ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
11 NOV 2025 1:53PM by PIB Bhubaneshwar
ମହାମହିମ ଭୂଟାନର ରାଜା
ମହାମହିମ ଚତୁର୍ଥ ରାଜା
ରାଜପରିବାରର ସମ୍ମାନିତ ସଦସ୍ୟମାନେ
ଭୂଟାନର ପ୍ରଧାନମନ୍ତ୍ରୀ
ଅନ୍ୟାନ୍ୟ ସମ୍ମାନିତ ଅତିଥିଗଣ,
ଏବଂ ମୋର ଭୂଟାନର ଭାଇ ଓ ଭଉଣୀମାନେ!
କୁଜୁଜାଙ୍ଗପୋ ଲା!
ଆଜିର ଦିନ ଭୂଟାନ ପାଇଁ, ଭୂଟାନର ରାଜପରିବାର ପାଇଁ ଏବଂ ବିଶ୍ୱଶାନ୍ତିରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଶତାବ୍ଦୀ ଧରି ଭାରତ ଓ ଭୂଟାନ ମଧ୍ୟରେ ଗଭୀର ଆତ୍ମୀୟ ଓ ସାଂସ୍କୃତିକ ସମ୍ପର୍କ ରହିଛି । ତେଣୁ ଏହି ମହତ୍ୱପୂର୍ଣ୍ଣ ଅବସରରେ ସାମିଲ ହେବା ଭାରତ ଓ ମୋ ପାଇଁ ପ୍ରତିବଦ୍ଧତା ଥିଲା ।
କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି । କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି । ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି ।
ମୁଁ କାଲି ରାତି ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ସହିତ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲି । ବିଚାର ବିମର୍ଶ ଚାଲିଥିଲା, ମିଳୁଥିବା ତଥ୍ୟକୁ ଯୋଡ଼ାଯାଉଥିଲା ।
ଆମ ଏଜେନ୍ସି ଗୁଡ଼ିକ ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ କ୍ଷମା ମିଳିବ ନାହିଁ ।
ସମସ୍ତ ଦାୟୀ ବ୍ୟକ୍ତିଙ୍କୁ ଆଇନର ପରିସରକୁ ଅଣାଯିବ ।
ବନ୍ଧୁଗଣ,
ଆଜି ଏକ ପକ୍ଷରେ ଗୁରୁ ପଦ୍ମସମ୍ଭବଙ୍କ ଆଶୀର୍ବାଦରେ ଆମେ ଏଠାରେ ଗ୍ଲୋବାଲ ପିସ୍ ପେୟାର ଫେଷ୍ଟିଭାଲରେ ଏକାଠି ହୋଇଛନ୍ତି; ଅନ୍ୟପକ୍ଷରେ ଭଗବାନ ବୁଦ୍ଧଙ୍କ ପିପରହୱା ଅବଶେଷର ଦର୍ଶନ ହେଉଛି । ଏହି ସମସ୍ତ ଅବସରରେ ଆମେ ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜୟନ୍ତୀ ଉତ୍ସବର ସାକ୍ଷୀ ହେଉଛୁ ।
ଏହି ସମାରୋହ ଏବଂ ସମସ୍ତଙ୍କ ଗରିମାମୟ ଉପସ୍ଥିତି, ଭାରତ ଓ ଭୂଟାନ ମଧ୍ୟରେ ଥିବା ସମ୍ପର୍କର ଦୃଢ଼ତା ପରିଲକ୍ଷିତ ହେଉଛି ।
ବନ୍ଧୁଗଣ,
ଭାରତରେ ଆମ ପୂର୍ବପୁରୁଷଙ୍କ ପ୍ରେରଣା ‘ବସୁଧୈବ କୁଟୁମ୍ବକମ୍, ଅର୍ଥାତ ପୁରା ବିଶ୍ୱ ଏକ ପରିବାର ।
ଆମେ କହିଥାଉ - ସର୍ବେ ଭବନ୍ତୁ ସୁଖୀନଃ : ଏହି ପୃଥିବୀରେ ସମସ୍ତେ ସୁଖୀ ରୁହନ୍ତୁ...
