ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଇଣ୍ଡିଗୋ ସେବା ବ୍ୟାଘାତ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ବିବୃତ୍ତି
प्रविष्टि तिथि:
05 DEC 2025 4:45PM by PIB Bhubaneshwar
- ଆସନ୍ତାକାଲି ସୁଦ୍ଧା ସମୟସୂଚୀ ସ୍ଥିର ହେବା ସହିତ ତିନି ଦିନ ମଧ୍ୟରେ ସ୍ୱାଭାବିକ ହେବ ବିମାନ ସେବା
- ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଲେ ଭାରତ ସରକାର; ଭବିଷ୍ୟତରେ ଏପରି ବିଭ୍ରାଟ ରୋକିବାକୁ ନିଆଯିବ ପଦକ୍ଷେପ
ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର ବିମାନସେବା ବାଧାପ୍ରାପ୍ତ ହେବା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ବିମାନ କାର୍ଯ୍ୟସୂଚୀ, ବିଶେଷକରି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବାରେ ଦେଖା ଦେଇଥିବା ବ୍ୟାଘାତକୁ ସମାଧାନ କରିବା ପାଇଁ ଜରୁରୀ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (ଏଫଡିଟିଏଲ) ନିର୍ଦ୍ଦେଶକୁ ତୁରନ୍ତ ସ୍ଥଗିତ ରଖାଯାଇଛି। ବିମାନ ସୁରକ୍ଷା ସହିତ କୌଣସି ସାଲିସ ନକରି, ଏହି ନିଷ୍ପତ୍ତି କେବଳ ଯାତ୍ରୀ, ବିଶେଷକରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ରୋଗୀ ଏବଂ ଜରୁରୀ ଆବଶ୍ୟକତା ପାଇଁ ସମୟୋଚିତ ବିମାନ ଯାତ୍ରା ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି।
ଏହାବ୍ୟତୀତ, ସାଧାରଣ ବିମାନ ସେବା ଯଥାଶୀଘ୍ର ସ୍ୱାଭାବିକ କରିବା ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଅନେକ କାର୍ଯ୍ୟକାରିତାଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀର ତୁରନ୍ତ କାର୍ଯ୍ୟକାରିତାକୁ ଆଧାର କରି, ଆସନ୍ତାକାଲି ସୁଦ୍ଧା ବିମାନ ସମୟସୂଚୀ ସ୍ଥିର ହେବା ଆରମ୍ଭ ହେବ ଏବଂ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଆଗାମୀ ତିନି ଦିନ ମଧ୍ୟରେ ସେବାଗୁଡ଼ିକର ପୁନର୍ବାର ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ।
ଏହି ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ, ବିମାନ କମ୍ପାନୀଗୁଡ଼ିକୁ ଉନ୍ନତ ଅନଲାଇନ୍ ସୂଚନା ପ୍ରଣାଳୀ ମାଧ୍ୟମରେ ନିୟମିତ ଏବଂ ସଠିକ୍ ଅପଡେଟ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ଵାରା ଯାତ୍ରୀମାନେ ସେମାନଙ୍କ ଘରୁ ଠିକ୍ ସମୟରେ ଉଡ଼ାଣ ସ୍ଥିତି ନିରୀକ୍ଷଣ କରିପାରିବେ। କୌଣସି ଉଡ଼ାଣ ବାତିଲ ହେଲେ, ବିମାନ କମ୍ପାନୀଗୁଡ଼ିକ ନିଜ ଆଡ଼ୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବେ । ଏଥିପାଇଁ ଯାତ୍ରୀମାନଙ୍କୁ କୌଣସି ଅନୁରୋଧ କରିବାର ଆବଶ୍ୟକତା ନାହିଁ। ଦୀର୍ଘ ସମୟ ବିଳମ୍ବ ଯୋଗୁଁ ଫସି ରହିଥିବା ଯାତ୍ରୀମାନଙ୍କୁ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ହୋଟେଲରେ ରହିବାର ବ୍ୟବସ୍ଥା କରାଯିବ।
ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ବିଶେଷ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ ଲାଉଞ୍ଜ ପ୍ରବେଶ ଏବଂ ସେମାନଙ୍କର ଯାତ୍ରା ଅନୁଭୂତିକୁ ଆରାମଦାୟକ ରହିବା ପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ, ବିଳମ୍ବ ହୋଇଥିବା ଉଡ଼ାଣ ଦ୍ୱାରା ପ୍ରଭାବିତ ସମସ୍ତ ଯାତ୍ରୀଙ୍କୁ ଜଳଖିଆ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (011-24610843, 011-24693963, 096503-91859) ଖୋଲିଛି । ଏହି କକ୍ଷ ପରିସ୍ଥିତି ଉପରେ ବାସ୍ତବ ସମୟରେ ତଦାରଖ କରୁଛି। ଏହାଦ୍ୱାରା ଶୀଘ୍ର ପ୍ରତିକାରମୂଳକ ପଦକ୍ଷେପ, ପ୍ରଭାବଶାଳୀ ସମନ୍ୱୟ ଏବଂ ସମସ୍ୟାର ତୁରନ୍ତ ସମାଧାନ ସୁନିଶ୍ଚିତ ହୋଇପାରିବ।
ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଭାରତ ସରକାର ଏହି ବିଭ୍ରାଟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଦନ୍ତ ସମୟରେ ଇଣ୍ଡିଗୋ ପକ୍ଷରୁ ହୋଇଥିବା ଭୁଲର ଯାଞ୍ଚ କରାଯିବ । ଏହାସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ସ୍ଥଳେ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ ଏବଂ ଭବିଷ୍ୟତରେ ଏପରି ବିଭ୍ରାଟକୁ ରୋକିବା ପାଇଁ ପଦକ୍ଷେପ ସୁପାରିସ କରାଯିବ। ଯାତ୍ରୀମାନେ ଯେପରି ପୁଣିଥରେ ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରାଯିବ।
ଦେଶବାସୀଙ୍କୁ ପ୍ରତିଶ୍ରୁତି
କେନ୍ଦ୍ର ସରକାର ବିମାନ ଯାତ୍ରୀମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ବିମାନ କମ୍ପାନୀ ଏବଂ ସମସ୍ତ ପ୍ରାସଙ୍ଗିକ ଅଂଶୀଦାରଙ୍କ ସହିତ ନିରନ୍ତର ବିଚାରବିମର୍ଶ ଜାରି ରହିଛି। ବିମାନ ପରିଚାଳନାକୁ ସ୍ଥିର କରିବା ଏବଂ ଯଥାଶୀଘ୍ର ସାଧାରଣ ଅସୁବିଧାକୁ ଦୂର କରିବା ପାଇଁ ଡିଜିସିଏ ଦ୍ୱାରା ଅନୁମତିପ୍ରାପ୍ତ ନିୟାମକ ଛାଡ଼ ସମେତ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ଯାତ୍ରୀଙ୍କ ଯତ୍ନ, ସୁରକ୍ଷା ଏବଂ ସୁବିଧା ପ୍ରତି ଭାରତ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।
******
PS/Swadhin
(रिलीज़ आईडी: 2199624)
आगंतुक पटल : 6