ରେଳ ମନ୍ତ୍ରଣାଳୟ
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧୀନରେ ମହାରାଷ୍ଟ୍ରର ଘନସୋଲି ଏବଂ ଶିଲଫାଟା ମଧ୍ୟରେ ୨୧ କିଲୋମିଟର ଲମ୍ବା ସମୁଦ୍ର ତଳ ସୁଡ଼ଙ୍ଗର ପ୍ରଥମ ଅଂଶ ଖୋଲିଲା
ଭାରତ-ଜାପାନ ସହଭାଗୀତା ଅଧୀନରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ଅତ୍ୟାଧୁନିକ ଇ-୧୦ ଶିଙ୍କାନସେନ୍ ଟ୍ରେନ୍ ବ୍ୟବହାର କରାଯିବ
ଭାରତ ଏବଂ ଜାପାନରେ ଏକକାଳୀନ ଚାଲୁ ହେବ ଇ-୧୦ ଶିଙ୍କାନସେନ୍ ଟ୍ରେନ
Posted On:
14 JUL 2025 4:02PM by PIB Bhubaneshwar
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ପ୍ରକଳ୍ପ ଅଧୀନରେ, ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ଏବଂ ଥାଣେ ମଧ୍ୟରେ ୨୧ କିଲୋମିଟର ଲମ୍ବା ସମୁଦ୍ର ସୁଡ଼ଙ୍ଗର ପ୍ରଥମ ଅଂଶ ଖୋଲିବା କାର୍ଯ୍ୟ ସମାପ୍ତ ହୋଇଛି। ସମ୍ପ୍ରତି, ଏହି ପ୍ରକଳ୍ପ ଅଧୀନରେ ୩୧୦ କିଲୋମିଟର ଲମ୍ବା ସ୍ୱତନ୍ତ୍ର ସେତୁ ଭାୟାଡକ୍ଟ ନିର୍ମାଣ ମଧ୍ୟ ସମାପ୍ତ ହୋଇଛି। ଟ୍ରାକ୍ ବିଛାଇବା, ଓଭରହେଡ୍ ପାୱାର କେବୁଲ୍, ଷ୍ଟେସନ ଏବଂ ସେତୁ ନିର୍ମାଣ ଆଦି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମହାରାଷ୍ଟ୍ରରେ ଏହି ପ୍ରକଳ୍ପ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଛି। ଏହା ସହିତ ପରିଚାଳନା ଏବଂ ନିୟନ୍ତ୍ରଣ ପ୍ରଣାଳୀ କ୍ରୟ କାର୍ଯ୍ୟ ମଧ୍ୟ ଭଲ ଭାବରେ ଚାଲିଛି।

ରୋଲିଂ ଷ୍ଟକ୍: ଜାପାନର ଶିଙ୍କାନସେନ କମ୍ପାନି ଏବେ ଇ-୫ ଟ୍ରେନ ଚଳାଉଛି । ପରବର୍ତ୍ତୀ ପିଢିର ଟ୍ରେନ ହେଉଛି ଇ-୧୦ । ଜାପାନ ଏବଂ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଅଧୀନରେ, ଜାପାନ ସରକାର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ଇ-୧୦ ଶିଙ୍କାନସେନ ଟ୍ରେନ ଚଲାଇବାକୁ ରାଜି ହୋଇଛନ୍ତି। ଉଲ୍ଲେଖନୀୟ ଯେ ଇ-୧୦ ଟ୍ରେନଗୁଡ଼ିକ ଏକକାଳୀନ ଭାରତ ଏବଂ ଜାପାନରେ ଚଳାଚଳ ଆରମ୍ଭ କରିବେ ।
ଜାପାନୀ ପ୍ରଯୁକ୍ତିବିଦ୍ୟା: ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ସମଗ୍ର ୫୦୮ କିଲୋମିଟର ଲମ୍ବା କରିଡରକୁ ଜାପାନୀ ଶିଙ୍କାନସେନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ କରାଯାଉଛି। ଏହା ଗତି, ସୁରକ୍ଷା ଏବଂ ନିର୍ଭରଯୋଗ୍ୟତାର ନୂତନ ମାନଦଣ୍ଡ ସ୍ଥାପନ କରିବ। ଏହା ଭାରତ ଏବଂ ଜାପାନ ମଧ୍ୟରେ ଦୃଢ଼ ରଣନୈତିକ ଏବଂ ବୈଷୟିକ ସହଯୋଗକୁ ମଧ୍ୟ ପ୍ରତିଫଳିତ କରେ।
ଦ୍ରୁତ ନିର୍ମାଣ କାର୍ଯ୍ୟ: ବୁଲେଟ୍ ଟ୍ରେନ୍ର ସମଗ୍ର ରୁଟ୍ରେ ସିଭିଲ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିରେ ୩୧୦ କିଲୋମିଟର ଲମ୍ବା ସ୍ୱତନ୍ତ୍ର ସେତୁ ଭାୟାଡକ୍ଟ ନିର୍ମାଣ କରାଯାଇଛି। ନଦୀ ଉପରେ ୧୫ଟି ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ୪ଟିର ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି। ଏହାର ୧୨ଟି ଷ୍ଟେସନ ମଧ୍ୟରୁ ୫ଟି ନିର୍ମାଣ ହୋଇଛି ଏବଂ ୩ଟିର କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଅବସ୍ଥିତ ଷ୍ଟେସନଟି ଇଞ୍ଜିନିୟରିଂର ଏକ ଅନନ୍ୟ ଉଦାହରଣ। ଏହି ଷ୍ଟେସନ ଭୂମିରୁ ୩୨.୫ ମିଟର ତଳେ ଅବସ୍ଥିତ ହେବ। ଏହାର ଭିତ୍ତିଭୂମି ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଏହା ଉପରେ ୯୫ ମିଟର ଉଚ୍ଚ କୋଠା ନିର୍ମାଣ କରାଯାଇପାରିବ।
ଭବିଷ୍ୟତର ହାଇ-ସ୍ପିଡ୍ ଟ୍ରେନ୍ ଯୋଜନା : ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ (ଏମଏଏଚଏସଆର) ପ୍ରକଳ୍ପର ସଫଳତା ଭାରତରେ ଭବିଷ୍ୟତର ବୁଲେଟ୍ ଟ୍ରେନ୍ କରିଡର ପାଇଁ ଭିତ୍ତିଭୂମି ସ୍ଥାପନ କରୁଛି। ଭବିଷ୍ୟତର ଏପରି ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ ସଂପର୍କରେ ସକ୍ରିୟ ଭାବରେ ବିଚାର କରାଯାଉଛି।
ଏହି ଯୋଜନାର ବିକାଶର ଉଲ୍ଲେଖନୀୟ ଗତି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବାରେ ଭାରତର କ୍ଷମତାକୁ ପ୍ରତିଫଳିତ କରେ, ଏହି ପରିବର୍ତ୍ତନମୂଳକ ଯାତ୍ରାରେ ଜାପାନ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
TKM
(Release ID: 2144709)