ଆମେ କହିଥାଉ-
ଧୌ : ଶାନ୍ତି:
ଅନ୍ତରୀକ୍ଷମ ଶାନ୍ତି :
ପୃଥିବୀ ଶାନ୍ତି :
ଆପ୍ : ଶାନ୍ତି :
ଔଷଧ୍ୟ : ଶାନ୍ତି :
ଅର୍ଥାତ୍ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ଆକାଶ, ପୃଥ୍ୱୀ, ଜଳ, ଔଷଧିୟ, ବନସ୍ପତିୟ ଏବଂ ସମସ୍ତ ଜୀବିତ ପ୍ରାଣୀଙ୍କ ଠାରେ ଶାନ୍ତି ରହୁ । ଏହି ଭାବନା ସହିତ ଭାରତ ଆଜି ଭୁଟାର ଏହି ଗ୍ଲୋବାଲ ପିସ୍ ପ୍ରେୟାର ଫେଷ୍ଟିଭାଲରେ ସାମିଲ ହୋଇଛି ।
ଆଜି ସମଗ୍ର ବିଶ୍ୱରୁ ଆସିଥିବା ସନ୍ଥମାନେ ଏକାଠି ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ଏବଂ ଏହା ମଧ୍ୟରେ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ମଧ୍ୟ ସାମିଲ ରହିଛି ।
ଏଠାରେ ଅନେକ ଲୋକଙ୍କୁ ମାଲୁମ ନଥିବ, ବଡ଼ନଗର, ଯେଉଁଠି କି ମୋର ଜନ୍ମ ହୋଇଥିଲା ତାହା ବୌଦ୍ଧ ପରମ୍ପରା ସହ ଜଡ଼ିତ ଏକ ପୁଣ୍ୟଭୂମି । ଏବଂ ବାରାଣସୀ, ଯାହା କି ମୋ କର୍ମସ୍ଥଳ, ବୌଦ୍ଧ ଶ୍ରଦ୍ଧାର ଶିଖରସ୍ଥଳ ଅଟେ । ସେଥିପାଇଁ ଏହି ସମାରୋହକୁ ଆସିବା ମୋ ପାଇଁ ସ୍ୱତନ୍ତ୍ର । ମୋର ଏହା ପ୍ରାର୍ଥନା, ଶାନ୍ତିର ଏ ଦୀପ ଭୂଟାନ ଏବଂ ବିଶ୍ୱର ପ୍ରତ୍ୟେକ ଘରକୁ ଆଲୋକିତ କରୁ ।
ବନ୍ଧୁଗଣ,
ଭୂଟାନର ମହାମହିମ ଚତୁର୍ଥ ରାଜାଙ୍କ ଜୀବନ ଜ୍ଞାନ, ସରଳତା, ସାହସ ଏବଂ ରାଷ୍ଟ୍ରପତି ନିଃସ୍ୱାର୍ଥପର ସେବାର ଏକ ସଙ୍ଗମ ।
ସେ ୧୬ ବର୍ଷ ବୟସର କମ୍ ଆୟୁରେ ବଡ଼ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ନିଜ ଦେଶକୁ ପିତା ଭଳି ସ୍ନେହ ଦେଇଛନ୍ତି ଏବଂ ନିଜ ଦେଶକୁ ଏକ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ାଇଛନ୍ତି । ୩୪ ବର୍ଷର ଶାସନ କାଳରେ ସେ ଭୂଟାନର ଐତିହ୍ୟ ଓ ବିକାଶକୁ ସାଥୀରେ ନେଇ ଚାଲିଛନ୍ତି ।
ଭୂଟାନରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ଥାପନା ଠାରୁ ଆରମ୍ଭ କରି ସୀମା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପର୍ଯ୍ୟନ୍ତ ମହାମହିମ ଏକ ନିର୍ଣ୍ଣାୟକ ଭୂମିକା ନିଭାଇଛନ୍ତି ।
ଆପଣ ଯେଉଁ ‘ଗ୍ରସ ନ୍ୟାସନାଲ ହାପିନେସ’ର ବିଚାର ଆରମ୍ଭ କରିଥିଲେ, ତାହା ଆଜି ସମଗ୍ର ବିଶ୍ୱରେ ବିକାଶକୁ ମାପିବାରେ ଏକ ନୂତନ ମାପଦଣ୍ଡ ହୋଇଛି । ଆପଣ ଏହା ଦେଖାଇଛନ୍ତି କି ଦେଶ ଗଠନ କେବଳ ଜିଡିପିରେ ନୁହେଁ, ବରଂ ମାନବତାର ମଙ୍ଗଳରେ ହୋଇଥାଏ ।
ବନ୍ଧୁଗଣ,
ଭାରତ ଓ ଭୂଟାନର ବନ୍ଧୁତ୍ୱକୁ ସୁଦୃଢ଼ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଆପଣ ଏହାର ଯେଉଁ ମୂଳଦୁଆ ପକାଇଥିଲେ ଏହା ନିରନ୍ତର ଭାବେ ଆଗେଇ ଚାଲିଛି ।
ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ମହାମହିମଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘାୟୁ ଓ ସୁ୍ସ୍ଥତା କାମନା କରୁଛି ।
ବନ୍ଧୁଗଣ,
ଭାରତ ଓ ଭୂଟାନ କେବଳ ସୀମାରେ ନୁହେଁ ବରଂ ସଂସ୍କୃତିରେ ମଧ୍ୟରେ ଯୋଡ଼ି ହୋଇଛନ୍ତି । ଆମର ସମ୍ପର୍କ ନୈତିକତା, ଆବେଗ, ଶାନ୍ତି ଓ ବିକାଶର ।
୨୦୧୪ ମସିହାରେ ଯେତେବେଳେ ମୁଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲି, ମୋର ପ୍ରଥମ ବିଦେଶ ଗସ୍ତ ଥିଲା ଭୂଟାନକୁ । ଆଜିବି ଏହାକୁ ମୁଁ ସ୍ମରଣ କରୁଛି ।
ଭାରତ ଓ ଭୂଟାନ ମଧ୍ୟରେ ସମ୍ପର୍କ ସଶକ୍ତ ଓ ସମୃଦ୍ଧ । ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପରସ୍ପର ସହ ଛିଡ଼ା ହୋଇଥାଉ, ଆମେ ଏକାଠି ଆହ୍ୱାନର ସମ୍ମୁଖିନ ହୋଇଥାଉ ଏବଂ ଆଜି ଯେତେବେଳେ ଆମେ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛୁ , ଏହି ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ।
ମହାମହିମ ରାଜା ଭୂଟାନକୁ ନୂତନ ଶୀର୍ଷତା ଆଡ଼କୁ ନେଇ ଯାଉଛନ୍ତି । ଭାରତ ଓ ଭୂଟାନ ମଧ୍ୟରେ ବିଶ୍ୱାସ ଓ ବିକାଶର ଯେଉଁ ସହଭାଗିତା ରହିଛି, ଏହା ଏହି ସମ୍ପୂର୍ଣ୍ଣ ଅଞ୍ଚଳ ପାଇଁ ଏକ ବଡ଼ ମଡେଲ ।
ବନ୍ଧୁଗଣ,
ଆଜି ଆମେ ଉଭୟ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ, ଏହି ଅଭିବୃଦ୍ଧିକୁ ଏନର୍ଜି ସହଭାଗିତା ଅଧିକ ଗତି ଦେଉଛି । ଭାରତ-ଭୂଟାନ ଜଳବିଦ୍ୟୁତ ଶକ୍ତି ସହଭାଗିତାର ମୂଳଦୁଆ ମଧ୍ୟ ମହାମହିମ ଚତୁର୍ଥ ରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ।
ମହାମହିମ ଚତୁର୍ଥ ରାଜା ଓ ମହାମହିମ ପଞ୍ଚମ ରାଜା ଉଭୟ ଭୂଟାନରେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ପ୍ରଥମ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇଛନ୍ତି । ଆପଣଙ୍କ ଏହି ଦୃଷ୍ଟିକୋଣର ମୂଳଦୁଆରେ ଭୂଟାନ ଆଜି ବିଶ୍ୱର ପ୍ରଥମ କାର୍ବନ ନେଗେଟିଭ୍ ଦେଶରେ ପରିଣତ ହୋଇଛି । ଏହା ଏକ ଅସାଧାରଣ ଉପଲବ୍ଧି । ଆଜି ମୁଣ୍ଡପିଛା ନବୀକରଣ ଶକ୍ତି ସୃଷ୍ଟିରେ ମଧ୍ୟ ଭୂଟାନ ବିଶ୍ୱରେ ସର୍ବଶ୍ରେଷ୍ଠ ଦେଶ ମଧ୍ୟରୁ ଅନ୍ୟତମ ।
ବନ୍ଧୁଗଣ,
ଭୂଟାନ ଏବେ ନିଜର ଶତ ପ୍ରତିଶତ ବିଦ୍ୟୁତ ଶକ୍ତି ନବୀକରଣ ଶକ୍ତିରୁ ସୃଷ୍ଟି କରୁଛି । ଏହି ପଦକ୍ଷେପର ବିସ୍ତାର ସ୍ୱରୂପ ଆଜି ଏକ ନୂତନ ପଦକ୍ଷେପ ଆରମ୍ଭ କରାଯାଉଛି । ଆଜି ଭୂଟାନରେ ୧ ହଜାର ମେଗାୱାଟରୁ ଅଧିକ କ୍ଷମତାର ଏକ ଜଳବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ ହେଉଛି । ଏହାଦ୍ୱାରା ଭୂଟାନର ଜଳବିଦ୍ୟୁତ ଶକ୍ତି କ୍ଷମତାରେ ୪୦ ପ୍ରତିଶତ ବୃଦ୍ଧି ହେବ । ଏଥିସହ ଦୀର୍ଘ ବର୍ଷ ଧରି ଅଟକି ରହିଥିବା ଏକ ଜଳବିଦୁ୍ୟତ ପ୍ରକଳ୍ପର କାମ ପୁଣି ଥରେ ଆରମ୍ଭ ହେଉଛି ।
ଏବଂ ଆମର ଏହି ସହଭାଗିତା କେବଳ ଜଳବିଦ୍ୟୁତ ପ୍ରକଳ୍ପରେ ସୀମିତ ନାହିଁ । ଆମେ ଏବେ ସୌରଶକ୍ତି କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନେଉଛୁ । ଆଜି ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି ।
ବନ୍ଧୁଗଣ,
ଆଜି ଶକ୍ତି କ୍ଷେତ୍ରରେ ସହଯୋଗ ସହିତ ଭାରତ ଓ ଭୂଟାନ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆମର ଫୋକସ ରହିଛି ।
ଆମେ ସମସ୍ତେ ଜାଣନ୍ତି
ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ସୁଯୋଗ ସୃଷ୍ଟି ହୋଇଥାଏ
ଏବଂ ସୁଯୋଗ ଦ୍ୱାରା ସମୃଦ୍ଧି ଆସିଥାଏ
ଏହି ଲକ୍ଷ୍ୟ ସହିତ ଆଗାମୀ ଦିନରେ ଭାରତ ସହ ଗେଲେଫୁ ଓ ସାମତସେକୁ ରେଳ ନେଟୱର୍କରେ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି । ଏହି ପ୍ରକଳ୍ପ ଥରେ ଶେଷ ହୋଇଗଲେ ଭୂଟାନର ଉଦ୍ୟୋଗ ଏବଂ କୃଷକମାନଙ୍କ ପାଇଁ ଭାରତର ବୃହତ ବଜାରରେ ପହଞ୍ଚିବା ସୁବିଧା ହୋଇପାରିବ ।
ବନ୍ଧୁଗଣ,
ରେଳ ଓ ସଡ଼କରେ ଯୋଗାଯୋଗ ସହିତ ସୀମା ଭିତ୍ତିଭୂମିରେ ମଧ୍ୟ ଆମେ ଦ୍ରୁତଗତିରେ ଆଗକୁ ବଢ଼ୁଛୁ ।
ମହାମହିମ ଯେଉଁ ଗେଲେଫୁ ମାଇଣ୍ଡଫୁଲ ସିଟି ଦୃଷ୍ଟିକୋଣରେ କାମ ଆରମ୍ଭ କରିଛନ୍ତି, ଭାରତ ଏହାକୁ ଯଥାସମ୍ଭବ ସହଯୋଗ କରୁଛି । ଆଜି ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରୁଛି । ନିକଟ ଭବିଷ୍ୟତରେ ଭାରତ ଗେଲେଫୁ ନିକଟରେ ଏକ ଇମିଗ୍ରେସନ ଚେକ୍ ପଏଣ୍ଟ ସ୍ଥାପନ କରିବ, ଯଦ୍ୱାରା ଏଠାକୁ ଆସୁଥିବା ଭିଜିଟର୍ସ ଓ ନିବେଶକ ମାନଙ୍କୁ ଅଧିକ ସୁବିଧା ମିଳିପାରିବ ।
ବନ୍ଧୁଗଣ,
ଭାରତ ଓ ଭୂଟାନର ପ୍ରଗତି ଏବଂ ସମୃଦ୍ଧି ପରସ୍ପର ସହ ଯୋଡ଼ି ହୋଇଛି । ଏହି ଭାବନାରେ ଭାରତ ସରକାର ଗତବର୍ଷ ଭୂଟାନର ପଞ୍ଚବାର୍ଷିକ ଯୋଜନା ପାଇଁ ଦଶ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏହି ପାଣ୍ଠି ସଡ଼କ ଠାରୁ କୃଷି, ଆର୍ଥିକ କ୍ଷେତ୍ର ଠାରୁ ସ୍ୱାସ୍ଥ୍ୟସେବାରେ ବିନିଯୋଗ ହୋଇଛି ଏବଂ ଭୂଟାନବାସୀଙ୍କ ଇଜ ଅଫ ଡୁଇଙ୍ଗରେ ବିକାଶ କରିବାରେ ସହାୟକ ହୋଇଛି ।
ଅତୀତରେ ଭାରତ ଏମିତି ଅନେକ ପଦକ୍ଷେପ ନେଇଛି, ଯାହାଦ୍ୱାରା ଭୂଟାନର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ସମ୍ଭବ ହୋଇପାରିଛି ।
ଏବଂ ଏଠାରେ ଏବେ ୟୁପିଆଇ ପେମେଣ୍ଟର ସୁବିଧାର ବିସ୍ତାର ମଧ୍ୟ ହେଉଛି । ଭୂଟାନର ନାଗରିକମାନେ ଭାରତ ଆସିଲେ ଯେପରି ୟୁପିଆଇ ସୁବିଧା ପାଇପାରିବେ, ସେ ଦିଗରେ ଆମେ କାମ କରୁଛୁ ।
ବନ୍ଧୁଗଣ,
ଭାରତ ଓ ଭୂଟାନ ମଧ୍ୟରେ ଥିବା ଦଅଢ଼ ସହଭାଗିତା ଦ୍ୱାରା ଆମ ଯୁବପିଢ଼ି ସବୁଠାରୁ ଅଧିକ ଫାଇଦାରେ ରହୁଛନ୍ତି । ମହାମହିମ ଜାତୀୟ ସେବା, ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଏବଂ ନବାଚାର ଦିଗରେ ଉତ୍ତମ କାର୍ଯ୍ୟ କରୁଛନ୍ତି । ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ମହାମହିମଙ୍କର ଯେଉଁ ଦୃଷ୍ଟିକୋଣ ରହିଛି, ସେମାନଙ୍କୁ ଟେକ୍ନୋଲୋଜି ସକ୍ଷମ କରିବାର ଯେିଁ ଚିନ୍ତାଧାରା ରହିଛି, ଏହାଦ୍ୱାରା ଭୂଟାନର ଯୁବପିଢ଼ି ଅତ୍ୟଧିକ ପ୍ରୋତ୍ସାହିତ ହେଉଛନ୍ତି ।
ଶିକ୍ଷା, ନବାଚାର, କୌଶଳ ବିକାଶ, କ୍ରୀଡ଼ା, ମହାକାଶ, ସଂସ୍କୃତି ଭଳି ଅନେକ କ୍ଷେତ୍ରରେ ଭାରତ ଓ ଭୁଟାନର ଯୁବପିଢ଼ିଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି । ଆଜି ଆମର ଯୁବ ପିଢ଼ି ସାଥୀ ହୋଇ ଏକ ସାଟେଲାଇଟ ନିର୍ମାଣ କରୁଛନ୍ତି । ଏହା ଭାରତ ଓ ଭୁଟାନ ଉଭୟଙ୍କ ପାଇଁ ଏକ ବଡ଼ କୃତିତ୍ୱ ।
ବନ୍ଧୁଗଣ,
ଭାରତ-ଭୂଟାନ ସମ୍ପର୍କର ଏକ ବଡ଼ ଶକ୍ତି ଆମ ଲୋକମାନଙ୍କ ମଧ୍ୟରେ ଆତ୍ମିକ ସମ୍ବନ୍ଧ । ଦୁଇ ମାସ ପୂର୍ବେ ଭାରତ ରାଜଗିରରେ ରୟାଲ ଭୂଟାନିଜ ମନ୍ଦିରର ଉଦଘାଟନ ହୋଇଛି । ଏବେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରୟାସର ବିସ୍ତାର କରାଯାଉଛି ।
ଭୂଟାନର ଜନସାଧାରଣଙ୍କର ଇଚ୍ଛା ଥିଲା କି ବାରାଣସୀରେ ଏକ ଅତିଥି ଭବନ ଓ ଭୂଟାନିଜ ମନ୍ଦିର ନିର୍ମାଣ ହେଉ । ଏଥିପାଇଁ ଭାରତ ସରକାର ଆବଶ୍ୟକ ଜମି ଯୋଗାଇ ଦେଉଛନ୍ତି । ଏହି ମନ୍ଦିର ଦ୍ୱାରା ଆମେ ଆମର ବହୁମୂଲ୍ୟ ଏବଂ ଐତିହାସିକ ସାଂସ୍କୃତିକ ସମ୍ବନ୍ଧକୁ ଆହୁରି ସୁଦୃଢ଼ କରିପାରିବୁ ।
ବନ୍ଧୁଗଣ,
ମୋର କାମନା, ଭାରତ ଏବଂ ଭୂଟାନ ଏହିପରି ଶାନ୍ତି, ସମୃଦ୍ଧି ଓ ବିକାଶର ଭାଗିଦାରିତା ରାସ୍ତାରେ ଆଗେଇଯାଆନ୍ତୁ । ଭଗବାନ ବୁଦ୍ଧ ଏବଂ ଗୁରୁ ରିନପୋଚେଙ୍କ ଆଶୀର୍ବାଦ ସର୍ବଦା ଆମ ଦୁଇ ଦେଶକୁ ସୁରକ୍ଷିତ ରଖିବା ସହ ଆଲୋକ ଦେଖାଉଥାଉ ।
ଆପଣ ସମସ୍ତଙ୍କୁ ମୋ ହୃଦୟରୁ ବହୁତ ବହୁତ କୃତଜ୍ଞତା
ଧନ୍ୟବାଦ ! ! !
SR
(Release ID: 2189932)
Visitor Counter : 10
Read this release in:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam