ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିହାରର କରାକାଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 30 MAY 2025 2:55PM by PIB Bhubaneshwar

 

ବିହାରର ସମସ୍ତ  ସ୍ୱାଭିମାନୀ ଏବଂ ପରିଶ୍ରମୀ ଭାଇଭଉଣୀମାନଙ୍କୁ, ମୋର ନମସ୍କାର।

 

ବିହାର ରାଜ୍ୟପାଳ  ଆରିଫ୍ ମହମ୍ମଦ ଖାନ , ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର , କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ  ଜିତନ ରାମ ମାଞ୍ଝି , ଲଲ୍ଲନ ସିଂହ , ଗିରିରାଜ ସିଂହ , ଚିରାଗ ପାସୱାନ , ନିତ୍ୟାନନ୍ଦ ରାୟ , ସତୀଶ ଚନ୍ଦ୍ର ଦୁବେ , ରାଜଭୂଷଣ ଚୌଧୁରୀ , ରାଜ୍ୟର ଉପମୁଖ୍ୟମନ୍ତ୍ରୀ  ସମ୍ରାଟ ଚୌଧୁରୀ , ବିଜୟ କୁମାର ସିହ୍ନା, ଅନ୍ୟାନ୍ୟ ମନ୍ତ୍ରୀ, ଉପସ୍ଥିତ ଜନପ୍ରତିନିଧି ଏବଂ ବିହାରର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!

 

ଆଜି ମୁଁ ଏହି ପବିତ୍ର ଭୂମିରେ ବିହାରର ବିକାଶକୁ ନୂତନ ଗତି ଦେବାର ସୌଭାଗ୍ୟ ପାଇଛି। ଏଠାରେ ୫୦  ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆପଣମାନେ ସମସ୍ତେ ଆମକୁ ଆଶୀର୍ବାଦ କରିବା, ଆପଣଙ୍କ ଏହି ସ୍ନେହ, ଏବଂ ଭଲପାଇବାକୁ, ମୁଁ ସର୍ବଦା ଉଚ୍ଚ ସମ୍ମାନରେ ରଖିଥାଏ ଏବଂ ଆଜି ଏତେ ସଂଖ୍ୟାରେ ମା' ଏବଂ ଭଉଣୀମାନଙ୍କର ବିହାରରେ ଆଗମନ ହେଉଛି ଏହା ବିହାରରେ ମୋର ସମସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସବୁଠାରୁ ଚମତ୍କାର ଘଟଣା ଅଟେ । ମୁଁ ମା' ଏବଂ ଭଉଣୀମାନଙ୍କୁ ମୋର ବିଶେଷ ସମ୍ମାନ ଜଣାଉଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟର ସହିତ କୃତଜ୍ଞତା ଜଣାଉଛି।

 

ବନ୍ଧୁଗଣ,

 

ଏହି ସାସରାମ ଭୂମିର ନାମରେ ରାମ ନାମ  ଅଛି। ସାସରାମର ଲୋକମାନେ ଜାଣନ୍ତି ଯେ ପ୍ରଭୁ ରାମ ଏବଂ ତାଙ୍କ ବଂଶର ପ୍ରଥା କ'ଣ ଥିଲା, ପ୍ରାଣ ଜାୟେ ପର ବଚନ ନା ଜାୟେ। ଅର୍ଥାତ୍, ଥରେ ପ୍ରତିଶ୍ରୁତି ଦିଆଗଲେ, ତାହା ଯଥା ସମ୍ଭବ  ପୂରଣ ହୁଏ। ପ୍ରଭୁ ଶ୍ରୀ ରାମଙ୍କ ଏହି ପ୍ରଥା ଏବେ ନୂତନ ଭାରତର ନୀତି ପାଲଟିଛି। ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଆମର ଅନେକ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣର , ଗୋଟିଏ ଦିନ ପରେ ମୁଁ ବିହାର ଆସିଥିଲି, ଏବଂ ମୁଁ ବିହାର ଭୂମିରୁ ଦେଶକୁ ପ୍ରତିଶ୍ରୁତି ଦେଇଥିଲି । ମୁଁ କହିଥିଲି ଯେ ଆତଙ୍କର ମାଲିକଙ୍କ ଆଡ୍ଡାଗୁଡ଼ିକୁ ଧୂଳିସାତ୍ କରାଯିବ, ବିହାରର ଏହି ଭୂମିରେ, ମୁଁ କହିଥିଲି ଯେ ସେମାନଙ୍କୁ କଳ୍ପନାଠାରୁ ଅଧିକ  ଦଣ୍ଡ ମିଳିବ। ଆଜି ଯେତେବେଳେ ମୁଁ ବିହାର ଆସିଛି, ମୁଁ ମୋର ପ୍ରତିଶ୍ରୁତି ପୂରଣ କରି ଆସିଛି। ଯେଉଁମାନେ ପାକିସ୍ତାନରେ ବସିଥିବା ଆମର ଭଉଣୀମାନଙ୍କ ସିନ୍ଦୂର ନଷ୍ଟ କରିଥିଲେ, ଆମର ସେନା ସେମାନଙ୍କର ଆଡ୍ଡାଗୁଡ଼ିକୁ ଧ୍ୱଂସାବଶେଷରେ ପରିଣତ କରିଦେଇଛି। ଭାରତର ଝିଅମାନଙ୍କ ସିନ୍ଦୂରର ଶକ୍ତି କ'ଣ, ପାକିସ୍ତାନ ଏହା ଦେଖିଛି ଏବଂ ବିଶ୍ୱ ମଧ୍ୟ ଦେଖିଛି। ପାକିସ୍ତାନୀ ସେନାର ସୁରକ୍ଷା ତଳେ ନିଜକୁ ସୁରକ୍ଷିତ ମନେ କରୁଥିବା ଆତଙ୍କବାଦୀମାନଙ୍କୁ, ଆମର ସେନା ଗୋଟିଏ ଝଟକାରେ ଆଣ୍ଠୁମାଡ଼ି ପକାଇ ଦେଇଥିଲେ। ଆମେ କିଛି ସମୟ  ମଧ୍ୟରେ ପାକିସ୍ତାନର ଏୟାରବେସ୍, ସେମାନଙ୍କର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲୁ, ଏହା ହେଉଛି ନୂତନ ଭାରତ, ଏହା ହେଉଛି ନୂତନ ଭାରତର ଶକ୍ତି।

 

ମୋର ପ୍ରିୟ ବିହାରର ଭାଇ ଓ ଭଉଣୀମାନେ,

 

ଏହା ଆମର ବିହାର, ବୀର କୁନୱର ସିଂହଙ୍କ ଭୂମି। ଏଠାରେ ହଜାର ହଜାର ଯୁବକ ଦେଶର ସୁରକ୍ଷା ପାଇଁ ସେନାରେ, ବିଏସଏଫରେ ନିଜର ଯୌବନକୁ ବଳିଦାନ ଦିଅନ୍ତି। ଅପରେସନ ସିନ୍ଦୁରରେ, ବିଶ୍ୱ ମଧ୍ୟ ଆମର ବିଏସଏଫର ଅଭୂତପୂର୍ବ ବୀରତ୍ୱ ଏବଂ ଅଦମ୍ୟ ସାହସ ଦେଖିଛି। ଆମ ସୀମାରେ ନିୟୋଜିତ ସାହସୀ ବିଏସଏଫ ସୈନିକମାନେ ସୁରକ୍ଷାର ଏକ ଅଦ୍ଭୁତ ପଥର, ଭାରତ ମାତାର ସୁରକ୍ଷା ଆମ ବିଏସଏଫ ସୈନିକଙ୍କ ପାଇଁ ସର୍ବୋପରି ଅଟେ ଏବଂ ମାତୃଭୂମିର ସେବା କରିବାର ପବିତ୍ର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ, ବିଏସଏଫ ସବ ଇନ୍ସପେକ୍ଟର ଇମତିଆଜ ୧୦ ମଇରେ ସୀମାରେ ସହିଦ ହୋଇଥିଲେ। ମୁଁ ବିହାରର ଏହି ସାହସୀ ପୁଅକୁ ମୋର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆଜି ମୁଁ ବିହାର ଭୂମିରୁ ପୁଣି ଥରେ କହିବାକୁ ଚାହୁଁଛି, ଶତ୍ରୁ ଅପରେସନ ସିନ୍ଦୁରରେ ଭାରତର ଶକ୍ତି ଦେଖିଛି, କିନ୍ତୁ ଶତ୍ରୁ ବୁଝିବା ଉଚିତ ଯେ ଏହା ଆମ ଧନୁରେ କେବଳ ଗୋଟିଏ ତୀର। ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇ ବନ୍ଦ ହୋଇନାହିଁ କିମ୍ବା ବନ୍ଦ ହେବନାହିଁ। ଯଦି ଆତଙ୍କର ଆକ୍ରମଣ  ପୁଣି ହୁଏ , ତେବେ ଭାରତ ଏହାକୁ ତା'ର ଗାତରୁ ବାହାର କରି ନଷ୍ଟ କରିଦେବ।

 

ବନ୍ଧୁଗଣ,

 

ଆମର ଲଢ଼େଇ ଦେଶର ପ୍ରତ୍ୟେକ ଶତ୍ରୁ ବିରୁଦ୍ଧରେ, ସେ ସୀମାପାର ହେଉ କିମ୍ବା ଦେଶ ଭିତରେ। ବିହାରର ଲୋକମାନେ ସାକ୍ଷୀ ଅଛନ୍ତି ଯେ ଆମେ ବିଗତ ବର୍ଷଗୁଡ଼ିକରେ ହିଂସା ଏବଂ ଅଶାନ୍ତି ବିସ୍ତାର କରୁଥିବା ଲୋକଙ୍କୁ କିପରି ନିପାତ କରିଛୁ। ମନେରଖନ୍ତୁ, କିଛି ବର୍ଷ ପୂର୍ବେ ସାସାରାମ, କୈମୁର ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ ପରିସ୍ଥିତି କ’ଣ ଥିଲା? ନକ୍ସଲବାଦ କିପରି ପ୍ରଭାବଶାଳୀ ଥିଲା, ସମସ୍ତେ ଭୟ କରୁଥିଲେ ଯେ ନକ୍ସଲମାନେ ମୁହଁରେ ମାସ୍କ ଏବଂ ହାତରେ ବନ୍ଧୁକ ଧରି କେବେ ରାସ୍ତାକୁ ବାହାରିବେ। ସରକାରୀ ଯୋଜନା ଆସୁଥିଲା, କିନ୍ତୁ ସେଗୁଡ଼ିକ କେବେ ନାଗରିକଙ୍କ ପାଖରେ ପହଞ୍ଚି ନଥିଲା। ନକ୍ସଲ ପ୍ରଭାବିତ ଗାଁଗୁଡ଼ିକରେ ନା ହସ୍ପିଟାଲ ଥିଲା ନା ମୋବାଇଲ୍ ଟାୱାର। କେତେବେଳେ ସ୍କୁଲ ପୋଡ଼ି ଯାଉଥିଲା, କେତେବେଳେ ରାସ୍ତା ନିର୍ମାଣ କରୁଥିବା ଲୋକଙ୍କୁ ହତ୍ୟା କରାଯାଉଥିଲା। ଏହି ଲୋକମାନଙ୍କର ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ ଉପରେ ବିଶ୍ୱାସ ନଥିଲା। ନୀତିଶ  ସେହି ପରିସ୍ଥିତିରେ ମଧ୍ୟ ଏଠାରେ ବିକାଶ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ୨୦୧୪  ପରେ, ଆମେ ଏହି ଦିଗରେ ଦ୍ରୁତ ଗତିରେ କାମ କଲୁ। ଆମେ ମାଓବାଦୀମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଦଣ୍ଡ ଦେବା ଆରମ୍ଭ କଲୁ। ଆମେ ଯୁବପିଢ଼ିଙ୍କୁ ମଧ୍ୟ ବିକାଶର ମୁଖ୍ୟଧାରାରେ ସାମିଲ କଲୁ। ଆଜି ଦେଶ ୧୧ ବର୍ଷର ଦୃଢ଼ ସଂକଳ୍ପର ଫଳ ପାଇବା ଆରମ୍ଭ କରିଛି। ୨୦୧୪ ପୂର୍ବରୁ ଦେଶର ୧୨୫ ରୁ ଅଧିକ ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲେ, ଏବେ କେବଳ ୧୮ ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଅଛନ୍ତି। ଏବେ ସରକାର ରାସ୍ତା ଏବଂ ନିଯୁକ୍ତି ଯୋଗାଇ ଦେଉଛନ୍ତି। ସେହି ଦିନ ଦୂର ନୁହେଁ ଯେତେବେଳେ ମାଓ ହିଂସା ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ, ଶାନ୍ତି, ସୁରକ୍ଷା, ଶିକ୍ଷା ଏବଂ ବିକାଶ ପ୍ରତିଟି ଗାଁରେ ବିନା ବାଧାରେ ପହଞ୍ଚିବ।

 

ବନ୍ଧୁଗଣ,

 

ଯେତେବେଳେ ସୁରକ୍ଷା ଏବଂ ଶାନ୍ତି ଆସିବ, ସେତେବେଳେ ବିକାଶର ନୂତନ ପଥ ଖୋଲିବ। ଏଠାରେ, ଯେତେବେଳେ ନୀତିଶଙ୍କ ନେତୃତ୍ୱରେ ଜଙ୍ଗଲରାଜ ସରକାରକୁ ହଟାଇ ଦିଆଯାଇଥିଲା, ସେତେବେଳେ ବିହାର ମଧ୍ୟ ପ୍ରଗତି ପଥରେ ଆଗକୁ ବଢ଼ିବା ଆରମ୍ଭ କରିଥିଲା। ଭଙ୍ଗା ରାଜପଥ, ଖରାପ ରେଳପଥ, ସୀମିତ ବିମାନ ସଂଯୋଗ, ସେହି ଯୁଗ ଏବେ ଇତିହାସ ପାଲଟିଛି, ଏହାକୁ ପଛରେ ପକାଇ ଦିଆଯାଉଛି।

 

ବନ୍ଧୁଗଣ,

 

ପୂର୍ବେ ବିହାରରେ କେବଳ ଗୋଟିଏ ବିମାନବନ୍ଦର ଥିଲା - ପାଟନା। ଆଜି ଦରଭଙ୍ଗା ବିମାନବନ୍ଦର ମଧ୍ୟ ଆରମ୍ଭ ହୋଇଛି। ଏବେ ଏଠାରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରକୁ ବିମାନ ସେବା ଉପଲବ୍ଧ କରାଯାଇଛି । ବିହାରର ଲୋକମାନେ ବହୁ ଦିନ ଧରି ଦାବି କରି ଆସୁଥିଲେ ଯେ ପାଟନା ବିମାନବନ୍ଦରର ଟର୍ମିନାଲକୁ ଆଧୁନିକୀକରଣ କରାଯାଉ, ଏବେ ଏହି ଦାବି ମଧ୍ୟ ପୂରଣ ହୋଇଛି। ଗତକାଲି ସନ୍ଧ୍ୟାରେ ମୋତେ ପାଟନା ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ଏହି ନୂତନ ଟର୍ମିନାଲ ଏବେ ୧ କୋଟି ଯାତ୍ରୀଙ୍କୁ ପରିଚାଳନା କରିପାରିବ। ବିହତା ବିମାନବନ୍ଦରରେ ମଧ୍ୟ ୧୪୦୦ କୋଟି ଟଙ୍କାର ନିବେଶ କରାଯାଉଛି।

 

ବନ୍ଧୁଗଣ,

 

ଆଜି ବିହାରରେ, ସବୁଠି ଚାରି ଲେନ୍ ଏବଂ ଛଅ ଲେନ୍ ରାସ୍ତାର ଏକ ନେଟୱାର୍କ ବିସ୍ତାର କରାଯାଉଛି। ପାଟନାରୁ ବକ୍ସର, ଗୟାଜୀରୁ ଡୋବି, ପାଟନାରୁ ବୋଧଗୟା, ପାଟନା-ଆରା-ସାସାରାମ ଗ୍ରୀନଫିଲ୍ଡ କରିଡର, ସବୁଠି କାମ ଦ୍ରୁତ ଗତିରେ ଚାଲିଛି। ଗଙ୍ଗା, ସୋନ, ଗଣ୍ଡକ, କୋସୀ ସମେତ ସମସ୍ତ ପ୍ରମୁଖ ନଦୀରେ ନୂତନ ସେତୁ ନିର୍ମାଣ କରାଯାଉଛି। ହଜାର ହଜାର କୋଟି ଟଙ୍କାର ଏପରି ପ୍ରକଳ୍ପ ବିହାରରେ ନୂତନ ସୁଯୋଗ ଏବଂ ସମ୍ଭାବନା ସୃଷ୍ଟି କରୁଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା  ହଜାର ହଜାର ଯୁବକ ନିଯୁକ୍ତି ପାଇବେ। ଏଠାରେ ପର୍ଯ୍ୟଟନ ଏବଂ ବ୍ୟବସାୟ ଉଭୟ ଲାଭବାନ ହେବେ।

ବନ୍ଧୁଗଣ,

 

ବିହାରରେ ରେଳପଥର ଅବସ୍ଥା ମଧ୍ୟ ଦ୍ରୁତ ଗତିରେ ପରିବର୍ତନ ହେଉଛି । ଆଜି ବିହାରରେ ବିଶ୍ୱସ୍ତରୀୟ ବନ୍ଦେ ଭାରତ ଟ୍ରେନ୍ ଚାଲୁଛି, ରେଳପଥକୁ ଦୁଇଗୁଣ ଏବଂ ତିନିଗୁଣ କରାଯାଉଛି, ଛାପରା, ମୁଜାଫରପୁର, କଟିହାର ଭଳି ଅଞ୍ଚଳରେ କାମ ଦ୍ରୁତ ଗତିରେ ଚାଲିଛି। ସୋନ ନଗର ଏବଂ ଅଣ୍ଡାଲ ମଧ୍ୟରେ ମଲ୍ଟି-ଟ୍ରାକିଂ କାମ ଚାଲିଛି, ଯାହା ଟ୍ରେନଗୁଡ଼ିକର ଗତିକୁ ତ୍ୱରାନ୍ୱିତ କରିବ। ବର୍ତ୍ତମାନ ସାସାରାମରେ ୧୦୦  ରୁ ଅଧିକ ଟ୍ରେନ୍ ଅଟକିଛି। ଏହାର ଅର୍ଥ ହେଉଛି, ଆମେ ପୁରୁଣା ସମସ୍ୟାର ସମାଧାନ କରୁଛୁ ଏବଂ ରେଳପଥକୁ ମଧ୍ୟ ଆଧୁନିକ କରୁଛୁ।

 

ଭାଇ ​​ଓ ଭଉଣୀମାନେ,

 

ଏହି କାମଗୁଡ଼ିକ ପୂର୍ବରୁ ମଧ୍ୟ କରାଯାଇପାରିଥାନ୍ତା କିନ୍ତୁ, ଯେଉଁମାନେ ବିହାରକୁ ଆଧୁନିକ ଟ୍ରେନ୍ ଦେବାର ଦାୟିତ୍ୱରେ ଥିଲେ, ସେମାନେ ରେଳପଥରେ ନିଯୁକ୍ତି ନାମରେ ଆପଣଙ୍କ ଜମି ଲୁଟ କରିଛନ୍ତି, ଗରିବଙ୍କ ଜମି ପଞ୍ଜିକୃତ କରିଛନ୍ତି, ଏହା ସେମାନଙ୍କର ସାମାଜିକ ନ୍ୟାୟର ପଦ୍ଧତି ଥିଲା, ଗରିବଙ୍କୁ ଲୁଟିବା, ସେମାନଙ୍କ ଅଧିକାର ଲୁଟିବା, ସେମାନଙ୍କ ଅସହାୟତାର ସୁଯୋଗ ନେଇ ରାଜକୀୟ ସୁଖ ଉପଭୋଗ କରିବା। ଜଙ୍ଗଲ ରାଜର ଲୋକଙ୍କ ମିଛ ଏବଂ ଛଳନା ବିଷୟରେ ଆହୁରି ସତର୍କ ରହିବା ବିହାରର ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

 

ବନ୍ଧୁଗଣ,

 

ବିଦ୍ୟୁତ ବିନା ବିକାଶ ଅସମ୍ପୂର୍ଣ୍ଣ। ଯେତେବେଳେ ବିଦ୍ୟୁତ୍ ଥାଏ, ଶିଳ୍ପ ବିକାଶ ହୁଏ, ଯେତେବେଳେ ବିଦ୍ୟୁତ୍ ଥାଏ, ଜୀବନ ସହଜ ହୋଇଯାଏ ଏବଂ ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ଶତାବ୍ଦୀ। ତେଣୁ, ପ୍ରତ୍ୟେକ ପଦକ୍ଷେପରେ ବିଦ୍ୟୁତ୍ ଆବଶ୍ୟକ ହେବ। ବିଗତ ବର୍ଷଗୁଡ଼ିକରେ, ବିହାରରେ ବିଦ୍ୟୁତ୍ ଉତ୍ପାଦନ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ଆଜି, ବିହାରରେ ବିଦ୍ୟୁତ୍ ବ୍ୟବହାର ୧୦  ବର୍ଷ ପୂର୍ବ ତୁଳନାରେ ୪  ଗୁଣ ବୃଦ୍ଧି ପାଇଛି। ନବୀନଗରରେ ଏନଟିପିସିର ଏକ ବଡ଼ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହେଉଛି, ଏଥିରେ ୩୦  ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବିହାରକୁ ୧୫୦୦  ମେଗାୱାଟ୍ ବିଦ୍ୟୁତ୍ ଯୋଗାଇବ। ବକ୍ସର ଏବଂ ପିରପୈନ୍ତିରେ ମଧ୍ୟ ନୂତନ ତାପଜ ବିଦ୍ୟୁତ୍ କେନ୍ଦ୍ରର ଶୁଭରମ୍ଭ ହେବ।

ଭାଇ ଓ ଭଉଣୀମାନେ,

 

ବର୍ତ୍ତମାନ ଆମର ଧ୍ୟାନ ଭବିଷ୍ୟତ ଉପରେ। ଆମକୁ ବିହାରକୁ ସବୁଜ ଶକ୍ତି ଆଡ଼କୁ ନେବାକୁ ପଡିବ। ଏବଂ ସେଥିପାଇଁ, କଜରାରେ ଏକ ସୌର ପାର୍କ ମଧ୍ୟ ନିର୍ମାଣ କରାଯାଉଛି। ପିଏମ-କୁସୁମ ଯୋଜନା ଅଧୀନରେ, ଚାଷୀମାନଙ୍କୁ ସୌର ଶକ୍ତିରୁ ରୋଜଗାରର ବିକଳ୍ପ ଦିଆଯାଉଛି। ଫାର୍ମଗୁଡ଼ିକୁ ନବୀକରଣୀୟ କୃଷି ଫିଡରରୁ ବିଦ୍ୟୁତ୍ ମିଳୁଛି। ଆମର ଏହି ପ୍ରୟାସର ପ୍ରଭାବ ହେଉଛି ଯେ ଏଠାକାର ଲୋକଙ୍କ ଜୀବନରେ ଉନ୍ନତି ହୋଇଛି। ମହିଳାମାନେ ସୁରକ୍ଷିତ ଅନୁଭବ କରୁଛନ୍ତି।

 

ବନ୍ଧୁଗଣ,

 

ଯେତେବେଳେ ରାଜ୍ୟରେ ଆଧୁନିକ ଭିତ୍ତିଭୂମି ଆସେ, ସେତେବେଳେ ଗାଁ, ଗରିବ, ଚାଷୀ ଏବଂ ଛୋଟ ଶିଳ୍ପ ସବୁଠାରୁ ଅଧିକ ଲାଭ ପାଆନ୍ତି। କାରଣ, ସେମାନେ ଦେଶ ଏବଂ ବିଦେଶର ବଡ଼ ବଜାର ସହିତ ଯୋଡ଼ି ହୋଇପାରନ୍ତି। ଯେତେବେଳେ ରାଜ୍ୟରେ ନୂତନ ନିବେଶ ଆସେ, ନୂତନ ସୁଯୋଗ ସୃଷ୍ଟି ହୁଏ। ଆପଣ ଦେଖନ୍ତୁ, ଗତ ବର୍ଷ ଅନୁଷ୍ଠିତ ବିହାର ବାଣିଜ୍ୟ ସମ୍ମିଳନୀରେ, ବହୁ ସଂଖ୍ୟକ କମ୍ପାନୀ ଏଠାରେ ନିବେଶ କରିବାକୁ ଆଗେଇ ଆସିଥିଲେ, ଯେତେବେଳେ ରାଜ୍ୟରେ ଶିଳ୍ପ ଆସେ, ଲୋକମାନଙ୍କୁ ଶ୍ରମ ପାଇଁ ସ୍ଥାନାନ୍ତର କରିବାକୁ ପଡ଼େ ନାହିଁ, ଚାଷୀମାନଙ୍କୁ ମଧ୍ୟ ନୂତନ ବିକଳ୍ପ ମିଳିଥାଏ। ଉନ୍ନତ ପରିବହନ ସୁବିଧା ସହିତ, ସେମାନଙ୍କର ଉତ୍ପାଦ ମଧ୍ୟ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚିପାରୁଛି।

 

ଭାଇ ​​ଓ ଭଉଣୀମାନେ,

 

ଆମର ସରକାର ବିହାରର କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ୭୫  ଲକ୍ଷରୁ ଅଧିକ ଚାଷୀ ଆର୍ଥିକ ସହାୟତା ପାଉଛନ୍ତି। ଆମ ସରକାର ମାଖାନା ବୋର୍ଡ ଘୋଷଣା କରିଛି। ଆମେ ବିହାରର ମାଖାନାମାନଙ୍କୁ ଜିଆଇ ଟ୍ୟାଗ୍ ଦେଇଛୁ, ଏହା ମାଖାନା ଚାଷୀମାନଙ୍କୁ ବହୁତ ଲାଭ ଦେଇଛି। ଏହି ବର୍ଷର ବଜେଟରେ, ଆମେ ବିହାରରେ ଏକ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରତିଷ୍ଠାନ ମଧ୍ୟ ଘୋଷଣା କରିଛୁ। ମାତ୍ର ଦୁଇ-ତିନି ଦିନ ପୂର୍ବରୁ, କ୍ୟାବିନେଟ୍ ଖରିଫ ଋତୁ ପାଇଁ ଧାନ ସମେତ ୧୪ ଟି ଫସଲର ଏମଏସପି  ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ଏହା ଚାଷୀମାନଙ୍କୁ ସେମାନଙ୍କ ଫସଲର ଭଲ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ।

ବନ୍ଧୁଗଣ,

 

ଯେଉଁ ଲୋକମାନେ ବିହାରକୁ ସବୁଠାରୁ ଅଧିକ ଠକିଥିଲେ, ଯେଉଁମାନଙ୍କ ଶାସନ କାଳରେ ବିହାରର ଗରିବ ଏବଂ ବଞ୍ଚିତ ବର୍ଗକୁ ବିହାର ଛାଡିବାକୁ ପଡିଥିଲା, ଆଜି ସେହି ଲୋକମାନେ କ୍ଷମତା ହାସଲ ପାଇଁ ସାମାଜିକ ନ୍ୟାୟ ବିଷୟରେ ମିଛ କହୁଛନ୍ତି। ଦଶନ୍ଧି ଧରି ବିହାରର ଦଳିତ, ପଛୁଆ ଏବଂ ଆଦିବାସୀଙ୍କ ପାଖରେ ଶୌଚାଳୟ ମଧ୍ୟ ନଥିଲା, ଦଶନ୍ଧି ଧରି ଆମର ଏହି ଭାଇଭଉଣୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିଲା, ସେମାନଙ୍କ ପାଇଁ ବ୍ୟାଙ୍କରେ ପ୍ରବେଶ ବନ୍ଦ ଥିଲା, ସେମାନଙ୍କୁ ଦ୍ୱାର ଭିତରକୁ ପ୍ରବେଶ କରିବାକୁ ମଧ୍ୟ ଅନୁମତି ନଥିଲା। ଅଧିକାଂଶ ଦଳିତ ଏବଂ ପଛୁଆ ବର୍ଗର ଲୋକ ବସ୍ତିରେ ରହୁଥିଲେ, ସେମାନଙ୍କର ସ୍ଥାୟୀ ଘର ମଧ୍ୟ ନଥିଲା, ସେମାନେ ବାସହୀନ ଥିଲେ, କୋଟି କୋଟି ଲୋକଙ୍କ ମୁଣ୍ଡ ଉପରେ ଛାତ ମଧ୍ୟ ନଥିଲା। ମୁଁ ଆପଣଙ୍କୁ ପଚାରୁଛି, ବିହାରର ଲୋକଙ୍କ ଏହି ଦୁର୍ଦ୍ଦଶା, ଏହି ଯନ୍ତ୍ରଣା, ଏହି କଷ୍ଟ, ଏହା କ’ଣ କଂଗ୍ରେସ ଏବଂ ଆରଜେଡିର ସାମାଜିକ ନ୍ୟାୟ? ବନ୍ଧୁଗଣ, ଯେଉଁମାନେ ଗରିବମାନଙ୍କୁ ଏପରି ଅସହାୟ ଭାବରେ ଜୀବନ ବିତାଇବା ପାଇଁ ସମସ୍ତ ନୀତି ତିଆରି କରିବାରେ ଅଭ୍ୟସ୍ତ, ଏହାଠାରୁ ବଡ଼ ଅନ୍ୟାୟ ଆଉ କିଛି ହୋଇପାରେ ନାହିଁ। କଂଗ୍ରେସ ଏବଂ ଆରଜେଡିର ଲୋକମାନେ, ସେମାନେ ଦଳିତ ଏବଂ ପଛୁଆ ବର୍ଗର ସମସ୍ୟା ବିଷୟରେ କେବେ ଚିନ୍ତା କରିନଥିଲେ। ଏହି ଲୋକମାନେ ବିଦେଶୀମାନଙ୍କୁ ବିହାରକୁ ଆଣି ସେମାନଙ୍କୁ ଦାରିଦ୍ର୍ୟ ଦେଖାଇ ପାରୁଥିଲେ। ଏବେ ଯେତେବେଳେ ଦଳିତ, ବଞ୍ଚିତ ଏବଂ ପଛୁଆ ସମାଜ କଂଗ୍ରେସକୁ ପାପ ଯୋଗୁଁ ଛାଡି ଦେଇଛି, ସେମାନେ ନିଜ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ସାମାଜିକ ନ୍ୟାୟର କଥା ମନେ ପକାଇଛନ୍ତି।

 

ଭାଇ ​​ଓ ଭଉଣୀମାନେ,

 

ଏନଡିଏ ଶାସନ ସମୟରେ ବିହାର ଏବଂ ଦେଶରେ ସାମାଜିକ ନ୍ୟାୟର ଏକ ନୂତନ ପ୍ରଭାତ ଦେଖାଯାଇଛି। ଆମେ ଗରିବ ଲୋକଙ୍କୁ ଜୀବନ ସହିତ ଜଡିତ ମୌଳିକ ସୁବିଧା ଯୋଗାଇଛୁ। ଆମେ ଏହି ସୁବିଧାଗୁଡ଼ିକୁ ୧୦୦ ପ୍ରତିଶତ ହିତାଧିକାରୀଙ୍କୁ ଯୋଗାଇବା ପାଇଁ କାମ କରୁଛୁ। ଚାରି କୋଟି ନୂତନ ଘର, ୩ କୋଟି ଭଉଣୀଙ୍କୁ ଲଖପତି ଦିଦି କରିବାର ମିଶନ, ୧୨  କୋଟିରୁ ଅଧିକ ଘରେ ଟ୍ୟାପ୍ ସଂଯୋଗ, ୭୦  ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବୃଦ୍ଧଙ୍କୁ ୫  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ପ୍ରତି ମାସରେ ମାଗଣା ରାସନ ସୁବିଧା, ଆମର ସରକାର ପ୍ରତ୍ୟେକ ଗରିବ ଏବଂ ଅସହାୟଙ୍କ ସହିତ ଠିଆ ହୋଇଛି।

 

ବନ୍ଧୁଗଣ,

 

ଆମେ ଚାହୁଁଛୁ ଯେ କୌଣସି ଗାଁ ଯେପରି ବାଦ ନପଡ଼େ, କୌଣସି ହକଦାର ପରିବାର ଯେପରି  ସରକାରୀ ଯୋଜନାରୁ ବଞ୍ଚିତ ନହୁଏ। ମୁଁ ଖୁସି, ଏହି ଚିନ୍ତାଧାରା ସହିତ ବିହାର ସରକାର ଡକ୍ଟର ଭୀମରାଓ ଆମ୍ବେଦକର ସମଗ୍ର ସେବା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ, ସରକାର୨୨ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ସହିତ ପ୍ରତ୍ୟେକ ଗାଁ ଏବଂ ଅଞ୍ଚଳରେ ପହଞ୍ଚିପାରୁଛି। ଆମର ଲକ୍ଷ୍ୟ ପ୍ରତ୍ୟେକ ଦଳିତ, ମହାଦଳିତ, ପଛୁଆ ଏବଂ ଅତ୍ୟନ୍ତ ପଛୁଆ ଗରିବ ବ୍ୟକ୍ତିଙ୍କ ପାଖରେ ସିଧାସଳଖ ପହଞ୍ଚିବା। ମୋତେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୩୦  ହଜାରରୁ ଅଧିକ ଶିବିର ସ୍ଥାପନ କରାଯାଇଛି, ଲକ୍ଷ ଲକ୍ଷ ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଯେତେବେଳେ ସରକାର ନିଜେ ହିତାଧିକାରୀଙ୍କ ପାଖରେ ପହଞ୍ଚନ୍ତି, ସେତେବେଳେ କୌଣସି ଭେଦଭାବ ନାହିଁ, କୌଣସି ଦୁର୍ନୀତି ନାହିଁ ଏବଂ ସେତେବେଳେ ହିଁ ପ୍ରକୃତ ସାମାଜିକ ନ୍ୟାୟ ଆସିବ।

ବନ୍ଧୁଗଣ,

 

ଆମକୁ ଆମର ବିହାରକୁ ବାବା ସାହେବ ଆମ୍ବେଦକର, କର୍ପୁରୀ ଠାକୁର, ବାବୁ ଜଗଜୀବନ ରାମ ଏବଂ ଜେପିଙ୍କ ସ୍ୱପ୍ନର ବିହାର କରିବାକୁ ପଡିବ। ଆମର ଲକ୍ଷ୍ୟ ହେଉଛି - ବିକଶିତ ବିହାର, ବିକଶିତ ଭାରତ! କାରଣ, ଯେତେବେଳେ ବି ବିହାର ପ୍ରଗତି କରିଛି, ଭାରତ ବିଶ୍ୱରେ ଶୀର୍ଷରେ ପହଞ୍ଚିଛି। ମୁଁ ବିଶ୍ୱାସ କରେ, ଏକାଠି ଆମେ ବିକାଶର ଗତିକୁ ଆହୁରି ବୃଦ୍ଧି କରିବୁ। ମୁଁ ପୁଣିଥରେ ଆପଣମାନଙ୍କୁ ଏହି ବିକାଶ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି। ମୋ ସହିତ ଆପଣଙ୍କ ଦୁଇ ହାତ ଉପରକୁ ଉଠାନ୍ତୁ, ଆପଣଙ୍କ ମୁଠା ବନ୍ଦ କରନ୍ତୁ ଏବଂ କୁହନ୍ତୁ -

ଭାରତ ମାତା କି ଜୟ।

ସ୍ୱର ଦୂର ଦୂରାନ୍ତକୁ ପହଞ୍ଚିବା ଉଚିତ। ସୀମାରେ ଠିଆ ହୋଇଥିବା ଆମର ସୈନିକଙ୍କ ଛାତି ଗର୍ବରେ ଫୁଲିଯିବା ଉଚିତ।

ଭାରତ ମାତା କି ଜୟ। ଭାରତ ମାତା କି ଜୟ।

ଭାରତ ମାତା କି ଜୟ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

****

SPD


(रिलीज़ आईडी: 2159629) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam