iffi banner

56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍‌

  • ଆଇଏଫଏଫଆଇ 2025ର ଉଦଯାପନୀ ଦିବସ ପୂର୍ବ ସନ୍ଧ୍ୟାରେ ନିଜର ବିଚକ୍ଷଣତା, ବିଜ୍ଞତା ଏବଂ ଦକ୍ଷତା ବଳରେ ବେଶ୍ଫଳପ୍ରଦ ଚର୍ଚ୍ଚା କଲେ ମିଷ୍ଟର୍ପର୍ଫେକ୍ସନିଷ୍ଟ ନାମରେ ଖ୍ୟାତ ଅମିର ଖାନ୍
  • ନିଜ ଦର୍ଶକ ଏବଂ ନିଜକୁ ଆଚମ୍ବିତ କରିବାକୁ ମୁଁ ପସନ୍ଦ କରିଥାଏ: ଅମିର୍
  • ମୁଁ ଜଣେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କର୍ମୀ ନୁହେଁ, ମୋର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦର୍ଶକଙ୍କ ମନୋରଞ୍ଜନ କରିବା
  • ଯେଉଁଦିନ ମୁଁ ସଚେତନତା ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେବି, ହୁଏତମୁଁ ଅଭିନୟ ଛାଡ଼ିଦେବି

 

56ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କରିଛନ୍ତି ବିଶିଷ୍ଟ ଅଭିନେତା ଓ ନିର୍ମାତା ଅମିର ଖାନ୍‌। କଳା ଏକାଡେମୀ ଠାରେ ଅନୁଷ୍ଠିତ ‘‘ଦ ନ୍ୟାରେଟିଭ୍‌ ଆର୍କିଟେକ୍ଟ ଅଫ୍‌ ସୋସିଆଲ ଟ୍ରାନ୍ସଫର୍ମେସନ୍‌ ଏଣ୍ଡ ଇନକ୍ଲୁସିଭିଟି’’ ବା ସାମାଜିକ ପରିବର୍ତ୍ତନ ଏବଂ ଅନ୍ତର୍ଭୂକ୍ତିକରଣର ବର୍ଣ୍ଣନାତ୍ମକ ସ୍ଥପତି ଶୀର୍ଷକ ଏହି ଆଲୋଚନାରେ ଅମିର୍‌ ନିଜର ବିଚକ୍ଷଣତା, ବିଜ୍ଞତା ଏବଂ ଦକ୍ଷତା ବଳରେ ବେଶ୍‌ ଫଳପ୍ରଦ ଚର୍ଚ୍ଚା କରିଥିଲେ। ଏହି ଅଧିବେଶନକୁ ପରିଚାଳନା କରିଥିଲେ ଚଳଚ୍ଚିତ୍ର ସମାଲୋଚକ ଭରଦ୍ୱାଜ ରଙ୍ଗନ।

ପ୍ରଥମେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅମିର ଖାନ୍‌ ଏହି ଦିବଙ୍ଗତ ଅଭିନେତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ସେ ବଲିଉଡର ପ୍ରକୃତ ହି ମ୍ୟାନ୍‌ ଥିଲେ। ସେ ରୋମାନ୍ସ, କମେଡ଼ି ଏବଂ ଚରିତ୍ର ଅଭିନୟ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିଥିଲେ।

ପରବର୍ତ୍ତୀ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅମିର୍‌ ଖାନ ଅତ୍ୟନ୍ତ ଫଳପ୍ରଦ ଆଲୋଚନା କରିଥିଲେ। ଅମିର୍‌ କହିଥିଲେ, ଆଜୀବନ ତାଙ୍କର କାହାଣୀ ପ୍ରତି ରୁଚି ଏବଂ ଆଗ୍ରହ ରହିଛି । ପିଲାଦିନୁ ସେ ନିଜ ଜେଜେମା’ଙ୍କ କାହାଣୀ ଏବଂ ରେଡିଓରେ ହୱା ମହଲର ଯାଦୁ କଥା ଶୁଣି ଆମୋଦିତ ହୋଇଥିଲେ। ପ୍ରାରମ୍ଭିକ ଜୀବନରେ ଏହି ମୁହୂର୍ତ୍ତ ତାଙ୍କୁ ଅଧିକ ସୃଜନଶୀଳ କରିଥିଲା ବୋଲି ସେ କହିଛନ୍ତି। ଅମିର୍‌ କହିଥିଲେ, ଅନ୍ୟ ନିର୍ମାତାଙ୍କ ବିପରୀତ ସେ ସବୁବେଳେ ଅଭିନବ କାହାଣୀ ସନ୍ଧାନରେ ଥାଆନ୍ତି। ନିଜର ଭାବନା ଏବଂ ହୃଦୟକୁ ପ୍ରଭାବିତ କରୁଥିବା କାହାଣୀ ସବୁବେଳେ ତାଙ୍କୁ ଆକୃଷ୍ଟ କରିଥାଏ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ଲଗାନ୍‌ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। ଏହି ଅଣପାରମ୍ପରିକ ନିଷ୍ପତ୍ତି ତାଙ୍କୁ ଦର୍ଶକଙ୍କ ସହ ଯୋଡ଼ି ହେବା ଲାଗି ଅଧିକ ସୁଯୋଗ ଦେଇଥିଲା ବୋଲି ଅମିର୍‌ କହିଥିଲେ।

ସାମାଜିକ ବାର୍ତ୍ତା ବହନ କରୁଥିବା ଏବଂ ତାଙ୍କ ମନକୁ ଛୁଇଁଥିବା ଚଳଚ୍ଚିତ୍ର ସେ ବାଛିଥା’ନ୍ତି ବୋଲି ଅମିର୍‌ କହିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ସ୍ୱାଭାବିକ ଭାବେ ସେ ଏଭଳି ଅସାଧାରଣ ଚଳଚ୍ଚିତ୍ର କାହାଣୀ ଚୟନ କରିଥା’ନ୍ତି ବୋଲି ସେ କହିଥିଲେ। ତାରେ ଜମିନ୍‌ ପର୍‌, ଥ୍ରୀ ଇଡିୟଟ୍ସ, ଦଙ୍ଗଲ, ଲାପତା ଲେଡିଜ୍‌ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇ ଅମିର କହିଥିଲେ, ଏସବୁ ଚଳଚ୍ଚିତ୍ର ଭିନ୍ନ ଦୁନିଆ ଏବଂ ଚରିତ୍ର ସୃଷ୍ଟି କରିଛି ବୋଲି ସେ କହିଥିଲେ। ସେ କହିଥିଲେ, ସେ ଜଣେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କର୍ମୀ ନୁହନ୍ତି, ତାଙ୍କର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦର୍ଶକଙ୍କ ମନୋରଞ୍ଜନ କରିବା। ତାଙ୍କର ପ୍ରଯୋଜନାରେ ଆଗକୁ ଲାହୋର 1947, ହାପି ପଟେଲ୍‌ ଭଳି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପ୍ରକଳ୍ପ ବିଷୟରେ ସେ ସୂଚନା ଦେଇଥିଲେ। ଆହୁରି ସେ କହିଥିଲେ, ସଚେତନତାର ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଲେ ହୁଏତ’ ସେ ଅଭିନୟ କରିବା ଛାଡ଼ି ଦେବେ। ଆଲୋଚନା ସମୟରେ ଉପସ୍ଥିତ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ଅମିର୍‌। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ଅଧିବେଶନର ଶେଷରେ ଅମିର ଖାନଙ୍କୁ ସମ୍ମାନିତ କରିଥିଲେ।

 

******

PS


Great films resonate through passionate voices. Share your love for cinema with #IFFI2025, #AnythingForFilms and #FilmsKeLiyeKuchBhi. Tag us @pib_goa on Instagram, and we'll help spread your passion! For journalists, bloggers, and vloggers wanting to connect with filmmakers for interviews/interactions, reach out to us at iffi.mediadesk@pib.gov.in with the subject line: Take One with PIB.


रिलीज़ आईडी: 2195727   |   Visitor Counter: 3