ତ କରିବ।
ୟୁପିଆଇ ସେବା ପ୍ରଦାନ କରୁଥିବା ପ୍ରଥମ ୟୁରୋପୀୟ ଦେଶ ଫ୍ରାନ୍ସରେ ୟୁପିଆଇ ଦ୍ୱାରା ହୋଇଥିବା ନିରନ୍ତର ପ୍ରଗତି ଉପରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ। ଅନେକ ଫ୍ଲାଗସିପ୍ ଷ୍ଟୋର ପୂର୍ବରୁ ୟୁପିଆଇକୁ ଗ୍ରହଣ କରିଛନ୍ତି, ଯାହା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପ୍ୟାରିସକୁ ଅଧିକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ କରିଛି। ପର୍ଯ୍ୟଟକଙ୍କ ଦ୍ୱାରା କରାଯାଉଥିବା ଦେୟକୁ ଉନ୍ନତ କରିବା ପାଇଁ ସୁରକ୍ଷିତ ଏବଂ ଦକ୍ଷ ଡିଜିଟାଲ୍ ପେମେଣ୍ଟ ପଦ୍ଧତିର ଅଧିକ ଗ୍ରହଣୀୟତା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନେତା ରାଜି ହୋଇଥିଲେ।
ଉଭୟ ନେତା ରେଳ କ୍ଷେତ୍ରରେ ସହଯୋଗକୁ ସ୍ୱାଗତ କରିଛନ୍ତି। ପରିଚାଳନା ଏବଂ ରକ୍ଷଣାବେକ୍ଷଣ, ଯାତ୍ରୀ ସୁବିଧା, ସ୍ଥିରତା ଏବଂ ପରିବେଶଗତ ପ୍ରଭାବ ପରିଚାଳନା, ରେଳ କର୍ମଚାରୀଙ୍କ ତାଲିମ ଏବଂ ଦକ୍ଷତା ବୃଦ୍ଧି, ଉଚ୍ଚ-ସ୍ପିଡ୍ ରେଳ ଭଳି ନିର୍ମାଣ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ସମେତ ମ୍ୟାନୁଫ୍ୟାକଚରିଂ ପ୍ରଯୁକ୍ତିବିଦ୍ୟା ପରି ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାକୁ ସେମାନଙ୍କର ଅଭିପ୍ରାୟ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଭାରତରେ ରେଳ ଏବଂ ଉଚ୍ଚ-ସ୍ପିଡ୍ ରେଳ ବିକାଶରେ ସହଯୋଗ ପାଇଁ ଏକ ମିଳିତ ଆଗ୍ରହ ଘୋଷଣାପତ୍ର ସ୍ୱାକ୍ଷର କରିବାକୁ ଅପେକ୍ଷା କରିଛନ୍ତି।
୩-ଲୋକଙ୍କ ପାଇଁ ସହଭାଗିତା
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ସହଯୋଗର ସମୃଦ୍ଧ ଇତିହାସକୁ ମନେ ପକାଇ ଉଭୟ ନେତା ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ୨୦୨୬ ପରିପ୍ରେକ୍ଷୀରେ ସହଯୋଗ ବୃଦ୍ଧି ଉପରେ ସେମାନେ ଜୋର୍ ଦେଇଥିଲେ। ମହାକାଶ,ବେସାମରିକ ପରମାଣୁ ଶକ୍ତି, ସାଇବର ଏବଂ ଏଆଇ ସମେତ ଯେଉଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବର୍ତ୍ତମାନ ସହଯୋଗ ଅଛି ତଥା ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଥିବା ଦ୍ୱିପାକ୍ଷିକ ସହଯୋଗରେ ପ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ଏହାକୁ ଆହୁରି ଆଗକୁ ବଢ଼ୁ ବୋଲି ଉତ୍ସାହିତ କରିଥିଲେ। ଫ୍ରାନ୍ସ ଏବଂ ଭାରତର ନବସୃଜନ ପରିବେଶକୁ ଏକ ଡିଜିଟାଲ ନେଟୱାର୍କ ମାଧ୍ୟମରେ ଏକାଠି କରିବା ପାଇଁ ଭାରତ-ଫ୍ରାନ୍ସ ନବସୃଜନ ନେଟୱାର୍କର ଶୁଭାରମ୍ଭକୁ ସେମାନେ ସ୍ୱାଗତ କରିଥିଲେ। ଏହା ଉଭୟ ଦେଶର ଉଦ୍ଭାବକ, ଷ୍ଟାର୍ଟ-ଅପ୍, ବ୍ୟବସାୟ ଏବଂ ଇନକ୍ୟୁବେଟର ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ଯୋଡ଼ିବ।
ଗତ ବର୍ଷ ଷ୍ଟେସନ F ରେ ଦଶଟି ଭାରତୀୟ ଷ୍ଟାର୍ଟଅପ୍ର ସଫଳତା ପରେ ଦୁଇ ନେତା ଭାରତୀୟ ଏବଂ ଫରାସୀ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଏବଂ ଅଧିକ ପାରସ୍ପରିକ କ୍ରିୟା ଉପରେ ଚାଲିଥିବା ଆଲୋଚନାକୁ ସ୍ୱାଗତ କରିଥିଲେ ଏବଂ ଦୁଇଟି ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସହଯୋଗ ପାଇଁ T-Hub ଏବଂ Nord France Invest ମଧ୍ୟରେ ସ୍ୱାକ୍ଷରିତ LoI କୁ ସ୍ୱାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ଫରାସୀ ପକ୍ଷ ବାଙ୍ଗାଲୋର ଟେକ୍ ଶିଖର ସମ୍ମିଳନୀ ସହିତ ସହଭାଗୀତାରେ ୟୁରୋପର ସର୍ବବୃହତ ଟେକ୍ ମେଳା VivaTech କୁ ଭାରତରେ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ବିଭିନ୍ନ ପ୍ରକଳ୍ପରେ ବର୍ତ୍ତମାନ ଥିବା ଦୃଢ଼ ବୈଜ୍ଞାନିକ ସହଭାଗୀତାକୁ ଆଗକୁ ବଢାଇବା ପାଇଁ ଇନଷ୍ଟିଚ୍ୟୁଟ୍ ନ୍ୟାସନାଲ୍ ଡି ରିଚେର୍ଚେ ଏନ୍ ଇନଫର୍ମେଟିକ୍ ଏଟ୍ ଏନ୍ ଅଟୋମାଟିକ୍ (INRIA) ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ମଧ୍ୟରେ ଡିଜିଟାଲ୍ ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ଉପରେ ଏକ ଦ୍ୱିରାଷ୍ଟ୍ରୀୟ କେନ୍ଦ୍ର ଖୋଲିବା ଘୋଷଣାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ମିଳିତ ଘୋଷଣାପତ୍ର ସ୍ୱାକ୍ଷର କରିଥିଲେ। ବୈଜ୍ଞାନିକ ସହଯୋଗ ପାଇଁ ଦି ସେଣ୍ଟର ନ୍ୟାସନାଲ ଡେ ଲା ରିଚେର୍ଚେ ସାଇଣ୍ଟିଫିକ୍ (CNRS) ଏବଂ DST ମଧ୍ୟରେ ବୈଜ୍ଞାନିକ ସହଯୋଗ ବୁଝାମଣାପତ୍ରର ନବୀକରଣ ସହିତ ଏକ ମିଳିତ ଆଡଭାନ୍ସ ମଟେରିଆଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଲେଟର୍ ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି। ଏଆଇ ଓ ପ୍ରାୟୋଗିକ ଗଣିତ କ୍ଷେତ୍ରରେ ANR ଏବଂ DST ଦ୍ୱାରା ପ୍ରକଳ୍ପ ପାଇଁ ମିଳିତ କାମ ପାଇଁ ଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ।
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ଉଭୟ ପକ୍ଷ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସମ୍ପ୍ରତି ଏକ ଲେଟର ଅଫ୍ ଇଣ୍ଟେଣ୍ଟ ଘୋଷଣାନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ସେଣ୍ଟ-ଡେନିସ୍ ଡେ ଲା ରିୟୁନିଅନ୍ ଏବଂ ଚେନ୍ନାଇ ମଧ୍ୟରେ ଏକ ନୂତନ ବିମାନ ମାର୍ଗ ଆରମ୍ଭକୁ ସେମାନେ ସ୍ୱାଗତ କରିଛନ୍ତି। ଏହି ନୂଆ ଆକାଶ ମାର୍ଗ ଲା ରିୟୁନିଅନ୍ ଓ ଭାରତ ମଧ୍ୟରେ ଅର୍ଥନୈତିକ ତଥା ସାଂସ୍କୃତିକ ଆଦାନପ୍ରଦାନକୁ ବିକଶିତ କରିବାରେ ସାହାଯ୍ୟ କରିବ। କାନପୁର ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍ଏସ୍ଟିଆଇ)ରେ ବିମାନ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲେଟର୍ ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଦକ୍ଷତା ବିକାଶ, ବୃତ୍ତିଗତ ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏବର ବୁଝାମଣାପତ୍ର ଅନୁଯାୟୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି ସେମାନେ। ଏହାର ଲକ୍ଷ୍ୟ ହେଉଛି ଦକ୍ଷତା ବୃଦ୍ଧି।
ଭାରତ ଏବଂ ଫ୍ରାନ୍ସ ସ୍ୱାସ୍ଥ୍ୟ ସହଯୋଗ କ୍ଷେତ୍ରରେ ଅଭୂତପୂର୍ବ ଗତିଶୀଳତାକୁ ସ୍ୱାଗତ କରିଛନ୍ତି। ଜାନୁଆରୀ ୨୦୨୪ ରେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶେଷ ଗସ୍ତ ସମୟରେ ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଲେଟର୍ ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷର କରିବା ପରେ ଭାରତ ଏବଂ ଫ୍ରାନ୍ସ ଏହି ରଣନୀତିକ ସହଯୋଗର ମୂଳରେ ଏଆଇ ଓ ଡିଜିଟାଲ୍ ସ୍ୱାସ୍ଥ୍ୟକୁ ସ୍ଥାନ ଦେଇଛନ୍ତି। ଏହାକୁ ଆଗକୁ ବଢାଇବା ପାଇଁ ଉଭୟ ନେତା ଗସ୍ତ ସମୟରେ ସ୍ୱାସ୍ଥ୍ୟସେବାରେ ଏଆଇ ପାଇଁ ଉତ୍ସର୍ଗୀକୃତ ଏକ ଅନନ୍ୟ ଗବେଷଣା କେନ୍ଦ୍ରର ଶୁଭାରମ୍ଭ ପାଇଁ ସହମତ ହୋଇଛନ୍ତି। ସୋରବୋନ ବିଶ୍ୱବିଦ୍ୟାଳୟ, ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (AIMS), ନୂଆଦିଲ୍ଲୀ ଏବଂ ପ୍ୟାରିସ୍ ବ୍ରେନ୍ ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଡିଜିଟାଲ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ-ଫ୍ରାନ୍ସ ସହଯୋଗର ପ୍ରତିଶ୍ରୁତି ଏହି ଗତିଶୀଳତାକୁ ଆହୁରି ମଜବୁତ କରିବ। ପାରିସାଣ୍ଟେ କ୍ୟାମ୍ପସ୍ ଏବଂ ସି-କ୍ୟାମ୍ପସ୍ ( ସେଣ୍ଟର ଫର୍ ସେଲ୍ୟୁଲାର୍ ଏବଂ ମଲିକ୍ୟୁଲାର୍ ପ୍ଲାଟଫର୍ମସ୍) ଏବଂ ହେଲ୍ଥ ଡାଟା ହବ୍ ଏବଂ ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ମଧ୍ୟରେ ସହଭାଗିତା ମଧ୍ୟ ଏଥିରେ ରହିଛି। ଫରାସୀ-ଭାରତୀୟ କ୍ୟାମ୍ପସ୍ ଲାଇଫ୍ ସାଇନ୍ସେସ୍ ଫର୍ ହେଲ୍ଥ ର ପ୍ରଗତି ଓ ଉଚ୍ଚାଭିଳାଷକୁ ଦୁଇ ନେତା ପ୍ରଶଂସା କରିଥିଲେ। ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଉଭୟ ଦେଶର ୨୨ରୁ ଅଧିକ ପ୍ରତିଷ୍ଠିତ ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନକୁ ଏକାଠି କରିବ ଏହି ପ୍ରକଳ୍ପ। ସଂକ୍ରାମକ ରୋଗ ଓ ବିଶ୍ୱ ସ୍ୱାସ୍ଥ୍ୟ ଗବେଷଣା ଉପରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ-ଫ୍ରାନ୍ସ ସହଯୋଗର ଏକ ଲେଟର୍ ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଥିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୀର୍ଘକାଳୀନ ସାଂସ୍କୃତିକ ସହଯୋଗକୁ ଆଧାର କରି ଉଭୟ ନେତା ସାଂସ୍କୃତିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଦୋହରାଇଥିଲେ। ବିଶେଷକରି ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ୨୦୨୬ ପରିପ୍ରେକ୍ଷୀରେ ଭାରତ ଏବଂ ଫ୍ରାନ୍ସର ମିଳିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ ଏବଂ ପ୍ରୋତ୍ସାହିତ କରିବାକୁ ଉଭୟ ଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ଆୟୋଜନ କରି ସାଂସ୍କୃତିକ ସହଯୋଗକୁ ଆହୁରି ଗଭୀର କରିବା ଉପରେ ସେମାନେ ଜୋର୍ ଦେଇଥିଲେ। ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପାରସ୍ପରିକ 'ଭିଲ୍ଲା ସ୍ୱାଗତମ୍' ରେସିଡେନ୍ସୀ ନେଟୱାର୍କର ଗୁରୁତ୍ୱକୁ ସ୍ୱୀକାର କରିଥିଲେ ଉଭୟ ନେତା।
ଡିସେମ୍ବର ୨୦୨୪ରେ ଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଓ ଫ୍ରାନ୍ସ ସଂଗ୍ରହାଳୟ ବିକାଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ମନେ ପକାଇ ଉଭୟ ନେତା ଯୁଗେ ଯୁଗୀନ୍ ଭାରତ ସଂଗ୍ରହାଳୟକୁ ଏକ ବିଶ୍ୱ ସାଂସ୍କୃତିକ ଐତିହାସିକ ସ୍ଥାନ ଭାବରେ ପ୍ରତିଷ୍ଠା କରିବାରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଥିଲେ। ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କଂପ୍ଲେକ୍ସ ଉପରେ ସହଯୋଗ ପାଇଁ ଆଲୋଚନାରେ ହୋଇଥିବା ପ୍ରଗତିକୁ ମଧ୍ୟ ସ୍ୱାଗତ କରିଥିଲେ।
୨୦୨୮ ମସିହାରେରେ ଫ୍ରେଞ୍ଚ ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଏସିଏନ୍ ଆର୍ଟ (ଗୁଇମେଟ ମ୍ୟୁଜିଅମ)ରେ ଏକ ସାଂସ୍କୃତିକ ବର୍ଷ ଭାରତକୁ ଉତ୍ସର୍ଗ କରାଯାଇଥିବାର ଘୋଷଣାକୁ ସେମାନେ ସ୍ୱାଗତ କରିଥିଲେ। ଏହା ସହିତ ଫ୍ରାନ୍ସ-ଭାରତୀୟ ରଣନୀତିକ ସହଭାଗୀତାର ୩୦ତମ ବାର୍ଷିକୀ ପାଳନ କରିବା ପାଇଁ ମୁସି ଡୁ କ୍ୱାଇ ବ୍ରାନ୍ଲି - ଜ୍ୟାକ୍ ଚିରାକରେ ସମସାମୟିକ ଭାରତୀୟ ଫଟୋଗ୍ରାଫିକୁ ଉତ୍ସର୍ଗ କରାଯାଇଥିବା ଏକ ପ୍ରଦର୍ଶନୀ ଘୋଷଣାକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ। ୨୦୨୫ ଶେଷ ଆଡ଼କୁ ମୋବିଲିଅର୍ ନ୍ୟାସନାଲ୍ରେ ଉପସ୍ଥାପିତ ହୋଇଥିବା ଉଭୟ ଦେଶର ବୟନ ଶିଳ୍ପ ବିଶେଷଜ୍ଞତା ପାଇଁ ଉତ୍ସର୍ଗୀକୃତ "Ce qui se trame" / "Textile Matters" ପ୍ରଦର୍ଶନୀ ଖୁବ୍ ଶୀଘ୍ର ଭାରତରେ ପ୍ରଦର୍ଶିତ ହେବ।
ଫ୍ରାନ୍ସ ଏବଂ ଭାରତ ଉଭୟ ଦେଶ ସେମାନଙ୍କର ସମୃଦ୍ଧ ସାଂସ୍କୃତିକ ଏବଂ ସୃଜନଶୀଳ ପରମ୍ପରା ସହିତ ନୂତନ ସହଯୋଗକୁ ଉତ୍ସାହିତ କରିବା ଏବଂ ସର୍ବୋତ୍ତମ ପରମ୍ପରାକୁ ବାଣ୍ଟିବା ଉଦ୍ଦେଶ୍ୟରେ ସାଂସ୍କୃତିକ ଏବଂ ସୃଜନଶୀଳ ଶିଳ୍ପ (କଲଚରାଲ ଆଣ୍ଡ କ୍ରିଏଟିଭ ଇଣ୍ଡଷ୍ଟ୍ରି-ସିସିସିଆଇ) କୁ ପ୍ରୋତ୍ସାହିତ କରିବାରେ ସହଯୋଗ କରିବାକୁ ସେମାନଙ୍କର ଇଚ୍ଛା ପ୍ରକାଶ କରିଛନ୍ତି।
୨୦୨୨ ପ୍ୟାରିସ ପୁସ୍ତକ ମହୋତ୍ସବକୁ ଭାରତକୁ ନିମନ୍ତ୍ରଣ ଓ ୨୦୨୩ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାକୁ ଫ୍ରାନ୍ସକୁ ନିମନ୍ତ୍ରଣର ପାରସ୍ପରିକ ସଫଳତାକୁ ଆଧାର କରି ଫ୍ରାନ୍ସ ଏବଂ ଭାରତ ପୁସ୍ତକ ଓ ସାହିତ୍ୟ ଉପରେ ସହଯୋଗକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏଥିରେ ରହିଛି ଉଭୟ ଦେଶର ପେସାଦାର ବ୍ୟକ୍ତିଙ୍କୁ ପରସ୍ପର ଦ୍ୱାରା ନିମନ୍ତ୍ରଣ, ଦ୍ୱିପାକ୍ଷିକ ଅନୁବାଦ ପ୍ରବାହ ଏବଂ ସହଯୋଗମୂଳକ ଉଦ୍ୟମ।
୨୦୨୩ ମସିହାର ନମସ୍ତେ ଫ୍ରାନ୍ସର ସଫଳତାକୁ ଆଧାର କରି ଉଭୟ ନେତା ୨୦୨୮ ମସିହାରେ ରଣନୀତିକ ସହଭାଗୀତାର ୩୦ ବର୍ଷ ପୂର୍ତ୍ତି ପାଇଁ ନମସ୍ତେ ଫ୍ରାନ୍ସର ପରବର୍ତ୍ତୀ ସଂସ୍କରଣ ପାଳନ କରିବାକୁ ଏବଂ ଏହାକୁ ଦ୍ୱିପାକ୍ଷିକ ସାଂସ୍କୃତିକ ସହଯୋଗର ଏକ ନିୟମିତ ବୈଶିଷ୍ଟ୍ୟ ଭାବରେ ଗ୍ରହଣ କରିବାକୁ ଉଭୟ ନେତା ସହମତ ହୋଇଥିଲେ।
ଭାରତରେ ଆଲାଏନ୍ସ ଫ୍ରାନ୍ସାଇଜ୍ ନେଟୱାର୍କ ଏବଂ ଲା ରିୟୁନିଅନରେ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ସମ୍ପାଦିତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଉଭୟ ନେତା ପ୍ରଶଂସା କରିଥିଲେ। ସେମାନେ ପ୍ୟାରିସରେ ଭାରତୀୟ ସାଂସ୍କୃତିକ କେନ୍ଦ୍ର (ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର - SVCC) ଖୋଲିବାକୁ ସ୍ୱାଗତ କରିଥିଲେ ଏବଂ ପ୍ୟାରିସରେ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଏବଂ ଭାରତରେ ଆଲାଏନ୍ସ ଫ୍ରାନ୍ସାଇଜ୍ ନେଟୱାର୍କର ନିର୍ଦ୍ଦିଷ୍ଟ ମିଶନକୁ ସ୍ୱୀକାର କରିବା ପାଇଁ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଚୂଡ଼ାନ୍ତ କରିବାକୁ ସେମାନଙ୍କର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ଭାରତରେ ମାଧ୍ୟମିକ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବୃତ୍ତିଗତ ଶିକ୍ଷା କେନ୍ଦ୍ରଗୁଡ଼ିକରେ ଫରାସୀ ଭାଷା ଶିକ୍ଷାକୁ ବିସ୍ତାର କରିବା ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ। ଏଥିରେ ରହିଛି ଫ୍ରେଞ୍ଚ ଫର୍ ଅଲ୍, ଫ୍ରେଞ୍ଚ ଫର୍ ଏ ବେଟର ଫ୍ୟୁଚର ପ୍ରୋଗ୍ରାମ।
ଉଭୟ ନେତା ଶିକ୍ଷା କ୍ଷେତ୍ରରେ ସହଯୋଗ ଏବଂ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାର ପ୍ରାଥମିକତା ଉପରେ ଜୋର୍ ଦେଇଥିଲେ। ଏଦିଗରେ ସେମାନେ ଇଣ୍ଟରନ୍ୟାସନାଲ କ୍ଲାସେସ୍ ଇନିସିଏଟିଭକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭାଷାଗତ ଓ ପଦ୍ଧତିଗତ ତାଲିମ ପ୍ରଦାନ କରାଯାଏ ଯାହା ଦ୍ୱାରା ସେମାନେ ଫ୍ରାନ୍ସର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିବାର ସହାୟକ ହୋଇଥାଏ। ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମକୁ ଏହା ପ୍ରୋତ୍ସାହିତ କରିବ। ବର୍ତ୍ତମାନ ଫ୍ରାନ୍ସରେ ୧୦ ହଜାର ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨୦୩୦ ଏହାକୁ ୩୦ ହଜାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଭୟ ନେତା ମୁମ୍ବାଇରେ ଏକ ହବ୍ ପ୍ରତିଷ୍ଠାକୁ ସ୍ୱାଗତ କରିଛନ୍ତି ଯାହା ESSEC ବିଜନେସ୍ ସ୍କୁଲ ଏବଂ ସେଣ୍ଟ୍ରାଲସୁପେଲେକ୍ ଇଞ୍ଜିନିୟରିଂ ସ୍କୁଲକୁ ଏକାଠି କରିବ। ଶିକ୍ଷାଗତ ଯୋଗ୍ୟତାର ପରସ୍ପରର ସ୍ୱୀକୃତି ଉପରେ ଚୁକ୍ତିନାମାର ଆଗାମୀ ସଂଶୋଧନକୁ ଉଭୟ ନେତା ସ୍ୱାଗତ କରିଛନ୍ତି।
ଶିକ୍ଷାଗତ ଓ ବୈଜ୍ଞାନିକ ସହଯୋଗର ବୃଦ୍ଧି ଏବଂ ନୂଆଦିଲ୍ଲୀରେ ୧୮ ତଥା ୧୯ ଫେବୃଆରୀରେ AIIMS ଦ୍ୱାରା ଆୟୋଜିତ ଉଚ୍ଚସ୍ତରୀୟ ଶିକ୍ଷାଗତ ଓ ବୈଜ୍ଞାନିକ ବୈଠକର ସଫଳତାକୁ ଉଭୟ ନେତା ପ୍ରଶଂସା କରିଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ଏକାଠି ହୋଇଥିଲେ ଉଭୟ ଦେଶର ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ବିଜ୍ଞାନଭିତ୍ତିକ ସଂଗଠନ। ଦୁଇ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଦ୍ୱୈତ ଓ ଯୁଗ୍ମ ଡିଗ୍ରୀ ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସାମାଜିକ ବିଜ୍ଞାନ କ୍ଷେତ୍ରରେ ଦ୍ୱିପାକ୍ଷିକ ବିଜ୍ଞାନଭିତ୍ତିକ ଗବେଷଣାକୁ ପାଣ୍ଠି ପ୍ରଦାନ କରିବା ଓ ଏହାର ପ୍ରସାର ପ୍ରଚାର ପାଇଁ CEFIPRA କରିଥିବା କାମ ଉଭୟ ନେତା ପ୍ରଶଂସା କରିବା ସହିତ ସହଯୋଗ ଜଣାଇଥିଲେ।
ଦୁଇ ଦେଶ ମଧ୍ୟରେ ପରସ୍ପରର ହିତର କୌଶଳ ଓ ପ୍ରତିଭା ବିନିମୟର ବୃଦ୍ଧି ପାଇଁ ଉଭୟ ନେତା ଭାରତ-ଫ୍ରାନ୍ସ ମାଇଗ୍ରେସନ ଆଣ୍ଡ ମୋବିଲିଟି ପାର୍ଟନରସିପ୍ ଏଗ୍ରିମେଣ୍ଟ (ଏମ୍ଏମ୍ପିଏ) ଓ ୟଙ୍ଗ୍ ପ୍ରଫେସ୍ନାଲ ସ୍କିମ (ଓ୍ୱାଇପିଏସ୍)ର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। କୌଶଳ ବିକାଶ, ପେସାଦାର ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ଦୁଇ ଦେଶମ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଏହା ଯୁବ ବର୍ଗ ଓ ପେସାଦାର ଲୋକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ଏହା ସହିତ ଫ୍ରାନ୍ସ ଓ ଭାରତର ନାଗରିକଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କକୁ ମଧ୍ୟ ମଜଭୁତ କରିବ।
ଏହି ମନୋଭାବରେ ଆଗାମୀ ଦିନରେ ଫ୍ରାନ୍ସର ବିଭିନ୍ନ ବିମାନବନ୍ଦର ଦେଇ ଭାରତୀୟ ନାଗରିକଙ୍କ ଗମନାଗମନକୁ ଭିସାମୁକ୍ତ କରାଯିବ ବୋଲି ଯେଉଁ ଘୋଷଣା ହୋଇଛି, ତାକୁ ସ୍ୱାଗତ କରିଥିଲେ ଉଭୟ ନେତା। ୬ ମାସ ପରେ ଏହି ପାଇଲଟ ପ୍ରକଳ୍ପର ସମୀକ୍ଷା କରାଯିବ।
ମାର୍ସିଲେରେ ଅନୁଷ୍ଠିତ ରାଇସିନା ଆଲୋଚନାର ପ୍ରଥମ ଭୂମଧ୍ୟସାଗରୀୟ ସଂସ୍କରଣକୁ ସ୍ୱାଗତ କରିଥିଲେ ଉଭୟ ନେତା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଭୂମଧ୍ୟସାଗରୀୟ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ବାଣିଜ୍ୟ ତଥା ସଂଯୋଗୀକରଣ ବୃଦ୍ଧି କରିବା ପାଇଁ ବିଭିନ୍ନ ସରକାରଙ୍କ ପ୍ରତିନିଧି, ଶିଳ୍ପପତି, ବାଣିଜ୍ୟ ଏବଂ ସଂଯୋଗୀକରଣର ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଂଶୀଦାରମାନଙ୍କୁ ନେଇ ଉଚ୍ଚସ୍ତରୀୟ ଆଲୋଚନାକୁ ପ୍ରୋତ୍ସାହିତ କରିବା । ଏହା ଉଭୟ ପକ୍ଷର ଶିକ୍ଷାବିତ୍ ଏବଂ ଚିନ୍ତନ-ସଂସ୍ଥା ମଧ୍ୟରେ ଏବଂ ଭୂମଧ୍ୟସାଗରୀୟ କ୍ଷେତ୍ରର ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ଆହୁରି ବୃଦ୍ଧି କରିବ। ଏହି ପରିପ୍ରେକ୍ଷୀରେ ଉଭୟ ନେତା ଏହି ଫୋରମର ଆଗାମୀ ସଂସ୍କରଣକୁ ଅପେକ୍ଷା କରିଛନ୍ତି।
ଭାରତ-ଫ୍ରାନ୍ସ ସ୍ୱତନ୍ତ୍ର ବିଶ୍ୱ ରଣନୀତିକ ସହଭାଗୀତା ପ୍ରତିଷ୍ଠା ଭାରତ-ଫ୍ରାନ୍ସ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିଛି। ଏହା ଦୁଇ ଦେଶର ଲୋକଙ୍କ ପାଇଁ ଆହୁରି ସୁଯୋଗ ସୃଷ୍ଟି କରିବ ଏବଂ ଅନ୍ତର୍ଜାତୀୟ ଶାନ୍ତି, ସ୍ଥିରତା ତଥା ସମୃଦ୍ଧିକୁ ଆଗକୁ ନେବ।
BSP
(ରିଲିଜ ଆଡି: 2231516)
ପରିଦର୍ଶକ କାଉଣ୍ଟର : 3