ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
01 MAR 2025 2:03PM by PIB Bhubaneshwar
ITV ନେଟୱାର୍କର ପ୍ରତିଷ୍ଠାତା ଏବଂ ସଂସଦରେ ମୋର ସହଯୋଗୀ କାର୍ତ୍ତିକେୟ ଶର୍ମା ଜୀ, ନେଟୱାର୍କର ସମଗ୍ର ଦଳ, ଭାରତ ଏବଂ ବିଦେଶରୁ ଆସିଥିବା ସମସ୍ତ ଅତିଥି, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ, NewsX Worldର ଶୁଭ ଆରମ୍ଭ ଏବଂ ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ମୋର ଆପଣ ସମସ୍ତଙ୍କୁ ଶୁଭକାମନା। ଆଜି, ହିନ୍ଦୀ ଏବଂ ଇଂରାଜୀ ସମେତ ଆପଣଙ୍କ ନେଟୱାର୍କର ସମସ୍ତ ଆଞ୍ଚଳିକ ଚ୍ୟାନେଲ ବିଶ୍ୱସ୍ତରୀୟ ହେଉଛି। ଏବଂ ଆଜି ଅନେକ ଫେଲୋସିପ୍ ଏବଂ ସ୍କଲାରସିପ୍ ମଧ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି।
ବନ୍ଧୁଗଣ,
ମୁଁ ପୂର୍ବରୁ ମଧ୍ୟ ଏପରି ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛି, କିନ୍ତୁ ଆଜି ମୁଁ ଅନୁଭବ କରୁଛି ଯେ ଆପଣ ଏକ ନୂତନ ଧାରା ସ୍ଥାପନ କରିଛନ୍ତି ଏବଂ ଏଥିପାଇଁ ମୁଁ ଆପଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆମ ଦେଶରେ ଏପରି ଗଣମାଧ୍ୟମ କାର୍ଯ୍ୟକ୍ରମ ଚାଲିଛି , ଏବଂ ଏହା ଏକ ପରମ୍ପରା ଯାହା ଜାରି ରହିଛି। ଏଥିରେ କିଛି ଅର୍ଥନୀତି ସମ୍ପର୍କିତ ବିଷୟ ରହିଛି, ଏହା ସମସ୍ତଙ୍କ ପାଇଁ ଲାଭଦାୟକ ବିଷୟ, କିନ୍ତୁ ଆପଣଙ୍କ ନେଟୱାର୍କ ଏହାକୁ ଏକ ନୂତନ ଦିଗ ଦେଇଛି। ଆପଣ ମାନଦଣ୍ଡରୁ ଦୂରେଇ ଯାଇ ଏକ ନୂତନ ମଡେଲ ଉପରେ କାମ କରିଛନ୍ତି। ମୁଁ ମନେ ରଖିଛି, ଯଦି ମୁଁ ପୂର୍ବ ଶିଖର ସମ୍ମିଳନୀ ଏବଂ ଗତକାଲିଠାରୁ ମୁଁ ଶୁଣୁଥିବା ଆପଣଙ୍କ ଶିଖର ସମ୍ମିଳନୀ ବିଷୟରେ କଥା ହୁଏ, ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ପୂର୍ବ ଶିଖର ସମ୍ମିଳନୀ ନେତା-କେନ୍ଦ୍ରିକ ଥିଲା, ମୁଁ ଖୁସି ଯେ ଏହି ସମ୍ମିଳନୀ ନୀତି- କେନ୍ଦ୍ରିକ, ନୀତିଗୁଡ଼ିକ ଏଠାରେ ଆଲୋଚନା ହେଉଛି। ପୂର୍ବରୁ ଆୟୋଜିତ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମ ଅତୀତ ଆଧାରରେ ବର୍ତ୍ତମାନକୁ ବଞ୍ଚିବା ବିଷୟ ଉପରେ ଆଧାରିତ ହୋଇଛି। ମୁଁ ଦେଖୁଛି ଯେ ଆପଣଙ୍କର ଶିଖର ସମ୍ମିଳନୀ ଭବିଷ୍ୟତ ପାଇଁ ଉତ୍ସର୍ଗୀକୃତ। ମୁଁ ଦେଖିଛି ଯେ ଏପରି ସମସ୍ତ କାର୍ଯ୍ୟକ୍ରମରେ ଯାହା ମୁଁ ଦୂରରୁ ଦେଖିଛି କିମ୍ବା ନିଜେ ଯୋଗ ଦେଇଛି, ସେଠାରେ ବିବାଦର ଗୁରୁତ୍ୱ ଅଧିକ ଥିଲା, ଏଠାରେ ଆଲୋଚନାର ଗୁରୁତ୍ୱ ଅଧିକ। ଏବଂ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ମୁଁ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକ୍ରମ ଏକ ଛୋଟ କୋଠରୀରେ ଅନୁଷ୍ଠିତ ହୁଏ ଏବଂ ସେମାନଙ୍କର ନିଜସ୍ୱ ଲୋକ ସେଠାରେ ଉପସ୍ଥିତ ଥାଆନ୍ତି। ଏଠାରେ ଏତେ ବଡ଼ କାର୍ଯ୍ୟକ୍ରମ ଦେଖିବା ଏବଂ ତାହା ମଧ୍ୟ ଏକ ଗଣମାଧ୍ୟମ ସଂସ୍ଥା ଏବଂ ସମାଜର ସମସ୍ତ ବର୍ଗର ଲୋକ ଏଠାରେ ଉପସ୍ଥିତ ହେବା, ଏହା ନିଜ ଭିତରେ ଏକ ବଡ଼ କଥା। ଏହା ସମ୍ଭବ ଯେ ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏଠାରୁ କୌଣସି ମସଲା (ସ୍କୁପ୍) ପାଇବେ ନାହିଁ, କିନ୍ତୁ ଦେଶକୁ ବହୁତ ପ୍ରେରଣା ମିଳିବ, କାରଣ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତାଧାରା ଦେଶକୁ ପ୍ରେରଣା ଦେଉଥିବା ଚିନ୍ତାଧାରା ହେବ। ମୁଁ ଆଶା କରୁଛି ଯେ , ଆଗାମୀ ଦିନରେ ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ଏହି ଧାରା, ଏହି ଟେମ୍ପଲେଟ୍ ନିଜ ନିଜ ଉପାୟରେ ଗ୍ରହଣ କରିବେ ଏବଂ ଏହାକୁ ଅଭିନବ କରିବେ ଏବଂ ଅତି କମରେ ସେହି ଛୋଟ କୋଠରୀରୁ ବାହାରି ଆସିବେ।
ବନ୍ଧୁଗଣ,
ଆଜି ସାରା ବିଶ୍ୱ ଏକବିଂଶ ଶତାବ୍ଦୀର ଭାରତକୁ ଦେଖୁଛି, ସାରା ବିଶ୍ୱର ଲୋକମାନେ ଭାରତକୁ ଆସିବାକୁ ଚାହାଁନ୍ତି, ଭାରତକୁ ଜାଣିବାକୁ ଚାହାଁନ୍ତି। ଆଜି ଭାରତ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ନିରନ୍ତର ସକାରାତ୍ମକ ଖବର ସୃଷ୍ଟି ହେଉଛି। ଯେଉଁଠାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି, କିଛି ନୂଆ ଘଟୁଛି, ସେଠାରେ ଖବର ତିଆରି କରିବାର କୌଣସି ଆବଶ୍ୟକତା ନାହିଁ। ମାତ୍ର ଫେବୃଆରୀ 26 ତାରିଖରେ, ପ୍ରୟାଗରାଜରେ ଏକତାର ମହାକୁମ୍ଭ ସମାପ୍ତ ହୋଇଥିଲା। ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଛି ଯେ କିପରି ଏକ ଅସ୍ଥାୟୀ ସହରରେ, ଏକ ଅସ୍ଥାୟୀ ବ୍ୟବସ୍ଥା ଭିତରେ, କୋଟି କୋଟି ଲୋକ ନଦୀ କୂଳରେ ସମାଗମ ହେଲେ, ଶହ ଶହ କିଲୋମିଟର ଯାତ୍ରା କଲେ ଏବଂ ପବିତ୍ର ସ୍ନାନ ପରେ ଭାବପ୍ରବଣ ହେଲେ। ଆଜି ବିଶ୍ୱ ଭାରତର ସଂଗଠନ ଏବଂ ନବସୃଜନ କୌଶଳ ଦେଖୁଛି। ଆମେ ଏଠାରେ ସେମିକଣ୍ଡକ୍ଟରରୁ ବିମାନ ବାହକ ପର୍ଯ୍ୟନ୍ତ ସବୁକିଛି ନିର୍ମାଣ କରୁଛୁ। ବିଶ୍ୱ ଭାରତର ଏହି ସଫଳତା ବିଷୟରେ ବିସ୍ତୃତ ଭାବରେ ଜାଣିବାକୁ ଚାହେଁ। ମୁଁ ଭାବୁଛି ଯେ ଏହି NewsX World ନିଜସ୍ୱ ଭାବରେ ଏକ ବହୁତ ବଡ଼ ସୁଯୋଗ।
ବନ୍ଧୁଗଣ,
କିଛି ମାସ ପୂର୍ବରୁ, ଭାରତରେ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ହୋଇଥିଲା। 60 ବର୍ଷ ପରେ, ଏପରି ଘଟିଲା ଯେ ଭାରତରେ ଏକ ସରକାର ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଏହି ଜନସାଧାରଣଙ୍କ ବିଶ୍ୱାସର ଆଧାର ହେଉଛି ଗତ 11 ବର୍ଷ ମଧ୍ୟରେ ଭାରତର ଅନେକ ସଫଳତା। ମୁଁ ନିଶ୍ଚିତ ଯେ ଆପଣଙ୍କର ନୂତନ ଚ୍ୟାନେଲ୍ ଭାରତର ପ୍ରକୃତ କାହାଣୀଗୁଡ଼ିକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବ। ଆପଣଙ୍କ ଚ୍ୟାନେଲ୍ ଅତିରଞ୍ଜିତ ନକରି, ଆପଣଙ୍କର ବିଶ୍ୱସ୍ତରୀୟ ଚ୍ୟାନେଲ୍ ଭାରତର ଚିତ୍ର ଯେପରି ଅଛି ସେହିପରି ଦେଖାଇବ, ଆମକୁ ମେକଅପ୍ ଆବଶ୍ୟକ ନାହିଁ।
ବନ୍ଧୁଗଣ,
ବହୁ ବର୍ଷ ପୂର୍ବେ, ମୁଁ ଦେଶ ସମ୍ମୁଖରେ Vocal for Local (ସ୍ଥାନୀୟ ପାଇଁ ସ୍ଵର) ଏବଂ Local for Global ର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲି। ଆଜି ଆମେ ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ ହେଉଥିବା ଦେଖୁଛୁ। ଆଜି ଆମର ଆୟୁଷ ଉତ୍ପାଦ ଏବଂ ଯୋଗ ସ୍ଥାନୀୟ ସ୍ତରରୁ ବିଶ୍ଵସ୍ତରୀୟ ହୋଇଛି। ବିଶ୍ୱର ଯେକୌଣସି ସ୍ଥାନକୁ ଯାଆନ୍ତୁ, ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ପାଇବେ ଯିଏ ଯୋଗ ଜାଣନ୍ତି, ମୋର ବନ୍ଧୁ ଟୋନି ଏଠାରେ ବସିଛନ୍ତି, ସେ ଜଣେ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି। ଆଜି, ଭାରତର ସୁପରଫୁଡ୍, ଆମର ମଖାନା, ସ୍ଥାନୀୟରୁ ବିଶ୍ୱବ୍ୟାପୀ ହେଉଛି। ଭାରତର ବାଜରା - ଶ୍ରୀଅନ୍ନ , ମଧ୍ୟ ସ୍ଥାନୀୟରୁ ବିଶ୍ୱସ୍ତରୀୟ ହେଉଛି। ଏବଂ ମୁଁ ଜାଣିଛି ଯେ ମୋର ବନ୍ଧୁ, ଟୋନି ଆବୋଟ୍, ଦିଲ୍ଲୀ ହାଟରେ ଭାରତୀୟ ବାଜରାର ପ୍ରତ୍ୟକ୍ଷ ଅଭିଜ୍ଞତା ପାଇଛନ୍ତି , ଏବଂ ତାଙ୍କୁ ବାଜରା ଖାଦ୍ୟ ବହୁତ ପସନ୍ଦ ଆସିଥିଲା ଏବଂ ଏହା ଶୁଣି ମୁଁ ବହୁତ ଖୁସି ହେଲି।
ବନ୍ଧୁଗଣ,
କେବଳ ବାଜରା ନୁହେଁ, ଭାରତର ହଳଦୀ ସ୍ଥାନୀୟରୁ ବିଶ୍ୱ ସ୍ତରରେ ମଧ୍ୟ ପହଞ୍ଚିଛି, ଭାରତ ବିଶ୍ୱର 60 ପ୍ରତିଶତରୁ ଅଧିକ ହଳଦୀ ଯୋଗାଇଥାଏ। ଭାରତର କଫି ମଧ୍ୟ ସ୍ଥାନୀୟରୁ ବିଶ୍ୱକୁ ଯାଇଛି, ଭାରତ ବିଶ୍ୱର ସପ୍ତମ ବୃହତ୍ କଫି ରପ୍ତାନିକାରୀ ହୋଇସାରିଛି। ଆଜି ଭାରତର ମୋବାଇଲ୍, ଇଲେକ୍ଟ୍ରୋନିକ୍ ଉତ୍ପାଦ, ଭାରତରେ ତିଆରି ଔଷଧ ସେମାନଙ୍କର ବିଶ୍ୱ ପରିଚୟ ସୃଷ୍ଟି କରୁଛନ୍ତି। ଏବଂ ଏସବୁ ସହିତ, ଆଉ ଏକ ଘଟଣା ଘଟିଛି। ଭାରତ ଅନେକ ବିଶ୍ୱସ୍ତରୀୟ ପଦକ୍ଷେପର ନେତୃତ୍ୱ ନେଉଛି। ସମ୍ପ୍ରତି ମୋତେ ଫ୍ରାନ୍ସରେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀକୁ ଯିବାର ସୁଯୋଗ ମିଳିଥିଲା। ଭାରତ ଏହି ଶିଖର ସମ୍ମିଳନୀ, ଯାହା ବିଶ୍ୱକୁ ଏଆଇ ଭବିଷ୍ୟତ ଆଡ଼କୁ ନେଇଯାଉଛି, ତାହାର ସହ-ଆୟୋଜକ ଥିଲା । ବର୍ତ୍ତମାନ ଭାରତ ଏହାର ଆୟୋଜନ କରିବାର ଦାୟିତ୍ୱ ପାଇଛି।
ଭାରତ ଏହାର ଅଧ୍ୟକ୍ଷତା ସମୟରେ ଏକ ସୁନ୍ଦର G - 20 ଶିଖର ସମ୍ମିଳନୀ ଆୟୋଜନ କରିଥିଲା। ଏହି ଶିଖର ସମ୍ମିଳନୀ ସମୟରେ, ଆମେ ବିଶ୍ୱକୁ ଭାରତ – ମଧ୍ୟପ୍ରାଚ୍ୟ - ୟୁରୋପ କରିଡର ରୂପରେ ଏକ ନୂତନ ଅର୍ଥନୈତିକ ମାର୍ଗ ଦେଇଥିଲୁ। ଭାରତ ବିଶ୍ୱ ଦକ୍ଷିଣକୁ ମଧ୍ୟ ଏକ ଦୃଢ଼ ସ୍ୱର ଦେଇଛି, ଆମେ ଦ୍ୱୀପ ରାଷ୍ଟ୍ର ଏବଂ ସେମାନଙ୍କ ସ୍ୱାର୍ଥକୁ ଆମର ପ୍ରାଥମିକତା ସହିତ ଯୋଡ଼ିଛୁ। ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଭାରତ ବିଶ୍ୱକୁ ମିଶନ ଜୀବନର ଦୃଷ୍ଟିକୋଣ ଦେଇଛି। ସେହିପରି, ଆନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଏପରି ଅନେକ ପଦକ୍ଷେପ ଅଛି , ଯାହାର ଭାରତ ବିଶ୍ୱ ସ୍ତରରେ ନେତୃତ୍ୱ ନେଉଛି। ଏବଂ ମୁଁ ଖୁସି ଯେ ଆଜି ଯେତେବେଳେ ଭାରତର ଅନେକ ବ୍ରାଣ୍ଡ ବିଶ୍ୱ ସ୍ତରରେ ପହଞ୍ଚୁଛି, ଭାରତର ଗଣମାଧ୍ୟମ ମଧ୍ୟ ବିଶ୍ୱ ସ୍ତରରେ ପହଞ୍ଚୁଛି। ଏହା ଏହି ବିଶ୍ୱସ୍ତରୀୟ ସୁଯୋଗକୁ ବୁଝୁଛି।
ବନ୍ଧୁଗଣ,
ଦଶନ୍ଧି ଧରି ବିଶ୍ୱ ଭାରତକୁ ତା'ର ପଛ କାର୍ଯ୍ୟାଳୟ ବୋଲି କହୁଥିଲା। କିନ୍ତୁ ଆଜି, ଭାରତ ବିଶ୍ୱର ନୂତନ କାରଖାନା ହେବାକୁ ଯାଉଛି। ଆମେ କେବଳ ଏକ କର୍ମଶକ୍ତି ନୁହେଁ, ବରଂ ଏକ ବିଶ୍ୱ - ଶକ୍ତି ହେଉଛୁ! ଆଜି, ଦେଶ ଆମେ ଆମଦାନୀ କରୁଥିବା ଜିନିଷ ପାଇଁ ଏକ ଉଦୀୟମାନ ରପ୍ତାନି କେନ୍ଦ୍ର ହେବାକୁ ଯାଉଛି। ଯେଉଁ ଚାଷୀମାନେ ଥରେ ସ୍ଥାନୀୟ ବଜାରରେ ସୀମିତ ଥିଲେ, ଆଜି ତାଙ୍କର ଫସଲ ସମଗ୍ର ବିଶ୍ୱର ବଜାରରେ ପହଞ୍ଚିବାରେ ଲାଗିଛି। ପୁଲୱାମାର ସ୍ନୋ ପିଜ୍ (ତୁଷାର ମଟର) , ମହାରାଷ୍ଟ୍ରର ପୁରନ୍ଦର ଫିଗ୍ ଏବଂ କାଶ୍ମୀରର କ୍ରିକେଟ ବ୍ୟାଟର ଚାହିଦା ଏବେ ବିଶ୍ୱରେ ବୃଦ୍ଧି ପାଉଛି। ଆମର ପ୍ରତିରକ୍ଷା ଉତ୍ପାଦଗୁଡ଼ିକ ବିଶ୍ୱକୁ ଭାରତୀୟ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିର ଶକ୍ତି ଦେଖାଉଛି। ଇଲେକ୍ଟ୍ରୋନିକ୍ସରୁ ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟନ୍ତ, ବିଶ୍ୱ ଆମର ପରିମାଣ ଏବଂ କ୍ଷମତା ଦେଖିଛି। ଆମେ କେବଳ ବିଶ୍ୱକୁ ଆମର ଉତ୍ପାଦ ଯୋଗାଇ ଦେଉନାହୁଁ , ଭାରତ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ମଧ୍ୟ ହେବାକୁ ଯାଉଛି।
ବନ୍ଧୁଗଣ,
ଯଦି ଆମେ ଆଜି ଅନେକ କ୍ଷେତ୍ରରେ ନେତୃତ୍ୱ ନେଇଛୁ, ତେବେ ଏହା ବର୍ଷ ବର୍ଷ ଧରି ସୁଚିନ୍ତିତ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇଛି। ଏହା କେବଳ ବ୍ୟବସ୍ଥିତ ନୀତିଗତ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇଛି। 10 ବର୍ଷର ଯାତ୍ରାକୁ ଦେଖନ୍ତୁ, ଯେଉଁଠାରେ ସେତୁ ଅସମ୍ପୂର୍ଣ୍ଣ ଥିଲା, ରାସ୍ତା ଅଟକି ରହିଥିଲା, ଆଜି ସେଠାରେ ସ୍ୱପ୍ନଗୁଡ଼ିକ ଏକ ନୂତନ ଗତିରେ ଆଗକୁ ବଢ଼ୁଛି। ଭଲ ରାସ୍ତା, ଉତ୍କୃଷ୍ଟ ଏକ୍ସପ୍ରେସୱେ ସହିତ, ଯାତ୍ରା ସମୟ ଏବଂ ମୂଲ୍ୟ ଉଭୟ ହ୍ରାସ ପାଇଛି। ଏହା ଶିଳ୍ପକୁ ଲଜିଷ୍ଟିକ୍ସର ପରିବର୍ତ୍ତନ ସମୟ ହ୍ରାସ କରିବାର ସୁଯୋଗ ଦେଇଛି। ଆମର ଅଟୋମୋବାଇଲ କ୍ଷେତ୍ର ଏଥିରୁ ଏକ ବଡ଼ ଲାଭ ପାଇଛି। ଏହା ଯାନବାହାନର ଚାହିଦା ବୃଦ୍ଧି କରିଛି, ଆମେ ଯାନବାହାନ ଏବଂ ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିଛୁ। ଆଜି ଆମେ ବିଶ୍ୱରେ ଏକ ପ୍ରମୁଖ ଅଟୋମୋବାଇଲ ଉତ୍ପାଦକ ଏବଂ ରପ୍ତାନିକାରୀ ଭାବରେ ଉଭା ହୋଇଛୁ।
ବନ୍ଧୁଗଣ,
ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସମାନ ପରିବର୍ତ୍ତନ ଦେଖାଯାଇଛି। ଗତ ଦଶନ୍ଧିରେ, ପ୍ରଥମ ଥର ପାଇଁ 2.5 କୋଟିରୁ ଅଧିକ ଘରେ ବିଦ୍ୟୁତ୍ ପହଞ୍ଚିଥିଲା। ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଲା, ଉତ୍ପାଦନ ବୃଦ୍ଧି ପାଇଲା, ଯାହା ଇଲେକ୍ଟ୍ରୋନିକ୍ସ ଉପକରଣର ଚାହିଦା ବୃଦ୍ଧି କଲା। ଯେତେବେଳେ ଆମେ ଡାଟା ଶସ୍ତା କଲୁ, ମୋବାଇଲ୍ ଫୋନ୍ର ଚାହିଦା ବୃଦ୍ଧି ପାଇଲା। ମୋବାଇଲ୍ ଫୋନ୍ରେ ଅଧିକରୁ ଅଧିକ ସେବା ଅଣାଯିବା ସହିତ, ଡିଜିଟାଲ୍ ଡିଭାଇସ୍ର ବ୍ୟବହାର ଆହୁରି ବୃଦ୍ଧି ପାଇଲା। ଏହି ଚାହିଦାକୁ ଏକ ସୁଯୋଗରେ ପରିଣତ କରି, ଆମେ ପିଏଲଆଇ ଯୋଜନା ଭଳି କାର୍ଯ୍ୟକ୍ରମ ଆରମ୍ଭ କଲୁ। ଆଜି, ଭାରତ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରପ୍ତାନିକାରୀ ହୋଇପାରିଛି।
ବନ୍ଧୁଗଣ,
ଆଜି ଭାରତ ବହୁତ ବଡ଼ ଲକ୍ଷ୍ୟ ସ୍ଥିର କରିପାରୁଛି ଏବଂ ସେଗୁଡ଼ିକୁ ହାସଲ କରୁଛି, ତେଣୁ ଏହାର ମୂଳରେ ଏକ ବିଶେଷ ମନ୍ତ୍ର ଅଛି। ଏହି ମନ୍ତ୍ର ହେଉଛି - ସର୍ବନିମ୍ନ ସରକାର, ସର୍ବାଧିକ ଶାସନ। ଏହା ଦକ୍ଷ ଏବଂ ପ୍ରଭାବଶାଳୀ ଶାସନର ମନ୍ତ୍ର। ଏହାର ଅର୍ଥ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ, ସରକାରଙ୍କ କୌଣସି ଚାପ ନାହିଁ। ମୁଁ ଆପଣଙ୍କୁ ଏକ ଆକର୍ଷଣୀୟ ଉଦାହରଣ ଦେବି। ଗତ ଦଶନ୍ଧିରେ, ଆମେ ପ୍ରାୟ 1500 ଆଇନକୁ ଉଚ୍ଛେଦ କରିଛୁ , ଯାହା ଗୁରୁତ୍ୱ ହରାଇଛି। 1500 ଆଇନକୁ ଉଚ୍ଛେଦ କରିବା ଏକ ବଡ଼ କଥା। ଏହି ଆଇନଗୁଡ଼ିକ ମଧ୍ୟରୁ ଅନେକ ବ୍ରିଟିଶ ଶାସନ ସମୟରେ ତିଆରି ହୋଇଥିଲା। ଏବେ ମୁଁ ଆପଣଙ୍କୁ କିଛି କହିବି, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ନାଟକ ପ୍ରଦର୍ଶନ ଆଇନ ନାମକ ଏକ ଆଇନ ଥିଲା, ଏହି ଆଇନ 150 ବର୍ଷ ପୂର୍ବେ ବ୍ରିଟିଶମାନେ ତିଆରି କରିଥିଲେ, ସେହି ସମୟରେ ବ୍ରିଟିଶମାନେ ଚାହୁଁଥିଲେ ଯେ ନାଟକ ଏବଂ ଥିଏଟରକୁ ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ବ୍ୟବହାର କରାନଯାଉ। ଏହି ଆଇନରେ ଏକ ବ୍ୟବସ୍ଥା ଥିଲା ଯେ ଯଦି 10 ଜଣ ଲୋକ ସାର୍ବଜନୀନ ସ୍ଥାନରେ ନାଚୁଥିବାର ଦେଖାଯାଏ, ତେବେ ସେମାନଙ୍କୁ ଗିରଫ କରାଯାଇପାରିବ। ଏବଂ ଦେଶ ସ୍ୱାଧୀନତା ପାଇବା ପରେ 75 ବର୍ଷ ପର୍ଯ୍ୟନ୍ତ ଏହି ଆଇନ ଜାରି ରହିଲା। ଅର୍ଥାତ୍, ଯଦି କୌଣସି ବିବାହ ଶୋଭାଯାତ୍ରା ହୁଏ ଏବଂ 10 ଜଣ ଲୋକ ନାଚୁଛନ୍ତି, ତେବେ ପୋଲିସ ବର ସମେତ ସେମାନଙ୍କୁ ଗିରଫ କରିପାରିବ। ସ୍ୱାଧୀନତା ପରେ 70 - 75 ବର୍ଷ ଧରି ଏହି ଆଇନ ବଳବତ୍ତର ଥିଲା। ଏହି ଆଇନ ଆମ ସରକାର ହଟାଇ ଦେଇଥିଲେ। ଏବେ, ଆମେ 70 ବର୍ଷ ଧରି ଏହି ଆଇନ ବହନ କରିଛୁ, ମୋର ସେତେବେଳର ସରକାରଙ୍କୁ କିଛି କହିବାର ନାହିଁ, ସେହି ନେତାମାନେ ମଧ୍ୟ ଏଠାରେ ବସିଛନ୍ତି, କିନ୍ତୁ ମୁଁ ଏହି ଲୁଟେନ୍ସ ଗୋଷ୍ଠୀ, ଏହି ଖାନ ମାର୍କେଟ ଗ୍ୟାଙ୍ଗକୁ ଦେଖି ଅଧିକ ଆଶ୍ଚର୍ଯ୍ୟ ହେଉଛି। 75 ବର୍ଷ ଧରି ଏହି ଲୋକମାନେ ଏପରି ଆଇନ ଉପରେ ଚୁପ୍ କାହିଁକି ଥିଲେ? ଯେଉଁମାନେ ପ୍ରତିଦିନ କୋର୍ଟକୁ ଯାଆନ୍ତି, ଯେଉଁମାନେ ପିଆଇଏଲର ଠିକାଦାର ପରି ବୁଲନ୍ତି, ସେମାନେ କାହିଁକି ଚୁପ୍ ଥିଲେ? ସେମାନଙ୍କୁ କ'ଣ ସେତେବେଳେ ସ୍ୱାଧୀନତା କଥା ମନେ ନ ଥିଲା ? ଯଦି ଆଜି କେହି ଭାବୁଥିବେ, ଯଦି ମୋଦୀ ଏପରି ଆଇନ କରିଥାନ୍ତେ ତେବେ କ'ଣ ହୋଇଥାନ୍ତା? ଏବଂ ସୋସିଆଲ ମିଡିଆରେ ଏହି ଟ୍ରୋଲର୍ସମାନେ, ଯଦି ଏପରି ମିଥ୍ୟା ଖବର ପ୍ରସାର କରିଥାନ୍ତେ ଯେ ମୋଦୀ ଏପରି ଆଇନ କରିବାକୁ ଯାଉଛନ୍ତି, ତେବେ ଏହି ଲୋକମାନେ ହଙ୍ଗାମା କରିଥାନ୍ତେ, ମୋଦୀଙ୍କ କେଶ ଟାଣିଥାନ୍ତେ।
ବନ୍ଧୁଗଣ,
ଆମ ସରକାର ହିଁ ଦାସତ୍ୱ ସମୟର ଏହି ଆଇନକୁ ଉଚ୍ଛେଦ କରିଛି। ମୁଁ ବାଉଁଶକୁ ନେଇ ଆଉ ଏକ ଉଦାହରଣ ଦେବାକୁ ଚାହୁଁଛି , ବାଉଁଶ ହେଉଛି ଆମ ଆଦିବାସୀ ଅଞ୍ଚଳ, ବିଶେଷ କରି ଉତ୍ତର - ପୂର୍ବର ଜୀବନରେଖା। କିନ୍ତୁ ପୂର୍ବରୁ, ବାଉଁଶ କାଟିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ ପଠାଯାଇଥିଲା, ଏବେ କାହିଁକି ଆଇନ ତିଆରି କରାଗଲା? ଏବେ, ଯଦି ମୁଁ ଆପଣଙ୍କୁ ପଚାରେ, ବାଉଁଶ କ'ଣ ଗଛ? କିଛି ଲୋକ ବିଶ୍ୱାସ କରିବେ ଯେ ଏହା ଏକ ଗଛ, ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ମୋ ଦେଶର ସରକାର ବିଶ୍ୱାସ କରୁଥିଲେ ଯେ ବାଉଁଶ ଏକ ଗଛ, ଏବଂ ତେଣୁ, ଯେପରି ଗଛ କାଟିବାକୁ ନିଷେଧ କରାଯାଇଥିଲା, ସେହିପରି ବାଉଁଶ କାଟିବାକୁ ମଧ୍ୟ ନିଷେଧ କରାଯାଇଥିଲା। ଆମ ଦେଶରେ ଏକ ଆଇନ ଥିଲା ଯାହା ବାଉଁଶକୁ ଏକ ଗଛ ବୋଲି ବିବେଚନା କରୁଥିଲା, ଏବଂ ଗଛ ପାଇଁ ସମସ୍ତ ଆଇନ ଏହା ଉପରେ ପ୍ରଯୁଜ୍ୟ ଥିଲା, ଏହାକୁ କାଟିବା କଷ୍ଟକର ଥିଲା। ଆମର ପୂର୍ବ ଶାସକମାନେ ବୁଝିପାରିଲେ ନାହିଁ ଯେ ବାଉଁଶ ଏକ ଗଛ ନୁହେଁ। ହୁଏତ ବ୍ରିଟିଶମାନଙ୍କର ନିଜସ୍ୱ ସ୍ୱାର୍ଥ ଥିଲା, କିନ୍ତୁ ଆମେ ଏହା କାହିଁକି କରିନଥିଲୁ? ବାଉଁଶ ସହିତ ଜଡିତ ଦଶନ୍ଧି ପୁରୁଣା ଆଇନକୁ ମଧ୍ୟ ଆମ ନିଜ ସରକାର ପରିବର୍ତ୍ତନ କରିଥିଲେ।
ବନ୍ଧୁଗଣ,
ଆପଣମାନେ ମନେ ରଖିଥିବେ ଯେ 10 ବର୍ଷ ପୂର୍ବେ ଜଣେ ସାଧାରଣ ଲୋକ ପାଇଁ ITR ଫାଇଲ କରିବା କେତେ କଷ୍ଟକର ଥିଲା। ଆଜି ଆପଣ କିଛି ମୁହୂର୍ତ୍ତରେ ITR ଫାଇଲ କରନ୍ତି ଏବଂ କିଛି ଦିନ ମଧ୍ୟରେ ରିଫଣ୍ଡ ମଧ୍ୟ ସିଧାସଳଖ ଆକାଉଣ୍ଟରେ ଜମା ହୋଇଯାଏ। ଏବେ ସଂସଦରେ ଆୟକର ସମ୍ବନ୍ଧୀୟ ଆଇନକୁ ଆହୁରି ସରଳ କରିବାର ପ୍ରକ୍ରିୟା ଚାଲିଛି। ଆମେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିଛୁ, ହଁ, ଏବେ ପ୍ରଶଂସା କରାଯାଉଛି, ଆପଣ ବାଉଁଶକୁ ପ୍ରଶଂସା କରିନଥିଲେ କାରଣ ଏହା ଆଦିବାସୀଙ୍କର ଥୁଲା। ଏବଂ ଏହା ବିଶେଷ କରି ଗଣମାଧ୍ୟମ କର୍ମଚାରୀ, ଆପଣଙ୍କ ପରି ବେତନଭୋଗୀ ବର୍ଗକୁ ଲାଭ ଦେବାକୁ ଯାଉଛି। ଯେଉଁ ଯୁବକମାନେ ନିଜର ପ୍ରଥମ ଏବଂ ଦ୍ୱିତୀୟ ଚାକିରି କରୁଛନ୍ତି, ସେମାନଙ୍କର ଆକାଂକ୍ଷା ମଧ୍ୟ ଭିନ୍ନ, ସେମାନଙ୍କର ଖର୍ଚ୍ଚ ମଧ୍ୟ ଭିନ୍ନ। ସେମାନଙ୍କର ଆକାଂକ୍ଷା ପୂରଣ କରିବା ଉଚିତ, ସେମାନଙ୍କର ସଞ୍ଚୟ ବୃଦ୍ଧି ହେବା ଉଚିତ, ବଜେଟ ଏଥିରେ ବହୁତ ସାହାଯ୍ୟ କରିଛି। ଆମର ଲକ୍ଷ୍ୟ ହେଉଛି ଦେଶର ଲୋକମାନଙ୍କୁ ସହଜ ଜୀବନଧାରଣ, ବ୍ୟବସାୟ କରିବାର ସହଜତା, ସେମାନଙ୍କୁ ଉଡିବା ପାଇଁ ଖୋଲା ଆକାଶ ଦେବା। ଆଜି ଦେଖନ୍ତୁ କେତେ ଷ୍ଟାର୍ଟ-ଅପ୍ ଭୌଗୋଳିକ ତଥ୍ୟର ଲାଭ ଉଠାଉଛନ୍ତି। ପୂର୍ବରୁ ଯଦି କାହାକୁ ମାନଚିତ୍ର ତିଆରି କରିବାକୁ ପଡୁଥିଲା, ତେବେ ସେମାନଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡୁଥିଲା। ଆମେ ଏହାକୁ ପରିବର୍ତ୍ତନ କରିଛୁ ଏବଂ ଆଜି ଆମର ଷ୍ଟାର୍ଟ- ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକ ଏହି ତଥ୍ୟର ଉତ୍ତମ ରୂପେ ବ୍ୟବହାର କରୁଛନ୍ତି।
ବନ୍ଧୁଗଣ,
ଭାରତ, ଯିଏ ବିଶ୍ୱ (୦) କୁ ଶୂନ୍ୟର ଧାରଣା ଦେଇଥିଲା, ଆଜି ଅନନ୍ତ ନବସୃଜନର ଦେଶ ହେବାକୁ ଯାଉଛି। ଆଜି ଭାରତ କେବଳ ନବସୃଜନ (ଇନୋଭେଟ) କରୁନାହିଁ ବରଂ ଇଣ୍ଡୋଭେଟ୍ ମଧ୍ୟ କରୁଛି । ଏବଂ ଯେତେବେଳେ ମୁଁ ଇଣ୍ଡୋଭେଟ୍ କହେ , ଏହାର ଅର୍ଥ ହେଉଛି - ଭାରତୀୟ ପଥକୁ ନବସୃଜନ କରିବା । ଇଣ୍ଡୋଭେଟ୍ ମାଧ୍ୟମରେ , ଆମେ ଏପରି ସମାଧାନ ସୃଷ୍ଟି କରୁଛୁ ଯାହା ସୁଲଭ, ସୁଗମ ଏବଂ ଅନୁକୂଳନଯୋଗ୍ୟ। ଆମେ ଏହି ସମାଧାନଗୁଡ଼ିକୁ ଅଟକାଇ ରଖୁନାହୁଁ, ବରଂ ସମଗ୍ର ବିଶ୍ୱକୁ ପ୍ରଦାନ କରିଛୁ। ଯେତେବେଳେ ବିଶ୍ୱ ଏକ ସୁରକ୍ଷିତ ଏବଂ ମୂଲ୍ୟ - ପ୍ରଭାବଶାଳୀ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଚାହୁଁଥିଲା, ଆମେ ୟୁପିଆଇ ବ୍ୟବସ୍ଥା ସୃଷ୍ଟି କରିଥିଲୁ। ମୁଁ ପ୍ରଫେସର କାର୍ଲୋସ୍ ମୋଣ୍ଟେସ୍ ଙ୍କ କଥା ଶୁଣୁଥିଲି, ସେ ୟୁପିଆଇ ଭଳି ପ୍ରଯୁକ୍ତିର ଲୋକ-ଅନୁକୂଳ ପ୍ରକୃତିରେ ବହୁତ ପ୍ରଭାବିତ ମନେ ହେଉଥିଲେ। ଆଜି, ଫ୍ରାନ୍ସ,, ୟୁଏଇ, ସିଙ୍ଗାପୁର ଭଳି ଦେଶଗୁଡ଼ିକ ସେମାନଙ୍କର ଆର୍ଥିକ ଇକୋସିଷ୍ଟମରେ ୟୁପିଆଇକୁ ସଂହତ କରୁଛନ୍ତି। ଆଜି, ବିଶ୍ୱର ଅନେକ ଦେଶ ଆମର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଇଣ୍ଡିଆ ଷ୍ଟାକରେ ଯୋଗଦେବା ପାଇଁ ଚୁକ୍ତି କରୁଛନ୍ତି। କୋଭିଡ୍ ମହାମାରୀ ସମୟରେ, ଆମର ଟୀକା ବିଶ୍ୱକୁ ଭାରତର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସମାଧାନର ମଡେଲ୍ ଦେଖାଇଲା। ଆମେ ଆରୋଗ୍ୟ ସେତୁ ଆପ୍ କୁ ମଧ୍ୟ ଖୋଲା-ଉତ୍ସ କରିଥିଲୁ ଯାହା ଦ୍ୱାରା ବିଶ୍ୱ ଏଥିରୁ ଲାଭ ପାଇପାରିବ। ଭାରତ ଏକ ପ୍ରମୁଖ ମହାକାଶ ଶକ୍ତି ; ଆମେ ଅନ୍ୟ ଦେଶଗୁଡ଼ିକୁ ସେମାନଙ୍କର ମହାକାଶ ଆକାଂକ୍ଷା ହାସଲ କରିବାରେ ସାହାଯ୍ୟ କରୁଛୁ। ଭାରତ ମଧ୍ୟ ସାର୍ବଜନୀନ ମଙ୍ଗଳ ପାଇଁ ଏଆଇ ଉପରେ କାମ କରୁଛି ଏବଂ ବିଶ୍ୱ ସହିତ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାରେ ଲାଗିଛି।
ବନ୍ଧୁଗଣ,
ITV ନେଟୱାର୍କ ଆଜି ଅନେକ ଫେଲୋସିପ୍ ଆରମ୍ଭ କରିଛି। ଭାରତର ଯୁବପିଢ଼ି ବିକଶିତ ଭାରତର ସବୁଠାରୁ ବଡ଼ ଲାଭାର୍ଥୀ ଏବଂ ସବୁଠାରୁ ବଡ଼ ଅଂଶୀଦାର ମଧ୍ୟ। ତେଣୁ, ଭାରତର ଯୁବପିଢ଼ି ଆମ ପାଇଁ ଏକ ବହୁତ ବଡ଼ ପ୍ରାଥମିକତା। ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ପୁସ୍ତକ ବାହାରେ ଚିନ୍ତା କରିବାର ସୁଯୋଗ ଦେଇଛି। ମଧ୍ୟମା ବିଦ୍ୟାଳୟରୁ ହିଁ କୋଡିଂ ଶିଖି ପିଲାମାନେ ଏଆଇ ଏବଂ ଡାଟା ସାଇନ୍ସ କ୍ଷେତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଟଳ ଟିଙ୍କରିଂ ଲ୍ୟାବ୍ ପିଲାମାନଙ୍କୁ ଉଦୀୟମାନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରୁଛି। ତେଣୁ, ଏହି ବର୍ଷର ବଜେଟରେ, ଆମେ 50 ହଜାର ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ସୃଷ୍ଟି କରିବାକୁ ଘୋଷଣା କରିଛୁ।
ବନ୍ଧୁଗଣ,
ଖବର ଜଗତରେ, ଆପଣମାନେ ବିଭିନ୍ନ ଏଜେନ୍ସିରୁ ସବସ୍କ୍ରିପସନ୍ ନିଅନ୍ତି, ଏହା ଆପଣଙ୍କୁ ଭଲ ଖବର କଭରେଜ୍ ପାଇବାରେ ସାହାଯ୍ୟ କରେ। ସେହିପରି, ଗବେଷଣା କ୍ଷେତ୍ରରେ, ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ସୂଚନା ଉତ୍ସର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ, ପୂର୍ବରୁ ସେମାନଙ୍କୁ ଅଧିକ ଟଙ୍କା ଦେଇ ବିଭିନ୍ନ ପତ୍ରିକାର ସବସ୍କ୍ରିପସନ୍ ନେବାକୁ ପଡୁଥିଲା, ସେମାନଙ୍କୁ ନିଜକୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଆମ ସରକାର ସମସ୍ତ ଗବେଷକଙ୍କୁ ଏହି ଚିନ୍ତାରୁ ମଧ୍ୟ ମୁକ୍ତ କରିଛି। ଆମେ ଏକ ରାଷ୍ଟ୍ର, ଏକ ସବସ୍କ୍ରିପସନ୍ ଆଣିଛୁ। ଏହା ସହିତ, ଦେଶର ପ୍ରତ୍ୟେକ ଗବେଷକ ବିଶ୍ୱର ପ୍ରସିଦ୍ଧ ପତ୍ରିକାଗୁଡ଼ିକୁ ମାଗଣାରେ ପ୍ରବେଶ ପାଇବା ନିଶ୍ଚିତ। ସରକାର ଏଥିରେ 6 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଆମେ ସୁନିଶ୍ଚିତ କରୁଛୁ ଯେ, ପ୍ରତ୍ୟେକ ଛାତ୍ର ସର୍ବୋତ୍ତମ ଗବେଷଣା ସୁବିଧା ପାଆନ୍ତି। ଏହା ମହାକାଶ ଅନୁସନ୍ଧାନ ହେଉ, ବାୟୋଟେକ୍ ଗବେଷଣା ହେଉ କିମ୍ବା ଏଆଇ, ଆମର ପିଲାମାନେ ଭବିଷ୍ୟତର ନେତା ଭାବରେ ଉଭା ହେଉଛନ୍ତି। ଡକ୍ଟର ବ୍ରାଏନ୍ ଗ୍ରୀନ୍ IIT ର ଛାତ୍ରମାନଙ୍କୁ ଭେଟିଛନ୍ତି ଏବଂ ମହାକାଶଚାରୀ ମାଇକ୍ ମାସିମିନୋ ସେଣ୍ଟ୍ରାଲ୍ ସ୍କୁଲର ଛାତ୍ରମାନଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଯେପରି ସେ କହିଥିଲେ, ତାଙ୍କର ଅଭିଜ୍ଞତା ପ୍ରକୃତରେ ଚମତ୍କାର ହୋଇଛି। ସେହି ଦିନ ଦୂରରେ ନାହିଁ ଯେତେବେଳେ ଭାରତର ଏକ ଛୋଟ ସ୍କୁଲର ଛାତ୍ରଛାତ୍ରୀ ଭବିଷ୍ୟତର ଏକ ବଡ଼ ଉଦ୍ଭାବନ କରିବେ।
ବନ୍ଧୁଗଣ,
ପ୍ରତ୍ୟେକ ବିଶ୍ୱ ମଞ୍ଚରେ ଭାରତର ପତାକା ଉଡୁ, ଏହା ଆମର ଆକାଂକ୍ଷା, ଏହା ଆମର ଦିଗ।
ବନ୍ଧୁଗଣ,
ଏହା ଛୋଟ ଚିନ୍ତା କରିବାର ଏବଂ ଛୋଟ ପଦକ୍ଷେପ ନେବାର ସମୟ ନୁହେଁ। ମୁଁ ଖୁସି ଯେ ଏକ ଗଣମାଧ୍ୟମ ସଂଗଠନ ଭାବରେ, ଆପଣମାନେ ମଧ୍ୟ ଏହି ଭାବନାକୁ ବୁଝିଛନ୍ତି। ଦେଖନ୍ତୁ, 10 ବର୍ଷ ପୂର୍ବେ ଆପଣମାନେ ଦେଶର ବିଭିନ୍ନ ରାଜ୍ୟ ପର୍ଯ୍ୟନ୍ତ କିପରି ପହଞ୍ଚିବେ, ଆପଣଙ୍କର ଗଣମାଧ୍ୟମ ଗୃହକୁ କିପରି ପହଞ୍ଚିବେ ସେ ବିଷୟରେ ଚିନ୍ତା କରୁଥିଲେ, ଆଜି ଆପଣମାନେ ମଧ୍ୟ ବିଶ୍ୱସ୍ତରୀୟ ହେବାର ସାହସ ସଂଗ୍ରହ କରିଛନ୍ତି। ଏହି ପ୍ରେରଣା, ଏହି ପ୍ରତିଜ୍ଞା, ଆଜି ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଉଦ୍ୟୋଗୀଙ୍କର ହେବା ଉଚିତ। ମୋର ସ୍ୱପ୍ନ ହେଉଛି ଯେ ବିଶ୍ୱର ପ୍ରତ୍ୟେକ ବଜାରରେ, ପ୍ରତ୍ୟେକ ଡ୍ରଇଂ ରୁମରେ, ପ୍ରତ୍ୟେକ ଡାଇନିଂ ଟେବୁଲରେ କିଛି ନା କିଛି ଭାରତୀୟ ବ୍ରାଣ୍ଡ ରହିବା ଉଚିତ। ’ଭାରତରେ ନିର୍ମିତ’ - ବିଶ୍ୱର ମନ୍ତ୍ର ହେବା ଉଚିତ। ଯଦି କେହି ଅସୁସ୍ଥ ଅଛି, ତେବେ ସେ ପ୍ରଥମେ ଚିନ୍ତା କରିବା ଉଚିତ - ଭାରତରେ ସୁସ୍ଥ ହୁଅନ୍ତୁ। ଯଦି କେହି ବିବାହ କରିବାକୁ ଚାହାଁନ୍ତି, ତେବେ ସେ ପ୍ରଥମେ ଭାରତରେ ବିବାହ କରନ୍ତୁ। ଯଦି କେହି ଭ୍ରମଣ କରିବାକୁ ଚାହାଁନ୍ତି, ତେବେ ସେ ଭାରତକୁ ତାଙ୍କ ତାଲିକାର ଶୀର୍ଷରେ ରଖିବା ଉଚିତ। ଯଦି କେହି ଏକ ସମ୍ମିଳନୀ କିମ୍ବା ପ୍ରଦର୍ଶନୀ କରିବାକୁ ଚାହାଁନ୍ତି, ତେବେ ସେ ପ୍ରଥମେ ଭାରତ ଆସିବା ଉଚିତ। ଯଦି କେହି ଏକ କନସର୍ଟ କରିବାକୁ ଚାହାଁନ୍ତି, ତେବେ ସେ ପ୍ରଥମେ ଭାରତକୁ ବାଛିବା ଉଚିତ। ଆମକୁ ଏହି ଶକ୍ତି, ଏହି ସକାରାତ୍ମକ ମନୋଭାବ ନିଜ ଭିତରେ ବିକଶିତ କରିବାକୁ ପଡିବ। ଆପଣଙ୍କର ନେଟୱାର୍କ ଏବଂ ଆପଣଙ୍କ ଚ୍ୟାନେଲ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ସମ୍ଭାବନା ଅସୀମ, ଏବେ ଆମକୁ ଆମର ସାହସ ଏବଂ ଦୃଢ଼ ସଂକଳ୍ପ ସହିତ ସେଗୁଡ଼ିକୁ ବାସ୍ତବରେ ପରିଣତ କରିବାକୁ ପଡିବ।
ବନ୍ଧୁଗଣ,
ଆଗାମୀ 25 ବର୍ଷ ମଧ୍ୟରେ ଏକ ବିକଶିତ ଭାରତ ହେବାର ସଂକଳ୍ପ ନେଇ ଭାରତ ଆଗକୁ ବଢ଼ୁଛି। ଆପଣମାନେ ମଧ୍ୟ ନିଜକୁ ଏକ ଗଣମାଧ୍ୟମ ସଂସ୍ଥା ଭାବରେ ବିଶ୍ୱ ସ୍ତରରେ ଆଣିବାର ସଂକଳ୍ପ ନେଇ ଆଗକୁ ବଢ଼ନ୍ତୁ। ମୁଁ ବିଶ୍ୱାସ କରେ ଯେ ଆପଣ ଏଥିରେ ନିଶ୍ଚିତ ଭାବରେ ସଫଳ ହେବେ। ମୁଁ ପୁଣି ଥରେ ITV ନେଟୱାର୍କର ସମଗ୍ର ଦଳକୁ ମୋର ଶୁଭକାମନା ଜଣାଉଛି ଏବଂ ଦେଶ ଏବଂ ବିଶ୍ୱରୁ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି, ସେମାନଙ୍କର ମତାମତ ନିଶ୍ଚିତ ଭାବରେ ଏକ ସକାରାତ୍ମକ ଚିନ୍ତାଧାରାକୁ ମଜବୁତ କରିଛି, ମୁଁ ଏଥିପାଇଁ ମଧ୍ୟ କୃତଜ୍ଞ, କାରଣ ଯେତେବେଳେ ଭାରତର ଗର୍ବ ବୃଦ୍ଧି ପାଏ, ପ୍ରତ୍ୟେକ ଭାରତୀୟ ଖୁସି ଏବଂ ଗର୍ବ ଅନୁଭବ କରନ୍ତି ଏବଂ ଏଥିପାଇଁ ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ନମସ୍କାରମ୍ ।
ସ୍ୱୀକାର: ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ। ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା।
***
SSP
(Release ID: 2160300)
Visitor Counter : 3
Read this release in:
Telugu
,
English
,
हिन्दी
,
Marathi
,
Punjabi
,
Gujarati
,
Urdu
,
Assamese
,
Manipuri
,
Bengali
,
Tamil
,
Kannada
,
Malayalam