ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାମିବିୟା ସଂସଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Posted On:
09 JUL 2025 10:43PM by PIB Bhubaneshwar
ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଏଚ୍.ଇ. କୁଗୋନଗେଲଓ୍ୱା ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାମିବିୟାର ସଂସଦକୁ ସମ୍ବୋଧନ କରିଥିଲେ। ନାମିବିୟା ଗସ୍ତ ବେଳେ ସେଠାକାର ସରକାରଙ୍କ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆହୁରି ଅର୍ଥପୂର୍ଣ୍ଣ କରିଛି।
ନାମିବିୟାର ସଂସଦକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ “ଗଣତନ୍ତ୍ରର ଜନନୀ” ଓ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ତରଫରୁ ପବିତ୍ର ଗୃହର ସଦସ୍ୟ ଓ ବନ୍ଧୁତ୍ୱପୂର୍ଣ୍ଣ ନାମିବିୟାର ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଦେଶର ଐତିହାସିକ ସଂପର୍କ ଓ ସେମାନଙ୍କର ସ୍ୱାଧୀନତା ସଂଗ୍ରାମକୁ ମନେପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିୟାର ଜନକ ଡକ୍ଟର ସାମ୍ ନଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ, ଉଭୟ ଦେଶର ଜନକ ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆଦର୍ଶର ବାଟ ଆମକୁ ଦେଖାଇଛନ୍ତି, ତାହା ଦୁଇ ଦେଶର ପ୍ରଗତିର ପଥକୁ ସବୁବେଳେ ଆଲୋକିତ କରିବ। ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ନାମିବିୟାର ସରକାର ଓ ଏହାର ନାଗରିକ ଯେଉଁ ଭୂମିକା ଗ୍ରହଣ କରିଛନ୍ତି, ତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।
ନାମିବିୟାର ଶ୍ରେଷ୍ଠ ସମ୍ମାନ ପ୍ରଦାନ କରିଥିବାରୁ ନାମିବିୟାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ଏହି ସ୍ୱତନ୍ତ୍ର ପୁରସ୍କାର ହେଉଛି ଭାରତୀୟ ଓ ନାମିବିୟାବାସୀ ହାସଲ କରିଥିବା ସଫଳତା ପ୍ରତି ସମ୍ମାନ। ସ୍ୱାଧୀନତା, ସମାନତା ଓ ନ୍ୟାୟର ପ୍ରହରୀ ଭାବେ ବିଶ୍ୱର ଗରିବ ଦେଶଗୁଡ଼ିକର ଉନ୍ନତି ପାଇଁ କାମ କରିବାକୁ ସେ ଉଭୟ ଦେଶକୁ ଆହ୍ୱାନ ଦେଇଥିଲେ। ଏହା ଦ୍ୱାରା ଯେ, କେବଳ ଗରିବ ଦେଶଗୁଡ଼ିକର ସ୍ୱର ସମସ୍ତେ ଶୁଣିବେ ତାହ ନୁହେଁ, ଏହା ସହିତ ସେମାନଙ୍କର ଆଶା ଆଂକାକ୍ଷା ମଧ୍ୟ ପୂରଣ ହୋଇପାରିବ। ସେ କହିଥିଲେ, ଆଫ୍ରିକାର ଉନ୍ନତି ପାଇଁ ଭାରତ ସବୁବେଳେ କାମ କରିବ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ବେଳେ ଆଫ୍ରିକୀୟ ସଂଘକୁ ଜି-୨-ର ସ୍ଥାୟୀ ସଦସ୍ୟ କରାଯାଇଥିଲା। ନାମିବିୟା ଓ ଆଫ୍ରିକାର ଅନ୍ୟ ଦେଶଗୁଡ଼ିକ ସହିତ ଭାରତ ନିଜ ବିକାଶର ଅଭିଜ୍ଞତା ଅବଗତ କରାଇ ନିଜକୁ ଧନ୍ୟ ମନେ କରୁଛି। ଆଫ୍ରିକାର ଏଜେଣ୍ଡା ୨୦୬୩କୁ ସମର୍ଥନ କରିବା ସହିତ କ୍ଷମତା ବୃଦ୍ଧି, ଦକ୍ଷତା ବିକାଶ ଓ ସ୍ଥାନୀୟ ନବସୃଜନର ପ୍ରଚାର ପ୍ରସାରରେ ଭାରତ ସଂପୂର୍ଣ୍ଣ ଭାବେ ପ୍ରତଶ୍ରୁତିବଦ୍ଧ ବୋଲି ସେ କହିଥିଲେ।
ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ବାମିବିୟା ସଂସଦର ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ଜୋର୍ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହା ଦ୍ୱାରା ଉଭୟ ଦେଶର ଗଣତନ୍ତ୍ର ଆହୁରି ସମୃଦ୍ଧ ହେବ। “ଆମେ ଯେଉଁ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ଆମର ଉତ୍ତର ପୀଢ଼ି କେବଳ ତାକୁ ଉତ୍ତରାଧିକାର ସୂତ୍ରରେ ନ ପାଆନ୍ତୁ ବରଂ ଆମେ ମିଳିତ ଭାବେ ଯେଉଁ ଭବିଷ୍ୟତ ଗଢ଼ିବା ତାହା ମଧ୍ୟ ସେମାନଙ୍କୁ ମିଳୁ। ” - ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ନିଜର ବକ୍ତବ୍ୟ ଶେଷ କରିଥିଲେ।
BSP
(Release ID: 2143630)
Visitor Counter : 3
Read this release in:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam