ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାମିଲନାଡ଼ୁର ଗଙ୍ଗାଇକୋଣ୍ଡା ଚୋଲାପୁରମ ମନ୍ଦିରରେ ଆଦି ଥିରୁବତୀରାଇ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ
Posted On:
27 JUL 2025 5:15PM by PIB Bhubaneshwar
ୱଣକମ୍ ଚୋଲା ମଣ୍ଡଳମ୍!
ଚିନ୍ମୟ ମିଶନର ସ୍ୱାମୀ, ତାମିଲନାଡ଼ୁର ରାଜ୍ୟପାଳ ଆର. ଏନ. ରବିଜୀ, କ୍ୟାବିନେଟରେ ମୋର ସହଯୋଗ ଡକ୍ଟର ଏଲ ମୁରୁଗାନଜୀ, ସ୍ଥାନୀୟ ସାଂସଦ ଥିରୁମା ଭାଲଭାନଜୀ, ମଞ୍ଚେ ଉପସ୍ଥିତି ତାମିଲନାଡ଼ୁର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀଗଣ, ସମ୍ମାନିତ ଶ୍ରୀ ଇଲାୟାରାଜାଜୀ, ସମସ୍ତ ଓଡ଼ୁଭାର, ଭକ୍ତ, ଛାତ୍ର, ସାଂସ୍କୃତିକ, ଐତିହାସିକ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ନମଃ ଶିବାୟ ।
ନମଃ ଶିବାୟ ବାଲଘା, ନାଦନ ତାଲବନା, ଇମାଇ ପୋଲୁଡୁମ, ୟେନ ନାନଜିଲ ନିଙ୍ଗାଦନ ତାଲ ବାଲଘା ।
ମୁଁ ଲକ୍ଷ୍ୟ କରିପାରୁଥିଲି ଯେ ଯେତେବେଳେ ନୟନାର ନଗେନ୍ଦ୍ରନଙ୍କ ନାମ ଉଚ୍ଚାରଣ ହେଉଥିଲା, ସେତେବେଳେ ଆମମାନଙ୍କ ସମ୍ମୁଖରେ ଚତୁର୍ଦ୍ଦିଗ ଉତ୍ସାହର ବାତାବରଣରେ ଭରି ଉଠୁଥିଲା ।
ବନ୍ଧୁଗଣ,
ଗୋଟିଏ ଦୃଷ୍ଟିରୁ ବିଚାର କଲେ ଏହା ହେଉଛି ରାଜାଙ୍କ ଶ୍ରଦ୍ଧାର ଦେଶ ଏବଂ ଇଲାୟାରାଜା ଯେଉଁଭଳି ଭାବରେ ଆମ ସମସ୍ତଙ୍କୁ ସେହି ଆସ୍ଥାଭୂମିରେ ଶିବଙ୍କ ଭକ୍ତିରେ ନିୟୋଜିତ କରିଛନ୍ତି, ତାହା ଏହି ଶ୍ରାବଣ ମାସ ହେଉ କିମ୍ବା ଅନ୍ୟ କିଛି, ରାଜା ରାଜଙ୍କ ଶ୍ରଦ୍ଧାର ସ୍ଥାନ ଏବଂ ଇଲାୟାରାଜାଙ୍କ ତପସ୍ୟା ଭୂମି ହେଉ ଅବା ଅନ୍ୟ କିଛି, କେତେ ପବିତ୍ର ଓ ବିସ୍ମୟକର ଏହି ବାତାବରଣ ଏବଂ ମୁଁ କାଶୀର ସାଂସଦ ହିସାବରେ ଓମ୍ ନମଃ ଶିବାୟ ଶୁଣିଲେ ମୋର ଶରୀର ଉଚ୍ଚାଟିତ ହୋଇଥାଏ ।
ବନ୍ଧୁଗଣ,
ଭଗବାନ ଶିବଙ୍କ ଦର୍ଶନର ଅଦ୍ଭୁତ ଶକ୍ତି, ଶ୍ରୀ ଇଲାୟାରାଜାଙ୍କ ସଙ୍ଗୀତ, ଓଦୁବର ଜପ ଏବଂ ଆଧ୍ୟାତ୍ମିକ ଅନୁଭୂତି ବାସ୍ତବ ପକ୍ଷେ ଆତ୍ମାକୁ ଆନନ୍ଦ ଏବଂ ଭକ୍ତି ଭାବରେ ଭରି ଦିଏ ।
ବନ୍ଧୁଗଣ,
ପବିତ୍ର ଶ୍ରାବଣ ମାସ ଏବଂ ବୃହଦେଶ୍ୱର ଶିବ ମନ୍ଦିର ନିର୍ମାଣ ଆରମ୍ଭ ହେବାର ଏକ ହଜାର ବର୍ଷର ଐତିହାସିକ ଅବସରରେ ମୁଁ ଏଭଳି ଏକ ବିଶେଷ ସମୟରେ ଭଗବାନ ବୃହଦେଶ୍ୱର ଶିବଙ୍କୁ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ମୁଁ ଏହି ଐତିହାସିକ ମନ୍ଦିରରେ ଦେଶର ୧୪୦ କୋଟି ଲୋକଙ୍କ ମଙ୍ଗଳ କାମନା ପୂର୍ବକ ଏବଂ ଭାରତର ନିରନ୍ତର ପ୍ରଗତି ନିମନ୍ତେ ପ୍ରାର୍ଥନା କରିଛି’ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ମୁଁ କାମନା କରୁଛି – ସମସ୍ତଙ୍କୁ ଭଗବାନ ଶିବ, ନମଃ ପାର୍ବତୀପତି, ହର ହର ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।
ବନ୍ଧୁଗଣ,
ମୁଁ ଏହି ସ୍ଥାନକୁ ଆସିବାରେ ବିଳମ୍ବ କରିଥିଲି । ତେବେ ମୁଁ ଏଠାରେ ଶୀଘ୍ର ପହଂଚିଥିଲି, କିନ୍ତୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ଚିତ୍ତାକର୍ଷକ ପ୍ରଦର୍ଶନୀ ବେଶ୍ ସୂଚନାପ୍ରଦ ଏବଂ ପ୍ରେରଣାଦାୟୀ ତଥା ଆମେ ସମସ୍ତେ ଗର୍ବରେ ପରିପୂର୍ଣ୍ଣ ଯେ ଆମର ପୂର୍ବପୁରୁଷମାନେ କିପରି ହଜାର ହଜାର ବର୍ଷ ଧରି ମାନବ କଲ୍ୟାଣ ନିମନ୍ତେ ମାର୍ଗଦର୍ଶନ କରିଆସିଛନ୍ତି । ମୋତେ ସୂଚୀତ କରାଯାଇଛି ଯେ ଗତ ଏକ ସପ୍ତାହ ଧରି ହଜାର ହଜାର ଲୋକ ଏହି ପ୍ରଦର୍ଶନୀ ବୁଲି ଦେଖିବାକୁ ଆସୁଛନ୍ତି । ଏହା ଦେଖିବା ଭଳି ଏକ ଆୟୋଜନ ଏବଂ ମୁଁ ସମସ୍ତଙ୍କୁ ଏହାକୁ ବୁଲି ଦେଖିବା ନିମନ୍ତେ ଅନୁରୋଧ କରିବି ।
ସାଥୀଗଣ, ଆଜି ଚିନ୍ମୟ ମିଶନର ପ୍ରୟାସରେ ତାମିଲ ଗୀତାର ଏକ ଆଲବମ ଉନ୍ମୋଚନ ହେବାର ସୁଯୋଗ ମୁଁ ପାଇଛି । ଏହି ପ୍ରୟାସ ଆମର ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ନିମନ୍ତେ ଆମର ଦୃଢ଼ ସଂକଳ୍ପକୁ ଶକ୍ତି ପ୍ରଦାନ କରିଥାଏ । ଏହି ପ୍ରୟାସ ସହିତ ଜଡ଼ିତ ସମସ୍ତଙ୍କୁ ମୁଁ ଏହି ଅବସରରେ ଅଭିନନ୍ଦନ ଜ୍ଞାପନ କରୁଛି ।
ବନ୍ଧୁଗଣ,
ଚୋଳ ରାଜନ୍ୟଗଣ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ସମଗ୍ର ଦକ୍ଷିଣ ପୂର୍ବ ଏସିଆକୁ ସେମାନଙ୍କର କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବିସ୍ତାରିତ କରିଥିଲେ । ଏହା ମଧ୍ୟ ଏକ ସୌଭାଗ୍ୟର କଥା ଯେ ମୁଁ ଗତକାଲି ମାଳଦ୍ୱୀପରୁ ହିଁ ଫେରିଛି ;ଏବଂ ଆଜି ମୁଁ ତାମିଲନାଡ଼ୁରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ ସାମିଲ ହୋଇପାରିଛି ।
ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି ଯେ ଶିବଙ୍କ ଉପାସକମାନେ ମଧ୍ୟ ଶିବଙ୍କ ସହିତ ମିଶି ତାଙ୍କ ପରି ଅବିନାଶୀ ହୋଇଯାଆନ୍ତି । ସେଥି ନିମନ୍ତେ ଶିବଙ୍କ ପ୍ରତି ଅତୁଳନୀୟ ଭକ୍ତି ସହିତ ଜଡ଼ିତ ଭାରତର ଚୋଳ ଐତିହ୍ୟ ଆଜି ସୁଦ୍ଧା ଅମର ହୋଇ ରହିଛି । ରାଜରାଜ ଚୋଳ, ରାଜେନ୍ଦ୍ର ଚୋଳ, ଏହି ନାମଗୁଡ଼ିକ ଭାରତର ପରିଚୟ ଏବଂ ଗୌରବ ସଙ୍ଗେ ସମାନ । ଚୋଳ ସାମ୍ରାଜ୍ୟର ଇତିହାସ ଏବଂ ପରମ୍ପରା ହେଉଛି ଭାରତର ବାସ୍ତବ ସମ୍ଭାବନାର ଉଦଘୋଷଣା । ଏହା ହେଉଛି ଭାରତର ସେହି ସ୍ୱପ୍ନର ପ୍ରେରଣା, ଯାହା ସହିତ ଆଜି ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ । ଏହି ପ୍ରେରଣା ସହିତ ମୁଁ ରାଜେନ୍ଦ୍ର ଚୋଳଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଗତ କିଛି ଦିନ ମଧ୍ୟରେ ଆପଣମାନେ ସମସ୍ତେ ଆଦି ଥିରୁଭଦିରାଇ ପର୍ବ ପାଳନ କରିଆସୁଛନ୍ତି । ଆଜି ଏହା ଏହି ଭବ୍ୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଯେଉଁମାନେ ଏଥିରେ ସହଯୋଗ କରିଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ଚୋଳ ସାମ୍ରାଜ୍ୟ ଭାରତର ସୁବର୍ଣ୍ଣ ଯୁଗମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ଏହି ଯୁଗ ଏହାର ରଣନୈତିକ ଶକ୍ତି ମାଧ୍ୟମରେ ହିଁ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇପାରିଥିଲା । ଗଣତନ୍ତ୍ରର ଜନନୀଭାବରେ ଭାରତର ପରମ୍ପରାକୁ ଚୋଳ ସାମ୍ରାଜ୍ୟ ମଧ୍ୟ ଆଗକୁ ଆଗେଇ ନେଇଥିଲା । ଐତିହାସିକମାନେ ଗଣତନ୍ତ୍ର ନାମରେ ବ୍ରିଟେନର ମାଗ୍ନା କାର୍ଟା ସମ୍ପର୍କରେ ଅବତାରଣା କରନ୍ତି, କିନ୍ତୁ ଏହାର ଅନେକ ଶତାବ୍ଦୀ ପୂର୍ବରୁ ଚୋଳ ସାମ୍ରାଜ୍ୟକୁ କୁଡାଭୋଲାଇ ଏଆଇପିରୁ ଗଣତାନ୍ତ୍ରିକ ନିର୍ବାଚନ ହେଉଥିଲା । ଆଜି ସମଗ୍ର ବିଶ୍ୱରେ ଜଳ ପରିଚାଳନା ଏବଂ ପରିବେଶ ସଂରକ୍ଷଣକୁ ନେଇ ବିଭିନ୍ନ ପ୍ରକାର ଆଲୋଚନାମାନ ଅନୁଷ୍ଠିତ ହେଉଛି । ଆମ ପୂର୍ବଜମାନେ କିନ୍ତୁ ଏହାର ଢେର୍ ପୂର୍ବରୁ ଏହି ମହତ୍ତ୍ୱକୁ ଉତ୍ତମ ରୂପେ ବୁଝିଥିଲେ । ଆମେ ଅନେକ ରାଜାଙ୍କ ବିଷୟରେ ଶୁଣିଥାଉ, ଯେଉଁମାନେ ଅନ୍ୟ ସ୍ଥାନକୁ ଜିତିବା ପରେ ସୁନା, ରୂପା କିମ୍ବା ପଶୁସମ୍ପଦକୁ ନିଜ ସାଙ୍ଗରେ ଆଣି ଆସୁଥିଲେ । କିନ୍ତୁ ଲକ୍ଷ୍ୟ କରିବା କଥା, ରାଜେନ୍ଦ୍ର ଚୋଳଙ୍କ ପରିଚୟ ଏହା ଯେ ସେ ଗଙ୍ଗାଜଳ ଆଣିବା ନିମନ୍ତେ ଏବଂ ତାହା ପୁଣି ନିଜ ପ୍ରଜାଙ୍କ ନିମନ୍ତେ, ସେ ଅନେକ କଷ୍ଟ ସ୍ୱୀକାର କରିଥିଲେ ଏବଂ ପରିଶେଷରେ ତାହା ଆଣିଥିଲେ । ରାଜେନ୍ଦ୍ର ଚୋଳ ଉତ୍ତର ଭାରତରୁ ଗଙ୍ଗା ଜଳ ଆଣି ଦକ୍ଷିଣରେ ପ୍ରତିଷ୍ଠା କରାଇଥିଲେ । ‘ଗଙ୍ଗା ତଳମାୟାମ୍ ଜୟସ୍ଥାନବମ୍’ । ଏଠାରେ ଜଳର ନାମ ଚୋଳଗଙ୍ଗା ୟେରୀ, ଚୋଳଗଙ୍ଗା ହ୍ରଦକୁ ଏହି ଦଳ ପ୍ରଦାନ କରାଯାଇଥିଲା , ଯାହା ଆଜି ପୋନ୍ନେରୀ ହ୍ରଦ ନାମରେ ସୁପରିଚିତ ।
ବନ୍ଧୁଗଣ,
ରାଜେନ୍ଦ୍ର ଚୋଳ ଗଙ୍ଗେଇ କୋଣ୍ଡଚୋଳପୁରମ୍ କୋଭିଲ ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହି ମନ୍ଦିର ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକ ବିସ୍ମୟକର ସ୍ଥାପତ୍ୟକଳା ଭାବରେ ସୁଖ୍ୟାତି ଅର୍ଜନ କରି ରହିଛି । ଚୋଳ ସାମ୍ରାଜ୍ୟର ସବୁଠାରୁ ବଡ଼ ଉପହାର ହେଉଛି ମା' କାବେରୀଙ୍କ ଏହି ପବିତ୍ର ଭୂବିରେ ମା' ଗଙ୍ଗା ପର୍ବ ପାଳନର ଆୟୋଜନ । ଏକଥା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ସେହି ଐତିହାସିକ ଘଟଣାର ସ୍ମୃତିରେ ଆଜି ପୁଣି ଥରେ କାଶୀରୁ ଗଙ୍ଗାଜଳ ଏଠାକୁ ଅଣାଯାଇଛି । ବର୍ତ୍ତମାନ ଯେତେବେଳେ ମୁଁ ସେଠାକୁ ପୂଜାର୍ଚ୍ଚନା କରିବାକୁ ଯାଇଥିଲି, ସେତେବେଳେ ବିଧିବଦ୍ଧ ଭାବରେ ପବିତ୍ର ରୀତି ନୀତିମାନ ସମ୍ପନ୍ନ ହୋଇଥିଲା, ପବିତ୍ର ଗଙ୍ଗାଜଳରେ ଅଭିଷେକ କରାଯାଇଥିଲା ଏବଂ ମୁଁ କାଶୀର ଜନ ପ୍ରତିନିଧି ଏବଂ ଗଙ୍ଗା ମାତାଙ୍କ ସହ ମୋର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ମୁଁ ଅନୁଭବ କରେ । ଚୋଳ ଶାସକଙ୍କ ଏହି କୃତି, ସେମାନଙ୍କ ସହିତ ଜଡ଼ିତ ଏହିସବୁ ଘଟଣା 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ମହାଯଜ୍ଞକୁ ନୂତନ ଶକ୍ତି ଓ ନୂତନ ଗତି ପ୍ରଦାନ କରୁଛି ।
ମୋର ଭାଇ ଓ ଭଉଣୀମାନେ,
ଚୋଳ ଶାସକମାନେ ସାଂସ୍କୃତିକ ଏକତାର ସୂତ୍ରରେ ସମଗ୍ର ଭାରତକୁ ଏକତ୍ରିତ କରିପାରିଥିଲେ । ଆଜି ଆମ ସରକାର ସେହି ଚୋଳ ଯୁଗର ସମାନ ଚିନ୍ତାଧାରାକୁ ଆଗକୁ ଆଗେଇ ନେଉଛି । କାଶୀ ତାମିଲ ସଙ୍ଗମମ୍ ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମ୍ ଭଳି କାର୍ଯ୍ୟକ୍ରମମାନଙ୍କ ମାଧ୍ୟମରେ ଆମେ ଏକତାରୁ ସେହି ପୁରାତନ ସୂତ୍ରକୁ ସୁଦୃଢ଼ କରୁଛୁ । ତାମିଲନାଡ଼ୁର ଗଙ୍ଗାଇ- କୋଣ୍ଡାଚୋଲପୁରମ୍ ଭଳି ପ୍ରାଚୀନ ମନ୍ଦିରଗୁଡ଼ିକୁ ମଧ୍ୟ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏ.ଏସ.ଆଇ.) ଜରିଆରେ ଉପଯୁକ୍ତ ସଂରକ୍ଷଣ କରାଯାଉଛି । ଯେତେବେଳେ ଦେଶର ନୂତନ ସଂସଦ ଭବନର ଶୁଭ ଉଦ୍ଘାଟନ ହେଲା, ସେତେବେଳେ ଆମର ଶିବ ଅଧିନାମର ସନ୍ଥମାନେ ସେହି କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ନେତୃତ୍ୱ ପ୍ରଦାନ କରିଥିଲେ । ତାମିଲ ସଂସ୍କୃତି ସହିତ ଜଡ଼ିତ ପବିତ୍ର ସେଙ୍ଗୋଲକୁ ସଂସଦରେ ସ୍ଥାପନ କରାଯାଇଛି । ଯେତେବେଳେ ମୁଁ ସେହି ମୁହୂର୍ତ୍ତ କଥା ଆଜି ବି ସ୍ମରଣ କରେ, ମୋ ମନ ଗର୍ବରେ ଭରିଉଠେ ।
ସାଥୀଗଣ,
କିଛି ସମୟ ପୂର୍ବରୁ ଚିଦାମ୍ବରମର ନଟରାଜ ମନ୍ଦିରର କେତେକ ଦିକ୍ଷିତାରଙ୍କୁ ଭେଟିବାର ସୌଭାଗ୍ୟ ମୋତେ ମିଳିଥିଲା । ସେମାନେ ମୋତେ ଏହି ପବିତ୍ର ମନ୍ଦିରର ଦିବ୍ୟ ପ୍ରସାଦ ମୋତେ ଉପହାର ଦେଇଥିଲେ, ଯେଉଁଠାରେ ଶିବ ନଟରାଜ ରୂପରେ ପୂଜା ପାଇଆସୁଛନ୍ତି । ନଟରାଜଙ୍କର ଏହି ସ୍ୱରୂପ ହେଉଛି ଆମ ଦର୍ଶନ ଏବଂ ବୈଜ୍ଞାନିକ ଚିନ୍ତାଧାରାର ମୂଳ ଆଧାର । ସେହିଭଳି ଭଗବାନ ନଟରାଜଙ୍କ ଆନନ୍ଦ ତାଣ୍ଡବ ମୂର୍ତ୍ତି ମଧ୍ୟ ନୂଆଦିଲ୍ଲୀର ଭାରତ ମଣ୍ଡପମର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛି । ସେହି ଭାରତ ମଣ୍ଡପମ୍ ଠାରେ, ସମଗ୍ର ବିଶ୍ୱର ବଡ଼ ବଡ଼ ନେତାମାନେ ଜି- ୨୦ ଶିଖର ସମ୍ମିଳନୀ ପାଇଁ ଏକତ୍ରିତ ହୋଇଥିଲେ ।
ବନ୍ଧୁଗଣ,
ଆମର ଶୈବ ପରମ୍ପରା ଭାରତର ସାଂସ୍କୃତିକ ଗଠନ ଦିଗରେ ବ୍ୟାପକ ଭୂମିକା ଗ୍ରହଣ କରିଆସିଛି । ଚୋଳ ସମ୍ରାଟମାନେ ଏହି ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ସ୍ଥପତିର ଭୂମିକା ନିର୍ବାହ କରିଥିଲେ । ସେଥିପାଇଁ ଆଜି ତାମିଲ ନାଡ଼ୁ ଜୀବିତ ଶୈବ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିବେଚିତ ହୋଇଆସୁଛି । ମହାନ୍ ନୟନମାର ସନ୍ଥମାନଙ୍କ ପରମ୍ପରା, ସେମାନଙ୍କର ଭକ୍ତି ସାହିତ୍ୟ, ତାମିଲ ସାହିତ୍ୟ, ଆମର ପୂଜ୍ୟ ଅଧୀନାମମାନଙ୍କ ଭୂମିକା, ଭାରତର ସାମାଜିକ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ନୂତନ ଯୁଗକୁ ଜନ୍ମ ଦେବାରେ ସହାୟକ ହୋଇଥିଲା ।
ବନ୍ଧୁଗଣ,
ଆଜି, ଯେତେବେଳେ ସମଗ୍ର ବିଶ୍ୱ ଅସ୍ଥିରତା, ହିଂସା ଏବଂ ପରିବେଶ ସମସ୍ୟାକୁ ନେଇ ଘୋର ସଂକଟ ଓ ଚିନ୍ତାରେ ପଡ଼ିଯାଇଛି, ଶୈବ ନୀତି ଆମକୁ ଏହାର ସମାଧାନ ପନ୍ଥା ପାଇବା ନିମନ୍ତେ ଉପାୟ ବତାଇଦିଏ । ଆପଣମାନେ ଲକ୍ଷ୍ୟ କରନ୍ତୁ, ତିରୁମୁଲାର ଲେଖି ଯାଇଛନ୍ତି – 'ଅନ୍ୱେ ବିଶ୍ୱମ୍'ର୍; ଅର୍ଥାତ୍, ପ୍ରେମ ହେଉଛି ଶିବ । ପ୍ରେମର ସ୍ୱରପ ହେଉଛନ୍ତି ଶିବ! ଯଦି ଆଜି ବିଶ୍ୱ ସେହି ଅବଧାରଣାକୁ ଗ୍ରହଣ କରନ୍ତା, ତେବେ ଅଧିକାଂଶ ସମସ୍ୟା ଆପେ ଆପେ ସମାଧାନ ହୋଇପାରନ୍ତା । ଆଜି ଭାରତ ସେହି ଚିନ୍ତାଧାରା- ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତକୁ ଆଗକୁ ଆଗେଇ ନେବା ଦିଗରେ ବ୍ରତୀ ହୋଇଛି ।
ବନ୍ଧୁଗଣ,
ଆଜି ଭାରତ ବିକାଶ ତଥା ଐତିହ୍ୟ ମନ୍ତ୍ରରେ ଦୀକ୍ଷିତ ହୋଇ ଆଗକୁ ଅଗ୍ରସର ହୋଇ ଚାଲିଛି । ଆଜିର ଭାରତ ତା'ର ଇତିହାସକୁ ନେଇ ଗର୍ବ ଅନୁଭବ କରେ । ବିଗତ ଦଶନ୍ଧିରେ, ଆମେ ମିଶନ ମୋଡରେ କାର୍ଯ୍ୟ କରି ଦେଶର ଐତିହ୍ୟ ରାଜିର ସଂରକ୍ଷଣ କରିଥିଲେ । ଦେଶର ପ୍ରାଚୀନ ମୂର୍ତ୍ତି ଏବଂ କଳାକୃତିମାନ, ଯାହାକି ଆମ ଦେଶରୁ ଚୋରାଇ ନିଆଯାଇଥିଲା ଏବଂ ବିଦେଶରେ ବିକ୍ରି କରିଦିଆ ଯାଇଥିଲା, ସେସବୁକୁ ପୁଣି ଦେଶକୁ ଫେରାଇ ଅଣାଯାଇଛି । ୨୦୧୪ ମସିହା ଠାରୁ, ୬୦୦ରୁ ଅଧିକ ପ୍ରାଚୀନ କଳାକୃତି ଏବଂ ଭାସ୍କର୍ଯ୍ୟକୁ ଭାରତକୁ ଲେଉଟାଇ ଅଣାଯାଇଛି ଏବଂ ସେଗୁଡ଼ିକ ବିଶ୍ୱର ବିଭିନ୍ନ ଦେଶରେ ଦୀର୍ଘ ଦିନରୁ ରହିଆସିଥିଲା । ସେଥି ମଧ୍ୟରୁ, ୩୬ଗୋଟି ପ୍ରାଚୀନ କଳାକୃତି କେବଳ ତାମିଲନାଡ଼ୁର ହିଁ ଥିଲା । ଆଜି, ନଟରାଜ, ଲିଙ୍ଗୋଦ୍ଭବ, ଦକ୍ଷିଣମୂର୍ତ୍ତି, ଅର୍ଦ୍ଧନାରୀଶ୍ୱର, ନନ୍ଦିକେଶ୍ୱର, ଉମା ପରମେଶ୍ୱରୀ, ପାର୍ବତୀ, ସମ୍ବନ୍ଧର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଆମର ଏହି ଭୂମିର ସୌନ୍ଦର୍ଯ୍ୟକୁ ବର୍ଦ୍ଧନ କରୁଛି ।
ବନ୍ଧୁଗଣ,
ଆମର ଐତିହ୍ୟ ଏବଂ ଶୈବ ଦର୍ଶନର ପ୍ରଭାବ କେବଳ ଭାରତ କିମ୍ବା ଏହି ପୃଥିବୀରେ ସୀମିତ ହୋଇ ରହିନାହିଁ । ଯେତେବେଳେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ପ୍ରଥମ ରାଷ୍ଟ୍ର ଭାବରେ ଅବତରଣ କରିଥିଲା, ଆମେ ଚନ୍ଦ୍ରପୃଷ୍ଠର ସେହି ପଏଣ୍ଟକୁ ଶିବ ଶକ୍ତି ବୋଲି ନାମିତ କରିଥିଲୁ । ଚନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ବର୍ତ୍ତମାନ ଶିବ ଶକ୍ତି ନାମରେ ଚିହ୍ନିତ ହୋଇଛି ।
ବନ୍ଧୁଗଣ,
ଚୋଳ ଶାସନ କାଳରେ ଭାରତ ଆର୍ଥିକ ଏବଂ ରଣନୀତିକ ପ୍ରଗତି କ୍ଷେତ୍ରରେ ଯେଉଁ ଶୀର୍ଷ ହାସଲ କରିଥିଲା ତାହା ଆଜି ସୁଦ୍ଧା ଆମକୁ ପ୍ରେରଣା ଯୋଗାଇ ଆସୁଛି । ରାଜ ରାଜ ଚୋଳ ଏକ ଶକ୍ତିଶାଳୀ ନୌବାହିନୀ ଗଠନ କରିଥିଲେ । ରାଜେନ୍ଦ୍ର ଚୋଳ ଏହାର କ୍ଷମତାକୁ ଆହୁରି ଅଧିକ ବଢ଼ାଇଥିଲେ । ତାଙ୍କ ଶାସନ କାଳରେ ଅନେକ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଥିଲା । ସେ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଥିଲେ । ସେତେବେଳେ ଏକ ମଜଭୁତ ରାଜସ୍ୱ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଥିଲା । ବାଣିଜ୍ୟ ବିକାଶ, ସାମୁଦ୍ରିକ ପଥର ଉପଯୋଗ, କଳା ଓ ସଂସ୍କୃତିର ପ୍ରୋତ୍ସାହନ ଏବଂ ଏହାର ପ୍ରଚାର ଓ ପ୍ରସାରରେ ସହିତ ସାମଗ୍ରିକ ବିକାଶ ଦିଗରେ ଭାରତ ଦ୍ରୁତ ପ୍ରଗତି ହାସଲ କରିପାରିଥିଲା ।
ବନ୍ଧୁଗଣ,
ଚୋଳ ସାମ୍ରାଜ୍ୟ ଠିକ୍ ଏକ ପ୍ରାଚୀନ ସଡ଼କ ପଥ ସଦୃଶ ଯାହା ନୂତନ ଭାରତ ଗଠନ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଏହା ଆମକୁ ସୂଚାଏ ଯେ ଯଦି ଆମେ ଏକ ବିକଶିତ ରାଷ୍ଟ୍ର ହେବାକୁ ଚାହୁଁ, ତେବେ ଆମକୁ ଏକତା ଉପରେ ହିଁ ଅଧିକ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଆର ନୌସେନାକୁ, ଆମର ପ୍ରତିରକ୍ଷା ବାହିନୀକୁ ଅଧିକ ମଜଭୁତ କରିବାକୁ ହେବ । ଆମକୁ ନୂଆ ନୂଆ ସୁଯୋଗମାନ ସନ୍ଧାନ କରିବାକୁ ପଡ଼ିବ । ଏବଂ ଏହିସବୁ ପ୍ରୟାସ ସହିତ, ଆମକୁ ଆମର ମୂଲ୍ୟବୋଧକୁ ମଧ୍ୟ ସୁରକ୍ଷିତ ରଖିବାକୁ ପଡ଼ିବ । ଏବଂ ମୁଁ ଅତ୍ୟନ୍ତ ଖୁସି ଯେ ଏହିସବୁ ପ୍ରେରଣାକୁ ନେଇ ଦେଶ ଆଜି ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଧାବମାନ ହେଉଛି ।
ବନ୍ଧୁଗଣ,
ଆଜିର ଭାରତ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଆରୋପ କରେ । ନିକଟରେ, ଅପରେସନ୍ ସିନ୍ଦୂର ସମୟରେ, ସମଗ୍ର ବିଶ୍ୱ ଏକଥାକୁ ଲକ୍ଷ୍ୟ କରିଛି ଯେ ଯତି ଭାରତର ନିରାପତ୍ତା ଓ ସାର୍ବଭୌମତ୍ୱ ଉପରେ କେହି ଆକ୍ରମଣ କରେ ତେବେ ଭାରତ କିପରି ଭାବରେ ଏହାର ପ୍ରତ୍ୟୁତ୍ତର ଦେବାକୁ ସକ୍ଷମ । ଅପରେସନ ସିନ୍ଦୂର ଏହା ପ୍ରମାଣିତ କରିଛି ଯେ ଭାରତର ଶତ୍ରୁ ପାଇଁ, ଆତଙ୍କବାଦୀମାନଙ୍କ ନିମନ୍ତେ କୌଣସି ସ୍ଥାନ ନିରାପଦ ନୁହେଁ । ଏବଂ ଆଜି ଯେତେବେଳେ ମୁଁ ହେଲିପ୍ୟାଡରୁ ସିଧାସଳଖ ଏଠାକୁ ଆସିଛି, ଯେତେବେଳେ ୩- ୪ କିଲୋମିଟର ପଥ ଅତିକ୍ରମ କରି ମୋତେ ଏଠାକୁ ଆସିବାକୁ ହୋଇଥିଲା, ହଠାତ୍ ମୁଁ ଦେଖିଲି ଯେ ଏକ ବିରାଟ ରୋଡ- ସୋ'ର ଆୟୋଜନ କରାଯାଇଛି ଏବଂ ସମସ୍ତେ ଅପରେସନ୍ ସିନ୍ଦୂରକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଅପରେସନ୍ ସିନ୍ଦୂର ସାରା ଦେଶରେ ଜନସାଧାରଣଙ୍କ ମନରେ ଏକ ଅପୂର୍ବ ଉନ୍ମାଦନା ଓ ଚେତନା ଜାଗ୍ରତ କରିଛି, ଏହା ଏକ ନୂଆ ପ୍ରକାର ଆତ୍ମ ବିଶ୍ୱାସ ଜନ୍ମାଇଛି ଏବଂ ଭାରତର ଏହି କ୍ଷମତା ଓ ଦକ୍ଷତାକୁ ବିଶ୍ୱକୁ ସ୍ୱୀକାର କରିବାକୁ ହେବ ।
ବନ୍ଧୁଗଣ,
ଆମ ସମସ୍ତଙ୍କୁ ଏହା ଉତ୍ତମ ରୂପେ ଜଣା ଯେ ରାଜେନ୍ଦ୍ର ଚୋଳ ଗଙ୍ଗାଇ- କୋଣ୍ଡାଚୋଳପୁରମ୍ ନିର୍ମାଣ କରିଥିଲେ । ସେ ଥାଞ୍ଜାଭୁରର ବୃହଦେଶ୍ୱର ମନ୍ଦିରର ଶିଖରଠାରୁ ଏହାର ଶିଖରକୁ ଛୋଟ କରି ନିର୍ମାଣ କରିଥିଲେ । ସେ ତାଙ୍କ ପିତାଙ୍କୁ ସଦାବେଳେ ସର୍ବୋଚ୍ଚ ସ୍ଥାନରେ ଆସୀନ ଦେଖିବାକୁ ଚାହୁଁଥିଲେ । ଏପରିକି ତାଙ୍କର ଏଭଳି ମହାନତା ସତ୍ତ୍ୱେ, ରାଜେନ୍ଦ୍ର ଚୋଳ ସକଳ ପ୍ରକାର ବିନୟଭାବ ପୋଷଣ କରୁଥିଲେ । ଆଜିର ନୂତନ ଭାରତ ଏହି ଭାବନାର ସହିତ ଆଗକୁ ଅଗ୍ରସର ହେଉଛି । ଆମେ ନିରବଚ୍ଛିନ୍ନ ଭାବରେ ସୁଦୃଢ଼ ହେବାରେ ଲାଗିଛୁ, କିନ୍ତୁ ଆମର ଭାବନା ସଦାବେଳେ ବିଶ୍ୱ ଭ୍ରାତୃତ୍ୱ ଏବଂ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଅଭିପ୍ରେତ ।
ବନ୍ଧୁଗଣ,
ମୋର ଐତିହ୍ୟର ଗୌରବକୁ ଆଗକୁ ଆଗେଇ ନେବାର ମାନସିକତାର ସହିତ ଆଜି ମୁଁ ଏଠାରେ ଆଉ ଗୋଟିଏ ସଂକଳ୍ପ ଗ୍ରହଣ କରୁଛି । ଆଗାମୀ ଦିନରେ, ଆମେ ରାଜରାଜ ଚୋଳ ଏବଂ ତାଙ୍କୁ ସୁପୁତ୍ର ତଥା ମହାନ୍ ଶାସକ ରାଜେନ୍ଦ୍ର ଚୋଳ ପ୍ରଥମଙ୍କର ଭବ୍ୟ ଓ ବିଶାଳ ପ୍ରତିମା ତାମିଲନାଡ଼ୁରେ ପ୍ରତିଷ୍ଠା କରିବୁ । ସେହିସବୁ ପ୍ରତିମୂର୍ତ୍ତି ଆମ ଐତିହାସିକ ଚେତନାର ଆଧୁନିକ କୀର୍ତ୍ତିସ୍ତମ୍ଭ ଭାବେ ବିଦ୍ୟମାନ ହେବ ।
ବନ୍ଧୁଗଣ,
ଆଜି ମଧ୍ୟ ଡକ୍ଟର ଏ. ପି. ଜେ. ଅବଦୁଲ କଲାମଜୀଙ୍କର ପବିତ୍ର (ପୁଣ୍ୟତିଥି) । ଏକ ବିକଶିତ ଭାରତର ନେତୃତ୍ୱ ନେବାକୁ ହେଲେ, ଆମକୁ ଡକ୍ଟର କଲାମଙ୍କ ଭଳି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସୃଷ୍ଟି କରିବାକୁ ପଡ଼ିବ, ଚୋଳ ରାଜା ସୃଷ୍ଟି କରିବାକୁ ହେବ । ସେହିଭଳି ଯୁବଶକ୍ତି ପୂର୍ଣ୍ଣ ସାମର୍ଥ ଏବଂ ଉତ୍ସର୍ଗୀକୃତ ନିଷ୍ଠାର ସହିତ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ, ଆଶା, ଆକାଂକ୍ଷାକୁ ପୂରଣ କରିପାରିବେ । ଏକତ୍ର ମିଶି, ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର ସଂକଳ୍ପକୁ ଆଗକୁ ଆଗେଇ ନେଇପାରିବା । ଏହି ଭାବନାର ସହିତ, ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ପବିତ୍ର ଅବସରରେ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।
ମୋ ସହିତ କହନ୍ତୁ,
ଭାରତ ମାତା କୀ ଜୟ ।
ଭାରତ ମାତା କୀ ଜୟ ।
ଭାରତ ମାତା କୀ ଜୟ ।
ୱଣକମ୍ ।
(Release ID: 2159617)
Visitor Counter : 3
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam