ନିର୍ବାଚନ ଆୟୋଗ
ଏପ୍ରିଲରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ପଦବୀ ଲାଗି ହେବ ନିର୍ବାଚନ
ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେବ
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 11:19AM by PIB Bhubaneshwar
ଆସନ୍ତା ଏପ୍ରିଲ ମାସରେ ୧୦ଟି ରାଜ୍ୟରେ ୩୭ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି । ଓଡ଼ିଶାରୁ ମମତା ମହନ୍ତ, ମୁଜୀବୁଲ୍ଲା ଖାନ, ସୁଜୀତ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଶେଷ ହେବ। ଏହାବ୍ୟତୀତ ମହାରାଷ୍ଟ୍ରର ୭ଟି, ତାମିଲନାଡ଼ୁର ୬ଟି, ପଶ୍ଚିମବଙ୍ଗର ୫ଟି, ଆସାମର ୩ଟି, ବିହାରର ୫ଟି, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବର୍ତ୍ତମାନ ନିର୍ବାଚନ ଆୟୋଗ ଏସବୁ ପଦବୀ ଲାଗି ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟସଭା ନିର୍ବାଚନ ଲାଗି ଆସନ୍ତା ୨୬ ଫେବୃଆରୀ ୨୦୨୬ (ଗୁରୁବାର) ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୫ ମାର୍ଚ୍ଚ ୨୦୨୬ (ଗୁରୁବାର) ଧାର୍ଯ୍ୟ କରାଯାଇଛି। ୬ ମାର୍ଚ୍ଚ ୨୦୨୬ (ଶୁକ୍ରବାର) ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀମାନେ ୯ ମାର୍ଚ୍ଚ ୨୦୨୬ (ସୋମବାର) ସୁଦ୍ଧା ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ରାଜ୍ୟସଭା ନିର୍ବାଚନ ଲାଗି ମତଦାନ ୧୬ ମାର୍ଚ୍ଚ ୨୦୨୬ (ସୋମବାର) ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ୧୬ ମାର୍ଚ୍ଚ ୨୦୨୬ (ସୋମବାର) ଅପରାହ୍ଣ ୫ଟାରେ ମତଗଣନା କରାଯିବ। ୨୦ ମାର୍ଚ୍ଚ ୨୦୨୬ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।
ମତପତ୍ରରେ ପସନ୍ଦ ଚିହ୍ନିତ କରିବା ଲାଗି କେବଳ ରିଟର୍ଣ୍ଣିଂ ଅଧିକାରୀ ଯୋଗାଇ ଦେଇଥିବା ପୂର୍ବ-ନିର୍ଦ୍ଧାରିତ ବାଇଗଣୀ ରଙ୍ଗର କାଳି ଥିବା କଲମ ବ୍ୟବହାର କରାଯିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ବାଚନରେ ପସନ୍ଦର ପ୍ରାର୍ଥୀଙ୍କୁ ଚିହ୍ନିତ କରିବା ଲାଗି ଅନ୍ୟ କୌଣସି କଲମ ଉପଯୋଗ କରାଯିବ ନାହିଁ। ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ନିର୍ବାଚନ ପ୍ରକ୍ରିୟାର ଗଭୀର ନିରୀକ୍ଷଣ ଲାଗି ପର୍ଯ୍ୟାପ୍ତ ଉପାୟ କରାଯିବ।
******
PS
(ରିଲିଜ ଆଡି: 2229634)
ପରିଦର୍ଶକ କାଉଣ୍ଟର : 6